ଆରତୀ ଭୂୟାଁ
ଆରତୀ ଭୂୟାଁ | |
---|---|
ଜନ୍ମ | ଆରତୀ ଭୂୟାଁ |
ବୃତ୍ତି(ସମୂହ) | ସମାଜସେବୀ ରାଜନୈତିଜ୍ଞ |
ପିତାମାତା(s) | ଭାସ୍କର ଭୂୟାଁ (ବାପା) ରମାଦେବୀ (ମାଆ) |
ଆରତୀ ଭୂୟାଁ ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ ସମାଜସେବୀ । ସେ ମାତ୍ର ୨୭ ବର୍ଷ ବୟସରେ ଦେଶର ସର୍ବକନିଷ୍ଠା ସରପଞ୍ଚ ଭାବରେ ୨୦୧୨ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ହୋଇଥିଲେ ।[୧] ସେ ତାଙ୍କର ଚାକିରୀ ଜୀବନରୁ ଅବସର ନେଇ ସରପଞ୍ଚ ପଦ ପାଇଁ ନିର୍ବାଚନରେ ଛିଡ଼ା ହୋଇଥିଲେ । ତାଙ୍କ ଗାଆଁର ଶିକ୍ଷା ତଥା ଅନ୍ୟାନ୍ୟ ଉନ୍ନତି ପାଇଁ କାର୍ଯ୍ୟ କରିବା ଥିଲା ତାଙ୍କର ନିର୍ବାଚନର ପ୍ରତିଶ୍ରୁତି ।[୨] ନିର୍ବାଚନରେ ଛିଡ଼ା ହେବା ଆଗରୁ ସେ ଆଇଡିବିଆଇ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ ।[୩]
୨୦୧୪ ମସିହାରେ ଆମେରିକାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ ଭାରତର ପ୍ରତିନିଧିତ୍ୱ କରିଥିଲେ ।[୩] ଏହି ସମ୍ମିଳନୀରେ ସେ ୨୧ଟି ଦେଶର ଭିନ୍ନ ଭିନ୍ନ ପାର୍ଥୀ ଯୋଗ ଦେଇଥିଲେ । ଆମେରିକାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବରୁ ଭାରତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି, ମୋରାରଜୀ ଦେଶାଇ, ଅଟଳ ବିହାରୀ ବାଜପେୟୀ ଏବଂ ପୂର୍ବତନ ରାଷ୍ଟ୍ରପତି କେ. ଆର. ନାରାୟଣନ ଓ ପ୍ରତିଭା ପାଟିଲଙ୍କ ପରେ ୬ଷ୍ଠ ଭାରତୀୟ ଥିଲେ ।[୧]
ଜୀବନୀ
[ସମ୍ପାଦନା]ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଆରତୀ ଭୂୟାଁ ଗଞ୍ଜାମ ଜିଲ୍ଲାର ଢୁଙ୍କପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଭାସ୍କର ଭୂୟାଁ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏବଂ ମାଆ ରମାଦେବୀ ଥିଲେ ଜଣେ ଗୃହିଣୀ ଥିଲେ ।[୨] ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକ କରିବା ପରେ ଏମ୍.ବି.ଏ କରି ଆଇ.ଡି.ବି.ଆଇ. ବ୍ୟାଙ୍କରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଆରତୀଙ୍କର ଅଜା-ଆଈ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ ।[୩]
ରାଜନୀତି
[ସମ୍ପାଦନା]ବ୍ୟାଙ୍କରେ ଚାକିରୀ କରିବାବେଳେ ସେ ତାଙ୍କର ଜନ୍ମଭୂମିକୁ ବୁଲିବାକୁ ଆସିଥିବା ବେଳେ ସେଠାକାର ପରିସ୍ଥିତି ବିଷୟରେ ଅବଗତ ହୋଇଥିଲେ । ଏହା ତାଙ୍କୁ ସମାଜସେବା ପ୍ରତି ଆଗ୍ରହୀ କରିଥିଲା ।