ପାଣି ଗୁଣ୍ଡୁରୀ
ପାଣି ଗୁଣ୍ଡୁରୀ | |
---|---|
ପାଣିରେ ପଶିଥିବା ପାଣି ଗୁଣ୍ଡୁରୀ ଚଢ଼େଇ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
Order: | Charadriiformes |
Family: | Rostratulidae |
Genus: | Rostratula |
ଜାତି: | R. benghalensis |
ବାଇନୋମିଆଲ ନାମ | |
Rostratula benghalensis (କାର୍ଲ୍ ଲିନାୟସ୍, ୧୭୫୮)
| |
ଭୌଗୋଳିକ ବିତରଣ | |
Synonyms | |
|
ପାଣି ଗୁଣ୍ଡୁରୀ (ଇଂରାଜୀରେ greater painted-snipe, ଜୀବବିଜ୍ଞାନ ନାମ Rostratula benghalensis) ରଷ୍ଟ୍ରାଟୁଲିଡାଏ ପରିବାରର ଏକ ସଦସ୍ୟ ପକ୍ଷୀ । ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆ, ଆଫ୍ରିକାର ସନ୍ତସନ୍ତିଆ ଓ ଜଳମୟ ଅଞ୍ଚଳରେ ଏମାନେ ପରିଲକ୍ଷିତ ହୋଇଥାନ୍ତି ।[୨]
ବର୍ଣ୍ଣନା
[ସମ୍ପାଦନା]ପାଣି ଗୁଣ୍ଡୁରୀ ଏକ ମଧ୍ୟମ ଆକାରର ପକ୍ଷୀ । ଏହାର ଲାଲ୍ ମିଶା ମାଟିଆ ରଙ୍ଗର ଥଣ୍ଟଟି ଲମ୍ବା ଓ ଅଗ ପାଖରେ ଅଳ୍ପ ବଙ୍କା । ପାଣି ଗୁଣ୍ଡୁରୀ ପକ୍ଷୀର ଆଖିକୁ ଆବୃତ୍ତ କରି ଧଳା ବା ଗୋଲାପୀ ରଙ୍ଗର ପଟି ଦାଗ ରହିଥାଏ । ଏହାର ଡେଣାର ପରଗୁଡ଼ିକ ଗୋଲାକାରରେ ବିନ୍ୟସ୍ତ ଓ ଛିଟା ଦାଗଯୁକ୍ତ ହୋଇଥାଏ । ପାଣିଗୁଣ୍ଡୁରୀର ଲାଞ୍ଜଟି ଛୋଟ । ଡେଣା ବନ୍ଦ କଲେ, ଛାତି ଓ ପେଟ ପାଖର ଧଳା ଅଂଶ ପର୍ଯ୍ୟନ୍ତ ବନ୍ଦ ହୋଇଥାଏ । ରଙ୍ଗରେ ହୁରୁଡ଼ା (Common Snipe) ପରି ହେଲେ ମଧ୍ୟ ପାଣିଗୁଣ୍ଡୁରୀ ସେମାନଙ୍କ ପରିବାରର ନୁହେଁ । ଦେଖିବାରେ, ବ୍ୟବହାରରେ ଓ ଉଡ଼ିବା ଶୈଳୀରେ ଏମାନେ ଭିନ୍ନ । ପୁଣି ପାଣି ଗୁଣ୍ଡୁରୀର ଗୋଡ଼ ହୁରୁଡ଼ାଠାରୁ ଲମ୍ବା ଏବଂ ପାଣିଗୁଣ୍ଡୁରୀ ଅଧିକ ରଙ୍ଗଯୁକ୍ତ । ମାଈ ପାଣିଗୁଣ୍ଡୁରୀ ଅଣ୍ଡିରା ପାଣିଗୁଣ୍ଡୁରୀଠାରୁ ଆକାରରେ ବଡ଼ ଓ ଅଧିକ ରଙ୍ଗଯୁକ୍ତ । ମାଈମାନଙ୍କ ମୁଣ୍ଡର ଦୁଇ ପଟ, ବେକ ପ୍ରଭୃତି ଗାଢ଼ ମାଟିଆ ରଙ୍ଗର । ମାଈମାନଙ୍କ ଛାତି ଉପରେ ଏକ କଳା ପଟି ରହିଥାଏ । ଅଣ୍ଡିରା ପାଣିଗୁଣ୍ଡୁରୀ ଅବସନ୍ନ ବା ଫିକା ପାଉଁଶିଆ/ଧୂସର ରଙ୍ଗର ।
ବ୍ୟବହାର
[ସମ୍ପାଦନା]ପାଣି ଗୁଣ୍ଡୁରୀ ଚଢ଼େଇ ବେଶୀ ଡାକ ପକାଏ ନାହିଁ । ଅଣ୍ଡିରାମାନେ ବେଳେବେଳେ ଅତି ଧାରୁଆ ଡାକ ପକାନ୍ତି । ମିଳନ ବେଳେ ସାଥୀ ଆଗରେ ପ୍ରଦର୍ଶନ ପାଇଁ ମାଈମାନେ ଏକ ଗମ୍ଭୀର ଊକ୍ ଶବ୍ଦ ସୃଷ୍ଟି କରନ୍ତି ।
ପୋଖରୀ, ଜଳ ସ୍ରୋତ, ପଙ୍କ ଗାଡ଼ିଆ, ହ୍ରଦ, ସନ୍ତସନ୍ତିଆ ଭୂମିରେ ଏହି ପକ୍ଷୀମାନେ ଦେଖିବାକୁ ମିଳନ୍ତି ।
ଏମାନେ ଏକାକୀ, ଯୋଡ଼ି ଭାବେ ଓ ଏପରିକି ସମୟ ସମୟରେ ୧୨ଟି ପକ୍ଷୀଙ୍କ ଦଳ ରୂପେ ଦେଖାଦିଅନ୍ତି । ପାଣିଗୁଣ୍ଡୁରୀ ପକ୍ଷୀ ଅତି ଲାଜକୁଳା ଓ ଡରୁଆ । ଏମାନେ ଗଛ ବୁଦା ପାଖରେ ପାଣି ଭିତରେ ବୁଲୁଥାନ୍ତି ଯେପରିକି ବିପଦର ସଙ୍କେତ ପାଇଲେ ବା ହୁରୁଡ଼ିଗଲେ ତୁରନ୍ତ ଦୂରେଇ ଲୁଚିଯାନ୍ତି । ଉଡ଼ିବା ବେଳେ ଗୋଡ଼ଦୁଇଟି ହଲୁଥାଏ । କାଦୁଅରେ ଏମାନେ ନିଜର ଖାଦ୍ୟ ସନ୍ଧାନ କରୁଥାନ୍ତି । ମାଈ ପାଣିଗୁଣ୍ଡୁରୀ ମିଳନ ପାଇଁ ଚେଷ୍ଟା ଆରମ୍ଭ କରିଥାଏ ଓ ଏକାଧିକ ଅଣ୍ଡିରାଙ୍କ ସହ ମିଳନ କ୍ରିୟା କରିପାରେ । ଅଣ୍ଡିରା ପାଣିଗୁଣ୍ଡୁରୀ ପକ୍ଷୀ ଅଣ୍ଡା ଉଷୁମାନ୍ତି ।
