ଶୁକ୍ରବାର

ଉଇକିପିଡ଼ିଆ‌ରୁ
(Fridayରୁ ଲେଉଟି ଆସିଛି)

ଶୁକ୍ରବାର ହେଲା ସପ୍ତାହର ଏକ ଦିନ ଯାହା ଗୁରୁବାର ପରେ ଓ ଶନିବାର ପୂର୍ବରୁ ଆସେ । ହିନ୍ଦୁ ଧାର୍ମିକ ପରମ୍ପରାରେ ଶୁକ୍ରବାର ଶକ୍ତିମାତା ଏବଂ ଗ୍ରହଦେବତା ଶୁକ୍ରଙ୍କୁ ସମର୍ପିତ ।[୧][୨] ଶକ୍ତିଙ୍କ ସ୍ୱରୂପ ହେଲେ ଦେବୀ ମାତା ଦୁର୍ଗା ଏବଂ ତାଙ୍କର ଅବତାର କାଳୀ, ଅନ୍ନପୂର୍ଣ୍ଣେଶ୍ୱରୀ ଏବଂ ସନ୍ତୋଷୀ I ଏହି ଦିନ ମୁଖ୍ୟତଃ ଦେବୀ ସନ୍ତୋଷୀ ମାତାଙ୍କ ସମ୍ମାନର୍ଥେ ବ୍ରତଧାରଣ କରାଯାଇଥାଏ I ଏହି ବ୍ରତ-ଉପବାସ ‘ଷୋହଳ ଶୁକ୍ରବାର ବ୍ରତ’ ଭାବେ ସମଗ୍ର ଭାରତରେ ପ୍ରସିଦ୍ଧ I କାରଣ ବ୍ରତଧାରୀମାନେ କ୍ରମାଗତ ଭାବେ ୧୬ଟି ଶୁକ୍ରବାରରେ ଉପବାସ ପାଳନ କରିଥା‘ନ୍ତି I ମା'ସନ୍ତୋଷୀଙ୍କୁ ପୂଜା କଲେ ସୁଖ, ଶାନ୍ତି ପ୍ରାପ୍ତି ସହ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ଯେକୌଣସି ମାସର ଶୁକ୍ଳପକ୍ଷରୁ ଏହି ବ୍ରତ ଆରମ୍ଭ କରାଯାଇଥାଏ । ଏହିଦିନରେ ଶୁଭ୍ର-ଶ୍ୱେତ ବର୍ଣ୍ଣକୁ ଗୁରୁତ୍ୱ ଦିଆଯାଏ I ଏହିଦିନରେ ଶକ୍ତିଙ୍କର ଉପାସନା ଅତ୍ୟନ୍ତ ପବିତ୍ର କର୍ମବିଶେଷ I ଭାରତର ବିଭିନ୍ନ ଅଞ୍ଚଳରେ ଥିବା ଶକ୍ତି ଉପାସନା ଧର୍ମପୀଠ ଗୁଡ଼ିକରେ ଏହିଦିନ ପ୍ରବଳ ଜନସମାଗମ ହୋଇଥାଏ I ଭକ୍ତ-ଶ୍ରଦ୍ଧାଳୁମାନେ ଶ୍ୱେତବସ୍ତ୍ର ପରିଧାନପୂର୍ବକ ପୂଜାପାଠ କରିଥା’ନ୍ତି I ସୂର୍ଯ୍ୟୋଦୟ ପୂର୍ବରୁ ଉପବାସ ଆରମ୍ଭ ହୋଇ ଭଙ୍ଗ କରାଯାଏ ସୂର୍ଯ୍ୟାସ୍ତ ପରେ I ବ୍ରତଧାରୀମାନେ କେବଳ ରାତ୍ରିଭୋଜନ ଗ୍ରହଣ କରିଥା’ନ୍ତି I ଦୁଗ୍ଧ ଏବଂ ଖିରି ଭଳି ଶ୍ୱେତବର୍ଣ୍ଣା ଖାଦ୍ୟ-ଦ୍ରବ୍ୟ ଗ୍ରହଣ କରିବା ବିଧି ସର୍ବତ୍ର ପ୍ରଚଳିତ । ମା'ସନ୍ତୋଷୀଙ୍କ ବ୍ରତଧାରୀଙ୍କୁ ଶୁକ୍ରବାର ଦିନ ଖଟା ଓ ଆମିଷ ଖାଦ୍ୟ ବାରଣ କରାଯାଇଥାଏ । ବ୍ରତ ଶେଷରେ ହଳଦି, ଗୁଡ଼ ଓ ଚଣାର ଭୋଗ ଲଗାଯାଏ ।

ସୁଖପ୍ରଦ ପାରିବାରିକ ଜୀବନ, ସନ୍ତାନଲାଭ ତଥା ପ୍ରତିବନ୍ଧ ଦୂର କରିବା ନିମନ୍ତେ ବ୍ରତ ରଖାଯାଏ I ଏହି ଦିନ ଶୁକ୍ର ଦେବତାଙ୍କୁ ମଧ୍ୟ ପୂଜା-ଆରାଧନା କରାଯାଇଥାଏ I ଶୁକ୍ରଦେବ ହେଲେ ସୁଖ-ଶାନ୍ତି ଏବଂ ପାର୍ଥିବ-ସଂପଦ ପ୍ରଦାନକାରୀ I

ଆଧାର[ସମ୍ପାଦନା]

  1. "How every day of the week got its name". TheFreeDictionary.com. Retrieved 13 February 2022.
  2. "ଶୁକ୍ରବାର". sambadepaper.com. 2012. Retrieved 4 November 2012.[permanent dead link]

ଅଧିକ ତଥ୍ୟ[ସମ୍ପାଦନା]