ବିଦୁର

ଉଇକିପିଡ଼ିଆ ରୁ
Jump to navigation Jump to search

ବିଦୁର (ସଂସ୍କୃତ: विदुर) ହିନ୍ଦୁ ମହାକାବ୍ୟ ମହାଭାରତର ଏକ ପ୍ରମୁଖ ଚରିତ୍ର । ତାଙ୍କୁ କୁରୁ ରାଜ୍ୟର ପ୍ରଧାନମନ୍ତ୍ରୀ ତଥା ପାଣ୍ଡବ ଏବଂ କୌରବଙ୍କ କକା (ପିତାଙ୍କ ଭ୍ରାତା) ଭାବରେ ବର୍ଣ୍ଣନା କରାଯାଇଛି ।[୧] କୃଷ୍ଣଙ୍କୁ ବାଦ୍ ଦେଲେ ବିଦୁର ହିଁ ପାଣ୍ଡବଙ୍କ ପରାମର୍ଶଦାତା ଭାବରେ ଅଧିକ ସମ୍ମାନିତ ହୋଇଥିଲେ, ଯାହାକୁ ସେ ଦୁର୍ଯ୍ୟୋଧନଙ୍କ ଜତୁଗୃହ ଦାହ ଷଡଯନ୍ତ୍ର ବିଷୟରେ ଚେତାବନୀ ଦେଇଥିଲେ ।[୨]

ଧୃତରାଷ୍ଟ୍ରଙ୍କ ସହ ବିଦୁର

ଜନ୍ମ[ସମ୍ପାଦନା]

ବ୍ୟାସଦେବ ଏବଂ ପରିଶ୍ରମୀଙ୍କ ପୁତ୍ରାର୍ଥେ ନିୟୋଗ ସମ୍ଭୋଗରୁ ବିଦୁରଙ୍କ ଜନ୍ମ । ଅମ୍ବିକା ଏବଂ ଅମ୍ବାଳିକା, ରାଜା ବିଚିତ୍ରବୀର୍ଯ୍ୟଙ୍କ ପତ୍ନୀ ଥିଲେ । ଉଭୟ ଅମ୍ବିକା ଏବଂ ଅମ୍ବାଳିକା ହସ୍ତିନାପୁରାର ରାଜା ବିଚିତ୍ରବୀର୍ଯ୍ୟଙ୍କ ପତ୍ନୀ ଥିଲେ, ଯିଏ ନିଃସନ୍ତାନ ହୋଇ ମୃତ୍ୟୁ ବରଣ କରିଥିଲେ । ରାଜକୀୟ ବଂଶର ଉତ୍ତରାଧିକାରୀ ନିଶ୍ଚିତ କରିବାକୁ ବ୍ୟଗ୍ର ହୋଇ ମାତା ସତ୍ୟବତୀ ତାଙ୍କର ଅନ୍ୟ ଜଣେ ପୁତ୍ର ବ୍ୟାସଦେବଙ୍କୁ ଦୁଇ ବିଧବା ରାଣୀଙ୍କୁ ମାତୃତ୍ୱ ପ୍ରଦାନ କରିବାକୁ ଆକାଂକ୍ଷା କରି ଡକାଇଲେ । ବ୍ୟାସଦେବଙ୍କ ଭଳି ଜଣେ ତପନିଷ୍ଠ ଋଷିଙ୍କ ତେଜରେ ଭୟଭୀତ ହୋଇ ଅମ୍ବିକା ତାଙ୍କୁ ଦେଖିବା ପରେ ଆଖି ବନ୍ଦ କରିଦେଲେ ଏବଂ ତାଙ୍କ ଭଉଣୀ ଅମ୍ବାଳିକା ଭୟଭୀତ ହୋଇ ଶେଠୁଆ ହୋଇଗଲେ । ଏଭଳି ସ୍ଥଳେ ବ୍ୟାସଦେବ ତାଙ୍କ ମାତାଙ୍କୁ ସୂଚନା ଦେଇଛନ୍ତି ଯେ ଫଳସ୍ୱରୂପ, ସେମାନେ ଜନ୍ମ କରିଥିବା ପୁଅମାନେ ଯଥାକ୍ରମେ ଅନ୍ଧ (ଧୃତରାଷ୍ଟ୍ର) ଏବଂ ପାଣ୍ଡୁର ବର୍ଣ୍ଣର (ପାଣ୍ଡୁ) ହୋଇଯିବେ ।

