ଆସିର ପର୍ବତମାଳା
ଆସିର ପର୍ବତମାଳା جِبَال ٱلْعَسِيْر | |
---|---|
جِبَال ٱلْعَسِيْر (ଆରବୀୟ ଭାଷା) | |
Location | |
Coordinates | 21°36′N 39°48′E / 21.6°N 39.8°E |
ଆସିର ପର୍ବତମାଳା (ଇଂରାଜୀରେ Asir Mountains[୧] ଆରବୀୟ ଭାଷାରେ جِبَال ٱلْعَسِيْر}}, ଜିବାଲ୍ ଅଲ୍ ଆସିର୍) ଦକ୍ଷିଣ-ପଶ୍ଚିମ ସାଉଦି ଆରବରେ ଲୋହିତ ସାଗର ସହିତ ସମାନ୍ତରାଳ ଭାବେ ଦଣ୍ଡାୟମାନ । ସାଉଦି ଆରବର ଆସିର ଅଞ୍ଚଳ ସହିତ ଏହି ପର୍ବତମାଳାର କିଛି ଅଂଶ ୟେମେନ ସୀମା ପର୍ଯ୍ୟନ୍ତ ବ୍ୟାପ୍ତ । ପର୍ବତଶ୍ରେଣୀର କ୍ଷେତ୍ରଫଳ ଆନୁମାନିକ ୧ ଲକ୍ଷ ବର୍ଗ କିଲୋମିଟର । ଏହି ଅଞ୍ଚଳ ମଧ୍ୟରେ ପର୍ବତ, ସମଭୂମି, ଉପତ୍ୟକା ଓ ମାଳଭୂମି ରହିଛି ।[୨] କହିବାକୁ ଗଲେ, ଆସିର ପର୍ବତମାଳା ସରୱାତ ପର୍ବତମାଳାର ଅଂଶ ।[୩] ସରୱାତ ପର୍ବତମାଳା ଲୋହିତ ସାଗର ସହ ସମାନ୍ତରାଳ ଭାବେ ସାଉଦି ଆରବ ଓ ୟେମେନରେ ଆରବୀୟ ଉପଦ୍ୱୀପର ପଶ୍ଚିମାଂଶରେ ଅବସ୍ଥିତ ।[୪][୫][୬] ଏହି ପର୍ବତମାଳାର ଆରବୀୟ ନାମର ଅର୍ଥ ହେଉଛି ‘କଷ୍ଟକର’ । ଉତ୍ତର-ଦକ୍ଷିଣ ଦିଗରେ ଏହି ପର୍ବତଶ୍ରେଣୀ ବ୍ୟାପି ରହିଛି ।
ଭୂବୈଜ୍ଞାନିକ ତଥ୍ୟ
[ସମ୍ପାଦନା]ଆସିର ପର୍ବତମାଳା ମୁଖ୍ୟତଃ ଜୁରାସିକ୍, କ୍ରିଟେସିୟସ୍ ଓ ପାଲିଓଜିନ୍ କାଳର ସ୍ତରୀଭୂତ ଶିଳା, ଚୂନ ପଥର, ବାଲିପଥର, ଶେଲ୍ ପ୍ରଭୃତି ଶିଳାରେ ଗଠିତ । ପର୍ବତମାଳାର ଭିତ୍ତିଭୂମି ପ୍ରାକ୍-କାମ୍ବ୍ରିୟାନ୍ କାଳର ମୁଗୁନି ପଥରରେ ଗଠିତ ।[୨]
ଜଳବାୟୁ ଓ କୃଷି
[ସମ୍ପାଦନା]ସାଉଦି ଆରବର ସମସ୍ତ ଅଞ୍ଚଳ ମଧ୍ୟରୁ ଏଠାରେ ବାର୍ଷିକ ସର୍ବାଧିକ ବୃଷ୍ଟିପାତ ହୋଇଥାଏ । ଆର୍ଦ୍ର ଅଞ୍ଚଳରେ ବାର୍ଷିକ ହାରାହାରି ୬୦୦ ମିଲିମିଟରରୁ ୧୦୦୦ ମିଲିମିଟର ବୃଷ୍ଟିପାତ ହୋଇଥାଏ । ପର୍ବତମାଳାର ପୂର୍ବସ୍ଥ ସମଭୂମି ଓ ମାଳଭୂମିରେ ବାର୍ଷିକ ସର୍ବାଧିକ ହାରାହାରି ୫୦୦ ମିଲିମିଟର ଓ ସର୍ବନିମ୍ନ ୧୦୦ ମିଲିମିଟର ବା ତାହାଠାରୁ କମ୍ ବୃଷ୍ଟିପାତ ହୋଇଥାଏ ।[୨] ପର୍ବତମାଳାର ପଶ୍ଚିମ ପଟରେ କୁହୁଡ଼ି ଓ ମେଘ ସୃଷ୍ଟି ହେବା ବେଳେ ପୂର୍ବ ପଟ ଅପେକ୍ଷାକୃତ ଶୁଷ୍କ ।
ସୋପାନ ପଦ୍ଧତି ଅବଲମ୍ବନ କରି ଏଠାରେ କିଛି ମାତ୍ରରେ କୃଷି କାର୍ଯ୍ୟ କରାଯାଇଥାଏ । ଗହମ, କଫି, କାର୍ପାସ, ନୀଳ, ଅଦା, ପନିପରିବା ଏବଂ ତାଳ ଇତ୍ୟାଦି ଏହି ଅଞ୍ଚଳର ପ୍ରମୁଖ କୃଷି ଉତ୍ପାଦ । ଏଠାକାର ଅଧିବାସୀ ଗୋରୁ, ମେଣ୍ଢା, ଛେଳି ଓ ଓଟ ପରି ଜୀବ ମଧ୍ୟ ପାଳନ କରିଥାନ୍ତି ।
