କୁନ୍ଦୁଲି ଗଣଦୁଷ୍କର୍ମ ମାମଲା

ଉଇକିପିଡ଼ିଆ‌ରୁ

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା କୋରାପୁଟଜିଲ୍ଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୁନ୍ଦୁଲିରେ ୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ ଘଟିଥିବା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା ଅଟେ ।

ଜନୈକା ନବମ ଶ୍ରେଣୀର ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଆଣିଥିଲେ ଯେ ପୁଲିସ ଯବାନ ପୋଷାକ ପିନ୍ଧା ୪ଜଣ ବ୍ୟକ୍ତି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ପୀଡ଼ିତାଙ୍କ ଅଭିଯୋଗର ତଦନ୍ତ କରିଥିବା ପୁଲିସ ଟିମ ଏବଂ ଦୁଷ୍କର୍ମ ପୀଡ଼ିତାଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଟିମ ଗଣଦୁଷ୍କର୍ମର କୌଣସି ପ୍ରମାଣ ପାଇ ନଥିଲେ । କଟକ ବଡ଼ ମେଡିକାଲରେ ଦୀର୍ଘଦିନ ଧରି ଚିକିତ୍ସିତ ହୋଇ ପରେ ନିଜଘରକୁ ଫେରିଯାଇଥିଲେ । ସେ ୨୨ ଜାନୁଆରୀ ୨୦୧୮ରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ ।[୧] ରହସ୍ୟ ଘେରରେ ଥିବା ଏହି ଘଟଣା ରାଜ୍ୟରେ ପୋଲିସ ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟିକରିଥିଲା ।

ଘଟଣା[ସମ୍ପାଦନା]

ପୀଡ଼ିତା ୨୦୧୭ ଅକ୍ଟୋବର ୧୦ ତାରିଖରେ ନିଜ ଗ୍ରାମ ମୂଷାଗୁଡ଼ାରୁ କୁନ୍ଦୁଲି ହାଟପଦାକୁ ଫଟୋ ଉଠାଇବା ପାଇଁ ଆସିଥିଲେ। କାର୍ଯ୍ୟ ସାରି ଫେରୁଥିବାବେଳେ ଯୋଡ଼ି ଖାନ୍ଦା ଘାଟିରୁ ୪ଜଣ ଯବାନ ତାଙ୍କୁ ଉଠାଇ ନେଇ ଗଣବଳାତ୍କାର କରିଥିଲେ। ପରେ ନାବାଳିକା ଜଣକ ଘୁଷୁରି ଘୁଷୁରି ରାସ୍ତା ଉପରକୁ ଆସିଥିଲେ। ପଥଚାରୀମାନେ ତାଙ୍କୁ ପଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।[୨] ସମସ୍ତେ ପୋଲିସ ଡ୍ରେସରେ ଥିଲେ ଏବଂ ଜଣଙ୍କର ଆଖି ତଳକୁ କଳାଜାଇ ଥିଲା ବୋଲି ପୀଡ଼ିତା ଅଭିଯୋଗ କରିଥିଲେ । କୁନ୍ଦୁଲି ହାଟପଦାଠାରେ ସ୍ଥାନୀୟ ଗ୍ରାମବାସୀ ୨ଦିନ ଧରି ରାସ୍ତାରୋକ କରିଥିଲେ । ପରେ ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ ପ୍ରତିଶ୍ରୁତି ପାଇ ରାସ୍ତାରୋକୋରୁ ହଟିଥିଲା । ଏହି ଘଟଣାର ଗୁରୁତ୍ୱକୁ ନେଇ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚର ୫ଜଣିଆ ଏକ ଦଳ ଘଟଣାସ୍ଥଳକୁ ଗସ୍ତ କରି ତଦନ୍ତ କରିଥିଲେ।[୩]

