ବବୁନ୍ ମାଙ୍କଡ଼

ଉଇକିପିଡ଼ିଆ ରୁ
Jump to navigation Jump to search

ବବୁନ୍[୧]
ଜୀବାଶ୍ମ କାଳ: 2.0–0 Ma
ଆଦି ପ୍ଲାଇଷ୍ଟୋସିନ୍ – ବର୍ତ୍ତମାନ
Olive baboon Ngorongoro.jpg
ଅଲିଭ୍ ବବୁନ୍
ଏକ ପୀତ ବବୁନ୍‍ର ଡାକ (କେନିଆ ଦେଶରୁ ସଂଗୃହୀତ ଅଡ଼ିଓ ଫାଇଲ୍)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ଜଗତ: ୟୁକାରିଓଟା
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ଯ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ମାମାଲିଆଫୋର୍ମ୍ସ
ଶ୍ରେଣୀ: ମାମାଲିଆ
Order: Primates
Suborder: Haplorhini
ଲଘୁବର୍ଗ: Simiiformes
Family: Cercopithecidae
Genus: Papio
ଜାତି: Papio
ବାଇନୋମିଆଲ ନାମ
Papio
ୟୋହାନ୍ ଖ୍ରୀଷ୍ଟିୟାନ୍ ପଲିକାର୍ପ୍ ଏର୍କ୍ସଲେବେନ୍ (୧୯୭୭)
Species

ହାମାଦ୍ର୍ୟାସ୍ ବବୁନ୍
ଗିନି ବବୁନ୍
ଅଲିଭ୍ ବବୁନ୍
ପୀତ ବବୁନ୍
ଚାକ୍‍ମା ବବୁନ୍

Synonyms
  • ଚେରୋପିଥାୟସ୍ (Chaeropitheus) ଗେର୍ଭାଇସ୍, ୧୮୩୯
  • କୋମୋପିଥେକସ୍ (Comopithecus) ଜେ. ଏ. ଆଲେନ୍, ୧୯୨୫
  • ସାଇନୋସେଫାଲସ୍ (Cynocephalus) ଜି. କୁଭିଏ ଏବଂ ଇ. ଜିଓଫ୍ରୋଏ, ୧୭୯୫
  • ହାମାଦ୍ର୍ୟାସ୍ (Hamadryas) ଲେସନ୍, ୧୮୪୦

ବବୁନ୍ ବା ବେବୁନ୍ (ଇଂରାଜୀରେ Baboon) ପାପିଓ (Papio) ନାମକ (ପୃଥିବୀର ପୁରାତନ ୨୩ଟି ବାନର ପ୍ରଜାତି ମଧ୍ୟରୁ ଅନ୍ୟତମ) ଏକ ବାନର ବଂଶର । ଏହି ବବୁନ୍ ପରିବାରର ୫ଟି ପ୍ରଜାତିର ସାଧାରଣ ନାମ ହେଲା – ହାମାଦ୍ର୍ୟାସ୍ ବବୁନ୍, ଗିନି ବବୁନ୍ (ପଶ୍ଚିମ ବା ଲୋହିତ ବବୁନ୍ ନାମରେ ମଧ୍ୟ ପରିଚିତ), ଅଲିଭ୍ ବବୁନ୍, ପୀତ ବବୁନ୍ ଓ ଚାକ୍‍ମା ବବୁନ୍ । ଆଫ୍ରିକା ମହାଦେଶର ୫ଟି ନିର୍ଦ୍ଦିଷ୍ଟ ଭୂଭାଗ ଏହି ୫ ପ୍ରଜାତିର ମୂଳ ପରିବାସ । ହାମାଦ୍ର୍ୟାସ୍ ବବୁନ୍ ଆରବୀୟ ଉପଦ୍ୱୀପରେ ମଧ୍ୟ ବସବାସ କରିଥାନ୍ତି ।[୨] ଅଣ-ବଣମଣିଷ ବର୍ଗରେ ଏମାନେ ସର୍ବବୃହତ ଆଦି ବାନର । ବବୁନ୍‍ମାନେ ପ୍ରାୟ ୨୦ ଲକ୍ଷ ବର୍ଷରୁ ଧରାପୃଷ୍ଠରେ ବିଚରଣ କରୁଛନ୍ତି ।

ପ୍ରଜାତି ଅନୁସାରେ ବବୁନ୍‍ମାନଙ୍କ ଆକାର ଓ ଓଜନରେ ବିବିଧତା ପରିଲକ୍ଷିତ ହୋଇଥାଏ । ସବୁଠାରୁ କ୍ଷୁଦ୍ର କିଣ୍ଡା ବବୁନ୍‍ର (Kinda Baboon) ଦୈର୍ଘ୍ୟ ୫୦ ସେଣ୍ଟିମିଟର୍ ଓ ଓଜନ ୧୪ କିଲୋଗ୍ରାମ୍ ମାତ୍ର । ସର୍ବବୃହତ ଚାକ୍‍ମା ବବୁନ୍‍ର ଦୈର୍ଘ୍ୟ ପ୍ରାୟ ୧୨୦ ସେଣ୍ଟିମିଟର୍ ଓ ଓଜନ ପ୍ରାୟ ୪୦ କିଲୋଗ୍ରାମ୍ । ସମସ୍ତ ପ୍ରଜାତିର ବବୁନ୍‍ମାନଙ୍କ ମୁହଁଟି କୁକୁର ମୁହଁ ପରି ଗୋଜିଆ । ବବୁନ୍‍ମାନେ ଦିବାଚର ଓ ସ୍ଥଳଚର ସ୍ତ୍ୟନ୍ୟପାୟୀ ଜୀବ । ରାତିରେ ଅନ୍ୟ ମାଂସାସୀ ଶିକାରୀ ଜୀବଙ୍କଠାରୁ ରକ୍ଷା ପାଇବା ପାଇଁ ଏମାନେ ଗଛ ଉପରେ, ଉଚ୍ଚା ପଥର ଉପରେ ବା ପାହାଡ଼ ଶୀର୍ଷରେ ଶୟନ କରିଥାନ୍ତି । ଆଫ୍ରିକାର ଜଙ୍ଗଲ ଓ ସାଭାନ୍ନା ତୃଣଭୂମିରେ ଏମାନେ ଦେଖିବାକୁ ମିଳନ୍ତି । ଏମାନେ ସର୍ବଭକ୍ଷୀ : ଘାସ, ମଞ୍ଜି, ଚେର, ପତ୍ର, ବକ୍କଳ, ଫଳ, ନାନା କୀଟପତଙ୍ଗ, ମାଛ, ମୂଷା, କ୍ଷୁଦ୍ର ପକ୍ଷୀ, ଭେର୍ଭେଟ୍ ମାଙ୍କଡ଼ ଓ ଏପରିକି କ୍ଷୁଦ୍ର ହରିଣ ମଧ୍ୟ ଏମାନଙ୍କ ଆହାର । ନୀଳନଦୀ କୁମ୍ଭୀର, କଲରାପତରିଆ ବାଘ, ସିଂହ, ହେଟାବାଘ ଇତ୍ୟାଦି ଜୀବ ବବୁନ୍‍ମାନଙ୍କର ଶିକାର କରି ସେମାନଙ୍କୁ ଭକ୍ଷଣ କରିଥାନ୍ତି । ଅନୁକ୍ରମବିଶିଷ୍ଟ ଏକ ଦଳରେ ବବୁନ୍‍ମାନେ ରୁହନ୍ତି ଯେଉଁଥିରେ ଅଳ୍ପ କିଛି ଅଣ୍ଡିରା ଓ ବହୁ ସଂଖ୍ୟକ ମାଈ ଦେଖିବାକୁ ମିଳନ୍ତି । ଦଳର ସଦସ୍ୟମାନଙ୍କ ମଧ୍ୟରେ କି ପ୍ରକାରର ସମ୍ପର୍କ ରହିଛି ତାହା ବବୁନ୍‍ମାନଙ୍କ ଡାକ ବା ରାବରୁ ବାରି ହୋଇଥାଏ ।

