ମାଣ୍ଡିଆଖାଇ ପକ୍ଷୀ
ମାଣ୍ଡିଆଖାଇ ପକ୍ଷୀ ଛୋଟ କାମ ଚଢ଼େଇ | |
---|---|
ଭାରତର ମହାରାଷ୍ଟ୍ର ରାଜ୍ୟର ମନଗାଓଁରୁ ଏକ ମାଣ୍ଡିଆଖାଇ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
Order: | Gruiformes |
Family: | Rallidae |
Genus: | Gallinula |
ଜାତି: | G. chloropus |
ବାଇନୋମିଆଲ ନାମ | |
Gallinula chloropus କାର୍ଲ୍ ଲିନାୟସ୍ (୧୭୫୮)
| |
ଉପପ୍ରଜାତି | |
ପ୍ରାୟ ୫ଟି ଉପପ୍ରଜାତି | |
ମାଣ୍ଡିଆଖାଇ ପକ୍ଷୀର ଭୌଗୋଳିକ ବ୍ୟାପ୍ତି ପ୍ରଜନନ କରୁଥିବା ନିବାସୀ ପ୍ରଜନନ କରୁନଥିବା ସମ୍ଭବତଃ ବିଲୁପ୍ତ | |
Synonyms | |
|
ମାଣ୍ଡିଆଖାଇ ପକ୍ଷୀ ବା ଛୋଟ କାମ ଚଢ଼େଇ (ଇଂରାଜୀ ଭାଷାରେ Common Moorhen, ଜୀବବିଜ୍ଞାନ ନାମ Gallinula chloropus) ରେଲିଡାଏ ପକ୍ଷୀ ପରିବାରର ଏକ ସଦସ୍ୟ ପକ୍ଷୀ । ଇଂରାଜୀ ଭାଷାରେ ଏହି ପକ୍ଷୀକୁ ୱାଟରହେନ୍ (waterhen) ବା ସ୍ୱାମ୍ପ୍ ଚିକେନ୍ (swamp chicken) ବୋଲି ମଧ୍ୟ କୁହାଯିବାର ଦେଖାଯାଏ । ଏହି ପକ୍ଷୀ ପ୍ରାଚୀନ ପୃଥିବୀରେ ସର୍ବତ୍ର ବ୍ୟାପ୍ତ ଥିଲା ।[୨]
ଜଳୋଦ୍ଭିଦପୂର୍ଣ୍ଣ ସନ୍ତସନ୍ତିଆ ଓ ପଙ୍କମୟ ସ୍ଥାନ, ପୋଖରୀ, ନାଳ (କେନାଲ) ଓ ଅନ୍ୟାନ୍ୟ ଜଳାଶୟ ନିକଟରେ ଏହି ପକ୍ଷୀ ବାସ କରିଥାନ୍ତି । ମେରୁ ଅଞ୍ଚଳ ଓ ବିଭିନ୍ନ କ୍ରାନ୍ତୀୟ ବର୍ଷାରଣ୍ୟରେ ଏହି ପକ୍ଷୀ ବାସ କରିବା ଦେଖାଯାଏ ନାହିଁ । ଅନ୍ୟ ସମସ୍ତ ଅଞ୍ଚଳରେ ରେଲିଡାଏ ପରିବାରର ଏହି ପକ୍ଷୀ ବହୁମାତ୍ରାରେ ପରିଲକ୍ଷିତ ହୋଇଥାନ୍ତି ।
ନବୀନ ପୃଥିବୀର ଅନ୍ୟ ଏକ ସ୍ୱତନ୍ତ୍ର ପ୍ରଜାତିର ପକ୍ଷୀ ସାଧାରଣ ଗାଲିନ୍ୟୁଲ୍ (common gallinule) ମାଣ୍ଡିଆଖାଇ ପକ୍ଷୀ ପ୍ରଜାତିର ନିକଟତମ ବୋଲି ଅନେକ ଗବେଷକ ମତ ପୋଷଣ କରିଛନ୍ତି ।[୨] ୨୦୧୧ ମସିହାରେ ଆମେରିକୀୟ ପକ୍ଷୀବିଜ୍ଞାନୀ ସଂଘ ଓ ଅନ୍ତର୍ଜାତୀୟ ପକ୍ଷୀବୈଜ୍ଞାନିକ ସମିତି ଏହି ମତ ପ୍ରଥମେ ରଖିଥିଲେ ।[୩]
ନାମକରଣ
