ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ ବ୍ରହ୍ମପୁର

ଉଇକିପିଡ଼ିଆ‌ରୁ
Jump to navigation Jump to search
ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ ବ୍ରହ୍ମପୁର
ଫାଇଲ:IISER Berhampur Logo.svg
ପ୍ରତିଷ୍ଠା୨୦୧୬ [୧]
ପ୍ରକାରସର୍ବସାଧାରଣ
ନିର୍ଦ୍ଦେଶକପ୍ରଫେସର କେ. ଭି. ଆର୍. ଚାରୀ [୨]
ଅବସ୍ଥାନବ୍ରହ୍ମପୁର, ଓଡ଼ିଶା, ଭାରତ
19°18′38″N 84°49′39″E / 19.310653°N 84.827539°E / 19.310653; 84.827539(ଅସ୍ଥାୟୀ କ୍ୟାମ୍ପସ୍)
ୱେବସାଇଟwww.iiserbpr.ac.in

ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ ବ୍ରହ୍ମପୁର (ଇଂରାଜୀ: Indian Institute of Science Education and Research Berhampur, ସଂକ୍ଷେପରେ ଆଇଜର ବ୍ରହ୍ମପୁର) ଏକ ଭାରତୀୟ ସ୍ୱୟଂଶାସିତ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ । ଏହା ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟଦ୍ୱାରା (ପୂର୍ବରୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ) ଓଡ଼ିଶାର ବ୍ରହ୍ମପୁରଠାରେ ପ୍ରତିଷ୍ଠା କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଉଚ୍ଚତର ବୈଜ୍ଞାନିକ ଶିକ୍ଷା ଏବଂ ଅନୁସନ୍ଧାନ ସହ ସ୍ନାତକ ଓ ସ୍ନାତକୋତ୍ତର ସ୍ତରରେ ବୈଜ୍ଞାନିକ ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବା ଏବଂ ଉଚ୍ଚ ଗୁଣ ସମ୍ପନ୍ନ ଶିକ୍ଷାବିତ ଗଠନ ଏହାର ଉଦ୍ଦେଶ୍ୟ ଥିଲା । ଏହି ଅନୁଷ୍ଠାନକୁ ଭାରତ ସରକାର 'ଜାତୀୟ ମହତ୍ତ୍ୱପୂର୍ଣ୍ଣ ଅନୁଷ୍ଠାନ'ର ମାନ୍ୟତା ପ୍ରଦାନ କରିଛନ୍ତି । ଏହା ୨୦୧୬-୧୭ ଶିକ୍ଷାବର୍ଷ ଅଗଷ୍ଟ ମାସରେ ନିଜର କାର୍ଯ୍ୟ ଆରମ୍ଭ କରିଥିଲା । ଏହା ଭାରତର ଅନ୍ୟ ସାତୋଟି ଆଇଜର ମଧ୍ୟରୁ ଅନ୍ୟତମ ।

ଇତିହାସ[ସମ୍ପାଦନା]

ଗୁଣାତ୍ମକ ଶିକ୍ଷା ଏବଂ ମୌଳିକ ବିଜ୍ଞାନରେ ଗବେଷଣାକୁୁ ପ୍ରୋତ୍ସାହିତ କରିବାପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟଦ୍ୱାରା ୨୦୦୬ ମସିହାରେ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ ସ୍ଥାପନ କରାଯାଇଥିଲା । ଜାତୀୟ ପ୍ରଯୁକ୍ତିବିଦ୍ୟା, ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ (NITSER) ଅଧିନିୟମ, ୨୦୦୭ରେ ସଂଶୋଧନ ଓ ପରିବର୍ତ୍ତନ ଆଣି ସଂସଦରେ ପ୍ରଯୁକ୍ତିବିଦ୍ୟା, ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ (NITSER) ବିଲ୍, ୨୦୧୬ ମାଧ୍ୟମରେ ମୂଳ ଅଧିନିୟମର ଦ୍ୱିତୀୟ ପରିଶିଷ୍ଟରେ ଆଇଜର ତିରୁପତି ଓ ଆଇଜର ବ୍ରହ୍ମପୁରକୁ ସାମିଲ କରାଯାଇଥିଲା । [୩] ସେତେବେଳର କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨୦୧୫ ମସିହାରେ ନିଜର ବଜେଟ୍ ଭାଷଣରେ ଆଇଜର ବ୍ରହ୍ମପୁରର ପ୍ରତିଷ୍ଠା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହା ପୂର୍ବରୁ ପୁଣେ ଏବଂ କୋଲକାତା (୨୦୦୬), ମୋହାଲି (୨୦୦୭), ଭୋପାଳ ଏବଂ ତିରୁଅନନ୍ତପୁରମ (୨୦୦୮)ଠାରେ ଅନ୍ୟ ୫ଟି ଆଇଜର ପ୍ରତିଷ୍ଠା କରାଯାଇଥିଲା ।

ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ[ସମ୍ପାଦନା]

ଉଦ୍ଦେଶ୍ୟ :

ଆଇଜର ବ୍ରହ୍ମପୁରର ଲକ୍ଷ୍ୟ ହେଉଛି ଏପରି ଏକ ଉଚ୍ଚ ଦକ୍ଷତାପୂର୍ଣ୍ଣ ଗବେଷଣା ପ୍ରତିଷ୍ଠାନର ସୃଷ୍ଟି ଓ ବିକାଶ କରିବା, ଯାହା ମୌଳିକ ବିଜ୍ଞାନରେ ଶିକ୍ଷାଦାନ ଏବଂ ଶିକ୍ଷାକୁ ଅତ୍ୟାଧୁନିକ ଗବେଷଣା ସହିତ ଏକୀକୃତ କରିପାରିବ । ଆଇଜରଗୁଡ଼ିକ ସ୍ନାତକ ଓ ସ୍ନତକୋତ୍ତର ଶିକ୍ଷା ପ୍ରତି ଉତ୍ସର୍ଗୀକୃତ ଏବଂ ଶିକ୍ଷାଦାନ ଓ ବିଜ୍ଞାନର ଶିକ୍ଷଣକୁ ଏକୀକୃତ କରି ମୌଳିକ ବିଜ୍ଞାନକୁ ଅଧିକ ଆକର୍ଷଣୀୟ କରି ଗଢିତୋଳିବା ସେମାନଙ୍କର ପ୍ରଧାନ ଉଦ୍ଦେଶ୍ୟ ।

ଲକ୍ଷ୍ୟ :

  • ମୌଳିକ ବିଜ୍ଞାନରେ ଗୁଣାତ୍ମକ ଶିକ୍ଷା ଏବଂ ଅନୁସନ୍ଧାନ ସୃଷ୍ଟି କରିବା ।
  • ଉଚ୍ଚମାନର ଶିକ୍ଷକଙ୍କୁ ଆକର୍ଷିତ କରିବା ଏବଂ ପ୍ରତିପୋଷଣ କରିବା ।
  • ଅଳ୍ପ ବୟସରେ ଅନୁସନ୍ଧାନରେ ପ୍ରବେଶ ଯୋଗାଇବା ପାଇଁ ବିଜ୍ଞାନରେ ଏକୀକୃତ ମାଷ୍ଟର୍ସ କାର୍ଯ୍ୟକ୍ରମ ସୃଷ୍ଟି କରିବା । ଏଥିସହ, ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ବ୍ୟକ୍ତିଙ୍କ ପାଇଁ ଅନୁଷ୍ଠାନଗୁଡ଼ିକରେ ସ୍ନାତକୋତ୍ତର ଏବଂ ପି.ଏଚ.ଡି. ପାଇଁ ଏକୀକୃତ ପ୍ରୋଗ୍ରାମ ରହିବ ।
  • ବିଜ୍ଞାନରେ ଏକ ନମନୀୟ ସୀମାହୀନ ପାଠ୍ୟକ୍ରମ ସମ୍ଭବ କରିବା ।
  • ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଏବଂ ଗବେଷଣାଗାର ଏବଂ ଅନୁଷ୍ଠାନ ସହିତ ସମ୍ପର୍କ ମାଧ୍ୟମରେ ସକ୍ରିୟ ଭାବରେ ଦୃଢ଼ ସମ୍ପର୍କ ସ୍ଥାପନ କରିବା ।
  • ଉନ୍ନତ ଅନୁସନ୍ଧାନ ଗବେଷଣାଗାର ଏବଂ କେନ୍ଦ୍ରୀୟ ସୁବିଧା ପ୍ରତିଷ୍ଠା କରିବା |[୪]

କ୍ୟାମ୍ପସ[ସମ୍ପାଦନା]

