ଭାରତୀୟ ନୁକୁରି ପକ୍ଷୀ
ଭାରତୀୟ ନୁକୁରି ପକ୍ଷୀ | |
---|---|
ମହାରାଷ୍ଟ୍ରର ପୁଣେ ନଗରୀର ଏକ ଭାରତୀୟ ନୁକୁରି ପକ୍ଷୀ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
Order: | Charadriiformes |
Family: | Glareolidae |
Genus: | Cursorius |
ଜାତି: | C. coromandelicus |
ବାଇନୋମିଆଲ ନାମ | |
Cursorius coromandelicus ୟୋହାନ୍ ଫ୍ରିଏଡ୍ରିଖ୍ ମେଲିନ୍, ୧୭୮୯
| |
ମାନଚିତ୍ରରେ ଭାରତୀୟ ନୁକୁରି ପକ୍ଷୀର ଭୌଗୋଳିକ ବ୍ୟାପ୍ତି |
ଭାରତୀୟ ନୁକୁରି ପକ୍ଷୀ (ଇଂରାଜୀ ଭାଷାରେ Indian Courser, ଜୀବବିଜ୍ଞାନ ନାମ Cursorius coromandelicus) ଦକ୍ଷିଣ ଏସିଆରେ ପରିଲକ୍ଷିତ ନୁକୁରି ଜାତୀୟ ପକ୍ଷୀ । ଗଙ୍ଗା ନଦୀ ଓ ସିନ୍ଧୁ ନଦୀ ଅବବାହିକାର ସମତଳ ଅଞ୍ଚଳରେ ଏହି ପକ୍ଷୀ ବହୁ ସଂଖ୍ୟାରେ ଦେଖିବାକୁ ମିଳନ୍ତି । ଅନ୍ୟ ନୁକୁରି ପକ୍ଷୀଙ୍କ ପରି ଭାରତୀୟ ନୁକୁରି ପକ୍ଷୀ ମଧ୍ୟ ଏକ ସ୍ଥଳଚର ପକ୍ଷୀ । ଏମାନେ ଛୋଟ ଛୋଟ ଦଳରେ ବିଚରଣ କରନ୍ତି । ଶୁଷ୍କ ଖୋଲା ଭୂମିରେ ବୁଲି ଏମାନେ ବିଭିନ୍ନ କୀଟପତଙ୍ଗ ଆହରଣ କରିଥାନ୍ତି ।
ବିବରଣୀ
[ସମ୍ପାଦନା]ଏହି ନୁକୁରି ପକ୍ଷୀ ସମଗ୍ର ଦକ୍ଷିଣ ଏସିଆରେ ଦେଖାଯାଏ । ଏମାନଙ୍କ ଭୌଗୋଳିକ କ୍ଷେତ୍ରର କିଛି ଅଂଶରେ ଏକା ପରି ଦେଖାଯାଉଥିବା ଘିଅରଙ୍ଗୀ ନୁକୁରି ପକ୍ଷୀର (cream-colored courser) ଭୌଗୋଳିକ କ୍ଷେତ୍ର ମଧ୍ୟ ରହିଛି । ଭାରତୀୟ ନୁକୁରି ପକ୍ଷୀର ଶରୀରର ରଙ୍ଗ କିନ୍ତୁ ଉଜ୍ଜ୍ୱଳତର ଓ ଏହାର ଥଣ୍ଟ ପାଖରୁ ବାହାରି ଆଖି ଉପର ଦେଇ ଯାଇଥିବା ପଟି ଦାଗ ଅଧିକ ମୋଟା । ଏହାର ମୁଣ୍ଡର ଉପର ପଟ ଗାଢ଼ ବାଦାମୀ ଓ ଏହାର ଛାତି ଖଇରିଆ ରଙ୍ଗର । ବେକର ପଛପଟକୁ ଏକ ଗାଢ଼ କଳା ଛାପ ଚିହ୍ନ ରହିଥାଏ ।