[ସମ୍ପାଦନା]ଖ୍ରୀଷ୍ଟାବ୍ଦ ତ୍ରୟୋଦଶ ଶତାବ୍ଦୀରୁ ଇଂରାଜୀ ଶବ୍ଦାବଳୀରେ ମୁର୍-ହେନ୍ ନାମର ପ୍ରଚଳନ ଦେଖିବାକୁ ମିଳେ ।[୪] ଇଂରାଜୀ ଶବ୍ଦ moor (ମୁର୍) ପ୍ରାଚୀନ ସମୟରେ ସନ୍ତସନ୍ତିଆ ବା ପଙ୍କମୟ ଅଞ୍ଚଳକୁ ବୁଝାଇବା ପାଇଁ ବ୍ୟବହୃତ ହେଉଥିଲା ।[୪] ଏହି ପକ୍ଷୀ ସମୁଦ୍ର ପତନରୁ ଉଚ୍ଚ ସ୍ଥାନରେ ଥିବା ତୃଣଭୂମି (ଆଧୁନିକ ସମୟରେ ମୁର୍ ବା ମୁର୍ଲ୍ୟାଣ୍ଡ୍ ବୋଲାଉଥିବା) ଅଞ୍ଚଳରେ ଦେଖାଯାନ୍ତି ନାହିଁ । ତେଣୁ ପରିବାସ ଦୃଷ୍ଟିରୁ ପୁରାତନ ସମୟର ସାଧାରଣ ପାଣିକୁକୁଡ଼ା (common waterhen) ନାମ ମଧ୍ୟ ଏହି ପକ୍ଷୀ ପାଇଁ ପ୍ରଯୁଜ୍ୟ ଲାଗେ ।
ହୁଟୁମା ପକ୍ଷୀ (ୱାଟର୍କକ୍ - watercock) ମାଣ୍ଡିଆଖାଇ ପ୍ରଜାତିର ଅଣ୍ଡିରା ପକ୍ଷୀ ନୁହଁ ବରଂ ଗ୍ୟାଲିକ୍ରେକ୍ସ ସିନେରିଆ (Gallicrex cinerea) ନାମକ ଆଉ ଏକ ସ୍ୱତନ୍ତ୍ର ପକ୍ଷୀ ପ୍ରଜାତି । ରେଲସ୍ ଏକ୍ୱାଟିକସ୍ (Rallus aquaticus) ପ୍ରଜାତିର ପକ୍ଷୀଙ୍କୁ ୱାଟର୍ ରେଲ୍ ବୋଲି କୁହନ୍ତି । ଉଭୟ ପ୍ରଜାତି ମାଣ୍ଡିଆଖାଇ ପକ୍ଷୀଙ୍କ ନିକଟ ସମ୍ପର୍କୀୟ ପ୍ରଜାତି ନୁହଁନ୍ତି ।
ମାଣ୍ଡିଆଖାଇଙ୍କ ଜୀବବିଜ୍ଞାନ ନାମ ଗ୍ୟାଲିନୁଲା କ୍ଲୋରୋପସ୍ ଲାଟିନ୍ ଶବ୍ଦ ଗ୍ୟାଲିନୁଲା (ଯାହା ଛୋଟ କୁକୁଡ଼ା ବା କୁକୁଡ଼ା ଶାବକକୁ ବୁଝାଏ) ଏବଂ ଗ୍ରୀକ୍ ଶବ୍ଦ କ୍ଲୋରୋପସ୍ (ଖ୍ଲୋରୋସ୍ ଅର୍ଥ ଶାଗୁଆ ବା ହଳଦିଆ, ପୌସ୍ ଅର୍ଥ ପାଦ)ର ମିଶ୍ରଣରୁ ସୃଷ୍ଟ ।[୫]
ବର୍ଣ୍ଣନା
[ସମ୍ପାଦନା]ମାଣ୍ଡିଆଖାଇ ପକ୍ଷୀକୁ ଏହାର ଦେହର ଗାଢ଼ କଳା ରଙ୍ଗ, ଲାଞ୍ଜ ତଳ ପଟର ଧଳା ପର, ହଳଦିଆ ଗୋଡ଼, ମୁହଁ ଓ ଥଣ୍ଟର କିଛି ଅଂଶରେ ଆଚ୍ଛାଦିତ ଲାଲ୍ ଚିହ୍ନରୁ ଏହି ପ୍ରଜାତିର ପକ୍ଷୀଙ୍କୁ ସହଜରେ ଠଉରାଇ ହେବ । କିଶୋରାବସ୍ଥାରେ ଥିବା ପକ୍ଷୀର ରଙ୍ଗ ମାଟିଆ ଓ ସେମାନଙ୍କ ମୁହଁରେ ଲାଲ୍ ଚିହ୍ନଟି ନଥାଏ । ଏହି ଲାଲ୍ ଚିହ୍ନଟି ଥଣ୍ଟ ପାଖରୁ ମୁହଁ ପର୍ଯ୍ୟନ୍ତ ଏକ ମନୁଷ୍ୟ ଆଙ୍ଗୁଠିର ଛାପ ପରି ରହିଥାଏ ।