ଆହାର
[ସମ୍ପାଦନା]ଛୋଟ କୀଟପତଙ୍ଗ, ଅମେରୁଦଣ୍ଡୀ ପ୍ରାଣୀ, ଜଳଚର ପୋକଯୋକ, ଗେଣ୍ଡା ଓ ବିଭିନ୍ନ ଗଛର ମଞ୍ଜି ଏମାନଙ୍କର ମୁଖ୍ୟ ଆହାର ।
ପ୍ରଜନନ
[ସମ୍ପାଦନା]ମିଳନ ଋତୁରେ ମାଈମାନେ ପ୍ରଥମେ ମିଳନ ପାଇଁ ପଦକ୍ଷେପ ନିଅନ୍ତି । ମାଈ ପାଣିଗୁଣ୍ଡୁରୀ ପକ୍ଷୀ ଏକାଧିକ ଅଣ୍ଡିରା ସାଥୀ ସହିତ ମିଳନ କରିବା ଦେଖାଯାଏ ।[୩][୪] ଏହି ପ୍ରଜାତିର ଅଣ୍ଡିରାମାନେ ଅଣ୍ଡା ଉଷୁମାନ୍ତି ଓ ଛୁଆଙ୍କ ଲାଳନପାଳନ କରିଥାନ୍ତି । ଶାବକମାନେ ଧୂସର ବା ଫିକା ମାଟିଆ ରଙ୍ଗର ଏବଂ ସେମାନଙ୍କ ଶରୀରରେ ଗୋଟିଏ କଳାଦାଗ ରହିଥାଏ ।[୫] ବୟସ୍କ ଅଣ୍ଡିରା ଓ ତରୁଣ ପାଣିଗୁଣ୍ଡୁରୀ ଦେଖିବାକୁ ପ୍ରାୟ ଏକା ପରି (କେବଳ ଛାତି ପାଖର ଦାଗରେ ଭିନ୍ନତା ଥାଏ) । ବିପଦ ସମୟରେ ଅଣ୍ଡିରା ଚଢ଼େଇ ଛୁଆଙ୍କୁ ନିଜ ଡେଣାମଧ୍ୟରେ ଲୁଚାଇ ବୋହି ନେଇଥାଏ ।
ନରମ ଭୂମିରେ ପାଣିଗୁଣ୍ଡୁରୀ ଏକ ଛୋଟ ଓ ଅଗଭୀର ବସା ତିଆରି କରେ । ପାଣି ଭିତରେ ଓ କୂଳରେ ରହିଥିବା ଗଛର ଅଂଶ ଓ ଘାସକୁ ବ୍ୟବହାର କରି ଏହି ବସା ନିର୍ମିତ ହୋଇଥାଏ । ଅପ୍ରେଲ୍ ଓ ଜୁଲାଇ ମାସ ଏମାନଙ୍କ ପ୍ରଜନନ ସମୟ ।
ଆଧାର
[ସମ୍ପାଦନା]- ↑ "Rostratula benghalensis". IUCN Red List of Threatened Species. Version 2013.2. International Union for Conservation of Nature. 2012. Retrieved 26 November 2013.
{{cite web}}
: Invalid|ref=harv
(help) - ↑ "Rostratula benghalensis (Greater Painted-snipe) - Avibase". avibase.bsc-eoc.org. Retrieved 2017-10-16.
- ↑ Shigemoto Komeda (1983). "Nest Attendance of Parent Birds in the Painted Snipe (Rostratula benghalensis)". The Auk. 100 (1): 48–55.
- ↑ Wesley, H.D. (1993). "Breeding behaviour sequential polyandry and population decline in (Rostratula benghalensis)". In Verghese, A; Sridhar, S; Chakravarthy, AK (eds.). Bird Conservation: Strategies for the Nineties and Beyond. Ornithological Society of India, Bangalore. pp. 166–172.
- ↑ Wesley, H Daniel. "A male painted snipe and his chick". Newsletter for Birdwatchers. 30 (7&8): 3.
ଅନ୍ୟାନ୍ୟ ଲିଂକ୍
[ସମ୍ପାଦନା]- (Greater) Painted snipe - Species text in The Atlas of Southern African Birds
- BirdLife Species Factsheet.