ପୀଡ଼ିତା ମିଛ ଅଭିଯୋଗ କରିଛନ୍ତି ବୋଲି ପୁଲିସ ପକ୍ଷରୁ କୁହାଯାଇଥିଲା । ତେବେ ପୁଲିସର ମତକୁ ମିଛ ବୋଲି କହିଥଲେ ପୀଡ଼ିତା। ସେ କହିଥଲେ, ତାଙ୍କୁ ଦୁଷ୍କର୍ମ କରାଯାଇଛି। କୁନ୍ଦୁଲି ବଜାରରୁ ଗାଁକୁ ଫେରୁଥିବା ବେଳେ ତିନି ଜଣ ପୁଲିସ ବାଟରୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଏ ନେଇ ମୁହଁ ଖୋଲିବା ପରେ ଘଟଣାକୁ ଚାପିବା ଲାଗି ଉଦ୍ୟମ ହୋଇଥିଲା। ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ଏଡିଜି ତାଙ୍କ ପାଖରେ ପହଞ୍ଚି ଏକ କାଗଜରେ ଦସ୍ତଖତ କରିବାକୁ କହିଥିଲେ। ପୁଲିସ ଦୁଷ୍କର୍ମ କରିନାହିଁ ବୋଲି କହିବାକୁ ଚାପ ପକାଇଥିଲେ। ଏଥିପାଇଁ ୯୦ ହଜାର ଟଙ୍କା ମଧ୍ୟ ଯାଚିଥିଲେ।[୪] ସେମାନଙ୍କ କଥାରେ ରାଜି ନ ହେବାରୁ ମୋ ପରିବାରକୁ ଧମକ ଦିଆଯାଉଛି। ମୋତେ ଦୁଷ୍କର୍ମ କରାଯାଇ ନ ଥିବା କୁହାଯାଉଛି। ବାହାର ରାଜ୍ୟକୁ ନେଇ ପୁଣିଥରେ ମୋର ଡାକ୍ତରୀ ମଇନା କରାଯାଉ। ଯଦି ମୁଁ ମିଛ କହୁଥିବି ତେବେ ଫାଶୀ ଦିଆଯାଉ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ କୁନ୍ଦୁଲି ପୀଡ଼ିତା।[୫]

ତଦନ୍ତ[ସମ୍ପାଦନା]

