ମାଟିବିରାଡ଼ି ସାପ

ଉଇକିପିଡ଼ିଆ‌ରୁ

ମାଟିବିରାଡ଼ି ସାପ
ବ୍ରାହ୍ମଣୀ ସାପ
ହଲହଲିଆ ସାପ
ମହାରାଷ୍ଟ୍ରର ୟୱତ୍ମାଲଠାରେ ଦେଖାଯାଇଥିବା ଏକ ମାଟିବିରାଡ଼ି ସାପ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଶ୍ରେଣୀ: ରେପ୍ଟିଲିଆ
Order: Squamata
Suborder: Serpentes
Family: Colubridae
Genus: Amphiesma
ଜାତି: A. stolatum
ବାଇନୋମିଆଲ ନାମ
Amphiesma stolatum
(କାର୍ଲ୍ ଲିନାୟସ୍, ୧୭୫୮)
Synonyms
  • Coluber stolatus ଲିନାୟସ୍, ୧୭୫୮
  • Elaps bilineatus ଶ୍ନାଇଡର୍, ୧୮୦୧
  • Natrix stolatus – ମେରେମ୍, ୧୮୨୦
  • Tropidonotus stolatus – ଫ୍ରେଡ୍‍ରିକ୍ ବୋୟେ, ୧୮୨୭
  • Rhabdophis stolatus – ଫ୍ରାଂକ୍ ୱାଲ୍, ୧୯୨୧
  • Amphiesma stolatum – ଡେଭିଡ୍ ଓ ଅନ୍ୟମାନେ[୧]

ମାଟିବିରାଡ଼ି ସାପ (ଈଂରାଜୀରେ buff striped keelback, ଜୀବବିଜ୍ଞାନ ନାମ Amphiesma stolatum) ଏସିଆରେ ଦେଖାଯାଉଥିବା ଏକ ପ୍ରଜାତିର ବିଷହୀନ ସାପ । ଓଡ଼ିଶାର ଉପକୂଳ ଅଞ୍ଚଳରେ ମାଟିବିରାଡ଼ି ନାମଟି ଅଧିକ ପ୍ରଚଳିତ । ପଶ୍ଚିମ ଓଡ଼ିଶାରେ ଏହି ସାପକୁ ବ୍ରାହ୍ମଣୀ ସାପ ବା ବାମ୍‍ନୀ ସାପ୍ ବୋଲି ମଧ୍ୟ କୁହାଯାଏ । ମଧ୍ୟ ଓଡ଼ିଶା ଓ ଅନ୍ୟ କିଛି ସ୍ଥାନରେ ଏହି ସାପକୁ ହଲହଲିଆ ସାପ ବୋଲି ମଧ୍ୟ କୁହନ୍ତି । ଆମ୍ଫିଏସ୍ମା (Amphiesma) ସର୍ପ ଜାତିର ଏହା ଏକମାତ୍ର ସାପ । ସ୍ୱଭାବରେ ଏହା ଆଦୌ ଆକ୍ରାମକ ନୁହେଁ ଏବଂ ବେଙ୍ଗ ଇତ୍ୟାଦି ପ୍ରାଣୀଙ୍କର ଭକ୍ଷଣ କରିଥାଏ । ଜୀବବିଜ୍ଞାନ ଦୃଷ୍ଟିକୋଣରୁ ଏହି ସାପ ନ୍ୟାଟ୍ରିସିନାଏ (Natricinae) ଉପ-ପରିବାରର ଏବଂ ତୃଣବାସୀ ଏବଂ ଜଳବାସୀ ସାପଙ୍କ ନିକଟତମ ସମ୍ପର୍କୀୟ । ଏହି ସାପକୁ ଆମେରିକୀୟ ଗାର୍ଟର୍ ସାପର ଏସୀୟ ପ୍ରତିରୂପ ବୋଲି କହିପାରିବା । ଏହି ସାପ ଅତ୍ୟନ୍ତ ସାଧାରଣ କିନ୍ତୁ ତଥାପି ଖୁବ୍ କମ୍ ସମୟରେ ଦେଖାଯାଇଥାନ୍ତି ।

ଶରୀର ଗଠନ ଓ ବିବରଣୀ[ସମ୍ପାଦନା]