[୨] ଉଡ଼ନ୍ତା ଅବସ୍ଥାରେ ଭାରତୀୟ ନୁକୁରିର ପଶ୍ଚାତ ଭାଗ ଧଳା ଦେଖାଯାଏ । ଏହାର ଡେଣାର ଅଗ ଘିଅରଙ୍ଗୀ ନୁକୁରି ପରି ଗାଢ଼ କଳା ଦେଖାଯାଏ ନାହିଁ । ଉଭୟ ଅଣ୍ଡିରା ଓ ମାଈ ପକ୍ଷୀ ଦେଖିବାକୁ ଏକା ପରି ।[୩][୪]
ଏହାର ଲମ୍ବା ଗୋଡ଼ଗୁଡ଼ିକ ଧଳା ରଙ୍ଗର । ପାଦରେ କେବଳ ସାମନା ପଟକୁ ତିନିଗୋଟି ଅଙ୍ଗୁଳି ରହିଥାଏ ।[୨]
ଭାରତୀୟ ନୁକୁରି ପକ୍ଷୀ ଅନ୍ୟାନ୍ୟ ନୁକୁରି ପକ୍ଷୀଙ୍କ ନିକଟ ସମ୍ପର୍କୀୟ । ଭାରତୀୟ ନୁକୁରି ପକ୍ଷୀକୁ ଘିଅରଙ୍ଗୀ ନୁକୁରି, ଟେମିଂକ୍ ନୁକୁରି ଓ ବର୍ଶେଲ୍ ନୁକୁରିର ଉପର-ପ୍ରଜାତି ପକ୍ଷୀ ବୋଲି ବିବେଚନା କରାଯାଏ ।
ଭୌଗୋଳିକ ବିତରଣ ଓ ପରିବାସ
[ସମ୍ପାଦନା]ଭାରତୀୟ ନୁକୁରି ପକ୍ଷୀ ଶୁଷ୍କ ଗୋଡ଼ିପୂର୍ଣ୍ଣ, ପଥୁରିଆ ଓ ବୁଦାଳିଆ ଭୂମିରେ ଅଧିକ ଦେଖାଯାନ୍ତି ଓ ଏମାନଙ୍କୁ ବାଲୁକାମୟ ସ୍ଥାନରେ ପ୍ରାୟ ଦେଖିବାକୁ ମିଳେନାହିଁ ।[୫] ସିନ୍ଧୁ ନଦୀ ଉପତ୍ୟକାରୁ ନେଇ ପୂର୍ବପଟେ ବଙ୍ଗଳାଦେଶ ଏବଂ ଦକ୍ଷିଣ ଦିଗରେ ଭାରତୀୟ ଉପଦ୍ୱୀପ ପର୍ଯ୍ୟନ୍ତ ଏହି ପକ୍ଷୀ ଦେଖିବାକୁ ମିଳନ୍ତି । ଉତ୍ତର ଶ୍ରୀଲଙ୍କାର ଶୁଷ୍କ ଅଞ୍ଚଳରେ ମଧ୍ୟ ଭାରତୀୟ ନୁକୁରି ବସବାସ କରିବାର ଦେଖାଯାଏ । ଏହି ପକ୍ଷୀ ଆର୍ଦ୍ର ଅରଣ୍ୟରେ ରହିବା ପସନ୍ଦ କରନ୍ତି ନାହିଁ । ଦକ୍ଷିଣ ଭାରତରେ କରମଣ୍ଡଳ ଉପକୂଳରେ ଏହା ଏକ ଅତି ସାଧାରଣ ସ୍ଥାନୀୟ ପକ୍ଷୀ ।[୬] ତେଣୁ ଏହି ପକ୍ଷୀର ଜୀବବିଜ୍ଞାନ ନାମରେ କୋରୋମେଣ୍ଡେଲିକସ୍ ରହିଛି । ଭାରତୀୟ ଉପଦ୍ୱୀପର ଅନ୍ୟ ଅଞ୍ଚଳରେ ମଧ୍ୟ ଏହି ପକ୍ଷୀ ବ୍ୟାପ୍ତ ।[୭][୮] ଡେକାନ ମାଳଭୂମି, ଉତ୍ତର-ପଶ୍ଚିମସ୍ଥ ଗୁଜରାଟ ଓ ରାଜସ୍ଥାନର ଶୁଷ୍କ ଅଞ୍ଚଳରେ ଏହି ପକ୍ଷୀ ବହୁ ମାତ୍ରାରେ ଦେଖିବାକୁ ମିଳନ୍ତି ।[୯] ଏହି ପକ୍ଷୀ କିଛି ସ୍ଥାନରେ ମୂଳ ନିବାସୀ ପରି ରହେ ଅନ୍ୟ ସେହି ଅଞ୍ଚଳ ମଧ୍ୟରେ ବିଚରଣ କରେ ।[୧୦][୧୧]
ପରିସଂସ୍ଥା ଓ ବ୍ୟବହାର
[ସମ୍ପାଦନା]ଏହି ନୁକୁରୀ ପକ୍ଷୀମାନଙ୍କୁ ଛୋଟ ଛୋଟ ଦଳରେ ଦେଖିବାକୁ ମିଳେ । ନିଜ ଶରୀରର ଉଚ୍ଚତାରୁ ଅଧିକ ଲମ୍ବା ହୋଇନଥିବା ଘାସ ଜମିରେ ଏମାନେ ଅଧିକାଂଶରେ ଦେଖାଯାନ୍ତି । ସ୍ଥଳଚର ପକ୍ଷୀ ହୋଇଥିବାରୁ ଅଧିକ ଉଚ୍ଚତାବିଶିଷ୍ଟ ଘାସ ଏମାନଙ୍କ ଦୃଷ୍ଟିରୋଧ କରିଥାଏ । ଅମଳ ହୋଇସାରିଥିବା ଓ ଚଷା ଯାଇନଥିବା ଜମିର ଊଈ, ଗୋବର ପୋକ, ଝିଣ୍ଟିକା, ପଙ୍ଗପାଳ ଓ ଅନ୍ୟାନ୍ୟ କୀଟପତଙ୍ଗ ଏମାନଙ୍କର ପ୍ରଧାନ ଆହାର ।[୧୨] ଏମାନେ ଭୂମି ଉପରେ ଦୌଡ଼ି ପାରନ୍ତି ଓ ଉଡ଼ିବା ପୂର୍ବରୁ ଏକ କର୍କଷ ଗ୍ୱାଟ୍ ଶବ୍ଦ ସୃଷ୍ଟି କରି ଉପରକୁ ଉଠନ୍ତି ।[୩] ଏମାନେ ଜୋରରେ ଡେଣା ଫଡ଼ଫଡ଼ କରି ଉଡ଼ନ୍ତି ।[୧୩] ଭାରତୀୟ ନୁକୁରି ପକ୍ଷୀ କମ୍ ଉଚ୍ଚତାରେ ଉଡ଼ନ୍ତି ଏବଂ ଓହ୍ଲାଇବା ପରେ କିଛି ଦୂର ଦୌଡ଼ିଯାନ୍ତି ।[୨][୧୪][୧୫]
ମାର୍ଚ୍ଚରୁ ଅଗଷ୍ଟ ଏହି ପକ୍ଷୀର ପ୍ରଜନନ ଋତୁ । ଦକ୍ଷିଣ ଭାରତ ଓ ଶ୍ରୀଲଙ୍କାର କିଛି ପକ୍ଷୀଙ୍କ ପ୍ରଜନନ ଋତୁ ମଇ ମାସର ମଝିରୁ ଏବଂ ଦରଭଙ୍ଗା ଅଞ୍ଚଳର ପକ୍ଷୀଙ୍କ ପ୍ରଜନନ ଋତୁ ଅପ୍ରେଲ୍ ମାସ ମଝିରୁ ଆରମ୍ଭ ହେବାର ତଥ୍ୟ ରହିଛି ।