ସାଧାରଣତଃ ଦଳର ଯେକୌଣସି ଅଣ୍ଡିରା ଅନ୍ୟ କୌଣସି ମାଈ ସହ ରତିକ୍ରିୟା କରିପାରେ । କିନ୍ତୁ କେଉଁ ଅଣ୍ଡିରାମାନଙ୍କୁ ପ୍ରାଧାନ୍ୟ ମିଳେ ତାହା ଏମାନଙ୍କ ସାମାଜିକ ଅନୁକ୍ରମଦ୍ୱାରା ନିର୍ଣ୍ଣିତ ହୋଇଥାଏ । ମାଈ ବବୁନ୍‍ମାନଙ୍କ ଗର୍ଭଧାରଣ ସମୟ ପ୍ରାୟ ୬ ମାସ ଓ ଏମାନେ ଗୋଟିଏ ଶାବକକୁ ଜନ୍ମ ଦେଇଥାନ୍ତି । ମା’ ବବୁନ୍ ନିଜ ଶାବକର ଯତ୍ନର ଦାୟିତ୍ତ୍ୱ ବହନ କରିଥାଏ କିନ୍ତୁ ଦଳର ଅନ୍ୟ ମାଈମାନେ ମଧ୍ୟ ଏହି ଦାୟିତ୍ତ୍ୱ ନିର୍ବାହରେ ପରସ୍ପରର ସହଯୋଗ କରିଥାନ୍ତି । ଜନ୍ମ ହେବାର ପ୍ରାୟ ଏକ ବର୍ଷ ପରେ ଶାବକମାନେ ମା’ କ୍ଷୀର ଖାଇବା ବନ୍ଦ କରିଥାନ୍ତି । ୫ରୁ ୮ ବର୍ଷ ମଧ୍ୟରେ ବବୁନ୍‍ମାନେ ଯୌନ ପରିପକ୍ୱତା ଲାଭ କରିଥାନ୍ତି । ଯୌନ ପରିପକ୍ୱତା ଲାଭ କରିବା ପୂର୍ବରୁ ଅଣ୍ଡିରାମାନେ ସାଧାରଣତଃ ନିଜ ଦଳ ଛାଡ଼ି ପଳାଇଥାନ୍ତି କିନ୍ତୁ ମାଈମାନେ ସେହି ଦଳରେ ସାରା ଜୀବନ ରହିଥାନ୍ତି । ବବୁନ୍‍ମାନେ ପ୍ରାୟ ୪୫ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି କିନ୍ତୁ ଏମାନଙ୍କ ହାରାହାରି ଜୀବନଧାରଣ ସମୟ ପ୍ରାୟ ୨୦-୩୦ ବର୍ଷ ।

ବର୍ଗୀକରଣ[ସମ୍ପାଦନା]

ସାଧାରଣ ଭାବେ ୫ଟି ପାପିଓ ପ୍ରଜାତିକୁ ସ୍ୱୀକୃତି ମିଳିଛି । କିନ୍ତୁ ଏହି ପାଞ୍ଚୋଟି ମଧ୍ୟରୁ ସମସ୍ତେ ସମ୍ପୂର୍ଣ୍ଣ ଭାବେ ପ୍ରଜାତି ନା ଉପପ୍ରଜାତି – ତାହାକୁ ନେଇ କିଛି ମତାନ୍ତର ରହିଆସିଛି । ଏହି ପାଞ୍ଚଟି ପାପିଓ ଜୀବ ହେଲେ: ପାପିଓ ଉର୍ସାଇନସ୍ (ବା ଚାକ୍‍ମା ବବୁନ୍, ଆଫ୍ରିକାର ଦକ୍ଷିଣାଂଶରେ ଏମାନେ ଦେଖାଯାନ୍ତି), ପାପିଓ ପାପିଓ (ପଶ୍ଚିମ, ଲୋହିତ ବା ଗିନି ବବୁନ୍ ନାମରେ ଜଣାଶୁଣା ଏହି ବବୁନ୍ ଆଫ୍ରିକାର ସୁଦୂର ପଶ୍ଚିମାଂଶରେ ଦେଖାଯାନ୍ତି), ପାପିଓ ହାମାଦ୍ର୍ୟାସ୍ (ହାମାଦ୍ର୍ୟାସ୍ ବବୁନ୍ ଆଫ୍ରିକୀୟ ଉପଦ୍ୱୀପ ବା ହର୍ଣ୍ଣ୍ ଅଫ୍ ଆଫ୍ରିକା ଏବଂ ଦକ୍ଷିଣ-ପଶ୍ଚିମ ଆରବରେ ଦେଖାଯାନ୍ତି), ପାପିଓ ଏନୁବିସ୍ (ବା ଅଲିଭ୍ ବବୁନ୍, ଏମାନେ ଉତ୍ତର-କେନ୍ଦ୍ରୀୟ ଆଫ୍ରିକୀୟ ସାଭାନ୍ନା ତୃଣଭୂମିରେ ଦେଖାଯାନ୍ତି) ଏବଂ ପାପିଓ ସାଇନୋସେଫାଲସ୍ (ପୀତ ବବୁନ୍, ଦକ୍ଷିଣ-କେନ୍ଦ୍ରୀୟ ଓ ପୂର୍ବ ଆଫ୍ରିକାରେ ଏମାନେ ଦେଖାଯାନ୍ତି).