ମାଟିବିରାଡ଼ି ସାପର କାତି

ଅଳ୍ପ ଦୈର୍ଘ୍ୟବିଶିଷ୍ଟ, ପତଳା ଓ ଈଷତ୍ ହଳଦିଆ ଗାର ଗାର ଚିହ୍ନ ଥିବା ଏହି ସାପର ଶରୀର ସାଧାରଣତଃ ମାଟିଆ ଅଲିଭ୍ ବା ପାଉଁଶିଆ ରଙ୍ଗର ହୋଇଥାଏ । ମୁଣ୍ଡ ଓ ଦେହର ରଙ୍ଗରେ ବିଶେଷ ତଫାତ୍ ନଥାଏ ।

ଏହି ସାପ ଆକାରରେ ଛୋଟ । ଏହାର ଲାଞ୍ଜଟି ମଧ୍ୟ ପତଳା ଓ ସମଗ୍ର ଶରୀରର ଦୈର୍ଘ୍ୟର ଏକ-ଚତୁର୍ଥାଂଶ । ମୁଣ୍ଡରୁ ଲାଞ୍ଜ ପର୍ଯ୍ୟନ୍ତ ଯାଇଥିବା ଦୁଇଟି ହଳଦିଆ ପଟିଦ୍ୱାରା ଏହି ସାପକୁ ଅତି ସହଜରେ ଚିହ୍ନଟ କରାଯାଇପାରେ । ଏହି ହଳଦିଆ ପଟି ଦେହର ତଳ ପଟକୁ ସ୍ପଷ୍ଟ ଦିଶେ କିନ୍ତୁ ଦେହର ଉପରାର୍ଦ୍ଧରେ ମୁଣ୍ଡ ଆଡ଼କୁ କ୍ରମଶଃ ଅସ୍ପଷ୍ଟ ହୋଇଯାଏ ।

ମାଟିବିରାଡ଼ି ସାପର ଦେହର ପ୍ରସ୍ଥରେ କଳା ରଙ୍ଗର ପଟି ପଡ଼ିଥାଏ । ଉପରାର୍ଦ୍ଧରେ ବା ମୁଣ୍ଡ ପଟକୁ ଏହି ପଟି ସ୍ପଷ୍ଟ ତେବେ ନିମ୍ନାର୍ଦ୍ଧରେ ଏହି ପ୍ରସ୍ଥପଟି ଧୀରେ ଧୀରେ ମିଳେଇଯାଏ ।

ଜଣେ ଗାଇଡ୍ ସାପକୁ ଚିହ୍ନଟ କରୁଥିବାର ଚିତ୍ର
ମାଟିବିରାଡ଼ି ସାପର କଳା ଜିଭ

ଏହି ସାପର ମୁଣ୍ଡର ଦୁଇ ପାର୍ଶ୍ୱ ହଳଦିଆ ରଙ୍ଗର । ମୁଣ୍ଡଟି ବେକ ପାଖରୁ କ୍ରମଶଃ ତୀର ପରି ହୋଇଥାଏ । ପ୍ରଜନନ ଋତୁରେ ବେକର ପଶ୍ଚାତ୍ ଭାଗ ଲାଲ୍ ରଙ୍ଗର ହୋଇଯାଏ । ବେକ ଓ ମୁହଁର ଥୋଡ଼ି ପ୍ରାୟ ଧଳା ଓ କେବେକେବେ କମଳା ରଙ୍ଗର ହୋଇଥାଏ । ଆଖିର ଉପରକୁ ଓ ପଛ ପଟକୁ କଳା କଳା ଦାଗ ରହିଥାଏ । ଆଖିଗୁଡ଼ିକ ବଡ଼, ଗୋଲାକାର ଓ ଡୋଳାରେ ଏକ ସୁନେଲି ଛିଟା ଦେଖାଯାଏ । ଏହି ସାପର ଦୁଇଫାଳିଆ ଜିଭଟି କଳା ରଙ୍ଗର । ସାପର ପେଟ ପଟଟି ଘିଅ ପରି ବା ମଇଳା ଧଳା ରଙ୍ଗର । ଏଥିରେ ସ୍ଥାନେ ସ୍ଥାନେ କଳା ଦାଗମାନ ରହିଥାଏ । ସାପର ପିଠି ସାରା କାତିଦ୍ୱାରା ଆବୃତ ।

ବିଭିନ୍ନ ରୂପ[ସମ୍ପାଦନା]

