ଜାନ ନିସାର ଅଖତର
ଜାନ ନିସାର ଅଖତର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଗ୍ୱାଲିୟର, ଗ୍ୱାଲିୟର ରାଜ୍ୟ, ବ୍ରିଟିଶ ଭାରତ (ବର୍ତ୍ତମାନ ମଧ୍ୟ ପ୍ରଦେଶ, ଭାରତ) | ଫେବୃଆରୀ ୧୮, ୧୯୧୪
ମୃତ୍ୟୁ | ୧୯ ଅଗଷ୍ଟ ୧୯୭୬ ମୁମ୍ବାଇ, ମହାରାଷ୍ଟ୍ର, ଭାରତ | (ବୟସ ୬୨)
ବୃତ୍ତି | ଗୀତ ଲେଖକ |
ଶୈଳୀ | ଗଜଲ |
ସାହିତ୍ୟର ଆନ୍ଦୋଳନ | Progressive Writers' Movement |
ସାହିତ୍ୟ କୃତି | "Khaak-e-dil" (The Ashes of Heart") (1973) |
ଜୀବନସାଥୀ | Safiya Siraj-ul Haq Khadija Talat |
ସନ୍ତାନ | ଜାଭେଦ ଅଖତର ସଲମନ ଅଖତର ସାହିଦ ଅଖତର ଉନେଜା ଅଖତର ଅଲବିନା ଶର୍ମା |
ଜାନ ନିସାର ଅଖତର ବିଂଶ ଶତାବ୍ଦୀର ପ୍ରସିଦ୍ଧ ଭାରତୀୟ ଉର୍ଦ୍ଦୁ ଗଜଲ ଓ ନଜମ୍ କବି । ଏହାସହ ସେ ବଲିଉଡ୍ର ଗୀତ ଲେଖକ ଓ ପ୍ରୋଗ୍ରେସିଭ୍ ରାଇଟରସ୍ ମୁଭମେଣ୍ଟର ଜଣେ ସଦସ୍ୟ ।[୧] ସେ ନିଜ ଜୀବନ କାଳ ମଧ୍ୟରେ ୧୫୧ଟି ଗୀତ ରଚନା କରିଛନ୍ତି । ଯାହା ମଧ୍ୟରେ ଫିଲ୍ମ ସି.ଆଇ.ଡି(୧୯୫୬)ର ଆଖୋ ହି ଆଖୋ ମେ, ପ୍ରେମ ପର୍ବତ(୧୯୭୪)ର ୟେ ଦିଲ୍ ଔର ଉନକି ନିଗାହୋ କେ ସାୟେ, ନୁରି(୧୯୭୯)ର ଆଜାରେ ଆଦି ସଂଗୀତ ବେଶ୍ ପ୍ରସିଦ୍ଧ । ରଜିଆ ସୁଲତାନା(୧୯୮୩)ର ଏ-ଦିଲେ-ନାଦାନ୍ ହେଉଛି ତାଙ୍କର ଶେଷ ଗୀତ । [୨][୩] ସେ ସମୟର ଅନେକ ସୁଧାରବାଦୀ ଲେଖକଙ୍କ ପରି ଅଖତରଙ୍କ କବିତା ମଧ୍ୟ ସମ୍ମାନ, ସ୍ୱାଧୀନତା, ଅର୍ଥନୈତିକ ଶୋଷଣ ଆଦି ଘଟଣା ଉପରେ ଆଧାର କରି ଲେଖା ଯାଉଥିଲା । ଏଥିସହ ସେ ଏକ ରୋମାଣ୍ଟିକ ଗଜଲ ଲେଖକ ମଧ୍ୟ ଥିଲେ । ତାଙ୍କ କିଛି କବିତା ବହି ମଧ୍ୟ ରଚନା କରାଯାଇଛି । ୧୯୬୭ରେ ଅଖତର ପ୍ରଦୀପ କୁମାର ଓ ମୀନା କୁମାରୀଙ୍କୁ ନେଇ ‘ବହୁ ବେଗମ୍’ ନାମକ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ତାଙ୍କର ଏହି ଶ୍ରେଷ୍ଠ କୃତି ପାଇଁ ୧୯୭୬ ମସିହାରେ ତାଙ୍କୁ ସାହିତ୍ୟ ଏକାଡେମୀ ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ଏଥିସହ ତାଙ୍କୁ ନୁରି ଫିଲ୍ମର ଗୀତ ‘ଆଜାରେ ମେରେ ଦିଲ୍ବର’ ପାଇଁ ଶ୍ରେଷ୍ଠ ଫିଲ୍ମଫେୟାର ଗୀତକାର ସମ୍ମାନ ଦିଆଯାଇଥିଲା ।