ଉଭୟ ସନ୍ତାନ ଯୋଗ୍ୟ ଉତ୍ତରାଧିକାରୀ ହେବେ ନାହିଁ ବୋଲି ଭୟରେ ତଥା ଏକ ଯୋଗ୍ୟ ଉତ୍ତରାଧିକାରୀ ପାଇବା ଲୋଭରେ ମାତା ସତ୍ୟବତୀ ବ୍ୟାସଦେବଙ୍କୁ ଅମ୍ବିକାଙ୍କ ମାଧ୍ୟମରେ ଆଉ ଏକ ପୁତ୍ର ଦେବାକୁ କହିଥିଲେ । ପୂର୍ବ ଭୁଲକୁ ନ ଦୋହରାଇବା ପାଇଁ ସତ୍ୟବତୀଙ୍କ ବାରଣ ସତ୍ତ୍ୱେ ବ୍ୟାସଦେବଙ୍କୁ ଭୟ କରି ଅମ୍ବିକା ନିଜ ସ୍ଥାନରେ ତାଙ୍କ ଚାକରଣୀକୁ ବ୍ୟାସଦେବଙ୍କ ନିକଟକୁ ପଠାଇଲେ । ଏହି କର୍ତ୍ତବ୍ୟନିଷ୍ଠ ମହିଳା ବ୍ୟାସଦେବଙ୍କ ରୂପରେ ଭୟଭୀତ ହୋଇନଥିଲେ ଏବଂ ଜଣେ ସାଧାରଣ, ସୁସ୍ଥ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଏହିପରି ଭାବେ ବିଦୁରଙ୍କ ଜନ୍ମ ।

ପଶାଖେଳ[ସମ୍ପାଦନା]

ବିଦୁର ଯୁଧିଷ୍ଠିରଙ୍କୁ ପଶା ଖେଳରୁ ନିବୃତ୍ତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କର ଏହି ପ୍ରୟାସର କୌଣସି ଲାଭ ହୋଇ ନଥିଲା । ରାଜକୁମାର ବିକର୍ଣ୍ଣ ବ୍ୟତୀତ ଏକମାତ୍ର ବିଦୁର ହିଁ କୌରବ ରାଜସଭାରେ ଦ୍ରୌପଦୀଙ୍କ ଅପମାନକୁ ବିରୋଧ କରିଥିଲେ । ସେହି ମୁହୂର୍ତ୍ତରେ ଦୁର୍ଯ୍ୟୋଧନ ବିଦୁରଙ୍କୁ ଭର୍ତ୍ସନା କରି ତାଙ୍କୁ କୃତଘ୍ନ ବୋଲି କହିଥିଲେ । ଦୁର୍ଯ୍ୟୋଧନ କକା ବିଦୁରଙ୍କୁ ଅପମାନିତ ଅକରନ୍ତେ, ଧୃତରାଷ୍ଟ୍ର ଦୁର୍ଯ୍ୟୋଧନକୁ ଭର୍ତ୍ସନା କରିବାକୁ ଯାଉଥିଲେ, କିନ୍ତୁ ଅତୀତରେ ଜଣେ ଅନ୍ଧ ରାଜା ହୋଇପାରିବ ନାହିଁ ବୋଲି ବିଦୁର କହିଥିବା କଥା ମନେ ପକାଇ ସେ ଦୁର୍ଯୋଧନଙ୍କୁ ଭର୍ତ୍ସନା କରିବା ବଦଲରେ ତାଙ୍କୁ ମାତ୍ର ରାଜ୍ୟର ମନ୍ତ୍ରୀଙ୍କୁ ଅପମାନିତ ନ କରିବାକୁ ତାଗିଦ କରି ଛାଡିଦେଇଥିଲେ । ଏହା ଘଟଣା ଯୋଗୁଁ ହିଁ ପରବର୍ତ୍ତୀ ସମୟରେ ବିଦୁର କୌରବଙ୍କ ସହ ସହ ସମ୍ପର୍କ ଛିନ୍ନ କରି କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭରେ ପାଣ୍ଡବଙ୍କ ପକ୍ଷ ରଖିଥିଲେ । ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, କର୍ଣ୍ଣ ଇତ୍ୟାଦିଙ୍କ ଯେପରି ହସ୍ତିନାପୁର କିମ୍ବା ଦୁର୍ଯ୍ୟୋଧନଙ୍କ ପ୍ରତି ଆନୁଗତ୍ୟ ଥିଲା, ବିଦୁରର କିନ୍ତୁ ଆନୁଗତ୍ୟ ଥିଲା କେବଳ ତାଙ୍କ ପରିବାର ପ୍ରତି । ଧୃତରାଷ୍ଟ୍ର ଏହି ସମ୍ପର୍କକୁ ସ୍ୱୀକାର କରୁନଥିବା ଶୁଣିବା ପରେ ବିଦୁର ଧର୍ମ ଏବଂ ପାଣ୍ଡବଙ୍କ ପକ୍ଷ ନେବାକୁ ବାଧ୍ୟ ହୋଇଥିଲେ ।[୩]