ଏରିଥ୍ରୋଷ୍ଟିକ୍ଟସ୍ (Erythrostictus) ରୂପରଙ୍ଗଯୁକ୍ତ ଏକ ମାଟିବିରାଡ଼ି ସାପ
କେରଳର ଏଳିମାଲା ନାମକ ସ୍ଥାନର ଏକ ମାଟିବିରାଡ଼ି ସାପର ଏରିଥ୍ରୋଷ୍ଟିକ୍ଟସ୍ ରୂପ । ଲାଲ୍ ଦାଗ ଓ ହଳଦିଆ ପେଟ ଦୃଶ୍ୟମାନ ।

ମାଟିବିରାଡ଼ି ସାପର ଦୁଇଟି ଭିନ୍ନ ରୂପ ରହିଛି । ସାଧାରଣରେ ଏହାର ପାଉଁଶିଆ ରଙ୍ଗର ଦର୍ଶନ ମିଳେ । ଏହି ରଙ୍ଗର ସାପ ସର୍ବବ୍ୟାପ୍ତ । ମାଟିବିରାଡ଼ି ସାପର ଆଉ ଏକ ରୂପକୁ ଏହାର "ଏରିଥ୍ରୋଷ୍ଟିକ୍ଟସ୍" (erythrostictus) ରୂପ କୁହାଯାଏ । ମୁଖ୍ୟତଃ ଉପକୂଳ ଅଞ୍ଚଳରେ ଏହି ଦ୍ୱିତୀୟ ରୂପ ଦେଖିବାକୁ ମିଳେ । ଏହାର ବିଶେଷତା ହେଲା କାତିରେ ମଝିରେ ମଝିରେ ଲାଲ୍ ରଙ୍ଗର ଚିହ୍ନ ରହିଥାଏ । ଉତ୍ତେଜିତ ହୋଇଉଠିଲେ ହିଁ ଏହି ଲାଲ୍ ଛାପ ଦାଗ ସବୁ ସ୍ପଷ୍ଟ ରୂପେ ଦେଖାଯାନ୍ତି ।

ସାପକୁ ଚିହ୍ନଟ କରିବାର ସଙ୍କେତ[ସମ୍ପାଦନା]

ଆକାର[ସମ୍ପାଦନା]

ଏକ ମାଟିବିରାଡ଼ି ସାପର ଦୈର୍ଘ୍ୟ ମପାଯାଉଛି । ଚିତ୍ରରେ ଦେଖାଯାଉଥିବା ଏହି ସାପଟି ୫୨ ସେଣ୍ଟିମିଟର୍ ଲମ୍ବା ଥିଲା ।

ମାଟିବିରାଡ଼ି ସାପ ସାଧାରଣତଃ ୪୦-୫୦ ସେଣ୍ଟିମିଟର୍ (୧୬-୨୦ ଇଞ୍ଚ୍) ଲମ୍ବା ହୋଇଥାଏ । ଏଯାବତ୍ ପରିଲକ୍ଷିତ ସବୁଠାରୁ ଲମ୍ବା ମାଟିବିରାଡ଼ି ସାପର ଦୈର୍ଘ୍ୟ ହେଉଛି ୯୦ ସେଣ୍ଟିମିଟର୍ । ମାଈ ସାପମାନେ ଅଣ୍ଡିରା ସାପଙ୍କଠାରୁ ଦୀର୍ଘତର ହୋଇଥାନ୍ତି । ଅଣ୍ଡିରା ମାଟିବିରାଡ଼ି ସାପମାନେ ୬୨୦ ମିଲିମିଟର୍ ପର୍ଯ୍ୟନ୍ତ ଲମ୍ବା ହୋଇଥାନ୍ତି ।

ଭୌଗୋଳିକ ବିତରଣ[ସମ୍ପାଦନା]