[୮][୧୬] ଖୋଲା ପଡ଼ିଆ ବା ପଥୁରିଆ ସ୍ଥାନରେ ଏମାନେ ନିଜର ବସା ବାନ୍ଧନ୍ତି ଓ ସେଥିରେ ପ୍ରାୟ ଗୋଲକାକାର ୨ରୁ ୩ଟି ଅଣ୍ଡା ଦିଅନ୍ତି । ଛଳାବରଣ ଯୋଗୁଁ ଅଣ୍ଡାଗୁଡ଼ିକୁ ସହଜରେ ଦେଖିବା କଷ୍ଟ ହୁଏ ।[୧୭] ନୁକୁରି ଶାବକମାନଙ୍କ ରଙ୍ଗ ବାହ୍ୟ ପରିବେଶ ସହ ମିଶିଯାଏ । ସତର୍କ ସୂଚନା ପାଇଲେ ଶାବକମାନେ ନିଶ୍ଚଳ ହୋଇ ବସିଯାଆନ୍ତି ଏବଂ ଏମାନଙ୍କୁ ଠାବ କରିବା କଷ୍ଟ ହୋଇଥାଏ ।[୧୩] କେହି ଶାବକଙ୍କ ନିକଟକୁ ଆସିବାର ସମ୍ଭାବନା ଦେଖିଲେ ପ୍ରାପ୍ତବୟସ୍କ ପକ୍ଷୀମାନେ କୌଣସି ପ୍ରଦର୍ଶନ ବା ଶବ୍ଦ ସୃଷ୍ଟି କରନ୍ତି ନାହିଁ ।[୧୮] ଅଣ୍ଡା ଫୁଟିବା ପରଠାରୁ ଶାବକମାନେ ଚଳପ୍ରଚଳ କରିପାରନ୍ତି । ପ୍ରଥମେ ପିତାମାତା ଆଣିଥିବା ଖାଦ୍ୟ ଖାଆନ୍ତି ଓ ଜନ୍ମ ହେବାର ଏକ ସପ୍ତାହ ପରେ ନିଜେ ଖାଦ୍ୟ ଖୋଜି ଖାଇଥାନ୍ତି ।[୧୪][୧୯][୨୦]
ଅସ୍ଥିତ୍ୱ ପ୍ରତି ସଙ୍କଟ
[ସମ୍ପାଦନା]ସହରୀକରଣ, ନିର୍ମାଣ ତଥା କୃଷିକାର୍ଯ୍ୟ ନିମନ୍ତେ ସମ୍ପ୍ରସାରଣ ହେତୁ ଭାରତୀୟ ନୁକୁରି ପକ୍ଷୀ ବସବାସ କରୁଥିବା ଖୋଲା ଶୁଷ୍କ ପରିବାସ ବର୍ତ୍ତମାନ ବହୁ ପରିମାଣରେ ହ୍ରାସ ପାଇବାରେ ଲାଗିଛି । ଗୁଜରାଟ ରାଜ୍ୟର ଅନେକ ତୃଣଭୂମିରେ ଏହି ପକ୍ଷୀକୁ ଦେଖିବା ଏକଦା ଅତି ସାମାନ୍ୟ ଘଟଣା ଥିବାବେଳେ ବର୍ତ୍ତମାନ ସମୟରେ ଏମାନେ କିଛି ତୃଣଭୂମି ଅଞ୍ଚଳରୁ ନିଶ୍ଚିହ୍ନ ହୋଇଗଲେଣି । ଔଦ୍ୟୋଗୀକରଣ ଓ ଯାନବାହନ ଚଳପ୍ରଚଳର ମାତ୍ରା ବଢ଼ିବାରୁ କିଛି ସ୍ଥାନରେ ଏହି ପକ୍ଷୀ ନିଜ ପରିବାସ ହରାଇ ବସିଛନ୍ତି ।[୨୧]
ଆଧାର
[ସମ୍ପାଦନା]- ↑ BirdLife International (2012). "Cursorius coromandelicus". Retrieved 26 November 2013.