ଅତିଥି ରୂପେ କୃଷ୍ଣ[ସମ୍ପାଦନା]

କୃଷ୍ଣଙ୍କ ଅନୁଯାୟୀ ବିଦୁରଙ୍କୁ ଧର୍ମରାଜ ଭାବରେ ବିବେଚନା କରାଯାଉଥିଲା, ଯାହାର ଅର୍ଥ ହେଉଛି ସତ୍ୟ ଏବଂ ଧର୍ମର ପ୍ରଭୁ । ଲୋକଙ୍କ କଲ୍ୟାଣ ପ୍ରତି ତାଙ୍କର ଭକ୍ତି ଏବଂ ଜ୍ଞାନର ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ପାଇଁ କୃଷ୍ଣ ବିଦୁରଙ୍କୁ ବହୁତ ସମ୍ମାନ କରୁଥିଲେ । ଯେତେବେଳେ କୃଷ୍ଣ ପାଣ୍ଡବଙ୍କର ଶାନ୍ତି ଦୂତ ଭାବରେ ହସ୍ତିନାପୁର ଗମନ କରିଥିଲେ, ସେତେବେଳେ ସେ ଦୁର୍ଯ୍ୟୋଧନଙ୍କ ରାଜପ୍ରାସାଦରେ ରହିବାକୁ ଦେଇଥିବା ପ୍ରସ୍ତାବକୁ ଏଡ଼ାଇ ଯାଇ କୌରବ ରାଜଦରବାରର ଏକମାତ୍ର ନିରପେକ୍ଷ ବ୍ୟକ୍ତି ବିଦୁରଙ୍କ ଘରକୁ ଯିବାକୁ ପସନ୍ଦ କରିଥିଲେ । କୃଷ୍ଣ ଦୁର୍ଯ୍ୟୋଧନଙ୍କ ବଦଳରେ ବିଦୁରଙ୍କ ଗୃହରେ ଆତିଥେୟ ସ୍ୱୀକାର କରିବାର କାରଣ ହେଉଛି ସେମାନଙ୍କ ଚିନ୍ତାଧାରା ଏବଂ ସେମାନଙ୍କ ମାନସିକାତାର ପାର୍ଥକ୍ୟ । ଦୁର୍ଯ୍ୟୋଧନଙ୍କର ଉଦ୍ଦେଶ୍ୟ ଥିଲା କୃଷ୍ଣଙ୍କୁ ଯେ କୌଣସି ଉପାୟରେ କୌରବ ପକ୍ଷରେ ଯୁଦ୍ଧ ସମୟରେ ଯୋଗଦେବାକୁ ମନାଇବା । ଦୁର୍ଯ୍ୟୋଧନଙ୍କ ଏହି ମନ୍ଦ ଉଦ୍ଦେଶ୍ୟକୁ ଜାଣିପାରି କୃଷ୍ଣ ମନା କରିଦେଲେ । କୃଷ୍ଣ ଜାଣିଥିଲେ ଯେ ବିଦୁର ଏବଂ ତାଙ୍କ ପତ୍ନୀ ତାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିବା ଖାଦ୍ୟ କୌଣସି ଉଦ୍ଦେଶ୍ୟ ରହିତ ସାଙ୍ଗକୁ ପ୍ରେମ ଏବଂ ସ୍ନେହରେ ପରିପୂର୍ଣ୍ଣ ହୋଇଥିଲା ।[୪]

