ଗାନ୍ଧାରୀ (ମହାଭାରତ)

ଉଇକିପିଡ଼ିଆ ରୁ
Jump to navigation Jump to search

ଗାନ୍ଧାରୀ (ସଂସ୍କୃତ: गांधारी) ହିନ୍ଦୁ ମହାକାବ୍ୟ ମହାଭାରତର ଏକ ପ୍ରମୁଖ ଚରିତ୍ର । ସେ ଗାନ୍ଧାର ଦେଶର ରାଜକୁମାରୀ ଏବଂ ହସ୍ତିନାପୁରର ଅନ୍ଧ ରାଜା ଧୃତରାଷ୍ଟ୍ରଙ୍କ ପତ୍ନୀ ଏବଂ କୌରବ କୁଳ କୁହାଯାଉଥିବା ଏକଶତ ପୁତ୍ର ତଥା ଗୋଟିଏ କନ୍ୟାର ଜନନୀ ।[୧][୨]

ଗାନ୍ଧାରୀ

ପୌରାଣିକ ଗାଥା[ସମ୍ପାଦନା]

ଗାନ୍ଧାରୀ, ଗାନ୍ଧାର ଦେଶର ରାଜା ସୁବଳଙ୍କ କନ୍ୟା । ଜଣେ ଝିଅ ଭାବେ ଗାନ୍ଧାରୀ ତାଙ୍କର ଧର୍ମ ଏବଂ ଗୁଣବତ୍ତା ପାଇଁ ଜଣାଶୁଣା ଥିଲେ । ସେ ଶକୁନିଙ୍କ ଭଉଣୀ ଥିଲେ ।

ବିବାହ ପୂର୍ବରୁ ସେ ଭଗବାନ ଶିବଙ୍କୁ କଠୋର ତପଦ୍ୱାରା ସନ୍ତୁଷ୍ଟ କରି ଏକଶତ ପୁତ୍ରର ଜନନୀ ହେବା ବର ପ୍ରାପ୍ତ ହୋଇଥିଲେ । ତେବେ, ଗାନ୍ଧାରୀଙ୍କର ଏଭଳି ବର ଲାଭ କରିବାର ପ୍ରକୃତ କାରଣ ଜଣା ପଡିନାହିଁ । । ତେବେ ଭୀଷ୍ମ ଗାନ୍ଧାରୀଙ୍କୁ କୁରୁ ରାଜ୍ୟର ବଡ ବୋହୂ ଭାବରେ ବାଛିବାର ଏକ ମୁଖ୍ୟ କାରଣ ହୋଇପାରେ ଯେ ଗାନ୍ଧାରୀଙ୍କ ଏହି ବରପ୍ରାପ୍ତି ଯୋଗୁଁ କୁରୁକୁଳର ସିଂହାସନ ଉତ୍ତରାଧିକାରୀ ବିହୀନ ହୋଇ ଖାଲି ରହିବାର ଚିନ୍ତାରୁ ସେ ମୁକ୍ତ ହୋଇଥିଲେ ।