ମାଣ୍ଡିଆଖାଇ ପକ୍ଷୀ ବିଭିନ୍ନ ପ୍ରକାରର “ଟିଁ – ଟିଁ” ଡାକ ପକାଇ ରାବିଥାଏ ଓ ବିପଦର ଆଶଙ୍କା ଥିଲେ ଉଚ୍ଚ ଧ୍ୱନିରେ ରାବେ ।[୬] ମଧ୍ୟମରୁ ବୃହଦାକାର ଏକ ମାଣ୍ଡିଆଖାଇ ପକ୍ଷୀ ୩୦-୩୮ ସେଣ୍ଟିମିଟର୍ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ ଓ ଏହାର ସମ୍ପ୍ରସାରିତ ଡେଣାର ଦୈର୍ଘ୍ୟ ପ୍ରାୟ ୫୦-୬୨ ସେଣ୍ଟିମିଟର୍ ପର୍ଯ୍ୟନ୍ତ ହୋଇଥାଏ । ଏହି ପକ୍ଷୀମାନଙ୍କ ଶରୀରର ବସ୍ତୁତ୍ୱ ୧୯୨-୫୦୦ ଗ୍ରାମ୍ ପର୍ଯ୍ୟନ୍ତ ହୋଇଥାଏ ।[୭][୮]
ପରିବାସ
[ସମ୍ପାଦନା]ସନ୍ତସନ୍ତିଆ ପରିବେଶ, ପଙ୍କ ଓ ଦଳମୟ ହ୍ରଦ ତଥା ସହରର ଉଦ୍ୟାନମାନଙ୍କରେ ଥିବା ଜଳାଶୟ ପରି ସ୍ଥାନରେ ମାଣ୍ଡିଆଖାଇ ପକ୍ଷୀ ବାସ କରେ ଓ ସେଠାରେ ବଂଶ ବିସ୍ତାର ମଧ୍ୟ କରିଥାଏ । ପୂର୍ବ ୟୁରୋପ ପରି କିଛି ସ୍ଥାନରେ ଶୀତ ଦିନମାନଙ୍କରେ ପାଣି ବରଫ ହୋଇଯାଉଥିବାରୁ ସେଠାକାର ମାଣ୍ଡିଆଖାଇ ପକ୍ଷୀମାନେ ଅଧିକ ଉଷ୍ମ ଜଳବାୟୁ ଅଞ୍ଚଳକୁ ପ୍ରବାସ ପାଇଁ ଚାଲିଯାଇଥାନ୍ତି । ଚୀନରେ ୟାଂସିକ୍ୟାଂ ନଦୀରୁ ଦକ୍ଷିଣ ଦିଗକୁ ବାସ କରୁଥିବା ମାଣ୍ଡିଆଖାଇ ପକ୍ଷୀମାନେ ପ୍ରାୟତଃ ନିବାସୀ ପକ୍ଷୀ ହୋଇଥିବା ବେଳେ ନଦୀର ଉତ୍ତର ଦିଗକୁ ବାସ କରୁଥିବା ମାଣ୍ଡିଆଖାଇମାନେ ମୁଖ୍ୟତଃ ଥଣ୍ଡା ଦିନରେ ପ୍ରବାସ କରିବା ପାଇଁ ଯାଇଥାନ୍ତି । ତେଣୁ ୟାଂସିକ୍ୟାଂର ଉତ୍ତରସ୍ଥ ପକ୍ଷୀମାନଙ୍କ ମଧ୍ୟରେ ଜିନ୍-ଗତ ବିବିଧତା ପରିଲକ୍ଷିତ ହୋଇଥାଏ ।[୯]
ବ୍ୟବହାର ଓ ଚଳଣି
[ସମ୍ପାଦନା]ଆହାର
[ସମ୍ପାଦନା]ଏହି ପକ୍ଷୀମାନେ ବିଭିନ୍ନ ପ୍ରକାରର ଜଳଜ ଉଦ୍ଭିଦ ଏବଂ କ୍ଷୁଦ୍ର ଜଳଚର ଜୀବଙ୍କୁ ଆହରଣ କରିଥାନ୍ତି । ଜଳାଶୟ ତୀରରେ, ଜଳ ମଧ୍ୟରେ ଓ ଦଳ ଓ ଜଳଜ ଉଦ୍ଭିଦଙ୍କ ପତ୍ର ଉପରେ ବୁଲି ଏମାନେ ଖାଦ୍ୟ ଅନ୍ୱେଷଣ କରୁଥିବା ଦେଖିବାକୁ ମିଳେ । ଏମାନଙ୍କ ସ୍ୱଭାବ ପ୍ରାୟତଃ ଗୋପନୀୟ କିନ୍ତୁ କେତେକ ସ୍ଥାନରେ ଏମାନେ ପାଳିତ ପକ୍ଷୀଙ୍କ ପରି ବ୍ୟବହାର କରିବା ମଧ୍ୟ ଦେଖାଯାଇଛି । ଅନେକ ଅଞ୍ଚଳରେ ମାଣ୍ଡିଆଖାଇଙ୍କ ପରିବାସ କ୍ଷତିଗ୍ରସ୍ତ ହେବା ସତ୍ତ୍ୱେ ଏହି ପ୍ରଜାତି ଲୁପ୍ତ ଯାଇନାହିଁ ଓ ବଂଶବୃଦ୍ଧି କରି ତିଷ୍ଠି ରହିପାରିଛି ।
ପ୍ରଜନନ
