ହୁଟୁମା ପକ୍ଷୀ

ଉଇକିପିଡ଼ିଆ‌ରୁ

ହୁଟୁମା ପକ୍ଷୀ
ଭାରତର ହରିଆଣା ରାଜ୍ୟର ଗୁରୁଗ୍ରାମ ନିକଟବର୍ତ୍ତୀ ବସାଇ ଆର୍ଦ୍ରଭୂମିର ଏକ ଅଣ୍ଡିରା ହୁଟୁମା ପକ୍ଷୀ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Gruiformes
Family: Rallidae
Genus: Gallicrex
ଏଡ୍ୱାର୍ଡ୍ ବ୍ଲାଇଥ୍, ୧୮୫୨
ଜାତି: G. cinerea
ବାଇନୋମିଆଲ ନାମ
Gallicrex cinerea
ୟୋହାନ୍ ଫ୍ରିଏଡ୍ରିଖ୍ ମେଲିନ୍, ୧୭୮୯

ହୁଟୁମା ପକ୍ଷୀ (ଇଂରାଜୀ ଭାଷାରେ watercock ବା ପାଣିଗଞ୍ଜା, ଜୀବବିଜ୍ଞାନ ନାମ Gallicrex cinerea) ଏକ ଜଳ ପକ୍ଷୀ । ଏହି ପକ୍ଷୀ ରାଲିଡାଏ ପରିବାରର । ଏହି ପକ୍ଷୀ ଏକ ସ୍ୱତନ୍ତ୍ର ପ୍ରଜାତି ଗ୍ୟାଲିକ୍ରେକ୍ସ (Gallicrex) ଭାବେ ଗଣା ଓ ନିଜ ପ୍ରଜାତିର ଏହା ଏକମାତ୍ର ପକ୍ଷୀ । ପୂର୍ବେ ଏମାନଙ୍କୁ ମାଣ୍ଡିଆ ଖାଇ ପକ୍ଷୀଙ୍କ ସମ୍ପର୍କୀୟ ବୋଲି ଭୁଲ ଧାରଣା ରହିଥିଲା । ପରିପକ୍ୱ ବୟସର ଅଣ୍ଡିରା ହୁଟୁମା ଅନେକାଂଶରେ ମାଣ୍ଡିଆ ଖାଇ ପକ୍ଷୀ ପରି ଦେଖାଯାଇଥାଏ । ପରେ ଏମାନଙ୍କୁ ଏନିଗ୍ମେଟୋଲିମ୍ନାସ୍, ଆମୌରୋର୍ଣ୍ଣିସ୍, ହିମାଣ୍ଟୋର୍ଣ୍ଣିସ୍ ଏବଂ ମେଗାକ୍ରେକ୍ସ ଏସୀୟ ପକ୍ଷୀ ପ୍ରଜାତିଙ୍କ ସହିତ ମିଶାଇ ଏକ ଭିନ୍ନ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଗଲା ।[୨]


ଦକ୍ଷିଣ ଏସିଆର ଭାରତ, ପାକିସ୍ତାନ, ଶ୍ରୀଲଙ୍କାରୁ ନେଇ ଉତ୍ତରକୁ ଚୀନର ଦକ୍ଷିଣାଂଶ, କୋରିଆ, ଜାପାନ ଓ ଦକ୍ଷିଣ-ପୂର୍ବକୁ ଫିଲିପାଇନ୍ସ ଏବଂ ଇଣ୍ଡୋନେସିଆ ପ୍ରଭୃତି ଦେଶର ସନ୍ତସନ୍ତିଆ ଅଞ୍ଚଳ ଏହି ପକ୍ଷୀଙ୍କ ପରିବାସ ଓ ପ୍ରଜନନ କ୍ଷେତ୍ର । ସନ୍ତସନ୍ତିଆ ଭୂମିରେ ଜାତ ଉଦ୍ଭିଦମାନଙ୍କ ମଧ୍ୟରେ ଏକ ଅପେକ୍ଷାକୃତ ଶୁଷ୍କ ସ୍ଥାନ ଖୋଜି ହୁଟୁମା ପକ୍ଷୀ ବସା ବାନ୍ଧେ ଓ ସେଥିରେ ୩-୬ଟି ଅଣ୍ଡା ଦେଇଥାଏ । ଏହି ପକ୍ଷୀମାନେ ମୁଖ୍ୟତଃ ନିଜ ଅଞ୍ଚଳର ମୂଳ ନିବାସୀ ପକ୍ଷୀ ଓ ପ୍ରାୟତଃ ଅନ୍ୟ ଦେଶରେ ପ୍ରବାସ କରନ୍ତି ନାହିଁ ।

ଏହି ପକ୍ଷୀର ଶରୀରର ଗଠନ ଏପରି ଯେ ଏହାର ଦୁଇ ପାର୍ଶ୍ୱ ଅଧିକ ବାହାରି ନଥାଏ ଓ ତେଣୁ ଏହା ସହଜରେ ଜଳଜ ଉଦ୍ଭିଦ ଓ ଘାସମାନଙ୍କ ମଧ୍ୟରେ ଚାଲି ଯାଇପାରେ । ହୁଟୁମାର ପାଦ ଆଙ୍ଗୁଠି ଲମ୍ବାଳିଆ ଓ ଲାଞ୍ଜଟି ଛୋଟ ।


