ରାଣୀ ଦୁର୍ଗାବତୀ
ରାଣୀ ଦୁର୍ଗାବତୀ | |
---|---|
ରାଣୀ ଦୁର୍ଗାବତୀଙ୍କ ଚିତ୍ର | |
ଉତ୍ତରାଧିକାରୀ | କୁମାର ନାରାୟଣ |
ଜୀବନସାଥୀ | ଦଳପଟ ଶାହା |
ସନ୍ତାନସନ୍ତତିଗଣ | |
କୁମାର ନାରାୟଣ | |
ଜନ୍ମ | ଅକ୍ଟୋବର ୫, ୧୫୨୪ କଳିଞ୍ଜର ଦୁର୍ଗ |
ମୃତ୍ୟ | ୨୪ ଜୁନ ୧୫୬୪ ନରାଇ ନାଲା, ଜବଲପୁର, ମଧ୍ୟପ୍ରଦେଶ | (ବୟସ ୩୯)
ଧର୍ମ | ହିନ୍ଦୁ ଧର୍ମ |
ରାଣୀ ଦୁର୍ଗାବତୀ (୫ ଅକ୍ଟୋବର ୧୫୨୪ - ୨୪ ଜୁନ ୧୫୬୪) ୧୫୫୦ ମସିହାରୁ ୧୫୬୪ ମସିହା ପର୍ଯ୍ୟନ୍ତ ଗୋଣ୍ଡୱାନାର ମହାରାଣୀ ଥିଲେ । ସେ ୧୫୪୨ ମସିହାରେ ଗରହ ରାଜ୍ୟ (ଗଡ଼ ସାମ୍ରାଜ୍ୟ)ର ରାଜା ସଂଗ୍ରାମ ଶାହାଙ୍କ ପୁତ୍ର ଦଳପଟ ଶାହାଙ୍କୁ ବିବାହ କରିଥିଲେ ।[୧] ସେ ମୋଗଲ ସାମ୍ରାଜ୍ୟ ବିରୁଦ୍ଧରେ ରହି ନିଜ ରାଜ୍ୟକୁ ରକ୍ଷା କରିଥିଲେ ।
ଜୀବନୀ
[ସମ୍ପାଦନା]ଦୁର୍ଗାବତୀ ୫ ଅକ୍ଟୋବର, ୧୫୨୪ ମସିହାରେ କଳିଞ୍ଜର ଦୁର୍ଗରେ ମହୋବା ରାଜ୍ୟକୁ ଶାସନ କରୁଥିବା ଚାନ୍ଦେଳର ରାଜା ଶାଲିଭାହନଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୨] ତୀର ଓ ବନ୍ଧୁକ ଚାଳନାରେ ଦୁର୍ଗାବତୀଙ୍କର ଭଲ ଅଭ୍ୟାସ ଥିଲା । ଚିତାବାଘ ଶିକାର କରିବାରେ ତାଙ୍କର ବିଶେଷ ଆଗ୍ରହ ରହିଥିଲା ।
ଦଳପଟ ଶାହା ୧୫୫୦ ମସିହାରେ ମୃତ୍ୟୁ ବରଣ କରିବା ପରେ କୁମାର ନାରାୟଣଙ୍କ ବୟସ କମ ହେତୁ ଦୁର୍ଗାବତୀ ଗୋଣ୍ଡୱାନା ରାଜ୍ୟର ରାଜତ୍ୱ ଗ୍ରହଣ କରିଥିଲେ । ରାଣୀ ଦୁର୍ଗାବତୀ ନିଜର ସମଗ୍ର ଦେଶରେ ଶାନ୍ତି, ବାଣିଜ୍ୟ ଏବଂ ଉତ୍ତମ ଇଚ୍ଛାକୁ ପ୍ରୋତ୍ସାହିତ କରିଥିଲେ ।[୩] ପରେ ରାଣୀ ଦୁର୍ଗାବତୀ ନିଜ ରାଜଧାନୀ ସିଙ୍ଗୋରଗଡ଼ ଦୁର୍ଗରୁ ଚୌରଗଡ଼ ଦୁର୍ଗକୁ ସ୍ଥାନାନ୍ତର କରିଥିଲେ ।
ମୋଗଲ ସହିତ ଯୁଦ୍ଧ