ଜୈବବିବିଧତା
[ସମ୍ପାଦନା]ଏଠାକାର ଭୂଗଠନ ଓ ଉଚ୍ଚଭୂମି ଯୋଗୁଁ ଏହି ଅଞ୍ଚଳର ଜୈବବିବିଧତାର ସ୍ୱାତନ୍ତ୍ର୍ୟ ବଜାୟ ରହିପାରିଛି । ଏହି ଅଞ୍ଚଳରେ ଅନେକ ନୂତନ ମିଜୋଗାଷ୍ଟ୍ରିଆ ଶିଉଳି ଓ ଛତୁ ଜାତୀୟ ଉଦ୍ଭିଦ ଆବିଷ୍କୃତ ହୋଇଛନ୍ତି ।[୭] ଏହି ଅଞ୍ଚଳରେ ରହିଥିବା ବଣରେ ମୁଖ୍ୟତଃ ଜୁନିପର୍ ଜାତୀୟ ଉଦ୍ଭିଦ, ଆକାଶିଆ ଜାତୀୟ ଉଦ୍ଭିଦ ଓ ଅନ୍ୟ ବୁଦା ଜାତୀୟ ଉଦ୍ଭିଦ ପରିଲକ୍ଷିତ ହୁଅନ୍ତି । ସମୁଦ୍ର ପତନରୁ ଉଚ୍ଚତା ଅନୁସାରେ ଆସିର ପର୍ବତମାଳାର ଉଦ୍ଭିଦମାନଙ୍କ ବିବିଧତା ପରିଲକ୍ଷିତ ହୁଏ । ୪୦୦ରୁ ୧୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଥିବା ପର୍ବତର ନିମ୍ନାଂଶ, ୧୦୦୦ରୁ ୧୬୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ପର୍ବତର ଢାଲୁ ଅଞ୍ଚଳ, ୧୬୦୦ରୁ ୨୨୦୦ ମିଟର ଉଚ୍ଚତା ଅଞ୍ଚଳ, ୨୨୦୦-୩୧୦୦ ମିଟର ଉଚ୍ଚ ଅଞ୍ଚଳ ଓ ପୂର୍ବସ୍ଥ ବୃଷ୍ଟିଛାୟା ଅଞ୍ଚଳର ଉଦ୍ଭିଦ ପରସ୍ପରଠାରୁ କିଛି ମାତ୍ରାରେ ଭିନ୍ନ ।[୮]
ଲୋପ ପାଇ ଆସୁଥିବା ଆରବୀୟ କଲରାପତ୍ରିଆ ବାଘ ଉପପ୍ରଜାତିର ଶେଷ ପରିବାସ ରୂପେ ଆସିର ପର୍ବତମାଳା ଜଣା ।[୨][୫][୬] ଆରବୀୟ କଲରାପତ୍ରିଆ ବାଘ ସମୁଦ୍ର ପତନରୁ ୧୫୦୦ ମିଟର ଉଚ୍ଚ ଅଞ୍ଚଳରେ ରହନ୍ତି । କ୍ୟାମେରା ଟ୍ରାପିଂ ପଦ୍ଧତି ଅବଲମ୍ବନ କରି ଆସିର ପର୍ବତମାଳାରେ ଆରବୀୟ ଗ୍ୟାଜେଲ୍ ହରିଣର ସନ୍ଧାନ ମଧ୍ୟ ମିଳିପାରିଛି ।[୯] ଆସିର ପର୍ବତମାଳାରେ ଆସିର ଜାତୀୟ ଉଦ୍ୟାନ ମଧ୍ୟ ଅବସ୍ଥିତ । ଏହି ଜାତୀୟ ଉଦ୍ୟାନ ୪୫୦୦ ବର୍ଗ କିଲୋମିଟର କ୍ଷେତ୍ରରେ ବ୍ୟାପ୍ତ । ଏହି ପର୍ବତମାଳାରେ ହାମାଦ୍ର୍ୟାସ୍ ବବୁନ୍ ଓ ଚିଲ, ବାଜ, ଛଞ୍ଚାଣଙ୍କ ପରି ବିଭିନ୍ନ ପ୍ରଜାତିର ଶିକାରୀ ପକ୍ଷୀ ଦେଖିବାକୁ ମିଳନ୍ତି ।[୧୦]
ଚିତ୍ର ଗ୍ୟାଲେରି
[ସମ୍ପାଦନା]-
ଅଭା ନିକଟସ୍ଥ ପର୍ବତମାଳା
-
ଅଲ୍-ହବାଲାଃର ଦୃଶ୍ୟ
-
ଅଲ୍-ସୌଦାଃ
-
ବାରେକ୍ର ହୱାଲାରୁ ଜବାଲ ଅଥେର୍ବର ଦୃଶ୍ୟ
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Library of Congress Country Study: Saudi Arabia", The Library of Congress, archived from the original on 2008-09-23
