ବ୍ୟବହାରକାରୀ:Psubhashish/ଓଡ଼ିଆ ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପରୁ ମିଳିଥିବା ଶିକ୍ଷା

ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ ଏକ ଆନୁଷ୍ଠାନିକ ପ୍ରକଳ୍ପ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଉଇକିପିଡ଼ିଆରେ ପ୍ରସଙ୍ଗ ଲିଖନ ଓ ସମ୍ପାଦନ ତାଲିମ ଉଦ୍ଦେଶ୍ୟରେ ୨୦୧୨ ମସିହା ନଭେମ୍ବର ୮ ତାରିଖରେ ପ୍ରଥମକରି ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳଠାରେ ଆରମ୍ଭ କରାଯାଇଥିଲା । ଏହି ପ୍ରକଳ୍ପରେ ୧୭ ଜଣ ଛାତ୍ରଛାତ୍ରୀ ଭାଗ ନେଇ ମୂଳତଃ ଦୁଇଟି କର୍ମଶାଳାରେ ଯୋଗଦେଇ ଓଡ଼ିଆ ଉଇକିପିଡ଼ିରେ ଲିଖନ ଓ ସମ୍ପାଦନ ବାବଦରେ ଶିଖିଥିଲେ । କିଛି ଅଭିଜ୍ଞ ଓଡ଼ିଆ ଉଇକିଆଳି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି ତରଫରୁ କାର୍ଯ୍ୟକ୍ରମ ସମ୍ପାଦନାର କିଛି ଭାର ତୁଲାଯାଇଥିଲା । ଏହି ପ୍ରକଳ୍ପର ଓଡ଼ିଆ ଉଇକିପିଡ଼ିଆ ପାଇଁ କିଛି ସକ୍ରିୟ ସଭ୍ୟ କ୍ରମାଗତ ସମ୍ପାଦନା କରିବା ଦେଖାଯାଇନ‌ଥିଲା । ସେମାନେ ପ୍ରକଳ୍ପ ସମୟକାଳରେ କରିଥିବା ସମ୍ପାଦନାରେ ଅନେକ ବ୍ୟାକରଣ‌ଗତ ଓ ଲିଖନଶୈଳୀରେ ଭୁଲ ଭଟକା ରହିଥିଲା ।

ପ୍ରଥମ ପର୍ଯ୍ୟାୟ[ସମ୍ପାଦନା]

ତଳେ ପ୍ରଥମ ପର୍ଯ୍ୟାୟରେ ମିଳିଥିବା ଶିକ୍ଷା ସବିଶେଷେ ବର୍ଣ୍ଣନା କରାଗଲା:

  • କୃତ୍ରିମ ବର୍ଷା: ଯେଉଁ ସମୟରେ ଅଭିଜ୍ଞ ଉଇକିଆଳିମାନେ ଅନୁଷ୍ଠାନରେ ପ‌ହଞ୍ଚୁଥିଲେ କେବଳ ସେହି ସମୟରେ ଛାତ୍ରଛାତ୍ରୀମାନେ ଉଇକିପିଡ଼ିଆରେ ଲେଖିବା ଆରମ୍ଭ କରୁଥିଲେ । ଯାହାର ପ୍ରାଥମିକ କାରଣ
କ) ସ୍ଥାନୀୟ ନେତୃତ୍ୱର ଅଭାବ: ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଯଦି କିଛି ଜଣଙ୍କୁ ଅନୁଷ୍ଠାନରେ କାର୍ଯ୍ୟକ୍ରମର ପରିଚାଳନା ଭାର ଦିଆଯାଇଥାନ୍ତା ତେବେ ହୁଏତ ନିୟମିତ ଭାବେ ସେଠାରେ ସେମାନେ ଅଧିକ କର୍ମଶାଳାର ଆୟୋଜନ କରିପାରିଥାନ୍ତେ । ଅଧିକନ୍ତୁ ଅନେକ ସମୟରେ ଛାତ୍ରଛାତ୍ରୀମାନେ ସମ୍ପାଦନା ବେଳେ ଭୋଗୁଥିବା ଅସୁବିଧାର ସମାଧାନ କରିବା ନିମନ୍ତେ କାହାରି ସାହାଯ୍ୟ ଲୋଡ଼ିପାରିନ‌ଥିଲେ ।
ଖ) ଅଭିଜ୍ଞ ଉଇକିଆଳିମାନଙ୍କ ସ‌ହିତ ଛାତ୍ରଛାତ୍ରୀମାନଙ୍କର ଯୋଗସୂତ୍ରର ଅଭାବ: ଛାତ୍ରଛାତ୍ରୀମାନଙ୍କୁ ଅଭିଜ୍ଞ ଉଇକିଆଳିମାନଙ୍କ ସ‌ହିତ ଠିକଭାବେ ସଂଯୋଗ କରାଯାଇନ‌ଥିଲା । ଅନେକ ସମୟରେ ନୂଆ ଉଇକିଆଳିମାନେ ଆଲୋଚନା ସଭାରେ କିମ୍ବା ଚାଟସଭାରେ" ପ୍ରଶ୍ନ ପଚାରିବାକୁ ସଂକୋଚ କରିଥାନ୍ତି । ସେମାନଙ୍କୁ କିଛି ପରିମାଣରେ ବ୍ୟକ୍ତିଗତ ସ‌ହ‌ଯୋଗ ଓ ଉଚ୍ଚତର ସମ୍ପାଦନା ଧୀରେ ଧୀରେ ଶିଖାଇବାକୁ ପଡ଼େ ଯାହା ପାଇଁ କିଛି ଅଭିଜ୍ଞ ଉଇକିଆଳିଙ୍କର ନିୟମିତ ସମୟ ଓ ଶ୍ରମ ଆବଶ୍ୟକ । ଅଳ୍ପ ସଂଖ୍ୟକ ଅଭିଜ୍ଞ ଉଇକିଆଳିଙ୍କର ଅଭାବ ମଧ୍ୟ କିଛି ପରିମାଣରେ ଏଥିପାଇଁ ଦାୟୀ ।
  • ସମସ୍ତ ଅଭିଜ୍ଞ ଉଇକିଆଳିଙ୍କର ଯୋଗଦାନ: ଏହି ପ୍ରକଳ୍ପରେ କେବଳ ଅଳ୍ପ କେତେଜଣ ଉଇକିଆଳିଙ୍କୁ ଛାଡ଼ିଦେଲେ ବାକିମାନଙ୍କର ଯୋଗଦାନ ବିଶେଷ ଭାବେ ନ‌ଥିଲା । ଯାହା ଫଳରେ ଏହାକୁ ଅଧିକ ସୂଚାରୁ ରୂପେ ତୁଲାଇବା ନିମନ୍ତେ ଏଥିରେ ଭାଗ ନେଇଥିବା ପରିଚାଳନାକାରୀ ଅଭିଜ୍ଞ ଉଇକିଆଳିଙ୍କ ଉପରେ ଅଧିକ ଚାପ ପଡ଼ିଥିଲା । ଏଥିରେ କେଉଁ ଭଳି କାର୍ଯ୍ୟକ୍ରମଟିର ପରିଚାଳନା କରାଯିବ ସେ ବାବଦରେ ଅଭିଜ୍ଞ ଉଇକିଆଳିମାନଙ୍କ ମତ କାର୍ଯ୍ୟକ୍ରମ ହେଉଥିବା ସମୟରେ ମିଳିଥିଲେ ଏଥିରେ ହୋଇ‌ଥିବା ଭୁଲଗୁଡ଼ିକ ସୁଧରାଯାଇପାରିଥାନ୍ତା ।
  • ପରିଚାଳନା ଗତ ତ୍ରଟି: ପ୍ରଥମ କରି ଏହିପରି ଗଣ-ସମ୍ପାଦନା କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା CIS-A2Kର ପ୍ରୋଗ୍ରାମ ଅଧିକାରୀ ସୁଭାସିସ ପାଣିଗ୍ରାହୀଙ୍କ ଦ୍ୱାରା କିଛି ଭୁଲ ଯୋଜନା ସୋପାନରେ ତ‌ଥା ପରିଚାଳନା ସୋପାନରେ ହୋଇଥିଲା । ଏହା ସାମୁହିକ ପରିଚାଳନାକୁ ପ୍ରଭାବିତ କରିଥିଲା ଓ ଫଳସ୍ୱରୂପ ଏହି ପର୍ଯ୍ୟାୟର "ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ"ରେ ସମ୍ପାଦନା କରୁଥିବା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଲେଖାଯାଇଥିବା ପ୍ରସଙ୍ଗ ନିମ୍ନମାନର ହୋଇଥିଲା । ସେହି ଛାତ୍ରଛାତ୍ରୀମାନେ ପ୍ରକଳ୍ପ ପରେ ସମ୍ପାଦନା ଜାରୀ ରଖିନ‌ଥିଲେ ।

ଦ୍ୱିତୀୟ ପର୍ଯ୍ୟାୟ[ସମ୍ପାଦନା]

ଯଦିଓ ଆନୁଷ୍ଠାନିକ ଭାବେ ଓଡ଼ିଆ ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ ଭାବେ କରାଯାଇନ‌ଥିଲା, କିନ୍ତୁ ୨୦୧୩ ମସିହାରେ କରାଯାଇଥିବା କର୍ମଶାଳାସମୂହର ପ୍ରକାର "ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ" ଭଳି ଥିଲା । ଏହା ତିନୋଟି ମୁଖ୍ୟ କର୍ମଶାଳା (ସେପ୍ଟେମ୍ବର ୩୦, ନ‌ଭେମ୍ବର ୧୮ ଓ ନ‌ଭେମ୍ବର ୧୯)ରେ ବିଭକ୍ତ ହୋଇଥିଲା । ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ଦିନ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ମାନପ‌ତ୍ର ପ୍ରଦାନ ପରେ ସେମାନଙ୍କ ନିମନ୍ତେ ଏକ ଛୋଟ ଉପସ୍ଥାପନା କର୍ମଶାଳା କରାଯାଇଥିଲା ଯେଉଁଥିରେ ସେମାନଙ୍କ ଭୁଲ ଭଟକା ଓ ସେମାନଙ୍କ ପ୍ରଶ୍ନ ଆଦିର ସମାଧାନ କରାଯାଇଥିଲା । ଏଥିରେ ପ୍ରଥମ ପର୍ଯ୍ୟାୟ ପାଇଁ ମିଳିଥିବା ସମୟର ସମ‌ପରିମାଣର ସମୟ ମିଳିଥିଲା ପ୍ରଥମ ପର୍ଯ୍ୟାୟରେ ହୋଇଥିବା ଭୁଲ ଭଟକା ଏଥିରେ ନ କରିବା ନିମନ୍ତେ ଉଦ୍ୟମ କରାଯାଇଥିଲା ।