ଜନ୍ମ ଓ ଶିକ୍ଷା
[ସମ୍ପାଦନା]୧୯୧୪ ଫେବୃୟାରୀ ୧୮ରେ ମଧ୍ୟ ପ୍ରଦେଶର ଗ୍ୱାଲିଅର ସହରରେ ଏକ କବି ପରିବାରରେ ଜନ୍ମ ହୋଇଥିଲେ ଜାନ ନିସାର ଅଖତର୍ । ତାଙ୍କ ବାପା ମୁଜ୍ତର ଖୈରାବ୍ଦୀ ଜଣେ କବି ଥିଲେ । ତାଙ୍କ ଜେଜେବାପା ଇସଲାମ ଧର୍ମଶାସ୍ତ୍ର ପଣ୍ଡିତ ଓ ମୋଗଲ ଶାସନ କାଳର ପ୍ରସିଦ୍ଧ ଉର୍ଦ୍ଦୁ କବି ମିର୍ଜା ଗାଲିବଙ୍କ ପ୍ରଥମ ଦିୱାନ ଫଜଲ-ଇ-ହକ୍ ଖୈରାବ୍ଦୀ ଥିଲେ । ଅଖତର୍ ଗ୍ୱାଲିଅରର ଭିକ୍ଟୋରିଆ କଲେଜିଏଟ ହାଇସ୍କୁଲରୁ ଦଶମ ପର୍ଯ୍ୟନ୍ତ ଶିକ୍ଷା ଶେଷ କରିବା ପରେ ୧୯୩୦ରେ ଅଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟରୁ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ହାସଲ କରିଥିଲେ । ଏଥିସହ ଡକ୍ଟରେଟ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ପାରିବାରିକ ସମସ୍ୟା ଯୋଗୁଁ ତାଙ୍କୁ ପୁଣି ଗ୍ୱାଲିଅର ଫେରିଆସିଲେ । [୪]
କ୍ୟାରିୟର
[ସମ୍ପାଦନା]ଗ୍ୱାଲିଅରକୁ ଫେରିବା ପରେ ଜାନ ନିସାର ଅଖତର ଭିକ୍ଟୋରିଆ କଲେଜରେ ଉର୍ଦ୍ଦୁ ଶିକ୍ଷକ ଭାବେ ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୪୩ ମସିହାରେ ସେ ସଫିଆ ସିରାଜ-ଉଲ୍-ହକ୍ଙ୍କୁ ବିବାହ କରିଥିଲେ । ସଫିଆ ଥିଲେ କବି ମାଜାଜ୍ ଲକ୍ଷ୍ନୌବିଙ୍କ ଭଉଣୀ । ବିବାହର ଦୁଇ ବର୍ଷ ପରେ ଅଖତର୍ଙ୍କ ଦୁଇ ପୁଅ ଜାଭେଦ ଅଖତର ଓ ସଲମାନ ଅଖତର ୧୯୪୫ ୧୯୪୬ରେ ଜନ୍ମ ହୋଇଥିଲେ । ସ୍ୱାଧୀନତା ପୂର୍ବରୁ ଗ୍ୱାଲିଅରରେ ହୋଇଥିବା ଦଙ୍ଗା ଯୋଗୁଁ ସେ ଗ୍ୱାଲିଅର ଛାଡି ଭୋପାଳ ଚାଲିଆସିଲେ ଓ ସେଠାରେ ହମିଦିଆ କଲେଜରେ ଉର୍ଦ୍ଦୁ ଓ ପର୍ସିଆ ବିଭାଗର ଏଚ୍ଓଡି ଦାୟିତ୍ୱ ତୁଲାଉଥିଲେ । ଏହାପରେ ସେ ପ୍ରୋଗ୍ରେସିଭ ରାଇଟରସ୍ ମୁଭମେଣ୍ଟରେ ଯୋଗ ଦେଇ ଏହାର ସଭାପତି ହୋଇଥିଲେ । ୧୯୪୯ରେ ଗଜଲ ଓ ନଜମ ବ୍ୟତୀତ ହିନ୍ଦୀ ଓ ଉର୍ଦ୍ଦୁ ଚଳଚ୍ଚିତ୍ରରେ ଗୀତ ଲେଖିବା ପାଇଁ ଅଖତର ନିଜ ଚାକିରି ଛାଡି ବମ୍ବେ ଚାଲିଆସିଥିଲେ । ବମ୍ବେରେ ସେ ମୁଲ୍କ ରାଜ୍ ଆନନ୍ଦ, କ୍ରିଷନ୍ ଚନ୍ଦର, ଆର.