ଆଇଜର ବ୍ରହ୍ମପୁର ସରକାରୀ ଆଇ.ଟି.ଆଇ. ବ୍ରହ୍ମପୁରରେ ଏହାର ଅସ୍ଥାୟୀ କ୍ୟାମ୍ପସରୁ ସାମୟିକ ଭାବେ କାର୍ଯ୍ୟ କରୁଛି । ସ୍ଥାୟୀ କ୍ୟାମ୍ପସ ବ୍ରହ୍ମପୁର ନିକଟ ଲାଉଡ଼ିଗ୍ରାମରେ ନିର୍ମାଣ ଚାଲିଛି ।

ଶୈକ୍ଷିକ କାର୍ଯ୍ୟକ୍ରମ[ସମ୍ପାଦନା]

ଆଇଜର ବ୍ରହ୍ମପୁର ବର୍ତ୍ତମାନ ବି. ଏସ. ଏମ୍. ଏସ. ଦ୍ବୈତ ଡିଗ୍ରୀ, ଇଣ୍ଟିଗ୍ରେଟେଡ୍ ପି. ଏଚ. ଡି. ଏବଂ ପି. ଏଚ. ଡି. ପ୍ରଦାନ କରୁଛି ।

  • ବି. ଏସ. ଏମ୍. ଏସ. ଦ୍ବୈତ ଡିଗ୍ରୀ (Dual-degree Bachelor of Science & Master of Science (BS-MS)) ଏକ ୫ ବର୍ଷୀୟ ଦ୍ବୈତ ଡିଗ୍ରୀ ଓ BS-MS କାର୍ଯ୍ୟକ୍ରମ ହେଉଛି ସମସ୍ତ ଆଇଜରର ମୁଖ୍ୟ ଶୈକ୍ଷିକ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମର ପ୍ରଥମ ଦୁଇ ବର୍ଷ ସମସ୍ତ ବିଷୟ (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ଜୀବ ବିଜ୍ଞାନ, ମାନବିକତା ଏବଂ ଆନ୍ତଃ ବିଭାଗୀୟ ପାଠ୍ୟକ୍ରମ)ରେ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ । ପରବର୍ତ୍ତୀ ଦୁଇ ବର୍ଷ ପାଇଁ ଛାତ୍ରମାନେ ସେମାନଙ୍କର ଅନୁସନ୍ଧାନ ଆଗ୍ରହ ଅନୁଯାୟୀ ଏକ 'ମେଜର' ଏବଂ 'ମାଇନର' ବିଷୟ ଚୟନ କରନ୍ତି । ପଞ୍ଚମ ବର୍ଷ ସମ୍ପୂର୍ଣ୍ଣ ଭାବରେ ଗବେଷଣା/ବିଶେଷ ତାଲିମ ନିମନ୍ତେ ସମର୍ପିତ । ସେଥିରେ ସେମାନେ ପ୍ରକଳ୍ପ ସମ୍ବନ୍ଧୀୟ ଏକ ଗବେଷଣା ନିବନ୍ଧ ପ୍ରସ୍ତୁତ କରିଥାନ୍ତି । ପଞ୍ଚମ ବର୍ଷ ଶେଷରେ ସଫଳ ପ୍ରାର୍ଥୀଙ୍କୁ ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀ ପ୍ରଦାନ କରାଯାଏ ।[୫] ବି. ଏସ. ଏମ୍. ଏସ. କାର୍ଯ୍ୟକ୍ରମରେ ନାମଲେଖା ପାଇଁ କେବଳ ନିମ୍ନଲିଖିତ ଛାତ୍ରମାନେ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି:
  1. କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା (KVPY): ମୌଳିକ ବିଜ୍ଞାନ ଷ୍ଟ୍ରିମର ଯେଉଁ ଛାତ୍ରମାନେ ଚଳିତ ଆଡମିଶନ ବର୍ଷରେ KVPY ଛାତ୍ରବୃତ୍ତି (SA / SX / SB ଷ୍ଟ୍ରିମ୍ ରେ) ଲାଭ କରିଛନ୍ତି, ସେହି ପ୍ରାର୍ଥୀମାନେ ଆଡମିଶନ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି ।
  2. ମିଳିତ ପ୍ରବେଶିକା ପରୀକ୍ଷା (ଉନ୍ନତ) - Joint Entrance Examination (Advanced): ସାଧାରଣ ବର୍ଗର ପ୍ରାର୍ଥୀମାନେ, ଯେଉଁମାନେ ଜେ. ଇ. ଇ. ଆଡଭାନ୍ସର ସାଧାରଣ କ୍ରମାଙ୍କ ତାଲିକା (CRL)ରେ ୧୦୦୦ ମଧ୍ୟରେ ପଦବୀ ସୁରକ୍ଷିତ କରିଛନ୍ତି ସେମାନେ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି । ସଂରକ୍ଷିତ ବର୍ଗ (OBC-NCL, ଅନୁସୂଚିତ ଜାତି(SC), ଅନୁସୂଚିତ ଜନଜାତି (ST), ଭିନ୍ନକ୍ଷମ (PD))ର ପ୍ରାର୍ଥୀମାନଙ୍କ ପାଇଁ ସେମାନଙ୍କର ବର୍ଗ ମାନ୍ୟତା ବ୍ୟବହାର କରାଯାଏ ।
