ଫାହିୟାନ

ଉଇକିପିଡ଼ିଆ ରୁ
Jump to navigation Jump to search
ଫାହିୟାନ
ଅଶୋକଙ୍କ ପ୍ରାସାଦର ଭଗ୍ନାବଶେଷ ଦେଖୁଥିବା ଫାହିୟାନ
Religionବୌଦ୍ଧ ଧର୍ମ
Personal
Born୩୩୭
ପିଂଗୟାଂଗ ୱୁୟାଂଗ (平陽武陽), ଆଧୁନିକ ଲିନଫେନ ନଗର[୧]
Diedଆନୁମାନିକ ୪୨୨ (୮୫ ବର୍ଷ ବୟସରେ)
Religious career
Worksଫୋଗୁଓଜି (ବୌଦ୍ଧ ରାଜ୍ୟମାନଙ୍କ ଏକ ବିବରଣୀ)

ଫାହିୟାନ (ଇଂରାଜୀରେ Faxian) (ଖ୍ରୀ. ୩୩୭- ଆନୁମାନିକ ୪୨୨) ଜଣେ ଚୀନୀ ବୌଦ୍ଧ ସନ୍ୟାସୀ, ଅନୁବାଦକ ଓ ପରିବ୍ରାଜକ ଥିଲେ । ସେ ଚୀନରୁ ପଦଯାତ୍ରା କରି ଭାରତକୁ ଆସିଥିଲେ । ଖ୍ରୀ. ୩୯୯ରୁ ୪୧୨ ମଧ୍ୟରେ ନିଜ ଯାତ୍ରା ପଥରେ ସେ ମଧ୍ୟ ଏସିଆ, ଦକ୍ଷିଣ ଏସିଆ ଓ ଦକ୍ଷିଣ-ପୂର୍ବ ଏସିଆର ବିଭିନ୍ନ ରାଜ୍ୟ ପରିଭ୍ରମଣ କରି ବିଭିନ୍ନ ବୌଦ୍ଧ ଧର୍ମ ଗ୍ରନ୍ଥ ପ୍ରାପ୍ତ କରିଥିଲେ । ନିଜ ଯାତ୍ରା ବୃତ୍ତାନ୍ତ ସେ ଫୋଗୁଓ ଜି (ମୂଳ ଚୀନୀ ନାମ 佛國記) ନାମକ ଏକ ପୁସ୍ତକରେ ଲେଖିଥିଲେ । ଏହାର ଇଂରାଜୀ ଅନୁବାଦ ହେଉଛି A Record of Buddhist Kingdoms(ବୌଦ୍ଧ ରାଜ୍ୟମାନଙ୍କ ଏକ ବିବରଣୀ) ।

କିଛି ସ୍ଥାନରେ ତାଙ୍କ ନାମ ଫାହିଏନଫାଃସିଏନ ବୋଲି ମଧ୍ୟ କୁହାଯାଇଛି ।

ଜୀବନୀ[ସମ୍ପାଦନା]

ଖ୍ରୀ. ୩୯୯ରେ ଆଉ ୯ ଜଣ ସାଥୀଙ୍କ ସହ ବିଭିନ୍ନ ବୌଦ୍ଧ ଧର୍ମ ଗ୍ରନ୍ଥର ଅନୁସନ୍ଧାନରେ ଫାହିୟାନ ନିଜର ଯାତ୍ରା ଆରମ୍ଭ କରିଥିଲେ ।[୨] ଚୀନରୁ ନିଜ ପଦଯାତ୍ରା ଆରମ୍ଭ କରି ଦୁର୍ଗମ ଗିରିପଥ ଓ ଶୀତଳ ମରୁଭୂମି ଅତିକ୍ରମ କରି ପଞ୍ଚମ ଶତାବ୍ଦୀର ଆରମ୍ଭରେ ସେ ଭାରତ ଆସି ପହଞ୍ଚିଥିଲେ । ଉତ୍ତର-ପଶ୍ଚିମ ପଟରୁ ସେ ଭାରତରେ ପ୍ରବେଶ କରିଥିଲେ ଓ ପରେ ପାଟଳିପୁତ୍ର ପହଞ୍ଚିଥିଲେ । ନିଜ ସହିତ ସେ ବିଭିନ୍ନ ବୌଦ୍ଧ ଧର୍ମ ଗ୍ରନ୍ଥ ଓ ବୌଦ୍ଧମାନଙ୍କ ମତରେ ପବିତ୍ର ବସ୍ତୁମାନ ସଂଗ୍ରହ କରି ଚୀନକୁ ଫେରି ଯାଇଥିଲେ । ପାଟଳିପୁତ୍ର ପହଞ୍ଚିବା ପରେ ସେ ତାହାର ଭଗ୍ନାବଶେଷ ବୁଲି ଦେଖିଥିଲେ ।

ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ରାଜୁତି ସମୟରେ ତାଙ୍କ ଭାରତ ଭ୍ରମଣ ସମ୍ପନ୍ନ ହୋଇଥିଲା । ଗୌତମ ବୁଦ୍ଧଙ୍କ ଜନ୍ମ ସ୍ଥଳ ଆଧୁନିକ ନେପାଳର ଲୁମ୍ବିନୀକୁ ଫାହିୟାନ ତୀର୍ଥ ଯାତ୍ରାରେ ମଧ୍ୟ ଯାଇଥିଲେ । କିନ୍ତୁ ନିଜ ଭ୍ରମଣ ବୃତ୍ତାନ୍ତରେ ସେ ଗୁପ୍ତ ବଂଶ ବିଷୟରେ କିଛି ଲେଖିନାହାନ୍ତି । ରାକ୍ଷସ ଓ ଡ୍ରାଗନମାନେ ଶ୍ରୀଲଙ୍କାର ମୂଳ ନିବାସୀ ବୋଲି ଫାହିୟାନ ଦାବୀ କରିଛନ୍ତି ।[୩]

ସିଂହଳରେ ଦୁଇ ବର୍ଷ ରହିବା ପରେ ଫାହିୟାନ ଚୀନ ଅଭିମୁଖେ ଜଳ ଯାତ୍ରା ଆରମ୍ଭ କରିଥିଲେ । ଏକ ବାତ୍ୟା ଯୋଗୁଁ ତାଙ୍କ ଜାହାଜ ଏକ ଦ୍ୱୀପରେ (ସମ୍ଭବତଃ ଜାଭା ଦ୍ୱୀପରେ) ଯାଇ ଲାଗିଥିଲା ।[୪] ପାଞ୍ଚ ମାସ ସେଠାରେ ରହିବା ପରେ ଫାହିୟାନ ଆଉ ଏକ ଜାହାଜରେ ଦକ୍ଷିଣ ଚୀନ ଅଭିମୁଖେ ଯାତ୍ରା ଆରମ୍ଭ କଲେ । କିନ୍ତୁ ପୁନର୍ବାର ତାଙ୍କ ଜାହାଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଚିନଦାଓ ସହରରୁ ୩୦ କିଲୋମିଟର ପୂର୍ବରେ ଥିବା ଲାଓ ପର୍ବତ (ବର୍ତ୍ତମାନର ଉତ୍ତର ଚୀନର ଶାନଡୋଂଗ) ନିକଟରେ ଯାଇ ପହଞ୍ଚିଲା । ସେ ତାଙ୍କର ବାକି ଜୀବନ ନିଜ ସଂଗୃହୀତ ସମସ୍ତ ଗ୍ରନ୍ଥ ଓ ଲେଖାର ଅନୁବାଦ ଓ ସମ୍ପାଦନାରେ ଅତିବାହିତ କରିଥିଲେ ।

ପଞ୍ଚମ ଶତାବ୍ଦୀରେ ରେଶମ ପଥ ଯେଉଁ ସବୁ ରାଜ୍ୟ ବା ଦେଶ ଦେଇ ଯାଇଥିଲା, ସେ ସମସ୍ତ ସ୍ଥାନର ତତ୍କାଳୀନ ଭୂଗୋଳ, ଇତିହାସ, ବୌଦ୍ଧ ଧାର୍ମିକ ପରମ୍ପରା ନିଜ ଭ୍ରମଣ ବୃତ୍ତାନ୍ତ ମାଧ୍ୟମରେ ଫାହିୟାନ ଜଣାଇଛନ୍ତି । ତାଙ୍କ ଲେଖାରେ ତକ୍ଷଶିଳା, ପାଟଳିପୁତ୍ର, ମଥୁରା, କନୌଜ ମଧ୍ୟ-ଭାରତର ନଗର ସବୁ ଉଲ୍ଲିଖିତ ।[୫] ତାଙ୍କ ଲେଖାରେ ସେ ମଧ୍ୟ-ଭାରତର ଲୋକଙ୍କ ବେଶଭୂଷା ଓ ଖାଦ୍ୟପେୟ ଚୀନୀ ଲୋକଙ୍କ ପରି ବେଲି କହିଛନ୍ତି । ପାଟଳିପୁତ୍ର ଏକ ସମୃଦ୍ଧଶାଳୀ ନଗର ଥିଲା ବୋଲି ସେ କହିଛନ୍ତି ।