ଏସ୍ ବେଦି ଓ ଇସ୍ମତ୍ ଚୁଗତାଇଙ୍କ ପରି କିଛି ଲୋକପ୍ରିୟ ଲେଖକଙ୍କ ସହ ସମ୍ପର୍କ ରଖିଥିଲେ ମାତ୍ର ତାଙ୍କୁ ନିଜ ଲକ୍ଷ୍ୟରେ ସଫଳତା ବହୁତ ଡେରିରେ ମିଳିଲା । ୧୯୫୩ ମସିହାରେ ତାଙ୍କ ପତ୍ନି ସଫିଆ କ୍ୟାନସର୍ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବାର ଦୀର୍ଘ ୬ବର୍ଷ ପରେ ୧୯୫୫ରେ ଫିଲ୍ମ ୟାସମିନରେ ତାଙ୍କୁ କ୍ୟାରିୟର ଆରମ୍ଭ କରିବାର ସୁଯୋଗ ମିଳିଲା । ସେ ସଂଗୀତ ନିର୍ଦ୍ଧେଶକ ମଦନ ମୋହନଙ୍କ ସହ ମିଶି ବହୁତ ଲୋକପ୍ରିୟ ଫିଲ୍ମର ସଂଗୀତ ରଚନା କରିଛନ୍ତି । ତାଙ୍କର କିଛି ଲୋକପ୍ରିୟ ସଂଗୀତ ହେଉଛି, ନୟା ଅନ୍ଦାଜ ଫିଲ୍ମର ‘ମେରି ନିନ୍ଦୋ ମେ ତୁମ’, ତୁମ ଦଗା ଦେନାର ‘ଗରିବ ଜାନ କେ ହମକୋ ନା’ ଆଦି ଅନେକ ।
ଆଧାର
[ସମ୍ପାଦନା]- ↑ Jan Nisar Akhtar Encyclopaedia of Hindi cinema, by , Gulzar, Govind Nihalani, Saibal Chatterjee (Encyclopaedia Britannica, India). Popular Prakashan, 2003. ISBN 8179910660. p. 296.
- ↑ Gulzar to release Jan Nissar Akhtar’s Nigahon Ke Saaye[permanent dead link] Screen (magazine), 20 October 2006.
- ↑ Jan Nisar Akhtar Songs geetmanjusha.
- ↑ Jan Nisar Akhtar Biography The Encyclopaedia Of Indian Literature (Volume Two) (D -J). by Amaresh Datta. Sahitya Akademi, 2006. ISBN 81-260-1194-7. p. 1796-97.
ବାହାର ତଥ୍ୟ
[ସମ୍ପାଦନା]- Exclusive innings, Biography[permanent dead link] at Screen (magazine)
- ଇଣ୍ଟରନେଟ ମୁଭି ଡାଟାବେସରେ Jan Nisar Akhtar
- Jan Nissar Akhtar Biography and works