ଗ୍ରେଭସ ରୋଗ
ଗ୍ରେଭସ ରୋଗ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Endocrinology |
ଆଇସିଡ଼ି-୧୦ | E05.0 |
ଆଇସିଡ଼ି-୯-ସିଏମ୍ | 242.0 |
ଓଏମ୍ଆଇଏମ୍ | 275000 |
ରୋଗ ଡାଟାବେସ | 5419 |
ମେଡ଼ିସିନ-ପ୍ଲସ | 000358 |
ଇ-ମେଡ଼ିସିନ | med/929 ped/899 |
MeSH | D006111 |
ଗ୍ରେଭସ ରୋଗ, (ଇଂରାଜୀରେ Graves' disease, ବା toxic diffuse goiter ବା Flajani-Basedow-Graves disease, ଏକ ପ୍ରକାର ଅଟୋଇମ୍ମ୍ୟୁନ ରୋଗ ଯାହା ଥାଇରଏଡ ଗ୍ରନ୍ଥିକୁ ଆକ୍ରମଣ କରେ । ଏହି ଆକ୍ରମଣ ଫଳରେ ହାଇପରଥାଇରଏଡିଜମ ଓ ବର୍ଦ୍ଧିତ ଥାଇରଏଡ ଗ୍ରନ୍ଥି ବା ଗଏଟର ହୁଏ । ଏହି ରୋଗର ଚିହ୍ନ ଓ ଲକ୍ଷଣ: ଚିଡ଼ଚିଡ଼ା ସ୍ୱଭାବ, ମାଂସପେଶୀ ଦୁର୍ବଳତା, ଶୋଇବା ଅସୁବିଧା, ଦୃତ ହୃତ ସ୍ପନ୍ଦନ, ତରଳ ଝାଡ଼ା ଓ ଓଜନ ହ୍ରାସ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଆଣ୍ଠୁରୁ ବଳାଗଣ୍ଠି ପର୍ଯ୍ୟନ୍ତ ଲମ୍ବିଥିବା ଅସ୍ଥି ସାମନା ଚର୍ମ ମୋଟା ହୋଇଯାଏ ଯାହାକୁ ପ୍ରିଟିବିଆଲ ମିକସିଡିମା କୁହାଯାଏ ଓ ଆଖି ଡୋଳା ତା ଯାଗାରୁ ପଦାକୁ ବାହାରି ଆସେ ଯାହାକୁ ଏକ୍ସୋଫଥାଲମସ ବା ଗ୍ରେଭସ ଅଫଥାଲମୋପାଥି କୁହାଯାଏ । [୧] ୨୫ %ରୁ ୮୦ % ଲୋକଙ୍କର ଆଖି ଅସୁବିଧା ଦେଖାଯାଏ । [୧][୨]
ଏହି ରୋଗର ସଠିକ କାରଣ ସ୍ପଷ୍ଟ ନ ଥିଲେ ମଧ୍ୟ ଜେନେଟିକ ଓ ପରିବେଶର ମିଶ୍ରିତ ପ୍ରଭାବ ଯୋଗୁ ହେଉଥିବା ବିଶ୍ୱସା କରାଯାଏ । [୩] ପରିବାରରେ ଯଦି କାହାର ଏହି ରୋଗ ଥାଏ ତେବେ ସେହି ପରିବାରର ଅନ୍ୟମାନଙ୍କୁ ରୋଗ ହେବା ସମ୍ଭାବନା ଥାଏ । [୧] ଯମଜ ସନ୍ତାନ ମଧ୍ୟରୁ ଜଣକର ଥିଲେ ଆଉ ଜଣେ ୩୦% ରୋଗ ଭୋଗିବା ସମ୍ଭାବନା ଥାଏ । [୪] ମାନସିକ ଚାପ, ସଂକ୍ରମଣ ଓ ଶିଶୁ ଜନ୍ମ କଲାବେଳେ ଏହା ଟ୍ରିଗର ଭଳି କାମ କରେ । [୨] ଟାଇପ ୧ ଡାଏବେଟିସ ଓ ରିଉମାଟଏଡ ଆର୍ଥ୍ରାଇଟିସ ଭଳି ଅଟୋଇମ୍ମ୍ୟୁନ ରୋଗ ଥିଲେ ଏହି ରୋଗ ସମ୍ଭାବନା ରହେ । [୧] ଧୂମ୍ରପାନ କଲେ ଏହି ରୋଗ ସଙ୍କଟ ବଢ଼େ ଓ ଚକ୍ଷୁ ଅସୁବିଧା ଆହୁରି ଖରାପ ହୁଏ । [୧] ଥାଇରଏଡ ସ୍ଟିମୁଲେଟିଙ୍ଗ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (ଟିଏସଆଇ) ନାମକ ଏକ ଆଣ୍ଟିବଡି ଯୋଗୁ ଏହି ରୋଗ ହୁଏ ଓ ଏହାର ଶରୀରରେ ଥିବା ଥାଇରଏଡ ସ୍ଟିମୁଲେଟିଙ୍ଗ ହରମୋନ (ଟିଏସଏଚ) ସହ ସମପ୍ରଭାବ ଥାଏ । ଏହି ଆଣ୍ଟିବଡି ପ୍ରଭାବ ଯୋଗୁ ଥାଇରଏଡ ଗ୍ରନ୍ଥି ଅଧିକ ଥାଇରଏଡ ହରମୋନ ନିର୍ଗତ କରେ । [୧] ରୋଗ ଲକ୍ଷଣ ଓ ରକ୍ତ ପରୀକ୍ଷା କରି ସନ୍ଦେହ କରାଯାଏ କିନ୍ତୁ ରେଡିଓଆୟୋଡିନ ଅପଟେକ ପରୀକ୍ଷା କରି ନିଧାର୍ଯ୍ୟ କରାଯାଏ । [୧][୨] ରକ୍ତ ପରୀକ୍ଷାରେ ଅଧିକ [ଟ୍ରାଇଆୟୋଡୋଥାଇରୋନିନ|ଟି୩]] ଓ ଟି୪, କମ ଟିଏସଏଚ, ଥାଇରଏଡ ଗ୍ରନ୍ଥିର ସମସ୍ତ ସ୍ଥାନରେ ଅଧିକ ରେଡୋଆୟୋଡିନ ଅପଟେକ ଓ ଟିଏସଆଇ ଆଣ୍ଟିବଡି ମିଳେ । [୨]