କୁନ୍ଦୁଲି ପୀଡ଼ିତାଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ରାଜ୍ୟ ସରକାର/ଗୃହ ବିଭାଗ କୋରାପୁଟ ଜିଲ୍ଲାଜଜଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦେଇଥଲେ । ୩ ମାସ ମଧ୍ୟରେ ତଦନ୍ତ କରି କମିଶନ ରିପୋର୍ଟ ଦେବା ପାଇଁ ଏଥିରେ ନିର୍ଦ୍ଦେଶ ରହିଥିଲା।[୬][୭] କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା କେଉଁ ପରିସ୍ଥିତିରେ ଘଟିଲା, ଏଥିରେ କେଉଁମାନେ ସଂପୃକ୍ତ, ଏହି ଘଟଣା ସହିତ କେଉଁ ପ୍ରସଙ୍ଗ ଜଡ଼ିତ ଏହି ରୂପେ ୩ଟି ପ୍ରସଙ୍ଗ ଉପରେ କୋରାପୁଟ ଜିଲ୍ଲାଜଜଙ୍କ ତଦନ୍ତ ପରିସରରେ ଥିଲା। ଅନ୍ୟପକ୍ଷରେ ରେଡ୍ଫ୍ଲାଗ ମାମଲା ପର୍ଯ୍ୟାୟଭୁକ୍ତ କରିଥିବା କ୍ରାଇମବ୍ରାଞ୍ଚ ପୁଲିସ ମଧ୍ୟ ଘଟଣାର ତଦନ୍ତ ଅବ୍ୟାହତ ରଖିଥିଲା। ୩ ଜଣିଆ ଟିମ ମାମଲାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପାଇଁ୪ଟି ଟିମ ଗଠନ କରି ତଦନ୍ତ କରିଥିଲା ପୋଲିସ।ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ। ଅକ୍ଟୋବର ୧୭ରେ ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଛାଡି ଦେଇଥିଲା । ପୋଲିସ ଅକ୍ଟୋବର ୧୮ରେ ଭୁବେନଶ୍ୱର ଫୋରେନସିକ ଲାଇବ୍ରେରୀ ସନ୍ଦିଗ୍ଧର ଲାଇ ଡିଟେକସନ ଟେଷ୍ଟ କରାଯାଇଥିଲା । ଅକ୍ଟୋବର ୨୧ରେ କୌଣସି ପ୍ରମାଣ ନମିଳିବା ପରେ ତାକୁ ଛାଡି ଦେଇଥିଲା ପୋଲିସ। ଏଚଆରପିସି ଏଡିଜି ଏହି ଘଟଣାର ସତ୍ୟତା ନଥିବା କହିଥିବା ବେଳେ ରାଜ୍ୟ ପୋଲିସ ଏହି ଅଭିଯୋଗକୁ ମିଛ ବୋଲି କହିଥିଲା । ନାବାଳିକଙ୍କୁ ଗଣବଳାତ୍କାର ହୋଇଥିବାର କୌଣସି ପ୍ରାମାଣ ନ ଥିବା କଥା ଏଚ୍‌ଆରପିସି ଏଡିଜି ମହେନ୍ଦ୍ର ପ୍ରତାପ ସୂଚନା ଦେଇଥିଲେ । ତଦନ୍ତ ରିପୋର୍ଟ ଅନୁଯାୟୀ, ଅଭିଯୋଗକାରୀ ନାବଳିକା ଗଣବଳାତ୍କାର ଶିକାର ହୋଇଥିବା ନେଇ କୌଣସି ପ୍ରମାଣ ମିଳିନାହିଁ । ଘଟଣାର ତଦନ୍ତକାରୀ ପୁଲିସ ଓ ଡାକ୍ତରଙ୍କ ତଥ୍ୟ ଅନୁଯାୟୀ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ସେହି ଅଞ୍ଚଳ ଦେଇ ଯବାନଙ୍କର ଚଳପ୍ରଚଳ ନଥିଲା। ସମ୍ପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ ଏହାର ତଦନ୍ତ କରାଯାଉଥିବା ପୁଲିସ ଡିଜି ଆର ପି ଶର୍ମା କହିଥିଲେ ।