ପାଣି ଗୁଣ୍ଡୁରୀ

ଉଇକିପିଡ଼ିଆ‌ରୁ

ପାଣି ଗୁଣ୍ଡୁରୀ
ପାଣିରେ ପଶିଥିବା ପାଣି ଗୁଣ୍ଡୁରୀ ଚଢ଼େଇ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Charadriiformes
Family: Rostratulidae
Genus: Rostratula
ଜାତି: R. benghalensis
ବାଇନୋମିଆଲ ନାମ
Rostratula benghalensis
(କାର୍ଲ୍ ଲିନାୟସ୍, ୧୭୫୮)
ଭୌଗୋଳିକ ବିତରଣ
Synonyms
  • Rallus benghalensis (ଲିନାୟସ୍, ୧୭୫୮)
  • Scolopax capensis (ଲିନାୟସ୍, ୧୭୬୬)

ପାଣି ଗୁଣ୍ଡୁରୀ (ଇଂରାଜୀରେ greater painted-snipe, ଜୀବବିଜ୍ଞାନ ନାମ Rostratula benghalensis) ରଷ୍ଟ୍ରାଟୁଲିଡାଏ ପରିବାରର ଏକ ସଦସ୍ୟ ପକ୍ଷୀ । ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆ, ଆଫ୍ରିକାର ସନ୍ତସନ୍ତିଆ ଓ ଜଳମୟ ଅଞ୍ଚଳରେ ଏମାନେ ପରିଲକ୍ଷିତ ହୋଇଥାନ୍ତି ।[୨]

ବର୍ଣ୍ଣନା[ସମ୍ପାଦନା]

ମାଈ (ବାମ) ପାଣିଗୁଣ୍ଡୁରୀ ଅଣ୍ଡିରାଠାରୁ ଅଧିକ ରଙ୍ଗଯୁକ୍ତ ହୋଇଥାନ୍ତି
ଫ୍ରାନ୍ସର ଏକ ସଂଗ୍ରହାଳୟରେ ରଖାଯାଇଥିବା ପାଣିଗୁଣ୍ଡୁରୀ ଅଣ୍ଡା
ଉଡ଼ନ୍ତା ଅବସ୍ଥାରେ ମାଈ ପାଣିଗୁଣ୍ଡୁରୀ
ଦକ୍ଷିଣ ଆଫ୍ରିକାର କ୍ରୁଗର୍ ଜାତୀୟ ଉଦ୍ୟାନର ଏକ ମାଈ ପାଣିଗୁଣ୍ଡୁରୀ
ଛୁଆମାନଙ୍କ ସହିତ ଏକ ଅଣ୍ଡିରା ପାଣିଗୁଣ୍ଡୁରୀ

