ଶ୍ୱେତସାର
ଶ୍ୱେତସାର (Carbohydrate) ଏକ ଜୈବପଦାର୍ଥ ।[୧] ଏହା ଉଦ୍ଭିଦର କୋଷିକାରେ ଥିବା ହରିତ୍କଣାରେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାଦ୍ୱାରା ତିଆରି ହୋଇଥାଏ । ଏଗୁଡ଼ିକ ସାଧାରଣତଃ ଅଙ୍ଗାରକ, ଉଦ୍ଜାନ ଏବଂ ଅମ୍ଳଜାନ ଅଣୁର ଏକ ନିର୍ଦ୍ଦିଷ୍ଟ ଅନୁପାତରେ (୧:୨:୧) ଗଠିତ । ସାଧାରଣରେ ଏହାକୁ (CH2O)n ଭାବରେ ପ୍ରକାଶ କରାଯାଇଥାଏ ।
ବ୍ୟବହାର
[ସମ୍ପାଦନା]ଶ୍ୱେତସାର ଜୀବ ଶରୀରରେ ଇନ୍ଧନ ହିସାବରେ ବ୍ୟବହୃତ ହୋଇଥାଏ । ଶ୍ୱେତସାରରୁ ଜାରଣ ପ୍ରକ୍ରିୟାରେ ଜୀବ କୋଷିକାରେ ଶକ୍ତି ଉତ୍ପନ୍ନ ହୁଏ । ଏହା ବ୍ୟତୀତ ଏଗୁଡ଼ିକ ଉଦ୍ଭିଦ କୋଷିକାରେ ଗଠନ ପ୍ରକ୍ରିୟାରେ ମଧ୍ୟ ସହାୟକ ହୋଇଥାଏ ।
ପ୍ରକାର
[ସମ୍ପାଦନା]ଶ୍ୱେତସାର ସାଧାରଣତଃ ଦୁଇପ୍ରକାରର । ଯଥା: ସରଳ ଓ ଜଟିଳ ।
ଦ୍ରାକ୍ଷାଶର୍କରା (Glucose), ଫଳଶର୍କରା (Fructose) ଗୁଡ଼ିକ ସରଳ ଶ୍ୱତସାର ଅନ୍ତର୍ଭୁକ୍ତ । ଏଗୁଡ଼ିକ ବିଭିନ୍ନ ଚୟାପଚୟ (Metabolic) ପ୍ରକ୍ରିୟାରେ ସାହାଯ୍ୟ କରିଥାନ୍ତି । ମଣ୍ଡଦ (Starch), ସେଲ୍ୟୁଲୋଜ୍ (Cellulose) ଓ ଗ୍ଲାଇକୋଜେନ୍ (Glycogen) ଇତ୍ୟାଦି ଜଟିଳ ଶ୍ୱେତସାର ଅନ୍ତର୍ଭୁକ୍ତ । କୋଷିକାର ଗଠନ ତଥା ସଞ୍ଚିତ ଖାଦ୍ୟ ଭାବରେ ଏହା ବ୍ୟବହୃତ ହୋଇଥାଏ ।
ଶ୍ରେଣୀ ବିଭାଗ
[ସମ୍ପାଦନା]ଜଳ ଅପଘଟନ (Hydrolysis) ପ୍ରକ୍ରିୟାରେ ଏମାନଙ୍କ ବ୍ୟବହାର ଏବଂ ଗଠନ ପ୍ରଣାଳୀର ଜଟିଳତା ଆଧାରରେ ଶ୍ୱେତସାରକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇଥାଏ । ସେଗୁଡ଼ିକ ହେଲା:
- ମନୋସାକାରାଇଡ୍ (Monosaccharide)
- ଡାଇସାକାରାଇଡ୍ (Disaccharide)
- ପଲିସାକାରାଇଡ୍ (Polysaccharide)
ମନୋସାକାରାଇଡ୍ (Monosaccharide)
