ରାଣୀ ଦୁର୍ଗାବତୀ

ଉଇକିପିଡ଼ିଆ‌ରୁ
ରାଣୀ ଦୁର୍ଗାବତୀ
ରାଣୀ ଦୁର୍ଗାବତୀଙ୍କ ଚିତ୍ର
ଉତ୍ତରାଧିକାରୀ କୁମାର ନାରାୟଣ
ଜୀବନସାଥୀ ଦଳପଟ ଶାହା
ସନ୍ତାନସନ୍ତତିଗଣ
କୁମାର ନାରାୟଣ
ଜନ୍ମ ଅକ୍ଟୋବର ୫, ୧୫୨୪
କଳିଞ୍ଜର ଦୁର୍ଗ
ମୃତ୍ୟ ୨୪ ଜୁନ ୧୫୬୪(1564-06-24) (ବୟସ ୩୯)
ନରାଇ ନାଲା, ଜବଲପୁର, ମଧ୍ୟପ୍ରଦେଶ
ଧର୍ମ ହିନ୍ଦୁ ଧର୍ମ

ରାଣୀ ଦୁର୍ଗାବତୀ (୫ ଅକ୍ଟୋବର ୧୫୨୪ - ୨୪ ଜୁନ ୧୫୬୪) ୧୫୫୦ ମସିହାରୁ ୧୫୬୪ ମସିହା ପର୍ଯ୍ୟନ୍ତ ଗୋଣ୍ଡୱାନାର ମହାରାଣୀ ଥିଲେ । ସେ ୧୫୪୨ ମସିହାରେ ଗରହ ରାଜ୍ୟ (ଗଡ଼ ସାମ୍ରାଜ୍ୟ)ର ରାଜା ସଂଗ୍ରାମ ଶାହାଙ୍କ ପୁତ୍ର ଦଳପଟ ଶାହାଙ୍କୁ ବିବାହ କରିଥିଲେ ।[୧] ସେ ମୋଗଲ ସାମ୍ରାଜ୍ୟ ବିରୁଦ୍ଧରେ ରହି ନିଜ ରାଜ୍ୟକୁ ରକ୍ଷା କରିଥିଲେ ।

ଜୀବନୀ[ସମ୍ପାଦନା]

ଦୁର୍ଗାବତୀ ୫ ଅକ୍ଟୋବର, ୧୫୨୪ ମସିହାରେ କଳିଞ୍ଜର ଦୁର୍ଗରେ ମହୋବା ରାଜ୍ୟକୁ ଶାସନ କରୁଥିବା ଚାନ୍ଦେଳର ରାଜା ଶାଲିଭାହନଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୨] ତୀର ଓ ବନ୍ଧୁକ ଚାଳନାରେ ଦୁର୍ଗାବତୀଙ୍କର ଭଲ ଅଭ୍ୟାସ ଥିଲା । ଚିତାବାଘ ଶିକାର କରିବାରେ ତାଙ୍କର ବିଶେଷ ଆଗ୍ରହ ରହିଥିଲା ।

ଦଳପଟ ଶାହା ୧୫୫୦ ମସିହାରେ ମୃତ୍ୟୁ ବରଣ କରିବା ପରେ କୁମାର ନାରାୟଣଙ୍କ ବୟସ କମ ହେତୁ ଦୁର୍ଗାବତୀ ଗୋଣ୍ଡୱାନା ରାଜ୍ୟର ରାଜତ୍ୱ ଗ୍ରହଣ କରିଥିଲେ । ରାଣୀ ଦୁର୍ଗାବତୀ ନିଜର ସମଗ୍ର ଦେଶରେ ଶାନ୍ତି, ବାଣିଜ୍ୟ ଏବଂ ଉତ୍ତମ ଇଚ୍ଛାକୁ ପ୍ରୋତ୍ସାହିତ କରିଥିଲେ ।[୩] ପରେ ରାଣୀ ଦୁର୍ଗାବତୀ ନିଜ ରାଜଧାନୀ ସିଙ୍ଗୋରଗଡ଼ ଦୁର୍ଗରୁ ଚୌରଗଡ଼ ଦୁର୍ଗକୁ ସ୍ଥାନାନ୍ତର କରିଥିଲେ ।