ସେ ୪୧୨ ଖ୍ରୀଷ୍ଟାବ୍ଦରେ ଫେରିଥିଲେ ଓ ବର୍ତ୍ତମାନର ନାନ୍‍ଜିଂଗ୍‍ରେ ବସତି ସ୍ଥାପନ କରିଥିଲେ । ୪୧୪ରେ ସେ ଫୁଗୁଓ ଜି ରଚନା କରିଥିଲେ । ମୃତ୍ୟୁ ପର୍ଯ୍ୟନ୍ତ ପ୍ରାୟ ଏକ ଦଶନ୍ଧି ସମୟ ସେ ଭାରତରୁ ସଂଗ୍ରହ କରି ଆଣିଥିବା ବିଭିନ୍ନ ବୌଦ୍ଧ ସୂତ୍ରର ଅନୁବାଦରେ ଅତିବାହିତ କରିଥିଲେ ।[୬]

ଫାହିୟାନଙ୍କ ଲେଖାର ଅନୁବାଦ[ସମ୍ପାଦନା]

ମିୟାଜିମାର ଦାଇଶୋ-ଇନ୍ ମନ୍ଦିରରେ ଫାହିୟାନଙ୍କ ମୂର୍ତ୍ତି
ଭାରତ ଦେଇ ଫାହିୟାନଙ୍କ ଯାତ୍ରା ପଥ

ଜେମ୍ସ୍ ଲେଗ୍ଗେ ଫାହିୟାନଙ୍କ ଲେଖାର ଅନୁବାଦରେ ନିମ୍ନ ଲିଖିତ ଅନୁକ୍ରମଣିକା ଲେଖିଛନ୍ତି:

ଫାହିୟାନ ନିଜେ ଲେଖିଥିବା ବୃତ୍ତାନ୍ତ ବ୍ୟତୀତ ତାଙ୍କ ବିଷୟରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଲେଖାଯାଇନାହିଁ । ମୁଁ ତାଙ୍କ ବିଷୟରେ ୫୧୯ ଖ୍ରୀଷ୍ଟାବ୍ଦରେ ସଙ୍କଳିତ ମେମୋୟର୍ସ୍ ଅଫ୍ ଏମିନେଣ୍ଟ୍ ମଂକ୍‍ସ୍ (Memoirs of Eminent Monks) ଓ ମିଂଗ୍ ସାମ୍ରାଜ୍ୟର ତୃତୀୟ ସମ୍ରାଟଙ୍କ ସମୟରେ (ଖ୍ରୀ. ୧୪୦୩-୧୪୨୪) ଲିଖିତ ମେମୋୟର୍ସ୍ ଅଫ୍ ମାର୍ଭେଲସ୍ ମଂକ୍‍ସ୍ (Memoirs of Marvellous Monks)ରୁ ତାଙ୍କ ବିଷୟରେ ପଢ଼ିଛି । ଏଗୁଡ଼ିକର ତଥ୍ୟ କିନ୍ତୁ ପ୍ରାୟ ଏକା ପରି ଓ ସେଥିରୁ ଅଧିକ କିଛି ଜାଣିହେବ ନାହିଁ ।

