ଅସୁରଗଡ଼

ଉଇକିପିଡ଼ିଆ ରୁ
Jump to navigation Jump to search
ଅସୁରଗଡ଼
ଅସୁରଗଡ଼ is located in ଓଡ଼ିଶା
ଅସୁରଗଡ଼
ଅସୁରଗଡ଼
ଅସୁରଗଡ଼ is located in India
ଅସୁରଗଡ଼
ଅସୁରଗଡ଼
ଅବସ୍ଥିତି: 20°05′43″N 83°20′39″E / 20.095410°N 83.344277°E / 20.095410; 83.344277Coordinates: 20°05′43″N 83°20′39″E / 20.095410°N 83.344277°E / 20.095410; 83.344277
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକଳାହାଣ୍ଡି

ଅସୁରଗଡ଼ ବା ନର୍ଲା ଅସୁରଗଡ଼ (ଇଂରାଜୀରେ Asurgarh) ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ରହିଥିବା ଏକ ପ୍ରତ୍ନତାତ୍ତ୍ୱିକ ସ୍ଥଳ । କଳାହାଣ୍ଡି ଜିଲ୍ଲାର ନର୍ଲା ସହର ନିକଟରେ ପ୍ରବାହିତ ସାନ୍ଦୁଳ ନଦୀର ଦକ୍ଷିଣ ପାର୍ଶ୍ୱରେ ଅସୁରଗଡ଼ ଅବସ୍ଥିତ । ପ୍ରାଚୀନ ସମୟରେ ଏଠାରେ ଏକ ଗଡ଼/ଦୁର୍ଗ ଓ ଏହି ଦୁର୍ଗ ଭିତରେ ତଥା ବାହାରେ ଜନବସତି ରହିଥିଲା । ସମ୍ପ୍ରତି ଏହି ଦୁର୍ଗର ଭଗ୍ନାବଶେଷ ପ୍ରତ୍ନତାତ୍ତ୍ୱିକ ସ୍ଥଳ ରୂପେ ପରିଗଣିତ ହେଉଛି । ପ୍ରତ୍ନତତ୍ତ୍ୱବିତ୍‍ମାନେ ଅସୁରଗଡ଼ରୁ ପାଇଥିବା ଭଗ୍ନାବଶେଷ ପ୍ରାୟ ୨୩୦୦ ବର୍ଷ ପୁରୁଣା ବୋଲି ବିଶ୍ୱାସ କରାଯାଏ ।[୧]

ଇତିହାସ[ସମ୍ପାଦନା]

ଅସୁରଗଡ଼ରେ ପ୍ରତ୍ନତାତ୍ତ୍ୱିକ ଖନନ କରିଥିବା ଡଃ ନବୀନ କୁମାର ସାହୁ ଏହି ଦୁର୍ଗର ସମୟକାଳ ଖ୍ରାଷ୍ଟପୂର୍ବ ୩ୟ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ପଞ୍ଚମ ଶତାବ୍ଦୀ ମଧ୍ୟରେ ବୋଲି ମତ ରଖିଥିଲେ । ଅସୁରଗଡ଼ ଖ୍ରୀଷ୍ଟପୂର୍ବ ୪ର୍ଥ ଓ ୩ୟ ଶତାବ୍ଦୀରେ ଆଟବିକ ରାଜ୍ୟର ଏକ ପ୍ରମୁଖ ଅର୍ଥନୈତିକ, ସାଂସ୍କୃତିକ ତଥା ରାଜନୈତିକ କେନ୍ଦ୍ର ଥିଲା । ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ଅସୁରଗଡ଼ରେ ବ୍ୟାଘ୍ରରାଜଙ୍କ ରାଜଧାନୀ ଥିଲା ଓ ସେ ସମୟରେ ଏହି ରାଜ୍ୟର ନାମ ବଦଳାଯାଇ ମହାକାନ୍ତାର ରଖାଯାଇଥିଲା ବୋଲି ବିଶ୍ୱାସ କରାଯାଏ । ଗୁପ୍ତ ରାଜବଂଶର ସମ୍ରାଟ ସମୁଦ୍ରଗୁପ୍ତ ନିଜର ଦାକ୍ଷିଣାତ୍ୟ ବିଜୟଯାତ୍ରା ସମୟରେ ଏଠାକାର ରାଜାଙ୍କୁ ପରାସ୍ତ କରି ଅସୁରଗଡ଼ ଅଧିକାର କରିଥିଲେ ।[୨]

ଭୌଗୋଳିକ ବିବରଣୀ[ସମ୍ପାଦନା]

ଅସୁରଗଡ଼ ଦୁର୍ଗଟି ଆୟତାକାର ଓ ଇଟା, ପଥର, ମାଟି ନିର୍ମିତ ଏହାର ବିଶାଳ କାନ୍ଥରେ ୪ ଗୋଟି ଦ୍ୱାର ରହିଛି ।[୩] ଦୁର୍ଗ କାନ୍ଥର ଉଚ୍ଚତା ୧୧ ମିଟର ।[୨] କାନ୍ଥ ବାହାର ପଟକୁ ଉତ୍ତର, ଦକ୍ଷିଣ ଓ ପୂର୍ବ ଦିଗରେ ଗଭୀର ଜଳପୂର୍ଣ୍ଣ ଖାଇ ରହିଛି । ଏହି ଗଡ଼ଖାଇର ଗଭୀରତା ପ୍ରାୟ ୩.୫ ମିଟର ।[୨] ଦୁର୍ଗର କ୍ଷେତ୍ରଫଳ ପ୍ରାୟ ୨୪.୨୯ ହେକ୍ଟର । ସାନ୍ଦୁଳ ନଦୀ ଦୁର୍ଗର ପଶ୍ଚିମ ପଟରୁ ପ୍ରବାହିତ ହୋଇ ଉତ୍ତର ପଟକୁ ଯାଇଛି ଓ ଦୁର୍ଗରୁ ପ୍ରାୟ ୩ କିଲୋମିଟର ଦୂରରେ ତେଲ ନଦୀର ଏକ ଉପନଦୀ ଉତେଇ ନଦୀ ସହ ମିଳିତ ହୋଇଛି ।

ଉତ୍ତର ଦ୍ୱାରରେ ଗଡ଼ର ମୁଖ୍ୟ ପ୍ରବେଶପଥ ରହିଥିଲା । ଦୁର୍ଗର ମଧ୍ୟ ଭାଗରେ ରାଜପ୍ରାସାଦ ରହିଥିଲା । ଦୁର୍ଗର ଚାରି କୋଣରେ ୪ଟି ବୁରୁଜ (ବୁର୍ଜ) ରହିଥିଲା ଯାହାର ବର୍ତ୍ତମାନ କେବଳ ଧ୍ୱଂସାବଶେଷ ଦେଖିବାକୁ ମିଳେ ।[୨] ଦୁର୍ଗର ଚାରି ଦିଗରେ ରହିଥିବା ପ୍ରତି ପ୍ରବେଶ ଦ୍ୱାରରେ ସୁରକ୍ଷାଦାୟୀ ଦେବାଦେବୀ ବିରାଜମାନ ଥିଲେ । ପୂର୍ବରେ ଗଙ୍ଗା, ପଶ୍ଚିମରେ କଳାପାହାଡ଼ ଭୈରବୀ, ଉତ୍ତରରେ ବୈଷ୍ଣବୀ ଓ ଦକ୍ଷିଣରେ ଡୋକରି ବିରାଜମାନ ରହି ଗଡ଼କୁ ସୁରକ୍ଷା ପ୍ରଦାନ କରୁଥିଲେ ।[୪]