ମୋଗଲ ସହିତ ଯୁଦ୍ଧ[ସମ୍ପାଦନା]

୧୫୬୨ ମସିହାରେ ଆକବର ମାଲୱା ଶାସକ ବାଜ ବାହାଦୂରଙ୍କୁ ପରାସ୍ତ କରି ମାଲୱାକୁ ମୋଗଲ ସାମ୍ରାଜ୍ୟ ଅଧୀନରେ ରଖିଥିଲେ । ଫଳସ୍ୱରୂପ, ରାଣୀଙ୍କ ରାଜ୍ୟ ସୀମା ମୋଗଲ ରାଜ୍ୟକୁ ସ୍ପର୍ଶ କରିଥିଲା । ରାଣୀ ଦୁର୍ଗାବତୀଙ୍କ ସମସାମୟିକ ମୋଗଲ ସୁବେଦାର ଅବଦୁଲ ମାଜିଦ ଖାନ ଥିଲେ । ସେ ଜଣେ ଉଚ୍ଚାଭିଳାଷୀ ବ୍ୟକ୍ତି ଯିଏ ରେୱାର ଶାସକ ରାମଚନ୍ଦ୍ରଙ୍କୁ ପରାସ୍ତ କରିଥିଲେ । ରାଣୀ ଦୁର୍ଗାବତୀଙ୍କ ରାଜ୍ୟର ସମୃଦ୍ଧତା ତାଙ୍କୁ ଆକର୍ଷିତ କରିଥିଲା, ପରେ ସେ ମୋଗଲ ସମ୍ରାଟଙ୍କ ଅନୁମତି ନେବା ପରେ ରାଣୀଙ୍କ ରାଜ୍ୟ ଉପରେ ଆକ୍ରମଣ କରିଥିଲେ । ମୋଗଲ ଆକ୍ରମଣର ଏହି ଯୋଜନା ଆକବରଙ୍କ ବିସ୍ତାରବାଦ ଏବଂ ସାମ୍ରାଜ୍ୟବାଦର ଫଳାଫଳ ଥିଲା ।

ଶତ୍ରୁ ରାଜ୍ୟ ଭିତରକୁ ପ୍ରବେଶ କଲାବେଳେ ରାଣୀଙ୍କ ସୈନିକମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଉଭୟ ଦଳ କିଛି ସୈନିକମାନଙ୍କୁ ହରାଇଥିଲେ କିନ୍ତୁ ଏହି ଯୁଦ୍ଧରେ ରାଣୀ ବିଜୟୀ ହୋଇଥିଲେ । ଏହି ପର୍ଯ୍ୟାୟରେ ରାଣୀ ନିଜ ପରାମର୍ଶଦାତାମାନଙ୍କ ସହିତ ନିଜର ରଣନୀତି ସମୀକ୍ଷା କରିଥିଲେ । ସେ ସେମାନଙ୍କୁ ଦୁର୍ବଳ କରିବା ପାଇଁ ରାତିରେ ଶତ୍ରୁମାନଙ୍କ ଉପରେ ଆକ୍ରମଣ କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ସେନାଧ୍ୟକ୍ଷମାନେ ତାଙ୍କ ପରାମର୍ଶକୁ ଗ୍ରହଣ କରିନଥିଲେ ।