ଏଗୁଡ଼ିକ ଅନୁସାରେ ତାଙ୍କ ସଂଜ୍ଞା (ଶେଷ ନାମ) କୁଂଗ୍ ଥିଲା ଓ ସେ ପିଂଗ-ୟାଂଗର ୱୁ-ୟାଂଗର ମୂଳ ନିବାସୀ ଥିଲେ । ବର୍ତ୍ତମାନ ସୁଦ୍ଧା ଏହା ଶାନ୍-ଶିର ଏକ ବଡ଼ ବିଭାଗର ନାମ । ତାଙ୍କର ତିନି ଜଣ ବଡ଼ ଭାଇ ଥିଲେ କିନ୍ତୁ କୈଶୋରାବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା । ତାଙ୍କ ପିତା ଏହା ପରେ ତାଙ୍କୁ ବୌଦ୍ଧ ସମାଜର ସେବାରେ ଉତ୍ସର୍ଗ କରିଥିଲେ । ପରିବାରରେ ରହୁଥିଲେ ହେଁ ପିତା ତାଙ୍କୁ ଶ୍ରମଣତ୍ୱ ଗ୍ରହଣ କରାଇଥିଲେ । ଯେତେବେଳେ ଫାହିୟାନ ଭୟଙ୍କର ରୋଗଗ୍ରସ୍ତ ହେଲେତାଙ୍କୁ ପିତା ବୌଦ୍ଧ ବିହାରକୁ ପଠାଇ ଦେଇଥିଲେ । ଫାହିୟାନ ସେଠାରେ ରୋଗମୁକ୍ତ ହେଲେ କିନ୍ତୁ ନିଜ ପିତା-ମାତାଙ୍କ ପାଖକୁ ନ ଫେରିବାର ନିଷ୍ପତ୍ତି ନେଲେ ।

ଦଶ ବର୍ଷ ବୟସରେ ପିତାଙ୍କ ନିଧନ ହୋଇଥିଲା । ତାଙ୍କର ଜଣେ ମାମୁଁ ତାଙ୍କ ମାତାଙ୍କ ବିଧବାବସ୍ଥାର କଷ୍ଟ ଦେଖି ଫାହିୟାନଙ୍କୁ ସନ୍ୟାସୀ ଜୀବନ ପରିତ୍ୟାଗ କରିବାକୁ ଅନୁରୋଧ କରିଥିଲେ ଓ ମାତାଙ୍କ ପାଖକୁ ଫେରି ଆସିବାକୁ କହିଥିଲେ । ଫାହିୟାନ ଏହାର ଉତ୍ତରରେ କହିଲେ – "ମୁଁ ପିତାଙ୍କ ଇଚ୍ଛା ମାନି ପରିବାର ଛାଡ଼ି ନଥିଲି । ବରଂ କଳୁଷିତ ଓ କାମୁକ ଜୀବନରୁ ଦୂରେଇ ରହିବା ପାଇଁ ମୁଁ ସାଂସାରିକ ଜୀବନ ପରିତ୍ୟାଗ କରିଥିଲି । ଏହି କାରଣରୁ ମୁଁ ସନ୍ୟାସୀ ଜୀବନ ଆପଣେଇଛି ।" ତାଙ୍କ ମାମୁଁ ତାଙ୍କୁ ଆଉ ପ୍ରବର୍ତ୍ତାଇବାକୁ ଚେଷ୍ଟା କରି ନଥିଲେ । ପରେ ତାଙ୍କ ମାତାଙ୍କ ନିଧନ ହେଲା, ମାତାଙ୍କ ଶେଷକ୍ରିୟା ପରେ ଫାହିୟାନ ବୌଦ୍ଧ ବିହାରକୁ ଫେରି ଆସିଥିଲେ ।

ଏକଦା ସେ କିଛି ସାଥୀଙ୍କ ସହ ଧାନ କାଟୁଥିବା ସମୟରେ କିଛି କ୍ଷୁଧାର୍ତ୍ତ ଚୋର ବଳପୂର୍ବକ ତାଙ୍କ ଶସ୍ୟ ଛଡ଼ାଇ ନେବାର ଚେଷ୍ଟା କରିଥିଲେ । ତାଙ୍କ ସାଥୀ ଶ୍ରମଣମାନେ ପଳାୟନ କଲେ, କିନ୍ତୁ ଫାହିୟାନ ସେଠାରେ ଛିଡ଼ା ରହିଲେ ଓ ଚୋରମାନଙ୍କୁ କହିଲେ – “ଯଦି ତୁମକୁ ଖାଇବାର ଅଛି ଶସ୍ୟତକ ନିଅ । କିନ୍ତୁ ତୁମେ ପୂର୍ବେ ଦାନ ନକରିଥିବାରୁ ଆଜି ଏପରି ଦଶା ଭୋଗୁଛ । ବର୍ତ୍ତମାନ ତୁମେ ପୁଣି ଅନ୍ୟମାନଙ୍କ ଶସ୍ୟ ଚୋରାଉଛ । ଦୁଃଖର ସହିତ କହିବାକୁ ପଡ଼ୁଛି ଯେ ତୁମେ ଭବିଷ୍ୟରେ ପୁଣି ଦାରିଦ୍ର୍ୟ ଓ କଷ୍ଟ ଭୋଗ କରିବ । ତେଣୁ ମୁଁ ପୂର୍ବରୁ ହିଁ ତୁମଠାରେ କ୍ଷମା ପ୍ରାର୍ଥନା କରୁଛି ।“ ଏପରି କହି ସେ ନିଜ ସାଥୀ ଶ୍ରମଣଙ୍କ ନିକଟକୁ ଫେରିଯିବାକୁ ବାହାରିଲେ । ଚୋରମାନେ ଶସ୍ୟ ଛାଡ଼ି ଚାଲିଗଲେ ଓ ସେଠାରେ ଥିବା ଶହ ଶହ ସନ୍ୟାସୀ ଫାହିୟାନଙ୍କ ସାହସର ପ୍ରଶଂସା କଲେ ।

