ମାଧବାନନ୍ଦ ଦାସ ଗୋସ୍ୱାମୀ
ମାଧବାନନ୍ଦ ଦାସ ଗୋସ୍ୱାମୀ ଜଣେ ତନ୍ତ୍ର ସାଧକ ।
ବହୁ ବର୍ଷ ତଳେ ଗାଈଗୋରୁଙ୍କୁ ରୋଗହେଲେ ବାବା ମାଧବାନନ୍ଦ ମହାପୁରୁଷଙ୍କ ପାଖରେ ଲୋକମାନେ ମାନସିକ ରଖୁଥିଲେ । ପରେ ଆପେ ଆପେ ଗୋରୁ ରୋଗରୁ ମୁକ୍ତି ପାଉଥିଲେ । ସେତେବେଳେ ସାଲେପୁରର ମାଧବାନନ୍ଦ ମହାପୁରୁଷ ପାଲଟି ଯାଉଥିଲେ ଗୋରୁଙ୍କ ପ୍ରାଣରକ୍ଷାକାରୀ ଡାକ୍ତର । ସାଲେପୁର ବ୍ଲକ ନିକଟସ୍ଥ ଗୋପୀନାଥପୁର ଗ୍ରାମରେ ଥିବା ମାଧବାନନ୍ଦ ପୀଠରେ ଗୋରୁଙ୍କ ଆଶୁ ଆରୋଗ୍ୟ କାମନାକରି ଶହଶହ ଭକ୍ତ ପ୍ରତିଦିନ ମାଧବାନନ୍ଦ ମହାପୁରୁଷଙ୍କ ପୀଠକୁ ଆସିଥାନ୍ତି ।
ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ବାଇଶି ପାହାଚ ମଧ୍ୟରୁ ଦୁଇଟି ପାହାଚ ମାଧବାନନ୍ଦ ମହାପୁରୁଷଙ୍କ ନାମରେ ନାମିତ ହୋଇଛି ।
ପରିଚୟ
[ସମ୍ପାଦନା]କିମ୍ବଦନ୍ତୀ ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚାଟେଶ୍ୱର ମହାଦେବଙ୍କ ପୁତ୍ର ଥିଲେ ମାଧବାନନ୍ଦ । ଜନୈକ ସ୍ୱାମୀ ପରିତ୍ୟକ୍ତା ବ୍ରାହ୍ମଣ ଯୁବତୀଙ୍କ ସେବା ପୂଜାରେ ଚାଟେଶ୍ୱର ମହାପ୍ରଭୁ ସ୍ୱୟଂ ଆର୍ବିଭୁତ ହୋଇଥିଲେ । ଚାଟେଶ୍ୱର ମହାପ୍ରଭୁଙ୍କ ଆଶୀର୍ବାଦରୁ ସଂପୃକ୍ତ ଯୁବତୀ ଗର୍ଭବତୀ ହୋଇଥିଲେ । ପରେ ଲୋକନିନ୍ଦାରୁ ରକ୍ଷା ପାଇବାପାଇଁ ଯୁବତୀ ଜଣକ ମନ୍ଦିର ବେଢ଼ାରେ ଆତ୍ମହତ୍ୟା କରିବାକୁ ଯାଉଥିବାବେଳେ ହଠାତ କେଉଁଆଡେ ଉଭାନ ହୋଇଯାଇଥିଲେ । ପରେ ଏକ ନବଜାତ ଶିଶୁପୁତ୍ରଟିଏ ପାଦୁକା ନଳା ନିକଟସ୍ଥ ଏକ ପଦ୍ମପୋଖରୀ ପାଖରେ କୁଆଁକୁଆଁ ରାବ ଦେଲା । ପାଖରେ ଥିବା ଗୋପାଳମାନେ ଶିଶୁପୁତ୍ରଟିକୁ ପୋଖରୀ ନିକଟରୁ ଆଣି ବ୍ରାହ୍ମଣ ଗୋପୀନାଥ ଦାଶଙ୍କୁ ଲାଳନ ପାଳନ କରିବାପାଇଁ ଦେଇଥିଲେ । ସେହିଦିନଠାରୁ ସେ ମାଧବାନନ୍ଦ ଗୋସ୍ୱାମୀ ରୂପେ ପରିଚିତ ହୋଇଥିଲେ ।
ଅଲୌକିକ ଶକ୍ତି ପ୍ରଦର୍ଶନ