ପ୍ରାପ୍ତବୟସ୍କ ଅଣ୍ଡିରା ହୁଟୁମା ପକ୍ଷୀ ପ୍ରାୟ ୪୩ ସେଣ୍ଟିମିଟର (୧୭ ଇଞ୍ଚ) ଲମ୍ବା ଓ ଏହାର ଓଜନ ୪୭୬ରୁ ୬୫୦ ଗ୍ରାମ୍ ପର୍ଯ୍ୟନ୍ତ ହୋଇଥାଏ ।[୩] ଅଣ୍ଡିରା ପକ୍ଷୀର ଦେହ କଳା ଓ ପାଉଁଶିଆ ମିଶା ରଙ୍ଗର ହୋଇଥିବା ବେଳେ ଥଣ୍ଟର ମୂଳ, ମୁଣ୍ଡର ଚୂଳ ଆଦି ଲାଲ୍ ରଙ୍ଗର ହୋଇଥାଏ । କିଶୋରାବସ୍ଥାରେ ଥିବା ଅଣ୍ଡିରା ପକ୍ଷୀଙ୍କ ରଙ୍ଗ ଖଇରିଆ ଓ ବୟସ ବଢ଼ିବା ସହିତ ଶରୀରର ରଙ୍ଗ କ୍ରମଶଃ କଳା ହୁଏ । ଏମାନଙ୍କ ଥଣ୍ଟ ହଳଦିଆ ରଙ୍ଗର ଏବଂ ଗୋଡ଼ଗୁଡ଼ିକ ଈଷତ ହଳଦିଆ ।

ମାଈ ହୁଟୁମା ପକ୍ଷୀ ଅଣ୍ଡିରାଠାରୁ ଆକାରରେ କ୍ଷୁଦ୍ରତର ହୋଇଥାଏ । ମାଈ ପକ୍ଷୀ ୩୬ ସେଣ୍ଟିମିଟର (୧୪ ଇଞ୍ଚ) ପର୍ଯ୍ୟନ୍ତ ଲମ୍ବା ହୁଏ ଓ ଏହାର ଓଜନ ୨୯୮-୪୩୪ ଗ୍ରାମ୍ ମଧ୍ୟରେ ହୋଇଥାଏ ।[୩] ମାଈ ପକ୍ଷୀର ଶରୀରର ଉପରାଂଶ ଗାଢ଼ ମାଟିଆ ଓ ନିମ୍ନାଂଶ ଫିକା ମାଟିଆ ରଙ୍ଗର ହୋଇଥାଏ । ମାଈ ପକ୍ଷୀର ଦେହରେ ଗାଢ଼ ରଙ୍ଗର କାତି ବା ଛିଟ ଦାଗ ରହିଥାଏ । ଏମାନଙ୍କ ଥଣ୍ଟ ହଳଦିଆ ଓ ଗୋଡ଼ ଶାଗୁଆ ରଙ୍ଗର । ପକ୍ଷୀ ଶାବକମାନେ କଳା ରଙ୍ଗର ହୋଇଥାନ୍ତି ।

ଅଗଭୀର ପାଣି, ପଙ୍କ ଓ କାଦୁଅରେ ଏହି ପକ୍ଷୀ ଥଣ୍ଟରେ ଖୋଜି ଖୋଜି ନିଜ ଖାଦ୍ୟ ବାହାର କରନ୍ତି । ଏମାନେ ମୁଖ୍ୟତଃ ମାଛ, ମଞ୍ଜି ଓ ପୋକଜୋକ ଆହରଣ କରିଥାନ୍ତି । ଖାଦ୍ୟ ସନ୍ଧାନରେ ଏମାନେ ଭୂମି ଉପରେ ଘୁରି ବୁଲୁଥିବା ମଧ୍ୟ ଦେଖାଯାଏ ।

ହୁଟୁମା ପକ୍ଷୀ ଅତି ଗୋପନୀୟ ଭାବେ ଜୀବନଯାପନ କରେ ଏବଂ ବହୁତ କମ ସମୟରେ ବାହାରକୁ ବାହାରିଥାଏ । ହୁଟୁମା ପକ୍ଷୀ ଗୋଧୂଳି ଓ ଭୋର ସମୟରେ ଅଧିକ ରାବିଥାନ୍ତି ।

ଚିତ୍ର ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. BirdLife International (2012). "Gallicrex cinerea". Retrieved 26 November 2013. {{cite journal}}: Cite journal requires |journal= (help); Invalid |ref=harv (help)
  2. Garcia-R et al. (2014): "Deep global evolutionary radiation in birds: Diversification and trait evolution in the cosmopolitan bird family Rallidae"
  3. ୩.୦ ୩.୧ CRC Handbook of Avian Body Masses by John B. Dunning Jr. (Editor). CRC Press (1992), ISBN 978-0-8493-4258-5.