ମାଟିବିରାଡ଼ି ସାପ ମୁଖ୍ୟତଃ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆରେ ଦେଖିବାକୁ ମିଳନ୍ତି । ପାକିସ୍ତାନର ସିନ୍ଧ୍ ଇଲାକାରୁ ନେଇ ଶ୍ରୀଲଙ୍କା, ଫିଲିପାଇନ୍‍ସ୍, ଆଣ୍ଡାମାନ୍ ଓ ନିକୋବର୍ ଦ୍ୱୀପପୁଞ୍ଜ ସମେତ ଭାରତ, ବଙ୍ଗଳାଦେଶ, ନେପାଳ, ମିଆଁମାର, ଥାଇଲାଣ୍ଡ, ଲାଓସ୍, କାମ୍ବୋଡିଆ, ଭିଏତନାମ, ଇଣ୍ଡୋନେସିଆ, (ବୋର୍ଣ୍ଣିଓ, ସବାଃ), ତାଇୱାନ୍ଚୀନ (ହାଇନାନ୍, ଫୁଜିଆନ୍, ଜିଆଂଗ୍‍ଜି, ହଂକଂ) ଇତ୍ୟାଦି ସ୍ଥାନ ପର୍ଯ୍ୟନ୍ତ ଏମାନେ ବ୍ୟାପ୍ତ । ଭାରତରେ ସମୁଦ୍ରପତନଠାରୁ ୩୦୦୦ଫୁଟ୍ ଉଚ୍ଚତାରେ ମଧ୍ୟ ମାଟିବିରାଡ଼ି ସାପ ଦେଖାଯାଇଛି ।

ସଂରକ୍ଷଣ ସ୍ଥିତି[ସମ୍ପାଦନା]

ଏହି ସାପ ନିଜ ପରିବାସରେ ସର୍ବବ୍ୟାପ୍ତ । ତେଣୁ ଏହି ସାପର ଅନ୍ତର୍ଜାତୀୟ ସଂରକ୍ଷଣକୁ ନେଇ ବର୍ତ୍ତମାନ କୌଣସି ଚିନ୍ତାର କାରଣ ନାହିଁ ।

ପରିସ୍ଥିତିକ ବ୍ୟବହାର ଓ ଜୀବନ ଚକ୍ର[ସମ୍ପାଦନା]

ପରିବାସ[ସମ୍ପାଦନା]

ଏହି ସାପ ନିଜର ଏକ ଇଲାକା ବା କ୍ଷେତ୍ର ନିୟନ୍ତ୍ରଣ କରିଥାଏ । ମାଟିବିରାଡ଼ି ସାପ ମୁଖ୍ୟତଃ ଦିବାଚର । ଆର୍ଦ୍ର ବା ଜଳାଶୟ ନିକଟବର୍ତ୍ତୀ ସମଭୂମି ଓ ପାହାଡ଼ିଆ ସ୍ଥାନରେ ଏହି ସାପ ବିଚରଣ କରିବାର ଦେଖାଯାଏ ।[୨]

ଖାଦ୍ୟ ସମ୍ବନ୍ଧୀୟ ତଥ୍ୟ[ସମ୍ପାଦନା]

ମାଟିବିରାଡ଼ି ସାପର ମୁଖ୍ୟ ଆହାର ହେଉଛି ବେଙ୍ଗ । ଅନ୍ୟ କ୍ଷୁଦ୍ର ଉଭୟଚର ପ୍ରାଣୀ, ଛୋଟ ମାଛ, ଜିଆ, ଛୋଟ ଚମ୍ପେଇ ନେଉଳ ଇତ୍ୟାଦି ମଧ୍ୟ ଏମାନଙ୍କ ଖାଦ୍ୟତାଲିକାର ଅନ୍ତର୍ଭୁକ୍ତ ।[୨]

ଜୀବନ ଚକ୍ର[ସମ୍ପାଦନା]