[୮] ପରେ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । [୯][୧୦] ସୁସ୍ଥ ହୋଇ କୋରାପୁଟ ଡାକ୍ତରଖାନାରୁ ଡିସ ଚାର୍ଜ ପରେ ଧାରା ୧୬୪ରେ ବୟାନ ରେକର୍ଡ ପାଇଁ ତାଙ୍କୁ ଜେଏମ‌ଏଫସି କୋର୍ଟରେ ହାଜର କରାଯାଇଥିଲା । ନାବାଳିକା କହିଥିଲେ ଯେ ପୋଲିସ ଅସଲ ଆସାମୀଙ୍କୁ ପୋଲିସ‌ ଗିରଫ ନ କରି ମୋ ସମ୍ପର୍କୀୟଙ୍କୁ ଧରି ପଚରାଉଚୁରା କରୁଛି। ଯଦି ସମ୍ପର୍କୀୟମାନେ ଏଭଳି କାଣ୍ଡ କରିଥାନ୍ତେ ତେବେ ଏତଲାରେ ସେମାନଙ୍କ ନାଁ ଦିଆଯାଇଥାନ୍ତା। ବିନା କାରଣରେ ସମ୍ପର୍କୀୟ ଓ ଗାଁ ଲୋକଙ୍କୁ ପୋଲିସ‌ ହଇରାଣ କରୁଥିବାରୁ ମୋ ପରିବାର ଲୋକଙ୍କୁ ଗାଁରେ ଅନେକ ଅପବାଦ ଶୁଣିବାକୁ ମିଳୁଛି। ମୁଁ ଏଥିପାଇଁ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛି ବୋଲି ସେ ପ୍ରତିକ୍ରିୟା ଦେଇଥିଲେ ।[୧୧]

ପୀଡ଼ିତାଙ୍କ ଘରକୁ ଯାଇ ମାମଲାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ। ତଦନ୍ତ ଚାଲିଥିବାବେଳେ ଅସୁସ୍ଥ ହୋଇ ପଡିଥିଲେ କୁନ୍ଦୁଲି ପୀଡ଼ିତା। ତାଙ୍କୁ ପ୍ରଥମେ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସୁସ୍ଥ ହୋଇ ସୁଧାର ଗୃହକୁ ଫେରିଥିଲେ ପୀଡ଼ିତା ଏହାପରେ ପୁଣିଥରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାକୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । କୁନ୍ଦୁଲି ପୀଡ଼ିତାଙ୍କ ଚିକିତ୍ସା ପରେ ମାନସିକ ସ୍ଥିତି ଠିକ ନ ଥିବା କହିଥିଲେ ଡାକ୍ତର । [୧୨] ୨୦୧୭ନବେମ୍ବର ୨୫ ତାରିଖରେ କଟକ ମଙ୍ଗଳାବାଗ ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ କୋରାପୁଟ ଡିସିପିଓ, ପୁଲିସ ବିରୋଧରେ ଏତଲା ଦାୟର କରାଯାଇଥିଲା। ଏସସିବି ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ଅଭିଯୋଗରେ କୁହାଯାଇଥିଲା, ପୀଡ଼ିତାଙ୍କୁ ଜବରଦସ୍ତି ଏସସିବିରେ ରଖାଯାଇଛି।[୧୩]