ପାଣି ଗୁଣ୍ଡୁରୀ ଏକ ମଧ୍ୟମ ଆକାରର ପକ୍ଷୀ । ଏହାର ଲାଲ୍ ମିଶା ମାଟିଆ ରଙ୍ଗର ଥଣ୍ଟଟି ଲମ୍ବା ଓ ଅଗ ପାଖରେ ଅଳ୍ପ ବଙ୍କା । ପାଣି ଗୁଣ୍ଡୁରୀ ପକ୍ଷୀର ଆଖିକୁ ଆବୃତ୍ତ କରି ଧଳା ବା ଗୋଲାପୀ ରଙ୍ଗର ପଟି ଦାଗ ରହିଥାଏ । ଏହାର ଡେଣାର ପରଗୁଡ଼ିକ ଗୋଲାକାରରେ ବିନ୍ୟସ୍ତ ଓ ଛିଟା ଦାଗଯୁକ୍ତ ହୋଇଥାଏ । ପାଣିଗୁଣ୍ଡୁରୀର ଲାଞ୍ଜଟି ଛୋଟ । ଡେଣା ବନ୍ଦ କଲେ, ଛାତି ଓ ପେଟ ପାଖର ଧଳା ଅଂଶ ପର୍ଯ୍ୟନ୍ତ ବନ୍ଦ ହୋଇଥାଏ । ରଙ୍ଗରେ ହୁରୁଡ଼ା (Common Snipe) ପରି ହେଲେ ମଧ୍ୟ ପାଣିଗୁଣ୍ଡୁରୀ ସେମାନଙ୍କ ପରିବାରର ନୁହେଁ । ଦେଖିବାରେ, ବ୍ୟବହାରରେ ଓ ଉଡ଼ିବା ଶୈଳୀରେ ଏମାନେ ଭିନ୍ନ । ପୁଣି ପାଣି ଗୁଣ୍ଡୁରୀର ଗୋଡ଼ ହୁରୁଡ଼ାଠାରୁ ଲମ୍ବା ଏବଂ ପାଣିଗୁଣ୍ଡୁରୀ ଅଧିକ ରଙ୍ଗଯୁକ୍ତ । ମାଈ ପାଣିଗୁଣ୍ଡୁରୀ ଅଣ୍ଡିରା ପାଣିଗୁଣ୍ଡୁରୀଠାରୁ ଆକାରରେ ବଡ଼ ଓ ଅଧିକ ରଙ୍ଗଯୁକ୍ତ । ମାଈମାନଙ୍କ ମୁଣ୍ଡର ଦୁଇ ପଟ, ବେକ ପ୍ରଭୃତି ଗାଢ଼ ମାଟିଆ ରଙ୍ଗର । ମାଈମାନଙ୍କ ଛାତି ଉପରେ ଏକ କଳା ପଟି ରହିଥାଏ । ଅଣ୍ଡିରା ପାଣିଗୁଣ୍ଡୁରୀ ଅବସନ୍ନ ବା ଫିକା ପାଉଁଶିଆ/ଧୂସର ରଙ୍ଗର ।

ବ୍ୟବହାର[ସମ୍ପାଦନା]

ପାଣି ଗୁଣ୍ଡୁରୀ ଚଢ଼େଇ ବେଶୀ ଡାକ ପକାଏ ନାହିଁ । ଅଣ୍ଡିରାମାନେ ବେଳେବେଳେ ଅତି ଧାରୁଆ ଡାକ ପକାନ୍ତି । ମିଳନ ବେଳେ ସାଥୀ ଆଗରେ ପ୍ରଦର୍ଶନ ପାଇଁ ମାଈମାନେ ଏକ ଗମ୍ଭୀର ଊକ୍ ଶବ୍ଦ ସୃଷ୍ଟି କରନ୍ତି ।

ପୋଖରୀ, ଜଳ ସ୍ରୋତ, ପଙ୍କ ଗାଡ଼ିଆ, ହ୍ରଦ, ସନ୍ତସନ୍ତିଆ ଭୂମିରେ ଏହି ପକ୍ଷୀମାନେ ଦେଖିବାକୁ ମିଳନ୍ତି ।

ଏମାନେ ଏକାକୀ, ଯୋଡ଼ି ଭାବେ ଓ ଏପରିକି ସମୟ ସମୟରେ ୧୨ଟି ପକ୍ଷୀଙ୍କ ଦଳ ରୂପେ ଦେଖାଦିଅନ୍ତି । ପାଣିଗୁଣ୍ଡୁରୀ ପକ୍ଷୀ ଅତି ଲାଜକୁଳା ଓ ଡରୁଆ । ଏମାନେ ଗଛ ବୁଦା ପାଖରେ ପାଣି ଭିତରେ ବୁଲୁଥାନ୍ତି ଯେପରିକି ବିପଦର ସଙ୍କେତ ପାଇଲେ ବା ହୁରୁଡ଼ିଗଲେ ତୁରନ୍ତ ଦୂରେଇ ଲୁଚିଯାନ୍ତି । ଉଡ଼ିବା ବେଳେ ଗୋଡ଼ଦୁଇଟି ହଲୁଥାଏ । କାଦୁଅରେ ଏମାନେ ନିଜର ଖାଦ୍ୟ ସନ୍ଧାନ କରୁଥାନ୍ତି । ମାଈ ପାଣିଗୁଣ୍ଡୁରୀ ମିଳନ ପାଇଁ ଚେଷ୍ଟା ଆରମ୍ଭ କରିଥାଏ ଓ ଏକାଧିକ ଅଣ୍ଡିରାଙ୍କ ସହ ମିଳନ କ୍ରିୟା କରିପାରେ । ଅଣ୍ଡିରା ପାଣିଗୁଣ୍ଡୁରୀ ପକ୍ଷୀ ଅଣ୍ଡା ଉଷୁମାନ୍ତି ।