ବୌଦ୍ଧ ଧର୍ମର ସେବା ପାଇଁ ପୂର୍ଣ୍ଣ ଦାୟିତ୍ତ୍ୱ ବହନ କରିବା ବେଳକୁ ତାଙ୍କର ଶୃଙ୍ଖଳା, ବୁଦ୍ଧିମତା ଓ ସାହସ ବିଷୟରେ ସମସ୍ତଙ୍କୁ ଜଣା ଥିଲା । ତା’ ପରେ ସେ ଭାରତ ଭ୍ରମଣ କରି ବିନୟ ପିଟକର ସମସ୍ତ ଲେଖା ସଂଗ୍ରହ କରିବାକୁ ମନସ୍ଥ କଲେ । ଏହା ପରେ ଭାରତକୁ ତାଙ୍କର ଯାତ୍ରା ଓ ସମୁଦ୍ର ପଥରେ ଚୀନକୁ ତାଙ୍କ ପ୍ରତ୍ୟାବର୍ତ୍ତନ ଯାତ୍ରା ତାଙ୍କ ଲେଖାରୁ ଜାଣିହେବ । ସେଥିରେ ରାଜଗୃହର ଗୃଧ୍ରକୂଟ ଭ୍ରମଣ ସମୟରେ ତାଙ୍କ ସହ ଘଟିଥିବା କିଛି ସୁନ୍ଦର ଘଟଣାର ବୃତ୍ତାନ୍ତ ମଧ୍ୟ ରହିଛି ।

କଥିତ ଅଛି ଯେ ଚୀନକୁ ଫେରିବା ପରେ ସେ ରାଜଧାନୀ ନାନ୍‍ଜିଂଗ୍ ଯାଇଥିଲେ ଓ ସେଠାରେ ଭାରତୀୟ ଶ୍ରମଣ ବୁଦ୍ଧଭଦ୍ରଙ୍କ ସହିତ ମିଶି ଭାରତରୁ ସଂଗୃହୀତ ବିଭିନ୍ନ ବୌଦ୍ଧ ଗ୍ରନ୍ଥର ଅନୁବାଦ କରିଥିଲେ । ନିଜ ଅଭିଳାଷିତ ସମସ୍ତ କାର୍ଯ୍ୟ ସାରିବା ପରେ ସେ ବର୍ତ୍ତମାନର ହୁବେଇ ପ୍ରାନ୍ତର ଜିଂଝୌକୁ ଚାଲିଯାଇଥିଲେ ଓ ସେଠାରେ ସମସ୍ତଙ୍କୁ ଶୋକାକୁଳ କରି ୮୮ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । ତାଙ୍କର ସମସ୍ତ ଦେଶ ପରିଭ୍ରମଣ ସମ୍ପର୍କିତ ଏକ ଲେଖା ମଧ୍ୟ ରହିଥିଲା ।