ପିଡ଼ିତାଙ୍କ ଅଭିଯୋଗକୁ ମିଛ ବୋଲି ଦର୍ଶାଯାଉଥିବାରୁ ମାନସିକ ଅବସାଦଗସ୍ତ ରହୁଥିଲେ ପୀଡ଼ିତା । ଏଥିପାଇଁ କଟକ ବଡ଼ ମେଡିକାଲରେ ତାଙ୍କର ଚିକିତ୍ସା କରାଯାଉଥିଲା । ତେବେ କଂଗ୍ରେସ ଏହି ଘଟଣାରେ ପ୍ରତିବାଦ କରିବା ପରେ ପୀଡ଼ିତାଙ୍କୁ ପରିବାର ଲୋକଙ୍କ ଜିମା ଦିଆଯାଇଥିଲା । [୧୪]

ପ୍ରତିକ୍ରିୟା[ସମ୍ପାଦନା]

ଅନୁସୂଚିତ ଜାତିର ଓଡ଼ିଶା ଅଧ୍ୟକ୍ଷ,ବିଜେଡ଼ି ଦଳିତ ସେଲର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସ ଘଟଣାର ଠିକ ତଦନ୍ତ ହୋଇନି ବୋଲି ଅସନ୍ତୋଷ ଜାହିର କରିଥିଲେ । ଘଟଣାରେ ଏସଓଜି ଯବାନମାନେ ସମ୍ପୃକ୍ତ ଅଛନ୍ତି ବୋଲି ବିଷ୍ଣୁ ଦାସ ପ୍ରକାଶ କରି ଉକ୍ତ ଘଟଣା ଉପରେ କ୍ରାଇମବ୍ରାଞ୍ଚର ଅତିରିକ୍ତ ପୋଲିସ ନିଦ୍ଦେର୍ଶକଙ୍କଦ୍ୱାରା ତଦନ୍ତ କରିବା ପାଇଁ ଦାବି କରିଥିଲେ।[୧୫] କୁନ୍ଦୁଲି ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଘଟଣାରେ ପୁଲିସ ଓ ଏଚଆରପିସି ଏଡିଜିଙ୍କ ମନ୍ତବ୍ୟର ୨୪ ଘଂଟା ଭିତରେ ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଯାହା କୁନ୍ଦୁଲି ଘଟଣାକୁ ଆହୁରି ରହସ୍ୟାବୃତ କରିଥିଲା । ଯଦି ବିଚାର ବିଭାଗୀୟ ତଦନ୍ତ କରିବାର ଥିଲା ତେବେ ଏତେ ନାଟକ ବାଜି କାହିଁକି କଲେ ବୋଲି ପ୍ରଶ୍ନ କରିଥିଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଆଳ ଓରାମ । ପୀଡ଼ିତାଙ୍କୁ ବଳାତ୍କାର କରାଯାଇନାହିଁ ବୋଲି ପୋଲିସ ୨୭ ଦିନ ପରେ ଘୋଷଣା କରିଥିବା ବେଳେ ଅନେକ ଦିନ ଧରି ଡାକ୍ତର ଚିକିତ୍ସା କରୁଥିଲେ । ପୀଡ଼ିତା ମିଛ କହୁଛି ଓ ତା’ର କିଛି ହୋଇନି ବୋଲି ପୋଲିସ ସ୍ପଷ୍ଟ କରିଥିବା ବେଳେ କାହିଁକି ପୀଡ଼ିତାଙ୍କୁ ଶିଶୁ ମଙ୍ଗଳକମିଟିକୁ ହସ୍ତାନ୍ତର ହୋଇଥିଲା । ପରିବାରକୁ ହସ୍ତାନ୍ତର ନକରି ଶିଶୁ ମଂଗଳ ବିଭାଗକୁ ଦେଇ ପୀଡ଼ିତା ଉପରେ ମାନସିକ ଚାପ ପକାଇ ତାକୁ ନଜରବନ୍ଦୀ ଭାବେ ରଖାଯାଇଥିଲା । ଘଟଣାର ୩୦ ଦିନ ପରେ ହଠାତ ତାଙ୍କୁ ଏସ୍ସିବି ମେଡିକାଲକୁ ରାତି ୧୨ଟାରେ ତାଙ୍କ ପରିବାରକୁ ନଜଣାଯାଇ କୋରାପୁଟରୁ ବଡ଼ ମେଡିକାଲକୁ ନିର୍ଦ୍ଦେଶରେ କରାଗଲା ସ୍ଥାନାନ୍ତର ହୋଇଥିଲା। ପୀଡ଼ିତା ଅନେକ ମାତ୍ରାରେ ଆଇରନ୍ ବଟିକା ବ୍ୟବହାର କରୁଥିଲେ ଓ ତାଙ୍କୁ ଦେଖାଶୁଣା କରୁଥିବା ଶିଶୁ ମଙ୍ଗଳ କମିଟି ଏ ବାବଦରେ ଅଜ୍ଞ ରହିଥିଲେ । ଏକାଥରକେ ଏତେ ବଟିକା ଖାଇବା ଯଦି ସତ୍ୟ ହୋଇଥାଏ ତେବେ ଶିଶୁ ମଂଗଳ କମିଟିତଦନ୍ତ ପରିସରକୁ ଆସିବା ସମୀଚିନ ବୋଲି ଜନମତପ୍ରକାଶ ପାଇଥିଲା । ପୀଡ଼ିତା ଶାରୀରିକ ଭାବେ ସୁସ୍ଥଥିବା ଡାକ୍ତର କହୁଥିବା ବେଳେ କାହିଁକି ଏତେ ଦିନ ଧରି ଆଇସିୟୁରେ ରଖାଯାଇଥିଲା ଓ ତାଙ୍କ ପରିବାର ସହିତ କଥାବାର୍ତ୍ତା ପାଇଁ ରହସ୍ୟମୟ ଭାବେ ବାରଣ କରାଯାଉଥିଲା । ଯିଏ ସ୍କୁଲରେ ୭୦ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହେଉଥିଲେ ସେ କିପରି ମାନସିକ ରୋଗୀ ହେଲେ ଓ ତାକୁ ମାନସିକ ୱାର୍ଡକୁ କାହିଁକି ସ୍ଥାନାନ୍ତର କରିବାକୁ ପ୍ରଶାସନ ଯୁକ୍ତି ବାଢୁଥିଲା ତାହା ସରକାରଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଝିଅର ପରିବାର ବର୍ଗ ପୀଡ଼ିତାଙ୍କୁ ବାହାରକୁ ନେଇ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରିବାକୁ ଚାହୁଁଥିବା ବେଳେ ପ୍ରଶାସନ ଏଥିରେ ବାଧକ ସାଜିଥିଲା । ଏସବୁ ଅସମାହିତ ପ୍ରଶ୍ନର ଉତ୍ତର ନିତ୍ୟାନ୍ତ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା ।[୧୬]

ସରକାରୀ ସହାୟତା[ସମ୍ପାଦନା]