[ସମ୍ପାଦନା]୧୫୬୨ ମସିହାରେ ଆକବର ମାଲୱା ଶାସକ ବାଜ ବାହାଦୂରଙ୍କୁ ପରାସ୍ତ କରି ମାଲୱାକୁ ମୋଗଲ ସାମ୍ରାଜ୍ୟ ଅଧୀନରେ ରଖିଥିଲେ । ଫଳସ୍ୱରୂପ, ରାଣୀଙ୍କ ରାଜ୍ୟ ସୀମା ମୋଗଲ ରାଜ୍ୟକୁ ସ୍ପର୍ଶ କରିଥିଲା । ରାଣୀ ଦୁର୍ଗାବତୀଙ୍କ ସମସାମୟିକ ମୋଗଲ ସୁବେଦାର ଅବଦୁଲ ମାଜିଦ ଖାନ ଥିଲେ । ସେ ଜଣେ ଉଚ୍ଚାଭିଳାଷୀ ବ୍ୟକ୍ତି ଯିଏ ରେୱାର ଶାସକ ରାମଚନ୍ଦ୍ରଙ୍କୁ ପରାସ୍ତ କରିଥିଲେ । ରାଣୀ ଦୁର୍ଗାବତୀଙ୍କ ରାଜ୍ୟର ସମୃଦ୍ଧତା ତାଙ୍କୁ ଆକର୍ଷିତ କରିଥିଲା, ପରେ ସେ ମୋଗଲ ସମ୍ରାଟଙ୍କ ଅନୁମତି ନେବା ପରେ ରାଣୀଙ୍କ ରାଜ୍ୟ ଉପରେ ଆକ୍ରମଣ କରିଥିଲେ । ମୋଗଲ ଆକ୍ରମଣର ଏହି ଯୋଜନା ଆକବରଙ୍କ ବିସ୍ତାରବାଦ ଏବଂ ସାମ୍ରାଜ୍ୟବାଦର ଫଳାଫଳ ଥିଲା ।
ଶତ୍ରୁ ରାଜ୍ୟ ଭିତରକୁ ପ୍ରବେଶ କଲାବେଳେ ରାଣୀଙ୍କ ସୈନିକମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଉଭୟ ଦଳ କିଛି ସୈନିକମାନଙ୍କୁ ହରାଇଥିଲେ କିନ୍ତୁ ଏହି ଯୁଦ୍ଧରେ ରାଣୀ ବିଜୟୀ ହୋଇଥିଲେ । ଏହି ପର୍ଯ୍ୟାୟରେ ରାଣୀ ନିଜ ପରାମର୍ଶଦାତାମାନଙ୍କ ସହିତ ନିଜର ରଣନୀତି ସମୀକ୍ଷା କରିଥିଲେ । ସେ ସେମାନଙ୍କୁ ଦୁର୍ବଳ କରିବା ପାଇଁ ରାତିରେ ଶତ୍ରୁମାନଙ୍କ ଉପରେ ଆକ୍ରମଣ କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ସେନାଧ୍ୟକ୍ଷମାନେ ତାଙ୍କ ପରାମର୍ଶକୁ ଗ୍ରହଣ କରିନଥିଲେ ।
ଦୁର୍ଗାବତୀ, ଯୁଦ୍ଧରେ ଖରାପ ପରିସ୍ଥିତି ସତ୍ତ୍ବେ ଆତ୍ମସମର୍ପଣ କରିବାକୁ ମନା କରିଦେଇଥିଲେ ଏବଂ ମୋଗଲ ସୈନ୍ୟବାହିନୀମାନଙ୍କ ଉପରେ ଆକ୍ରମଣ ଜାରି ରଖିଥିଲେ । ତାଙ୍କ ପୁଅ କୁମାର ନାରାୟଣ ମଧ୍ୟ ଏହି ଯୁଦ୍ଧରେ ଭାଗ ନେଇଥିଲେ । ସେ ମୋଗଲ ସେନାମାନଙ୍କୁ ତିନିଥର ପଛକୁ ଫେରିବାକୁ ବାଧ୍ୟ କରିଥିଲେ କିନ୍ତୁ ଶେଷରେ ସେ ନିଜେ ଆହତ ହୋଇ ଏକ ସୁରକ୍ଷିତ ସ୍ଥାନକୁ ଫେରିଆସିଥିଲେ । ଯୁଦ୍ଧ ସମୟରେ ରାଣୀ ତୀରଦ୍ୱାରା ନିଜ କାନ ପାର୍ଶ୍ୱରେ ଜୋରେ ଆଘାତ ପାଇଥିଲେ । ଅନ୍ୟ ଏକ ତୀର ତାଙ୍କ ବେକକୁ ବିଦ୍ଧ କଲାପରେ ସେ ନିଜ ଚେତନା ହରାଇଥିଲେ । ଚେତନା ଫେରି ପାଇବା ପରେ ସେ ପରାଜୟର ଖୁବ ପାଖରେ ଥିଲେ । ତାଙ୍କର ହାତୀ ଚାଳକ ତାଙ୍କୁ ଯୁଦ୍ଧକ୍ଷେତ୍ର ଛାଡିବାକୁ କହିଥିଲେ କିନ୍ତୁ ସେ ମନା କରି ନିଜ ଖଣ୍ଡାଦ୍ୱାରା ୨୪ ଜୁନ୍ ୧୫୬୪ ମସିହାରେ ଆତ୍ମହତ୍ୟା କରିଥିଲେ । ତାଙ୍କର ଶହୀଦ ଦିବସ (୨୪ ଜୁନ୍ ୧୯୬୪) ଆଜି ମଧ୍ୟ "ବଳିଦାନ ଦିବସ" ଭାବରେ ସ୍ମରଣୀୟ ରହିଛି ।
ଉତ୍ତରାଧିକାରୀ
[ସମ୍ପାଦନା]- ୧୯୮୩ ମସିହାରେ ମଧ୍ୟପ୍ରଦେଶ ସରକାର ରାଣୀଙ୍କ ସ୍ମୃତିରେ ଜବଲପୁର ବିଶ୍ୱବିଦ୍ୟାଳୟର ନାମ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟ ନାମରେ ନାମିତ କଲେ ।
- ୨୪ ଜୁନ୍ ୧୯୮୮ ମସିହାରେ ଭାରତ ସରକାର ତାଙ୍କ ସ୍ମୃତିରେ ଏକ ଡାକ ଷ୍ଟାମ୍ପ ଜାରି କରିଥିଲେ ।[୪]
ଆଧାର
[ସମ୍ପାଦନା]- ↑ Dikshit, R. K. (1976). The Candellas of Jejākabhukti (in ଇଂରାଜୀ). Abhinav Publications. p. 8. ISBN 978-81-7017-046-4.
According to Abu Fazl however, Durgavati husband, Dalpat Shah was the son of a Kachavaha Rajput, who had been adopted by the raja of Gadha Mandla
- ↑ Beveridge, H. (1907). "Conquest of the country of Gadha Katanga by the sword of the genius of Khwaja Abdul Majid Asaf Khan". The Akbarnama Of Abul Fazl : Vol. II (in ଇଂରାଜୀ). p. 323-333. Archived from the original on 29 December 2016. Retrieved 6 May 2023.
- ↑ Knight, Roderic (2000). "The "Bana", Epic Fiddle of Central India". Asian Music. 32 (1): 101–140. doi:10.2307/834332. JSTOR 834332.
- ↑ "Rani Durgavati Stamp, Government of India, 1988".