  3. ରାଜ୍ୟ ଏବଂ କେନ୍ଦ୍ରୀୟ ବୋର୍ଡ State and Central Boards (SCB): ଯେଉଁ ଛାତ୍ରମାନେ ଚଳିତ କିମ୍ବା ପୂର୍ବ ବର୍ଷ ବିଜ୍ଞାନ ଷ୍ଟ୍ରିମ୍ ସହିତ (୧୦ + ୨) ସ୍ତର ପାସ କରିଛନ୍ତି, ସେମାନେ ନିଜ ନିଜ ବୋର୍ଡରେ କଟ୍ ଅଫ୍ ଶତକଡ଼ା କିମ୍ବା ତା’ଠାରୁ ଅଧିକ ମାର୍କ ସହିତ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି । ଏକ ଯୁଗ୍ମ ଆଡମିଶନ ପ୍ରୋଗ୍ରାମ୍ ମାଧ୍ୟମରେ ଏହା ବର୍ତ୍ତମାନ ଅନ୍ୟ ଆଇଜର ସହିତ ସମନ୍ୱୟରେ କରାଯାଉଅଛି । ଏଥି ପାଇଁ ସେମାନଙ୍କୁ "ଆଇଜର ଦକ୍ଷତା ପରୀକ୍ଷା (IISER Aptitude Test (IAT)" ଦେବାକୁ ପଡିଥାଏ ।[୬]
  • ଡକ୍ଟରେଟ ଇନ୍ ଫିଲୋସୋଫି (Ph.D.): ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିବା ପରେ ଡକ୍ଟରାଲ୍ କାର୍ଯ୍ୟକ୍ରମରେ ଆଡମିଶନ କରାଯାଇପାରେ । ବି. ଏସ. ଏମ୍. ଏସ. ଦ୍ବୈତ ଡିଗ୍ରୀ କାର୍ଯ୍ୟକ୍ରମର ଛାତ୍ରମାନଙ୍କ ବ୍ୟତୀତ ଅନ୍ୟ ବିଶ୍ୱବିଦ୍ୟାଳୟ / ଅନୁଷ୍ଠାନରୁ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ସ୍ନାତକୋତ୍ତର ଛାତ୍ରମାନେ ମଧ୍ୟ ଡକ୍ଟରାଲ୍ କାର୍ଯ୍ୟକ୍ରମରେ ଭର୍ତ୍ତି ହୋଇପାରିବେ । ଏହି କାର୍ଯ୍ୟକ୍ରମରେ ବାଧ୍ୟତାମୂଳକ ପାଠ୍ୟକ୍ରମ କାର୍ଯ୍ୟ, ଯୋଗ୍ୟତା ପରୀକ୍ଷା, ଅଧ୍ୟାପକଙ୍କ ଅଧୀନରେ ଥେସିସ୍ ଗବେଷଣା, ଏକ ଖୋଲା ସେମିନାର ଏବଂ ଡିସର୍ଟେସନ୍ ପ୍ରତିରକ୍ଷା ପରୀକ୍ଷା ଅନ୍ତର୍ଭୁକ୍ତ ହୋଇଥାଏ, ଯାହାକି ପି. ଏଚ. ଡି. ଲାଭ କରିବା ନିମନ୍ତେ ଏକାନ୍ତ ଆବଶ୍ୟକ । ଡିଗ୍ରୀ ଛାତ୍ରଙ୍କ ପୃଷ୍ଠଭୂମି ଉପରେ ନିର୍ଭର କରି ପାଠ୍ୟକ୍ରମର ପରିମାଣ ଭିନ୍ନ କରାଯାଇପାରେ । ବ୍ୟକ୍ତିଗତ ଅନୁସନ୍ଧାନ ବ୍ୟତୀତ, ଛାତ୍ରମାନେ ଅନେକ ବୃତ୍ତିଗତ କାର୍ଯ୍ୟକଳାପ ଯେପରିକି ସେମିନାର, କର୍ମଶାଳା, ଉପସ୍ଥାପନା ଏବଂ ସମୀକ୍ଷା ବୈଠକରେ ଜଡିତ ହେବେ ତଥା ଅଧ୍ୟାପକମାନଙ୍କୁ ଡକ୍ଟରାଲ୍ କାର୍ଯ୍ୟକ୍ରମ ସମୟରେ ଶିକ୍ଷାଦାନରେ ସାହାଯ୍ୟ କରିବାକୁ ହୁଏ ।[୭]
  • ଇଣ୍ଟିଗ୍ରେଟେଡ୍ ପି. ଏଚ. ଡି.(iPh.D.): ଏହି କାର୍ଯ୍ୟକ୍ରମ ହେଉଛି ଏପରି ଏକ କାର୍ଯ୍ୟକ୍ରମ, ଯାହାର ପରିଶେଷରେ ଏକ ସ୍ନାତକୋତ୍ତର ଡିଗ୍ରୀ ଓ ପି. ଏଚ. ଡି. ଡିଗ୍ରୀ ପ୍ରଦାନ କରାଯାଇଥାଏ । ଏଥିରେ ପ୍ରଥମ ତିନିଟି ସେମିଷ୍ଟାର କୋର୍ ଏବଂ ଚୟନ ପାଠ୍ୟକ୍ରମ ପଢ଼ାଯାଇଥାଏ ଓ ଚତୁର୍ଥ ସେମିଷ୍ଟାରରେ ଉନ୍ନତ ପାଠ୍ୟକ୍ରମ ସହିତ ପ୍ରକଳ୍ପକାର୍ଯ୍ୟ ରହିଥାଏ । ବିସ୍ତୃତ ଏବଂ ପ୍ରକଳ୍ପ କାର୍ଯ୍ୟ ପରେ ଛାତ୍ରଛାତ୍ରୀମାନେ ଗବେଷଣାତ୍ମକ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି, ଯାହା ସେମାନଙ୍କୁ ପି. ଏଚ. ଡି. ଲାଭରେ ସହାୟକ ହୋଇଥାଏ । ଏହିପରି ଭାବରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଶେଷ ହେବାକୁ ପ୍ରାୟ ୭ ବର୍ଷ ଲାଗିଥାଏ ।[୮] [୯]

