ତିନ୍ ମୂର୍ତ୍ତୀ ଭବନ

ଉଇକିପିଡ଼ିଆ ରୁ
Jump to navigation Jump to search

ତିନ୍ ମୂର୍ତ୍ତୀ ଭବନ
ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତ
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ବାସଗୃହ ।
General information
Locationତିନ୍ ମୂର୍ତ୍ତୀ ରୋଡ଼୍
ଠିକଣାନୂଆ ଦିଲ୍ଲୀ, ଭାରତ
Coordinates28°36′09″N 77°11′56″E / 28.602608°N 77.198774°E / 28.602608; 77.198774Coordinates: 28°36′09″N 77°11′56″E / 28.602608°N 77.198774°E / 28.602608; 77.198774
Completed୧୯୩୦
Design and construction
Ownerଭାରତ ସରକାର
ଶିଳ୍ପୀରବର୍ଟ୍ ଟର୍ ରସେଲ୍

ତିନ୍ ମୂର୍ତ୍ତୀ ଭବନ ହେଉଛି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପୂର୍ବତନ ବାସଗୃହ । ଏହା ଦିଲ୍ଲୀଠାରେ ଅବସ୍ଥିତ । ୧୯୬୪ ମସିହା ମଇ ମାସ ୨୭ ତାରିଖରେ ଜବାହରଲାଲ ନେହେରୁଙ୍କ ମୃତ୍ୟୁ ହୋଇଥିଲା । ନିଜ ମୃତ୍ୟୁ ପର୍ଯ୍ୟନ୍ତ ଦୀର୍ଘ ୧୬ ବର୍ଷ ଧରି ସେ ଏହି ବାସଭବନରେ ରହିଆସୁଥିଲେ । କନଟ୍ ପ୍ଲେସ୍ (Connaught Place)ର ନ‌କ୍ସା ପ୍ରସ୍ତୁତ କରିଥିବା ବ୍ରିଟିଶ୍ ସ୍ଥପତି ରବର୍ଟ୍ ଟର୍ ରସେଲ୍ ଏହି ଭବନଟିର ପରିକଳ୍ପନା କରିଥିଲେ । ଏହି ଭବନ ୧୯୩୦ ମସିହାରେ ଭାରତୀୟ ବ୍ରଟିଶ୍ ସେନାବାହିନୀର ମୁଖ୍ୟ କମାଣ୍ଡର୍ ବା କମାଣ୍ଡର୍-ଇନ୍-ଚିଫ୍‌ଙ୍କ ରହିବା ପାଇଁ ନିର୍ମାଣ କରାଯାଇଥିଲା ।[୧]

ବର୍ତ୍ତମାନ ତିନ୍ ମୂର୍ତ୍ତୀ ଭବନ ନେହେରୁ ସ୍ମାରକ ସଂଗ୍ରହାଳୟ ଏବଂ ପୁସ୍ତକାଳୟ (Nehru Memorial Museum and Library ବା NMML) ଭାବେ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି । ଏହା ସଂସ୍କୃତି ମନ୍ତ୍ରଣାଳୟ (ଭାରତ) ଅଧିନରେ ଅଛି ଓ ପ୍ରଫେସର୍ ଲୋକେଶ ଚନ୍ଦ୍ର[୨] ବର୍ତ୍ତମାନ ଏହାର ଶାସନ ପରିଷଦ (Executive Council)ର ଅଧ୍ୟକ୍ଷ ଅଛନ୍ତି । ୧୯୬୪ ମସିହାରେ ଭାରତର ତ‌ତ୍‌କାଳୀନ ରାଷ୍ଟ୍ରପତି ଡା. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ପ୍ରତିଷ୍ଠା କରାଯାଇଥିବା ଜବାହରଲାଲ ନେହେରୁ ସ୍ମାରକ ପାଣ୍ଠି (Jawaharlal Nehru Memorial Fund)ର କାର୍ଯ୍ୟାଳୟ ମଧ୍ୟ ଏବେ ଏହି କୋଠାଟିରେ ଚାଲୁଛି । ଭିନ୍ନ ଭିନ୍ନ ଦେଶ, ଯଥା ଇଂଲଣ୍ଡ, ନେପାଳ, ସୋମାଲିଆ, ଚାଇନା ଇତ୍ୟାଦିଦ୍ୱାରା ଦିଆଯାଇଥିବା ଅନେକ ସ୍ମରଣଚିହ୍ନ ମଧ୍ୟ ଏହି କୋଠାରେ ରଖାଯାଇଛି । ଏଠାରେ ଥିବା ପ୍ରତ୍ୟେକ ସ୍ମରଣଚିହ୍ନ‌କୁ ସେହି ଦେଶର ଗୋଟିଏ ଗୋଟିଏ ଉଲ୍ଲେଖନୀୟ ସମ୍ବଳ ଭାବେ ଗଣନା କରାଯାଇଥାଏ । ୧୯୬୮ ମସିହାଠାରୁ ଜବାହରଲାଲ ନେହେରୁ ସ୍ମାରକ ପାଣ୍ଠି ପକ୍ଷରୁ ଜବାହରଲାଲ ନେହେରୁ ସ୍ମାରକ ଅଧିସଦସ୍ୟତା (Jawaharlal Nehru Memorial Fellowship) ପୁରସ୍କାର ମଧ୍ୟ ଦିଆଯାଉଛି ।[୩]