ଅଣ୍ଡା ବସା

ମାଟିବିରାଡ଼ି ସାପମାନେ ଅଣ୍ଡା ଦିଅନ୍ତି ଯାହା ଫୁଟିଲେ ସେମାନଙ୍କ ଶାବକ ଜନ୍ମ ହୋଇଥାନ୍ତି । ଗ୍ରୀଷ୍ମ ଋତୁରେ ନିଷ୍କ୍ରିୟ ଓ ଲୁକ୍କାୟିତ ଅବସ୍ଥାରେ ରହିଥିବା ସମୟରେ ମିଳନ କ୍ରିୟା ସମାପ୍ତ ହୁଏ ବୋଲି ବିଶେଷଜ୍ଞଙ୍କ ଧାରଣା । ଅପ୍ରେଲ୍‍ରୁ ଅଗଷ୍ଟ ମାସ ଯାଏଁ ମାଈ ସାପମାନଙ୍କୁ ଗର୍ଭବତୀ ଅବସ୍ଥାରେ ଦେଖାଯାଇଛି ଏବଂ ମଇରୁ ସେପ୍ଟେମ୍ବର ମଧ୍ୟରେ ମାଈ ସାପମାନେ ଭୂତଳ ଗର୍ତ୍ତରେ ଅଣ୍ଡା ଦେଇଥାନ୍ତି । ମାଈ ମାଟିବିରାଡ଼ି ସାପ ଏକା ସହିତ ୫-୧୦ଟି ପରିଷ୍କାର ଧଳା ରଙ୍ଗର ଅଣ୍ଡା ଦେଇଥାଏ । ଅଣ୍ଡା ଫୁଟି ଛୁଆ ବାହାରିବା ପର୍ଯ୍ୟନ୍ତ ମାଈ ସାପ ବସାରେ ଜଗି ରହିଥାଏ । ଶାବକ ମାଟିବିରାଡ଼ି ସାପଗୁଡ଼ିକ ୧୩ରୁ ୧୭ ସେଣ୍ଟିମିଟର୍ ପର୍ଯ୍ୟନ୍ତ ଲମ୍ବା ହୋଇଥାନ୍ତି । ପୋକଯୋକ, ଛୋଟ ବେଙ୍ଗ, ବେଙ୍ଗଫୁଲା, ମାଛ, ଜିଆ ଇତ୍ୟାଦି ଖାଇ ଶାବକମାନେ ଜୀବନ ଧାରଣ କରିବାରେ ସକ୍ଷମ ହୁଅନ୍ତି ।[୨]

ବ୍ୟବହାର[ସମ୍ପାଦନା]

ମାଟିବିରାଡ଼ି ସାପ ଦିବାଚର । ଏହି ସାପକୁ ଅଧିକାଂଶରେ ଭୂମି ଉପରେ ବିଚରଣ କରୁଥିବାର ଦେଖିବାକୁ ପାଇବା । ତେବେ ଏହି ସାପ ପାଣିରେ ମଧ୍ୟ ଅଚିରେ ଚଳପ୍ରଚଳ ହୋଇପାରେ । ବେଙ୍ଗ ଧରିବା ପାଇଁ ଏହାର ପଛ ଦାନ୍ତଗୁଡ଼ିକ ସାମାନ୍ୟ ବଡ଼ ହୋଇଥାଏ ।

ଏହି ସାପ ବିଷହୀନ ଏବଂ ଅତ୍ୟନ୍ତ ନିରୀହ । କିନ୍ତୁ ଉତ୍ତେଜିତ ହେଲେ ବା ସତର୍କ ହୋଇଗଲେ ଏହା ବଡ଼ ଦେଖାଯିବା ପାଇଁ ନିଜର ଦେହକୁ ସାମାନ୍ୟ ଫୁଲାଇ ଦିଏ । ଫଳରେ ଏହାର ଲାଲ୍ ରଙ୍ଗର ଅଭ୍ୟନ୍ତରୀଣ କାତି ଦୃଶ୍ୟମାନ ହୋଇଥାଏ । ବେଳେବେଳେ ସାପଟି ପାତ ପରି ଚେପଟା ରୂପ ଧାରଣ କରେ । ଏପରି ରୂପ ଯୋଗୁଁ ଲୋକେ ଭୁଲରେ ଏହାକୁ ନାଗ ଛୁଆ ବୋଲି ଧରିନିଅନ୍ତି ।

ମାଟିବିରାଡ଼ି ସାପ ଅତ୍ୟନ୍ତ ଉତ୍ତପ୍ତ ମାସମାନଙ୍କରେ ଲୁଚି ରହିଥାଏ ଓ ଗ୍ରୀଷ୍ମ ଋତୁର ଶେଷରେ ପଦାକୁ ବାହାରେ । ବର୍ଷା ଋତୁରେ ଏମାନେ ସବୁଆଡ଼େ ଦେଖାଯାନ୍ତି । ଗ୍ରୀଷ୍ମ ଋତୁରେ ଉତ୍ତର ଭାରତରେ ମାଟିବିରାଡ଼ି ସାପମାନେ ଭୂମି ତଳେ ପ୍ରାୟ ୨୫-୪୫ ସେଣ୍ଟିମିଟର୍ (୧୦-୧୮ ଇଞ୍ଚ୍) ଗଭୀର ଗାତରେ ଓ ଘାସର ଚେର ତଳେ ଲୁଚି ରହନ୍ତି ।