[ସମ୍ପାଦନା]ପ୍ରଜନନ ଋତୁରେ ମାଣ୍ଡିଆଖାଇମାନେ ନିଜ ନିଜ କ୍ଷେତ୍ର ବାଛି ତାହାର ନିୟନ୍ତ୍ରଣ କରନ୍ତି । ନିଜ ପ୍ରଜାତି ତଥା ବତକ ଓ ଅନ୍ୟାନ୍ୟ ପ୍ରଜାତିର ପକ୍ଷୀ ମଧ୍ୟ ଏମାନଙ୍କ କ୍ଷେତ୍ର ମଧ୍ୟରେ ବିଚରଣ କରିବା ଦେଖିଲେ ଏମାନେ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରନ୍ତି । ଭୂମି ଉପରେ ଲଟାବୁଦାରେ ବା ଘଞ୍ଚ ଘାସରେ ଏମାନେ ଟୋକେଇ ପରି ବସାଟିଏ ନିର୍ମାଣ କରିଥାନ୍ତି । ମାଈ ମାଣ୍ଡିଆଖାଇମାନେ ବସନ୍ତ ଋତୁରେ ମଧ୍ୟ-ମାର୍ଚ୍ଚରୁ ନେଇ ମଧ୍ୟ-ମଇ ପର୍ଯ୍ୟନ୍ତ ଉତ୍ତର ଗୋଲାର୍ଦ୍ଧର ଉଷ୍ମ ଅଞ୍ଚଳମାନଙ୍କରେ ଅଣ୍ଡା ଦେଇଥାନ୍ତି । ପ୍ରାରମ୍ଭିକ ଋତୁମାନଙ୍କରେ ମାଈ ପକ୍ଷୀମାନେ ପ୍ରାୟ ୮ଟି ଓ ପରବର୍ତ୍ତୀ ଋତୁମାନଙ୍କରେ ୫-୮ଟି କିମ୍ବା ତାହାଠାରୁ କମ୍ ଅଣ୍ଡା ଦିଅନ୍ତି । ଅଣ୍ଡା ଦେବା ପାଇଁ ବିଭିନ୍ନ ମାଈ ପକ୍ଷୀ ଗୋଟିଏ ବସାକୁ ବ୍ୟବହାର କରିବା ଦେଖାଯାଇଛି । ପ୍ରାୟ ୩ ସପ୍ତାହ ପର୍ଯ୍ୟନ୍ତ ଉଭୟ ଅଣ୍ଡିରା ଓ ମାଈ ପକ୍ଷୀ ଅଣ୍ଡା ଉଷୁମାନ୍ତି ଏବଂ ଅଣ୍ଡା ଫୁଟିବା ପରେ ମିଳିତ ଭାବେ ଶାବକଙ୍କ ଲାଳନପାଳନ ଦାୟିତ୍ୱ ବହନ କରନ୍ତି । ୪୦-୫୦ ଦିନରେ ଶାବକମାନେ ପରିପକ୍ୱ ଓ ସ୍ୱାବଲମ୍ବୀ ହୋଇଥାନ୍ତି ଓ ପରବର୍ତ୍ତୀ ବସନ୍ତ ଋତୁରେ ପ୍ରଜନନ କରିବା ଆରମ୍ଭ କରିଦିଅନ୍ତି । ବିପଦର ଆଶଙ୍କା ହେଲେ ଶାବକ ପକ୍ଷୀମାନେ ପିତାମାତାଙ୍କ ଶରୀରରେ ଲାଗି ରହିଯାନ୍ତି ଓ ପିତାମାତା ଉଡ଼ି ସେମାନଙ୍କୁ ସ୍ଥାନାନ୍ତରିତ କରିଦିଅନ୍ତି ।[୬][୧୦]
ସଂରକ୍ଷଣ ସ୍ଥିତି ଓ ସଂଖ୍ୟା
[ସମ୍ପାଦନା]ବିଶ୍ୱ ସ୍ତରରେ ମାଣ୍ଡିଆଖାଇଙ୍କ ସମସ୍ତ ଉପପ୍ରଜାତିଙ୍କୁ ଦେଖିଲେ କହିହେବ ଯେ ଏମାନଙ୍କ ସଂଖ୍ୟା ଅତି ପ୍ରଚୁର ଏବଂ ଏମାନଙ୍କ ଇଂରାଜୀ ସାଧାରଣ ନାମରେ ବ୍ୟବହୃତ ‘‘କମନ୍’’ (ସାମାନ୍ୟ ବା ସାଧାରଣ) ଶବ୍ଦରୁ ତାହା ସ୍ପଷ୍ଟ । IUCN ସଂସ୍ଥା ନିଜ ତାଲିକାରେ ଏହି ପକ୍ଷୀଙ୍କୁ ‘‘ବିପଦମୁକ୍ତ (LC - Least Concern)’’ ଶ୍ରେଣୀରେ ସ୍ଥାନିତ କରିଛି ।