କାଳଶି

ଉଇକିପିଡ଼ିଆ‌ରୁ

କାଳଶି ବା କାଳିସୀ ଓଡ଼ିଶାରେ ପ୍ରଚଳିତ ଏକ ପୁରାତନ ତନ୍ତ୍ରସାଧନ ପ୍ରଥା । ଏହା ଏକ ପ୍ରକାର ମାତୃଶକ୍ତିର ଧାରକ ଓ ଗ୍ରାମଦେବତୀଙ୍କ ଅବତାର ଭାବରେ ଜଣେ ଜୀବନ୍ତ ବ୍ୟକ୍ତିର ଶରୀର ଦେଇ ପ୍ରକଟିତ ହୋଇଥାଏ ବୋଲି ଲୋକ ବିଶ୍ୱାସ । ଜଣେ ବ୍ୟକ୍ତି ଦେହରେ କାଳଶି ସବାର ହେବାକୁ କାଳଶି ଲାଗିବା କୁହାଯାଇଥାଏ ।[୧] ସାଧାରଣତଃ ମଙ୍ଗଳବାର ବା ଶନିବାର ଦିନ କାଳଶି ଲାଗେ । ଏହା ଜଣେ ମହିଳା ଦେହରେ ଲାଗେ । ଲାଗିବା ଦିନ ସକାଳେ ସେ ଗାଧୋଇ ସଫା ଲୁଗା ପିନ୍ଧି ଏକ ପଟୁଆର ସହ ଗ୍ରାମଦେବତୀ ପୀଠ ଆଡ଼କୁ ଯାଇଥାଏ । ହାଡ଼ିମାନେ ବାଜା ବଜାନ୍ତି ଓ କାଳଶି କେଶ ଖୋଲି ନାଚିଥାଏ ।[୨] ଓଡ଼ିଶା ବାହାରେ କେରଳରେ ମଧ୍ୟ ଏହି ପ୍ରଥା ଭେଲିଚାପଡ଼ ନାମରେ ପ୍ରଚଳିତ । ସେଠାରେ ବାର୍ଷିକ ଭରଣୀ ଉତ୍ସବରେ କୋଡୁଙ୍ଗାଲୁର ଭଗବତୀ ମନ୍ଦିରରେ ଉଭୟ ପୁରୁଷ ଓ ମହିଳା ଖଣ୍ଡାଧାରୀ କାଳିସୀ ହୋଇ ପଟୁଆରରେ ଯାଇଥାନ୍ତି ।[୩] କାଳଶି ପ୍ରଥା ଧୀରେ ଧୀରେ ଲୋପପାଇବା ସ୍ଥଳେ କଳାହାଣ୍ଡି ଓ ଅନ୍ୟ କେତେକ ଜାଗାରେ ଅନ୍ଧବିଶ୍ୱାସ ହେତୁ ରୋଗରୁ ମୁକୁଳିବା ପାଇଁ କାଳଶି ପୂଜାପାଇବା ଦେଖାଯାଏ ।[୪]

ନାମକରଣ[ସମ୍ପାଦନା]

ଐତିହାସିକ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ମତରେ କାଳଶି କଳସୀ ଶବ୍ଦରୁ ଉଦ୍ଧୃତ । ଭକ୍ତମାନେ ନାଚିବା ସମୟରେ ହାତରେ କଳସୀ ଧରି ନାଚିଥାନ୍ତି ।[୨]

ଲୋକ ବିଶ୍ୱାସ[ସମ୍ପାଦନା]

ବାଉରିମାନେ କାଳଶି ଉପରେ ଦୃଢ଼ ବିଶ୍ୱାସ ପୋଷଣ କରିଥାନ୍ତି । ସେମାନଙ୍କ ମତରେ କାଳଶି ଦେବୀ କାଳଶି ମାଧ୍ୟମରେ ତାଙ୍କ ସନ୍ଦେଶ ପଠାଇଥାନ୍ତି ।[୨]

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା: ୧୫୫୪
  2. ୨.୦ ୨.୧ ୨.୨ H. C. Das (1979). Resources and Responses in Two Orissan Villages: The Influence of the New State Capital, 1950-1970. Punthi Pustak.
  3. "କୋଡୁଙ୍ଗାଲୁ ଭରଣୀ". କେରଳ ପର୍ଯ୍ୟଟନ. Retrieved 1 October 2017.
  4. "କଳାହାଣ୍ଡି ଜୟପାଟଣାରେ ଅଭାବନୀୟ କାଣ୍ଡ : ଦିନରେ ବିଜ୍ଞାନ,ରାତିରେ ଅନ୍ଧବିଶ୍ୱାସର ପାଠ". କନକ ନ୍ୟୁଜ୍. Retrieved 1 October 2017.