{{cite journal}}
: Cite journal requires|journal=
(help); Invalid|ref=harv
(help) - ↑ ୨.୦ ୨.୧ ୨.୨ Whistler, Hugh (1949). Popular handbook of Indian birds. Edition 4. Gurney and Jackson. pp. 452–491.
- ↑ ୩.୦ ୩.୧ Rasmussen PC; JC Anderton (2005). Birds of South Asia: The Ripley Guide. Volume 2. Smithsonian Institution & Lynx Edicions. p. 184.
- ↑ Sharpe, R Bowdler (1896). Catalogue of the birds in the British Museum. Volume 24. British Museum, London. pp. 39–40.
- ↑ Baker, ECS (1929). The Fauna of British India, Including Ceylon and Burma. Birds. Volume 6 (2nd ed.). Taylor and Francis, London. pp. 86–87.
- ↑ Santharam,V (1996). "Comments on some new bird records from Tamil Nadu". J. Bombay Nat. Hist. Soc. 93 (3): 589–590.
- ↑ Worth, C Brooke (1953). "Additional Mysore State bird records". J. Bombay Nat. Hist. Soc. 51 (2): 510.
- ↑ ୮.୦ ୮.୧ Inglis, CM (1913). "Breeding of the Indian Courser Cursorius coromandelicus in the Darbhanga District". J. Bombay Nat. Hist. Soc. 22 (3): 631.
- ↑ Jerdon, TC (1864). The Birds of India. Volume 3. George Wyman & Co., Calcutta. pp. 626–627.
- ↑ Balachandran,S (1994). "Some interesting bird records from Kaliveli Lake near Pondicherry". J. Bombay Nat. Hist. Soc. 91 (2): 317–318.
- ↑ Butler,EA (1876). "Notes on the avi-fauna of Mount Aboo and Northern Guzerat". Stray Feathers. 4 (1–3): 1–41.
- ↑ Munjpara, S. B.; I. R. Gadhvi (2013). "Feeding Ecology of Indian courser Cursorius coromandelicus". Indian Journal of Life Science. 3 (1): 91–96.
- ↑ ୧୩.୦ ୧୩.୧ Phillips,WWA (1942). "Some observations on the nesting habits of the Indian Courser, Cursorius coromandelicus [Gmelin]". J. Bombay Nat. Hist. Soc. 43 (2): 200–205.
- ↑ ୧୪.୦ ୧୪.୧ Ali, Salim (1996). The Book of Indian Birds (12th ed.). BNHS & Oxford University Press. p. 155.
- ↑ Stairmand DA (1971). "The Indian Courser". Newsletter for Birdwatchers. 11 (3): 3–4.
- ↑ Bharos, A. M. K. Sahu, M. (2002). "Breeding by the Indian courser Cursorius coromandelicus in winter in Raipur, Chhattisgarh, India". J. Bombay Nat. Hist. Soc. 99 (2): 299–300.
{{cite journal}}
: CS1 maint: multiple names: authors list (link) - ↑ Oates, Eugene W (1902). Catalogue of the collection of birds' eggs in the British Museum. Volume 2. British Museum. p. 75.
- ↑ Ali, S; S D Ripley (1981). Handbook of the birds of India and Pakistan. Volume 3 (2nd ed.). Oxford University Press. pp. 9–11.
- ↑ Thomas, Gavin H.; Freckleton, Robert P.; Székely, Tamás (2006). "Comparative analyses of the influence of developmental mode on phenotypic diversification rates in shorebirds". Proceedings of the Royal Society B: Biological Sciences. 273 (1594): 1619–24. doi:10.1098/rspb.2006.3488. PMC 1634920. PMID 16769632.
- ↑ Hume, AO (1890). The nests and eggs of Indian birds. Volume 3 (2nd ed.). R H Porter. pp. 323–325.
- ↑ Munjpara S. B.; I. R. Gadhvi (2009). "Threats to foraging habitat of Indian Courser (Cursorius coromandelicus) in Abdasa Taluka, Kachchh, Gujarat, India". J. Bombay Nat. Hist. Soc. 106 (3): 339–340.