ଗାନ୍ଧାରୀଙ୍କ ବିବାହ କୁରୁ ରାଜ୍ୟର ଜ୍ୟେଷ୍ଠ ରାଜକୁମାର ଧୃତରାଷ୍ଟ୍ରଙ୍କ ସହ ହୋଇଥିଲା । ମହାଭାରତରେ ତାଙ୍କୁ ଏକ ସୁନ୍ଦର ଏବଂ ଗୁଣବତ୍ତା ନାରୀ ଏବଂ ଅତି ଉତ୍ସର୍ଗୀକୃତ ପତ୍ନୀ ଭାବରେ ଚିତ୍ରଣ କରାଯାଇଛି । ଏହି ବିବାହ ଭୀଷ୍ମଙ୍କଦ୍ୱାରା ଆୟୋଜନ କରାଯାଇଥିଲା । ଯେତେବେଳେ ଗାନ୍ଧାରୀ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ଅନ୍ଧ ହୋଇ ଜନ୍ମ ହୋଇଛନ୍ତି, ସେତେବେଳେ ସେ ନିଜ ସ୍ୱାମୀଙ୍କ ଦ୍ଃଖରେ ସମଦୁଃଖୀ ହୋଇ ନିଜ ଆଖିରେ ଅନ୍ଧ ପୁଟୁଳୀ ବାନ୍ଧିଦେବାକୁ ସ୍ଥିର କଲେ । ଗାନ୍ଧାରୀଙ୍କର ଏଭଳି କାର୍ଯ୍ୟକୁ ଏକ ଉତ୍ସର୍ଗୀକୃତ ସ୍ତ୍ରୀର ପ୍ରେମର ସଙ୍କେତ ଭାବେ ଚିତ୍ରଣ କରାଯାଇଛି । ଅପରପକ୍ଷେ, ଇରାବତୀ କର୍ବେ ତଥା ବହୁ ଆଧୁନିକ ବିଜ୍ଞ ଲେଖକମାନେ ଯୁକ୍ତିଛଳରେ ଦର୍ଶାଇଛନ୍ତି ଯେ ଏହା ହେଉଛି ଭୀଷ୍ମଙ୍କ ପର୍ତି ଗାନ୍ଧାରୀଙ୍କ ବିରୋଧର ଏକ ସଂକେତ, କାରଣ ସେ ତାଙ୍କ ପିତାଙ୍କୁ ହସ୍ତିନାପୁରର ଅନ୍ଧ ରାଜକୁମାରଙ୍କୁ ବିବାହ ବନ୍ଧନରେ ବାନ୍ଧିଦେବାକୁ ବାଧ୍ୟ କରିଥିଲେ ।[୩]

ମହାଭାରତ କଥାବସ୍ତୁରେ ଗାନ୍ଧାରୀଙ୍କ ବିବାହକୁ କାହାଣୀର ମୂଳ ବିବାଦର ଏକ ପ୍ରମୁଖ କାରଣ ଭାବରେ ଚିତ୍ରଣ କରାଯାଇଛି । ତାଙ୍କ ଭାଇ ଶକୁନି ଏଥିରେ ରାଗି ଯାଇଥିଲେ ଯେ ହସ୍ତିନାପୁର ସହ ଏକ ଯୁଦ୍ଧରେ ଗାନ୍ଧାର ନରେଶଙ୍କୁ ଅପମାନିତ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଶକୁନିଙ୍କର ସମସ୍ତ ଭାଇଙ୍କୁ ହତ୍ୟା କରାଯାଇଥିଲା । ଏଭଳି କ୍ଷେତ୍ରରେ ଶକୁନି ତାଙ୍କର ସ୍ନେହର ଭଉଣୀକୁ ଏକ ଅନ୍ଧ ଲୋକ ସହ ବିବାହ କରାଇଦେବାକୁ ଚାହୁଁ ନ ଥିଲେ । ତେଣୁ ଏଭଳି ଅନିଚ୍ଛାକୃତ ବିବାହରେ ଶକୁନି ଭୀଷଣ ଅପମାନିତ ବୋଧ କରି କୁରୁ ରାଜବଂଶକୁ ଧ୍ୱଂସ କରିବାକୁ ଶପଥ କରିଥିଲେ ଏବଂ କୁରୁ ସମ୍ପର୍କୀୟମାନଙ୍କ ମଧ୍ୟରେ ବିବାଦର ନିଆଁକୁ ଜାଳିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।[୪]

ଜ୍ୟେଷ୍ଠପୁତ୍ର ହୋଇଥିଲେ ହେଁ ତାଙ୍କ ନେତ୍ରହୀନତା କାରଣରୁ ଗାନ୍ଧାରୀଙ୍କ ସ୍ୱାମୀ ଧୃତରାଷ୍ଟ୍ର ସିଂହାସନରୁ ବଞ୍ଚିତ ହୋଇଥିଲେ । ସିଂହାସନ ଧୃତରାଷ୍ଟ୍ରର ସାନଭାଇ ପାଣ୍ଡୁଙ୍କ ନିକଟକୁ ଯାଇଥାଏ । କିନ୍ଦମ ଋଷିଙ୍କଦ୍ୱାରା ଅଭିଶାପ ପାଇବା ପରେ ପାଣ୍ଡୁ ଅନୁତାପ କରିବାକୁ ରାଜ୍ୟ ତ୍ୟାଗ ପୂର୍ବକ ବନ ଗମନ କରିଥିଲେ । ଏହା ପରେ ତାଙ୍କ ସ୍ୱାମୀ ହସ୍ତିନାପୁରର ରାଜା ହେଲେ ଏବଂ ସେ ରାଣୀ ହେଲେ ।