ଦୁର୍ଗର ପୂର୍ବ ଖାଇ ଅପର ପାର୍ଶ୍ୱରେ ଦୁର୍ଗର ନିର୍ମାତାମାନେ ୨୦୦ ଏକର ଜମିରେ ଏକ ବିରାଟ ଜଳଭଣ୍ଡାର ଖନନ କରିଥିଲେ । ଏହି ଜଳ ଭଣ୍ଡାରର ନାମ ଅସୁର ସାଗର । ୨ଟି ଜଳଦ୍ୱାର ମାଧ୍ୟମରେ ଅସୁର ସାଗରରୁ ଦୁର୍ଗର ଖାଇକୁ ପାଣି ଯିବାର ବ୍ୟବସ୍ଥା ରହିଥିଲା । ଦୁର୍ଗର ଦକ୍ଷିଣ-ପଶ୍ଚିମରେ ରାଧା ସାଗର ନାମକ ଆଉ ଏକ କ୍ଷୁଦ୍ର ଜଳାଶୟ ଖୋଦନ କରାଯାଇଥିଲା । ଦୁର୍ଗର ଉତ୍ତର ଓ ଦକ୍ଷିଣ କାନ୍ଥର ଠିକ୍ ଭିତର ପଟେ ଦୁର୍ଗବାସୀଙ୍କ ଗୃହ ଇତ୍ୟାଦି ରହିଥିଲା । ଦୁର୍ଗ ମଧ୍ୟରେ ମାଟି କାନ୍ଥ ଓ ସେହି କାନ୍ଥର ମଝାମଝି ଏକ ଦ୍ୱାର ଦେଖିବାକୁ ମିଳେ । ଏହି କାନ୍ଥ ଉତ୍ତର ପଟର ଜନବସତିକୁ ପରିବେଷ୍ଟିତ କରୁଥିଲା ।[୫][୬]

ପ୍ରତ୍ନତାତ୍ତ୍ୱିକ ଇତିହାସ ଓ ସମ୍ବନ୍ଧୀୟ ତଥ୍ୟ[ସମ୍ପାଦନା]

୧୯୬୫-୬୬ ମସିହାରେ କଳାହାଣ୍ଡିର ତତ୍କାଳୀନ ରାଜା ସ୍ୱର୍ଗତ ପ୍ରତାପ କେଶରୀ ଦେଓ ଅସୁରଗଡ଼ରେ ପ୍ରାପ୍ତ ୫୩୯ଟି ଲାଞ୍ଛିତ ମୁଦ୍ରା ଉପରେ ଏକ ଗବେଷଣାତ୍ମକ ନିବନ୍ଧ ପ୍ରକାଶିତ କରିଥିଲେ । ଏହା ପରେ ଅସୁରଗଡ଼ ପ୍ରତ୍ନତତ୍ତ୍ୱବିତ୍‍ମାନଙ୍କ ଲୋକଲୋଚନକୁ ଆସିଥିଲା ।