[୧] ଅଳ୍ପସଂଖ୍ୟକ ପକ୍ଷୀଥିବା ଅଞ୍ଚଳର ପକ୍ଷୀ ବିଲୁପ୍ତ ହେବାର ସମ୍ଭାବନାକୁ ଏଡ଼ାଇ ଯାଇନପାରେ । ପଲାଓ ଗଣରାଜ୍ୟରେ ଦେଖାଯାଉଥିବା ଗ୍ୟାଲିନୁଲା କ୍ଲୋରୋପସ୍ ଓରିଏଣ୍ଟାଲିସ୍ ଉପପ୍ରଜାତିକୁ ସ୍ଥାନୀୟ ଭାଷାରେ ଦେବାର୍ ବୋଲି କୁହାଯାଏ ଯାହା ବତକ ବା ପାଣିକୁକୁଡ଼ା ବୋଲି ବୁଝାଇଥାଏ । ସ୍ଥାନୀୟ ଲୋକଙ୍କ ଅବାଧ ଶିକାର ଯୋଗୁଁ ଏହି ପକ୍ଷୀ ବର୍ତ୍ତମାନ ଅତି ବିରଳ । ବର୍ତ୍ତମାନ ଏଠାକାର ଦ୍ୱୀପସମୂହରେ ଅଙ୍ଗୌର ଓ ପେଲେଲ୍ୟୁ ଅଞ୍ଚଳରେ ଏହି ପକ୍ଷୀ ଦେଖିବାକୁ ମିଳୁଥିବା ବେଳେ କୋରୋର୍ ଅଞ୍ଚଳରୁ ଏହି ପକ୍ଷୀ ସମ୍ପୂର୍ଣ୍ଣ ବିଲୁପ୍ତ । ବାବେଲ୍ଡାଓବ୍ର ଙ୍ଗାର୍ଡୋକ୍ ହ୍ରଦରେ କିଛି ଭାରତ-ପ୍ରଶାନ୍ତୀୟ ମାଣ୍ଡିଆଖାଇ ପକ୍ଷୀଙ୍କୁ ଦେଖାଯାଇଛି । କିନ୍ତୁ ସମ୍ପୂର୍ଣ୍ଣ ପଲାଓ ଅଞ୍ଚଳର ସମୁଦାୟ ପକ୍ଷୀ ସଂଖ୍ୟା ୧୦୦ରୁ କମ୍ ହେବ ବୋଲି ଅନୁମାନ କରାଯାଇଛି ।[୧୧]
ମାଣ୍ଡିଆଖାଇ ଓ ୟୁରେସୀୟ ଜୁଇକଇମ ପକ୍ଷୀଙ୍କ ଶରୀରରୁ ମିଳିଥିବା ପରଜୀବୀଙ୍କ ନିରୀକ୍ଷଣ କରି ସର୍ବପ୍ରଥମେ ସାଇକ୍ଲୋକୋଲମ୍ ମ୍ୟୁଟେବାଇଲ୍ (Cyclocoelum mutabile) ନାମକ ସାଇକ୍ଲୋକୋଲିଡାଏ ଫିତାକୃମିର ବିବରଣୀ ଲେଖାଯାଇଥିଲା ।[୧୨] ମାଣ୍ଡିଆଖାଇ ଶରୀରରୁ ଡେସିପ୍ସିଲସ୍ ଗ୍ୟାଲିନୁଲେ ନାମକ ଆଉ ଏକ ପରଜୀବୀର ସନ୍ଧାନ ମଧ୍ୟ ମିଳିଛି ।[୧୩]
ଉପପ୍ରଜାତି
[ସମ୍ପାଦନା]ମାଣ୍ଡିଆଖାଇର ୫ ଗୋଟି ଉପପ୍ରଜାତି ବର୍ଣ୍ଣିତ ହୋଇଛି; ଅନ୍ୟ କିଛି ପକ୍ଷୀଙ୍କୁ ବିଭିନ୍ନ ଉପପ୍ରଜାତିର ସମାର୍ଥବାଚୀ ପକ୍ଷୀ ଭାବେ ବିବେଚନା କରାଯାଉଛି । ଏହି ସମସ୍ତ ଉପପ୍ରଜାତି ମଧ୍ୟରେ ରହିଥିବା ପାର୍ଥକ୍ୟ ଅତି ସୂକ୍ଷ୍ମ ହୋଇଥିବାରୁ ଏମାନଙ୍କୁ ସହଜରେ ପରସ୍ପରଠାରୁ ଅଲଗା ବୋଲି ବାରିବା କଷ୍ଟକର । ଯଦିଓ ପକ୍ଷୀଙ୍କ ଭୌଗୋଳିକ ଉପସ୍ଥିତିକୁ ଏମାନଙ୍କ ବିଭକ୍ତିକରଣର ଏକ କାରକ ବୋଲି ଧରାଯାଏ, ତଥାପି ଦେଶାନ୍ତର ବା ପ୍ରବାସ ବ୍ୟବହାର ଯୋଗୁଁ ଏହାକୁ ଏକ ପ୍ରକୃଷ୍ଟ କାରକ ବୋଲି କହିବା ଗ୍ରହଣୀୟ ହୋଇନପାରେ । ନିମ୍ନୋକ୍ତ ଉପପ୍ରଜାତିଙ୍କ ବ୍ୟତୀତ ପ୍ରାରମ୍ଭିକ ପ୍ଲାଇଷ୍ଟୋସିନ୍ ଯୁଗରୁ ତୁର୍କୀର ଦୁର୍ସୁନ୍ଲୁରେ ଏକ ମାଣ୍ଡିଆଖାଇ ପକ୍ଷୀ ପ୍ରଜାତି ରହିଆସିଥିବା ବିଷୟ ଉଲ୍ଲିଖିତ ଅଛି ।[୧୪][୧୫][୧୬]
ବର୍ଣ୍ଣନାର କାଳ ଅନୁଯାୟୀ ବିଭିନ୍ନ ମାଣ୍ଡିଆଖାଇ ଉପପ୍ରଜାତିଙ୍କ ତାଲିକା | |||
---|---|---|---|