ଦୁର୍ଗାବତୀ, ଯୁଦ୍ଧରେ ଖରାପ ପରିସ୍ଥିତି ସତ୍ତ୍ବେ ଆତ୍ମସମର୍ପଣ କରିବାକୁ ମନା କରିଦେଇଥିଲେ ଏବଂ ମୋଗଲ ସୈନ୍ୟବାହିନୀମାନଙ୍କ ଉପରେ ଆକ୍ରମଣ ଜାରି ରଖିଥିଲେ । ତାଙ୍କ ପୁଅ କୁମାର ନାରାୟଣ ମଧ୍ୟ ଏହି ଯୁଦ୍ଧରେ ଭାଗ ନେଇଥିଲେ । ସେ ମୋଗଲ ସେନାମାନଙ୍କୁ ତିନିଥର ପଛକୁ ଫେରିବାକୁ ବାଧ୍ୟ କରିଥିଲେ କିନ୍ତୁ ଶେଷରେ ସେ ନିଜେ ଆହତ ହୋଇ ଏକ ସୁରକ୍ଷିତ ସ୍ଥାନକୁ ଫେରିଆସିଥିଲେ । ଯୁଦ୍ଧ ସମୟରେ ରାଣୀ ତୀରଦ୍ୱାରା ନିଜ କାନ ପାର୍ଶ୍ୱରେ ଜୋରେ ଆଘାତ ପାଇଥିଲେ । ଅନ୍ୟ ଏକ ତୀର ତାଙ୍କ ବେକକୁ ବିଦ୍ଧ କଲାପରେ ସେ ନିଜ ଚେତନା ହରାଇଥିଲେ । ଚେତନା ଫେରି ପାଇବା ପରେ ସେ ପରାଜୟର ଖୁବ ପାଖରେ ଥିଲେ । ତାଙ୍କର ହାତୀ ଚାଳକ ତାଙ୍କୁ ଯୁଦ୍ଧକ୍ଷେତ୍ର ଛାଡିବାକୁ କହିଥିଲେ କିନ୍ତୁ ସେ ମନା କରି ନିଜ ଖଣ୍ଡାଦ୍ୱାରା ୨୪ ଜୁନ୍ ୧୫୬୪ ମସିହାରେ ଆତ୍ମହତ୍ୟା କରିଥିଲେ । ତାଙ୍କର ଶହୀଦ ଦିବସ (୨୪ ଜୁନ୍ ୧୯୬୪) ଆଜି ମଧ୍ୟ "ବଳିଦାନ ଦିବସ" ଭାବରେ ସ୍ମରଣୀୟ ରହିଛି ।

ଉତ୍ତରାଧିକାରୀ[ସମ୍ପାଦନା]

  • ୧୯୮୩ ମସିହାରେ ମଧ୍ୟପ୍ରଦେଶ ସରକାର ରାଣୀଙ୍କ ସ୍ମୃତିରେ ଜବଲପୁର ବିଶ୍ୱବିଦ୍ୟାଳୟର ନାମ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟ ନାମରେ ନାମିତ କଲେ ।
  • ୨୪ ଜୁନ୍ ୧୯୮୮ ମସିହାରେ ଭାରତ ସରକାର ତାଙ୍କ ସ୍ମୃତିରେ ଏକ ଡାକ ଷ୍ଟାମ୍ପ ଜାରି କରିଥିଲେ ।[୪]

ଆଧାର[ସମ୍ପାଦନା]

  1. Dikshit, R. K. (1976). The Candellas of Jejākabhukti (in ଇଂରାଜୀ). Abhinav Publications. p. 8. ISBN 978-81-7017-046-4. According to Abu Fazl however, Durgavati husband, Dalpat Shah was the son of a Kachavaha Rajput, who had been adopted by the raja of Gadha Mandla
  2. Beveridge, H. (1907). "Conquest of the country of Gadha Katanga by the sword of the genius of Khwaja Abdul Majid Asaf Khan". The Akbarnama Of Abul Fazl : Vol. II (in ଇଂରାଜୀ). p. 323-333. Archived from the original on 29 December 2016. Retrieved 6 May 2023.
  3. Knight, Roderic (2000). "The "Bana", Epic Fiddle of Central India". Asian Music. 32 (1): 101–140. doi:10.2307/834332. JSTOR 834332.
  4. "Rani Durgavati Stamp, Government of India, 1988".