୧୯୭୩ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ସ୍ୱର୍ଗତ ଡଃ ନବୀନ କୁମାର ସାହୁ ଅସୁରଗଡ଼ରେ ପରୀକ୍ଷାମୂଳକ ଭାବେ ପ୍ରତ୍ନତାତ୍ତ୍ୱିକ ଖନନ ଆରମ୍ଭ କରାଇଥିଲେ । ଏହି ଖନନରୁ ୨୯ଟି ଲାଞ୍ଛିତ ମୁଦ୍ରା, ତାମ୍ର ଉପକରଣ, ଲୌହ ଉପକରଣ, ମୂଲ୍ୟବାନ ପଥରରେ ଗୁନ୍ଥା ଗୋଟିକା ମାଳି, ମୂଲ୍ୟବାନ ପଥରର ପଦକ, ମୃଣ୍ମୟ ମୂର୍ତ୍ତି, ଅଶୋକକାଳୀନ ଚୂନାର ପ୍ରସ୍ତର ଖଣ୍ଡ, ବିଭିନ୍ନ ରଙ୍ଗ ଲେପ, ଚିତ୍ରିତ ମାଟିପାତ୍ର ଇତ୍ୟାଦିର ଅବଶେଷ ମିଳିଥିଲା । ଏହା ସହିତ କୁଶାଣକାଳୀନ ତାମ୍ରମୁଦ୍ରା ମଧ୍ୟ ପ୍ରାପ୍ତ ହୋଇଥିଲା ଯାହାର ସମୟକାଳ ଖ୍ରୀଷ୍ଟାବ୍ଦ ତୃତୀୟ ଶତାବ୍ଦୀ । ଖନନ ସମୟରେ ଅସୁରଗଡ଼ରେ ଏକ ଇଟା ନିର୍ମିତ ମନ୍ଦିରର ଧ୍ୱଂସାବଶେଷ ମଧ୍ୟ ଆବିଷ୍କୃତ ହୋଇଥିଲା ଯାହାକୁ ଡଃ ନବୀନ ସାହୁ ଦେବୀ ସ୍ତମ୍ଭେଶ୍ୱରୀଙ୍କ ମନ୍ଦିର ବୋଲି ଅଭିହିତ କରିଥିଲେ । ସମଗ୍ର ପୂର୍ବ ଭାରତର ପ୍ରଥମ ସମ୍ଭାବ୍ୟ ଇଟାନିର୍ମିତ ମନ୍ଦିର ଭାବେ ଅନୁମାନ କରାଯାଉଥିବା ଏହି ମନ୍ଦିରର ନିର୍ମାଣ କାଳ ହେଲା ଆନୁମାନିକ ଖ୍ରୀଷ୍ଟାବ୍ଦ ପଞ୍ଚମ ଶତାବ୍ଦୀ ।[୨]


ଭାରତ ସରକାରଙ୍କ ପ୍ରାଚୀନ କୀର୍ତ୍ତି, ପ୍ରତ୍ନତାତ୍ତ୍ୱିକ ସ୍ଥଳ ଓ ଭଗ୍ନାବଶେଷ ସମ୍ବନ୍ଧୀୟ ନିୟମ, ୧୯୫୮ (AMASR Act, 1958) ଅଧୀନରେ ଅସୁରଗଡ଼କୁ ୧୯୭୩ ମସିହାରେ ଏକ ସଂରକ୍ଷିତ ସ୍ଥଳ ଅଭିହିତ କରାଯାଇଥିଲା । ତଥାପି ଏଠାରେ ପ୍ରତ୍ନତାତ୍ତ୍ୱିକ ଖନନ ଓ ସଂରକ୍ଷଣ କାର୍ଯ୍ୟ ନୈରାଶ୍ୟଜନକ ଥିଲା ।[୭] ୨୦୧୬-୨୦୧୯ ମସିହାରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବିଭାଗ-ASI (ଚତୁର୍ଥ ଶାଖା, ଭୁବନେଶ୍ୱର)ଦ୍ୱାରା ଅସୁରଗଡ଼ରେ ପ୍ରତ୍ନତାତ୍ତ୍ୱିକ ଖନନ କରାଯାଇଥିଲା ।[୮] ଅସୁରଗଡ଼ ଉତ୍‌ଖନନରୁ ୫ଟି ରୌପ୍ୟମୁଦ୍ରା ଆବିଷ୍କୃତ ହୋଇଛି, ଯାହା ମୌର୍ଯ୍ୟ ଯୁଗର ବୋଲି ଜଣାପଡ଼ିଛି । ଅସୁରଗଡ଼ ମୌର୍ଯ୍ୟ ସାମ୍ରାଜ୍ୟର ସମସାମୟିକ ଥିବା ଓ ପ୍ରାଚୀନ ଓଡ଼ିଶାର ମଗଧ ସହିତ ବ୍ୟବସାୟିକ ସମ୍ପର୍କ ଥିବା ଏଥିରୁ ଅନୁମାନ କରାଯାଉଛି । ଉତ୍‌ଖନନ ସ୍ଥଳରୁ ପ୍ରାଥମିକ ପର୍ଯ୍ୟାୟରେ ୭ଟି ଗୋଲାକାର, ଅର୍ଦ୍ଧ ବୃତ୍ତାକାର, ଆୟତାକାର ଘର ଆବିଷ୍କାର କରାଯାଇଥିଲା । ସେହିପରି ଲୌହଚକ୍ର ଓ ଦୁଇଟି ଲୌହ ତୀର ସହିତ ଗୋଡ଼ର ମୁଦି, ମୋତି, ଜାସ୍‌ପର, କାନଫୁଲ, ଆଗେଟ୍‌ ଆଦି ଉତ୍‌ଖନନ ସମୟରେ ମିଳିଥିଲା ।[୯]