ତିନି ପ୍ରକାର ଚିକିତ୍ସା ସୁବିଧା ମିଳେ: ଔଷଧ, ଥାଇରଏଡ ଅପରେଶନ ଓ ରେଡିଓଆୟୋଡିନ ଥେରାପି । ରେଡିଓଆୟୋଡିନ ଥେରାପିରେ ପାଟିବାଟେ ଆୟୋଡିନ-୧୩୧ ଦିଆଯାଏ ଯାହା ସପ୍ତାହ ବା ମାସାଧିକ କାଳ ଧରି ଥାଇରଏଡ ଗ୍ରନ୍ଥିକୁ ନଷ୍ଟ କରିଦିଏ । ଏତଦ୍ୱାରା ଜାତ ହେଉଥିବା ହାଇପୋଥାଇରଏଡିଜ୍ମକୁ କୃତ୍ରିମ ଥାଇରଏଡ ହରମୋନ ଦେଇ ଚିକିତ୍ସା କରାଯାଏ । ଏହାର ଲକ୍ଷଣଗୁଡ଼ିକୁ ବିଟାବ୍ଲକର ନିୟନ୍ତ୍ରଣ କରେ ଓ ମେଥିମାଜୋଲ ଭଳି ଆଣ୍ଟିଥାଇରଏଡ ଔଷଧ ସାମୟିକ ଭାବେ ଅନ୍ୟ ଔଷଧମାନଙ୍କର କ୍ରିୟା ଆରମ୍ଭ ହେବା ପର୍ଯ୍ୟନ୍ତ ରୋଗୀକୁ ସାହାଯ୍ୟ କରେ । ଅପରେଶନ କରି ଥାଇରଏଡ ବାହାର କରିଦେବା ଆଉ ଏକ ପନ୍ଥା । ଆଖି ଅସୁବିଧା ନିମନ୍ତେ ଅଧିକ ଚିକିତ୍ସା ଆବଶ୍ୟକ ହୁଏ । [୧]
ଗ୍ରେଭସ ରୋଗ ଜନସଂଖ୍ୟାର ୫ % ଲୋକଙ୍କୁ ଆକ୍ରମଣ କରେ । [୨] ପୁରୁଷ ରୋଗୀ ସଂଖ୍ୟା ଅପେକ୍ଷା ମହିଳା ରୋଗୀ ସଂଖ୍ୟା ପ୍ରାୟ ୭.୫ ଗୁଣ ଅଧିକ ହୁଏ । [୧] ଏହାର ଆରମ୍ଭ ବୟସ ୪୦ରୁ ୬୦ ମଧ୍ୟରେ ଥାଏ । [୪] ଆମେରିକାରେ ହାଇପରଥାଇରଏଡିଜମର ଏହା ଏକ ମୂଖ୍ୟ କାରଣ (ପ୍ରାୟ ୫୦ %ରୁ ୮୦ %) । [୧][୨] ସନ ୧୮୩୫ରେ ଏହି ରୋଗ ବିଷୟରେ ପ୍ରଥମେ ରବର୍ଟ ଜେମସ ଗ୍ରେଭସ ବର୍ଣ୍ଣନା କରିଥିଲେ ଓ ତାଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଥିଲା । ପୂର୍ବରୁ ଏହା ବିଷୟରେ ମଧ୍ୟ ଅନେକ ଲୋକ ବର୍ଣ୍ଣନା କରିଛନ୍ତି । [୪]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Graves' Disease". www.niddk.nih.gov. August 10, 2012. Retrieved 2015-04-02.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ Brent, Gregory A. (Jun 12, 2008). "Clinical practice. Graves' disease". The New England Journal of Medicine. 358 (24): 2594–2605. doi:10.1056/NEJMcp0801880. ISSN 1533-4406. PMID 18550875.
- ↑ Menconi, F; Marcocci, C; Marinò, M (2014). "Diagnosis and classification of Graves' disease". Autoimmunity reviews. 13 (4–5): 398–402. doi:10.1016/j.autrev.2014.01.013. PMID 24424182.
- ↑ ୪.୦ ୪.୧ ୪.୨ Nikiforov, Yuri E.; Biddinger, Paul W.; Nikiforova, Lester D.R; Biddinger, Paul W. (2012). Diagnostic pathology and molecular genetics of the thyroid (2nd ed.). Philadelphia: Wolters Kluwer Health/Lippincott Williams & Wilkins. p. 69. ISBN 9781451114553.
{{cite book}}
: Missing|author1=
(help)