ଆହାର[ସମ୍ପାଦନା]

ଛୋଟ କୀଟପତଙ୍ଗ, ଅମେରୁଦଣ୍ଡୀ ପ୍ରାଣୀ, ଜଳଚର ପୋକଯୋକ, ଗେଣ୍ଡା ଓ ବିଭିନ୍ନ ଗଛର ମଞ୍ଜି ଏମାନଙ୍କର ମୁଖ୍ୟ ଆହାର ।

ପ୍ରଜନନ[ସମ୍ପାଦନା]

ମିଳନ ଋତୁରେ ମାଈମାନେ ପ୍ରଥମେ ମିଳନ ପାଇଁ ପଦକ୍ଷେପ ନିଅନ୍ତି । ମାଈ ପାଣିଗୁଣ୍ଡୁରୀ ପକ୍ଷୀ ଏକାଧିକ ଅଣ୍ଡିରା ସାଥୀ ସହିତ ମିଳନ କରିବା ଦେଖାଯାଏ ।[୩][୪] ଏହି ପ୍ରଜାତିର ଅଣ୍ଡିରାମାନେ ଅଣ୍ଡା ଉଷୁମାନ୍ତି ଓ ଛୁଆଙ୍କ ଲାଳନପାଳନ କରିଥାନ୍ତି । ଶାବକମାନେ ଧୂସର ବା ଫିକା ମାଟିଆ ରଙ୍ଗର ଏବଂ ସେମାନଙ୍କ ଶରୀରରେ ଗୋଟିଏ କଳାଦାଗ ରହିଥାଏ ।[୫] ବୟସ୍କ ଅଣ୍ଡିରା ଓ ତରୁଣ ପାଣିଗୁଣ୍ଡୁରୀ ଦେଖିବାକୁ ପ୍ରାୟ ଏକା ପରି (କେବଳ ଛାତି ପାଖର ଦାଗରେ ଭିନ୍ନତା ଥାଏ) । ବିପଦ ସମୟରେ ଅଣ୍ଡିରା ଚଢ଼େଇ ଛୁଆଙ୍କୁ ନିଜ ଡେଣାମଧ୍ୟରେ ଲୁଚାଇ ବୋହି ନେଇଥାଏ ।

ନରମ ଭୂମିରେ ପାଣିଗୁଣ୍ଡୁରୀ ଏକ ଛୋଟ ଓ ଅଗଭୀର ବସା ତିଆରି କରେ । ପାଣି ଭିତରେ ଓ କୂଳରେ ରହିଥିବା ଗଛର ଅଂଶ ଓ ଘାସକୁ ବ୍ୟବହାର କରି ଏହି ବସା ନିର୍ମିତ ହୋଇଥାଏ । ଅପ୍ରେଲ୍ ଓ ଜୁଲାଇ ମାସ ଏମାନଙ୍କ ପ୍ରଜନନ ସମୟ ।


ଆଧାର[ସମ୍ପାଦନା]

  1. "Rostratula benghalensis". IUCN Red List of Threatened Species. Version 2013.2. International Union for Conservation of Nature. 2012. Retrieved 26 November 2013. {{cite web}}: Invalid |ref=harv (help)
  2. "Rostratula benghalensis (Greater Painted-snipe) - Avibase". avibase.bsc-eoc.org. Retrieved 2017-10-16.
  3. Shigemoto Komeda (1983). "Nest Attendance of Parent Birds in the Painted Snipe (Rostratula benghalensis)". The Auk. 100 (1): 48–55.
  4. Wesley, H.D. (1993). "Breeding behaviour sequential polyandry and population decline in (Rostratula benghalensis)". In Verghese, A; Sridhar, S; Chakravarthy, AK (eds.). Bird Conservation: Strategies for the Nineties and Beyond. Ornithological Society of India, Bangalore. pp. 166–172.
  5. Wesley, H Daniel. "A male painted snipe and his chick". Newsletter for Birdwatchers. 30 (7&8): 3.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]