ବିଭାଗ[ସମ୍ପାଦନା]

ଏହି ଅନୁଷ୍ଠାନରେ ମୋଟ ୪ଟି ବିଭାଗ ରହିଛି ଯେଉଁଥିରେ ବି. ଏସ. ଏମ୍. ଏସ. ଦ୍ବୈତ ଡିଗ୍ରୀ, ଇଣ୍ଟିଗ୍ରେଟେଡ୍ ପି. ଏଚ. ଡି. ଏବଂ ପି. ଏଚ. ଡି. ଡ଼ିଗ୍ରୀ ପ୍ରଦାନ କରାଯାଇଥାଏ । ସେଗୁଡିକ ହେଲା :

୧. ଜୀବ ବିଜ୍ଞାନ ବିଭାଗ (Department of Biological Sciences)

୨. ରସାୟନ ବିଜ୍ଞାନ ବିଭାଗ (Department of Chemical Sciences)

୩. ଗଣିତ ବିଭାଗ (Department of Mathematical Sciences)

୪. ପଦାର୍ଥ ବିଜ୍ଞାନ ବିଭାଗ (Department of Physical Sciences)

ଆଧାର[ସମ୍ପାଦନା]

  1. "establishment of IISER Berhampur".
  2. "director of IISER Berhampur".
  3. "history of IISER Berhampur".
  4. "Vision and mission of IISER Berhampur".
  5. "bsms in IISER Berhampur".
  6. "admission in bsms".
  7. "PhD in IISER Berhampur".
  8. "iphd in IISER Berhampur".
  9. "iphd in IISER TVM".