ମାଟିବିରାଡ଼ି ସାପର ବିଭିନ୍ନ ସ୍ଥାନୀୟ ନାମ[ସମ୍ପାଦନା]

ବନ୍ଦୀ କରି ରଖାଯାଇଥିବା ଏକ ମାଟିବିରାଡ଼ି ସାପ
ଅତି ନିକଟରୁ ମାଟିବିରାଡ଼ି ସାପର ମୁଣ୍ଡର ଚିତ୍ର
  • ଅହମିୟା – ବାମୁନୀ ସାପ୍
  • ବଙ୍ଗଳା – বামুনী ঢোঁড়া সাপ (ବାମୁନୀ ଧୋରା ସାଁପ୍), বামুনী সাপ (ବାମୁନୀ ସାଁପ୍), হেলে সাপ (ହେଲେ ସାଁପ୍), ঘরকুনো সাপ (ଘର୍‍କୁନୋ ସାଁପ୍)
  • ଉତ୍ତର ବଙ୍ଗ (ସ୍ଥାନୀୟ ନାମ) — ଘେଣ୍ଟି ସାପ୍
  • ମରାଠୀ – ନାନେଟୀ
  • ତେଲୁଗୁ – ୱନ୍ନପମ୍
  • ତାମିଲ୍ – ନିର୍କତାନ୍ ପମ୍ବୁ
  • ତୁଳୁ (ଏକ କୋଙ୍କଣୀ ଭାଷା) – ପାଗେଲେ
  • ସିଂହଳୀ – ଅହରାକୁକ୍କା
  • ଛତିଶଗଡ଼ୀ - "ପିର୍ପିଟ୍ଟି ସାଁପ୍"
  • ହିନ୍ଦୀ - "ସୀତାଲଟ୍" सीतालट

ଚିତ୍ର ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. Amphiesma stolatum at the Reptarium.cz Reptile Database
  2. ୨.୦ ୨.୧ ୨.୨ "ଆର୍କାଇଭ୍ କପି". Archived from the original on 2015-08-22. Retrieved 2018-07-21. {{cite web}}: Cite has empty unknown parameter: |1= (help)

ପୁସ୍ତକ ଆଧାର[ସମ୍ପାଦନା]

  • Boulenger, George A. 1890. The Fauna of British India, Including Ceylon and Burma. Reptilia and Batrachia. Secretary of State for India in Council. (Taylor and Francis, Printers). London. xviii + 541 pp. (Tropidonotus stolatus, pp. 348–349.)
  • Boulenger, G.A. 1893. Catalogue of the Snakes in the British Museum (Natural History). Volume I., Containing the Families...Colubridæ Aglyphæ, Part. Trustees of the British Museum (Natural History). (Taylor and Francis, Printers). London. xiii + 448 pp. + Plates I.-XXVIII. (Tropidonotus stolatus, pp. 253–254.)
  • Cox, Merel J.; Van Dijk, Peter Paul; Jarujin Nabhitabhata & Thirakhupt, Kumthorn. 1998. A Photographic Guide to Snakes and Other Reptiles of Peninsular Malaysia, Singapore and Thailand. Ralph Curtis Publishing. Sanibel Island, Florida. 144 pp.
  • Daniels, J.C. 2002. Book of Indian Reptiles and Amphibians. BNHS. Oxford University Press. Mumbai.
  • Das, I. 1999. Biogeography of the amphibians and reptiles of the Andaman and Nicobar Islands, India. In: Ota, H. (ed) Tropical Island herpetofauna. Elsevier, pp. 43–77.
  • Das, I. 2002. A Photographic Guide to Snakes and Other Reptiles of India. Ralph Curtis Books. Sanibel Island, Florida. 144 pp. ISBN 0-88359-056-5. (Amphiesma stolatum, p. 19.)
  • Linnaeus, C. 1758. Systema Naturae. 10th Edition: 204 pp.
  • Wall, Frank. 1921. Ophidia Taprobanica or the Snakes of Ceylon. Colombo Museum. (H.R. Cottle, government printer). Colombo. xxii + 581 pp.
  • Whitaker, Romulus. 2006. Common Indian Snakes - A Field Guide. Revised edition. MacMillan India Ltd. New Delhi.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]