ବବୁନ୍‍ର ୫ଟି ପ୍ରଜାତି ଓ ଉପ-ପ୍ରଜାତି ହେଲେ:[୧]

  • ହାମାଦ୍ର୍ୟାସ୍ ବବୁନ୍, ପାପିଓ ହାମାଦ୍ର୍ୟାସ୍
  • ଗିନି ବବୁନ୍, ପାପିଓ ପାପିଓ
  • ଅଲିଭ୍ ବବୁନ୍, ପାପିଓ ଏନୁବିସ୍
  • ପୀତ ବବୁନ୍, ପାପିଓ ସାଇନୋସେଫାଲସ୍
    • କେନ୍ଦ୍ରୀୟ ପୀତ ବବୁନ୍, ପାପିଓ ସାଇନୋସେଫାଲସ୍ ସାଇନୋସେଫାଲସ୍
    • ଇବେଆନ୍ ବବୁନ୍, ପାପିଓ ସାଇନୋସେଫାଲସ୍ ଇବେଆନସ୍
    • କିଣ୍ଡା ବବୁନ୍, ପାପିଓ ସାଇନୋସେଫାଲସ୍ କିଣ୍ଡାଏ
  • ଚାକ୍‍ମା ବବୁନ୍, ପାପିଓ ଅର୍ସାଇନସ୍
    • କେପ୍ ଚାକ୍‍ମା, ପାପିଓ ଅର୍ସାଇନସ୍ ଅର୍ସାଇନସ୍
    • ପାଉଁଶ ପାଦ ଚାକ୍‍ମା, ପାପିଓ ଅର୍ସାଇନସ୍ ଗ୍ରିସେପିସ୍
    • ରୌକାନା ଚାକ୍‍ମା, ପାପିଓ ଅର୍ସାଇନସ୍ ରୌକାନା
ଛବି ବୈଜ୍ଞାନିକ ନାମ ସାଧାରଣ ନାମ ଭୌଗୋଳିକ ବିତରଣ
Papio hamadryas (aka).jpg ପାପିଓ ହାମାଦ୍ର୍ୟାସ୍ ହାମାଦ୍ର୍ୟାସ୍ ବବୁନ୍ ଏରିଟ୍ରିଆର ଲୋହିତ ସାଗରରୁ ନେଇ ଇଥିଓପିଆ, ଜିବୁଟି, ସୋମାଲିଆ, ଦକ୍ଷିଣ-ପଶ୍ଚିମ ଆରବ, ୟେମେନ୍, ସାଉଦି ଆରବ
2011-06-12 13-59-42-Papio papio.jpg ପାପିଓ ପାପିଓ ଗିନି ବବୁନ୍ ଗିନି, ସେନେଗାଲ୍, ଗାମ୍ବିଆ, ଦକ୍ଷିଣ-ମୌରିତାନିଆ, ପଶ୍ଚିମ-ମାଲି
Grooming monkeys PLW edit.jpg ପାପିଓ ଏନୁବିସ୍ ଅଲିଭ୍ ବବୁନ୍ ବିଷୁବ ବୃତ୍ତୀୟ ଆଫ୍ରିକା
Yellow Baboon, Tanzania.jpg ପାପିଓ ସାଇନୋସେଫାଲସ୍ ପୀତ ବବୁନ୍ କେନିଆତାଞ୍ଜାନିଆ ଅଞ୍ଚଳରୁ ଆରମ୍ଭ କରି ଜିମ୍ବାୱେବୋତ୍ସୱାନା ପର୍ଯ୍ୟନ୍ତ
Chacma baboon (Papio ursinus griseipes) male head.jpg ପାପିଓ ଅର୍ସାଇନସ୍ ଚାକ୍‍ମା ବବୁନ୍ ଆଫ୍ରିକାର ଦକ୍ଷିଣ ଭାଗ, ଯଥା: ଅଙ୍ଗୋଲାର ଉତ୍ତରାଂଶ, ଜାମ୍ବିଆ, ମୋଜାମ୍ବିକ୍

ଅନେକ ଜୀବବିଜ୍ଞାନ ଲେଖକ ପାପିଓ ହାମାଦ୍ର୍ୟାସ୍‍କୁ ଏକ ସମ୍ପୂର୍ଣ୍ଣ ପ୍ରଜାତି ବୋଲି କହିବା ସହ ଅନ୍ୟ ସମସ୍ତ ପ୍ରଜାତିଙ୍କୁ ପାପିଓ ସାଇନୋସେଫାଲସ୍‍ର ଉପପ୍ରଜାତି ରୂପେ ଦର୍ଶାଇ ଏମାନଙ୍କୁ ଏକତ୍ରିତ ଭାବେ "ସାଭାନ୍ନା ବବୁନ୍‍" ବୋଲି ଅଭିହିତ କରିଛନ୍ତି । ହାମାଦ୍ର୍ୟାସ୍ ବବୁନ୍ ବ୍ୟବହାରିକ ଓ ଶାରୀରିକ ଦୃଷ୍ଟିକୋଣରୁ ଅନ୍ୟ ବବୁନ୍‍ମାନଙ୍କଠାରୁ ଭିନ୍ନ ଓ ସେ କାରଣରୁ ଏମାନଙ୍କ ବିବର୍ତ୍ତନ ଧାରା ଅନ୍ୟ ବବୁନ୍‍ଙ୍କଠାରୁ ପୃଥକ୍ ବୋଲି ଭାବି ଏପରି ବର୍ଗୀକରଣ କରାଯାଇଥିଲା ଯାହା ଉଚିତ୍ ମନେ ହୁଏ ନାହିଁ । ନିକଟ ଅତୀତରେ ହୋଇଥିବା ପାପିଓମାନଙ୍କ ଆକୃତି ବିଜ୍ଞାନ ଓ ଜିନ୍‍ଗତ ଗବେଷଣାରୁ ଜଣାପଡ଼ିଛି ଯେ ହାମାଦ୍ର୍ୟାସ୍ ବବୁନ୍‍ମାନେ ଦକ୍ଷିଣ ପ୍ରାନ୍ତର ପୀତ ଓ ଚାକ୍‍ମା ବବୁନ୍ ଅପେକ୍ଷା ଉତ୍ତର ପ୍ରାନ୍ତର ଗିନି ଓ ଅଲିଭ୍ ବବୁନ୍‍ଙ୍କ ନିକଟତର ।[୩][୪][୫]

ଏହି ପାରମ୍ପରିକ ପଞ୍ଚ-ଶ୍ରେଣୀ ବର୍ଗୀକରଣ ପାପିଓମାନଙ୍କ ମଧ୍ୟରେ ରହିଥିବା ଭିନ୍ନତାକୁ ବୋଧହୁଏ କିଛି ମାତ୍ରାରେ ଅଣଦେଖା କରିଥାଏ । କିଛି ଲେଖକ[୬] ଯୁକ୍ତି ବାଢ଼ନ୍ତି ଯେ ଜାମ୍ବିଆ, ଅଙ୍ଗୋଲା ଓ କଂଗୋରେ ଦେଖାଯାଉଥିବା କ୍ଷୁଦ୍ର କିଣ୍ଡା ବବୁନ୍ (Kinda baboon) ଓ ଜାମ୍ବିଆ, ବୋତ୍ସୱାନା, ଜିମ୍ବାୱେ, ମୋଜାମ୍ବିକ୍, ଦକ୍ଷିଣ ଆଫ୍ରିକାର ଉତ୍ତରାଂଶରେ ଦେଖାଯାଉଥିବା ପାଉଁଶ ପାଦ ବବୁନ୍ (gray-footed baboon) ଦୁଇଟି ସ୍ୱତନ୍ତ୍ର ପ୍ରଜାତିର ମାନ୍ୟତା ପାଇବା ଉଚିତ । କିନ୍ତୁ ବର୍ତ୍ତମାନ ସମୟରେ ପାପିଓମାନଙ୍କ ଉପରେ ହୋଇଥିବା ଆକୃତି ବିଜ୍ଞାନ, ଜିନ୍‍ଗତ ଓ ବ୍ୟବହାରିକ ଅଧ୍ୟୟନରୁ ଏପରି ନିଷ୍କର୍ଷରେ ପହଞ୍ଚିବା ପାଇଁ ସବିଶେଷ ତଥ୍ୟ ଉପଲବ୍ଧ ନାହିଁ ।