[୨] ଏହାପରେ ୨୦୧୨ ମସିହାରେ ପଞ୍ଚାୟତ ନିର୍ବାଚନ ପାଇଁ ସେଠାକାର ସ୍ଥାନୀୟ ଲୋକଙ୍କ ଅନୁରୋଧରେ ସେ ଜାନୁଆରୀ ମାସରେ ଚାକିରୀରୁ ଇସ୍ତଫା ଦେଇ ସରପଞ୍ଚ ପାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ଦେଶର ସର୍ବକନିଷ୍ଠ ସରପଞ୍ଚ ଭାବରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ନିର୍ବାଚନରେ ଜିତିବା ପରେ ସରପଞ୍ଚ ଭାବେ ସେ ସେଠାକାର ଶିକ୍ଷାର ବିକାଶ ପାଇଁ ଅଧିକ ଗୁରୁତ୍ୱ ଦେଇଥିଲେ । ସେହି ଅଞ୍ଚଳରେ ବନ୍ଦ ପ୍ରାୟ ଥିବା ହାଇସ୍କୁଲରେ ସେ ସେଠାକାର ତିନିଜଣ ଛାତ୍ରଙ୍କୁ ଶିକ୍ଷକ ଭାବରେ ନିଯୁକ୍ତି କରାଇ ପାଠପଢ଼ାରେ ବିକାଶ କରିବା ଦିଗରେ କାର୍ଯ୍ୟ ଆରମ୍ଭକରିଥିଲେ । ସେଠାକାର ଝିଅ ଓ ମହିଳାମାନଙ୍କୁ ସ୍ୱାକ୍ଷର କରାଇବା ପାଇଁ ସେ "ଟିପ ନୁହେଁ ଦସ୍ତଖତ" ନାମକ ଏକ ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନର ଫଳସ୍ୱରୂପ ୬ ମାସ ମଧ୍ୟରେ ୭୦୦ରୁ ଅଧିକ ମହିଳା ସାକ୍ଷର ହୋଇପାରିଥିଲେ ।[୨] ସେ ଗାଆଁରୁ ଗାଆଁକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଣ୍ଠିରୁ ୭ କୋଟି ୪୨ ଲକ୍ଷ ଟଙ୍କାର ଅନୁଦାନ ଯୋଗାଡ଼ କରି ରାସ୍ତା ନିର୍ମାଣ କରାଇଥିଲେ । ଏହାପରେ ସେ ତାଙ୍କ ପଞ୍ଚାୟତରେ ୧,୫୦୦ରୁ ଉର୍ଦ୍ଧ୍ୱ ଶୌଚାଳୟ ନିର୍ମାଣ କରିଥିଲେ । ଏଥିରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ୧୨ଟି ଶୌଚାଳୟ ମଧ୍ୟ ଅନ୍ତର୍ଭୁକ୍ତ । ଏଥିସହିତ ମହିଳା ସଶକ୍ତିକରଣ ପାଇଁ ତାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଯୋଗୁଁ ସେଠାକାର ମହିଳାମାନେ ଆତ୍ମନିର୍ଭରଶୀଳ ହୋଇପାରିଥିଲେ ।[୨] ସରପଞ୍ଚ ଭାବରେ ତାଙ୍କର ୫ ବର୍ଷର କାର୍ଯ୍ୟକାଳ ପୂରଣ ହେବାପରେ ସେ ଆଉଥରେ ନିର୍ବାଚନ ଲଢ଼ିନଥିଲେ । ତାଙ୍କ ମତରେ ସେ କରିବାକୁ ଚାହୁଁଥିବା ଉନ୍ନତିମୂଳକ କାର୍ଯ୍ୟ ସେ କରିସାରିଥିବାରୁ ଅନ୍ୟ କେହି ସରପଞ୍ଚ ହେଲେ ଭଲ କାର୍ଯ୍ୟ ହେବ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Why this sarpanch is headed to meet Obama". The Indian Express. 9 February 2014. Archived from the original on 1 October 2018. Retrieved 29 September 2018.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "ସାମର୍ଥା ସ୍ୱୟଂସିଦ୍ଧା". ସମାଜ (ରବିବାର) (in Odia). ଓଡ଼ିଶା. 23 Sepatember 2018. p. 1. Archived from the original on 29 September 2018. Retrieved 29 September 2018.
{{cite news}}
: Check date values in:|date=
(help)CS1 maint: unrecognized language (link) - ↑ ୩.୦ ୩.୧ ୩.୨ "Back to the Grassroots - Indian Express". archive.indianexpress.com (in english). Archived from the original on 29 September 2018. Retrieved 29 September 2018.
{{cite news}}
: CS1 maint: unrecognized language (link)