ଦୁର୍ବାସା (ମହାଭାରତ)

ଉଇକିପିଡ଼ିଆ ରୁ
Jump to navigation Jump to search

ହିନ୍ଦୁ ପୁରାଣରେ ମାତା ସତୀ ଅନୁସୂୟା ଏବଂ ପିତା ଅତ୍ରିଙ୍କ ପୁତ୍ର ଦୁର୍ବାସା (ସଂସ୍କୃତ: दुर्वासा) ଥିଲେ ଜଣେ ପ୍ରଖ୍ୟାତ ଋଷି ।[୧] ସେ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ଜଣେ ମହାନ ଭକ୍ତ ଥିଲେ । ତାଙ୍କର କ୍ଷଣକୋପୀ ସ୍ୱଭାବ ପାଇଁ ଜଣାଶୁଣା ଏହି ଋଷିଙ୍କୁ ଉଭୟ ସ୍ୱର୍ଗଲୋକ ଏବଂ ମର୍ତ୍ତ୍ୟଲୋକରେ ସମ୍ମାନର ସହିତ ଗ୍ରହଣ କରାଯାଇଥିଲା ।[୨]

ତାଙ୍କର ସବୁଠାରୁ ପ୍ରସିଦ୍ଧ ମନ୍ଦିର, ଋଷି ଦୁର୍ବାସା ମନ୍ଦିର, ହରିୟାନାର ପାଲୱାଲ୍ ଜିଲ୍ଲାର ହାଟିନ ତହସିଲସ୍ଥିତ ଅଳି ବ୍ରାହ୍ମଣ ଗ୍ରାମରେ ଅବସ୍ଥିତ ।

ଶକୁନ୍ତଳାଙ୍କୁ ଶାପ ଦେଉଥିବା ଦୁର୍ବାସା

ଜନ୍ମ[ସମ୍ପାଦନା]

ବ୍ରହ୍ମାଣ୍ଡ ପୁରାଣର ୪୪ ତମ ଅଧ୍ୟାୟ ଅନୁଯାୟୀ ଏକଦା ବ୍ରହ୍ମା ଏବଂ ଶିବଙ୍କ ମଧ୍ୟରେ ଏକ ତୀବ୍ର ଝଗଡା ଆରମ୍ଭ ହେଲା । ଶିବଙ୍କ ଅତ୍ୟଧିକ କ୍ରୋଧିତ ରୂପକୁ ଦେଖି ଦେବତାମାନେ ଭୟଭୀତ ହୋଇ ତାଙ୍କ ଉପସ୍ଥିତିରୁ ପଳାୟନ କଲେ । ଶିବଙ୍କ ଅର୍ଦ୍ଧାଙ୍ଗିନୀ ପାର୍ବତୀ ଅଭିଯୋଗ କଲେ ଯେ ଏପରି ଅବସ୍ଥାରେ ତାଙ୍କର ଶିବଙ୍କ ସହ ରହିବା ଅସମ୍ଭବ । ତାଙ୍କ କ୍ରୋଧର ତୀବ୍ରତାକୁ ଅନୁଭବ କରି ଶିବ ଏହି କ୍ରୋଧକୁ ଋଷି ଅତ୍ରିଙ୍କ ପତ୍ନୀ ଅନୁସୁୟାଙ୍କଠାରେ ଜମା କରିଥିଲେ । ଶିବଙ୍କର କ୍ରୋଧର ଏହି ଅଂଶ ଅନୁସୁୟାଙ୍କଠାରେ ଜମା ହୋଇ ଏକ ଶିଶୁ ଜନ୍ମ ହେଲା, ଯାହାର ନାମ 'ଦୁର୍ବାସା' (ଯାହା ସହିତ ବାସ କରିବା କଷ୍ଟକର) ।[୩] [୪]

ରାମାୟଣରେ ଦୁର୍ବାସା[ସମ୍ପାଦନା]

