ବ୍ରଜରାଜ ମହାପାତ୍ର

ଉଇକିପିଡ଼ିଆ‌ରୁ
ବ୍ରଜରାଜ ମହାପାତ୍ର
ମହାରାଜା

ରାଜ୍ୟାଭିଷେକ ୧୯୪୩
ଜୀବନସାଥୀ ରସମଞ୍ଜରୀ ଦେବୀ
ସମ୍ପୂର୍ଣ୍ଣ ନାମ
ବ୍ରଜରାଜ କ୍ଷତ୍ରିୟ ବୀରବର ଚମ୍ପତି ସିଂହ ମହାପାତ୍ର
ବାପା ସୁଦର୍ଶନ କ୍ଷତ୍ରିୟ ବୀରବର ଚମ୍ପତି ସିଂହ ମହାପାତ୍ର
ଜନ୍ମ (1921-09-15)୧୫ ସେପ୍ଟେମ୍ବର ୧୯୨୧
ମୃତ୍ୟ ୩୦ ନଭେମ୍ବର ୨୦୧୫(2015-11-30) (ବୟସ ୯୪)
ଧର୍ମ ହିନ୍ଦୁ

ବ୍ରଜରାଜ କ୍ଷତ୍ରିୟ ବୀରବର ଚମ୍ପତି ସିଂହ ମହାପାତ୍ର (୧୫ ସେପ୍ଟେମ୍ବର ୧୯୨୧[୧] - ୩୦ ନଭେମ୍ବର, ୨୦୧୫) ଜଣେ ଭାରତୀୟ ରାଜା ଓ ବ୍ରିଟିସ ଭାରତର ଶେଷ ରାଜା ଥିଲେ । ସେ ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ତିଗିରିଆର ରାଜା ଥିଲେ । ତାଙ୍କ ପୂର୍ବପୁରୁଷ ୧୨୪୬ ମସିହାରେ ରାଜସ୍ଥାନରୁ ଆସି ଘଞ୍ଚ ବଣଜଙ୍ଗଲ ଘେରା ତିଗିରିଆରେ ଶାସନ ଆରମ୍ଭ କରିଥିଲେ । ୨୦୧୫ ମସିହା ନଭେମ୍ବର ୩୦ ତାରିଖରେ ୯୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।[୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମହାପାତ୍ରଙ୍କ ପୂର୍ବପୁରୁଷ ୧୨୪୬ ମସିହାରେ ରାଜସ୍ଥାନରୁ ଆସି ତିଗିରିଆରେ ବସବାସ କରି ଶାସନ ଆରମ୍ଭ କରିଥିଲେ । ସେତେବେଳେ ତିଗିରିଆ ବଣଜଙ୍ଗଲ ଘେରା ଅଞ୍ଚଳ ଥିଲା । ୧୯୪୩ ମସିହାରେ ରାଜାଭିଷେକ ପରେ ସେ ରାଜସିଂହାସନ ଆରୋହଣ କରି ରାଜା ଭାବେ ଶାସନ କରିବା ଆରମ୍ଭ କେଇଥିଲେ । ସେ ଜୀବନ ସାରା ରାଜ ଥାଟରେ ଚଳୁଥିଲେ । ମାତ୍ର ୧୧୯ ବର୍ଗ କିମି[୩] ଅଞ୍ଚଳରେ ବ୍ୟାପୀଥିବା ତିଗିରିଆ ରାଜ୍ୟର ଜେଲଟିଏ ମଧ୍ୟ ନଥିଲା । ତେଣୁ କେବଳ ସନ୍ତକସ୍ୱରୂପ ଏକ ଛାତ ଓ ଚାରୋଟି ଖମ୍ବ ଥାଇ କୋଠରୀଟିଏ ତୋଳାଯାଇଥିଲା । ରାଜ ଆଇନ ଅମାନ୍ୟ କଲେ ରାଜା ମହାପାତ୍ରେ ବିଚାର ପରେ ଦଣ୍ଡ ରୂପରେ ଦୋଷୀ ସଙ୍ଗେ ଆଉ କଥା ହେଉନଥିଲେ । ଯୁବାବସ୍ଥାରେ ସେ ଜଣେ ପଟୁ ଶିକାରୀ ଓ ମୋଟର ସାଇକେଲ ଆରୋହୀ ଥିଲେ । ସେ ୫୬ ଗୋଟି ଗାଡ଼ି କିଣିଥିଲେ । ରାଜଗାଦି ଓ ସେଥି ସହିତ ଧୀରେ ଧୀରେ ସମ୍ପତ୍ତି ଆଦି ହରାଇଥିଲେ । ବିଜୁ ପଟ୍ଟନାୟକ ଜରୁରୀକାଳୀନ ସ୍ଥିତି ସମୟରେ ତାଙ୍କୁ ଜନତା ଦଳର ଟିକେଟ ନେବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଜଣେ ରାଜା ଭିକ ମାଗିବ ନାହିଁ ବୋଲି କହି ଟିକେଟ ଫେରାଇଦେଇଥିଲେ । ପରେ ରାଣି ରାସମଣୀ ଦେବୀ ନିର୍ବାନ ଲଢ଼ି ସେଥିରେ ଜିତିଥିଲେ ।[୨]