ନିଜ ଲେଖା ବ୍ୟତୀତ ଫାହିୟାନଙ୍କ ବିଷୟରେ ଆଉ ଏତିକି ତଥ୍ୟ ଉପଲବ୍ଧ । ଫାହିୟାନ ତାଙ୍କର ନାମ ନୁହେଁ ବରଂ ତାଙ୍କ ଦାୟିତ୍ତ୍ୱ ଲାଗି ତାଙ୍କୁ ଦିଆଯାଇଥିବା ଉପାଧି । ଫାହିୟାନ ନାମର ଅର୍ଥ ହେଲା “ନୀତିନିୟମରେ ପ୍ରବୀଣ” । ତା’ ପୂର୍ବରୁ ଯୋଡ଼ାଯାଇଥିବା ଶିଃ ଗୌତମ ବୁଦ୍ଧଙ୍କ (ଶାକ୍ୟ ମୁନି – ପ୍ରେମରେ ମହାନ, ଶାନ୍ତି ଓ ଏକାନ୍ତରେ ବସବାସ କରୁଥିବା) ନାମର ପ୍ରଥମାଂଶ । ଏହି ନାମ ପୂର୍ବ ତ୍ସିନ ସାମ୍ରାଜ୍ୟ (ଖ୍ରୀ. ୩୧୭-୪୧୯) କିମ୍ବା ଲ୍ୟୁ ସଂଗ୍ ସାମ୍ରାଜ୍ୟ (ଖ୍ରୀ. ୪୨୦-୪୭୮) ସମୟର ବୋଲି ମଧ୍ୟ କୁହାଯାଏ । ୨୦ ବର୍ଷ ବୟସରେ ସେ ଯଦି ଜଣେ ସନ୍ୟାସୀ ହେଲେ ଓ ୨୫ ବର୍ଷ ବୟସରେ ଭାରତ ଭ୍ରମଣରେ ଗଲେ, ତାଙ୍କ ଜୀବନ କାଳ ଏହି ଦୁଇ ସାମ୍ରାଜ୍ୟ ମଧ୍ୟରେ ବିଭାଜିତ ।[୭]

ଫାହିୟାନଙ୍କ ରଚନା[ସମ୍ପାଦନା]

  • ଫାହିୟାନ (୧୮୮୬). A Record of Buddhistic Kingdoms; ବୌଦ୍ଧ ଧର୍ମ ଗ୍ରନ୍ଥ ଅନୁସନ୍ଧାନରେ ଚୀନୀ ସନ୍ୟାସୀ ଫାହିୟାନଙ୍କ ଖ୍ରୀ. ୩୯୯-୪୧୪ ସମୟରେ ଭାରତ ଓ ସିଂହଳ ଭ୍ରମଣ ବୃତ୍ତାନ୍ତ. ଜେମ୍ସ୍ ଲେଗ୍ଗେ (ଅନୁବାଦକ). ଦ କ୍ଲାରେଣ୍ଡନ୍ ପ୍ରେସ୍, ଅକ୍ସଫୋର୍ଡ୍.
  • ଫାହିୟାନ (୧୮୭୭). Record of the Buddhistic Kingdoms. ହର୍ବର୍ଟ୍ ଏ. ଜାଇଲ୍‍ସ୍ (ଅନୁବାଦକ). ଟ୍ରୁବ୍‍ନର୍ ଏଣ୍ଡ୍ କୋ., ଲଣ୍ଡନ.

ଆଧାର ଓ ଅନ୍ୟାନ୍ୟ ପଠନୀୟ ଉତ୍ସ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Li, Xican (2016). "Faxian's Biography and His Contributions to Asian Buddhist Culture: Latest Textual Analysis". Asian Culture and History. 8 (1): 38. doi:10.5539/ach.v8n1p38. Retrieved 16 August 2017.
  2. Jaroslav Průšek and Zbigniew Słupski, eds., Dictionary of Oriental Literatures: East Asia (Charles Tuttle, 1978): 35.
  3. The Medical times and gazette, Volume 1. LONDON: John Churchill. 1867. p. 506. Retrieved February 19, 2011.(Original from the University of Michigan)
  4. Buswell, Robert E., Lopez, Donald S. Jr. (2014). The Princeton Dictionary of Buddhism, Princeton: Princeton University Press, p. 297
  5. "A Record of Buddhistic Kingdoms, by Fa-Hsien". www.gutenberg.org. Retrieved 2019-09-14.
  6. Jaroslav Průšek and Zbigniew Słupski, eds., Dictionary of Oriental Literatures: East Asia (Charles Tuttle, 1978): 35.
  7. Legge, James. Record of Buddhistic Kingdoms by Chinese Monk , Fa-Hien (PDF). Buddha Dharma Education Association Inc. Retrieved August 9, 2019.

ପୁସ୍ତକ ଆଧାର[ସମ୍ପାଦନା]

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]