ପ୍ରଭଞ୍ଜନ
ପ୍ରଭଞ୍ଜନ | |
---|---|
ଲେଖକ | ମନୋଜ ଦାସ |
ମୂଳ ନାମ | 'ସାଇକ୍ଳୋନ' |
ଅନୁବାଦକ | ମନୋଜ ଦାସ |
ମଲାଟ ଚିତ୍ରକର | ଭାବାନନ୍ଦ ମିଶ୍ର |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବିଭାଗ | ଉପନ୍ୟାସ |
ପ୍ରକାଶକ | ବିଦ୍ୟାପୁରୀ, ବାଲୁବଜାର, କଟକ |
ଓଡ଼ିଆ ସଂସ୍କରଣର ପ୍ରକାଶ ତାରିଖ | ୧୯୯୨, ୧୯୯୮, ୨୦୦୫, ୨୦୦୮ |
ମାଧ୍ୟମ ପ୍ରକାର | ଛପା ବହି, ବନ୍ଧେଇ |
ପୃଷ୍ଠା | ୨୧୦ |
ISBN | ୮୧-୭୪୧୧-୦୦୮-୯ |
ପ୍ରଭଞ୍ଜନ ମନୋଜ ଦାସଙ୍କ ରଚିତ[୧] ଏକ ଉପନ୍ୟାସ ।[୨]ଏହି ପୁସ୍ତକଟିକୁ କଟକର ବିଦ୍ୟାପୁରୀ ପ୍ରକାଶଶୀ ପ୍ରକାଶ କରିଥିଲେ ।[୩] ଏହା ତାଙ୍କ ଇଂରାଜୀରେ ରଚିତ ସାଇକ୍ଳୋନର ଓଡ଼ିଆ ରୂପାନ୍ତର ଅଟେ ।[୪] ଲେଖକ ଏହାକୁ ଇଂରାଜୀରେ ଲେଖିବାବେଳେ ଏହାକୁ ପୁଣି ଥରେ ଓଡ଼ିଆରେ ପୁନର୍ଲିଖନ କରିବାକୁ ପଡ଼ିବ ବୋଲି ସେ ଚିନ୍ତା କରିନଥିଲେ । କାରଣ ଲେଖକ ଭାବିଥିଲେ ଏହି ପଟ୍ଟଭୂମି ଓଡ଼ିଆ ପାଠକଙ୍କ ପାଇଁ ନୂଆ ହେବନାହିଁ କିନ୍ତୁ ପାଠକ ଓ ବନ୍ଧୁମାନଙ୍କ ଅନୁରୋଧ କ୍ରମେ ସେ ନିଜେ ଏହାକୁ ଓଡ଼ିଆରେ ପୁଣି ଥରେ ଲେଖିଥିଲେ ।[୫]
ସଂକ୍ଷିପ୍ତ ସମୀକ୍ଷା
[ସମ୍ପାଦନା]ଶତାବ୍ଦୀ ବ୍ୟାପୀ ଶାନ୍ତ ସମାହିତ ଜୀବନଧାରାରେ ଅଭ୍ୟସ୍ତ ଏକ ପଲ୍ଲି ମୁଲକରେ ଅଚାନକେ ଆସିଛି ପରିବର୍ତ୍ତନର ପ୍ରଭଞ୍ଜନ : ସମନ୍ତବାଦର ଅବକ୍ଷୟ; ସ୍ୱାଧୀନତାର ପଦଧ୍ୱନି; ଅନଭ୍ୟସ୍ତ; ସାମୁହିକ ମାନସରେ ରାଜନୀତି ଓ ନୂତନ ଅଧିକାରବୋଧର ପ୍ରଭାବ; ପଲ୍ଲି ଉପରେ ଅନନୁଭୂତ ପୂର୍ବବଜାରଧର୍ମୀ ଜୀବନଧାରର ପ୍ଲାବନ; ବାହାରେ ବାସ୍ତବ ଝଡ଼; ମୁଖ୍ୟ ଚରିତ୍ର ସନ୍ଦୀପର ଚେତନାରେ ଭାବ ଓ ଚିନ୍ତାର ଝଡ଼ । [୬]