ସେଣ୍ଟର୍ ଫର୍ କଣ୍ଟେମ୍ପରାରି ଷ୍ଟଡିଜ୍ ଓ ୧୯୮୪ ମସିହାରେ ଖୋଲାଯାଇଥିବା ନେହେରୁ ତାରାଘର (Nehru Planetarium) ମଧ୍ୟ ଏହି କୋଠାରେ କାର୍ଯ୍ୟକାରୀ ହେଉଛି ।

ନାମକରଣ[ସମ୍ପାଦନା]

୧୯୨୨ ମସିହାରେ ତିନ୍ ମୂର୍ତ୍ତୀ ଭବନ ବାହାରେ ନିର୍ମିତ ତିନ୍ ମୂର୍ତ୍ତୀ (ତିନିଟି ମୂର୍ତ୍ତୀ) ସ୍ମାରକ ଯୋଗୁଁ କୋଠାଟିର ନାମ ତିନ୍ ମୂର୍ତ୍ତୀ ଭବନ ହୋଇଛି ।

ବ୍ରିଟିଶ୍ ମୂର୍ତ୍ତୀକାର ଲିଓନାର୍ଡ଼୍ ଜେନିଙ୍ଗ୍‌ସ୍‌ଙ୍କଦ୍ୱାରା ନିର୍ମାଣ କରାଯାଇଥିବା ତିନ୍ ମୂର୍ତ୍ତୀ (ତିନିଟି ମୂର୍ତ୍ତୀ) ସ୍ମାରକ ଯୋଗୁଁ ଏହି କୋଠାଟିର ନାମ ତିନ୍ ମୂର୍ତ୍ତୀ ଭବନ ହୋଇଛି । ଏହି ସ୍ମାରକଟି ତିନ୍ ମୂର୍ତ୍ତୀ ଭବନର ବୃହତ୍ ପ୍ରାଙ୍ଗଣରେ ଥିବା ରାସ୍ତାଗୁଡ଼ିକର ସଂଯୋଗ ସ୍ଥଳରେ ଅବସ୍ଥିତ । ଏଥିରେ ତିନିଜଣ ସୈନିକଙ୍କର ମୂର୍ତ୍ତୀ ଅଛି । ଏହି ସ୍ମାରକଟି ୧୯୨୨ ମସିହାରେ ପ୍ରଥମ ବିଶ୍ୱଯୁଦ୍ଧରେ ଭାରତୀୟ ବ୍ରିଟିଶ୍ ସୈନ୍ୟବାହିନୀ ପକ୍ଷରୁ ଲଢ଼ିଥିବା ଭାରତର ତ‌ତ୍‌କାଳୀନ ତିନି ରାଜ୍ୟ, ଯଥା ଯୋଧପୁର, ହାଇଦ୍ରାବାଦମହୀଶୂରର ସୈନିକମାନ‌ଙ୍କ ସ୍ମୃତିରେ ତିଆରି କରାଯାଇଥିଲା ।[୪]

ଇତିହାସ[ସମ୍ପାଦନା]

ତିନ୍ ମୂର୍ତ୍ତୀ ଭବନର ସ୍ତମ୍ଭଯୁକ୍ତ ବାରଣ୍ଡା ।


ତିନ୍ ମୂର୍ତ୍ତୀ ଭବନ ଆଗରୁ ଫ୍ଲାଗ୍‌ଷ୍ଟାଫ୍ ହାଉସ୍ (Flagstaff House) ଭାବରେ ଜଣାଶୁଣା ଥିଲା । ଏଠାରେ ଭାରତୀୟ ବ୍ରିଟିଶ୍ ସେନାବାହିନୀର ମୁଖ୍ୟ କମାଣ୍ଡର୍ ବା କମାଣ୍ଡର୍-ଇନ୍-ଚିଫ୍ ବାସ କରୁଥିଲେ । ଏହା ୩୦ ଏକର[୪] କ୍ଷେତ୍ରଫଳ ବିଶିଷ୍ଟ ଏକ ଭୂମି ଉପରେ ନିର୍ମିତ ହୋଇଛି । ଏଥିରେ ଧଳା ପଥରପ୍ଲାଷ୍ଟର୍ ବ୍ୟବ‌ହାର କରାଯାଇଛି । ଏହାର ସମ୍ମୁଖ ପଟ ରାଷ୍ଟ୍ରପତି ଭବନର ଦକ୍ଷିଣ ଦିଗକୁ ଅଛି । ଏହାର ମୁଖ୍ୟ ଦ୍ୱାରର ଉପରିଭାଗ ଗୋଲାକାର ଓ ଝରକାଗୁଡ଼ିକ ଖୋପ ଭିତରେ ପଶିଗଲା ପରି ଅଟେ । ଏହାର ପଛ ପଟେ ସ୍ତମ୍ଭଯୁକ୍ତ ଏକ ବାରଣ୍ଡା ରହିଛି ।