- ↑ ୨.୦ ୨.୧ ୨.୨ ୨.୩ "Southwestern Arabian montane woodlands". Terrestrial Ecoregions. World Wildlife Fund.
- ↑ Overstreet, William Courtney (1977). Tertiary laterite of the As Sarat Mountains, Asir Province, Kingdom of Saudi Arabia. Vol. 2. Directorate General of Mineral Resources. pp. iii–2.
- ↑ Nasr, Seyyed Hossein (2013). "1: The Holiest Cities of Islam". Mecca the Blessed, Medina the Radiant: The Holiest Cities of Islam. Tuttle Publishing. ISBN 978-1-4629-1365-7.
- ↑ ୫.୦ ୫.୧ Judas, J.; Paillat, P.; Khoja, A.; Boug, A. (2006). "Status of the Arabian leopard in Saudi Arabia" (PDF). Cat News. Special Issue 1: 11–19. Archived from the original (PDF) on 2015-09-19. Retrieved 2020-11-19.
- ↑ ୬.୦ ୬.୧ Spalton, J. A. & Al-Hikmani, H. M. (2006). "The Leopard in the Arabian Peninsula – Distribution and Subspecies Status" (PDF). Cat News (Special Issue 1): 4–8. Archived from the original (PDF) on 2020-12-16. Retrieved 2020-11-19.
- ↑ Boulos, L. (1985), "Myxomycetes from the Asir Mountains, Saudi Arabia (abstract)", A contribution of the flora of the Asir Mountains, Saudi Arabia, vol. 3, Arab Gulf Journal of Scientific Research, pp. 67–94, archived from the original on February 29, 2012
- ↑ "ଆର୍କାଇଭ୍ କପି". Archived from the original on 2020-11-27. Retrieved 2020-11-19.
{{cite web}}
: Cite has empty unknown parameter:|1=
(help) - ↑ https://www.tandfonline.com/doi/pdf/10.1080/09397140.2012.10648957
- ↑ https://www.lonelyplanet.com/saudi-arabia/asir-national-park-1342761