ଉଦ୍ଭବ[ସମ୍ପାଦନା]

ବବୁନ୍‍ମାନଙ୍କ ବଂଶୋଦ୍ଭବ

୨୦୧୫ ମସିହାରେ ଗବେଷକମାନଙ୍କୁ ଏକ ବହୁ ପୁରାତନ ବବୁନ୍ ଜୀବାଶ୍ମ ମିଳିଥିଲା ଯାହା ପ୍ରାୟ ୨୦ ଲକ୍ଷ ବର୍ଷ ପୁରୁଣା ।[୭] ଏଥିରୁ ଅନୁମାନ କରାଯାଏ ଯେ ୨୦ ଲକ୍ଷ ବର୍ଷରୁ ମଧ୍ୟ ବବୁନ୍‍ମାନଙ୍କ ଅସ୍ଥିତ୍ୱ ରହିଆସିଛି ।

ଆକୃତି ଓ ପ୍ରକୃତି[ସମ୍ପାଦନା]

ହାମାଦ୍ର୍ୟାସ୍ ବବୁନ୍‍ର ମୁହଁ

ସମସ୍ତ ପ୍ରଜାତିର ବବୁନ୍‍ମାନଙ୍କ ମୁହଁ କୁକୁର ପରି ଲମ୍ବାଳିଆ । ଏମାନଙ୍କ ଥୋଡ଼ିଟି ଶକ୍ତ, ଓଜନିଆ । ଏମାନଙ୍କ ମୁହଁରେ ଧାରୁଆ ଶ୍ୱାନଦନ୍ତ ରହିଥାଏ । ଏମାନଙ୍କ ମୁହଁରେ ଝଙ୍କାଳିଆ ଲୋମ ରହିଥାଏ । ଏମାନଙ୍କ ଲାଞ୍ଜଟି ଛୋଟ । ଏମାନଙ୍କ ନିତମ୍ବଟି ଲୋମହୀନ ଓ ସାମାନ୍ୟ ବାହାରକୁ ବାହାରି ଆସିଥାଏ ଯାହା ଯୋଗୁଁ ଏହି ବାନରମାନେ ଆରାମ ସହକାରେ ବସିପାରନ୍ତି ।

ଅଣ୍ଡିରା ହାମାଦ୍ର୍ୟାସ୍ ବବୁନ୍‍ର ବଡ଼ ଧଳା କେଶର ରହିଥାଏ । ବବୁନ୍‍ମାନଙ୍କ କ୍ଷେତ୍ରରେ ଶରୀରର ଆକାର, ରଙ୍ଗ ଓ ସ୍ୱାନଦନ୍ତର ବିକାଶ ପରି ଗୁଣ/ପ୍ରକୃତିରେ ଲିଙ୍ଗୀୟ ବିସମରୂପତା (sexual dimorphism) ଦେଖାଯାଇଥାଏ ।

ପରିସ୍ଥିତିକ ବ୍ୟବହାର[ସମ୍ପାଦନା]

ଅନୁଶୀଳନଦ୍ୱାରା ମାନବମାନେ ବ୍ୟବହାର କରୁଥିବା ଭାଷାର ଲିଖନବିଧି ବା ଶବ୍ଦ ବାରିବା କ୍ଷମତା ବବୁନ୍‍ମାନଙ୍କଠାରେ ରହିଛି ବୋଲି ଏକ ଗବେଷଣାରେ କୁହାଯାଇଥିଲା ।[୮]

ପରିବାସ ଓ ଆହାର[ସମ୍ପାଦନା]

ବବୁନ୍‍ମାନେ ମୁଖ୍ୟତଃ ସ୍ଥଳଚର ଜୀବ ଏବଂ ଏମାନେ ଆଫ୍ରିକାର ସାଭାନ୍ନା ତୃଣଭୂମି, ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଦେଖାଯାନ୍ତି । ବବୁନ୍‍ମାନେ ସର୍ବଭକ୍ଷୀ ଜୀବ । ତୃଣଜାତୀୟ ଉଦ୍ଭିଦ, ଗଛର ଚେର, ପତ୍ର, ଫଳ, ମଞ୍ଜି, ପୋକ ଜୋକ, କୀଟପତଙ୍ଗ, ଶାମୁକା, ମୂଷା, ଛୋଟ ପକ୍ଷୀ, ଭେର୍ଭେଟ୍ ମାଙ୍କଡ଼, ଛୋଟ ହରିଣ ପ୍ରଭୃତି ବବୁନ୍‍ମାନଙ୍କ ଆହାରରେ ଅନ୍ତର୍ଭୁକ୍ତ ।[୯] ବବୁନ୍‍ମାନେ ଖାଦ୍ୟ ଅନ୍ୱେଷଣରେ ବହୁ ଦୂର ପର୍ଯ୍ୟନ୍ତ ଘୁରି ବୁଲନ୍ତି । ଦିନ ବା ରାତିରେ ଅନିର୍ଦ୍ଦିଷ୍ଟ ସମୟରେ ଏମାନେ ବିଚରଣ କରିବା ଦେଖାଯାଇଛି । ଖାଦ୍ୟ ଆଶାରେ ଏମାନେ ଜନବସତି ଅଞ୍ଚଳକୁ ପଶିଆସିବା ମଧ୍ୟ ଦେଖାଯାଏ । ଦକ୍ଷିଣ ଆଫ୍ରିକାରେ ଏମାନେ ପୋଷା ଛେଳି, ମେଣ୍ଢା ଓ କୁକୁଡ଼ା ଖାଇବା ମଧ୍ୟ ଦେଖାଯାଏ ।

ଶିକାରୀ ଓ ଶତ୍ରୁ[ସମ୍ପାଦନା]