ପ୍ରଭଞ୍ଜନରେ ବର୍ଣ୍ଣିତ ଘଟଣାବଳିର ପଟ୍ଟଭୂମି ସ୍ୱାଧୀନତାର ପ୍ରାକ୍କାଳ, କିନ୍ତୁ ଭାରତବର୍ଷର ପରିସ୍ଥିତି ଗତ କେତେ ଦଶନ୍ଧି ଭିତରେ ଯେପରି ଓଲଟପାଲଟ ହୋଇଯାଇଛି, ଅତୀତର ସମୟ ପ୍ରବାହରେ କେତେ ଶତାବ୍ଦୀ ଭିତରେ ବି ଅନୁରୂପ ମାତ୍ରାରେ ପରିବର୍ତ୍ତନ ସଂଘଟିତ ହୋଇ ନ ଥିଲା । ସେହି ବ୍ୟାପକ ପରିବର୍ତ୍ତନ-ନାଟକର ଅନ୍ତର୍ଭୁକ୍ତ, ପରସ୍ପର ଅବିଚ୍ଛିନ୍ନ ତିନିଗୋଟି ବିଶେଷ ଧାରା ଏ ଉପନ୍ୟାସରେ ଚିତ୍ରିତ : ଗାଁ ଗହଳରେ ପ୍ରଭୁତ୍ୱ ଓ ପ୍ରଭାବ ସାମନ୍ତଧର୍ମୀ ପରିବାରମାନଙ୍କରୁ ଖସିଆସି ସାର୍ବଜନୀନ ହେବାର ବାସ୍ତବତା, ପରାଧୀନତାରୁ ସ୍ୱାଧୀନତା ଭିତରକୁ ଗ୍ରାମ୍ୟ ଭାରତର ବିହ୍ୱଳ-ପ୍ରାୟ ଯାତ୍ରା ଏବଂ ଏକ ନିବୃତ ପଲ୍ଲୀ ହଠାତ୍ ବଜାରରେ ପରିଣତ ହେବା ଅବସରରେ ସମ୍ପୃକ୍ତ ମଣିଷମାନଙ୍କର ଅପ୍ରତ୍ୟାଶିତ ମାନସିକ ପରିବର୍ତ୍ତନ ।[୫] ସାମନ୍ତବାଦର ବିଲୋପ ସଙ୍ଗେ ସଙ୍ଗେ ସ୍ୱାର୍ଥକୁଶଳୀ ନବ ନବ ନେତାଙ୍କ ଉଦ୍ଭବ, ସମୃଦ୍ଧି ସଙ୍ଗେ ସଙ୍ଗେ ବଜାରରେ ପରିଣତ ଏକ ଗ୍ରାମର ଚାରିତ୍ରିକ ବିପର୍ଯ୍ୟୟ - ଘଟଣା ଦୁର୍ଘଟଣାର ଏ ବାସ୍ତବଧର୍ମୀ ପଞ୍ଜ ଭିତରେ କେତୋଟି ଚରିତ୍ରର ଯେଉଁ ଅବିସ୍ମରଣୀୟ ବିକାଶ ଏ ଉପନ୍ୟାସରେ ପ୍ରାଞ୍ଜଳ ଭାବେ ପ୍ରତିଫଳିତ ।[୭]
ପ୍ରଶଂସା
[ସମ୍ପାଦନା]ଉପନ୍ୟାସଟିର ମୂଳ ସଂସ୍କରଣ ଉପରେ ଇଂରାଜୀ ସାହିତ୍ୟର ପ୍ରବୁଦ୍ଧ ଅଧ୍ୟାପକ ଓ ସମାଲୋଚକମାନଙ୍କ ଦୀର୍ଘ ସମୀକ୍ଷାରୁ କିୟଦଅଂଶ[୬] :
- "ଏକ ଏକ ତୁଳି ସ୍ପର୍ଶରେ ଜୀବନ୍ତ ମୁହୂର୍ତ୍ତମାନ.... ପାଠକ ଚିତ୍ତରେ ରଖିଯା'ନ୍ତି ଆଶ୍ଚର୍ଯ୍ୟ ଅଲିଭା ଦାଗ... ତାତ୍ପର୍ଜ୍ୟପୂର୍ଣ୍ଣ ଭାଷାରେ ସମୃଦ୍ଧ ଏ ଉପନ୍ୟାସ - ମୃଦୁ କବିତା ମୟ"
- - କେ. ଆର. ଶ୍ରୀନିବାସ ଆୟାଙ୍ଗାର (ଦି ହିନ୍ଦୁ)
