ବାନ୍ଧଣା ପର୍ବ

ଉଇକିପିଡ଼ିଆ ରୁ
Jump to navigation Jump to search

ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, ସୁନ୍ଦରଗଡ ପ୍ରଭୃତି ଜିଲ୍ଲାର କୁଡୁମୀ(ମହାନ୍ତ) ସଂପ୍ରଦାୟ ଅନ୍ୟାନ୍ୟ ପର୍ବପର୍ବାଣି ତୁଳନାରେ ବାନ୍ଧଣା ପର୍ବକୁ ବେଶୀ ଗୁରୁତ୍ୱ ଦେଇଥାନ୍ତି । ଦୀପାବଳି ଅବସରରେ ପାଳନ କରାଯାଉଥିବା ଏହି ପର୍ବ ସମୟରେ ଦୂରଦୂରାନ୍ତରେ କାମ କରୁଥିବା ଲୋକମାନେ ନିଶ୍ଚିନ୍ତ ଭାବେ ନିଜ ଘରକୁ ଫେରିଥାନ୍ତି । ପରିବାର ମେଳରେ ବେଶ ଆନନ୍ଦ ଉଲ୍ଲାସ ମଧ୍ୟରେ ବାନ୍ଧଣ ପର୍ବକୁ ପାଳନ କରିଥାନ୍ତି । ଏହି ପର୍ବ ଆସିବାର କିଛିଦିନ ପୂର୍ବରୁ ସେମାନେ ଘର ଲିପାପୋଛା କରିଥାନ୍ତି । ଦୀପାବଳିଠାରୁ ତିନିଦିନ ପର୍ଯ୍ୟନ୍ତ ଏହା ପାଳିତ ହୋଇଥାଏ । ସେଦିନ ସନ୍ଧ୍ୟାରୁ ଆରମ୍ଭ ହୁଏ ଗୋଠପୂଜା । ଅନ୍ୟଦିନ ଭଳି ସେଦିନ ମଧ୍ୟ ଗାଈଗୋରୁ ପଡ଼ିଆକୁ ଚରିବାକୁ ଯାଇଥାନ୍ତି । ମାତ୍ର ସନ୍ଧ୍ୟାରେ ସେମାନଙ୍କୁ ଘରକୁ ନ ଆଣି ନଈରେ ଗାଧୋଇ ଦେଇ ସିଧାସଳଖ ନିକଟସ୍ଥ ପଡ଼ିଆର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ନିଆଯାଏ । ଅରୁଆଚାଉଳ, ଧୂପ, ଦୀପ ଆଦି ନେଇ ପୂଜକ ବା ଦେହୁରି ସେଠାରେ ପହଞ୍ଚିବା ପରେ ପୂଜାକର୍ମ ଆରମ୍ଭ ହୁଏ । ଧର୍ମ ଗରୋୟା ତଥା ଗାଁର ଅନ୍ୟ ଦେବଦେବୀଙ୍କୁ ଆବାହନ କରିବା କୁକୁଡାବଳି ଦିଆଯାଏ । ପୂଜାସ୍ଥଳରେ ଏକ ଅଣ୍ଡା ରଖାଯାଇ ଏକାଠି ହୋଇଥିବା ଗୋରୁଗୋଠକୁ ଏକସଙ୍ଗେ ଘଉଡେଇ ଦିଆଯାଏ । ଯେଉଁ ଗୋରୁର ଖୁରା ବାଜି ଅଣ୍ଡାଟି ସଂପୂର୍ଣ୍ଣ ଭାବେ ଫାଟିଯାଏ ତା’ର ମାଲିକ ସେହି ବର୍ଷର ଭାଗ୍ୟବାନ ଲୋକ ବୋଲି ଗ୍ରହଣ କରାଯାଏ । ଏହାପରେ ଉପସ୍ଥିତ ଗ୍ରାମବାସୀ ମାଦଲ ବଜାଇ ନୃତ୍ୟ କରନ୍ତି । ସେଠାରେ ଆହୁରି ମଧ୍ୟ ଗୋରୁ ଘଉଡାଇବାରେ ବ୍ୟବହୃତ ବାଡିକୁ ଏକାଠି କରି ପୂଜା କରିବାର ପରମ୍ପରା ଅଛି । ଗାଁର ଲୋକେ ଭାଗ୍ୟବାନ କୁହାଯାଉଥିବା ଗୋରୁମାଲିକ ଏବଂ ଦେହୁରିକୁ କାନ୍ଧରେ ବସାଇ ଘରକୁ ନିଅନ୍ତି । ସନ୍ଧ୍ୟାରେ ମହିଳାମାନେ କ୍ଷୀର, ଚାଉଳଚୂନାର ପିଠା, ଘିଅଦୀପ ଇତ୍ୟାଦି ରଖି ଘରର ପ୍ରତ୍ୟେକ ଦୁଆର, ଖଳା, ତୁଳସୀଚଉରା ପ୍ରଭୃତି ପୂଜ କରିଥାନ୍ତି । ଅଣ୍ଡା ମାଡିଥିବା ବଳଦ ମାଲିକଙ୍କ ଘରୁ ମନଖୁସିରେ ଯାହାକିଛି ଖାଇସାରିବା ପରେ ସମସ୍ତେ ଗ୍ରାମର ପ୍ରଥମ ଭାଗରେ ଥିବା ଘରଠାରୁ ଆରମ୍ଭ କରନ୍ତି ଥିଙ୍ଗୁୱାନ । ଏହିଭଳି ସାରାରାତି ଜାଗରଣ ଗୀତ ଗାଇଗାଇ ଲୋକେ ମସଗୁଲ ହୁଅନ୍ତି । ପରଦିନ ସକାଳେ ଗ୍ରାମବାସୀ ଗାଁର ଶେଷସୀମାରୁ ପ୍ରଥମ ଭାଗକୁ ନାଚକରି ଆସନ୍ତି ଏବଂ ଗାଁ ଗୋରାମକୁ ନମସ୍କାର କରି ଘରକୁ ଚାଲିଯାଆନ୍ତି । ପର୍ବର ଦ୍ୱିତୀୟ ଦିନରେ ଆରମ୍ଭ ହୁଏ ଗୁହାଳ ପୂଜା । ଗାଧୋଇ ସାରି ପ୍ରତ୍ୟେକ ଘର ମାଲିକ ନିଜ ଗୁହାଳରେ ଅରୁଆ ଚାଉଳ, ଧୂପ, ଦୀପ, ସିନ୍ଦୂର, ଦୂବଘାସ, ଗେଣ୍ଡୁଫୁଲ ସମେତ ତିନୋଟି, ପାଞ୍ଚୋଟି, ସାତୋଟି କିମ୍ବା ନଅଟି ଭିନ୍ନଭିନ୍ନ ରଙ୍ଗର କୁକୁଡା ବଳି ଦେଇଥାନ୍ତି । ତା’ସହ କେତେକ ସ୍ଥାନରେ ହାଣ୍ଡିଆ, ରସି ପୂଜା କରିବା ବିଧି ରହିଛି । ବଡ ଘରେ ବା ଠାକୁର ଘରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୂଜା କରାଯାଏ । ପିଠାପଣା, ମାଂସ ଖାଇ ଶିଶୁ ଠାରୁ ବୃଦ୍ଧ ସମସ୍ତେ ବେଶ ହସଖୁସିରେ ଏହି ପର୍ବକୁ ପାଳନ କରିଥାନ୍ତି । ଗୃହିଣୀମାନେ ସନ୍ଧ୍ୟାରେ ପାନିଆଲତା, ଚାଉଳ ଚୂନା, ଗୋବର, ଅପମାରଙ୍ଗ ଓ ସିନ୍ଦୂରରେ ଘରର ମୁଖ୍ୟ ପ୍ରବେଶ ପଥ ସମେତ ତୁଳସୀଚଉରା ଓ ଗୁହାଳ ଘରକୁ ଝୋଟିରେ ଚିତ୍ରିତ କରିଥାନ୍ତି । ଏହାକୁ ଚକପୁରା କହନ୍ତି । ତା’ପରେ ଆରମ୍ଭ ହୁଏ ଗାଈଗୋରୁଙ୍କ ଚୁମାନ ପର୍ବ । ଦୁବ, ମାଟି ବଇଠା, ନୂଆ ଧାନ କେଣ୍ଡା ଆଦିକୁ ଏକ ନୂଆକୁଲାରେ ନେଇ ନୂତନ ବସ୍ତ୍ର ପରିଧାନ କରି ଘରର ଗୃହିଣୀମାନେ ଗାଈଗୋରୁଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଶେଷଦିନଟିକୁ ଗ୍ରାମବାସୀମାନେ ବୁଢୀବାନ୍ଧଣା ଭାବେ ପାଳନ କରିଥାନ୍ତି । ଏହିଦିନରେ ଗୋଟିଏ ଖୁଣ୍ଟରେ ଗୋରୁକୁ ବନ୍ଧା ଯାଇ ବାଜା ବଜାଇ ନୃତ୍ୟଗୀତ କରାଯାଏ । ଏହାକୁ ଗୋରୁଖୁଣ୍ଟା ପର୍ବ କହନ୍ତି । ହିଂସ୍ର ଜୀବଜନ୍ତୁଙ୍କ କବଳରୁ ଗୋରୁମାନଙ୍କୁ ଆତ୍ମରକ୍ଷା କରିବାର କୌଶଳ ଶିଖାଇବା ଉଦ୍ଦେଶ୍ୟରେ ଏହି ପର୍ବ ପାଳନ କରାଯାଉଥିବା ପୁରୁଖା ଲୋକଙ୍କ ମତ । କୁଡିମୀ-ମହାନ୍ତ ସଂପ୍ରଦାୟରେ ଏହାକୁ ହାତୀ ଲେଖନ ପରବ୍ ଭାବେ ଅଭିହିତ କରାଯାଏ ।[୧]

ଆଧାର[ସମ୍ପାଦନା]

  1. ସୁବ୍ରତ ଖୁଣ୍ଟିଆ (୨୧-୨୭.୧୨.୧୨). "ବାନ୍ଧଣା ପର୍ବ". ସମାଜ ରବିବାର: ୪. Check date values in: |date= (help)