ଗଛ ତଳେ କାଲାହାରି ସିଂହମାନଙ୍କ ଦଳ ଓ ଉପରେ ଆତଙ୍କିତ ଅବସ୍ଥାରେ ରହିଥିବା ବବୁନ୍

ନୀଳନଦୀ କୁମ୍ଭୀର, ସିଂହ, କଲରାପତରିଆ ବାଘ, ଆଫ୍ରିକୀୟ ପଟାଦାଗଯୁକ୍ତ ଓ ଚିତାଦାଗଯୁକ୍ତ ହେଟାବାଘ, ଚିତାବାଘ ପ୍ରଭୃତି ବବୁନ୍‍ମାନଙ୍କୁ ଶିକାର କରି ଖାଆନ୍ତି ।[୧୦] କଲରାପତ୍ରିଆ ବାଘପାଇଁ ବବୁନ୍ ଶିକାର କରିବା ଏକ କଷ୍ଟସାଧ୍ୟ କାମ ହେଲେ ମଧ୍ୟ ଅଧିକାଂଶ ସମୟରେ କଲରାପତ୍ରିଆ ବାଘମାନେ ତରୁଣ ଓ ଶାବକ ବବୁନ୍‍ମାନଙ୍କ ପାଇଁ ମହାବିପଦ ରୂପେ ଉଭା ହୋଇଥାନ୍ତି । ଆକାରରେ ବଡ଼ ଅଣ୍ଡିରା ବବୁନ୍‍ମାନେ ବହୁ ସମୟରେ ନିଜ ଶିକାରୀକୁ ନିଜର ଧାରୁଆ ଦାନ୍ତ ଦେଖାଇ, ଖିଙ୍କାରି ହୋଇ, ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରି, ନିଜ ଆଖି ମିଟିମିଟି କରି ବା ସେମାନଙ୍କ ପଛରେ ଗୋଡ଼ାଇ ଆକ୍ରମଣର ପ୍ରତ୍ୟୁତ୍ତର ଦେଇଥାନ୍ତି । କଳା ମାମ୍ବା ସାପ ପାଇଁ ଯଦିଓ ବବୁନ୍‍ମାନେ ଏକ ଶିକାର ଜନ୍ତୁ ନୁହଁ କିନ୍ତୁ କଳା ମାମ୍ବା କାମୁଡ଼ାରେ ବବୁନ୍ ମୃତ୍ୟୁବରଣ କରିବାର ଦୃଷ୍ଟାନ୍ତ ରହିଛି । ଅଜାଣତରେ ବବୁନ୍ ସାପଟିକୁ କ୍ଷୁବ୍ଧ ବା ବିରକ୍ତ କଲେ ଏପରି ଘଟିବା ସମ୍ଭବପର ।[୧୧]

ସାମାଜିକ ବ୍ୟବସ୍ଥା[ସମ୍ପାଦନା]

ବବୁନ୍ ଦଳ

ବବୁନ୍‍ମାନଙ୍କ ଗୋଠ ବା ଦଳକୁ ଇଂରାଜୀରେ "ଟ୍ରୁପ୍ (troop)" କୁହାଯାଇଥାଏ ।[୧୨] ବବୁନ୍‍ମାନଙ୍କ ଦଳରେ ଏକ ନିର୍ଦ୍ଦିଷ୍ଟ ଅନୁକ୍ରମ ରହିଥାଏ । ଏକ ଦଳରେ ପ୍ରାୟ ୫୦ଟି ଜୀବ ରହିବା ଦେଖାଯାଏ । ପ୍ରଜାତି, ଋତୁ ଓ ସ୍ଥାନ ଉପରେ ନିର୍ଭର କରି ଏକ ବବୁନ୍‍ ଦଳରେ ସର୍ବନିମ୍ନ ୫ଟି ଓ ସର୍ବାଧିକ ୨୫୦ଟି ଜୀବ ଥିବା ମଧ୍ୟ ଦେଖାଯାଇଛି । ହାମାଦ୍ର୍ୟାସ୍ ବବୁନ୍ ଦଳର ବିନ୍ୟାସ ଅନ୍ୟ ବବୁନ୍ ପ୍ରଜାତିଙ୍କ ଦଳର ବିନ୍ୟାସରୁ ଯଥେଷ୍ଟ ଭିନ୍ନ । ହାମାଦ୍ର୍ୟାସ୍ ବବୁନ୍ ଦଳ ବହୁତ ବଡ଼ ଓ ଦଳ ମଧ୍ୟରେ ୧ ଅଣ୍ଡିରା ଓ ପ୍ରାୟ ୪ଟି ମାଈ ବବୁନ୍‍ଙ୍କ ଛୋଟ ଛୋଟ ଗୋଷ୍ଠୀ (ଇଂରାଜୀ ଭାଷାରେ ହାରେମ୍-harem) ରହିଥାଏ । ଏହି ଛୋଟ ଗୋଷ୍ଠୀଗୁଡ଼ିକ ଅନ୍ୟ ଦଳର ତରୁଣୀ ଓ ଅପରିପକ୍ୱ ମାଈ ବବୁନ୍‍ମାନଙ୍କୁ ନିଜ ସହ ମିଶାଇ ସଂଖ୍ୟା ବୃଦ୍ଧି କରିଚାଲନ୍ତି । ଅନ୍ୟ ପ୍ରଜାତିର ବବୁନ୍ ଦଳମାନେ ଏକ ନିର୍ଦ୍ଦିଷ୍ଟ ଅନୁକ୍ରମ ଓ ମାତୃ ବଂଶାନୁକ୍ରମରେ ପ୍ରାଧାନ୍ୟ ନିୟମ ପାଳନ କରନ୍ତି, କିନ୍ତୁ ଯେକୌଣସି ଅଣ୍ଡିରା ବବୁନ୍ ଦଳର ଅନ୍ୟ ସବୁ ମାଈମାନଙ୍କ ସହ ପ୍ରଜନନ କରିପାରେ । ହାମାଦ୍ର୍ୟାସ୍ ବବୁନ୍ ଦଳରେ ଜଣେ ତରୁଣ ଅଣ୍ଡିରା ଏହାର ସବୁଠାରୁ ବୟସ୍କ ଅଣ୍ଡିରା ବିତାଡ଼ିତ ନହେବା ପର୍ଯ୍ୟନ୍ତ ମାଈମାନଙ୍କ ସହ ପ୍ରଜନନ କରିନଥାଏ । ହାମାଦ୍ର୍ୟାସ୍ ବବୁନ୍‍ମାନଙ୍କ ଛୋଟ ଗୋଷ୍ଠୀର ଅଣ୍ଡିରାମାନେ ଅନ୍ୟ ଅଣ୍ଡିରାଙ୍କଠାରୁ ଈର୍ଷାନ୍ୱିତ ମନୋଭାବରେ ନିଜ ଗୋଷ୍ଠୀର ମାଈମାନଙ୍କୁ ଜଗି ରହିଥାନ୍ତି । ମାଈମାନେ ସାମାନ୍ୟ ଦୂରକୁ ଚାଲିଗଲେ କଳହ କରି, ସେମାନଙ୍କୁ ବଳପୂର୍ବକ ନିଜ ପାଖକୁ ଟାଣି ଆଣନ୍ତି ଓ ବେଳେବେଳେ କାମୁଡ଼ାକାମୁଡ଼ି ମଧ୍ୟ ହୋଇଯାଏ । ଅଣ୍ଡିରାମାନଙ୍କ ଏପରି ଜଗିବାକୁ ଭୃକ୍ଷେପ ନ କରି କିଛି ବାହାର ଅଣ୍ଡିରା ଏକ ଗୋଷ୍ଠୀର ମାଈମାନଙ୍କ ସହିତ ମିଳନ ପାଇଁ ସର୍ବଦା ଚେଷ୍ଟା କରୁଥାନ୍ତି । ଏପରି ଅବସ୍ଥାରେ ଅଣ୍ଡିରା ବବୁନ୍‍ମାନଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ହେବାର ସମ୍ଭାବନା ଉପୁଜିଥାଏ । ଆକ୍ରମଣାତ୍ମକ ଅଙ୍ଗଭଙ୍ଗୀ ଦେଖାଇବା କିମ୍ବା ପ୍ରତିଦ୍ୱନ୍ଦୀକୁ ଡରାଇବା ପରିସ୍ଥିତି ଦେଖାଦେଲେ ତାହା ସାଧାରଣତଃ ସଂଘର୍ଷର ରୂପ ନେଇଥାଏ । ଶୀଘ୍ର ଆଖି ମିଟମିଟି କରିବା, ପାଟି ଆଁ କରି ନିଜର ଶ୍ୱାନଦାନ୍ତ ଦେଖାଇବା ଆକ୍ରମଣାତ୍ମକ ଅଙ୍ଗଭଙ୍ଗୀର କିଛି ଉଦାହରଣ । କିଛି ଅଣ୍ଡିରା ଅନ୍ୟ ଗୋଷ୍ଠୀରୁ ମାଈମାନଙ୍କୁ ଜିତିବାରେ ସକ୍ଷମ ହୋଇଥାନ୍ତି । କିଛି ବବୁନ୍ ପ୍ରଜାତି ଶାବକମାନଙ୍କୁ ଛଡ଼ାଇ ନେଇ ବନ୍ଧକ ପରି ବ୍ୟବହାର କରିବା କିମ୍ବା ସଂଘର୍ଷ ସମୟରେ ଢାଲ ପରି ବ୍ୟବହାର କରିବା ଦେଖାଯାଇଛି ।