- "ଏ ଶକ୍ତିଶାଳୀ ଉପନ୍ୟାସ... ବାସ୍ତବରେ ଲେଖକଙ୍କ ସୂକ୍ଷ୍ମ କଳ୍ପନାବୋଧ, ନୈତିକ ଦୃଷ୍ଟିଭଙ୍ଗୀ ଏବଂ ସୃଜନୀକଳାର ସାକ୍ଷ୍ୟ ।"
- - ଶିବ. କେ. କୁମାର (ହିନ୍ଦୁସ୍ତାନ ଟାଇମ୍ସ)
- "ମନୋଜ ଦାସ ଏଭଳି ରୀତିରେ ପରିସ୍ଥିତି ଓ ଚରିତ୍ର ଚିତ୍ରଣ କରିପାରନ୍ତି - ଆମେ ଶିଶୁ ଭଳି ମୁଗ୍ଧ ଚକିତ ହୋଇ ଶୁଣୁଥାଉ ।"
- - ପି. ଏସ. ସୁନ୍ଦରମ (ଦି ବୁକ ରିଭ୍ୟୁ)
- "ଗ୍ରାମାଞ୍ଚଳର ଅପୂର୍ବ ବର୍ଣ୍ଣନା, ପ୍ରାକ୍-ସ୍ୱାଧୀନ ଯୁଗର ସ୍ୱଚ୍ଛଳ ସ୍ମୃତି ଏବଂ ସର୍ବୋପରି ଏକ ଦୃଦୟସ୍ପର୍ଶୀ କାହାଣୀର ସୁଦକ୍ଷ ଚିତ୍ରଣ..."
- - ପ୍ରେମାନନ୍ଦ କୁମାର (ଆକାଶବାଣୀ)
- "ଜଟିଳ ପରିସ୍ଥିତିକୁ ନେଇ ଏ ଉପନ୍ୟାସ - କଳେବର ପୃଥୁଳ ନ କରି ବହୁଦିଗର ଚିତ୍ରଣ କରିପାରିବା ଭଳି ପରୀକ୍ଷା ସାମ୍ନା କରିଛନ୍ତି ଲେଖକ - କିନ୍ତୁ ସେ ବିଜୟୀ ଓ ଉତ୍ତୀର୍ଣ୍ଣ । ଉତ୍ତମ ଉପନ୍ୟାସର ଉପାଦାନ ଯେଉଁ ଚରିତ୍ର ଚିତ୍ରଣ, ତାହା ଅତି ଚମତ୍କାର ।"
- - ସୁନିତା ପୁରୀ (ଦି ଟ୍ରିବ୍ୟୁନ୍)
ଅଧାର
[ସମ୍ପାଦନା]- ↑ Rejendra Prasad Mishra. Orria ki Lokpriye Kahaniyan Rajendra Mishra. Prabhat Prakashan. pp. 56–. ISBN 978-93-5266-377-4.
- ↑ ୱାଲ୍ଡ ଅଫ ମନୋଜ ଦାସ
- ↑ https://www.ugc.ac.in/pdfnews/1365671_B.A.-with-ODIA.pdf
- ↑ http://sahitya-akademi.gov.in/sahitya-akademi/library/meettheauthor/manoj_das.pdf
- ↑ ୫.୦ ୫.୧ ମନୋଜ ଦାସ, ପ୍ରଭଞ୍ଜନ, ଚତୁର୍ଥ ମୁଦ୍ରଣ, ବିଦ୍ୟାପୁରୀ, "ପୃଷ୍ଠଭୂମି"
- ↑ ୬.୦ ୬.୧ ମନୋଜ ଦାସ, ପ୍ରଭଞ୍ଜନ, ଚତୁର୍ଥ ମୁଦ୍ରଣ, ବିଦ୍ୟାପୁରୀ, "ଆଗ ମଲାଟ"
- ↑ ମନୋଜ ଦାସ, ପ୍ରଭଞ୍ଜନ, ଚତୁର୍ଥ ମୁଦ୍ରଣ, ବିଦ୍ୟାପୁରୀ, ପଛ ମଲାଟ