ବିଶ୍ୱନାଥ ପଟ୍ଟନାୟକ
ବିଶ୍ୱନାଥ ପଟ୍ଟନାୟକ | |
---|---|
ଜନ୍ମ | ବିଶ୍ୱନାଥ ପଟ୍ଟନାଯକ ୧୧ ନଭେମ୍ବର ୧୯୧୬ କୁମରଡା, ଗଞ୍ଜାମ ଜିଲ୍ଲା, ଓଡ଼ିଶା |
ମୃତ୍ୟୁ | ୨୯ ମଇ ୨୦୧୦ | (ବୟସ ୯୩)
କୁଜେନ୍ଦ୍ରି,ବାଲିଗୁଡ଼ା, ଓଡ଼ିଶା | |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ଭୂଦାନ ଆନ୍ଦୋଳନ, ସମାଜସେବା |
ପିତାମାତା | ଉପେନ୍ଦ୍ର ପଟ୍ଟନାୟକ (ବାପା) |
ପୁରସ୍କାର | ଜମୁନାଲାଲ ବଜାଜ ପୁରସ୍କାର |
ବିଶ୍ୱନାଥ ପଟ୍ଟନାଯକ ହେଉଛନ୍ତି ଓଡ଼ିଶାର ଜଣେ ସୁନାମଧନ୍ୟ ସମାଜ ସେବୀ । ସେ ଜଣେ ଜଣାଶୁଣା ଗାନ୍ଧୀବାଦି ସର୍ବୋଦୟ ନେତା [୧]। କୁଜେନ୍ଦ୍ରି ଏବଂ ବାଲିଗୁଡ଼ା ଭଳି ଆଦିବାସୀ ବହୂଳ ଅଞ୍ଚଳରେ ଆଦିବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନିଃସ୍ୱାର୍ଥପର ସମାଜସେବା ହେତୁ ତାଙ୍କୁ ୨୦୦୮ ମସିହାରେ ସମ୍ମାନଜନକ ଜମୁନାଲାଲ ବଜାଜ ପୁରସ୍କାର ମିଳିଛି[୨] ।
ପ୍ରାଥମିକ ଜୀବନ
[ସମ୍ପାଦନା]ଗଞ୍ଜାମ ଜିଲ୍ଲାର କୁମରଡା ଗାଆଁରେ ତାଙ୍କ ଜନ୍ମ । ପିଲାଦିନୁ ବାପାଙ୍କୁ ହରାଇଥିବା ବିଶ୍ୱନାଥ ପଟ୍ଟନାଯକ ତାଙ୍କ ଜେଜେବାପା ଶ୍ରୀ ଘନଶ୍ୟାମ ପଟ୍ଟନାଯକଙ୍କ ଯତ୍ନରେ ବଢ଼ିଥିଲେ । ଶ୍ରୀକାକୁଲମଠାରେ ଅଷ୍ଟମ ଯାଏଁ ପଢ଼ିବା ପରେ ପାଠରେ ଡୋରି ବନ୍ଧା ହେଲା । ଗାଁ ସ୍କୁଲରେ ମାତ୍ର ସାତ ଟଙ୍କା ଦରମାରେ ଜଣେ ଇନଫରମାଲ ଶିକ୍ଷକ ଭାବେ ଚାକିରି ଆରମ୍ଭ କଲେ । ଶିକ୍ଷକତା କରୁଥିବା ବେଳେ ସେ ବିଶିଷ୍ଟ ଗାନ୍ଧୀବାଦୀ ନେତା ଗୋପବନ୍ଧୁ ଚୌଧୁରୀଙ୍କଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ତାଙ୍କ ସହକର୍ମୀ ଭାବେ କାମ କଲେ ।
ସମାଜସେବା