ବିଭିନ୍ନ ପ୍ରକାରର ଶବ୍ଦରୁ ବବୁନ୍‍ମାନେ ଦଳର ଅନ୍ୟ ସଦସ୍ୟମାନଙ୍କ ପ୍ରାଧାନ୍ୟ ଓ ଅନୁକ୍ରମ ଜାଣିପାରନ୍ତି । ଦୁଇଟି ଭିନ୍ନ ପରିବାର ମଧ୍ୟରେ କଳହ ହେଲେ ବା ନିମ୍ନ କ୍ରମର ବବୁନ୍‍ଟିଏ କ୍ରୁଦ୍ଧ ହେଲେ ବବୁନ୍‍ମାନେ ଏହି ପ୍ରକାରର ଶବ୍ଦ ବିନିମୟ ବା କଥୋପକଥନ କରିଥାନ୍ତି । ଏକା ପରିବାରରେ ବା ଉଚ୍ଚ କ୍ରମର ବବୁନ୍‍ଟିଏ କ୍ରୋଧିତ ହେଲେ ଏପରି ଶବ୍ଦ ସଂକେତ କମ୍ ଦେଖାଯାଏ । ଏହାର କାରଣ ପାରିବାରିକ କଳହ ବା ପରିବାରର ମୁଖ୍ୟ ବବୁନ୍ ନିଜର ପ୍ରାଧାନ୍ୟ ଦେଖାଇବାଦ୍ୱାରା ଦଳର ବିନ୍ୟାସରେ ବେଶୀ ପରିବର୍ତ୍ତନ ହୁଏନାହିଁ । କିନ୍ତୁ ଦୁଇଟି ଭିନ୍ନ ପରିବାରର କଳହ ହେଲେ ବା ନିମ୍ନ କ୍ରମର ବବୁନ୍ ଆକ୍ରମଣାତ୍ମକ ହେଲେ ଏହା ଦଳର ଅନୁକ୍ରମ ସଂରଚନା ବଦଳାଇ ଦେଇପାରେ ।[୧୩]

ବବୁନ୍‍ମାନଙ୍କ ସାମାଜିକ ବ୍ୟବହାରରେ ବିବିଧତା ଦେଖାଯାଇପାରେ; ୧୯୮୦ ଦଶନ୍ଧିରେ ରବର୍ଟ୍ ସାପୋଲସ୍କି ଏକ ଜଙ୍ଗଲି ବବୁନ୍ ଦଳ ବିଷୟରେ ରିପୋର୍ଟ ପ୍ରଦାନ କରିଥିଲେ । ଏହି ଦଳର ସବୁଠାରୁ ଆକ୍ରମଣାତ୍ମକ ଅଣ୍ଡିରାମାନେ ଯକ୍ଷ୍ମା ରୋଗରେ ପଡ଼ି ପ୍ରାଣ ହରାଇବା ପରେ ଦଳର ଅନ୍ୟ ଅଣ୍ଡିରା ସଦସ୍ୟମାନଙ୍କ ମଧ୍ୟରେ ପୂର୍ବବତ ଆକ୍ରମଣାତ୍ମକ ସଂଘର୍ଷ ଘଟୁନଥିଲା । ଫଳରେ ଏହି ଦଳର ସଂରଚନା ବଦଳିଗଲା ଓ ଦଳରେ ବହୁତ ମାଈ ସହିତ ଅଳ୍ପ ଆକ୍ରମଣାତ୍ମକ କିଛି ଅଣ୍ଡିରା ରହିଗଲେ । ଏପରି ଅଳ୍ପ ଆକ୍ରମଣାତ୍ମକ ସ୍ୱଭାବ ୧୯୯୦ ଦଶନ୍ଧି ପର୍ଯ୍ୟନ୍ତ ବହୁ ବବୁନ୍‍ମାନଙ୍କଠାରେ ଦେଖାଗଲା । ଏହା ସତ୍ତ୍ୱେ ଦଳରେ ଅନୁକ୍ରମର ପରମ୍ପରା ଅନୁସରଣ ହେଉଥିବା ଓ ଅଣ୍ଡିରାମାନଙ୍କ ମଧ୍ୟରେ ମାଈମାନଙ୍କ ସହ ପ୍ରଜନନକୁ ନେଇ ଏକ ପ୍ରତିଯୋଗିତା ରହିଥିବା ସାପୋଲସ୍କି ଅନୁଧ୍ୟାନ କରିଥିଲେ । ପୁଣି ବବୁନ୍‍ମାନଙ୍କ ବ୍ୟବହାରରେ ମଧ୍ୟରେ କୌଣସି ନୂତନତ୍ୱ ଦେଖାଯାଇନଥିଲା ବରଂ ସେମାନଙ୍କ ବ୍ୟବହାରିକ ସ୍ୱାତନ୍ତ୍ର୍ୟ ପ୍ରକାଶ କରିବାର ହାର କମ୍ ବା ବେଶୀ ହେବା ପରିଲକ୍ଷିତ ହୋଇଥିଲା ।[୧୪]

ପ୍ରଜନନ କ୍ରିୟା[ସମ୍ପାଦନା]

ଏକ ଚାକ୍‍ମା ବବୁନ୍ ଯୁଗଳଙ୍କ ସମ୍ଭୋଗ କ୍ରିୟା

ବବୁନ୍‍ମାନଙ୍କ ପ୍ରଜନନ ବ୍ୟବହାର ସେମାନଙ୍କ ଦଳର ସାମାଜିକ ବିନ୍ୟାସ ଉପରେ ନିର୍ଭରଶୀଳ । ସାଭାନ୍ନା ବବୁନ୍‍ମାନଙ୍କ ମିଶ୍ରିତ ଦଳରେ ଏକ ଅଣ୍ଡିରା ଯେକୌଣସି ମାଈ ସହିତ ସମ୍ଭୋଗ କରିପାରେ । ସାମାଜିକ କ୍ରମାନୁସାରେ ଉଚ୍ଚ ଅଣ୍ଡିରାଙ୍କୁ ବା ଏକ ମାଈ ସହ ମିଳନ ପାଇଁ ଦୁଇ ଅଣ୍ଡିରାଙ୍କ ସଂଘର୍ଷର ବିଜେତାଙ୍କୁ ସମ୍ଭୋଗ କ୍ରିୟାରେ ପ୍ରାଧାନ୍ୟ ମିଳେ । କିନ୍ତୁ ମିଶ୍ରିତ ଦଳରେ କିଛି ଅଣ୍ଡିରା ଅନୁକ୍ରମ ବାହାରେ ଚତୁରତାର ସହିତ ମାଈମାନଙ୍କ ସହ ସମ୍ପର୍କ ଗଢ଼ନ୍ତି ଓ ଏଥିପାଇଁ ସମ୍ଭୋଗ କରିବାର ସୁଯୋଗ ହାସଲ କରନ୍ତି । ଏହି ସମ୍ପର୍କ ଗଢ଼ିବା ପାଇଁ ଅଣ୍ଡିରାମାନଙ୍କୁ ଶାବକଙ୍କ ଯତ୍ନ ନେବା, ମାଈକୁ ଖାଦ୍ୟ ଯୋଗାଇଦେବା, ମାଈର ଯତ୍ନ ନେବା ଇତ୍ୟାଦି କରି ମାଈମାନଙ୍କୁ ଆକର୍ଷିତ କରିବାକୁ ପଡ଼ିଥାଏ । ଏପରି ସ୍ଥିତିରେ କୌଣସି ଶାବକର ପିତା ହିଁ ଏପରି ପନ୍ଥା ଗ୍ରହଣ କରିବାର ସମ୍ଭାବନା ସର୍ବାଧିକ । କିଛି ମାଈ ଏପରି ମିତ୍ରତା ଦେଖାଉଥିବା ଅଣ୍ଡିରାଙ୍କ ପ୍ରତି ଅଧିକ ଆକୃଷ୍ଟ ହୋଇଥାନ୍ତି । ବେଳେବେଳେ ସଂଘର୍ଷ ବେଳେ ଅଣ୍ଡିରାମାନେ ଶାବକମାନଙ୍କୁ ବନ୍ଧକ ବା ଢାଲ ପରି ବ୍ୟବହାର କରନ୍ତି । ମାଈମାନେ ନିଜର ଫୁଲିଥିବା ପଶ୍ଚାତଭାଗ ଦେଖାଇ ଅଣ୍ଡିରାମାନଙ୍କୁ ସମ୍ଭୋଗ ପାଇଁ ଆମନ୍ତ୍ରିତ କରିଥାନ୍ତି ।[୧୫]

ଜନ୍ମ, ଶାବକ ପାଳନ ଓ ଜୀବନ କାଳ[ସମ୍ପାଦନା]

ଉଗାଣ୍ଡାର ରାଣୀ ଏଲିଜାବେଥ୍ ଜାତୀୟ ଉଦ୍ୟାନର ଏକ ଶାବକ ଅଲିଭ୍ ବବୁନ୍ ନିଜ ମା’ ପିଠିରେ ବସି ବୁଲୁଥିବାର ଚିତ୍ର

ମାଈ ବବୁନ୍‍ମାନେ ସାଧାରଣତଃ ୬ ମାସର ଗର୍ଭଧାରଣ ସମୟ ପରେ ଏକାକୀ ଶାବକଟିଏକୁ ଜନ୍ମ ଦିଅନ୍ତି । ଯାଆଁଳା ବବୁନ୍ ଜନ୍ମ ହେବା ଘଟଣା ଅତି ବିରଳ ଓ ସେମାନଙ୍କ ବଞ୍ଚି ରହିବାର ସମ୍ଭାବନା ମଧ୍ୟ କମ୍ । ଜନ୍ମ ବେଳେ ଶାବକମାନଙ୍କ ଚର୍ମ କଳା ରଙ୍ଗର ହୋଇଥାଏ ଓ ସେମାନଙ୍କ ଓଜନ ହାରାହାରି ୪୦୦ ଗ୍ରାମ୍ ହୋଇଥାଏ ।

ସାଧାରଣତଃ ମାଈମାନେ ଶାବକମାନଙ୍କ ଯତ୍ନ ନେବାର ଦାୟିତ୍ତ୍ୱ ବହନ କରିଥାନ୍ତି । ଦଳର ମାଈମାନେ ସମସ୍ତ ଶାବକମାନଙ୍କ ଲାଳନପାଳନ ଓ ଜଗିବାରେ ପରସ୍ପରର ସହଯୋଗ ମଧ୍ୟ କରନ୍ତି । ବର୍ଷେ ପରେ ଶାବକ ବବୁନ୍ ମା’ କ୍ଷୀର ଖାଇବା ଛାଡ଼ି ଦେଇଥାଏ । ପାଞ୍ଚରୁ ଆଠ ବର୍ଷ ବୟସରେ କିଶୋର ବବୁନ୍‍ମାନେ ଯୌନ ପରିପକ୍ୱତା ଲାଭ କରିଥାନ୍ତି । ଅଣ୍ଡିରା ବବୁନ୍‍ମାନେ ଯୌନ ପରିପକ୍ୱତା ଲାଭ କରିବା ପୂର୍ବରୁ ନିଜର ଦଳ ଛାଡ଼ି ଚାଲିଯାଆନ୍ତି । କିନ୍ତୁ ମାଈ ବବୁନ୍‍ମାନେ ନିଜର ସମ୍ପୂର୍ଣ୍ଣ ଜୀବନକାଳ ଯାଏଁ ନିଜ ଦଳରେ ରହିଥାନ୍ତି ।