ପୀଡ଼ିତାଙ୍କୁ ସହାୟତା ଦେବାକୁ ରାଜ୍ୟ ମାନବାଧିକାର କମିଶନର ଏସ୍ସି ଏସ୍ଟି ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୀଡ଼ିତାଙ୍କୁ ୫୦ ହଜାର ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ପ୍ରଦାନ ସହିତ ପୀଡ଼ିତାଙ୍କୁ କୁନ୍ଦୁଲି ଏକଲବ୍ୟ ସ୍କୁଲରେ ପଢାଇବାର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ନବେମ୍ବର ୨୭ ତାରିଖ ସୁଦ୍ଧା ଯେପରି ପୀଡ଼ିତାଙ୍କୁ ଏହି ସହାୟତା ରାଶି ଦିଆଯାଏ ସେ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ସହିତ ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କ୍ରାଇମ ବ୍ରାଞ୍ଚଙ୍କୁ ନିର୍ଦ୍ଦେଶ ଦେଇଥିଲେ।[୧୭] ପୀଡ଼ିତାଙ୍କ ପାଇଁ ବ୍ୟାଙ୍କରେ ୫୦ ହଜାର ଟଙ୍କା ଜମା କରାଯିବା ନେଇ ଏସସି/ଏସଟି କମିଶନର ତଥା ସଚିବ ଓଏଚଆରସିକୁ ସୂଚନା ଦେଇଥିଲେ । ପୀଡ଼ିତାଙ୍କ ଶିକ୍ଷା ବ୍ୟବସ୍ଥା ନେଇ ପଦକ୍ଷେପ ବିଷୟରେ କୋରାପୁଟ ଜିଲ୍ଲାପାଳଙ୍କୁ ଓଏଚଆରସି ୨ୟ ଥର ପାଇଁ ରିପୋର୍ଟ ମାଗିଥିଲେ ।[୧୮]

ଜୀବନ ହାରିଲେ ପୀଡ଼ିତା[ସମ୍ପାଦନା]

ପୀଡ଼ିତା ୨୨ ଜାନୁଆରୀ ୨୦୧୮ରେ ନିଜ ଘରେ ଆତ୍ମହତ୍ୟା ପାଇଁ ଊଦ୍ୟମ କରିଥିଲେ ।ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ତେବେ ମେଡିକାଲରେ ତାଙ୍କୁ 'ଡେଡ ରିସବଡ' ହିଁ ଘୋଷଣା କରାଯାଇଥିଲା । [୧୯] ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିଲା ।

ଘଟଣାକ୍ରମ[ସମ୍ପାଦନା]