[ସମ୍ପାଦନା]ମନୋସାକାରାଇଡ୍ (ମନୋ ବା mono = ଏକ ଓ ସାକାରନ୍ ବା saccharon = ଶର୍କରା) ତିନିରୁ ଛଅ ଅଙ୍ଗାରକ ଅଣୁ ବିଶିଷ୍ଟ ସରଳ ଶର୍କରା ବା ମନୋମେରିକ୍ (Monomeric) ଶର୍କରା । ଏହା ଘନୀଭୂତ ହୋଇ ଜଟିଳ ଶର୍କରା ପ୍ରସ୍ତୁତ କରିଥାଏ । ଏହି ସରଳ ଶର୍କରାରେ ଥିବା ଅଙ୍ଗାରକ ଅଣୁ ସଂଖ୍ୟା ଅନୁସାରେ ଏମାନଙ୍କୁ ଟ୍ରାୟୋଜ୍ (Triose), ପେଣ୍ଟୋଜ୍ (Pentose), ହେକ୍ସୋଜ୍ (Hexose) ଆଦି ନାମକରଣ କରାଯାଇଛି । ଟ୍ରାୟୋଜ୍ ଶର୍କରା ତିନି ଅଙ୍ଗାରକ ଅଣୁ ବିଶିଷ୍ଟ ସବୁଠାରୁ ସରଳ ଶର୍କରା । ଗ୍ଲିସେରାଲ୍ଡିହାଇଡ୍ (Glyceraldehyde) ଟ୍ରାୟୋଜ୍ ଶର୍କରାର ଏକ ଉଦାହରଣ । ସେହିପରି ରାଇବୋଜ୍ (Ribose) ଓ ଡିଅକ୍ସିରାଇବୋଜ୍ (Deoxyribose) ପାଞ୍ଚ ଅଙ୍ଗାରକ ଅଣୁ ବିଶିଷ୍ଟ ଶର୍କରା ପେଣ୍ଟୋଜ୍ର ଉଦାହରଣ ଏବଂ ଦ୍ରାକ୍ଷାଶର୍କରା (Glucose) ଓ ଫଳଶର୍କରା (Fructose) ଛଅ ଅଙ୍ଗାରକ ଅଣୁ ବିଶିଷ୍ଟ ଏକକ ଶର୍କରା ହେକ୍ସୋଜ୍ର ଉଦାହରଣ । ପ୍ରତ୍ୟେକ ଏକକ ଶର୍କରା ସ୍ପଟିକୀୟ, ଜଳରେ ଦ୍ରବଣୀୟ ଏବଂ ମିଠା ସ୍ୱାଦଯୁକ୍ତ ଅଟେ ।
ଡାଇସାକାରାଇଡ୍ (Disaccharide)
[ସମ୍ପାଦନା]ଡାଇସାକାରାଇଡ୍ (ଡାଇ ବା di = ଦୁଇ ଓ ସାକାରନ୍ ବା saccharon = ଶର୍କରା) ୨ଟି ମନୋସାକାରାଇଡ୍ର ସଂଯୋଜନଦ୍ୱାରା ଗଠିତ ଶର୍କରା । ଚିନି ବା ସୁକ୍ରୋଜ୍ରେ (Sucrose) ଗୋଟିଏ ଦ୍ରାକ୍ଷାଶର୍କରା (Glucose) ଓ ଗୋଟିଏ ଫଳଶର୍କରା (Fructose) ଅଣୁ ରହିଥାଏ । ଏହା ଘନୀଭବନ (Condensation) ପ୍ରକ୍ରିୟାରୁ ପ୍ରସ୍ତୁତ ହୋଇଥାଏ । ଆମ ଖାଦ୍ୟରେ ଏଭଳି ଶର୍କରାର ପରିମାଣ ବେଶୀ । ଜୈବଶର୍କରା (Maltose) ୨ଟି ଦ୍ରାକ୍ଷାଶର୍କରା (Glucose) ଅଣୁ ଏବଂ ଦୁଗ୍ଧଶର୍କରା (Lactose) ଗୋଟିଏ ଫଳଶର୍କରା (Fructose) ଓ ଗୋଟିଏ ଗାଲାକ୍ଟୋଜ୍ (Galactose) ଅଣୁର ଘନୀଭବନରୁ ଉତ୍ପନ୍ନ ହୋଇଥାଏ । ଏହି ଏକକ ଶର୍କରାଗୁଡ଼ିକ ସହସଂଯୋଜକ ବନ୍ଧ (Covalent bond)ଦ୍ୱାରା ଯୋଡ଼ି ହେଉଥିବାରୁ ଏହାକୁ ଗ୍ଲାଇକୋସିଡିକ୍ ବଣ୍ଡ (Glycosidic bond) କୁହାଯାଏ । ଡାଇସାକାରାଇଡ୍ଗୁଡ଼ିକ ସହଜରେ ଜଳ ଅପଘଟିତ ହୋଇ ଏକକ ଶର୍କରାରେ ପରିଣତ ହୋଇଥାନ୍ତି । ଡାଇସାକାରାଇଡ୍ ସ୍ପଟିକୀୟ, ଜଳରେ ଦ୍ରବଣୀୟ ଓ ମିଠା ସ୍ୱାଦଯୁକ୍ତ ଅଟେ ।
ପଲିସାକାରାଇଡ୍ (Polysaccharide)
[ସମ୍ପାଦନା]ପଲିସାକାରାଇଡ୍ (ପଲି ବା poly = ଅନେକ ଓ ସାକାରନ୍ ବା saccharon = ଶର୍କରା) ଅନେକ ଗୁଡ଼ିଏ ମନୋସାକାରାଇଡ୍ ଶର୍କରାର ଏକ ଲମ୍ବା ଶିକୁଳି (Chain) କିମ୍ବା ଶାଖାୟିତ ଶିକୁଳି (Branched chain) ଅଟେ । ଏକା ପ୍ରକାରର ଏକକ ଶର୍କରାଦ୍ୱାରା ଗଠିତ ପଲିସାକାରାଇଡ୍କୁ ସମ-ପଲିସାକାରାଇଡ୍ କୁହାଯାଏ । ଭିନ୍ନ ଭିନ୍ନ ପ୍ରକାରର ଏକକ ଶର୍କରାଦ୍ୱାରା ଗଠିତ ହେଲେ ଏହାକୁ ବିଷମ-ପଲିସାକାରାଇଡ୍ କୁହାଯାଏ । ଏଗୁଡ଼ିକ ଅସ୍ପଟିକୀୟ, ସ୍ୱାଦରହିତ ଏବଂ ଜଳରେ ଅଦ୍ରବଣୀୟ ବା ସାମାନ୍ୟ ପରିମାଣରେ ଦ୍ରବଣୀୟ ଅଟନ୍ତି ।
ଶ୍ରେଣୀ ବିଭାଗ
[ସମ୍ପାଦନା]ପଲିସାକାରାଇଡ୍ ଦୁଇ ଭାଗରେ ବିଭକ୍ତ । ଯଥା:
- ସଞ୍ଚୟ (Storage)
- ଗାଠନିକ (Structural)
ମଣ୍ଡଦ (Starch) ଓ ଗ୍ଲାଇକୋଜେନ୍ (Glycogen) ସଞ୍ଚୟ ଶ୍ରେଣୀର ଅନ୍ତର୍ଭୁକ୍ତ । ମଣ୍ଡଦ (Starch) ଏକ ଦ୍ରାକ୍ଷାଶର୍କରାର (Glucose) ସମାହାର । ଏହା ଉଦ୍ଭିଦରେ ସଞ୍ଚିତ ହୋଇ ରହିଥାଏ । ବିପାଚନ ପ୍ରକ୍ରିୟାରେ ଏହା ଛୋଟ ଛୋଟ ଖଣ୍ଡରେ ବିଭକ୍ତ ହୋଇଥାଏ । ଉଦ୍ଭିଦ କୋଷିକାରେ ଆମାଇଲେଜ୍ (Amylase) ଓ ଆମାଇଲୋପେକ୍ଟିନ୍ (Amylopectin) ନାମକ ମଣ୍ଡଦ (Starch) ଗଚ୍ଛିତ ଥାଏ । ତେଣୁ ଉଦ୍ଭିଦର ଯେଉଁ ଲବକରେ (Plastid) ଏହା ସଞ୍ଚିତ ହୋଇଥାଏ, ତାହା ଆମାଇଲୋପ୍ଲାଷ୍ଟ (Amyloplast) ନାମରେ ନାମିତ ।