ଶେଷ ଜୀବନ ଓ ମୃତ୍ୟୁ[ସମ୍ପାଦନା]

ମହାଭାରତ ମହାକାବ୍ୟରେ ଗାନ୍ଧାରୀଙ୍କ ଚରିତ୍ର ଚିତ୍ରଣ[ସମ୍ପାଦନା]

ମହାଭାରତ ମହାକାବ୍ୟରେ ଗାନ୍ଧାରୀଙ୍କ ଚରିତ୍ରକୁ ଏକ ଉଚ୍ଚ ନୈତିକ ମାନଦଣ୍ଡ ବିଶିଷ୍ଟ ଭାବେ ବର୍ଣ୍ଣିତ କରାଯାଇଛି , ଯଦିଓ ତାଙ୍କ ପୁଅମାନଙ୍କୁ ଖଳନାୟକ ଭାବରେ ଚିତ୍ରଣ କରାଯାଇଛି । ମହାଭାରତ ବର୍ଣ୍ଣନା ଅନୁଯାୟୀ, ଧର୍ମକୁ ଅନୁସରଣ କରିବା ଏବଂ ପାଣ୍ଡବଙ୍କ ସହ ଶାନ୍ତି ସ୍ଥାପନ କରିବାକୁ ସେ ବାରମ୍ବାର ତାଙ୍କ ପୁଅମାନଙ୍କୁ ଅନୁରୋଧ କରିଥିଲେ । ଗାନ୍ଧାରୀ କୁନ୍ତୀଙ୍କ ସହ ଏକ ବଡ-ଭଉଣୀ ଭଳି ସମ୍ପର୍କ ସ୍ଥାପନ କରିଥିଲେ । ଯେତେବେଳେ ଦୁର୍ଯ୍ୟୋଧନ କୁରୁକ୍ଷେତ୍ର ଯୁଦ୍ଧରେ ବିଜୟର ଆଶୀର୍ବାଦ ମାଗିଥିଲେ, ମା ହୋଇ ସୁଦ୍ଧା ଗାନ୍ଧାରୀ କେବଳ କହିଥିଲେ “ ସତ୍ୟ ଏବଂ ଧର୍ମର ହିଁ ଜୟ ହେଉ” । ଗାନ୍ଧାରୀଙ୍କର ମୁଖ୍ୟ ଦୋଷ ଥିଲା ତାଙ୍କ ପୁଅମାନଙ୍କ ପ୍ରତି, ବିଶେଷକରି ତାଙ୍କର ପ୍ରଥମ ଜନ୍ମିତ ପୁତ୍ର ଦୁର୍ଯ୍ୟୋଧନ ପ୍ରତି, ଥିଲା ପୁତ୍ର ମୋହ ବା ତୀବ୍ର ପ୍ରେମ, ଯାହା ତାଙ୍କୁ ଅନେକ ସମୟରେ ତାଙ୍କ ଅଜାଣତରେ ତାକୁ ଅନ୍ଧ କରିଦେଇଥିଲା ।[୫]

ଆଧାର[ସମ୍ପାଦନା]

  1. Ganguli, Kisari Mohan. The Mahabharata of Krishna-Dwaipayana Vyasa Translated into English Prose by Kisari Mohan Ganguli. N.p.: n.p., n.d. Web.
  2. "Britannica Encyclopedia: Mahabharata". Britannica Encyclopedia. 15 April 2015. Retrieved 12 December 2020.
  3. Irawati Karve, en:Yuganta: The End of an Epoch, Chapter:3
  4. "The Mahabharata, Book 1: Adi Parva: Sambhava Parva: Section CX". www.sacred-texts.com. Retrieved 12 December 2020.
  5. Kumar, Manisha (15 October 2014). "Kunti And Gandhari - The Two Matriarchs Of Mahabharata". Dolls of India (in ଇଂରାଜୀ). Retrieved 12 December 2020.