ବାଲ୍ମିକୀ ରାମାୟଣର ଉତ୍ତରା କାଣ୍ଡରେ ଦୁର୍ବସାଙ୍କ ବିଷୟରେ ବର୍ଣ୍ନନା ରହିଛି । ବର୍ଣ୍ନନା ଅନୁସାରେ ଦୁର୍ବାସା ଏକଦା ରାଜା ରାମଙ୍କ ରାଜମହଲର ପ୍ରବେଶ ଦ୍ୱାରରେ ଉପସ୍ଥିତ ହେଲେ ଏବଂ ଲକ୍ଷ୍ମଣ ଦ୍ୱାର ଜଗି ରହିଥିବାର ଦେଖି ରାମଙ୍କ ସହ ତାଙ୍କର ଦେଖା ହେବା ଜରୁରୀ ବୋଲି କହିଲେ । ଏହି ସମୟରେ ରାମ, ଯମ(ମୃତ୍ୟୁର ଦେବତା)ଙ୍କ ସହିତ ଏକ କୋଠରୀରେ ଅତ୍ୟନ୍ତ ଗୋପନ କଥାବାର୍ତ୍ତା କରୁଥିଲେ । ଏହି ଗୋପନ କଥାବର୍ତ୍ତା ପୂର୍ବରୁ ଯମ ରାମଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ ଯେ ଏହି କଥାବାର୍ତ୍ତ ସମୟରେ ଅନ୍ୟ କେହି ସେହି ସ୍ଥାନକୁ ଆସି ପାରିବେ ନାହିଁ, ଯଦ୍ଦ୍ୱାରା ସେମାନଙ୍କ ସଂଳାପ ଗୋପନୀୟ ରହିବ ଏବଂ ଏହି ଆଦେଶ ନ ମାନି ଯଦି କେହି ସେହି କୋଠରୀରେ ପ୍ରବେଶ କରନ୍ତି ତେବେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ । ରାମ ରାଜି ହୋଇ ଲକ୍ଷ୍ମଣଙ୍କୁ ତାଙ୍କ ଦ୍ୱାରର ଜଗିବା ଏବଂ ଯମଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାର ଦାୟିତ୍ୱ ଦେଇଥିଲେ ।

ଏହିପରି ସ୍ଥଳେ, ଲକ୍ଷ୍ମଣ ଭଦ୍ର ଭାବରେ ଋଷିଙ୍କୁ ଅନୁରୋଧ କରି କହିଥିଲେ ଯେ ସେ ରାମଙ୍କ ସାକ୍ଷାତକାର ଶେଷ ନହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । କିନ୍ତୁ ଦୁର୍ବାସା କ୍ରୋଧିତ ହୋଇ କହିଥିଲେ ଯେ ଯଦି ଲକ୍ଷ୍ମଣ ତୁରନ୍ତ ରାମଙ୍କୁ ତାଙ୍କ ଆଗମନ ବିଷୟରେ ନ ଜଣାନ୍ତି ତେବେ ସମସ୍ତ ଅଯୋଧ୍ୟାଙ୍କୁ ଅଭିଶାପ ଦେବେ । ଲକ୍ଷ୍ମଣ ଏହିପରି ଏକ ଦ୍ୱନ୍ଦ୍ୱରେ ପଡି ସ୍ଥିର କଲେ ଯେ ସେ ପଛେ ରାମଙ୍କ କ୍ରୋଧର ଶୀକାର ହୋଇ ମୃତ୍ୟୁ ବରଣ କରନ୍ତୁ, କିନ୍ତୁ ଅଯୋଧ୍ୟା କିମ୍ବା ଅଯୋଧ୍ୟାବାସୀ ଦୁର୍ବାସାଙ୍କ ଅଭିଶାପରୁ ବଞ୍ଚିଯାଉ । ଏହା ଭାବି ସେ ରାମଙ୍କ ନିକଟକୁ ଯାଇ ଋଷିଙ୍କ ଆଗମନ ବିଷୟରେ ଜଣାଇ ରାମଙ୍କ ଗୋପନ କଥାବାର୍ତ୍ତରେ ବାଧା ସୃଷ୍ଟି କରିବାକୁ ବାଧ୍ୟ ହେଲେ । ରାମ ଶୀଘ୍ର ଯମଙ୍କ ସହିତ ତାଙ୍କର ସାକ୍ଷାତ ସମାପ୍ତ କଲେ ଏବଂ ଯଥାର୍ଥ ସୌଜନ୍ୟ ସହିତ ଋଷଙ୍କ ସତ୍କାର କଲେ । ଦୁରବାସା ରାମଙ୍କୁ ଖାଇବାକୁ ଦେବାର ଇଚ୍ଛା ବିଷୟରେ କହିଥିଲେ ଏବଂ ରାମ ତାଙ୍କ ଅତିଥିଙ୍କ ଅନୁରୋଧ ପୂରଣ କରିଥିଲେ, ଯେଉଁଥିରେ ସନ୍ତୁଷ୍ଟ ହୋଇ ଋଷି ଦୁର୍ବାସା ତାଙ୍କ ରାସ୍ତାରେ ଚାଲିଯାଇଥିଲେ ।

ଯମଙ୍କୁ ଦେଇଥିବା କଥା ଅନୁଯାୟୀ ରମ ନିଜ ପ୍ରିୟ ଭାଇ ଲକ୍ଷ୍ମଣଙ୍କୁ ହତ୍ୟା କରିବାକୁ ଚାହୁଁ ନ ଥିବାରୁ ରାମ ଦୁଃଖରେ ମ୍ରିୟମାଣ ହୋଇଥିଲେ । ତଥାପି, ସେ ଯମଙ୍କୁ ଦେଇଥିବା ସତ୍ୟ ପାଳନ କରିବା ସମ୍ବନ୍ଧରେ ପରାମର୍ଶ ଦେବାକୁ ଋଷି ବଶିଷ୍ଠଙ୍କୁ ଅନୁରୋଧ କଲେ । ବଶିଷ୍ଠଙ୍କ ପରାମର୍ଶରେ ସେ ଲକ୍ଷ୍ମଣଙ୍କୁ ପରିତ୍ୟାଗ କରିବା ଆଦେଶ ଦେଲେ, କାରଣ ଏପରି ପରିତ୍ୟାଗ ମୃତ୍ୟୁ ସହିତ ସମାନ ବୋଲି ବଶିଷ୍ଠ ଯୁକ୍ତିଦ୍ୱାରା ଦର୍ଶାଇଥିଲେ । ଏହା ପରେ ଲକ୍ଷ୍ମଣ ସରଜୁ ନଦୀ କୂଳକୁ ଯାଇ ସରଜୁ ନଦୀରେ ନିଜକୁ ବୁଡ଼ାଇ ଧରାତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିଲେ ।[୫]

ମହାଭାରତରେ ଦୁର୍ବାସା[ସମ୍ପାଦନା]

ମହାଭାରତରେ, ଦୁର୍ବାସା ତାଙ୍କୁ ତୃପ୍ତ କରିଥିବା ବ୍ୟକ୍ତିଙ୍କୁ ବରପ୍ରଦାନ କରିବା ପାଇଁ ଜଣାଶୁଣା, ବିଶେଷତଃ ଯେତେବେଳେ ତାଙ୍କୁ ସମ୍ମାନିତ ଅତିଥି ଭାବରେ ସେବା କରାଯାଇଥିଲା । ଏପରି ଆଚରଣର ଏକ ଉଦାହରଣ ହେଉଛି ପାଣ୍ଡୁଙ୍କ ଭାବୀ ପତ୍ନୀ ଏବଂ ପାଣ୍ଡବଙ୍କ ମାତା କୁନ୍ତୀଙ୍କ ମଧ୍ୟରେ ଏକ ଘଟଣା । ଯେତେବେଳେ କୁନ୍ତୀ ଏକ ବାଳିକା ଥିଲା, ସେତେବେଳେ ସେ ତାଙ୍କ ପୋଷ୍ୟ ପିତା କୁନ୍ତିଭୋଜଙ୍କ ଘରେ ରହୁଥିଲେ । ଦୁର୍ବାସା ଦିନେ କୁନ୍ତିଭଜଙ୍କୁ ଭେଟି ତାଙ୍କ ଆତିଥ୍ୟ ଚାହିଁଲେ । ରାଜା କୁନ୍ତିକୁ ଋଷିଙ୍କ ସମସ୍ତ ୟତ୍ନ ନେବା ଦାଯିତ୍ୱ ପ୍ରଦାନ କଲେ । କୁନ୍ତୀ ଧୈର୍ଯ୍ୟପୂର୍ବକ ଦୁର୍ବାସାଙ୍କ କ୍ରୋଧ ଏବଂ ତାଙ୍କର ଅଯୌକ୍ତିକ ଅନୁରୋଧ ସହ୍ୟ କରି ଅତି ଉତ୍ସର୍ଗୀକୃତ ଭାବରେ ଋଷିଙ୍କର ​​ସେବା କଲେ । ପରିଶେଷରେ, ଋଷି ସନ୍ତୁଷ୍ଟ ହେଲେ ଏବଂ ଯିବା ପୂର୍ବରୁ ସେ କୁନ୍ତୀଙ୍କୁ ତାଙ୍କୁ ଅଥର୍ବବେଦ ମନ୍ତ୍ର ଶିକ୍ଷା ଦେଇ ଏକ ବର ପ୍ରଦାନ କରିଥିଲେ, ଯଦ୍ୱାରାକି ଜଣେ ମହିଳାଙ୍କୁ ସେମାନଙ୍କ ସନ୍ତାନ ଜନ୍ମ କରିବାକୁ ନିଜ ପସନ୍ଦର ଯେ କୌଣସି ଦେବତାଙ୍କୁ ଡାକିବାରେ ସକ୍ଷମ କରିଥାଏ । କୌତୁହଳ ଓ ସନ୍ଦିହାନ କୁନ୍ତୀ ମନ୍ତ୍ରର ମହିମା ପରୀକ୍ଷା କରିବାକୁ ସ୍ଥିର କଲେ ।[୬]

ସୂର୍ଯ୍ୟ ଦେବଙ୍କୁ ଡାକିବା ପରେ ସେ ତାଙ୍କର ପ୍ରଥମ ପୁତ୍ର କର୍ଣ୍ଣଙ୍କୁ ଜନ୍ମ ଦେଇଥିଲେ । ଅବିବାହିତା ମା'ର ଜନ୍ମିତ ଶିଶୁ ଯୋଗୁଁ ନିଜ ଭାଗ୍ୟକୁ ଭୟ କରି ସେ ନବଜାତ ଶିଶୁକୁ ଏକ ଡାଲାରେ ରଖି ଏକ ନଦୀରେ ଭସାଇ ଦେଲେ । ପରେ ଶିଶୁ କର୍ଣ୍ଣଙ୍କୁ ହସ୍ତିନାପୁରର ସାରଥି ଅଧିରଥ ଏବଂ ତାଙ୍କ ପତ୍ନୀ ରାଧାଙ୍କଦ୍ୱାରା ପାଳନ କରାଯାଇଥିଲା । ଏହି ଘଟଣାରର କିଛି ସମୟ ପରେ କୁନ୍ତୀ ହସ୍ତିନାପୁରର ରାଜା ପାଣ୍ଡୁଙ୍କୁ ବିବାହ କରିଥିଲେ ଏବଂ ଦୁର୍ବସା ତାଙ୍କୁ ଶିଖାଇଥିବା ସେହି ମନ୍ତ୍ର ବଳରେ ଆହ୍ୱାନ କରି ସେ ପାଣ୍ଡୁଙ୍କ ପାଞ୍ଚପୁଅଙ୍କ ତିନି ଜ୍ୟେଷ୍ଠ ସନ୍ତାନ ଜନ୍ମ ଦେଇଥିଲେ ।

ପରବର୍ତ୍ତୀ ସମୟରେ କର୍ଣ୍ଣ ଜଣେ ସଫଳ ଯୋଦ୍ଧା ଏବଂ ପାଣ୍ଡବଙ୍କର ଏକ ଭୟଙ୍କର ଶତ୍ରୁ ହୋଇଛନ୍ତି । ଶେଷରେ କୁରୁକ୍ଷେତ୍ରର ଯୁଦ୍ଧକ୍ଷେତ୍ରରେ କର୍ଣ୍ଣ, ତାଙ୍କ ସାନଭାଇ ଭାଇ ଅର୍ଜୁନଙ୍କଦ୍ୱାରା ମୃତ୍ୟୁବରଣ କରିଛନ୍ତି ।

ତାଙ୍କ ଭୀଷଣ କ୍ଷଣକୋପୀ ସ୍ୱଭାବ ବ୍ୟତୀତ, ଦୁର୍ବାସା ତାଙ୍କର ଅସାଧାରଣ ବରପ୍ରଦାନ ପାଇଁ ମଧ୍ୟ ଜଣାଶୁଣା । ଶିବ ପୁରାଣରେ କହିବାନୁସାରେ, ଥରେ ନଦୀରେ ଗାଧୋଇବା ସମୟରେ ଦୁର୍ବାସାଙ୍କ ପୋଷାକ ନଦୀର ସ୍ରୋତଦ୍ୱାରା ଭସିଯାଇଥିଲା । ଏହା ଦେଖି ନିକଟରେ ଥିବା ଦ୍ରୌପଦୀ ଋଷିଙ୍କୁ ନିଜର ଲୁଗା ଦେଇଥିଲେ । ଆବଶ୍ୟକତା ସମୟରେ ତାଙ୍କ ପାଖରେ ଲୁଗାର ଅଭାବ ରହିବ ନାହିଁ ବୋଲି କହି ଦୁର୍ବାସା ତାଙ୍କୁ ଆଶୀର୍ବାଦ ଦେଇଥିଲେ ଏବଂ ତାଙ୍କ ଆଶୀର୍ବାଦ ହେତୁ କୌରବମାନେ ଦ୍ରୌପଦୀଙ୍କ ବସ୍ତ୍ରହରଣ କରି ପାରି ନ ଥିଲେ ।[୭]

ଦୁର୍ବାସାଙ୍କ ଦୟାଭାବର ଅନ୍ୟ ଏକ ଉଦାହରଣ ହେଉଛି, ଯେତେବେଳେ ସେ ଦୁର୍ଯ୍ୟୋଧନଙ୍କୁ ଏକ ବର ପ୍ରଦାନ କରିଥିଲେ । ପାଣ୍ଡବଙ୍କ ନିର୍ବାସନ ସମୟରେ ଦୁର୍ବାସା ଏବଂ ତାଙ୍କର ଅନେକ ଶିଷ୍ୟ ହସ୍ତିନାପୁରରେ ପହଞ୍ଚିଥିଲେ । ଦୁର୍ଯ୍ୟୋଧନ ତାଙ୍କ ମାମୁଁ ଶକୁନିଙ୍କ ସହ ଋଷିଙ୍କୁ ଆତିଥେୟତାରେ ସନ୍ତୁଷ୍ଟ କରିବାରେ ସଫଳ ହୋଇଥିଲେ । ଦୁର୍ବାସା ତାଙ୍କୁ ଏକ ବର ପ୍ରଦାନ କରିବାକୁ ଚାହିଁଲେ । ତେବେ ଦୁର୍ଯ୍ୟୋଧନଙ୍କ ଇଛ୍ହା ଥିଲା, ପାଣ୍ଡବମାନେ ଋଷିଙ୍କ ଅଭିଶାପର ଶିକାର ହୁଅନ୍ତୁ । ଏହି ମୌକାରେ ସେ ଋଷିଙ୍କୁ ଅନୁରୋଧ କଲେ କି ସେ ଏବଂ ତାଙ୍କର ଶିଷ୍ୟମାନେ ଦ୍ରୌପଦୀ ଖାଇସାରିବା ପରେ ଜଙ୍ଗଲରେ ଥିବା ପାଣ୍ଡବଙ୍କ ଆତିଥ୍ୟ ଗ୍ରହଣ କରନ୍ତୁ । ଏହାଦ୍ୱାରା ସେ ମନେ କଲେ ଯେ, ପାଣ୍ଡବମାନେ ତାଙ୍କୁ ଖାଇବାକୁ ଦେଇ ନ ପାରି ଋଷିଙ୍କ ଅଭିଶାପର ଶିକାର ହେବେ ।[୭]

ତେଣୁ ଦୁର୍ବାସା ଏବଂ ତାଙ୍କ ଶିଷ୍ୟମାନେ ଦୁର୍ଯ୍ୟୋଧନଙ୍କ ଅନୁରୋଧ ଅନୁଯାୟୀ ଜଙ୍ଗଲରେ ଥିବା ଆଶ୍ରମରେ ପାଣ୍ଡବଙ୍କ ନିକଟରେ ପହଞ୍ଚିଲେ । ଏହି ନିର୍ବାସନ କାଳରେ ପାଣ୍ଡବମାନେ ସେମାନଙ୍କୁ ପ୍ରଦତ୍ତ ଏକ ଅକ୍ଷୟ ପାତ୍ରରୁ ଖାଦ୍ୟ ଗ୍ରହଣ କରୁଥିଲେ । ଅକ୍ଷୟପାତ୍ରର ବିଶେଷତ୍ୱ ଏହି ଯେ ଦ୍ରୌପଦୀ ଖାଇସାରିବା ପରେ ଆଉ ଅକ୍ଷୟ ପାତ୍ରରୁ ଖାଦ୍ୟ ମିଳିବ ନାହିଁ । ସେହି ଦିନ ଦୁର୍ବାସା ପହଞ୍ଚିବା ବେଳକୁ ଦ୍ରୌପଦୀ ଖାଇ ସାରିଥିଲେ, ତାଙ୍କୁ ଋଷିଙ୍କ ସତ୍କାର କରିବା ପାଇଁ ସେହିଦିନ କୌଣସି ଖାଦ୍ୟ ବାକି ନଥିଲା ଏବଂ ପାଣ୍ଡବମାନେ ଏପରି ସ୍ଥଳେ ଖାଦ୍ୟ ଦୁର୍ବାସାଙ୍କ ସତ୍କାର ନ କରି ପାରିଲେ ତାଙ୍କ ଶାପରୁ ରକ୍ଷା ପାଇବା ନେଇ ଚିନ୍ତିତ ଥିଲେ । ଦୁର୍ବାସା ଏବଂ ତାଙ୍କ ଶିଷ୍ୟମାନେ ନଦୀରେ ଗାଧୋଇବାକୁ ଯାଉଥିବାବେଳେ ଦ୍ରୌପଦୀ କୃଷ୍ଣଙ୍କୁ ସାହାଯ୍ୟ ମାଗିଥିଲେ ।