ନୂଆ ଦିଲ୍ଲୀଠାରେ ଥିବା ନେହେରୁ ତାରାଘର ।

୧୯୪୭ ମସିହାରେ ଭାରତ ସ୍ୱାଧିନତା ପାଇଲା ପରେ ଏହି ଭବନ‌କୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଭାବେ ବ୍ୟବ‌ହାର କରାଗଲା । ୧୯୬୪ ମସିହାରେ ଜବାହରଲାଲ ନେହେରୁଙ୍କ ମୃତ୍ୟୁ ପରେ ଏହା ସଂଗ୍ରାହାଳୟ ଏବଂ ପାଠାଗାର ଥିବା ଏକ ଜାତୀୟ ସ୍ମାରକରେ ପରିଣତ ହେଲା । ବର୍ତ୍ତମାନ ନେହେରୁ ସଂଗ୍ରହାଳୟର ସବା ତଳ ମହଲାରେ ନେହେରୁଙ୍କ ବ୍ୟବ‌ହାର୍ଯ୍ୟ ଆସବାବପତ୍ର, କେତେକ ସ୍ମୃତିଚିହ୍ନ, ପାଣ୍ଡୁଲିପି ଓ ଅନ୍ୟାନ୍ୟ ଜିନିଷ‌ପତ୍ରକୁ ବ୍ୟବ‌ହାର କରି ବିଦେଶ ମନ୍ତ୍ରଣାଳୟର ଏକ କାର୍ଯ୍ୟାଳୟ ତିଆରି କରାଯାଇଛି ।


୧୯୬୪ ମସିହା ନଭେମ୍ବର ମାସରେ ପ୍ରତିଷ୍ଠା କରାଯାଇଥିବା ଜବାହରଲାଲ ନେହେରୁ ସ୍ମାରକ ପାଣ୍ଠି (Jawaharlal Nehru Memorial Fund)ର ମୁଖ୍ୟ କାର୍ଯ୍ୟାଳୟ, ନେହେରୁ ସ୍ମାରକ ପାଠାଗାର (Nehru Memorial Library) ଓ ଜବାହରଲାଲ ନେହେରୁ ସ୍ମାରକ ଅଧିସଦସ୍ୟତା (Jawaharlal Nehru Memorial Fellowship)ର ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ଏହି କୋଠାଟିରେ ରହିଛି ।[୪] ନେହେରୁ ସ୍ମାରକ ପାଠାଗାରରୁ ଆଧୁନିକ ଭାରତର ଇତିହାସ ସମ୍ବନ୍ଧରେ ଅନେକ ତ‌ଥ୍ୟ ମିଳେ । ଏହି ପାଠାଗାରଟି ୧୯୬୬ ମସିହାରେ ଆରମ୍ଭ ହୋଇ ଭବନର ମୁଖ୍ୟ କୋଠାରେ ଚାଲିଆସୁଥିଲା । ଏହାର ନୂତନ କୋଠାଟି ୧୯୭୪ ମସିହାରେ ଭବନର ପ୍ରାଙ୍ଗଣରେ ଉଦ୍‌ଘାଟିତ ହୋଇଛି ।