ରାଜସିଂହାସନ ଆରୋହଣ ଓ ଅବରୋହଣ[ସମ୍ପାଦନା]

ମହାପାତ୍ରେ ୧୯୪୩ ମସିହାରେ ସିଂହାସନ ଆରୋହଣ କରିଥିଲେ । ୧୯୪୭ରେ ଓଡ଼ିଶାର ବାକି ୨୫ଟି ଗଡ଼ଜାତର ରାଜାଙ୍କ ସମେତ ଭାରତ ସହ ମିଶିବା ପାଇଁ କଟକଠାରେ ବଲ୍ଲବ ଭାଇ ପଟେଲଙ୍କ ଉପସ୍ଥିତି ସନ୍ଧି ସ୍ୱାକ୍ଷର କରି ରାଜ ଗାଦି ହରାଇଥିଲେ ।[୨]

ବିବାହ[ସମ୍ପାଦନା]

ରାଣି ରାସମଣୀ ଦେବୀଙ୍କ ସହ ବ୍ରଜରାଜ ମହାପାତ୍ରଙ୍କ ବିବାହ ସମ୍ପନ୍ନ ହୋଇଥିଲା । ତାଙ୍କ ଔରସରୁ ୬ ଜଣ ସନ୍ତାନ ସନ୍ତତି ଅଛନ୍ତି । ୬୦ ଦଶକ ପରେ ପତ୍ନୀ ଓ ସନ୍ତାନମାନେ ମହାପାତ୍ରଙ୍କଠାରୁ ଅଲଗା ରହୁଥିଲେ ।[୨]

କଲେଜରେ ଯୋଗଦାନ[ସମ୍ପାଦନା]

ତାଙ୍କର କଲେଜ ପଢ଼ା ରାଇପୁରର ରାଜକୁମାର କଲେଜରେ ସମାପନ ହୋଇଥିଲା । ସେ କଲେଜର ଜଣେ ଆଜୀବନ ସଭ୍ୟ ଥିଲେ । ପ୍ରତିବର୍ଷ କଲେଜ ତରଫରୁ ତାଙ୍କୁ ମିଳୁଥିବା ୫୦,୦୦୦ ଟଙ୍କା ସେ ଅଭାବୀମାନଙ୍କ ଭିତରେ ବାଣ୍ଟିଦେଉଥିଲେ ।[୨]

ଶେଷ ଜୀବନ[ସମ୍ପାଦନା]

ଶେଷ ଜୀବନରେ ସେ ଏକାକୀ ହୋଇପଡ଼ିଥିଲେ । ଧୀରେ ଧୀରେ ଚାରି ଏକର ଜମିରେ ବ୍ୟାପୀ ରହିଥିବା ରାଜବାଟିଟି ୧୯୬୯ ମସିହାରେ ଓଡ଼ିଶା ସରକାରଙ୍କୁ ୭୫ ହଜାର ଟଙ୍କାରେ ବିକି ଦେଇଥିଲେ । ତେବେ ଏହି ଜମିରେ ଏକ ବାଳିକା ବିଦ୍ୟାଳୟ କରାଇବା ସର୍ତ୍ତରେ ସେ ଜମିଟି ଦେଇଥିଲେ । ପାହାଡ଼ ମୁଣ୍ଡିଆ ଉପରେ ଏକ ଛୋଟ ଚାଳିଆ ତୋଳାଇ ମହାପାତ୍ରେ ସେଠାରେ ବାସ କରୁଥିଲେ । ଏକ ରିକ୍ସା କରାଇ ସେ ଗାଁ ଗାଁ ଯିବାଆସିବା କରୁଥିଲେ । ଶେଷ ଜୀବନ ଆଡ଼କୁ ସେ ଦେବାଳିଆ ହୋଇ ଗ୍ରାମବାସୀଙ୍କ ସହଯୋଗରେ ଚଳୁଥିଲେ ।[୨]

ଆଧାର[ସମ୍ପାଦନା]

  1. Telegraph: Brajraj was born on October 15 1921, accessdate: December 25, 2015
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Satapathy, Rajaram (6 December 2015). "A prince dies a pauper". Times of India. Retrieved 6 December 2015.
  3. The Indian Express: Tigiria was the smallest with an area of 119 sq km, accessdate: December 25, 2015

ଅଧିକ ପଠନ[ସମ୍ପାଦନା]