ଅନ୍ୟାନ୍ୟ ଉଲ୍ଲେଖ[ସମ୍ପାଦନା]

  • ଅନେକ ଦଶନ୍ଧି ଧରି ଇଂରେଜଙ୍କ ବିରୁଦ୍ଧରେ ସଂଗ୍ରାମ ଚଳାଇଥିବା ବୀର ସୁରେନ୍ଦ୍ର ସାଏ ୧୮୬୪ ମସିହା ଜାନୁଆରି ୨୩ ତାରିଖ ଦିନ ନିଜ ସହଯୋଗୀମାନଙ୍କ ସହ ଗିରଫ ହେବାପରେ ପ୍ରଥମେ ନାଗପୁର ଓ ପରେ ଅସୁରଗଡ଼ ଦୁର୍ଗରେ ବନ୍ଦି ହୋଇ ରହିଥିଲେ । କେତେକ ପୁସ୍ତକରେ ଉଲ୍ଲିଖିତ ଯେ ସେ ୧୮୮୪ ଫେବ୍ରୁଆରି ୨୮ ତାରିଖରେ ଅସୁରଗଡ଼ ଦୁର୍ଗରେ ପ୍ରାଣତ୍ୟାଗ କରିଥିଲେ ।[୧୦] କିନ୍ତୁ ପ୍ରକୃତରେ ତାହା କଳାହାଣ୍ଡିର ଅସୁରଗଡ଼ ଦୁର୍ଗ ନୁହେଁ, ବରଂ ମଧ୍ୟପ୍ରଦେଶର ଅଶିରଗଡ ଦୁର୍ଗ[୧୧]

ଆଧାର[ସମ୍ପାଦନା]

  1. https://www.thehindu.com/news/national/other-states/asi-finds-2300-year-old-artefacts-in-odisha/article26044456.ece
  2. ୨.୦ ୨.୧ ୨.୨ ୨.୩ ୨.୪ http://magazines.odisha.gov.in/utkalprasanga/2011/may/oriyapdf/45-47.pdf
  3. "PLACES OF INTEREST IN KALAHANDI DISTRICT".
  4. https://neoiascap.com/2019/01/21/asurgarh-fort/culture/
  5. S.C.Behera(ed.), 1980, Interim Excavation Report, Asurgarh, pp 1-7, Sambalpur University
  6. B.Mishra, J. Bengal. Art, 13-14, 2008-2009, 191-228
  7. http://www.newindianexpress.com/states/odisha/2018/nov/29/asi-to-excavate-asurgarh-1904870.html
  8. http://tourism.gov.in/sites/default/files/usq%204580%20for%2022072019.pdf
  9. http://www.samajalive.in/morya-coin/60946.html
  10. ଓଡ଼ିଶାର ଇତିହାସ. ଆମ ଓଡ଼ିଶା. ୨୦୧୧. p. ୧୯୪. Check date values in: |year= (help)
  11. http://www.vimsar.ac.in/veer-surendra-

ଆହୁରି ପଢ଼ନ୍ତୁ[ସମ୍ପାଦନା]