ଗ୍ଲାଇକୋଜେନ୍ (Glycogen) ଅନେକ ପ୍ରକାରର କବକ (Fungi), ପ୍ରାଣୀମାନଙ୍କ ଯକୃତ (Liver) ଓ ମାଂସପେଶୀରେ (Muscles) ସଞ୍ଚିତ ଜୈବଶର୍କରା । ମଣ୍ଡଦ (Starch) ଅପେକ୍ଷା ଜଳରେ ଅଧିକ ଦ୍ରବଣୀୟ । ଶରୀରରେ ଶକ୍ତିର ଆବଶ୍ୟକତା ଅନୁସାରେ ଜୈବଶର୍କରା ବିଭାଜିତ ହୋଇ ଦ୍ରାକ୍ଷାଶର୍କରାରେ (Glucose) ପରିଣତ ହୋଇଥାଏ । ରକ୍ତରେ ଆବଶ୍ୟକ ହେଉଥିବା ଶର୍କରାର ପରିମାଣ ସ୍ଥିର ରହିବାରେ ଏହାର ଭୂମିକା ରହିଛି ।
କାର୍ଯ୍ୟ
[ସମ୍ପାଦନା]ଶ୍ୱେତସାରର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ହେଲା:
- ଶ୍ୱେତସାର ଜୀବମାନଙ୍କ କୋଷିକାରେ ଖାଦ୍ୟ ପଦାର୍ଥ ଭାବରେ ସଞ୍ଚିତ ହୋଇ ରହିଥାଏ ।
- ଆବଶ୍ୟକ ସ୍ଥଳେ ଏଗୁଡ଼ିକ ବିପାଚିତ ହୋଇ ଦ୍ରାକ୍ଷାଶର୍କରାରେ (Glucose) ପରିଣତ ହୋଇଥାନ୍ତି, ଯାହାକି କୋଷିକା ମଧ୍ୟରେ ଶ୍ୱସନ ପ୍ରକ୍ରିୟାରେ ଭାଗ ନେଇ ଶକ୍ତି ଉତ୍ପନ୍ନ କରିଥାନ୍ତି ।
- ଉଦ୍ଭିଦ କୋଷିକା ପ୍ରାଚୀରର ପ୍ରଧାନ ଉପାଦାନ ସେଲ୍ୟୁଲୋଜ୍ (Cellulose) । ଏହି ସେଲ୍ୟୁଲୋଜ୍ (Cellulose) ପ୍ରାୟ ୧୫୦୦ଟି ଦ୍ରାକ୍ଷାଶର୍କରାର (Glucose) ଏକ ଶିକୁଳି (Chain) ଅଟେ ।[୪] କୋଷିକାର ସଂପ୍ରସାରଣ ତଥା ଜଳ ଓ ଅନ୍ୟାନ୍ୟ ଦ୍ରବ୍ୟ ପ୍ରବାହରେ ଏହି ପ୍ରାଚୀର ସହାୟକ ହୋଇଥାଏ ।
- ହେପାରିନ୍ (Heparin) ନାମକ ଏକ ପ୍ରକାରର ପଲିସାକାରାଇଡ୍ (Polysaccharide) ରକ୍ତ ଜମାଟ ବାନ୍ଧିବା କାର୍ଯ୍ୟକୁ ରୋକିବାରେ ସାହାଯ୍ୟ କରେ ।
ଶ୍ୱେତସାରଯୁକ୍ତ ଖାଦ୍ୟ
[ସମ୍ପାଦନା]ନିମ୍ନ ଲିଖିତ ଖାଦ୍ୟଗୁଡ଼ିକରେ ଶ୍ୱେତସାର ଖୁବ୍ ଅଧିକ ପରିମାଣରେ ଥାଏ ।[୫]
- ଚିନି
- ମକା
- କଦଳୀ
- ସେଓ
- ଅଙ୍ଗୁର
- ସପୁରୀ ପଣସ
- ଲିଚୁ
- କମଳା
- ଖଜୁରୀ କୋଳି
- ଆଳୁ
- କନ୍ଦମୂଳ
- ବାଦାମ
- ଝୁଡ଼ଙ୍ଗ
- କ୍ଷୀର
- ଦହି
- ଭାତ
- ବାର୍ଲି
- ବାଜରା
- ଯଅ
- ଗହମ
- ଶାଗୁ