  • ଅକ୍ଟୋବର ୧୦ - କୁନ୍ଦୁଲି ହାଟପଦାରୁ ଫଟୋଉଠାଇ ମୂଷାଗୁଡ଼ାସ୍ଥିତ ଘରକୁ ଫେରୁଥିବାବେଳେ ଗଣବଳାତ୍କାରର ଶିକାର ହେଲେ ବୋଲି ପୀଡ଼ିତାଙ୍କ ଅଭିଯୋଗ । ଚିକିତ୍ସା ପାଇଁ ପ୍ରଥମେ କୁନ୍ଦୁଲି ଓ ପରେ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତିକରାଗଲା ।
  • ‎ ଅକ୍ଟୋବର ୧୧ - ମାମଲାକୁ ଗୁରୁତ୍ତର ବିଚାର କରି ଏହାକୁ 'ରେଡ଼ ଫ୍ଲାଗ' ଅପରାଧ ଅନ୍ତର୍ଭୁକ୍ତ କରାଗଲା ।
  • ‎ଅକ୍ଟୋବର ୧୨ - ୩୬ ଘଣ୍ଟା ପରେ ଜାତୀୟ ରାଜପଥରୁ ଜନତାଙ୍କ ଅବରୋଧ ହଟିଲା ।
  • ‎ ଅକ୍ଟୋବର ୧୬ - ସନ୍ଦେହରେ ୪ ଜଣଙ୍କୁ ଉଠାଇନେଲା ପୁଲିସ । କଂଗ୍ରେସ ତରଫରୁ କୋରାପୁଟ ଜିଲ୍ଲା ବନ୍ଦ ।
  • ‎ ଅକ୍ଟୋବର ୧୭ - ୩ ଜଣଙ୍କୁ ଛାଡ଼ିଦେଲା ପୁଲିସ
  • ‎ ଅକ୍ଟୋବର ୧୮ - ଅନ୍ୟତମ ଅଭିଯୁକ୍ତକୁ 'ଲାଇ ଡ଼ିଟେକ୍ସନ ଟେଷ୍ଟ' ପାଇଁ ନିଆଗଲା ।
  • ‎ ଅକ୍ଟୋବର ୨୧ - ପ୍ରମାଣ ଅଭାବରୁ ଅଭିଯୁକ୍ତକୁ ଛାଡ଼ିଦେଲା ପୁଲିସ
  • ‎ ଅକ୍ଟୋବର ୨୭ - ମେଡିକାଲରୁ ଛାଡ଼ ପାଇଲେ ପୀଡ଼ିତା । ପୁଲିସ ତାଙ୍କ ବୟାନ ରେକର୍ଡ଼ କଲା ପରେ ଶିଶୁ ମଙ୍ଗଳ କମିଟି ପରାମର୍ଶ କ୍ରମେ ଜୟପୁର ନିକଟସ୍ଥ ଏକ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ରଖାଗଲା।
  • ‎ ନବେମ୍ବର ୧ - ପୀଡ଼ିତା ଅସୁସ୍ଥ ଅନୁଭବ କଲେ । ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଗଲା ।
  • ‎ ନବେମ୍ବର ୩ - ସୁସ୍ଥହୋଇ ଶିଶୁ ପରିଚର୍ଯ୍ୟା କେନ୍ଦ୍ରକୁ ଫେରିଲେ ପୀଡ଼ିତା ।
  • ‎ ନବେମ୍ବର ୫ - ପୀଡ଼ିତାଙ୍କୁ କାଉନସେଲିଂ କଲେ ଏକ ସ୍ୱତନ୍ତ୍ର ଦଳ ।
  • ‎ନବେମ୍ବର ୬ - ଓଏଚଆରସିଙ୍କ ନିକଟରେ ମେଡ଼ିକାଲ ରିପୋର୍ଟ ଦାଖଲ
  • ‎ନବେମ୍ବର ୭ - ପୀଡ଼ିତାଙ୍କୁ ଗଣବଳାତ୍କାର ହୋଇନାହିଁ ବୋଲି ପୁଲିସ ଏସପି, ଏନଆରପିସି ଏଡିଜି ଓ ଓଏଚଆରସିଙ୍କ ଘୋଷଣା ।[୨୦] ଆତ୍ମହତ୍ୟା ଧମକ ଦେଲେ ପୀଡ଼ିତା ପରିବାର ।
  • ‎ ନବେମ୍ବର ୮ - ଘଟଣାର କ୍ରାଇମବ୍ରାଞ୍ଚ ଓ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ‎ ନବେମ୍ବର ୧୦ - କୋରାପୁଟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭକଲା ଅପରାଧ ଶାଖା । ପୀଡ଼ିତାଙ୍କୁ ୫୦,୦୦୦ ଟଙ୍କାର ସହାୟତା ରାଶି ଦେବାକୁ ଓଏଚଆରସିଙ୍କ ନିର୍ଦ୍ଦେଶ ।
  • ‎ ନବେମ୍ବର ୧୮ - ସ୍ୱଧାର ଗୃହରୁ ପୀଡ଼ିତାଙ୍କୁ ଅସୁସ୍ଥ ଅବସ୍ଥାରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଗଲା ।
  • ‎ ନବେମ୍ବର ୧୯ - ଅଧିକ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲ କଲେଜକୁ ପଠାଗଲା।
  • ‎ ନବେମ୍ବର ୨୭ - ଏସସିବି ମେଡିକାଲରୁ ବାହାରିଲେ ପୀଡ଼ିତା ।
  • ‎ ନବେମ୍ବର ୨୮ - ଚିକିତ୍ସିତ ଫେରିବା ପରେ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର । କମିଟିଙ୍କ ନିଷ୍ପତ୍ତି ଅନୁଯାୟୀ ପୀଡ଼ିତାଙ୍କୁ ପରିବାର ଲୋକଙ୍କ ଜିମାରେ ଦିଆଗଲା । ସନ୍ଧ୍ୟା ସମୟରେ ଘରକୁ ଫେରିଲେ ପୀଡ଼ିତା ।
  • ‎ ଡିସେମ୍ବର ୧୫ - ମାମଲାକୁ ବନ୍ଦ ଘୋଷଣାକଲେ ଓଏଚଆରସି ।
  • ‎ ଜାନୁଆରୀ ୨୨ - ନିଜ ଘରେ ପୀଡ଼ିତାଙ୍କ ଆତ୍ମହତ୍ୟା[୨୧]

ପୀଡ଼ିତାଙ୍କ ଆତ୍ମହତ୍ୟା ପରର ପ୍ରତିକ୍ରିୟା[ସମ୍ପାଦନା]