ମୃତ୍ୟୁ[ସମ୍ପାଦନା]

କୁରୁକ୍ଷେତ୍ର ଯୁଦ୍ଧ ପରେ ଯୁଧିଷ୍ଠିର ହସ୍ତିନାପୁରର ସମ୍ରାଟ ଭାବେ ଅଭିଷିକ୍ତ ହେଲେ । ବହୁ ବର୍ଷ ରାଜତ୍ୱ କରିବା ପରେ ଧୃତରାଷ୍ଟ୍ର, ଗାନ୍ଧାରୀ, କୁନ୍ତୀ ଏବଂ ବିଦୁର ରାଜକାର୍ଯ୍ୟରୁ ଅବସର ନେଇ ବାନପ୍ରସ୍ଥୀ ଭାବେ ସରଳ ଜୀବନଯାପନ କରିବାକୁ ଜଙ୍ଗଲକୁ ଚାଲିଗଲେ । ସଞ୍ଜୟ ମଧ୍ୟ ସେମାନଙ୍କ ସହ ଯାଇଥିଲେ । ପ୍ରାୟ ଦୁଇ ବର୍ଷ ପରେ ଯେତେବେଳେ ଯୁଧିଷ୍ଠିର ସେମାନଙ୍କୁ ଦେଖା କରିବାକୁ ଜଙ୍ଗଲକୁ ଯାଇଥିଲେ, ସେତେବେଳେ ସେ ବିଦୁରର ଶରୀର ଜୀବଶୂନ୍ୟ ଥିବାର ଦେଖିଲେ । ଯେତେବେଳେ ସେ ଏହା ନିକଟକୁ ଗଲେ, ବିଦୁରର ଆତ୍ମା ଯୁଧିଷ୍ଠିରଙ୍କ ଶରୀରରେ ପ୍ରବେଶ କଲା ଏବଂ ଯୁଧିଷ୍ଠିର ହୃଦୟଙ୍ଗମ କଲେ ଯେ ସେ ଏବଂ ବିଦୁର ସମାନ ଅଟନ୍ତି । କାରଣ ଯୁଧିଷ୍ଠିର ହେଉଛନ୍ତି ଧର୍ମସୂତ ଏବଂ ବିଦୁର ହେଉଛନ୍ତି ଧର୍ମଙ୍କ ଅଂଶବିଶେଷ । ଯୁଧିଷ୍ଠିର ବିଦୁରଙ୍କ ଶରୀରକୁ ଦାହ ନ କରିବାକୁ ଏକ ଶୂନ୍ୟ ବାଣୀ ହେବାରୁ, ସେ ବିଦୁରଙ୍କ ଶରୀରକୁ ଜଙ୍ଗଲରେ ଛାଡିଦେଇ ଚାଲିଆସିଲେ ।[୫]

ଆଧାର[ସମ୍ପାଦନା]

  1. Mani, Vettam (1975). "Puranic encyclopaedia : a comprehensive dictionary with special reference to the epic and Puranic literature". www.archieve.org. Delhi : Motilal Banarsidass. Retrieved 17 December 2020.
  2. "Lakshagraha of Mahabharat". Nerd's Travel. 7 August 2019. Retrieved 17 December 2020.
  3. "Disagreement between Dhritarashtra and Vidura – Vyasa Mahabharata". www.vyasaonline.com. Retrieved 17 December 2020.
  4. "Vidura's humility". The Hindu (in ଇଂରାଜୀ). 11 October 2017. Retrieved 17 December 2020.
  5. Menon, Ramesh (July 2006). "The Mahabharata: A Modern Rendering". www.books.google.co.in (in ଇଂରାଜୀ). iUniverse. Retrieved 17 December 2020.