ପାବ୍ଲୋ ପିକାସୋ
ପାବଲୋ ପିକାସୋ | |
---|---|
ଜନ୍ମ | ମଲାଗା, ସ୍ପେନ | ୨୫ ଅକ୍ଟୋବର ୧୮୮୧
ମୃତ୍ୟୁ | ୮ ଅପ୍ରେଲ ୧୯୭୩ ମଜିନ୍ସ, ଫ୍ରାନ୍ସ | (ବୟସ ୯୧)
ବିଭାଗ | ଚିତ୍ରଣ, ଅଙ୍କନ, ମୂର୍ତ୍ତିକଳା, ମୁଦ୍ରଣ ପ୍ରସ୍ତୁତି, ସେରାମିକ, ମଞ୍ଚ ପରିକଳ୍ପନା, ଲେଖାଲେଖି |
ପ୍ରଶିକ୍ଷଣ | |
ଆନ୍ଦୋଳନ | କ୍ୟୁବିଜିମ୍, ସର୍ରିଆଲିଜିମ୍ |
କାମସବୁ |
|
ପୁରସ୍କାର |
ପାବଲୋ ରୁଇଜ୍ ପିକାସୋ[୧] [୨](୨୫ ଅକ୍ଟୋବର ୧୮୮୧ -୦୮ ଏପ୍ରିଲ ୧୯୭୩) ଏକାଧାରରେ ଜଣେ ଚିତ୍ରଶିଳ୍ପୀ, ମୂର୍ତ୍ତିକାର, ମୁଦ୍ରଣକାରୀ, ସେରାମିକ୍ ଶିଳ୍ପୀ ତଥା ଥିଏଟର ଡିଜାଇନର୍ ଥିଲେ । ସ୍ପେନୀୟ ହେଲେ ମଧ୍ୟ ବଡ଼ ହେବାପରେ ସେ ତାଙ୍କର ଅଧିକାଂଶ ସମୟ ଫ୍ରାନ୍ସରେ ବିତାଇଥିଲେ | ବିଂଶ ଶତାବ୍ଦୀର ପ୍ରଭାବଶାଳୀ କଳାକାର ମଧ୍ୟରେ ସେ ଥିଲେ ଅନ୍ୟତମ । ଜ୍ୟାମିତିକ ଶୈଳୀର ଚିତ୍ର ଅଙ୍କନ (କ୍ୟୁବିଜିମ୍) , ମୂର୍ତ୍ତି ଖୋଦେଇ ଢଙ୍ଗର ଉଦ୍ଭାବନ, କୋଲାଜ୍ କଳାକୃତିର ସହ-ଉଦ୍ଭାବନ ଏବଂ ବିଭିନ୍ନ ପ୍ରକାରର ସ୍ୱତନ୍ତ୍ର ଶୈଳୀର ସୃଜନୀର ବିକାଶ ଓ ଅନୁସନ୍ଧାନ ପାଇଁ ସେ ଜଣାଶୁଣା | ତାଙ୍କର ପ୍ରସିଦ୍ଧ କାର୍ଯ୍ୟଗୁଡ଼ିକ ମଧ୍ୟରୁ କିଛି ହେଲା ପ୍ରୋଟୋ-କ୍ୟୁବିଷ୍ଟ ଲି ଡେମୋଜେଲ୍ସ୍ ଡି’ଆଭିଗନନ୍ (୧୯୦୭), ଯୁଦ୍ଧ ବିରୋଧୀ ଚିତ୍ର ଗୁଏର୍ନିକା (୧୯୩୭), ସ୍ପେନର ଗୃହଯୁଦ୍ଧ ସମୟରେ ଜର୍ମାନ ଏବଂ ଇଟାଲୀ ବାୟୁସେନା ଦ୍ୱାରା ଗୁଏର୍ନିକା ବିସ୍ଫୋରଣ ହେବାର ନାଟକୀୟ ଚିତ୍ରଣ ।
ପିକାସୋ ତାଙ୍କ ପ୍ରାରମ୍ଭିକ ଜୀବନ କାଳରେ ଅସାଧାରଣ କଳା ପ୍ରତିଭା ପ୍ରଦର୍ଶନ କରିଥିଲେ । ପିଲାଦିନେ ଏବଂ କୈଶୋରାବସ୍ଥାରେ ମୁଖ୍ୟତଃ ସେ ପ୍ରାକୃତିକ ଉପାୟରେ ଚିତ୍ର ଅଙ୍କନ କରୁଥିଲେ | ବିଂଶ ଶତାବ୍ଦୀର ପ୍ରଥମ ଦଶନ୍ଧି ବେଳକୁ ବିଭିନ୍ନ ସିଦ୍ଧାନ୍ତ, କୌଶଳ ଏବଂ ଚିନ୍ତାଧାରା ସହିତ ପରୀକ୍ଷଣ କରିବାହେତୁଁ ତାଙ୍କ ଶୈଳୀରେ ପରିବର୍ତ୍ତନ ଆସିଥିଲା | ୧୯୦୬ ମସିହା ପରେ, ହେନେରୀ ମାଟିସଙ୍କ ଭଳି ବୟସ୍କ କଳାକାରଙ୍କର ଫାଉଭିଷ୍ଟ କାର୍ଯ୍ୟ ପିକାସୋଙ୍କୁ ରାଡିକାଲ୍ ଶୈଳୀ ପାଇଁ ଅନୁପ୍ରାଣିତ କରିଥିଲା ଯାହା ଦୁଇ କଳାକାରଙ୍କ ମଧ୍ୟରେ ଏକ ଫଳପ୍ରଦ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ କରିଥିଲା । ପରବର୍ତ୍ତୀ ସମୟରେ ସମାଲୋଚକମାନେ ଏ ଦୁଇଜଣଙ୍କୁ ଆଧୁନିକ କଳାର ପୁରୋଧା ଭାବରେ ଗ୍ରହଣ କରିଥିଲେ | [୩][୪][୫][୬]
ପିକାସୋଙ୍କର ଶିଳ୍ପୀ ଜାବନକୁ କେତୋଟି ପର୍ଯ୍ୟାୟରେ(ପିରିୟଡ଼) ବିଭକ୍ତ କରାଯାଇଅଛି ଯେପରିକି ବ୍ଲୁ ପିରିୟଡ୍ (୧୯୦୧–୧୯୦୪), ରୋଜ୍ ପିରିୟଡ୍ (୧୯୦୪–୧୯୦୬), ଆଫ୍ରିକାନ୍ ଇନ୍ଫ୍ଲୁଏନ୍ସ ପିରିୟଡ଼ (୧୯୦୭–୧୯୦୯), ଆନାଲିଟିକ୍ କ୍ୟୁବିଜିମ୍ (୧୯୦୯-୧୯୧୨), ଏବଂ ସିନ୍ଥେଟିକ୍ କ୍ୟୁବିଜିମ୍ ବା କ୍ରିଷ୍ଟାଲ୍ ପିରିୟଡ୍ (୧୯୧୨-୧୯୧୯) | ୧୯୧୦ ଦଶକର ଶେଷ ଏବଂ ୧୯୨୦ ଦଶକର ପ୍ରାରମ୍ଭର ପିକାସୋଙ୍କର ଅଧିକାଂଶ କାର୍ଯ୍ୟକୁ ନିଓକ୍ଲାସିକାଲ୍ ଶୈଳୀର ଅନ୍ତର୍ଭୁକ୍ତ କରାଯାଏ । ଏହାପରେ,୧୯୨୦ ଦଶକର ମଧ୍ୟ ଭାଗରେ ସେସରରିଆଲିଜିମ୍ ବା ଅତିବାସ୍ତବବାଦର ପ୍ରବର୍ତ୍ତକ ଥିଲେ |
ଦୀର୍ଘ ଜୀବନ କାଳମଧ୍ୟରେ, ପିକାସୋ ସମଗ୍ର ବିଶ୍ୱର କଳାକ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିଥିଲେ ଯଦ୍ଦ୍ୱାରା ସେ ଅପାର ସୁନାମ ତଥା ଭାଗ୍ୟ ଅର୍ଜନ କରିପାରିଥିଲେ । ବିଂଶ ଶତାବ୍ଦୀର କଳାଜଗତର ସେ ଜଣେ ସୁପ୍ରସିଦ୍ଧ ବ୍ୟକ୍ତିତ୍ୱ ହୋଇପାରିଥିଲେ |
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]୧୮୮୧ ମସିହା ଅକ୍ଟୋବର ୨୫ ତାରିଖରେ ପିକାସୋ ଦକ୍ଷିଣ ସ୍ପେନର ଆନ୍ଦାଲୁସିଆର ମଲାଗା ସହରରେ ଜନ୍ମଗ୍ରହଣ କରିଥିଲେ।[୭]ଏକ ମଧ୍ୟବିତ୍ତ ପରିବାରରେ ପିତା ଡନ୍ ଜୋସ ରୁଇଜ୍ ୟ ବ୍ଲାସ୍କୋ ଏବଂ ମାତା ମାରିଆ ପିକାସୋ ୟ ଲୋପେଜଙ୍କର ସେ ପ୍ରଥମ ସନ୍ତାନ ଥିଲେ |[୮] ତାଙ୍କ ଚିତ୍ରକର ପିତା ପକ୍ଷୀ ଏବଂ ବିଭିନ୍ନ ଖେଳର ପ୍ରାକୃତିକ ଚିତ୍ରଣରେ ନିପୁଣ ଥିଲେ | ରୁଇଜ୍ ସ୍କୁଲ୍ ଅଫ୍ କ୍ରାଫ୍ଟର କଳା ପ୍ରାଧ୍ୟାପକ ତଥା ସ୍ଥାନୀୟ ସଂଗ୍ରହାଳୟର ତତ୍ତ୍ୱାବଧାରକ ଥିଲେ।[୯]
ପିକାସୋଙ୍କ ଜନ୍ମ ପ୍ରମାଣପତ୍ର ଏବଂ ତାଙ୍କ ଖ୍ରୀଷ୍ଟଧର୍ମ ଦୀକ୍ଷିତ ହେବାର ରେକର୍ଡ ଅନୁୟାୟୀ ତାଙ୍କ ପ୍ରକୃତ ନାଁ ଟି ବିଭିନ୍ନ ସାଧୁସନ୍ଥ ଏବଂ ସମ୍ପର୍କୀୟଙ୍କ ନାଁ ର ମିଶ୍ରଣରେ ବହୁତ ଲମ୍ବା | ରୁଇଜ୍ ୟ ପିକାସୋ ଯଥାକ୍ରମେ ତାଙ୍କର ପୈତୃକ ଏବଂ ମାତୃକ ନାମ । "ପିକାସୋ" ଉପନାମ ଟି ଉତ୍ତର-ପଶ୍ଚିମ ଇଟାଲୀର ଉପକୂଳବର୍ତ୍ତୀ ଅଞ୍ଚଳ ଲିଗୁରିଆରୁ ଆସିଛି | ପାବଲୋଙ୍କ ଗୋସେଇଁଅଜା, ଟୋମାସୋ ପିକାସୋ ପ୍ରାୟ ୧୮୦୭ ମସିହା ବେଳକୁ ସ୍ପେନକୁ ଚାଲିଆସିଥିଲେ ।[୧୦]
ପିକାସୋ ଅଳ୍ପ ବୟସରୁ ଚିତ୍ର ଆଙ୍କିବାରେ ନିଜର ଆଗ୍ରହ ତଥା ଦକ୍ଷତା ପ୍ରଦର୍ଶନ କରିଥିଲେ | ତାଙ୍କ ମା'ଙ୍କ କହିବା ଅନୁଯାୟୀ, ତାଙ୍କର ପ୍ରଥମ ଶବ୍ଦଗୁଡ଼ିକ ହେଲା "ପିଜ୍, ପିଜ୍", ଲାପିଜ୍ ର ସଂକ୍ଷିପ୍ତକରଣ, "ପେନ୍ସିଲ୍" ପାଇଁ ସ୍ପେନୀୟ ଶବ୍ଦ | [୧୧] ସାତ ବର୍ଷ ବୟସରୁ ପିକାସୋ ତାଙ୍କ ପିତାଙ୍କଠାରୁ ଚିତ୍ରାଙ୍କନ ଏବଂ ତୈଳଚିତ୍ର ବାବଦରେ ଆନୁଷ୍ଠାନିକ ତାଲିମ ଗ୍ରହଣ କରିଥିଲେ | ରୁଇଜ୍ ଜଣେ ପାରମ୍ପାରିକ ଶୈକ୍ଷିକ କଳାକାର ଏବଂ ପ୍ରଶିକ୍ଷକ ଥିଲେ, ଯିଏ ବିଶ୍ୱାସ କରୁଥିଲେ ଯେ ଉପଯୁକ୍ତ ପ୍ରଶିକ୍ଷଣ ପାଇଁ ଗୁରୁଙ୍କୁ ଶୃଙ୍ଖଳିତ ଭାବେ ଅନୁକରଣ କରିବା ଆବଶ୍ୟକ ଏବଂ ପ୍ଲାଷ୍ଟର କାଷ୍ଟ ଏବଂ ଜୀବନ୍ତ ମଡେଲ୍ରୁ ମାନବ ଶରୀରକୁ ଅଙ୍କନ କରି ଶିଖିବା ଆବଶ୍ୟକ |[୧୨]
୧୮୯୧ ମସିହାରେ ତାଙ୍କ ପରିବାର ଏ କରୁନାକୁ ସ୍ଥାନାନ୍ତରିତ ହେଲାପରେ ତାଙ୍କ ପିତା ସେଠାରେ ଲଲିତ କଳା ବିଭାଗରେ ପ୍ରାଧ୍ୟାପକ ଥିଲେ। ସେମାନେ ସେଠାରେ ପ୍ରାୟ ଚାରି ବର୍ଷ କାଳ ରହିଲେ। ଥରେ, ବାପା ତାଙ୍କ ପୁଅକୁ ଏକ କପୋତର ଅସମାପ୍ତ ସ୍କେଚ୍ ଉପରେ ଚିତ୍ର କରୁଥିବା ଦେଖିବାକୁ ପାଇଲେ | ତାଙ୍କ ପୁଅର ଅଙ୍କନ କୌଶଳର ମାପକାଠି ଉପରେ ନଜର ରଖି ରୁଇଜ୍ ଅନୁଭବ କଲେ ଯେ ତେର ବର୍ଷ ବୟସ୍କ ପିକାସୋ ତାଙ୍କୁ ଅତିକ୍ରମ କରିସାରିଛନ୍ତି | [୧୩][୧୪]
୧୮୯୫ ମସିହାରେ, ତାଙ୍କର ସାତ ବର୍ଷର ଭଉଣୀ କନସିଟାର ଡିଫଥେରିଆ ଜନିତ ମୃତ୍ୟୁ ପିକାସୋଙ୍କୁ ଗଭୀର ଭାବରେ ମର୍ମାହତ କରିଥିଲା | [୧୫] ଏହାପରେ ପୁରା ପରିବାର ବାର୍ସିଲୋନାକୁ ଚାଲିଯାଇଥିଲେ, ଯେଉଁଠାରେ ରୁଇଜ ଏହାର ସ୍କୁଲ ଅଫ୍ ଫାଇନ ଆର୍ଟରେ କାମ ପାଇଥିଲେ। ରୁଇଜ ଏକାଡେମୀର ଅଧିକାରୀମାନଙ୍କୁ ତାଙ୍କ ପୁଅକୁ ଉପର ଶ୍ରେଣୀ ପାଇଁ ପ୍ରବେଶିକା ପରୀକ୍ଷା ଦେବାକୁ ଅନୁମତି ନିମନ୍ତେ ପ୍ରବର୍ତ୍ତାଇପାରିଥିଲେ ।[୧୬] ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ପାଇଁ ଛାତ୍ରମାନଙ୍କୁ ପ୍ରାୟତଃ ମାସେ ସମୟ ଲାଗୁଥିବାବେଳେ ପିକାସୋ ଏହାକୁ ଏକ ସପ୍ତାହ ମଧ୍ୟରେ ସାରି ଦେଇଥିଲେ, ଯାହାଫଳରେ ଖଣ୍ଡପୀଠ ତାଙ୍କୁ ମାତ୍ର ୧୩ ବର୍ଷ ବୟସରେ ପ୍ରବେଶାନୁମତି ପ୍ରଦାନ କରିଥିଲେ । ଛାତ୍ର ଭାବରେ, ପିକାସୋଙ୍କଠାରେ ଅନୁଶାସନର ଅଭାବ ଥିଲା କିନ୍ତୁ ସେ ଅନେକ ବନ୍ଧୁତା ସ୍ଥାପନ କରିଥିଲେ ଯାହା ତାଙ୍କର ପରବର୍ତ୍ତୀ ଜୀବନକୁ ପ୍ରଭାବିତ କରିଥିଲା | ତାଙ୍କ ପିତା ତାଙ୍କ ପାଇଁ ପାଖରେ ଏକ ଛୋଟ କୋଠରୀ ଭଡା ନେଇଥିଲେ ଯାହା ଦ୍ୱାରା ସେ ଏକୁଟିଆ କାମ କରିପାରିବେ, କିନ୍ତୁ ନିଜେ ତାଙ୍କ ଚିତ୍ରଗୁଡ଼ିକର ତର୍ଜମା ପାଇଁ ଦିନକୁ ଅନେକ ଥର ତାଙ୍କୁ ଯାଞ୍ଚ କରୁଥିଲେ। ଫଳରେ ଦୁହିଁଙ୍କ ଭିତରେ ବାରମ୍ବାର ଯୁକ୍ତିତର୍କ ହେଉଥିଲା ।[୧୭]
ପିକାସୋଙ୍କ ପିତା ଏବଂ ମାମୁଁ ଏହି ଯୁବ କଳାକାରଙ୍କୁ ଦେଶର ପ୍ରମୁଖ କଳା ବିଦ୍ୟାଳୟ ମାଦ୍ରିଦ୍ର ରିଅଲ୍ ଏକାଡେମୀ ଡି ବେଲାସ୍ ଆର୍ଟସ୍ ଡି ସାନ୍ ଫର୍ନାଣ୍ଡୋକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ।[୧୮] 16 ବର୍ଷ ବୟସରେ, ପିକାସୋ ନିଜେ ପ୍ରଥମ ଥର ପାଇଁ ଏକୁଟିଆ ଯାତ୍ରା ଆରମ୍ଭ କଲେ, କିନ୍ତୁ ସେଠାରେ ସେ ଔପଚାରିକ ପାଠପଢ଼ାକୁ ନାପସନ୍ଦ କରି ନାମଲେଖାର ତୁରନ୍ତ ପରେ କ୍ଲାସରେ ଯୋଗଦେବା ବନ୍ଦ କରିଦେଲେ | କିନ୍ତୁ ମାଦ୍ରିଦ୍ରେ ଅନ୍ୟ ଅନେକ ଆକର୍ଷଣ ଭରି ରହିଥିଲା | ପ୍ରାଦୋଠାରେ ଡିଏଗୋ ଭେଲାଜ୍କ୍ୱେଜ୍, ଫ୍ରାନସିସକୋ ଗୋୟା, ଏବଂ ଫ୍ରାନ୍ସିସ୍କୋ ଜୁରବରାନଙ୍କ ଚିତ୍ର ରହିଥିଲା | ପିକାସୋ ବିଶେଷ ଭାବରେ ଏଲ୍ ଗ୍ରୀକୋଙ୍କର ପ୍ରଶଂସକ ଥିଲେ; ତାଙ୍କର ବିସ୍ତାରିତ ଅଙ୍ଗ, ମନମୁଗ୍ଧକର ରଙ୍ଗ, ଏବଂ ରହସ୍ୟମୟ ଦୃଶ୍ୟ ପିକାସୋଙ୍କର ପରବର୍ତ୍ତୀ କାର୍ଯ୍ୟରେ ପ୍ରତିଫଳିତ ହୋଇଛି |[୧୯]
ବୃତ୍ତି
[ସମ୍ପାଦନା]1900 ପୂର୍ବରୁ
[ସମ୍ପାଦନା]ପିତାଙ୍କ ଅଧୀନରେ ପିକାସୋଙ୍କ ତାଲିମ ୧୮୯୦ମସିହା ପୂର୍ବରୁ ଆରମ୍ଭ ହୋଇଯାଇଥିଲା | ବାର୍ସିଲୋନାରେ ଅବସ୍ଥିତ ମ୍ୟୁଜୁ ପିକାସୋଠାରେ ଏହି ପ୍ରମୁଖ କଳାକାରଙ୍କ ପ୍ରାରମ୍ଭିକ ଜୀବନର କାର୍ଯ୍ୟଗୁଡ଼ିକୁ ସଂଗ୍ରହ କରି ତାହାର ଏକ ବିସ୍ତୃତ ରେକର୍ଡ ରଖାଯାଇଅଛି ଯାହାକୁ ନିରୀକ୍ଷଣ କଲେ ତାଙ୍କ ପ୍ରଗତି ବାବଦରେ ଜାଣିହେବ | [୨୦] ୧୮୯୩ ବେଳକୁ ତାଙ୍କ କାର୍ଯ୍ୟର ପ୍ରାଥମିକ ଅବଧି ପ୍ରାୟ ଶେଷ ହୋଇ ୧୮୯୪ ବେଳକୁ ଚିତ୍ରକାର ଭାବରେ ତାଙ୍କର କ୍ୟାରିଅର୍ ଆରମ୍ଭ ହୋଇଯାଇଥିଲା ବୋଲି କୁହାଯାଏ | [୨୧] ୧୮୯୦ ଦଶକର ମଧ୍ୟଭାଗରେ ଶୈକ୍ଷିକ ପ୍ରଦର୍ଶନ ପାଇଁ ସେ ଦ ଫାର୍ଷ୍ଟ କମ୍ୟୁନିଅନ୍ (୧୮୯୬) ରେ ତାଙ୍କ ଭଉଣୀ ଲୋଲାଙ୍କୁ ଚିତ୍ରଣ କରିଥିଲେ | ସେହି ବର୍ଷ, 14 ବର୍ଷ ବୟସରେ, ସେ ପୋଟ୍ରେଟ୍ ଅଫ୍ ଆଣ୍ଟ ପେପା ଆଙ୍କିଥିଲେ, ଯାହାକୁ ଜୁଆନ୍-ଏଡୁଆର୍ଡୋ ସିର୍ଲଟ୍ ସ୍ପେନୀୟ ଚିତ୍ରକଳା ଇତିହାସରେ ନିଃସନ୍ଦେହରେ ସର୍ବଶ୍ରେଷ୍ଠ ବୋଲି କହିଥଲେ | [୨୨]
୧୮୯୭ ବେଳକୁ ବାଇଗଣୀ ଏବଂ ସବୁଜ ବର୍ଣ୍ଣରେ ଚିତ୍ରିତ ପ୍ରାକୃତିକ ଦୃଶ୍ୟାବଳୀଗୁଡ଼ିକରେ ତାଙ୍କର ବାସ୍ତବତାବାଦର ପ୍ରଭାବ ଦେଖିବାକୁ ମିଳିଲା | ଏହାକୁ କେହିକେହି ତାଙ୍କର ଆଧୁନିକବାଦ ଅବଧି (୧୮୯୯-୧୯୦୦) ବୋଲି କୁହନ୍ତି | ରୋଜେଟି, ଷ୍ଟେନଲେନ୍, ଟୁଲୁସ୍-ଲଟ୍ରେକ୍ ,ଏଡ଼ୱାର୍ଡ଼ ମଞ୍ଚ୍ ତଥା ତାଙ୍କର ଅତି ପ୍ରିୟ କଳାକାର ଏଲ୍ ଗ୍ରେକୋଙ୍କ କାର୍ଯ୍ୟଗୁଡ଼ିକ ସହିତ ପରିଚୟ ହେଲାପରେ, ପିକାସୋ ଏହି ଅବଧିରେ ଆଧୁନିକତାର ଏକ ବ୍ୟକ୍ତିଗତ ସଂସ୍କରଣ ନିମନ୍ତେ ପ୍ରସ୍ତୁତ ହୋଇଯାଇଥିଲେ |[୨୩]
୧୯୦୦ ମସିହାରେ ପିକାସୋ ତାଙ୍କର ପ୍ରଥମ ପ୍ୟାରିସ ଯାତ୍ରା କରିଥିଲେ ଯାହାକୁ ସେତେବେଳ ୟୁରୋପର କଳାର ରାଜଧାନୀ ବୋଲି କୁହାଯାଉଥିଲା | ସେଠାରେ ସେ ତାଙ୍କର ପ୍ରଥମ ପ୍ୟାରିସୀୟ ବନ୍ଧୁ, ସାମ୍ବାଦିକ ତଥା କବି ମ୍ୟାକ୍ସ ଜ୍ୟାକୋବଙ୍କୁ ଭେଟିଥିଲେ, ଯିଏ ପିକାସୋଙ୍କୁ ଏଠକାର ଭାଷା ଓ ସାହିତ୍ୟ ଶିଖିବାରେ ସାହାଯ୍ୟ କରିଥିଲେ। ଗୋଟିଏ ଆପାର୍ଟମେଣ୍ଟ୍ରେ ଏକାଠି ମିଶି ରହୁଥିବା ମ୍ୟାକ୍ସ ରାତିରେ ଶୋଉଥିବାବେଳେ ପିକାସୋ ଦିନରେ ଶୋଉଥିଲେ ଏବଂ ରାତିରେ କାମ କରୁଥିଲେ | ସେସମୟ ଥିଲା ଅତ୍ୟଧିକ ଦାରିଦ୍ର୍ୟ, ଶୀତ ଏବଂ ନିରାଶାର ସମୟ | ଛୋଟ କୋଠରୀଟିକୁ ଗରମ ରଖିବା ପାଇଁ ତାଙ୍କର ଅନେକ କାମ ପୋଡ଼ାଯାଉଥିଲା | ୧୯୦୧ର ପ୍ରଥମ ପାଞ୍ଚ ମାସ, ପିକାସୋ ମାଡ୍ରିଡରେ ରହୁଥିଲେ, ଯେଉଁଠାରେ ସେ ଏବଂ ତାଙ୍କର ବିପ୍ଲବୀ ବନ୍ଧୁ ଫ୍ରାନ୍ସିସ୍କୋ ଡି ଆସିସ୍ ସୋଲର୍, ଆର୍ଟ ଜୋଭେନ୍ ( ୟଙ୍ଗ ଆର୍ଟ ) ନାମକ ପତ୍ରିକା ପ୍ରକାଶ କରିଥିଲେ, ଯାହାର ମୋଟ୍ ପାଞ୍ଚଟି ସଂଖ୍ୟା ପ୍ରକାଶ ପାଇଥିଲା | ସୋଲର୍ ପ୍ରବନ୍ଧ ଯୋଗାଡ଼ କରୁଥିବା ବେଳେ ଏବଂ ପିକାସୋ ପତ୍ରିକାକୁ ଚିତ୍ରଣ କରିଥିଲେ , ମୁଖ୍ୟତଃ ଗରିବଙ୍କ ଅବସ୍ଥାକୁ ଦର୍ଶାଉଥିବା ତଥା ସହାନୁଭୂତି ଦେଖାଉଥିବା ଗମ୍ଭୀର କାର୍ଟୁନ୍ ଦ୍ୱାରା | ଏହାର ପ୍ରଥମ ସଂଖ୍ୟା ୧୯୦୧ ମାର୍ଚ୍ଚ ୩୧ ରେ ପ୍ରକାଶିତ ହୋଇଥିଲା, ଯେଉଁଥିରେ ତାଙ୍କ ଚିତ୍ରଗୁଡ଼ିକରେ ସେ ପିକାସୋ ନାମରେ ଦସ୍ତଖତ କରିବା ଆରମ୍ଭ କରିଥିଲେ |[୨୪] ୧୮୯୮ ରୁ ସେ "ପାବଲୋ ରୁଇଜ୍ ପିକାସୋ", ଏବଂ ପରେ "ପାବଲୋ ଆର ପିକାସୋ" ଭାବରେ ୧୯୦୧ ପର୍ଯ୍ୟନ୍ତ ସ୍ୱାକ୍ଷର କରିଥିଲେ। ଏହି ପରିବର୍ତ୍ତନ ସେ ପିତାଙ୍କ ସହ ସମ୍ପର୍କକୁ ପ୍ରତ୍ୟାଖ୍ୟାନ କରିବାକୁ ନୁହେଁ ବରଂ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା କରିବାକୁ କରିଥିଲେ ; ପ୍ରଥମେ ଏହା ତାଙ୍କର କାଟାଲାନୀୟ ବନ୍ଧୁମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଯେଉଁମାନେ ତାଙ୍କୁ ସାଧାରଣତଃ ତାଙ୍କ ମାତୃକ ନାମ ଦ୍ୱାରା ଡାକୁଥିଲେ, ଯାହା ତାଙ୍କ ପୈତୃକ ନାମ ରୁଇଜ୍ ଠାରୁ ବହୁତ କମ୍ ପ୍ରଚଳିତ ଥିଲା |[୨୫]
ବ୍ଲୁ ପିରିୟଡ଼: ୧୯୦୧-୧୯୦୪
[ସମ୍ପାଦନା]ପିକାସୋଙ୍କ ବ୍ଲୁ ପିରିୟଡ୍ (୧୯୦୧-୧୯୦୪), ଯାହା ମୁଖ୍ୟତଃ ନୀଳ ଓ ନୀଳ-ସବୁଜ ରଙ୍ଗର ଛାୟାଚିତ୍ର ଦ୍ୱାରା ବର୍ଣ୍ଣମୟ, ୧୯୦୧ରେ ସ୍ପେନ୍ରେ କିମ୍ବା ସେହି ବର୍ଷର ଦ୍ୱିତୀୟାର୍ଦ୍ଧରେ ପ୍ୟାରିସରେ ଆରମ୍ଭ ହୋଇଥିଲା |[୨୬] ବ୍ଲୁ ପିରିୟଡର ଅନେକ ଚିତ୍ରରେ ପିଲାଙ୍କ ସହିତ କ୍ଷୀଣକାୟା ମା'ମାନଙ୍କୁ ଦେଖିବାକୁ ମିଳେ ।ସେତେବେଳେ ମୁଖ୍ୟତଃ ପିକାସୋ ନିଜ ସମୟଗୁଡ଼ିକ ବାର୍ସିଲୋନା ଏବଂ ପ୍ୟାରିସ୍ରେ ବିତାଉଥିଲେ | ବନ୍ଧୁ କାର୍ଲସ୍ କାସାଗେମାସ୍ଙ୍କ ଆତ୍ମହତ୍ୟାରେ ପ୍ରଭାବିତ ପିକାସୋଙ୍କର ଗାଢ଼ ରଙ୍ଗରେ ବର୍ଣ୍ଣିତ କରୁଣ ବିଷୟବସ୍ତୁର ପଟ୍ଟଭୂମିରେ ପ୍ରାୟତଃ ବାରାଙ୍ଗନା କିମ୍ବା ଭିକ୍ଷୁ ଦେଖିବାକୁ ମିଳନ୍ତି | ୧୯୦୧ ମସିହାର ଶରତ ବେଳକୁ ସେ କାସାଗେମାସଙ୍କର ଅନେକ ମରଣାତ୍ତର ଚିତ୍ର ଆଙ୍କିଥିଲେ, ତନ୍ମଧ୍ୟରୁ ଗୋଟିଏ ହେଲା ପ୍ରସିଦ୍ଧ ଲା ଭି (୧୯୦୩) ଯାହା ବର୍ତ୍ତମାନ କ୍ଲେଭଲାଣ୍ଡ୍ ମ୍ୟୁଜିୟମ୍ ଅଫ୍ ଆର୍ଟରେ ଦେଖିବାକୁ ମିଳେ |[୨୭]
ସମାନ ମିଜାଜ୍ର ଆଉ ଏକ ଜଣାଶୁଣା କଳାକୃତି ହେଲା ଦି ଫ୍ରଗାଲ୍ ରିପାଷ୍ଟ (୧୯୦୪), ଯେଉଁଥିରେ ପ୍ରାୟ ଏକ ଖାଲି ଟେବୁଲରେ ବସିଥିବା ଜଣେ ଅନ୍ଧ ଏବଂ ଜଣେ ମହିଳା, ଉଭୟ ଶୀର୍ଣ୍ଣକାୟ, ଚିତ୍ରଣ କରାଯାଇଛି | [୨୮]ପିକାସୋଙ୍କ କାର୍ଯ୍ୟରେ ଅନେକ ସମୟରେ ଦୃଷ୍ଟିହୀନତାକୁ ଭେଟିବାକୁ ହୁଏ, ଦି ବ୍ଲାଇଣ୍ଡମ୍ୟାନ୍ସ ମିଲ୍ (୧୯୦୩, ମେଟ୍ରୋପଲିଟାନ୍ ମ୍ୟୁଜିଅମ୍ ଅଫ୍ ଆର୍ଟ) ଏବଂ ପୋଟ୍ରେଟ୍ ଅଫ୍ ସେଲଷ୍ଟିନା(୧୯୦୩) ରେ ମଧ୍ୟ ଏହା ଉପସ୍ଥାପିତ ହୋଇଛି | ଅନ୍ୟାନ୍ୟ ବ୍ଲୁ ପିରିୟଡ୍ କାର୍ଯ୍ୟଗୁଡ଼ିକ ମଧ୍ୟରେ ପୋଟ୍ରେଟ୍ ଅଫ୍ ସୋଲର୍ ଏବଂ ପୋଟ୍ରେଟ୍ ଅଫ୍ ସୁଜାନ୍ ବ୍ଲସ୍ ଆଦି ଅନ୍ତର୍ଭୁକ୍ତ |
ରୋଜ୍ ପିରିୟଡ଼: ୧୯୦୪-୧୯୦୬
[ସମ୍ପାଦନା]ରୋଜ୍ ପିରିୟଡ୍ ( ୧୯୦୪-୧୯୦୬)[୨୯] ର ବିଶେଷତ୍ୱ ହେଲା ଏହାର ହାଲ୍କା ରଙ୍ଗ ବିନ୍ୟାସ ଏବଂ ଶୈଳୀ ଯେଉଁଥିରେ ପ୍ରାୟତଃ ନାରଙ୍ଗୀ ଆଉ ଗୋଲାପୀ ରଙ୍ଗର ଉପଯୋଗ ହୋଇଛି । ଏଥିରେ ମୁଖ୍ୟତଃ ସର୍କସ ଖେଳାଳୀ ଏବଂ ମୂକାଭିନେତାଙ୍କୁ ଚିତ୍ରଣ କରାଯାଇଛି । ଠିକିରି ଚିହ୍ନ ଥିବା ପୋଷାକ ପିନ୍ଧା ବିଦୂଷକ କାଳକ୍ରମେ ପିକାସୋଙ୍କ ପ୍ରତୀକ ପାଲଟିଗଲା । ୧୯୦୪ ମସିହାରେ ପ୍ୟାରିସରେ ପିକାସୋ ଜଣେ ବୋହିମିଆନ୍ କଳାକାର ଫର୍ଣ୍ଣାଣ୍ଡ ଅଲିଭିଆର୍ଙ୍କୁ ଭେଟିଲେ ଯାହାଙ୍କୁ ସେ ପରବର୍ତ୍ତୀ ସମୟରେ ବିବାହ କରିଥିଲେ ।[୩୦] ରୋଜ୍ ପିରିୟଡ୍ର ଅନେକ ପେଣ୍ଟିଂରେ ଅଲିଭିଆର୍ଙ୍କୁ ଚିତ୍ରଣ କରାଯାଇଛି , ଏହାକୁ ଉଭୟଙ୍କ ମଧ୍ୟରେ ଥିବା ସୁସମ୍ପର୍କ ଏବଂ ଫରାସୀ କଳାର ପରିଚୟର ପ୍ରତିଫଳନ ବୋଲି ମନେକରାଯାଏ । ଏହି ସମୟର ଚିତ୍ରଗୁଡ଼ିକର ଆଶାବାଦୀ ମନୋଭାବ ୧୮୯୯-୧୯୦୧ ବେଳର ସମୟକୁ ମନେ ପକାଇଥାଏ (ଅର୍ଥାତ୍ ବ୍ଲୁ ପିରିୟଡ୍ ଠିକ ପୂର୍ବରୁ), ଏବଂ ୧୯୦୪କୁ ଏହି ଦୁଇ ଅବଧି ମଧ୍ୟରେ ଏକ ପରିବର୍ତ୍ତନ ବର୍ଷ ଭାବରେ ବିବେଚନା କରାଯାଇପାରେ |
୧୯୫୦ ବେଳକୁ, ଆମେରିକୀୟ କଳା ସଂଗ୍ରହକାରୀ ଲିଓ ଏବଂ ଗର୍ଟରୁଡ୍ ଷ୍ଟେନ୍ ପିକାସୋଙ୍କର ବଡ଼ ପ୍ରଶଂସକ ହୋଇଯାଇଥିଲେ | ସେମାନଙ୍କର ବଡ଼ ଭାଇ ମାଇକେଲ୍ ଷ୍ଟେନ୍ ଏବଂ ତାଙ୍କ ପତ୍ନୀ ସାରା ମଧ୍ୟ ତାଙ୍କ କାର୍ଯ୍ୟର ସଂଗ୍ରହକାରୀ ଥିଲେ | ପିକାସୋ ଗର୍ଟରୁଡ୍ ଷ୍ଟେନ୍ ଏବଂ ତାଙ୍କର ଜ୍ୱାଇଁ ଆଲାନ୍ ଷ୍ଟେନ୍ଙ୍କର ଚିତ୍ର ଆଙ୍କିଥିଲେ। ପରେ ଗର୍ଟରୁଡ୍ ଷ୍ଟେନ୍ ପିକାସୋଙ୍କର ମୂଖ୍ୟ ପୃଷ୍ଠପୋଷକ ପାଲଟିଯାଇଥିଲେ ଓ ତାଙ୍କର କଳାକୃତିଗୁଡ଼ିକୁ ହାସଲ କରି ପ୍ୟାରିସରେ ନିଜ ଅଭ୍ୟର୍ଥନା କକ୍ଷରେ ପ୍ରଦର୍ଶନ କରୁଥିଲେ | [୩୧] ୧୯୦୫ ମସିହାରେ ଏକ ସମାବେଶରେ ପିକାସୋ ହେନେରୀ ମାଟିସ୍ଙ୍କୁ ଭେଟିଥିଲେ, ଯିଏ ତାଙ୍କର ଆଜୀବନ ବନ୍ଧୁ ତଥା ପ୍ରତିଦ୍ୱନ୍ଦ୍ୱୀ ହୋଇଯାଇଥିଲେ | ଷ୍ଟେନ୍ସ ତାଙ୍କୁ କ୍ଲାରିବେଲ କୋନ ଏବଂ ତାଙ୍କ ଭଉଣୀ ଏଟାଙ୍କ ସହ ପରିଚିତ କରାଇଥିଲେ, ଯେଉଁମାନେ ଆମେରିକାର କଳା ସଂଗ୍ରହକାରୀ ଥିଲେ; ସେମାନେ ପିକାସୋ ଏବଂ ମାଟିସ୍ଙ୍କ ଚିତ୍ର ମଧ୍ୟ ହାସଲ କରିବାକୁ ଲାଗିଲେ | ଶେଷରେ, ଲିଓ ଷ୍ଟେନ୍ ଇଟାଲୀକୁ ଚାଲିଯାଇଥିଲେ | ମାଇକେଲ୍ ଏବଂ ସାରା ଷ୍ଟେନ୍ ମ୍ୟାଟିସ୍ଙ୍କର ପୃଷ୍ଠପୋଷକ ହୋଇଥିଲେ, ଗର୍ଟରୁଡ୍ ଷ୍ଟେନ୍ ପିକାସୋଙ୍କର ସଂଗ୍ରହ ଜାରି ରଖିଥିଲେ |[୩୨]
୧୯୦୭ ମସିହାରେ, ଜର୍ମାନ୍ କଳା ଐତିହାସିକ, କଳା ସଂଗ୍ରାହକ ତଥା ବିଂଶ ଶତାବ୍ଦୀର ଜଣେ ପ୍ରମୁଖ ଫରାସୀ କଳା ବ୍ୟବସାୟୀ ଡାନିଏଲ୍ - ହେନେରୀ କାନ୍ୱିଲରଙ୍କର ଆର୍ଟ ଗ୍ୟାଲେରୀରେ ପିକାସୋ ଯୋଗ ଦେଇଥିଲେ | ସେ ପାବଲୋ ପିକାସୋ, ଜର୍ଜ ବ୍ରାକ୍ ଏବଂ ତାଙ୍କ ଦ୍ୱାରା ମିଳିତ ଭାବରେ ବିକଶିତ ହୋଇଥିବା କ୍ୟୁବିଜିମର ପ୍ରଥମ ସମର୍ଥକଙ୍କ ମଧ୍ୟରେ ଥିଲେ | କାନ୍ୱିଲର୍ ଆଣ୍ଡ୍ରେ ଡେରାନ୍, କିସ୍ ଭାନ୍ ଡଙ୍ଗେନ୍, ଫର୍ଣ୍ଣାଣ୍ଡ୍ ଲିଗର୍, ଜୁଆନ୍ ଗ୍ରିସ୍, ମୋରିସ୍ ଡି ଭ୍ଲାମିଙ୍କ ଏବଂ ମଣ୍ଟପର୍ନାସରେ ରହି କାର୍ଯ୍ୟ କରିବାକୁ ପୃଥିବୀର ବିଭିନ୍ନ ସ୍ଥାନରୁ ଆସିଥିବା ଅନ୍ୟାନ୍ୟ କଳାକାରମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରୁଥିଲେ |[୩୩]
ଆଫ୍ରିକୀୟ ପୁରୁଣାକାଳିଆ କଳାକୃତି:୧୯୦୭-୧୯୦୯
[ସମ୍ପାଦନା]ପିକାସୋଙ୍କର ଆଫ୍ରିକୀୟ-ପ୍ରଭାବିତ ସମୟ (୧୯୦୭-୧୯୦୯) ତାଙ୍କ ଚିତ୍ର ଲେସ୍ ଡେମୋସେଲସ୍ ଡି’ଆଭିଗନ୍ ସହିତ ଆରମ୍ଭ ହୋଇଥିଲା | ବାମ ପାର୍ଶ୍ୱରେ ଥିବା ତିନିଟି ଚିତ୍ର ଆଇବରିଆନ୍ ଭାସ୍କର୍ଯ୍ୟ ଦ୍ୱାରା ଅନୁପ୍ରାଣିତ ହୋଇଥିଲା, କିନ୍ତୁ ଜୁନ୍ ୧୯୦୭ରେ ସେ ନୃତାତ୍ତ୍ୱିକ ସଂଗ୍ରହାଳୟରେ ଥିବା ଆଫ୍ରିକୀୟ ଶିଳ୍ପକୃତି ପଲାସ୍ ଡୁ ଟ୍ରୋକାଡିରୋ ଦେଖି ପ୍ରଭାବିତ ହେବା ପରେ ଡାହାଣ ପାର୍ଶ୍ୱରେ ଥିବା ଦୁଇଟି ଚିତ୍ରର ଚେହେରାକୁ ଆଉଥରେ ରଙ୍ଗ କରିଥିଲେ।[୩୪] ବର୍ଷେ ପରେ ଯେତେବେଳେ ସେ ଏହି ଚିତ୍ରକୁ ତାଙ୍କ ଷ୍ଟୁଡିଓରେ ପରିଚିତମାନଙ୍କୁ ପ୍ରଦର୍ଶନ କରିଥିଲେ, ଚକିତ ହୋଇ ସମସ୍ତେ ଏହାକୁ ଘୃଣ୍ୟ ଦୃଷ୍ଟିରେ ଦେଖିଥିଲେ ; ମାଟିସ୍ କ୍ରୋଧିତ ଭାବରେ କାର୍ଯ୍ୟକୁ ଏକ ଛଳନା ବୋଲି କହି ଖାରଜ କରିଦେଲେ | ପିକାସୋ ୧୯୧୬ ପର୍ଯ୍ୟନ୍ତ ସର୍ବସାଧାରଣରେ ଲେସ୍ ଡେମୋସେଲ୍ସ୍ ପ୍ରଦର୍ଶନ କରିନଥିଲେ |[୩୫]
ଏହି ସମୟର ଅନ୍ୟାନ୍ୟ କାର୍ଯ୍ୟଗୁଡ଼ିକ ମଧ୍ୟରେ ନ୍ୟୁଡ଼ ଆଣ୍ଡ ରେଜ୍ଡ ଆର୍ମସ୍ (୧୯୦୭) ଏବଂ ଥ୍ରୀ ୱିମେନ୍ (୧୯୦୮) ଆଦି ଅନ୍ତର୍ଭୁକ୍ତ | ଏହି ଅବଧିରେ ବିକଶିତ ହୋଇଥିବା ଆନୁଷ୍ଠାନିକ ଚିନ୍ତାଧାରା ସିଧାସଳଖ କ୍ୟୁବିଷ୍ଟ ଅବଧିରେ ପରିଣତ ହୁଏ |[୩୬] ଯାହା ପିକାସୋ ଜର୍ଜସ୍ ବ୍ରାକ୍ଙ୍କ ସହିତ ମିଶି ଏକ ବର୍ଣ୍ଣର ବାଦାମୀ ରଙ୍ଗ ଏବଂ ଧୂସର ରଙ୍ଗ ସବୁ ବ୍ୟବହାର କରି ଆନାଲିଟିକ୍ କ୍ୟୁବିଜିମ୍ (୧୯୦୯-୧୯୧୨) ନାମକ ଚିତ୍ରକଳା ଶୈଳୀ ବିକଶିତ କରିଥିଲେ | ଉଭୟ କଳାକାର ବସ୍ତୁଗୁଡ଼ିକୁ ଅଲଗା ଅଲଗା ନେଇ ସେମାନଙ୍କର ଆକୃତି ଅନୁସାରେ ସେମାନଙ୍କୁ “ବିଶ୍ଳେଷଣ” କଲେ | ଏହି ସମୟରେ ପିକାସୋ ଏବଂ ବ୍ରାକ୍ଙ୍କର ଚିତ୍ରଗୁଡ଼ିକରେ ଅନେକ ସମାନତା ଦେଖିବାକୁ ମିଳିଥାଏ |[୩୭]
ପ୍ୟାରିସରେ, ପିକାସୋ ମଣ୍ଟମାର୍ଟ ଏବଂ ମଣ୍ଟପର୍ନାସ କ୍ୱାର୍ଟରରେ ବନ୍ଧୁମାନଙ୍କ ଏକ ବିଶିଷ୍ଟଗୋଷ୍ଠୀ ସହିତ ମନୋରଞ୍ଜନ କରିଥିଲେ, ଯେଉଁଥିରେ ଥିଲେ ଆଣ୍ଡ୍ରେ ବ୍ରେଟନ୍, କବି ଗୁଲାମ୍ ଆପୋଲିନାଏର୍, ଲେଖକ ଆଲଫ୍ରେଡ୍ ଜ୍ୟାରି ଏବଂ ଗଟ୍ରୁଡ୍ ଷ୍ଟେନ୍ | ୧୯୧୧ ମସିହାରେ, ଲୁଭ୍ରର ମୋନାଲିସା ଚୋରି ବାବଦରେ ପିକାସୋଙ୍କୁ ଗିରଫ କରାଯାଇ ପଚରାଯାଇଥିଲା | ଏହି ଗ୍ୟାଲେରୀରୁ ଚୋରି ଇତିହାସ ଥିବା ଗେରି ପିରେଟଙ୍କ ସହ ସମ୍ପର୍କ ହେତୁ ଅପରାଧ ପାଇଁ ସନ୍ଦେହ ପ୍ରଥମେ ଆପୋଲିନେୟାର ଉପରେ ପଡିଥିଲା। ଆପୋଲିନେର୍ ତାଙ୍କ ଘନିଷ୍ଠ ବନ୍ଧୁ ପିକାସୋଙ୍କୁ ଜଡିତ କରିଥିଲେ, ଯିଏ ଅତୀତରେ କଳାକାରଙ୍କଠାରୁ ଚୋରି ହୋଇଥିବା କଳାକୃତି କିଣିଥିଲେ | ସ୍ପେନକୁ ନିର୍ବାସିତ ହୋଇଯିବା ଭୟରେ, ପିକାସୋ ଆପୋଲାିନେରଙ୍କୁ କେବେ ଭେଟିଛନ୍ତି ବୋଲି ମନା କରିଦେଇଥିଲେ | ପରେ ମୋନାଲିସା ନିଖୋଜରେ ଉଭୟଙ୍କର କୈଣସି ସମ୍ପୃକ୍ତି ନଥିବା କଥା ଜଣାପଡ଼ିଥିଲା ।[୩୮][୩୯]
ସିନ୍ଥେଟିକ୍ କ୍ୟୁବିଜିମ୍: ୧୯୧୨-୧୯୧୯
[ସମ୍ପାଦନା]ସିନ୍ଥେଟିକ୍ କ୍ୟୁବିଜିମ୍ (୧୯୧୨-୧୯୧୯) କ୍ୟୁବିଜିମ୍ ଧାରାର ପରବର୍ତ୍ତୀ ବିକାଶ ଥିଲା, ଯେଉଁଥିରେ କାଗଜ ଖଣ୍ଡଗୁଡ଼ିକ କାଟି ଦିଆଯାଉଥିଲା - ପ୍ରାୟତଃ ୱାଲ୍ପେପର କିମ୍ବା ଖବରକାଗଜ ପୃଷ୍ଠାଗୁଡ଼ିକର କିଛି ଅଂଶ - ପରେ ଏଗୁଡ଼ିକୁ ଏକାଠି କରି ଅଠାଦେଇ ଯୋଡ଼ାଯାଉଠିଲା- ଳଲିତ କଳାରେ କୋଲାଜ୍ର ଏହା ଥିଲା ପ୍ରଥମ ପ୍ରୟୋଗ |[ଆଧାର ଲୋଡ଼ା]
୧୯୧୫ ରୁ ୧୯୧୭ ମଧ୍ୟରେ, ପିକାସୋ ଅଧିକ ଜ୍ୟାମିତି ଏବଂ କମ୍ କ୍ୟୁବିଷ୍ଟ ବସ୍ତୁକୁ ଦର୍ଶାଉଥିବା ଚିତ୍ର ଗୁଡ଼ିକର ଶୃଙ୍ଖଳ ଆରମ୍ଭ କରିଥିଲେ, ଯେଉଁଥିରେ ଗୋଟିଏ ପାଇପ୍, ଗିଟାର୍ କିମ୍ବା ଗୋଟିଏ ଗ୍ଲାସ୍ ସହିତ କେବେକେବେ କୋଲାଜ୍ ଉପାଦାନ ମଧ୍ୟ ସାମିଲ୍ ଥାଏ |[୪୦] [୪୧]କଳା ଐତିହାସିକ ଜନ୍ ରିଚାର୍ଡସନ କହିଛନ୍ତି ଯେ, "ଭଲ ଭାବରେ କଟା ହୋଇଥିବା ଶାଣିତ ହୀରା , ଏହି ରତ୍ନଗୁଡ଼ିକ ସର୍ବଦା ଭଲ ବା ମନ୍ଦ ନଥାଏ | " "ସେଗୁଡିକୁ ନାମିତ କରିବା ପାଇଁ ଆମକୁ ଏକ ନୂତନ ନାମ ଦରକାର" ବୋଲି ପିକାସୋ ଗର୍ଟରୁଡ୍ ଷ୍ଟେନ୍ଙ୍କୁ ଲେଖିଛନ୍ତି। ପରେ ସେହି ସମୟରେ " କ୍ରିଷ୍ଟାଲ୍ କ୍ୟୁବିଜିମ୍ " ଶବ୍ଦଟି ସ୍ଫଟିକ୍ ସହିତ ସାଦୃଶ୍ୟ ଯୋଗୁଁ ବ୍ୟବହାର ହୋଇଥିଲା |[୪୨][୪୩]
କିଛି ଖ୍ୟାତି ଏବଂ ଭାଗ୍ୟ ହାସଲ ପରେ, ପିକାସୋ ସାଥୀ ଅଲିଭିଆର୍ଙ୍କୁ ମାର୍ସେଲ ହାମବର୍ଟ( ଯିଏ ଇଭା ଗୋଏଲ୍ ଭାବରେ ମଧ୍ୟ ଜଣାଶୁଣା)ଙ୍କ ପାଇଁ ତ୍ୟାାଗ କରିଥିଲେ | ପିକାସୋ ତାଙ୍କର ଅନେକ କ୍ୟୁବିଷ୍ଟ କାର୍ଯ୍ୟରେ ଇଭାଙ୍କ ପ୍ରତି ତାଙ୍କର ପ୍ରେମ ଘୋଷଣା କରିଥିଲେ | ୧୯୧୫ ମସିହାରେ ମାତ୍ର ୩୦ ବର୍ଷ ବୟସରେ ଅସୁସ୍ଥତା ହେତୁ ଇଭାଙ୍କର ଅକାଳ ମୃତ୍ୟୁ ପିକାସୋଙ୍କୁ ଦୁଃଖରେ ଜର୍ଜରିତ କରିଥିଲା ।[୪୪]
ଅଗଷ୍ଟ ୧୯୧୪ରେ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ସମୟରେ ପିକାସୋ ଆଭିଗନନରେ ରହୁଥିଲେ। ବ୍ରେକ୍ ଏବଂ ଡେରେନ୍ ଯୁଦ୍ଧରେ ଯୋଗ ଦେଇଥିବାବେଳେ ଏବଂ ଆପୋଲାଇନେର୍ ଫରାସୀ ସୈନ୍ୟବାହିନୀରେ ଯୋଗ ଦେଇଥିଲେ ଏବଂ ସ୍ପେନୀୟ ଜୁଆନ୍ ଗ୍ରିସ୍ କ୍ୟୁବିଷ୍ଟ ସର୍କଲ ସହିତ ଯୋଡ଼ି ରହିଲେ | ଯୁଦ୍ଧ ସମୟରେ ମଧ୍ୟ ପିକାସୋ ନିରବଚ୍ଛିନ୍ନ ଭାବରେ ଚିତ୍ରକରିବା ଜାରି କରିବା ରଖିଥିଲେ | ତାଙ୍କର ଚିତ୍ରଗୁଡ଼ିକ ଅଧିକ ଛାୟାଚ୍ଛନ୍ନ ହେବାରେ ଲାଗଲା ଏବଂ ନାଟକୀୟ ଭାବରେ ତାଙ୍କର ପରବର୍ତ୍ତୀ ଜୀବନ ମଧ୍ୟ ବଦଳିଚାଲିଲା | ଫ୍ରାନ୍ସରୁ ନିର୍ବାସିତ ହେବା ଫଳରେ କନ୍ହୁଇଲରଙ୍କ ଚୁକ୍ତି ବନ୍ଦ ହୋଇଯାଇଥିଲା। ଏହି ସମୟରେ, ପିକାସୋଙ୍କ କଳାକୃତି ଗୁଡ଼ିକ କଳାବ୍ୟବସାୟୀ ଲିଓନ୍ସ ରୋସନବର୍ଗ ଙ୍କ ଅଧିନକୁ ଆସିଗଲା | ଇଭା ଗୁଏଲଙ୍କ ମୃତ୍ୟୁପରେ ପରେ ପିକାସୋଙ୍କର ଗାବି ଲେସପିନାସେଙ୍କ ସହ ସମ୍ପର୍କରେ ଆସିଲେ। ୧୯୧୬ ବସନ୍ତ ବେଳକୁ, ଆପୋଲାଇନେର ଯୁଦ୍ଧରୁ ଆହତ ହୋଇ ଫେରି ଆସିଥିଲେ | ଯଦିଓ ସେମାନେ ସେମାନଙ୍କର ବନ୍ଧୁତାକୁ କାୟମ୍ ରଖିଲେ, କିନ୍ତୁ ପିକାସୋ ଅନ୍ୟ ସାମାଜିକ ଦଳରେ ମଧ୍ୟ ଯୋଗ ଦେବାକୁ ଲାଗିଲେ |[୪୫]
ପ୍ରଥମ ବିଶ୍ୱଯୁଦ୍ଧର ଶେଷ ଆଡକୁ, ପିକାସୋ ସର୍ଜ ଡାଏଗଲେଭଙ୍କ ବାଲେଟ୍ ରସ୍ ସହିତ ଜଡିତ ହୋଇଥିଲେ | ଏହି ସମୟ ମଧ୍ୟରେ ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ ଜିନ୍ କୋକେଟୋ, ଜିନ୍ ହୁଗୋ, ଜୁଆନ୍ ଗ୍ରିସ୍ ଏବଂ ଅନ୍ୟମାନେ ଥିଲେ | ୧୯୧୮ ମସିହା ଗ୍ରୀଷ୍ମ ସମୟରେ, ପିକାସୋ ସର୍ଜ ଡାଏଗଲେଭଙ୍କ ଦଳର ଜଣେ ବେଲେ ନର୍ତ୍ତକୀ ଓଲଗା ଖୋଖଲୋଭାଙ୍କୁ ବିବାହ କରିଥିଲେ, ଯାହା ପାଇଁ ପିକାସୋ ରୋମରେ ଏକ ବାଲେଟ୍ ଡିଜାଇନ୍ କରୁଥିଲେ |[୪୬]
୧୯୨୦ ଦଶକରେ ଖୋଖଲୋଭା ପିକାସୋକୁ ଉଚ୍ଚ ସମାଜ, ଆନୁଷ୍ଠାନିକ ରାତ୍ରୀ ଭୋଜନ ଏବଂ ପ୍ୟାରିସରେ ଧନୀମାନଙ୍କ ଜୀବନର ଅନ୍ୟାନ୍ୟ ଦିଗ ସହିତ ପରିଚିତ କରାଇଲେ | ଦୁହିଁଙ୍କର ପୁତ୍ର ପାଉଲୋ ପିକାସୋ ଜଣେ ମୋଟୋର ସାଇକେଲ ରେସର୍ ସହିତ ବାପାଙ୍କ ଗାଡ଼ିଚାଳକ ମଧ୍ୟ ଥିଲେ | [୪୭]ଏହାପରେ ସାମାଜିକ ଆଚରଣବିଧି ମାନିବାକୁ ନେଇ ଖୋଖଲୋଭାଙ୍କ ଜିଦ୍ ଓ ପିକାସୋଙ୍କ ବୋହିମିଆନ୍ ପ୍ରବୃତ୍ତି ମଧ୍ୟରେ ଭୁଲବୁଝାମଣା ହେତୁଁ ଦୁହେଁ କ୍ରମାଗତ ବିବାଦରେ ରହୁଥିଲେ। ସେହି ସମୟ ମଧ୍ୟରେ ପିକାସୋ ଡାଏଗିଲିଭ୍ଙ୍କ ମଣ୍ଡଳୀରେ ଯୋଗ ଦେଲେ, ସେ ଏବଂ ଇଗୋର ଷ୍ଟ୍ରାଭିନସ୍କି ୧୯୨୦ରେ ପୁଲସିନେଲାରେ ମିଶି କାମ କରିବା ଆରମ୍ଭ କଲେ | ପିକାସୋ ଏହି ସୁଯୋଗରେ ସଙ୍ଗୀତକାରଙ୍କର ଅନେକ ଚିତ୍ର ଆଙ୍କିଥିଲେ |[୪୮]
୧୯୨୭ ମସିହାରେ, ପିକାସୋ ୧୭ ବର୍ଷିୟା ମ୍ୟାରି-ଥେରେସ୍ ୱାଲ୍ଟରଙ୍କୁ ଭେଟି ତାଙ୍କ ସହ ଲୁଚାଛପାରେ ସମ୍ପର୍କ ଆରମ୍ଭ କରିଥିଲେ | ଖୋଖୋଲୋଭାଙ୍କୁ ପିକାସୋ ଛାଡପତ୍ର ନଦେଇ ପୃଥକ ଭାବରେ ରହିବା ଆରମ୍ଭ କଲେ, କାରଣ ଛାଡପତ୍ର ମାମଲାରେ ଫ୍ରାନ୍ସର ନିୟମ ଅନୁଯାୟୀ ସମ୍ପତ୍ତି ବାଣ୍ଟିବା ଆବଶ୍ୟକ ଥିଲା ଏବଂ ପିକାସୋ ଚାହୁଁ ନଥିଲେ ଯେ ଖୋଖଲୋଭା ତାଙ୍କର ଅଧା ସମ୍ପତ୍ତିର ମାଲିକ ହୁଅନ୍ତୁ। ୧୯୫୫ ରେ ଖୋଖଲୋଭାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଦୁହେଁ ଆଇନଗତ ଭାବରେ ସ୍ୱାମୀ-ସ୍ତ୍ରୀ ଥିଲେ । ପିକାସୋ ମାରି-ଥେରେସ୍ ୱାଲ୍ଟରଙ୍କ ସହ ଦୀର୍ଘ ଦିନ ଧରି ସମ୍ପର୍କ ସ୍ଥାପନ କରିଥିଲେ ଏବଂ ତାଙ୍କ ସହିତ ମାୟା ନାମକ ଏକ ଝିଅର ପିତା ମଧ୍ୟ ହୋଇଥିଲେ। ମ୍ୟାରି-ଥେରେସ୍ ବୃଥା ଆଶାରେ ରହୁଥିଲେ ଯେ ପିକାସୋ ଦିନେ ତାଙ୍କୁ ବିବାହ କରିବେ ଏବଂ ଶେଷରେ ପିକାସୋଙ୍କ ମୃତ୍ୟୁର ଚାରି ବର୍ଷ ପରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ | [୪୯]
-
୧୯୦୯, ଫେମ୍ ଆସାଇସ୍ , କାନ୍ଭାସ୍ ଉପରେ ତୈଳ, ୧୦୦ × ୮୦ସେ.ମି. (୩୯ × ୩୧ ଇଞ୍ଚ), ଷ୍ଟାଟିଟ୍ଲ୍ସ ମ୍ୟୁଜିଅମ୍, ନିଉ ନ୍ୟାସନାଲ ଗ୍ୟାଲେରିଆ, ବର୍ଲିନ୍
-
୧୯୦୯-୧୦, ଫିଗର୍ ଡାନ୍ସ ଅନ୍ ଫଟିଲ୍ , ତୈଳଚିତ୍ର, ୯୨.୧ × ୭୩ସେ.ମି. (୩୬ × ୨୮ ଇଞ୍ଚ), ଟେଟ୍ ମଡର୍ଣ୍ଣ, ଲଣ୍ଡନ । ୱିଲ୍ହେମ୍ ଉଡ଼ଙ୍କ ଦ୍ୱାରା ସଂଗ୍ରହୀକୃତ ଏହି ଚିତ୍ରଟି ଫ୍ରାନ୍ସ ସରକାରଙ୍କ ଦ୍ୱାରା ବ୍ୟାଜାପ୍ତ ହୋଇଥିଲା ଏବଂ ପରେ ୧୯୨୧ରେ ହୋଟେଲ ଡ୍ରୋଟ୍ଠାରେ ବିକ୍ରି ହୋଇଥିଲା ।
-
୧୯୧୦,ୱମନ୍ ୱିଥ୍ ମଷ୍ଟାର୍ଡ ପଟ୍ , କାନ୍ଭାସ୍ ଉପରେ ତୈଳ, ୭୩ × ୬୦ସେ.ମି. (୨୮× ୨୩ ଇଞ୍ଚ), ଜେମେଣ୍ଟ ମ୍ୟୁଜିଅମ୍, ହଗ୍ , ୧୯୧୩ ନ୍ୟୁୟର୍କ, ଚିକାଗୋ, ବୋଷ୍ଟୋନ୍ ଅସ୍ତ୍ରାଗାର ପ୍ରଦର୍ଶନୀ କ୍ଷେତ୍ରରେ ପ୍ରଦର୍ଶିତ ହୋଇଥିଲା ।
-
୧୯୧୦, ଗର୍ଲ ୱିଥ୍ ଏ ମ୍ୟାଣ୍ଡୋଲିନ୍ , କାନ୍ଭାସ୍ ଉପରେ ତୈଳ, ୧୦୦.୩ × ୭୩.୬ସେ.ମି. (୩୯ × ୨୮ in), ମ୍ୟୁଜିଅମ୍ ଅଫ ମଡର୍ଣ୍ଣ ଆର୍ଟ,ନ୍ୟୁୟର୍କ
-
୧୯୧୦, ପୋଟ୍ରୋଟ୍ ଅଫ୍ ଡାନିଏଲ୍-ହେନ୍ରା କନ୍ୱିଲର୍, ଦ ଆର୍ଟ ଇନ୍ଷ୍ଟିଚ୍ୟୁଟ୍ ଅଫ ଚିକାଗୋ ପିକାସୋ କନ୍ୱିଲର୍ଙ୍କ ବାବଦରେ ଲେଖିଥିଲେ "କନ୍ୱିଲର୍ଙ୍କ ଜଦି ବ୍ୟବସାୟିକ ବୁଦ୍ଧି ନଥାନ୍ତା ତେବେ ଆମର କ'ଣ ହେଇଥାନ୍ତା?"
-
୧୯୧୦-୧୯୧୧, ଗିଟାରିଷ୍ଟ, ଲା ମ୍ୟାଣ୍ଡୋଲିନିଷ୍ଟ , ତୈଳଚିତ୍ର
-
୧୯୧୧, ଲି ଗିଟାରିଷ୍ଟ , ଆଲ୍ବର୍ଟ ଗ୍ଲେଜ୍ ଏବଂ ଜିନ୍ ମେଟ୍ଜିଙ୍ଗର୍, କ୍ୟୁବିଜିମ୍ରେ ଅନୁକୃତି , ୧୯୧୨
-
୧୯୧୧, ଷ୍ଟିଲ୍ ଲାଇଫ୍ ୱିଥ୍ ଏ ବଟଲ୍ ଅଫ ରମ୍ , କାନ୍ଭାସ୍ ଉପରେ ତୈଳ, ୬୧.୩ × ୫୦.୫ସେ.ମି. (୨୪ × ୧୯ଇଞ୍ଚ), ମେଟ୍ରୋପଲିଟାନ୍ ମ୍ୟୁଜିଅମ୍ ଅଫ୍ ଆର୍ଟ, ନ୍ୟୁୟର୍କ
-
୧୯୧୧, ଦ ପୋଏଟ୍ , ଲିନେନ୍ ଉପରେ ତୈଳ, ୧୩୧.୨ × ୮୯.୫ସେ.ମି. (୫୧ ୫/୮ × ୩୫ ୧/୪ ଇଞ୍ଚ), ଦ ସୋଲୋମନ୍ ଆର୍. ଗଗନ୍ହମ୍ ଫାଉଣ୍ଡେସନ୍,ପେଗୀ ଗଗନ୍ହମ୍ ସଂଗ୍ରହ, ଭେନିସ୍
-
୧୯୧୧-୧୨, ଭାଓଲିନ୍, କାନ୍ଭାସ୍ ଉପରେ ତୈଳ, ୧୦୦ × ୭୩ସେ.ମି. (୩୯ × ୨୮ଇଞ୍ଚ) (ଅଣ୍ଡାକୃତି), କ୍ରୋଲର୍-ମୁଲର୍ ମ୍ୟୁଜିଅମ୍, ଅଟର୍ଲୋ, ନେଦର୍ଲ୍ୟାଣ୍ଡ୍ସ । ୱିଲ୍ହେମ୍ ଉଡ଼ଙ୍କ ଦ୍ୱାରା ସଂଗ୍ରହୀକୃତ ଏହି ଚିତ୍ରଟି ଫ୍ରାନ୍ସ ସରକାରଙ୍କ ଦ୍ୱାରା ବ୍ୟାଜାପ୍ତ ହୋଇଥିଲା ଏବଂ ପରେ ୧୯୨୧ରେ ହୋଟେଲ ଡ୍ରୋଟ୍ଠାରେ ବିକ୍ରି ହୋଇଥିଲା ।
-
୧୯୧୩, ବୁଟିଲ୍,କ୍ଲାରିନେଟ୍, ଭାଓଲିନ୍, ଜର୍ଣ୍ଣାଲ, ଭେର୍, ୫୫ × ୪୫ସେ.ମି. (୨୧ × ୧୭ଇଞ୍ଚ) । ୱିଲ୍ହେମ୍ ଉଡ଼ଙ୍କ ଦ୍ୱାରା ସଂଗ୍ରହୀକୃତ ଏହି ଚିତ୍ରଟି ଫ୍ରାନ୍ସ ସରକାରଙ୍କ ଦ୍ୱାରା ବ୍ୟାଜାପ୍ତ ହୋଇଥିଲା ଏବଂ ପରେ ୧୯୨୧ରେ ହୋଟେଲ ଡ୍ରୋଟ୍ଠାରେ ବିକ୍ରି ହୋଇଥିଲା ।
-
୧୯୧୩, ଫେମ୍ ଆସାଇଜ୍ ଡାନ୍ସ ଉନ୍ ଫାଟିଲ୍ (ଇଭା), କାନ୍ଭାସ୍ ଉପରେ ତୈଳ, ୧୪୯.୯ × ୯୯.୪ସେ.ମି. (୫୯ ×୩୯ଇଞ୍ଚ), ଲିଓନାର୍ଡ ଏ. ଲଡର୍ କ୍ୟୁବିଷ୍ଟ କଲେକ୍ସନ୍, ମେଟ୍ରୋପଲିଟାନ୍ ମ୍ୟୁଜିଅମ୍ ଅଫ୍ ଆର୍ଟ
-
୧୯୧୩-୧୪, ହେଡ଼ , ରଙ୍ଗୀନ୍ କାଗଜକୁ କାଟି ଯୋଡ଼ାହୋଇଛି , ମୋଟାକାଗଜ ଉପରେ ଗୁଆସ୍ ଏବଂ ଅଙ୍ଗାର , ୪୩.୫ × ୩୩ସେ.ମି. (୧୭ × ୧୨.୯ ଇଞ୍ଚ), ସ୍କଟିସ୍ ନ୍ୟାସ୍ନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ, ଏଡିନ୍ବର୍ଗ
-
1913–14, ଲ'ହୋମ୍ ଅକ୍ସ କାର୍ଟିସ୍ , କାନ୍ଭାସ୍ ଉପରେ ତୈଳ, ୧୦୮ × ୮୯.୫ସେ.ମି. (୪୨ × ୩୫ଇଞ୍ଚ), ମ୍ୟୁଜିଅମ୍ ଅଫ ମଡର୍ଣ୍ଣ ଆର୍ଟ, ନ୍ୟୁୟର୍କ
-
୧୯୧୪-୧୫, ନେଚର ମୋର୍ଟ ଅ କମ୍ପୋଟର୍ , କାନ୍ଭାସ୍ ଉପରେ ତୈଳ, ୬୩.୫ × ୭୮.୭ସେ.ମି. (୨୫ × ୩୧ ଇଞ୍ଚ), କଲମ୍ବସ୍ ମ୍ୟୁଜିଅମ ଅଫ ଆର୍ଟ, ଓହିଓ
-
୧୯୧୬, ଲାନିସ୍ ଡେଲ ମୋନୋ , କାନ୍ଭାସ୍ ଉପରେ ତୈଳ, ୪୬ × ୫୪.୬ସେ.ମି. (୧୮ ×୨୧ଇଞ୍ଚ), ଡେଟ୍ରୋଏଟ୍ ଇନଷ୍ଟିଚ୍ୟୁଟ୍ ଅଫ ଆର୍ଟ, ମିଚିଗାନ୍
-
ପ୍ୟାରେଡ଼, ୧୯୧୭, ପ୍ୟାରେଡ଼ ବ୍ୟାଲେ ନୃତ୍ୟ ପାଇଁ ପ୍ରସ୍ତୁତ ଯବନୀକା । ପିକାସୋଙ୍କର ସର୍ବବୃହତ୍ ଅଙ୍କନ । ସେଣ୍ଟର ପମ୍ପିଡୋ-ମେଜ୍, ମେଜ୍, ଫ୍ରାନ୍ସ,ମେ ୨୦୧୨
ନିଓକ୍ଲାସିଜିମ୍ ଏବଂ ସରିଆରଲିଜିମ୍: ୧୯୧୯-୧୯୨୯
[ସମ୍ପାଦନା]ଫେବୃଆରୀ ୧୯୧୭ରେ, ପିକାସୋ ଇଟାଲୀକୁ ତାଙ୍କର ପ୍ରଥମ ଯାତ୍ରା କରିଥିଲେ | [୫୦] ପ୍ରଥମ ବିଶ୍ୱଯୁଦ୍ଧର ଉତ୍ତେଜନା ପରେ, ସେ ନ୍ୟୁକ୍ଲାସିକାଲ୍ ଶୈଳୀର କାର୍ଯ୍ୟ ଆରମ୍ଭ କରିଥିଲେ | ୧୯୨୦ ଦଶକରେ ଆଣ୍ଡ୍ରେ ଡେରେନ୍, ଜର୍ଜିଆ ଡି ଚିରିକୋ, ଜିନୋ ସେଭେରିନି, ଜାନ୍ ମେଟଜିଙ୍ଗର୍, ନ୍ୟୁ ଅବଜେକ୍ଟିଭିଟି ଆନ୍ଦୋଳନର କଳାକାର ତଥା ନୋଭେସେଣ୍ଟୋ ଇଟାଲୀୟୋ ଆନ୍ଦୋଳନର ଅନେକ ୟୁରୋପୀୟ କଳାକାରଙ୍କ କାର୍ଯ୍ୟରେ ଏହି “ପ୍ରତ୍ୟାବର୍ତ୍ତନ” ସ୍ପଷ୍ଟ ହୋଇଛି। ଏହି ସମୟରୁ ପିକାସୋଙ୍କ ଚିତ୍ରଗୁଡ଼ିକ ରାଫେଲ ଏବଂ ଇନଗ୍ରେସଙ୍କ କାର୍ଯ୍ୟକୁ ମନେ ପକାଇଥାଏ |[୫୧]
୧୯୨୫ ମସିହାରେ ସର୍ରିଆଲିଷ୍ଟ ଲେଖକ ତଥା କବି ଆଣ୍ଡ୍ରେ ବ୍ରେଟୋନ୍ ରିଭୋଲ୍ୟୁସନ୍ ସର୍ରିଅଲିଷ୍ଟରେ ପ୍ରକାଶିତ ତାଙ୍କ ପ୍ରବନ୍ଧ ଲେ ସରରେଲିଜିମ୍ ଏଟ୍ ଲା ପେଣ୍ଟୁରରେ ପିକାସୋଙ୍କୁ 'ଆମର ଅନ୍ୟତମ' ବୋଲି ଘୋଷଣା କରିଥିଲେ। ଏହାର ସମାନ ସଂଖ୍ୟା ୟୁରୋପରେ ପ୍ରଥମ ଥର ପାଇଁ ଲେସ୍ ଡେମୋଏସେଲ୍ସ ପୁନଃପ୍ରକାଶିତ ହେଲା | ତଥାପି ପିକାସୋ ୧୯୨୫ରେ ପ୍ରଥମ ସର୍ରିଆଲିଷ୍ଟ ଗୋଷ୍ଠୀ ପ୍ରଦର୍ଶନୀରେ କ୍ୟୁବିଷ୍ଟ କାର୍ଯ୍ୟ ପ୍ରଦର୍ଶନ କରିଥିଲେ; ମନିଫେଷ୍ଟେ ଡୁ ସର୍ରେଲିଜିମ୍ ରେ ବ୍ୟାଖ୍ୟା କରାଯାଇଥିବା 'ଏହାର ଶୁଦ୍ଧ ଅବସ୍ଥାରେ ମନସ୍ତାତ୍ତ୍ୱିକ ସ୍ୱୟଂଚାଳିତତା' ଧାରଣା ତାଙ୍କୁ କେବେବି ଆକର୍ଷିତ କରିନଥିଲା | କଳା ଐତିହାସିକ ମେଲିସା ମ୍ୟାକକୁଇଲାନ୍ ଲେଖିଛନ୍ତି ଯେ ସେ ସେହି ସମୟରେ ନିଜକୁ ଭାବପ୍ରବଣ ଭାବରେ ପ୍ରକାଶ କରିବାକୁ ନୂତନ ଭାବମୂର୍ତ୍ତି ଏବଂ ଆନୁଷ୍ଠାନିକ ବାକ୍ୟବିନ୍ୟାସ ବିକାଶ କରି ଥିଲେ, "ହିଂସା, ମାନସିକ ଭୟ ଏବଂ ଯୌନ ଉତ୍ପୀଡ଼ନରୁ ମୁକ୍ତ କରି ୧୯୦୯ ମସିହା ବେଳକୁ ଏହା ବହୁ ପରିମାଣରେ ନିୟନ୍ତ୍ରିତ ହୋଇଯାଇଥିଲା"। ପରେ ସର୍ରିଆଲିଜିମ୍ ଆଦିମତା ଏବଂ ଯୌନବାଦ ପ୍ରତି ପିକାସୋଙ୍କ ଆକର୍ଷଣକୁ ପୁନର୍ଜୀବିତ କଲା |[୫୨]
ବ୍ୟାପକ ମାନ୍ଦାବସ୍ଥା, ଗୁଏର୍ନିକା, ଏବଂ ମୋମା ପ୍ରଦର୍ଶନୀ: ୧୯୩୦-୧୯୩୯
[ସମ୍ପାଦନା]୧୯୩୦ ଦଶକରେ ତାଙ୍କ କାର୍ଯ୍ୟରେ ହାର୍ଲେକ୍ଇନ୍ ବଦଳରେ ମିନୋଟାୱାର୍ ଏକ ସାଧାରଣ ମୋଟିଫ୍ ଭାବରେ ବ୍ୟବହାର ହେଲା | ତାଙ୍କର ମିନୋଟାୱାର୍ର ବ୍ୟବହାର ସର୍ରିଆରଲିଷ୍ଟମାନଙ୍କ ସହିତ ଯୋଗାଯୋଗରୁ ଆଶିଂକ ଭାବରେ ଆସିଥିଲା, ସେ ଏହାକୁ ପ୍ରାୟତଃ ତାଙ୍କର ଏକ ପ୍ରତୀକ ଭାବରେ ବ୍ୟବହାର କରୁଥିଲେ , ଗୁଏର୍ନିକାରେ ମଧ୍ୟ ଏହା ଦେଖାବାକୁ ମିଳେ | ମିନୋଟାୱାର୍ ଏବଂ ପିକାସୋଙ୍କ ପ୍ରେମିକା ମାରି-ଟେରେସ୍ ୱାଲ୍ଟର୍ ତାଙ୍କର ପ୍ରସିଦ୍ଧ ଭୋଲାର୍ଡ ସୁଟ୍ ଅଫ୍ ଇଚିଙ୍ଗରେ ପ୍ରମୁଖ ସ୍ଥାନ ପାଇଛନ୍ତି |[୫୩]
ଜୁଲାଇ ୧୯୩୭ରେ ପ୍ୟାରିସ୍ ଆନ୍ତର୍ଜାତୀୟ ପ୍ରଦର୍ଶନୀରେ ସ୍ପେନୀୟ ପାଭିଲିୟନରେ ଗୁଏର୍ନିକା ପ୍ରଦର୍ଶିତ ହୋଇଥିଲା, ଏବଂ ପରେ ପିକାସୋ, ମାଟିସ୍, ବ୍ରାକ୍ ଏବଂ ହେନେରୀ ଲରେନ୍ସଙ୍କ ଦ୍ୱାରା ସ୍କାଣ୍ଡିନାଭିୟା ଏବଂ ଇଂଲଣ୍ଡ ରେ କରାଯାଇଥିବା୧୧୮ଟି ପ୍ରଦର୍ଶନୀରେ ଏହା କେନ୍ଦ୍ରବିନ୍ଦୁ ପାଲଟିଯାଇଥିଲା | ସ୍ପେନରେ ଫ୍ରାନ୍ସିସ୍କୋ ଫ୍ରାଙ୍କୋଙ୍କ ବିଜୟ ପରେ, ଏହି ଚିତ୍ରଟି ସ୍ପେନ ଶରଣାର୍ଥୀମାନଙ୍କ ପାଇଁ ପାଣ୍ଠି ସଂଗ୍ରହ ତଥା ସହାୟତା ପାଇଁ ଆମେରିକାକୁ ପଠାଯାଇଥିଲା | ୧୯୮୧ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ପାଇଁ ନ୍ୟୁୟର୍କର ମ୍ୟୁଜିୟମ୍ ଅଫ୍ ମଡର୍ନ ଆର୍ଟ (ମୋମା) କୁ ଦାୟିତ୍ୱ ଦିଆଯାଇଥିଲା, କାରଣ ଦେଶରେ ସ୍ୱାଧୀନତା ଏବଂ ଗଣତନ୍ତ୍ର ପ୍ରତିଷ୍ଠା ନହେବା ପର୍ଯ୍ୟନ୍ତ ଚିତ୍ରଟି ସ୍ପେନକୁ ଦିଆନଯାଉ ବୋଲି ପିକାସୋଙ୍କର ଇଚ୍ଛା ଥିଲା।[୫୪][୫୫]
ଗୁଏର୍ନିକା ପୂର୍ବରୁ ପିକାସୋ ତାଙ୍କ କଳାରେ ରାଜନୈତିକ ବିଷୟବସ୍ତୁକୁ କେବେବି ସାମିଲ କରିନଥିଲେ। ତାଙ୍କ କାର୍ଯ୍ୟର ରାଜନୈତିକ ଶ୍ରେୟ ମୁଖ୍ୟତଃ ସେହି ସମୟର ଫ୍ରାନ୍ସର ଫାସିବାଦ ବିରୋଧୀ କାର୍ଯ୍ୟକର୍ତ୍ତା ତଥା ସର୍ରିଆରଲିଷ୍ଟ ଫଟୋଗ୍ରାଫର ଡୋରା ମାରଙ୍କ ସହିତ ତାଙ୍କର ରୋମାଣ୍ଟିକ ସମ୍ପର୍କକୁ ଦିଆଯାଏ | ସାଧାରଣଭାବରେ ରଙ୍ଗୀନ ଚିତ୍ର କରୁଥିବା ପିକାସୋଙ୍କର ଗୁଏର୍ନିକାର କଳା-ଧଳା ସ୍କିମ୍ ଉପରେ ହୁଏତ, ଡୋରା ମାରଙ୍କର କଳା-ଧଳା ଫଟୋଗ୍ରାଫି ପ୍ରଭାବ ପକାଇଛି | ଡୋରା ମାର୍ ବିଶେଷଜ୍ଞ ଆଣ୍ଟୋଏନ୍ ରୋମାଣ୍ଡ ମଧ୍ୟ ସମାନ ମତ ଦିଅନ୍ତି । "ସେ ତାଙ୍କୁ କିଛି ନୂଆ କରିବାକୁ ଏବଂ ରାଜନୈତିକ ଦୃଷ୍ଟିରୁ ଅଧିକ ସୃଜନଶୀଳ ହେବାକୁ ପ୍ରେରିତ କରିଥିଲେ "।[୫୬] ଗୁଏର୍ନିକାକୁ ନିରୀକ୍ଷଣ କରିବା ପାଇଁ ଏବଂ ଏହାର ଚିତ୍ର ଉତ୍ତୋଳନ ପାଇଁ ପିକାସୋ ଷ୍ଟୁଡିଓରେ ପ୍ରବେଶ ପାଇଁ ମାର୍ଙ୍କୁ ବିଶେଷ ଅନୁମତି ଥିଲା। ପିକାସୋଙ୍କ ଅନୁରୋଧ କ୍ରମେ ମାର୍ ମୃତ୍ୟୁବରଣ କରୁଥିବା ଘୋଡାର କିଛି ଅଂଶ ଆଙ୍କିଥିଲେ।[୫୭][୫୮][୫୯]
ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ ୧୯୪୦ ଦଶକର ଅନ୍ତ: ୧୯୩୯-୧୯୪୯
[ସମ୍ପାଦନା]ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ, ପିକାସୋ ପ୍ୟାରିସରେ ରହିଥିଲେ ଯେତେବେଳେ ଜର୍ମାନମାନେ ଏହି ସହର ଦଖଲ କରିଥିଲେ | ପିକାସୋଙ୍କ କଳାତ୍ମକ ଶୈ ଳୀ ନାଜି କଳା ଆଦର୍ଶ ସହିତ ମେଳ ଖାଉ ନଥିଲା, ତେଣୁ ସେ ଏହି ସମୟ ମଧ୍ୟରେ ପ୍ରଦର୍ଶନ କରିନଥିଲେ |[୬୨]
ନିଜ ଷ୍ଟୁଡିଓକୁ ଫେରି ସେ ଚିତ୍ର ଆଙ୍କିବା ଜାରି ରଖିଲେ, ଗିଟାର ସହିତ ଷ୍ଟିଲ୍ ଲାଇଫ୍ (୧୯୪୨) ଏବଂ ଚାର୍ନେଲ୍ ହାଉସ୍ (୧୯୪୪-୪୮) ଭଳି କୃତି ସୃଷ୍ଟି କଲେ | ଯଦିଓ ଜର୍ମାନମାନେ ପ୍ୟାରିସରେ କାଂସ୍ୟ ଢଳେଇକୁ ନିଷିଦ୍ଧ କରିଥିଲେ, ପିକାସୋ ଚୋରା ଚାଲାଣ ହୋଇଥିବା କାଂସ୍ୟ ବ୍ୟବହାର କରିବା ଜାରି ରଖିଥିଲେ।[୬୩]
ଏହି ସମୟରେ, ପିକାସୋ ଏକ ବିକଳ୍ପ ମାଧ୍ୟମ ଭାବରେ କବିତା ଲେଖିଥିଲେ | ୧୯୩୫ ରୁ ୧୯୫୯ ମଧ୍ୟରେ ସେ ୩୦୦ରୁ ଅଧିକ କବିତା ଲେଖିଥିଲେ। ସେହିଭଳି ତାଙ୍କର ନାଟକ ଗୁଡ଼ିକ ହେଲା ଡିଜାୟାର୍ କଟ୍ ବାଏ ଦ ଟେଲ୍ (୧୯୪୧), ଫୋର୍ ଲିଟିଲ୍ ଗର୍ଲସ(୧୯୪୯) ଏବଂ ଦ ବୁରିଆଲ୍ ଅଫ କାଉଣ୍ଟ୍ ଅଫ୍ ଅର୍ଗାଜ୍ (1959) |[୬୪]
୧୯୪୪ ମସିହାରେ, ପ୍ୟାରିସ ମୁକ୍ତ ହେବା ପରେ,୬୩ବର୍ଷ ବୟସରେ ପିକାସୋ, ଫ୍ରାଙ୍କୋଇଜ ଗିଲୋଟ ନାମକ ଜଣେ ଯୁବା କଳା ଛାତ୍ରୀଙ୍କ ସହ ରୋମାଣ୍ଟିକ ସମ୍ପର୍କ ଆରମ୍ଭ କରିଥିଲେ | ସେ ତାଙ୍କଠାରୁ ୪୦ ବର୍ଷ ସାନ ଥିଲେ। ପିକାସୋ ଏବଂ ଗିଲୋଟ୍ ଏକାଠି ରହିବାକୁ ଲାଗିଲେ | ପରିଶେଷରେ, ସେମାନଙ୍କର ଦୁଇଟି ସନ୍ତାନ ଥିଲେ: ୧୯୪୭ ରେ ଜନ୍ମ ହୋଇଥିବା କ୍ଲୋଡ୍ ପିକାସୋ ଏବଂ ୧୯୪୯ ରେ ପାଲୋମା ପିକାସୋ | ତାଙ୍କର ୧୯୬୪ ପୁସ୍ତକ ଲାଇଫ ୱିଥ୍ ପିକାସୋରେ, ଗିଲୋଟ୍ ପିକାସୋଙ୍କର ତାଙ୍କପ୍ରତି ଅସଦାଚରଣ ଏବଂ ଅବିଶ୍ୱାସ ବିଷୟରେ ବର୍ଣ୍ଣନା କରିଥିଲେ ଯାହା ତାଙ୍କୁ ପିଲାମାନଙ୍କୁ ସାଙ୍ଗରେ ନେଇ ପିକାସୋଙ୍କୁ ତ୍ୟାଗ କରିବାକୁ ବାଧ୍ୟ କରିଥିଲା ।ଆଧାର ଭୁଲ: ଅବୈଧ <ref>
ଟ୍ୟାଗ;
କୌଣସି ବି ନାମ ନଥିବା ଆଧାରର କିଛି ବିଷୟବସ୍ତୁ ଥିବା ଲୋଡ଼ାଏହା ପିକାସୋ ପାଇଁ ଏକ ଗଭୀର ଆଘାତ ଥିଲା |
ପିକାସୋ ତାଙ୍କ ଏବଂ ଗିଲୋଟଙ୍କ ତୁଳନାରେ ଅଧିକ ବୟସର ଭିନ୍ନତା ଥିବା ମହିଳାମାନଙ୍କ ସହିତ ସମ୍ପର୍କ ରଖିଥିଲେ | ଗିଲୋଟ୍ ସହିତ ଜଡିତ ଥିବାବେଳେ, ୧୯୫୧ମସିହାରେ ପିକାସୋ ଗିଲୋଟଙ୍କଠାରୁ ଚାରି ବର୍ଷ ସାନ ଜେନିଭାଇଭ୍ ଲାପୋର୍ଟଙ୍କ ସହିତ ଛଅ ସପ୍ତାହର ସମ୍ପର୍କ ସ୍ଥାପନ କରିଥିଲେ | ଜ୍ୟାକଲିନ୍ ରୋକ୍ (୧୯୨୭-୧୯୮୬) ଫ୍ରେଞ୍ଚ ରିଭିରାର ଭାଲାଉରିସର ମାଡୁରା କୁମ୍ଭାରଶାଳରେ କାର୍ଯ୍ୟ କରୁଥିଲେ, ଯେଉଁଠାରେ ପିକାସୋ ସେରାମିକ୍ସ କାମ ଏବଂ ଚିତ୍ର କରିଥୁଲେ | ପରେ ସେ ତାଙ୍କର ପ୍ରେମିକା ହେଲେ, ଏବଂ ୧୯୬୧ରେ ତାଙ୍କର ଦ୍ୱିତୀୟ ପତ୍ନୀ ହେଲେ | ପିକାସୋଙ୍କ ଜୀବନର ଅବଶିଷ୍ଟ ସମୟ ପାଇଁ ଦୁହେଁ ଏକାଠି ଥିଲେ |[୬୫]
ରୋକ୍ଙ୍କ ସହିତ ତାଙ୍କର ବିବାହ ମଧ୍ୟ ଗିଲୋଟଙ୍କଠାରୁ ପ୍ରତିଶୋଧର ମାଧ୍ୟମ ଥିଲା; ଗିଲୋଟ ଛାଡପତ୍ର ପାଇଁ ଆବେଦନ କରିବା ପରେ ପିକାସୋ ଗୁପ୍ତରେ ରୋକ୍ଙ୍କୁ ବିବାହ କରିଥିଲେ। କ୍ଲାଉଡ୍ ଏବଂ ପାଲୋମାଙ୍କ ସହ ତାଙ୍କର ତିକ୍ତ ସମ୍ପର୍କ କେବେ ଭଲ ହୋଇନଥିଲା |
ଏହି ସମୟରେ, ପିକାସୋ ଏକ ବିରାଟ ଗୋଥିକ୍ ଶୈଳୀରେ ଘର ନିର୍ମାଣ କରିସାରିଥିଲେ ଏବଂ ଫ୍ରାନ୍ସର ଦକ୍ଷିଣରେ ମୋଗିନସ୍ ଉପକଣ୍ଠରେ ଥିବା ମାସ୍ ନୋଟର୍-ଡେମ୍-ଡି-ଭି ଏବଂ ପ୍ରୋଭେନ୍ସ-ଆଲପ୍ସ-କୋଟେ ଡି ଆଜୁରରେ ବଡ଼ ଭିଲ୍ଲାର ଖର୍ଚ୍ଚ ଉଠାଇ ପାରିଥାନ୍ତେ । ସେ ଜଣେ ଆନ୍ତର୍ଜାତୀୟ ସେଲିବ୍ରିଟି ଥିଲେ, ତାଙ୍କ କଳା ଭଳି ତାଙ୍କ ବ୍ୟକ୍ତିଗତ ଜୀବନ ବାବଦରେ ଲୋକେ ଅତ୍ୟନ୍ତ ଆଗ୍ରହୀ ଥିଲେ |
ଶେଷ ସମୟର କାର୍ଯ୍ୟ: ୧୯୪୯-୧୯୭୩
[ସମ୍ପାଦନା]୧୯୪୯ ମସିହାର ମଧ୍ୟଭାଗରେ ଫିଲାଡେଲଫିଆ ମ୍ୟୁଜିୟମ୍ ଅଫ୍ ଆର୍ଟରେ ଆୟୋଜିତ ହୋଇଥିବା ତୃତୀୟ ମୂର୍ତ୍ତି ଇଣ୍ଟରନ୍ୟାସନାଲରେ ପ୍ରଦର୍ଶିତ କରିଥିବା ୨୫୦ ଜଣ ଶିଳ୍ପୀ ମଧ୍ୟରୁ ପିକାସୋ ଅନ୍ୟତମ | ୧୯୫୦ ଦଶକରେ ପିକାସୋଙ୍କ ଶୈଳୀ ପୁଣି ଥରେ ବଦଳିଗଲା କାରଣ ସେ ମହାନ କଳାକାରମାନଙ୍କ କଳାର ପୁନର୍ବ୍ୟାଖ୍ୟା କରିବାକୁ ଲାଗିଲେ | ଲାସ୍ ମେନିନାସ୍, ଭେଲାଜ୍କ୍ୱେଜ୍ଙ୍କ ଚିତ୍ରକୁ ଆଧାର କରି ସେ ଏକ ଧାରାବାହିକ ପ୍ରସ୍ତୁତ କରିଥିଲେ | ସେ ଗୋୟା, ପୁସିନ୍, ମନେଟ୍, କୋର୍ବେଟ୍ ଏବଂ ଡେଲାକ୍ରୋଏକ୍ସଙ୍କ ରଚନା ଉପରେ ଚିତ୍ର ମଧ୍ୟ କରିଥିଲେ।
ତାଙ୍କର କଳାତ୍ମକ ସଫଳତା ବ୍ୟତୀତ, ପିକାସୋ କିଛିଟା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ, ଯେଉଁଥିରେ ଜିନ୍ କୋକ୍ଟିୟୁଙ୍କ ଟେଷ୍ଟାମେଣ୍ଟ ଅଫ୍ ଅର୍ଫିୟସ୍ (୧୯୬୦) ରେ ଏକ କ୍ଷୁଦ୍ର ଭୂମିକା ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ୧୯୫୫ ମସିହାରେ ସେ ହେନ୍ରି-ଜର୍ଜସ୍ କ୍ଲୋଜୋଟ୍ ନିର୍ଦ୍ଦେଶିତ ଲେ ମିଷ୍ଟ୍ରି ପିକାସୋ (ଦି ମିସ୍ଟ୍ରି ଅଫ୍ ପିକାସୋ) ଚଳଚ୍ଚିତ୍ର ନିର୍ମାଣରେ ସାହାଯ୍ୟ କରିଥିଲେ।
ତାଙ୍କୁ ଚିକାଗୋରେ ନିର୍ମିତ ହେବାକୁ ଥିବା ଏକ ବିଶାଳ ୫୦ ଫୁଟ (୧୫ ମି. ଉଚ୍ଚ) ସାର୍ବଜନୀନ ମୂର୍ତ୍ତି ପାଇଁ ଏକ ନକ୍ସା ତିଆରି କରିବାକୁ ନିଯୁକ୍ତ କରାଯାଇଥିଲା, ଯାହା ସାଧାରଣତଃ ଚିକାଗୋ ପିକାସୋ ଭାବରେ ଜଣାଶୁଣା | ସେ ବହୁତ ଉତ୍ସାହର ସହିତ ଏହି ପ୍ରକଳ୍ପକୁ ଆସିଥିଲେ, ଏକ ଭାସ୍କର୍ଯ୍ୟ ଡିଜାଇନ୍ କରିଥିଲେ ଯାହା ଅସ୍ପଷ୍ଟ ଓ ବିବାଦୀୟ ଥିଲା | ପିକାସୋ କହିଛନ୍ତି ଯେ ଏହି ଚିତ୍ର କାବୁଲ ନାମକ ଏକ ଆଫଗାନିସ୍ତାନ ହାଉଣ୍ଡର ମୁଣ୍ଡକୁ ପ୍ରତିନିଧିତ୍ୱ କରେ | ଚିକାଗୋ ସହରର ସବୁଠାରୁ ଜଣ ସ୍ଥାନ ମଧ୍ୟରୁ ଅନ୍ୟତମ ଏହି ଭାସ୍କର୍ଯ୍ୟ ୧୯୬୭ ରେ ଉନ୍ମୋଚିତ ହୋଇଥିଲା | ପିକାସୋ ଏଥିପାଇଁ $୧୦୦,୦୦୦ ଦେବାକୁ ମନା କରି ସହରର ଲୋକଙ୍କୁ ଦାନ କରିଥିଲେ।[୬୫]
ପିକାସୋଙ୍କର ଅନ୍ତିମ କାର୍ଯ୍ୟଗୁଡ଼ିକ ବିଭିନ୍ନ ଶୈଳୀର ମିଶ୍ରଣ ଥିଲା, ତାଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ତାଙ୍କ ସାଧନା ନିରନ୍ତର ପରିବର୍ତ୍ତନର ଧାରା ଥିଲା | ସେ ତାଙ୍କ କାର୍ଯ୍ୟରେ ଅଦମ୍ୟ ଶକ୍ତି ଓ ସାହାସ ଲଗାଇ ଏଗୁଡ଼ିକୁ ଅଧିକ ରଙ୍ଗୀନ ଏବଂ ଭାବପ୍ରବଣ କରିପାରିଥିଲେ ଏବଂ ୧୯୬୮ ରୁ ୧୯୭୧ ପର୍ଯ୍ୟନ୍ତ ସେ ଅନେକ ଚିତ୍ରକଳା ଏବଂ ଶହ ଶହ ତାମ୍ରଫଳକର ନକ୍ସା ବନାଇଚାଲିଲେ | ସେହି ସମୟରେ ଏହି କାର୍ଯ୍ୟଗୁଡିକ ଜଣେ ଅକ୍ଷମ ବୃଦ୍ଧଙ୍କ ଅଶ୍ଳୀଳ କଳ୍ପନା ଭାବରେ ଖାରଜ ହୋଇଯାଇଥିଲା | ପିକାସୋଙ୍କ ମୃତ୍ୟୁ ପରେ, ଯେତେବେଳେ ଅବଶିଷ୍ଟ କଳା ଜଗତ ଅମୂର୍ତ୍ତ ଅଭିବ୍ୟକ୍ତିରୁ ଆଗକୁ ବଢ଼ିଥିଲେ, ସେତେବେଳେ ସମାଲୋଚକ ସମ୍ପ୍ରଦାୟ ପିକାସୋଙ୍କର ବିଳମ୍ବିତ କାର୍ଯ୍ୟଗୁଡ଼ିକୁ ନିଓ-ଏକ୍ସପ୍ରେସନିଜିମ୍ ରୂପେ ଗ୍ରହଣ କରିଥିଲେ |
ମୃତ୍ୟୁ
[ସମ୍ପାଦନା]ପାବଲୋ ପିକାସୋ ୮ ଏପ୍ରିଲ ୧୯୭୩ ସକାଳେ ଫ୍ରାନ୍ସର ମୋଗିନ୍ସଠାରେ ଫୁସଫୁସ ଜନିତ ରୋଗ ତଥା ହୃଦଘାତରେ ମୃତ୍ୟୁ ବରଣ କରିଥିଲେ, ତା ପୂର୍ବଦିନ ସେ ଏବଂ ତାଙ୍କ ପତ୍ନୀ ଜ୍ୟାକଲିନ ସାଙ୍ଗମାନଙ୍କ ସହିତ ରାତ୍ରୀ ଭୋଜନ କରିଥିଲେ। ତାଙ୍କୁ ଆକ୍ସ-ଏନ୍-ପ୍ରୋଭେନ୍ସ ନିକଟସ୍ଥ ଭାଉଭେନାର୍ଗୁସ୍ଠାରେ ସମାଧି ଦିଆଯାଇଥିଲା , ଏହି ସମ୍ପତ୍ତି ସେ ୧୯୫୮ ମସିହାରେ କିଣିଥିଲେ ଏବଂ ୧୯୫୯ ରୁ ୧୯୬୨ ପର୍ଯ୍ୟନ୍ତ ଜ୍ୟାକଲିନ୍ଙ୍କ ସହିତ ସେଠାରେ ରହୁଥିଲେ | ଜ୍ୟାକଲିନ୍ ତାଙ୍କ ସନ୍ତାନ କ୍ଲାଉଡ୍ ଏବଂ ପାଲୋମାଙ୍କୁ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ବାରଣ କରିଥିଲେ | ପିକାସୋଙ୍କ ମୃତ୍ୟୁ ପରେ ବିଧ୍ୱସ୍ତ ଏବଂ ଏକାକୀ, ଜ୍ୟାକଲିନ ୧୯୮୬ ମସିହାରେ ୫୯ ବର୍ଷ ବୟସରେ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲେ।
ରାଜନୈତିକ ଦୃଷ୍ଟିକୋଣ
[ସମ୍ପାଦନା]୧୯୩୬ର ସ୍ପେନ୍ ଗୃହଯୁଦ୍ଧ ଆରମ୍ଭରେ, ପିକାସୋଙ୍କୁ ୫୪ ବର୍ଷ ବୟସ ହୋଇଥିଲା | ଶତ୍ରୁତା ଆରମ୍ଭ ହେବାର କିଛିଦିନ ପରେ, ରିପବ୍ଲିକାନ୍ମାନେ ତାଙ୍କୁ "ପ୍ରାଦୋ ନିର୍ଦ୍ଦେଶକ" ଭାବରେ ନିଯୁକ୍ତ କରିଥିଲେ ଏବଂ ସେ ତାଙ୍କ କାର୍ଯ୍ୟକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ଗ୍ରହଣ କରିଥିଲେ ଏବଂ ଜନ୍ ରିଚାର୍ଡସନଙ୍କ କହିବା ଅନୁଯାୟୀ, ସେ ସଂଗ୍ରହାଳୟର ସଂଗ୍ରହକୁ ଜେନେଭାକୁ ସ୍ଥାନାନ୍ତର କରିବା ପାଇଁ ଅର୍ଥ ଯୋଗାଉଥିଲେ। ଯୁଦ୍ଧ ପିକାସୋଙ୍କୁ ପ୍ରଥମଥର ପାଇଁ ଖୋଲାଖୋଲି ରାଜନୈତିକ କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇଲା | ସେ ଦି ଡ୍ରିମ୍ ଆଣ୍ଡ ଲାଇ ଅଫ୍ ଫ୍ରାଙ୍କୋ (୧୯୩୭)ରେ ଫ୍ରାନ୍ସସିସ୍କୋ ଫ୍ରାଙ୍କୋ ଏବଂ ଫାସିଷ୍ଟମାନଙ୍କ ପ୍ରତି କ୍ରୋଧ ଏବଂ ନିନ୍ଦା ବ୍ୟକ୍ତ କରିଥିଲେ, ଯାହାର ଉଦ୍ଦେଶ୍ୟ ଥିଲା "ପ୍ରଚାର ଏବଂ ପାଣ୍ଠି ସଂଗ୍ରହ" | ଶବ୍ଦ ଏବଂ ପ୍ରତିଛବିଗୁଡ଼ିକର ଅତିବାସ୍ତବ ଫ୍ୟୁଜନ୍ ପୋଷ୍ଟକାର୍ଡର ଶୃଙ୍ଖଳରେ ବିକ୍ରି କରି ସେ ସ୍ପେନ୍ ରିପବ୍ଲିକାନ୍ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ |
୧୯୪୪ ମସିହାରେ, ପିକାସୋ ଫ୍ରାନ୍ସ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ | ସେ ୧୯୪୮ ମସିହାରେ ପୋଲାଣ୍ଡରେ ଶାନ୍ତି ରକ୍ଷା ପାଇଁ ବିଶ୍ୱ ବୁଦ୍ଧିଜୀବୀ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ୧୯୫୦ ମସିହାରେ ସୋଭିଏତ୍ ସରକାରଙ୍କଠାରୁ ଷ୍ଟାଲିନ୍ ଶାନ୍ତି ପୁରସ୍କାର ଗ୍ରହଣ କରିଥିଲେ। ଯଦିଓ ସେ ମୃତ୍ୟୁ ପର୍ଯ୍ୟନ୍ତ କମ୍ୟୁନିଷ୍ଟ ପାର୍ଟିର ଜଣେ ବିଶ୍ୱସ୍ତ ସଦସ୍ୟ ହୋଇ ରହିଥିଲେ, ୧୯୫୩ ମସିହାରେ ତାଙ୍କ ଦ୍ୱାରା ନିର୍ମିତ ଜୋସେଫ ଷ୍ଟାଲିନଙ୍କ ଏକ ଚିତ୍ର ଅତ୍ୟନ୍ତ ବାସ୍ତବବାଦୀ ହୋଇଥିବାରୁ ପାର୍ଟି ତାଙ୍କୁ ସମାଲୋଚନା କରିଥିଲା । ତାଙ୍କର କଳାବ୍ୟବସାୟୀ କନ୍ୱେଲର୍ ପିକାସୋଙ୍କ ସାମ୍ପ୍ରଦାୟିକତାକୁ ରାଜନୈତିକ ପରିବର୍ତ୍ତେ "ଭାବପ୍ରବଣତା" ବୋଲି କହିଥଲେ ଏବଂ ସେ କାର୍ଲ ମାର୍କ୍ସ କିମ୍ବା ଆଞ୍ଜେଲ୍ସଙ୍କୁ କେବେ ପଢ଼ିନାହାନ୍ତି ବୋଲି ବ୍ୟକ୍ତ କରିଥିଲେ। ଜେରୋମ ସେକଲରଙ୍କ ସହ ୧୯୪୫ ମସିହାରେ ହୋଇଥିବା ଏକ ସାକ୍ଷାତକାରରେ ପିକାସୋ କହିଥିଲେ ଯେ "ମୁଁ ଜଣେ କମ୍ୟୁନିଷ୍ଟ ଏବଂ ମୋର ଚିତ୍ର ହେଉଛି କମ୍ୟୁନିଷ୍ଟ ଚିତ୍ର"। କମ୍ୟୁନିଷ୍ଟ ପ୍ରତି ତାଙ୍କର ପ୍ରତିବଦ୍ଧତା, ସେହି ସମୟର ବୁଦ୍ଧିଜୀବୀ ଏବଂ କଳାକାରମାନଙ୍କ ମଧ୍ୟରେ ସାଧାରଣ କଥା, ଦୀର୍ଘ ଦିନ ଧରି ବିବାଦର ବିଷୟବସ୍ତୁ ହୋଇଆସୁଥିଲା; ଏହାର ଏକ ଉଲ୍ଲେଖନୀୟ ପ୍ରଦର୍ଶନ ସାଲଭାଡୋର ଡାଲୀଙ୍କ ଏକ ଉଦ୍ଧୃତି ଥିଲା (ଯାହାଙ୍କ ସହ ପିକାସୋଙ୍କର ସମ୍ପର୍କ ଅଧିକ ତିକ୍ତ ଥିଲା ):
୧୯୪୦ ଦଶକର ଶେଷ ଭାଗରେ, ତାଙ୍କର ପୁରୁଣା ବନ୍ଧୁ ଅତିବାସ୍ତବବାଦୀ କବି ଟ୍ରୋଟସ୍କିଷ୍ଟ, ଏବଂ ଷ୍ଟାଲିନିଷ୍ଟ ବିରୋଧୀ ଆଣ୍ଡ୍ରେ ବ୍ରେଟୋନ ଙ୍କ ସହିତ ସମ୍ପର୍କ ଅଧିକ ଖରାପ ହୋଇଯାଇଥିଲା; ପିକାସୋଙ୍କ ସହ ହାତ ମିଳାଇବାକୁ ମନା କରି ସେ ତାଙ୍କୁ କହିଥିଲେ: ନା ମୁଁ ତୁମର କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେବା କଥା ସମର୍ଥନ କରେ ନା ମୁକ୍ତିସଂଗ୍ରାମ ପରେ ବୁଦ୍ଧିଜୀବୀଙ୍କ ଅପସାରଣକୁ ନେଇ ତୁମେ ଗ୍ରହଣ କରିଥିବା ମତକୁ ଅନୁମୋଦନ କରେ । କମ୍ୟୁନିଷ୍ଟ ଭାବରେ ପିକାସୋ ମିଳିତ ଜାତିସଂଘ ଏବଂ ଆମେରିକାର କୋରିଆ ଯୁଦ୍ଧରେ ହସ୍ତକ୍ଷେପକୁ ବିରୋଧ କରିଥିଲେ ଏବଂ ଏହାକୁ କୋରିଆର ଗଣହତ୍ୟାରେ ଚିତ୍ରଣ କରିଥିଲେ। କଳା ସମାଲୋଚକ କିର୍ଷ୍ଟେନ ହୋଭିଙ୍ଗ କିନ୍ ଲେଖିଛନ୍ତି ଯେ ଏହା ଆମେରିକାର ଅତ୍ୟାଚାରର ଖବର ଦ୍ୱାରା ଅନୁପ୍ରାଣିତ ହୋଇଛି ଏବଂ ଏହାକୁ ପିକାସୋର ଏକ କମ୍ୟୁନିଷ୍ଟ କାର୍ଯ୍ୟ ବୋଲି ବିବେଚନା କରିଛି।
୯ ଜାନୁଆରୀ ୧୯୪୯ ରେ, ପିକାସୋ କଳା ଧଳା ଲିଥୋଗ୍ରାଫ୍ ଡୋଭ୍ ସୃଷ୍ଟି କରିଥିଲେ | 1949 ବିଶ୍ୱ ଶାନ୍ତି ପରିଷଦରେ ଏହି ପୋଷ୍ଟର ବ୍ୟବହୃତ ହୋଇଥିଲା ଏବଂ ସେହି ସମୟର ଏକ ପ୍ରତୀକାତ୍ମକ ଚିତ୍ର ହୋଇଗଲା, ଯାହା “ଶାନ୍ତିର କପୋତ” ଭାବରେ ଜଣାଶୁଣା | ଶାନ୍ତି କଂଗ୍ରେସ ଏବଂ ସାମ୍ପ୍ରଦାୟିକତାର ପ୍ରତୀକ ଭାବରେ ପିକାସୋଙ୍କ ଏହି ଛବି ସାରା ବିଶ୍ୱରେ ବ୍ୟବହୃତ ହୋଇଥିଲା |
୧୯୬୨ ମସିହାରେ ସେ ଲେନିନ୍ ଶାନ୍ତି ପୁରସ୍କାର ଗ୍ରହଣ କରିଥିଲେ | ଜୀବନୀ ଲେଖକ ତଥା କଳା ସମାଲୋଚକ ଜନ୍ ବର୍ଗର୍ ଅନୁଭବ କରିଥିଲେ ଯେ କମ୍ୟୁନିଷ୍ଟମାନଙ୍କ ଯୋଗୁଁ ତାଙ୍କର ପ୍ରତିଭା ନଷ୍ଟ ହେଉଛି | ଜିନ୍ କୋକ୍ଟୋଙ୍କ ଡାଏରୀ ଅନୁଯାୟୀ, ପିକାସୋ ଥରେ କମ୍ୟୁନିଷ୍ଟଙ୍କ ବିଷୟରେ ତାଙ୍କୁ କହିଥିଲେ "ମୁଁ ଏକ ପରିବାରରେ ଯୋଗ ଦେଇଛି ଏବଂ ସମସ୍ତ ପରିବାର ପରି ଏହା ମଧ୍ୟ ମଇଳାରେ ପରିପୂର୍ଣ୍ଣ "।
ଶୈଳୀ ଏବଂ କୌଶଳ
[ସମ୍ପାଦନା]ପିକାସୋ ତାଙ୍କର ଦୀର୍ଘ ଜୀବନ କାଳରେ ବହୁପ୍ରସୂ ଥିଲେ | ତାଙ୍କ ମୃତ୍ୟୁରେ ତାଙ୍କ ଇଷ୍ଟେଟରେ ୪୫,୦୦୦ ରୁ ଅଧିକ ବିକ୍ରି ହୋଇନଥିବା କାର୍ଯ୍ୟ ଥିଲା, ଯେଉଁଥିରେ ୧,୮୮୫ଟି ଚିତ୍ର, ୧,୨୨୮ଟିମୂର୍ତ୍ତି, ୩,୨୨୨ଟି ସେରାମିକ୍ସ, ୭,୦୮୯ ଚିତ୍ର, ୧୫୦ ସ୍କେଚବୁକ୍, ହଜାର ହଜାର ପ୍ରିଣ୍ଟ ଏବଂ ଅନେକ କାରୁକାର୍ଯ୍ୟପୂର୍ଣ୍ଣ ବସ୍ତ୍ର ଏବଂ ଗାଲିଚା ରହିଥିଲା | ସବୁଠାରୁ ସଂପୂର୍ଣ୍ଣ - ତଥାପି ଅସଂପୂର୍ଣ୍ଣ - ତାଙ୍କ କାର୍ଯ୍ୟବଳୀ,୧୬,୦୦୦ ରୁ ଅଧିକ ଚିତ୍ର ଏବଂ ଅଙ୍କନର ତାଲିକା, ଖ୍ରୀଷ୍ଟିଆନ ଜେରଭୋସ୍ ଦ୍ୱାରା ସଂକଳିତ କାଟାଲଗ୍ ରାଇସନ୍ରେ ଦେଖିବାକୁ ମିଳେ |
|
କଳାତ୍ମକ ଉତ୍ତରାଧିକାରୀ
[ସମ୍ପାଦନା]ପିକାସୋଙ୍କ ପ୍ରଶଂସକ ଏବଂ ସମାଲୋଚକମାନଙ୍କ ମଧ୍ୟରେ ତାଙ୍କ ଅତୁଳନୀୟ ପ୍ରଭାବ ରହିଆସିଛି | ମୋମାରେ ତାଙ୍କର ୧୯୩୯ରେ ପ୍ରତ୍ୟାବର୍ତ୍ତନ ଅବସରରେ, ଲାଇଫ୍ ମାଗାଜିନ ଲେଖିଛି: ୨୫ ବର୍ଷ ମଧ୍ୟରେ ସେ ଆଧୁନିକ ୟୁରୋପୀୟ କଳା ଉପରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି, ତାଙ୍କର ଶତ୍ରୁମାନେ କହିଛନ୍ତି ଯେ ସେ ଏକ ଭ୍ରଷ୍ଟ ପ୍ରଭାବ ପକାଇଛନ୍ତି। ସମାନ ହିଂସା ସହିତ ତାଙ୍କ ବନ୍ଧୁମାନେ କହିଛନ୍ତି ଯେ ସେ ସର୍ବଶ୍ରେଷ୍ଠ ଜୀବନ୍ତ କଳାକାର। " ପିକାସୋ ତାଙ୍କର ୯୦ ବର୍ଷ ପାଳନ ଅବସରରେ ପ୍ୟାରିସର ଲୁଭ୍ର ମ୍ୟୁଜିୟମର ଗ୍ରାଣ୍ଡ ଗ୍ୟାଲେରୀରେ ଏକ ସ୍ୱତନ୍ତ୍ର ସମ୍ମାନ ପାଇଥିବା ପ୍ରଥମ କଳାକାର। ୧୯୯୮ ରେ, ରୋବର୍ଟ ହ୍ୟୁଜ ତାଙ୍କ ବିଷୟରେ ଲେଖିଥିଲେ: "କହିବାକୁ ଗଲେ ବିଂଶ ଶତାବ୍ଦୀରେ ପାବଲୋ ପିକାସୋ ପାଶ୍ଚାତ୍ୟ କଳା ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ , ବର୍ତ୍ତମାନ ପର୍ଯ୍ୟନ୍ତ ଏହା କେବଳ ସାଧାରଣ କଥା। କୌଣସି ଚିତ୍ରକାର କି ମୂର୍ତ୍ତିକାର,ଏପରିକି ମାଇକେଲ୍ ଆଞ୍ଜେଲ୍ ମଧ୍ୟ ନିଜ ଜୀବନକାଳରେ ଏତେ ପ୍ରସିଦ୍ଧ ନଥିଲେ ।
ପିକାସୋଙ୍କ ମୃତ୍ୟୁ ସମୟରେ ତାଙ୍କର ଅନେକ ଚିତ୍ର ତାଙ୍କ ଅଧୀନରେ ଥିଲା, ଯେହେତୁ ସେ ବିକ୍ରୟ କରିବା ଆବଶ୍ୟକ କରୁନଥିଲେ ଏବଂ କଳା ବଜାରରୁ ଦୂରେଇ ରହିଥିଲେ | ଏଥିସହ, ପିକାସୋଙ୍କ ପାଖରେ ଅନ୍ୟ ପ୍ରସିଦ୍ଧ କଳାକାରମାନଙ୍କ କାର୍ଯ୍ୟର ପର୍ଯ୍ୟାପ୍ତ ସଂଗ୍ରହ ଥିଲା, ଯେପରିକି ତାଙ୍କ ସମସାମୟିକ ହେନେରୀ ମାଟିସ୍, ଯାହାଙ୍କ ସହ ସେ କାର୍ଯ୍ୟ ବିନିମୟ କରିଥିଲେ | ଯେହେତୁ ପିକାସୋ କୌଣସି ଇଚ୍ଛାପତ୍ର ଛାଡି ନଥିଲେ, ଫ୍ରାନ୍ସ ରାଜ୍ୟକୁ ତାଙ୍କର ମୃତ୍ୟୁକର (ଇଷ୍ଟେଟ୍ ଟ୍ୟାକ୍ସ) ତାଙ୍କ କାର୍ଯ୍ୟ ଆକାରରେ ଏବଂ ତାଙ୍କ ସଂଗ୍ରହରୁ ପ୍ରଦାନ କରାଯାଇଥିଲା | ଏହି କାର୍ଯ୍ୟଗୁଡ଼ିକ ପ୍ୟାରିସରେ ମୁସି ପିକାସୋର ବିଶାଳ ଏବଂ ପ୍ରତିନିଧୀ ସଂଗ୍ରହର ମୂଳ ଗଠନ କରେ | ୨୦୦୩ ରେ, ପିକାସୋଙ୍କ ସମ୍ପର୍କୀୟମାନେ ତାଙ୍କ ଜନ୍ମସ୍ଥାନ ସ୍ପେନର ମାଲାଗାଠାରେ, ମ୍ୟୁଜିଓ ପିକାସୋ ମାଲାଗା ନାମକ ସଂଗ୍ରହାଳୟ ଉତ୍ସର୍ଗୀକୃତ କରିଛନ୍ତି ।
ବହୁ ବର୍ଷ ଧରି ନ୍ୟୁୟର୍କର ମ୍ୟୁଜିୟମ୍ ଅଫ୍ ମଡର୍ନ ଆର୍ଟରେ ଗୁଏର୍ନିକା ପ୍ରଦର୍ଶିତ ହୋଇଥିଲା | ୧୯୮୧ ମସିହାରେ, ଏହା ସ୍ପେନକୁ ପ୍ରତ୍ୟାବର୍ତ୍ତନ କରାଯାଇଥିଲା ଏବଂ ମ୍ୟୁଜିଓ ଡେଲ ପ୍ରାଦୋର କାସୋନ ଡେଲ ବୁଏନ ରେଟିରୋରେ ପ୍ରଦର୍ଶିତ ହୋଇଥିଲା |
୧୯୮୫ରେ, ପିକାସୋଙ୍କ ବନ୍ଧୁ ଇଉଜେନିଓ ଆରିୟାସ ହେରାନଜଙ୍କ ଦ୍ୱାରା ବୁଏଟ୍ରାଗୋ ଡେଲ ଲୋଜୋୟା ଠାରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଥିଲା।
ପିକାସୋ ଆଣ୍ଟୋନିଓ ବ୍ୟାଣ୍ଡେରାସଙ୍କ ଦ୍ G ାରା 2018 ଜିନିୟସରେ ଖେଳାଯାଏ ଯାହା ତାଙ୍କ ଜୀବନ ଏବଂ କଳା ଉପରେ ଧ୍ୟାନ ଦେଇଥାଏ |[ଆଧାର ଲୋଡ଼ା]ଆଧାର ଭୁଲ: ଅବୈଧ <ref>
ଟ୍ୟାଗ;
କୌଣସି ମଧ୍ୟ ବିଷୟବସ୍ତୁ ନଥିବା ଆଧାରର ଏକ ନାମ ଥିବା ଲୋଡ଼ା
ନିଲାମ ଇତିହାସ
[ସମ୍ପାଦନା]ବ୍ୟକ୍ତିଗତ ଜୀବନ
[ସମ୍ପାଦନା]- ପାଉଲୋ (୪ ଫେବୃଆରୀ ୧୯୨୧ - ୫ ଜୁନ୍ ୧୯୭୫, ପଲ୍ ଜୋସେଫ୍ ପିକାସୋ) - ଓଲଗା ଖୋଖଲୋଭାଙ୍କ ସହିତ
- ମାୟା (୫ ସେପ୍ଟେମ୍ବର ୧୯୩୫ - ୨୦ ଡିସେମ୍ବର ୨୦୨୨, ମାରିଆ ଦେ ଲା କନସେପ୍ସନ୍ ପିକାସୋ) - ମାରି-ଥେରେସ୍ ୱାଲ୍ଟର୍ଙ୍କ ସହିତ
- କ୍ଲାଉଡ୍ (୧୫ ମଇ ୧୯୪୭ -୨୪ ଅଗଷ୍ଟ ୨୦୨୩, କ୍ଲାଉଡ୍ ପିଆର ପାବଲୋ ପିକାସୋ) - ଫ୍ରାଙ୍କୋଇଜ୍ ଗିଲଟଙ୍କ ସହିତ
- ପାଲୋମା (ଜନ୍ମ ୧୯ ଏପ୍ରିଲ ୧୯୪୯, ଆନ୍ ପାଲୋମା ପିକାସୋ) - ଫ୍ରାଙ୍କୋଇଜ୍ ଗିଲୋଟଙ୍କ ସହିତ
ସନ୍ଦର୍ଭ
[ସମ୍ପାଦନା]- ↑ "15 Pablo Picasso Fun Facts". www.pablopicasso.org. Retrieved 22 September 2023.
- ↑ Huffington, Arianna (1 June 1988). "Picasso: Creator and Destroyer". The Atlantic (in ଇଂରାଜୀ). Retrieved 22 September 2023.
- ↑ "Degenerate Art: The Fate of the Avant-Garde in Nazi Germany, LACMA, 1991" (PDF).
- ↑ "15 Pablo Picasso Fun Facts". www.pablopicasso.org. Retrieved 22 September 2023.
- ↑ Huffington, Arianna (1 June 1988). "Picasso: Creator and Destroyer". The Atlantic (in ଇଂରାଜୀ). Retrieved 22 September 2023.
- ↑ "Degenerate Art: The Fate of the Avant-Garde in Nazi Germany, LACMA, 1991" (PDF).
- ↑ "Chicago Picasso, 1962-64 by Pablo Picasso". www.pablopicasso.org. Retrieved 2024-01-25.
- ↑ "15 Pablo Picasso Fun Facts". www.pablopicasso.org. Retrieved 22 September 2023.
- ↑ Huffington, Arianna (1 June 1988). "Picasso: Creator and Destroyer". The Atlantic (in ଇଂରାଜୀ). Retrieved 22 September 2023.
- ↑ "Degenerate Art: The Fate of the Avant-Garde in Nazi Germany, LACMA, 1991" (PDF).
- ↑ "Chicago Picasso, 1962-64 by Pablo Picasso". www.pablopicasso.org. Retrieved 2024-01-25.
- ↑ Huffington, Arianna (1 June 1988). "Picasso: Creator and Destroyer". The Atlantic (in ଇଂରାଜୀ). Retrieved 22 September 2023.
- ↑ "Chicago Picasso, 1962-64 by Pablo Picasso". www.pablopicasso.org. Retrieved 2024-01-25.
- ↑ "Degenerate Art: The Fate of the Avant-Garde in Nazi Germany, LACMA, 1991" (PDF).
- ↑ "Degenerate Art: The Fate of the Avant-Garde in Nazi Germany, LACMA, 1991" (PDF).
- ↑ Huffington, Arianna (1 June 1988). "Picasso: Creator and Destroyer". The Atlantic (in ଇଂରାଜୀ). Retrieved 22 September 2023.
- ↑ "Chicago Picasso, 1962-64 by Pablo Picasso". www.pablopicasso.org. Retrieved 2024-01-25.
- ↑ Huffington, Arianna (1 June 1988). "Picasso: Creator and Destroyer". The Atlantic (in ଇଂରାଜୀ). Retrieved 22 September 2023.
- ↑ Huffington, Arianna (1 June 1988). "Picasso: Creator and Destroyer". The Atlantic (in ଇଂରାଜୀ). Retrieved 22 September 2023.
- ↑ "Degenerate Art: The Fate of the Avant-Garde in Nazi Germany, LACMA, 1991" (PDF).
- ↑ "Chicago Picasso, 1962-64 by Pablo Picasso". www.pablopicasso.org. Retrieved 2024-01-25.
- ↑ Huffington, Arianna (1 June 1988). "Picasso: Creator and Destroyer". The Atlantic (in ଇଂରାଜୀ). Retrieved 22 September 2023.
- ↑ "Degenerate Art: The Fate of the Avant-Garde in Nazi Germany, LACMA, 1991" (PDF).
- ↑ "Chicago Picasso, 1962-64 by Pablo Picasso". www.pablopicasso.org. Retrieved 2024-01-25.
- ↑ Huffington, Arianna (1 June 1988). "Picasso: Creator and Destroyer". The Atlantic (in ଇଂରାଜୀ). Retrieved 22 September 2023.
- ↑ "Degenerate Art: The Fate of the Avant-Garde in Nazi Germany, LACMA, 1991" (PDF).
- ↑ "Chicago Picasso, 1962-64 by Pablo Picasso". www.pablopicasso.org. Retrieved 2024-01-25.
- ↑ Huffington, Arianna (1 June 1988). "Picasso: Creator and Destroyer". The Atlantic (in ଇଂରାଜୀ). Retrieved 22 September 2023.
- ↑ "Degenerate Art: The Fate of the Avant-Garde in Nazi Germany, LACMA, 1991" (PDF).
- ↑ "Degenerate Art: The Fate of the Avant-Garde in Nazi Germany, LACMA, 1991" (PDF).
- ↑ "Degenerate Art: The Fate of the Avant-Garde in Nazi Germany, LACMA, 1991" (PDF).
- ↑ "Chicago Picasso, 1962-64 by Pablo Picasso". www.pablopicasso.org. Retrieved 2024-01-25.
- ↑ Huffington, Arianna (1 June 1988). "Picasso: Creator and Destroyer". The Atlantic (in ଇଂରାଜୀ). Retrieved 22 September 2023.
- ↑ "Degenerate Art: The Fate of the Avant-Garde in Nazi Germany, LACMA, 1991" (PDF).
- ↑ Huffington, Arianna (1 June 1988). "Picasso: Creator and Destroyer". The Atlantic (in ଇଂରାଜୀ). Retrieved 22 September 2023.
- ↑ "Degenerate Art: The Fate of the Avant-Garde in Nazi Germany, LACMA, 1991" (PDF).
- ↑ "Chicago Picasso, 1962-64 by Pablo Picasso". www.pablopicasso.org. Retrieved 2024-01-25.
- ↑ Huffington, Arianna (1 June 1988). "Picasso: Creator and Destroyer". The Atlantic (in ଇଂରାଜୀ). Retrieved 22 September 2023.
- ↑ "Degenerate Art: The Fate of the Avant-Garde in Nazi Germany, LACMA, 1991" (PDF).
- ↑ "Chicago Picasso, 1962-64 by Pablo Picasso". www.pablopicasso.org. Retrieved 2024-01-25.
- ↑ Huffington, Arianna (1 June 1988). "Picasso: Creator and Destroyer". The Atlantic (in ଇଂରାଜୀ). Retrieved 22 September 2023.
- ↑ "Chicago Picasso, 1962-64 by Pablo Picasso". www.pablopicasso.org. Retrieved 2024-01-25.
- ↑ "Degenerate Art: The Fate of the Avant-Garde in Nazi Germany, LACMA, 1991" (PDF).
- ↑ "Chicago Picasso, 1962-64 by Pablo Picasso". www.pablopicasso.org. Retrieved 2024-01-25.
- ↑ "Degenerate Art: The Fate of the Avant-Garde in Nazi Germany, LACMA, 1991" (PDF).
- ↑ "Chicago Picasso, 1962-64 by Pablo Picasso". www.pablopicasso.org. Retrieved 2024-01-25.
- ↑ Huffington, Arianna (1 June 1988). "Picasso: Creator and Destroyer". The Atlantic (in ଇଂରାଜୀ). Retrieved 22 September 2023.
- ↑ "Degenerate Art: The Fate of the Avant-Garde in Nazi Germany, LACMA, 1991" (PDF).
- ↑ "Chicago Picasso, 1962-64 by Pablo Picasso". www.pablopicasso.org. Retrieved 2024-01-25.
- ↑ "Degenerate Art: The Fate of the Avant-Garde in Nazi Germany, LACMA, 1991" (PDF).
- ↑ "Chicago Picasso, 1962-64 by Pablo Picasso". www.pablopicasso.org. Retrieved 2024-01-25.
- ↑ "Degenerate Art: The Fate of the Avant-Garde in Nazi Germany, LACMA, 1991" (PDF).
- ↑ "Degenerate Art: The Fate of the Avant-Garde in Nazi Germany, LACMA, 1991" (PDF).
- ↑ "Chicago Picasso, 1962-64 by Pablo Picasso". www.pablopicasso.org. Retrieved 2024-01-25.
- ↑ "Degenerate Art: The Fate of the Avant-Garde in Nazi Germany, LACMA, 1991" (PDF).
- ↑ "Degenerate Art: The Fate of the Avant-Garde in Nazi Germany, LACMA, 1991" (PDF).
- ↑ "Chicago Picasso, 1962-64 by Pablo Picasso". www.pablopicasso.org. Retrieved 2024-01-25.
- ↑ "Degenerate Art: The Fate of the Avant-Garde in Nazi Germany, LACMA, 1991" (PDF).
- ↑ "Degenerate Art: The Fate of the Avant-Garde in Nazi Germany, LACMA, 1991" (PDF).
- ↑ "Chicago Picasso, 1962-64 by Pablo Picasso". www.pablopicasso.org. Retrieved 2024-01-25.
- ↑ "Chicago Picasso, 1962-64 by Pablo Picasso". www.pablopicasso.org. Retrieved 2024-01-25.
- ↑ "Chicago Picasso, 1962-64 by Pablo Picasso". www.pablopicasso.org. Retrieved 2024-01-25.
- ↑ "Chicago Picasso, 1962-64 by Pablo Picasso". www.pablopicasso.org. Retrieved 2024-01-25.
- ↑ "Chicago Picasso, 1962-64 by Pablo Picasso". www.pablopicasso.org. Retrieved 2024-01-25.
- ↑ ୬୫.୦ ୬୫.୧ "Chicago Picasso, 1962-64 by Pablo Picasso". www.pablopicasso.org. Retrieved 2024-01-25.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;monog
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;elmun
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;peace
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।