[ସମ୍ପାଦନା]ତାଙ୍କର ଅଲୌକିକ ଶକ୍ତି ଦେଖି ଅଧିକାଂଶ ଲୋକ ତାନ୍ତ୍ରିକ ବୋଲି କହୁଥିଲେ । ଥରେ ନାଗାରାଜ୍ୟର ଜଣେ ବିଶିଷ୍ଟ ସାଧୁ ବାଘ ଉପରେ ବସି ପୁରୀରୁ ଏଠାକୁ ଆସିଥିଲେ । ମାଧବାନନ୍ଦ ଗୋସ୍ୱାମୀ ଏକ ଭଙ୍ଗା କାନ୍ଥ ଉପରେ ବସି ଦାନ୍ତ ଘଷୁଥିବା ସମୟରେ ଏହା ଶୁଣିବା ପରେ ସଙ୍ଗେ ସଙ୍ଗେ ଖଣ୍ଡିଆ କାନ୍ଥକୁ ଆଦେଶ ଦେଲେ ତୁ ଚାଲ ମୁଁ ତୋ ଉପରେ ବସି ଗମନ କରିବି । ସତକୁ ସତ ଭଙ୍ଗା କାନ୍ଥଟି ଚାଲିବାକୁ ଲାଗିଲା । ଗୋପୀନାଥପୁରର ପୂର୍ବ ସୀମାନ୍ତରେ ୧ମାଇଲ ଯିବା ପରେ ଏହି ନାଗା ସନ୍ନ୍ୟାସୀଙ୍କ ସହିତ ମାଧବାନନ୍ଦଙ୍କର ସାକ୍ଷାତ ହୋଇଥିଲା । ମାଧବାନନ୍ଦ ମହାପୁରୁଷ ଏକ ଖଣ୍ଡିଆ କାନ୍ଥ ଉପରେ ବସି ଆସୁଥିବାରୁ ତାଙ୍କର ଅଲୌକିକତା ଦେଖି ସେ ଚକିତ ହୋଇଯାଇଥିଲେ । ଏବେ ସେ ସ୍ଥାନକୁ ଖଣ୍ଡିଆସାହି କୁହାଯାଉଛି । ଖଣ୍ଡିଆ ସାହିଠାରେ ଏବେ ଗାଦି ଗୋସ୍ୱାମୀ ନାମରେ ମହାପୁରୁଷଙ୍କ ବିରାଜମାନ ।
ସେହିପରି କଟକ ଚୌଦ୍ୱାର ନିକଟସ୍ଥ ତେଲିଆପଦା ମଠରେ ଥିବା ଜାମୁ ଓ ହରିଡ଼ା ବୃକ୍ଷ ମହାପୁରୁଷଙ୍କ ବଚନ ସିଦ୍ଧର ଏକ ମୂକସାକ୍ଷୀ ବୋଲି କୁହାଯାଏ । ଲୋକକଥାରୁ ଶୁଣାଯାଏ, ମାଧବାନନ୍ଦ ମହାପୁରୁଷ ଏହି ମଠରେ ରହୁଥିବାବେଳେ ସକାଳୁ ଉଠି ଦାନ୍ତ ଘଷିବା ସମୟରେ ଦୁଇଖଣ୍ଡ ଜିଭଛେଲା କାଠିକୁ ଏକାଠି କରି ବସିଥିବା ସ୍ଥାନରେ ପୋତିଦେଇ କହିଲେ ଗୋଟିଏ ପଟେ ଜାମୁ ଓ ଅନ୍ୟପଟେ ହରିଡ଼ା ଫଳିବୁ । ଆଶ୍ଚର୍ଯ୍ୟ କଥା ଦେଖାଗଲା ଦୁଇଟି ଶାଖାରେ ଦୁଇଟି ଫଳ ଅଲଗା ଅଲଗା ଫଳିଛି । ଏବେବି ସେ ଗଛ ୪୦୦ ବର୍ଷରୁ ଅଧିକ ସମୟ ହେଲାଣି ତିଷ୍ଠି ରହିଛି । ଗଛ ବେଶୀ ବଢ଼ୁ ନାହିଁ କି ତା’ର କିଛି କ୍ଷତି ହେଉନାହିଁ ।
ମାଧବାନନ୍ଦ ପୀଠ
[ସମ୍ପାଦନା](ମାଧବାନନ୍ଦ ମଠ ପୃଷ୍ଠାରୁ ଅଧିକ ଦେଖନ୍ତୁ ।)
ତାଙ୍କର ଆସ୍ଥାନ ଏବେ ମାଧବାନନ୍ଦ ମଠ ବୋଲାଉଛି । କଟକଠାରୁ ଜଗତପୁର ଦେଇ କଟକ-ଚାନ୍ଦବାଲି ରାସ୍ତାର ପାଗା ବଜାର ପଡ଼େ । ଏଠାରୁ ଗୋପୀନାଥପୁରକୁ ମାତ୍ର ୩କି.ମି ଗଲାପରେ ମାଧବାନନ୍ଦଙ୍କର ପୀଠ ପଡିଥାଏ । ଏଠାରେ ତାଙ୍କର ଦଧିଖେଳ ଯାତ୍ରା ପ୍ରସିଦ୍ଧ ।[୧]
ଆଧାର
[ସମ୍ପାଦନା]- ↑ ଜାନୁଆରୀ ୧୧ ରବିବାର ସମାଜ, ଦୃଷ୍ଟି ଆଢୁଆଳେ ମାଧବାନନ୍ଦ ମଠ (ଅକ୍ଷୟ କୁମାର ଦାଶ)