କୃଷ୍ଣ ସଙ୍ଗେ ସଙ୍ଗେ ଦ୍ରୌପଦୀଙ୍କ ନିକଟରେ ହାଜର ହୋଇଥିଲେ । ହେଲେ ସେ କିନ୍ତୁ ଅତ୍ୟଧିକ ଭୋକିଲା ଥିଲେ ଏବଂ ପ୍ରଥମେ ସେ ଦ୍ରୌପଦୀଙ୍କୁ ନିଜ ପାଇଁ ଖାଦ୍ୟ ମାଗିଥିଲେ । ଦ୍ରୌପଦୀ ଅତ୍ୟଧିକ କ୍ରୋଧିତ ହୋଇ କହିଥିଲେ ଯେ ତାଙ୍କ ପାଖରେ ଖାଦ୍ୟ ନାହିଁ । ଏହା ପରେ କୃଷ୍ଣ ତାଙ୍କୁ ଅକ୍ଷୟ ପାତ୍ର ଆଣିବାକୁ କହିଥିଲେ । ଯେତେବେଳେ ସେ ଏହା ଆଣିଲେ, ଦେଖାଗଲା ଯେ ଚାଉଳର ଏକ ଦାନା ଏବଂ ଶାଗର ଏକ ଖଣ୍ଡ ସେ ପାତ୍ରରେ ଅଟକି ରହିଛି । ଏହାକୁ ତତକ୍ଷଣାତ ଖାଇ ସେ “ଭୋଜନ”ଦ୍ୱାରା ସେ ସନ୍ତୁଷ୍ଟ ଥିବା ଘୋଷଣା କଲେ । ଏହା ଦୁର୍ବାସା ଏବଂ ତାଙ୍କ ତାଙ୍କ ଶିଷ୍ୟମାନଙ୍କର ଭୋକକୁ ସନ୍ତୁଷ୍ଟ କଲା, କାରଣ କୃଷ୍ଣଙ୍କର ସନ୍ତୁଷ୍ଟତାର ଅର୍ଥ ଥିଲା ସମସ୍ତ ଜୀବଜନ୍ତୁଙ୍କ କ୍ଷୁଧାକୁ ସନ୍ତୁଷ୍ଟ କରିବା । ଦୁର୍ବାସା ଏବଂ ତାଙ୍କ ଶିଷ୍ୟମାନେ ପାଣ୍ଡବଙ୍କ ଆଶ୍ରମକୁ ନ ଫେରି ଚୁପଚାପ୍ ସ୍ନାନ ପରେ ଚାଲିଗଲେ, କାରଣ ସେମାନେ ଜାଣିଥିଲେ ଯେ ଖାଦ୍ୟକୁ ପ୍ରତ୍ୟାଖ୍ୟାନ କରିବାର ଅସମ୍ମାନ ପାଣ୍ଡବମାନେ ଗ୍ରହଣ କରି ପାରିବ ନାହିଁ ।

ସମୁଦ୍ର ମନ୍ଥନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Rocher, Ludo (1986). "The Purāṇas". www.books.google.co.in (in ଇଂରାଜୀ). Otto Harrassowitz Verlag. Retrieved 19 December 2020.
  2. Srimad Valmiki-Ramayana (With Sanskrit Text and English Translation) - Part II(9th Edition), Gita Press, Gorakhpur
  3. The Vishnu Purana - translated by Horace Hayman Wilson(1840)
  4. Srimad Bhagavatam (Bhagavata Purana): The Story of the Fortunate One - translated by [୧]
  5. Ramayan of Valmiki - translated by Ralph T. H. Griffith, M.A.(1870–1874)
  6. The Mahabharata of Krishna-Dwaipayana Vyasa - translated by Kisari Mohan Ganguli(1883–1896)
  7. ୭.୦ ୭.୧ Was Draupadi Ever Disrobed? - by Pradip Bhattacharya (taken from the Annals of the Bhandarkar Oriental Research Institute, vol. 86, 2005, printed in 2006)