ନାମ | ବର୍ଣ୍ଣନା | ଭୌଗୋଳିକ ବ୍ୟାପ୍ତି | |
ୟୁରେସୀୟ ମାଣ୍ଡିଆଖାଇ ଗ୍ୟାଲିନୁଲା କ୍ଲୋରୋପସ୍ କ୍ଲୋରୋପସ୍ (ଲିନାୟସ୍, ୧୭୫୮) |
ଡେଣା ଓ ପୃଷ୍ଠର ରଙ୍ଗ କଳା-ଅଲିଭ୍ ପରି | ଉତ୍ତର-ପୂର୍ବ ୟୁରୋପରୁ ଉତ୍ତର ଆଫ୍ରିକା ଓ ପୂର୍ବକୁ କେନ୍ଦ୍ରୀୟ ସାଇବେରିଆ ପର୍ଯ୍ୟନ୍ତ, ଭାରତୀୟ ଉପମହାଦେଶର ଆର୍ଦ୍ର ଅଞ୍ଚଳରୁ ଦକ୍ଷିଣ-ପୂର୍ବ ଏସିଆ ଓ ପୂର୍ବକୁ ଜାପାନ ପର୍ଯ୍ୟନ୍ତ, କ୍ୟାନେରୀ ଦ୍ୱୀପ, ଆଜୋର୍ସ, ମ୍ୟାଡେରିଆ ଓ ଭର୍ଡେ ଉପଦ୍ୱୀପ ଅଞ୍ଚଳ | |
ଭାରତ-ପ୍ରଶାନ୍ତୀୟ ମାଣ୍ଡିଆଖାଇ ଗ୍ୟାଲିନୁଲା କ୍ଲୋରୋପସ୍ ଓରିଏଣ୍ଟାଲିସ୍ (ଥୋମାସ୍ ହୋର୍ସଫିଲ୍ଡ୍, ୧୮୨୧) |
ଅପେକ୍ଷାକୃତ କ୍ଷୁଦ୍ର, ଡେଣାର ଉପରିଭାଗ ସିଲଟ ପରି ପାଉଁଶିଆ, ମୁହଁର ନାଲି ରଙ୍ଗ ସାମାନ୍ୟ ବଡ଼ | ଶେଶେଲ୍ସ, ଆଣ୍ଡାମାନ ଦ୍ୱୀପପୁଞ୍ଜ, ଦକ୍ଷିଣ ମାଲେସିଆରୁ ଇଣ୍ଡୋନେସିଆ ପର୍ଯ୍ୟନ୍ତ, ଫିଲିପାଇନ୍ସ, ପଲାଓ ଗଣରାଜ୍ୟରେ ବ୍ୟାପ୍ତ । ୧୯୮୦ ଦଶନ୍ଧିରୁ ମାଇକ୍ରୋନେସିଆର ୟାପରେ ରହିଆସିଥିବା ପକ୍ଷୀ ସମ୍ଭବତଃ ଏହି ଉପପ୍ରଜାତି ଓ ବିରଳ ଗୁଆମି ଉପପ୍ରଜାତିର ଅଂଶବିଶେଷ ।[୧୭][୧୮] ପକ୍ଷୀ ସଂଖ୍ୟା: ୨୦୦୦ ଦଶନ୍ଧି ବେଳକୁ ମାତ୍ର କିଛି ଶହ,[୧୧] ଓ ୟାପ୍ ଅଞ୍ଚଳରେ ୧୦୦ରୁ ମଧ୍ୟ କମ୍[୧୭][୧୮] | |
ଆଫ୍ରିକୀୟ ମାଣ୍ଡିଆଖାଇ ଗ୍ୟାଲିନୁଲା କ୍ଲୋରୋପସ୍ ମେରିଡିଓନାଲିସ୍ (ଖ୍ରୀଷ୍ଟିୟାନ୍ ଲୁଡ୍ୱିଗ୍ ବ୍ରେଃମ୍, ୧୮୩୧) |
ଓରିଏଣ୍ଟାଲିସ୍ ଉପପ୍ରଜାତି ପରି କିନ୍ତୁ ମୁହଁର ଲାଲ୍ ଦାଗ ଅପେକ୍ଷାକୃତ କମ୍ | ଆଫ୍ରିକାର ଉପ-ସାହାରା ଓ ସେଣ୍ଟ୍ ହେଲେନା ଅଞ୍ଚଳରେ ପରିଲକ୍ଷିତ | |
ମାଡାଗାସ୍କାର୍ ମାଣ୍ଡିଆଖାଇ ଗ୍ୟାଲିନୁଲା କ୍ଲୋରୋପସ୍ ପାୟେରିଆ (ଆଲଫ୍ରେଡ୍ ନ୍ୟୁଟନ୍, ୧୮୬୧) |
ମେରିଡିଓନାଲିସ୍ ପରି କିନ୍ତୁ ଲାଞ୍ଜର ତଳ ପଟଟି ବାଲି ପରି ରଙ୍ଗର | ମାଡାଗାସ୍କାର, ରିୟୁନିୟନ୍, ମୌରିସିୟସ୍ ଓ କୋମୋରୋସ୍ ଦ୍ୱୀପରେ ପରିଲକ୍ଷିତ | |
ମାରିଆନା ମାଣ୍ଡିଆଖାଇ ଗ୍ୟାଲିନୁଲା କ୍ଲୋରୋପସ୍ ଗୁଆମି (ଅର୍ଣ୍ଣଷ୍ଟ୍ ହାର୍ଟର୍ଟ୍, ୧୯୧୭) |