[ସମ୍ପାଦନା]୧୯୪୦ ମସିହାରେ 'ବ୍ୟକ୍ତିଗତ ସତ୍ୟାଗ୍ରହ' ଆରମ୍ଭ ହେଲା । ଏଇ ଅବସରରେ ଗାନ୍ଧିଜୀ ରଚନାତ୍ମକ କର୍ମୀମାନଙ୍କୁ ସମାଜର ଦଳିତ ବର୍ଗମାନଙ୍କ ପାଇଁ କାମ କରିବାକୁ ଆହ୍ୱାନ ଦେଲେ । ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଗୋପବନ୍ଧୁ ଚୌଧୁରୀ ବିଶ୍ୱନାଥ ପଟ୍ଟନାୟକଙ୍କୁ ରଚନାତ୍ମକ କର୍ମୀ ଭାବରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଗୁଣୁପୁରକୁ (ବର୍ତ୍ତମାନ ରାୟଗଡ଼ା ଜିଲ୍ଲା) ପଠାଇବା ପାଇଁ ସ୍ଥିର କଲେ । ଆଦିବାସୀଙ୍କ ସେବା କରିବାକୁ ଆସିଥିବା ବିଶ୍ୱନାଥ ଆଦିବାସୀଙ୍କ ସହ ଘର ବାନ୍ଧିଲେ । ସେମାନଙ୍କର ମଧ୍ୟରେ ଦୁର୍ଲଭ ସରଳତାର ସନ୍ଧାନ ପାଇଲେ । ବିଶ୍ବନାଥ ପଟ୍ଟନାୟକ ଆଦିବାସୀ ଓ ଅଣଆଦିବାସୀଙ୍କ ନିକଟରେ 'ଆଜ୍ଞା' ନାମରେ ପ୍ରିୟ ହୋଇପାରିଲେ । ବିଶ୍ୱନାଥ କୁଜେନ୍ଦ୍ରୀ ତଥା ଆଖପାଖ ଅଞ୍ଚଳରେ ଥିବା ଆଦିବାସୀଙ୍କୁ ସେ ଦୁଇଟି ଆନ୍ଦୋଳନ ପାଇଁ ପ୍ରସ୍ତୁତ କରାଇଲେ । ଗୋଟିଏ ହେଲା ଦେଶର ସ୍ୱାଧୀନତା ପାଇଁ ଓ ଅନ୍ୟଟି ହେଲା ଶୋଷଣରୁ ମୁକ୍ତି ପାଇବା ପାଇଁ । ଗୋଟିଏ ହେଲା ସମାଜବାଦ ଆନ୍ଦୋଳନ ଏବଂ ଅନ୍ୟଟି ହେଲା ସର୍ବୋଦୟ ଆନ୍ଦୋଳନ ।[୧]
ପ୍ରଥମେ ସେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପାଈଁ ଆନ୍ଦୋଳନରେ ସାମିଲ ହେଲେ । ପରେ ବନବାସୀ ସେବା ସମିତିରେ କାମ କରି ବିକାଶ ମୂଳକ କାମରେ ମନଦେଲେ । ସମିତିଦ୍ୱାରା ଆଦିବାସୀ ପିଲାଙ୍କ ନିମନ୍ତେ ବୋର୍ଡିଙ୍ଗ ବିଦ୍ୟାଳୟସବୁ ଏବଂ ବୃଦ୍ଧାଶ୍ରମମାନ ସ୍ଥାପନ କରାଗଲା । ସେ କୁଜେନ୍ଦ୍ରି ଓ ବାଲିଗୁଡା ଅଞ୍ଚଳରେ ଆଦିବାସିଙ୍କ ବିକାଶ ନିମନ୍ତେ ମନପ୍ରାଣ ଲଗାଇ କାମକଲେ । ତାଙ୍କର ନିଃସ୍ୱାର୍ଥପର ସେବାରେ ଅଭିଭୂତ ଆଦିବାସୀଙ୍କ ଗହଣରେ ସେ "ଆଜ୍ଞା" ନାମରେ ଖ୍ୟାତ ଥିଲେ । ଆଚାର୍ଯ୍ୟ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ନିଜକୁ ସାମିଲ କରି, ଗୋପବନ୍ଧୁ ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲାରେ ଭୂଦାନ ଆନ୍ଦୋଳନର ନେତୃତ୍ୱ ନେଲେ ବିଶ୍ୱନାଥ ପଟ୍ଟନାଯକ[୩][୪] । କୋରାପୁଟ ଜିଲ୍ଲାରେ ଖଦୀ ଆନ୍ଦୋଳନକୁ ଲୋକପ୍ରିୟ କରିବାରେ ସେ ସଫଳ ହେଲେ । ଅସ୍ପୃଶ୍ୟତା ବିରୋଧରେ ଲଢି ଏବଂ ଖଦୀ ଆନ୍ଦୋଳନକୁ ଲୋକପ୍ରିୟ କରି ସେ "କୋରାପୁଟିଆ ଗାନ୍ଧୀ" [୫] ନାମରେ ଖ୍ୟାତ ହେଲେ । ୯୩ ବର୍ଷରେ ତାଙ୍କର ଦେହାନ୍ତ ହେଲ। ।
ପୁରସ୍କାର
[ସମ୍ପାଦନା]ଶ୍ରୀ ପଟ୍ଟନାଯକ କୌଣସି ପ୍ରକାର ପୁରସ୍କାର ପାଇଁ ଲାଳାୟିତ ନ ଥିଲେ । ତଥାପି ସେ ଅନେକ ସମ୍ମାନଦ୍ୱାରା ସମ୍ମାନୀତ ହୋଇଛନ୍ତି । ଯଥା :-
- ଭାରତୀୟ ଆଦିମଜାତି ସେବକସଂଘ ପୁରସ୍କାର-୧୯୫୫
- ଜଷ୍ଟିସ୍ ରାଜକିଶୋର ଦାସ ସମ୍ମାନ-୧୯୯୬
- ପ୍ରଦ୍ୟୁମ୍ନ ବଳ ସମ୍ମାନ
- କନ୍ଧମାଳ ନାଗରିକ ସମିତି ସମ୍ମାନ
- ସାରଳା ସମ୍ମାନ-୨୦୦୨
- ରାଜୀବ ଗାନ୍ଧୀ ସଦ୍ଭାବନା ସମ୍ମାନ-୨୦୦୩
- ଜମନାଲାଲ ବଜାଜ ସମ୍ମାନ-୨୦୦୮
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Swadhikar e-Paper - Odisha's leading daily Odia newspaper Page: 4". swadhikar. Retrieved 16 November 2020.[permanent dead link]
- ↑ "Jamnalal Bajaj awards-2008" ଜମୁନାଲାଲ ବଜାଜ ସମ୍ମାନ 2008
- ↑ " ଓଡ଼ିଶା ରିଭ୍ୟୁ- ଅଗଷ୍ଟ,୨୦୧୨" ଓଡ଼ିଶା ରିଭ୍ୟୁ-ଅଗଷ୍ଟ,୨୦୧୨ରେ ପ୍ରକାଶିତ ଶ୍ରୀ ରଘୁନାଥ ରଥଙ୍କ ଏକ ଲେଖା
- ↑ "Odisha Review, February - March - 2013,ପୃଷ୍ଠା-୧୧୦"
- ↑ " ଦି ହିନ୍ଦୁ " ଦି ହିନ୍ଦୁ-ମାର୍ଚ୍ଚ ୩୧,୨୦୧୦ରେ ପ୍ରକାଶିତ ଏକ ଲେଖା
ଅଧିକ ତଥ୍ୟ
[ସମ୍ପାଦନା]- " ବିଶ୍ୱନାଥ ପଟ୍ଟନାଯକଙ୍କ ଜିବନୀ" Archived 2014-05-31 at the Wayback Machine.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |