ସୁଶ୍ରୁତ

ଉଇକିପିଡ଼ିଆ ରୁ
Jump to navigation Jump to search
ସୁଶ୍ରୁତ
ଫାଇଲ:Susruta (2).jpg
ଆଚାର୍ଯ୍ୟ ସୁଶ୍ରୁତ
ପ୍ରସିଦ୍ଧିସୁଶ୍ରୁତ ସଂହିତାର ରଚୟିତା
ବିଜ୍ଞାନୀ ଜୀବନ
କ୍ଷେତ୍ରଔଷଧ, ଶଲ୍ୟ ଚିକିତ୍ସା, ଦନ୍ତ ଚିକିତ୍ସା, ଅସ୍ତ୍ରୋପଚାର

ସୁଶ୍ରୁତ (ଦେବନାଗରୀ ଲିପିରେ सुश्रुत) ପ୍ରାଚୀନ ଭାରତର ଜଣେ ଚିକିତ୍ସକ ତଥା ସୁଶ୍ରୁତ ସଂହିତା ଗ୍ରନ୍ଥର ରଚୟିତା । ମୋନିଏର୍ ୱିଲିୟମ୍ସ୍ ସଂସ୍କୃତ-ଈଂରାଜୀ ଶବ୍ଦକୋଷ ଅନୁସାରେ ସୁଶ୍ରୁତ ଶବ୍ଦର ଅର୍ଥ ହେଉଛି "ଉତ୍ତମ ରୂପେ ଶୁଣାଯାଇଥିବା ବା ପ୍ରସିଦ୍ଧ” । [୧] ପୂର୍ଣ୍ଣଚନ୍ଦ୍ର ଭାଷାକୋଶ ଅନୁଯାୟୀ ସୁଶ୍ରୁତ ଶବ୍ଦର ଅର୍ଥମାନ ହେଲା (୧) ବେଦରେ ପାରଙ୍ଗମ (୨) ଉତ୍ତମ ରୂପେ ଶୁଣା ଯାଇଥିବା (୩) ପ୍ରସିଦ୍ଧ । ଏତତ୍ ବ୍ୟତୀତ ପୂର୍ଣ୍ଣଚନ୍ଦ୍ର ଭାଷାକୋଶରେ ରହିଥିବା ଆଉ ଏକ ତଥ୍ୟ ଅନୁଯାୟୀ ସୁଶ୍ରୁତ ହେଉଛନ୍ତି ହିନ୍ଦୁ ଚିକିତ୍ସା-ଶାସ୍ତ୍ରର ପ୍ରଣେତା ଓ ବିଶ୍ୱାମିତ୍ର ମୁନିଙ୍କ ପୁତ୍ର । ସେ କାଶୀକୁ ଯାଇ ଧନ୍ୱନ୍ତରୀଙ୍କ ଅବତାର ଭାବେ ପରିଚିତ ଦିବୋଦାସଙ୍କ ନିକଟରେ ଚିକିତ୍ସା ଶାସ୍ତ୍ରର ଶିକ୍ଷାଲାଭ କରିଥିଲେ । [୨] ସୁଶ୍ରୁତ ଋଷି ବିଶ୍ୱାମିତ୍ରଙ୍କ ପୁତ୍ର ହୋଇଥିବା ବିଷୟର ଉଲ୍ଲେଖ ମହାଭାରତରେ ମଧ୍ୟ ରହିଛି । [୩] ଏହି କାରଣରୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଶ ସୁଶ୍ରୁତ ସଂହିତାର ରଚନା ସମୟ ଦ୍ୱାପର ଯୁଗ ବୋଲି ଅଭିହିତ କରିଥିବା ସମ୍ଭବପର । କେତେକଙ୍କ ମତରେ ସୁଶ୍ରୁତ ସଂହିତା ପ୍ରାୟ ଖ୍ରୀ.ପୂ. ୬୦୦ ବେଳକୁ ପ୍ରଣୀତ ହୋଇଥିଲା । ଅନ୍ୟ ଏକ ମତାନୁସାରେ ଦ୍ୱାପର ଯୁଗରେ ସେ “ସୁଶ୍ରୁତ ସଂହିତା” ନାମକ ଚିକିତ୍ସା ଗ୍ରନ୍ଥ ପ୍ରଣୟନ କରିଥିଲେ । [୨] କୁଞ୍ଜଲାଲ ଭିଷାଗରତ୍ନଙ୍କ ମତରେ ସୁଶ୍ରୁତ ବିଶ୍ୱାମିତ୍ରଙ୍କ ଗୋଷ୍ଠୀ ବା ଗୁରୁକୁଳର ଜଣେ ସଦସ୍ୟ ବୋଲି ଆମେ କହି ପାରିବା । [୪]