ଶ୍ୱେତସାରଜନିତ ରୋଗ
[ସମ୍ପାଦନା]ଶ୍ୱେତସାର ଅଭାବରେ ହେଉଥିବା ରୋଗ
[ସମ୍ପାଦନା]ନିମ୍ନ ଲିଖିତ ରୋଗଗୁଡ଼ିକ ଶ୍ୱେତସାରର ଅଭାବରେ ହୋଇଥାଏ ।[୬]
- ଏସିଡୋସିସ୍ (Acidosis)
- କେଟୋସିସ୍ (Ketosis)
- କ୍ଷୀଣ ରକ୍ତ ଶର୍କରା ବା ହାଇପୋଗ୍ଲାଇସେମିଆ (Hypoglycemia)
- କ୍ଳାନ୍ତି ଏବଂ ଦୁର୍ବଳତା
- ମାଂସପେଶୀରେ ପୀଡ଼ା
- ଓଜନ କ୍ଷୟ
- ନିର୍ଜଳୀକରଣ (Dehydration)
- ସୋଡ଼ିୟମ୍ କ୍ଷୟ
- କ୍ଷୀଣ ରୋଗ ପ୍ରତିରୋଧକ ଶକ୍ତି
- କୋଷ୍ଠ କାଠିନ୍ୟ (Constipation)
- ଅନ୍ୟମନସ୍କତା ଏବଂ ଅବସାଦ
ଶ୍ୱେତସାର ଆଧିକ୍ୟରେ ହେଉଥିବା ରୋଗ
[ସମ୍ପାଦନା]ନିମ୍ନ ଲିଖିତ ରୋଗଗୁଡ଼ିକ ଶ୍ୱେତସାରର ଆଧିକ୍ୟରେ ହୋଇଥାଏ ।[୭]
- ମେଦ ବହୁଳତା
- କ୍ଳାନ୍ତି
- ଗ୍ୟାସ୍ଟ୍ରୋଇଣ୍ଟେଷ୍ଟିନାଲ୍ ଡିସ୍ଟ୍ରେସ୍ ବା ଗ୍ୟାସ୍ଟ୍ରିକ୍ (Gastrointestinal Distress)
- ଉଚ୍ଚ କୋଲେଷ୍ଟରଲ୍ (Cholesterol)
ଆଧାର
[ସମ୍ପାଦନା]- ↑ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା (ଇଚ୍ଛାଧୀନ), ଦଶମ ଶ୍ରେଣୀ. ଓଡ଼ିଶା: ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା. p. ୧୫୪.
{{cite book}}
:|first=
missing|last=
(help) - ↑ "ଶ୍ୱେତସାର".
{{cite web}}
:|first=
missing|last=
(help) - ↑ ଦଶମ ଶ୍ରେଣୀ. ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା (ଇଚ୍ଛାଧୀନ). ଓଡ଼ିଶା: ମାଧ୍ୟମିକ ଶିକ୍ଷା ପରିଷଦ. p. ୧୫୪.
- ↑ ସେଲ୍ୟୁଲୋଜ୍, ଶ୍ୱେତସାର. "ସେଲ୍ୟୁଲୋଜ୍ରେ ଶ୍ୱେତସାର".
- ↑ ଖାଦ୍ୟ, ଶ୍ୱେତସାର. "ଶ୍ୱେତସାର ଜାତୀୟ ଖାଦ୍ୟ".
- ↑ ରୋଗ, ଶ୍ୱେତସାର. "ଶ୍ୱେତସାରର ଅଭାବରେ ହେଉଥିବା ରୋଗ".
- ↑ ରୋଗ, ଶ୍ୱେତସାର. "ଶ୍ୱେତସାରର ଆଧିକ୍ୟରେ ହେଉଥିବା ରୋଗ".