ଦେହର ରଙ୍ଗ ଗାଢ଼ କଳା | ଉତ୍ତର ମାରିଆନା ଦ୍ୱୀପ ଆନୁମାନିକ ପକ୍ଷୀ ସଂଖ୍ୟା: ୩୦୦ (୨୦୦୧ ମସିହାର ଗଣନାନୁଯାୟୀ)[୧୯] |
ଚିତ୍ର ଗ୍ୟାଲେରି
[ସମ୍ପାଦନା]-
ଜଳରେ ଚାଲିବାକୁ ଚେଷ୍ଟିତ ଏକ ଶାବକ
-
ବସାପାଇଁ ଉପାଦାନ ସଂଗ୍ରହ
-
ବସାରେ ବସିଥିବା ମାଣ୍ଡିଆଖାଇ
-
ବସାରେ ମାଣ୍ଡିଆଖାଇ ଅଣ୍ଡା
-
୧-୨ ସପ୍ତାହର ଶାବକ
-
ଶାବକକୁ ଖୁଆଉଥିବା ମାଣ୍ଡିଆଖାଇ
ଆଧାର
[ସମ୍ପାଦନା]- ↑ ୧.୦ ୧.୧ BirdLife International (2014). "Gallinula chloropus". Retrieved 7 June 2015.
{{cite journal}}
: Cite journal requires|journal=
(help) - ↑ ୨.୦ ୨.୧ "Common Moorhen (Gallinula chloropus) Linnaeus, 1758". Avibase. Retrieved 1 November 2013.
- ↑ Chesser, R. Terry; Banks, Richard C.; Barker, F. Keith; Cicero, Carla; Dunn, Jon L.; Kratter, Andrew W.; Lovette, Irby J.; Rasmussen, Pamela C.; Remsen, J. V.; Rising, James D.; Stotz, Douglas F.; Winker, Kevin (2011). "Fifty-second supplement to the American Ornithologists' Union Check-List of North American Birds". Auk. 128 (3): 600–613. doi:10.1525/auk.2011.128.3.600. S2CID 13691956.
- ↑ ୪.୦ ୪.୧ Lockwood, W.B. (1993). The Oxford Dictionary of British Bird Names. Oxford University Press. ISBN 978-0-19-866196-2.
- ↑ Jobling, James A (2010). The Helm Dictionary of Scientific Bird Names. London: Christopher Helm. pp. 103, 170. ISBN 978-1-4081-2501-4.
- ↑ ୬.୦ ୬.୧ Snow, David W.; Perrins, Christopher M.; Doherty, Paul; Cramp, Stanley (1998). The Complete Birds of the Western Palaearctic on CD-ROM. Oxford University Press. ISBN 0-19-268579-1.