ପ୍ରାଚୀନ ଭାରତର ଚିକିତ୍ସା ସମ୍ବନ୍ଧୀୟ ଗ୍ରନ୍ଥମାନଙ୍କ ମଧ୍ୟରେ “ସୁଶ୍ରୁତ ସଂହିତା” ଅତି ମହତ୍ତ୍ୱପୂର୍ଣ୍ଣ ଓ କେତେକ ଏହାକୁ ଆୟୁର୍ବେଦର ମୂଳଦୁଆ ରୂପେ ମଧ୍ୟ ଅଭିହିତ କରିଥାନ୍ତି । ଏହି ସଂହିତାରେ ସାଧାରଣ ଔଷଧ ଓ ତାହାର ବ୍ୟବହାର ବିଷୟରେ ବହୁ ତଥ୍ୟ ରହିଛି । କିନ୍ତୁ ସୁଶ୍ରୁତ ସଂହିତା ଗ୍ରନ୍ଥର ଜଣେ ଅନୁବାଦକ ଜି. ଡି. ସିଂଘଲ୍ ଏହି ସଂହିତାରେ ବର୍ଣ୍ଣିତ ଅନେକ ଶଲ୍ୟ ଚିକିତ୍ସା ସମ୍ବନ୍ଧୀୟ ତଥ୍ୟ ଓ ପ୍ରୟୋଗ ବିଧିର ଅନୁଶୀଳନ କରି ସୁଶ୍ରୁତଙ୍କୁ “ଭାରତୀୟ ଶଲ୍ୟ ଚିକିତ୍ସାର ଜନକ” ଭାବେ ସମ୍ବୋଧିତ କରିଥିଲେ । [୫]

ସୁଶ୍ରୁତ ନିଜ କାଳରେ ବାରଣାସୀ ସହରରେ ବସବାସ କରୁଥିଲେ ।

ଜୀବନ କାଳ[ସମ୍ପାଦନା]

ଫାଇଲ:1197280 susruta.jpg
ଜଣେ ଚିତ୍ରଶିଳ୍ପୀର ପରିକଳ୍ପନାରେ ସୁଶ୍ରୁତଙ୍କ ଅସ୍ତ୍ରୋପଚାର
କଲିକତାର ବିଜ୍ଞାନ ଓ ପ୍ରୌଦ୍ୟୋଗିକ ଭାରତୀୟ ପରମ୍ପରା ଚିତ୍ରଶାଳାରେ ରଖାଯାଇଥିବା ସୁଶ୍ରୁତ ଓ ତାଙ୍କ ଶିଷ୍ୟଙ୍କ ପୁତ୍ତଳିକା
ହରିଦ୍ୱାର ସହରରେ ନିର୍ମିତ ସୁଶ୍ରୁତଙ୍କ ପ୍ରତିମୂର୍ତ୍ତି
ବାରଣାସୀ ସହରରେ ନିର୍ମିତ ସୁଶ୍ରୁତଙ୍କ ପ୍ରତିମୂର୍ତ୍ତି

ରୁଡୋଲ୍‍ଫ୍ ହୋର୍ଣ୍ଣଲେ ନାମକ ଜଣେ ବିଶେଷଜ୍ଞଙ୍କ ମତରେ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ପ୍ରଣୟନ ହୋଇଥିବା ଶତପଥ ବ୍ରାହ୍ମଣରେ ସୁଶ୍ରୁତ ସଂହିତାର କିଛି ତଥ୍ୟ ଓ ତତ୍ତ୍ୱ ରହିଛି । [୬] ଓ କେତେକ ଗବେଷକ ଏହି ସମୟସୀମାକୁ ଗ୍ରହଣ କରିଛନ୍ତି । ବିଗତ ଏକ ଶତାବ୍ଦୀ ଧରି ପ୍ରାଚୀନ ଭାରତୀୟ ଚିକିତ୍ସା ସାହିତ୍ୟ ସମ୍ବନ୍ଧରେ ହେଉଥିବା ଅନେକ ଗବେଷଣାକୁ ଭିତ୍ତି କରି ଜଣା ପଡ଼ିଛି ଯେ ବିଭିନ୍ନ କାଳରୁ ଚିକିତ୍ସାର ଜ୍ଞାନ ଯୋଡ଼ି ସୁଶ୍ରୁତ ସଂହିତାକୁ ପରିବୃଦ୍ଧ କରାଯାଇଛି ଏବଂ ତେଣୁ ଏହା ଏକାବେଳକେ ଲେଖାଯାଇନାହିଁ । ଖ୍ରୀଷ୍ଟପୂର୍ବ ସମୟର ଶେଷ ଆଡ଼କୁ ସୁଶ୍ରୁତ ସଂହିତାର ରଚନା ଆରମ୍ଭ ହୋଇଥିଲେ ହେଁ ଏହାର ଶେଷ ଅଧ୍ୟାୟ “ଉତ୍ତର ତନ୍ତ୍ର”କୁ ଏହାର ପୂର୍ବ ପାଞ୍ଚ ଅଧ୍ୟାୟ ସହିତ ଯୋଡ଼ି ବର୍ତ୍ତମାନର ରୂପରେ ପ୍ରକାଶ କରାଯାଇଛି । ସମ୍ଭବତଃ ଏହା ସୁଶ୍ରୁତ ନୁହେଁ ବରଂ ଅନ୍ୟ କେହି ରଚୟିତାଙ୍କଦ୍ୱାରା କରାଯାଇଛି । ପୁଣି ଆନୁମାନିକ ଖ୍ରୀ. ୩୦୦ରୁ ୫୦୦ ମଧ୍ୟରେ ବସବାସ କରୁଥିବା ପଣ୍ଡିତ ଦୃଢ଼ବଳଙ୍କୁ ସୁଶ୍ରୁତ ସଂହିତା ସମ୍ପର୍କରେ ଜ୍ଞାତ ଥିଲା ଓ ସୁଶ୍ରୁତ ସଂହିତାର ଶେଷ ସଂସ୍କରଣ ଏହି ସମୟର ହୋଇଥାଇପାରେ । [୭] ଐତିହାସିକ ତଥ୍ୟର ଅନୁଧ୍ୟାନ ଓ ଗବେଷଣାରୁ ଜଣାପଡ଼ିଛି ଯେ ଅନେକ ପ୍ରାଚୀନ ସମୟର ଚିକିତ୍ସା ଶାସ୍ତ୍ରୀ "ସୁଶ୍ରୁତ" ନାମରେ ଜଣାଶୁଣା ଥିଲେ ଓ ସୁଶ୍ରୁତ ଜଣେ ବ୍ୟକ୍ତି ବୋଲି କହିହେବ ନାହିଁ । [୭]

ଉଲ୍ଲେଖ[ସମ୍ପାଦନା]

ମହାଭାରତ କାବ୍ୟରେ ସୁଶ୍ରୁତଙ୍କୁ ରାଜର୍ଷି ବିଶ୍ୱାମିତ୍ରଙ୍କ ପୁତ୍ର ବୋଲି କୁହାଯାଇଛି । [୮] ପୁଣି ସୁଶ୍ରୁତ ସଂହିତା ଗ୍ରନ୍ଥରେ ଏହି ସମ୍ପର୍କର ପୁନରାବୃତ୍ତି ଦେଖିବାକୁ ମିଳେ । [୯] ପରବର୍ତ୍ତୀ ସମୟର ସାହିତ୍ୟିକ ରଚନା ଯଥା ବୋୱର ପାଣ୍ଡୁଲିପି (ପ୍ରାୟ ଖ୍ରୀ. ୬ଷ୍ଠ ଶତାବ୍ଦୀ)ରେ ସୁଶ୍ରୁତଙ୍କ ନାମର ଉଲ୍ଲେଖ କରାଯାଇଛି ଓ ସେ ହିମାଳୟରେ ରହୁଥିବା ୧୦ ଜଣ ଋଷିଙ୍କ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଇଛି । [୧୦]

ସୁଶ୍ରୁତ ସଂହିତା[ସମ୍ପାଦନା]

ସୁଶ୍ରୁତ ସଂହିତାରେ ରହିଥିବା ଛୋଟ ବଡ଼ ୧୮୪ଟି ଅଧ୍ୟାୟରେ ପ୍ରାୟ ୧୨୦୦ ପ୍ରକାରର ରୋଗ, ୭୦୦ ପ୍ରକାରର ଔଷଧୀୟ ଜଡ଼ିବୁଟି ଓ ବୃକ୍ଷ, ଖଣିଜ ଲବଣରୁ ପ୍ରସ୍ତୁତ ୬୪ ପ୍ରକାରର ଔଷଧ ଓ ଜୀବଙ୍କ ଶରୀରରୁ ପ୍ରସ୍ତୁତ ୫୭ ପ୍ରକାରର ଔଷଧ ବିଷୟରେ ବିସ୍ତାରରେ ଲେଖାଯାଇଛି ।