ଆତ୍ମହତ୍ୟା ଘଟଣାର ପରଦିନ ବିଜେପି ରାଜ୍ୟ ସରକାରଙ୍କ ଅପାରଗତା ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଇଥିଲେ । ସଂଯୋଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନେରୁ 'ଆଦର୍ଶ ମୁଖ୍ୟମନ୍ତ୍ରୀ' ସମ୍ମାନରେ ସମ୍ବର୍ଦ୍ଧିତ ହୋଇ ଫେରୁଥିଲେ । ଆଦର୍ଶ ମୁଖ୍ୟମନ୍ତ୍ରୀ ଏପରି କାର୍ଯ୍ୟ କରିଥାନ୍ତି କି ବୋଲି ପ୍ରଶ୍ନ ଉଠାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ମୁଖ୍ୟମନ୍ତ୍ରୀ ଯଦି ଟିକେ ବି ସମ୍ବେଦନ ଥାଆନ୍ତି ତେବେ ପୀଡ଼ିତାଙ୍କୁ ନ୍ୟାୟ ଦିଅନ୍ତୁ ।[୨୨] ଘଟଣାର ରାତିରେ ନବୀନ ନିବାସକୁ ଘେରି ବିଜେପି କର୍ମୀମାନେ ବିରୋଧ ପ୍ରଦର୍ଶନ କରି ଗିରଫ ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏହାକୁ ଏକ ବ୍ୟବସ୍ଥାପିକ ଷଡ଼ଯନ୍ତ୍ର ଅଭିହିତ କରିଥିଲେ ।[୨୩]

ଆହୁରି ପଢ଼ନ୍ତୁ[ସମ୍ପାଦନା]

ଇତିଶ୍ରୀ ହତ୍ୟାକାଣ୍ଡ

ଆଧାର[ସମ୍ପାଦନା]

  1. "କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା". Sambad. Sambad. ସମ୍ବାଦ. 22 January 2018. Retrieved 7 August 2018.
  2. http://odishatime.com/odiya/juel-comment-on-kunduli-rape-cape/
  3. http://www.dharitri.com/main/news/19085
  4. http://www.financialexpress.com/india-news/dgp-bribed-me-to-withdraw-complaint-says-kunduli-rape-victim/995125/
  5. https://m.dailyhunt.in/news/india/english/kanaknews-epaper-kanak/kunduli+piditanka+drumbhokti+kahile+micha+kahithile+phashidia-newsid-78968134?listname=topicsList&index=0&topicIndex=0&mode=pwa
  6. http://www.dharitri.com/main/news/16854
  7. http://odiannews.com/news-detail.php?id=331
  8. http://odiannews.com/news-detail.php?id=331
  9. http://kanaknews.com/kunduli-victim-suicide/
  10. http://odishaupdate.in/koraput-gang-rape-mystery/
  11. http://odishatime.com/odiya/kunduli-mass-rape/
  12. http://odishareporter.in/odisha/kunduli-victim-death/
  13. http://onakhabar.com/କୁନ୍ଦୁଲି-ଗଣଦୁଷ୍କର୍ମ-କଟକ/
  14. https://odisha.live/2018/01/22/କୁନ୍ଦୁଲି-ପୀଡ଼ିତା/
  15. http://odishatime.com/odiya/kunduli-rape-case-2/
  16. http://odisha24.com/latest_news_inner.php?id=236
  17. http://www.janatakhabar.in/ରାଜ୍ୟ/କୁନ୍ଦୁଲି-ଗଣଦୁଷ୍କର୍ମ-ପୀଡି/
  18. http://www.samajalive.in/post.php?ref=13130&post=ଏସସବ-ମଡକଲର-ଡସଚରଜ-କନଦଲ-ପଡତ
  19. https://www.fastmailtv.com/news/amp/odisha/kunduli-rape-victim-suicide/5815
  20. http://kalingatv.com/latestnews/kunduli-gang-rape-victim-ends-life-union-tribal-minister-demands-cbi-probe/
  21. http://www.uniindia.com/kunduli-gang-rape-victim-commits-suicide/states/news/1113954.html
  22. https://www.aninews.in/news/national/general-news/odisha-gangrape-dharmendra-pradhan-criticises-cm-patnaik201801230236540001/
  23. http://www.newindianexpress.com/states/odisha/2018/jan/23/bjp-protests-govt-inaction-in-kunduli-case-1761735.html