- ↑ ମାଣ୍ଡିଆଖାଇ ପକ୍ଷୀ media at ARKive Retrieved 25 February 2013.
- ↑ ଛାଞ୍ଚ:Cite AllAboutBirds
- ↑ Ruan, L.; Xu, W.; Han, Y.; Zhu, C.; Guan, B.; Xu, C.; Goa, B.; Zhao, D. (2018). "Gene flow from multiple sources maintains high genetic diversity and stable population history of Common Moorhen Gallinula chloropus in China". Ibis. 160 (4): 855–869. doi:10.1111/ibi.12579.
- ↑ Mann, Clive F. (1991). "Sunda Frogmouth Batrachostomus cornutus carrying its young" (PDF). Forktail. 6: 77–78. Archived from the original (PDF) on 2016-03-04. Retrieved 2015-06-08.
- ↑ ୧୧.୦ ୧୧.୧ VanderWerf, Eric A.; Wiles, Gary J.; Marshall, Ann P.; Knecht, Melia (2006). "Observations of migrants and other birds in Palau, April–May 2005, including the first Micronesian record of a Richard's Pipit". Micronesica. 39 (1): 11–29.
- ↑ Dronen, Norman O.; Gardner, Scott L.; Jiménez, F. Agustín (2006). "Selfcoelum limnodromi n. gen., n. sp. (Digenea: Cyclocoelidae: Cyclocoelinae) from the long-billed dowitcher, Limnodromus scolopaceus (Charadriiformes: Scolopacidae) from Oklahoma, U.S.A" (PDF). Zootaxa. 1131: 49–58. doi:10.11646/zootaxa.1131.1.3.
- ↑ Rothschild, Miriam; Clay, Theresa (1953). Fleas, Flukes and Cuckoos. A study of bird parasites. London: Collins. p. 113.
- ↑ McCoy, John J. (1963). "The fossil avifauna of Itchtucknee (sic) River, Florida" (PDF). Auk. 80 (3): 335–351. doi:10.2307/4082892. JSTOR 4082892. Archived from the original (PDF) on 2023-04-17. Retrieved 2021-03-21.
- ↑ Olson, Storrs L. (1974). "The Pleistocene Rails of North America" (PDF). Condor. 76 (2): 169–175. doi:10.2307/1366727. JSTOR 1366727.
- ↑ Louchart, Antoine; Mourer-Chauviré, Cécile; Guleç, Erksin; Howell, Francis Clark; White, Tim D. (1998). "L'avifaune de Dursunlu, Turquie, Pléistocène inférieur: climat, environnement et biogéographie" [The avifauna of Dursunlu, Turkey, Lower Pleistocene: climate, environment and biogeography]. Comptes Rendus de l'Académie des Sciences, Série IIA (in ଫରାସୀ). 327 (5): 341–346. Bibcode:1998CRASE.327..341L. doi:10.1016/S1251-8050(98)80053-0.
- ↑ ୧୭.୦ ୧୭.୧ Wiles, Gary J.; Worthington, David J.; Beck, Robert E. Jr.; Pratt, H. Douglas; Aguon, Celestino F.; Pyle, Robert L. (2000). "Noteworthy Bird Records for Micronesia, with a Summary of Raptor Sightings in the Mariana Islands, 1988–1999". Micronesica. 32 (2): 257–284.
- ↑ ୧୮.୦ ୧୮.୧ Wiles, Gary J.; Johnson, Nathan C.; de Cruz, Justine B.; Dutson, Guy; Camacho, Vicente A.; Kepler, Angela Kay; Vice, Daniel S.; Garrett, Kimball L.; Kessler, Curt C.; Pratt, H. Douglas (2004). "New and Noteworthy Bird Records for Micronesia, 1986–2003". Micronesica. 37 (1): 69–96.
- ↑ Takano, Leilani L.; Haig, Susan M. (2004). "Distribution and Abundance of the Mariana Subspecies of the Common Moorhen". Waterbirds. 27 (2): 245–250. doi:10.1675/1524-4695(2004)027[0245:DAAOTM]2.0.CO;2.
ଅନ୍ୟାନ୍ୟ ଲିଂକ୍
[ସମ୍ପାଦନା]- (Common) Moorhen species text in The Atlas of Southern African Birds
- "ମାଣ୍ଡିଆଖାଇ ପକ୍ଷୀ media". Internet Bird Collection.
- Common Gallinule Species Account – Cornell Lab of Ornithology
- Common Moorhen Information - Gallinula chloropus - USGS Patuxent Bird Identification InfoCenter
- Madeira Birds – Moorhen breeding in Madeira Island
- Ageing and sexing (PDF; 5.7 MB) by Javier Blasco-Zumeta & Gerd-Michael Heinze
- BirdLife species factsheet for Gallinula chloropus
- ମାଣ୍ଡିଆଖାଇ ପକ୍ଷୀ photo gallery at VIREO (Drexel University)
- Audio recordings of Common moorhen on Xeno-canto.