ଶଲ୍ୟ ଚିକିତ୍ସାର ଅନେକ ବିଧି ଓ ପ୍ରଣାଳୀ ଯଥା ଶରୀରର ଉପଯୁକ୍ତ ଅଙ୍ଗକୁ ଭେଦ କରିବା, ସେଠାରେ ଆବଶ୍ୟକ ବସ୍ତୁ ପ୍ରତିରୋପଣ କରିବା, ଶରୀର ମଧ୍ୟରେ ରହିଥିବା ଅଦରକାରୀ ବସ୍ତୁକୁ ବାହାର କରିବା, ଦାନ୍ତ ବାହାର କରିବା, ଅସ୍ତ୍ରୋପଚାର, ଅସ୍ତ୍ରର ବ୍ୟବହାର କରି ଶରୀରରୁ ଅଦରକାରୀ ଅମ୍ଳ ଓ ତରଳ ପଦାର୍ଥ ନିଷ୍କାସନ କରାଇବା, ଅଣ୍ଡକୋଷରେ ଅସ୍ତ୍ରୋପଚାର କରିବା, ହାର୍ଣ୍ଣିଆର ଅସ୍ତ୍ରୋପଚାର କରିବା, ଅସ୍ତ୍ରୋପଚାରଦ୍ୱାରା ମା’ ଗର୍ଭରୁ ଶିଶୁକ ବାହାର କରାଇବା, ଖାଦ୍ୟନଳୀରେ ସୃଷ୍ଟ ବାଧାକୁ ଦୂର କରିବା, ଭଙ୍ଗା ହାଡ଼ ଯୋଡ଼ିବା ଆଦି ବିଷୟ ମଧ୍ୟ ବର୍ଣ୍ଣିତ ହୋଇଛି । ତା’ଛଡ଼ା ୬ଟି ବିଭିନ୍ନ ପ୍ରକାରର ଖଞ୍ଜା ଖସିଯିବା ଓ ତା’ର ସମାଧାନ, ୧୨ ପ୍ରକାର ହାଡ଼ ଭାଙ୍ଗିବାର ଦୃଷ୍ଟାନ୍ତ, ଅସ୍ଥିର ପ୍ରକାର ଭେଦ ଓ ପରଳ ପରି ଆଖି ସମ୍ବନ୍ଧୀୟ ରୋଗ ବିଷୟରେ ମଧ୍ୟ ସୁଶ୍ରୁତ ସଂହିତାରେ ଲେଖାଅଛି ।


ସୁଶ୍ରୁତ ସଂହିତାରେ ବର୍ଣ୍ଣିତ କେତେକ ଚିକିତ୍ସା ଉପକରଣ (୧) 
ସୁଶ୍ରୁତ ସଂହିତାରେ ବର୍ଣ୍ଣିତ କେତେକ ଚିକିତ୍ସା ଉପକରଣ (୨) 
ସୁଶ୍ରୁତ ସଂହିତାରେ ବର୍ଣ୍ଣିତ କେତେକ ଚିକିତ୍ସା ଉପକରଣ (୩) 
ସୁଶ୍ରୁତ ସଂହିତାରେ ବର୍ଣ୍ଣିତ କେତେକ ଚିକିତ୍ସା ଉପକରଣ (୪) 

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Monier-Williams, Monier (1899). A Sanskrit-English Dictionary. Oxford: Clarendon Press. p. 1237.
  2. ୨.୦ ୨.୧ ଗୋପାଳ ଚନ୍ଦ୍ର ପ୍ରହରାଜ. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ. p. ୨୧୬୫.
  3. Bhishagratna, Kunjalal (1907). An English Translation of the Sushruta Samhita, based on Original Sanskrit Text. Calcutta. pp. ii(introduction).
  4. Bhishagratna, Kunjalal (1907). An English Translation of the Sushruta Samhita, based on Original Sanskrit Text. Calcutta. pp. ii (introduction).
  5. Singhal, G. D. (1972). Diagnostic considerations in ancient Indian surgery: (based on Nidāna-Sthāna of Suśruta Saṁhitā). Varanasi: Singhal Publications.
  6. Hoernle, A. F. Rudolf (1907). Studies in the Medicine of Ancient India: Osteology or the Bones of the Human Body. Oxford: Clarendon Press. p. 8.
  7. ୭.୦ ୭.୧ Meulenbeld, Gerrit Jan (2002). A History of Indian Medical Literature. IA. Groningen: Brill. pp. 333–357. ISBN 9789069801247.
  8. कृष्णाचार्य, टी. आर्. (1910). "Sriman Mahabharatam. A New Edition Mainly Based on the South Indian Texts, with Footnotes and Readings". SARIT. Retrieved 2016-01-10.
  9. "Suśrutasaṃhitā. By Suśruta. A SARIT edition". SARIT. Retrieved 2016-01-10.
  10. Wujastyk, Dominik (2003). The Roots of Ayurveda. London etc.: Penguin. pp. 149–160. ISBN 0140448241.