ପୋଷା ବା ଚିଡ଼ିଆଘରେ ରଖାଯାଇଥିବା ବବୁନ୍ ସର୍ବାଧିକ ୪୫ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଥିବା ଦେଖାଯାଇଛି । ଜଙ୍ଗଲରେ ରହୁଥିବା ବବୁନ୍‍ମାନଙ୍କ ଜୀବନକାଳ ପ୍ରାୟ ୨୦ରୁ ୩୦ ବର୍ଷ ମଧ୍ୟରେ ହୋଇଥାଏ ।

ମନୁଷ୍ୟ ଓ ବବୁନ୍‍ମାନଙ୍କ ସମ୍ପର୍କ[ସମ୍ପାଦନା]

ପ୍ରାଚୀନ ମିଶରର ରାଣୀ ହାତ୍ସେପ୍‍ସୁତଙ୍କ ମନ୍ଦିରର ବିଭିନ୍ନ କାନ୍ଥରେ ବବୁନ୍‍ମାନଙ୍କ ଚିତ୍ର ଦେଖିବାକୁ ମିଳେ

ମିଶରୀୟ ପୌରାଣିକ କଥା, ବାବି ପୌରାଣିକ କଥାରେ ହାମାଦ୍ର୍ୟାସ୍ ବବୁନ୍‍ମାନଙ୍କୁ ଦେବତା ତୂଲ୍ୟ ବୋଲି ମନେ କରାଯାଏ ଓ ତେଣୁ ଏହି ଜୀବମାନେ ପବିତ୍ର ବୋଲି ବିଶ୍ୱାସ ରହିଥିଲା । ଏକ ବବୁନ୍‍କୁ ପ୍ରାଚୀନ ମିଶରୀୟ ସଭ୍ୟତାର ଦେବତା ଠୋଥ୍‍ଙ୍କ ଭୃତ୍ୟ ବା ସେବକ ଭାବେ ଦର୍ଶାଯାଉଥିଲା ଓ ଏହାକୁ ପବିତ୍ର ବବୁନ୍ ବୋଲି କୁହାଯାଉଥିଲା । ୨୦୦୯ ମସିହାରେ ପ୍ରକାଶିତ ବବୁନ୍ ୱୁମାନ୍ (Baboon Woman) ନାମକ ଏକ ବୃତ୍ତଚିତ୍ରରେ ଦକ୍ଷିଣ ଆଫ୍ରିକାରେ ବବୁନ୍ ଓ ମନୁଷ୍ୟମାନଙ୍କ ସମ୍ପର୍କ ବିଷୟରେ ଦର୍ଶାଯାଇଥିଲା ।

ରୋଗ[ସମ୍ପାଦନା]

ହାର୍ପିସ୍‍ଭାଇରସ୍ ପାପିଓ ପରିବାରର ଭୂତାଣୁମାନେ ବବୁନ୍‍ମାନଙ୍କୁ ଆକ୍ରାନ୍ତ କରିବାର ଦେଖାଯାଇଛି । କିନ୍ତୁ ମନୁଷ୍ୟକୁ ଏହି ଭୂତାଣୁ କିପରି ପ୍ରଭାବିତ କରେ ତାହା ଅଜଣା ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ Groves, C. P. (2005). "GENUS Papio". In Wilson, D. E.; Reeder, D. M (eds.). Mammal Species of the World (3rd ed.). Baltimore: Johns Hopkins University Press. pp. 166–167. OCLC 62265494. ISBN 0-801-88221-4.CS1 maint: ref=harv (link)
  2. "Facts About Baboons". livescience.com. Retrieved 15 April 2018.
  3. Newman TK, Jolly CJ, Rogers J (2004). "Mitochondrial phylogeny and systematics of baboons (Papio)". American Journal of Physical Anthropology. 124 (1): 17–27. doi:10.1002/ajpa.10340. PMID 15085544.
  4. Frost SR, Marcus LF, Bookstein FL, Reddy DP, Delson E (2003). "Cranial allometry, phylogeography, and systematics of large-bodied papionins (Primates:Cercopithecinae) inferred from geometric morphometric analysis of landmark data". Anatomical Record. 275 (2): 1048–1072. doi:10.1002/ar.a.10112. PMID 14613306.
  5. Wildman DE, Bergman TJ, al-Aghbari A, Sterner KN, Newman TK, Phillips-Conroy JE, Jolly CJ, Disotell TR (2004). "Mitochondrial evidence for the origin of hamadryas baboons". Molecular Phylogenetics and Evolution. 32 (1): 287–296. doi:10.1016/j.ympev.2003.12.014. PMID 15186814.
  6. Jolly, CJ (1993). "Species, subspecies, and baboon systematics". In WH Kimbel; LB Martin (eds.). Species, Species Concepts, and Primate Evolution. New York: Plenum Press.
  7. Geggel, Laura (21 August 2015). "Skull of Earliest Baboon Discovered". Live Science. Retrieved 19 October 2017.
  8. Jonathan Grainger; Stéphane Dufau; Marie Montant; Johannes C. Ziegler; Joël Fagot (2012). "Orthographic processing in baboons (Papio papio)". Science. 336 (6078): 245–248. doi:10.1126/science.1218152. PMID 22499949.
  9. "AWF: Wildlife: Baboon". African Wildlife Foundation. Archived from the original on 17 September 2008. Retrieved 2008-08-18.
  10. "AWF: Wildlife: Baboon". African Wildlife Foundation. 2013-02-21.
  11. Bauchot, Roland (2006). Snakes: A Natural History. Sterling. pp. 41, 76, 176. ISBN 978-1-4027-3181-5.
  12. "OED Collective nouns". Retrieved 2006-11-26.
  13. Bergman TJ, Beehner JC, Cheney DL, Seyfarth RM (2003). "Hierarchical classification by rank and kinship in baboons". Science. 302 (November 14): 1234–1236. doi:10.1126/science.1087513. PMID 14615544.
  14. Fry, Douglas P., ed. War, peace, and human nature: the convergence of evolutionary and cultural views. Oxford University Press, 2013, pp.427-436. Sapolsky questioned if the Forest Troop would be able to maintain its social system if a large number of aggressive new males joined. However, he notes that there was never an opportunity to study this as by the 2000s, the Forest Troop had expanded its range and individual animals spend most of their time alone. This means that the troop has essentially fragmented and no longer functions as a cohesive social unit.
  15. Altmann, J.; Hausfater, G.; Altmann, S. A. (1988). "Determinants of reproductive success in savannah baboons, Papio cynocephalus". In Clutton-Brock T. H. (ed.). Reproductive success: studies of individual variation in contrasting breeding systems. Chicago (IL): University Chicago Press. pp. 403–418.

ଆହୁରି ପଢ଼ନ୍ତୁ[ସମ୍ପାଦନା]

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]