ଭାରତରେ ଥିବା ୪ଟି ନେହେରୁ ତାରାଘର ମଧ୍ୟରୁ ଗୋଟିଏ ତିନ୍ ମୂର୍ତ୍ତୀ ଭବନର ପ୍ରାଙ୍ଗଣରେ ଅଛି । ଏହାକୁ ଭାରତର ତ‌ତ୍‌କାଳୀନ ପ୍ରଧାନମନ୍ତ୍ରୀ ତ‌ଥା ନେହେରୁଙ୍କ ଝିଅ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ୧୯୮୪ ମସିହା ଫେବୃଆରୀ ମାସ ୬ ତାରିଖରେ ଉଦ୍‌ଘାଟନ କରିଥିଲେ । ଏହି ତାରାଘରର ମହାକାଶ ନାଟ୍ୟଶାଳା (Sky Theatre)କୁ ଉଭୟ ମହାକାଶର ବିଭିନ୍ନ ଦୃଶ୍ୟ ଦେଖାଇବା ପାଇଁ ଓ ଗ୍ୟାଲେରୀ ହିସାବରେ ବ୍ୟବ‌ହାର କରାଯାଏ ।[୫] ୨୦୧୦ କମନ୍‌ୱେଲ୍‌ଥ୍ ଗେମ୍‌ସ୍ ଅବସରରେ ଏହାର ପୁନଃନିର୍ମାଣ ପରେ ଏହି ତାରାଘରଟି ପୁନର୍ବାର ୨୦୧୦ ମସିହା ସେପ୍ଟେମ୍ବର ମାସରେ ଖୋଲାଯାଇଥିଲା ଏବଂ ଏହା ରାଣୀଙ୍କ ରାଜଦଣ୍ଡ ମଧ୍ୟ ଲାଭ କରିଥିଲା । ବର୍ତ୍ତମାନ ଏଥିରେ ମେଗାଷ୍ଟାର୍ (Megastar) ନାମକ ଡେଫିନିଟି ଅପ୍ଟିକାଲ୍ ଷ୍ଟାର୍ ପ୍ରୋଜେକ୍ଟର୍ (Definiti optical star projector) ରଖାଯାଇଛି । ଏହି ମେଗାଷ୍ଟାର୍ ୨ ନିୟୁତ ତାରକାଙ୍କୁ ଏକା ସଙ୍ଗେ ଦେଖାଇ ପାରେ ।[୬]

ଫିରୋଜ ଶାହା ତୋଗଲକ‌ଙ୍କଦ୍ୱାରା ଚତୁର୍ଦ୍ଦଶ ଶତାବ୍ଦୀରେ ତିଆରି କରାଯାଇଥିବା ଶିକାର ଗୃହ (ଶିକାରଗାହ ବା କୁଶକ ମହଲ) ।

ନେହେରୁ ତାରାଘର ପାଖରେ ଭବନର ପ୍ରାଙ୍ଗଣରେ ଶିକାରଗାହ ବା ଶିକାର ଗୃହ ଅଛି । ଚତୁର୍ଦ୍ଦଶ ଶତାବ୍ଦୀରେ ଦିଲ୍ଲୀରେ ଶାସନ କରୁଥିବା ମୋଗଲ ଶାସକ ଫିରୋଜ ଶାହା ତୋଗଲକ (ଶାସନ: ଖ୍ରୀଷ୍ଟାବ୍ଦ ୧୩୫୧-୧୩୮୮)ଙ୍କ ଏହି ଶିକାର ଗୃହକୁ କୁଶକ ମହଲ ମଧ୍ୟ କୁହାଯାଏ । ଏହା ପଥରରେ ତିଆରି ହୋଇଛି ଓ ଏଥିରେ ଅନେକ ପାହାଚ ମଧ୍ୟ ଅଛି । ଏହାର ତିନିଟି ସ୍ତମ୍ଭଯୁକ୍ତ ଦ୍ୱାର ଅଛି । ପ୍ରତ୍ୟେକ ଦ୍ୱାର ସ‌ହ ସଂଲଗ୍ନ କୋଠରି ପୁଣି ତିନି ଭାଗରେ ବିଭକ୍ତ ହୋଇଛି । ଏହି ସ୍ମାରକଟିର ସଂରକ୍ଷଣ ବର୍ତ୍ତମାନ ପୁରାତାତ୍ତ୍ୱିକ ସର୍ବେକ୍ଷଣ (ଭାରତ) (Archaeological Survey of India ବା ASI) ଦାୟିତ୍ୱରେ ଅଛି । ଏହି କୁଶକ ମହଲର ନାମ ଅନୁସାରେ ପାଖରେ ଥିବା ରାସ୍ତାଟିର ନାମ କୁଶକ ମାର୍ଗ ରଖାଯାଇଛି ।[୭][୮]

ଠିକଣା ଓ ଅନ୍ୟାନ୍ୟ ତ‌ଥ୍ୟ[ସମ୍ପାଦନା]

ଠିକଣା:[୯]

ତିନ୍ ମୂର୍ତ୍ତୀ ମାର୍ଗ,
ନୂଆ ଦିଲ୍ଲୀ,
ଭାରତ,
ପିନ୍ କୋଡ୍ - ୧୧୦୦୧୧

ଫୋନ୍: +୯୧-୧୧-୨୩୦୧୫୨୬୮

ସମୟ: ଦିନ ୧୧:୩୦ରୁ ଅପରାହ୍ନ ୩ଟା (ପ୍ରତି ସୋମ‌ବାର ତ‌ଥା ଛୁଟି ଦିନମାନ‌ଙ୍କରେ ସର୍ବସାଧାରଣଙ୍କ ପାଇଁ ଭବନ ବନ୍ଦ ରୁହେ ।)

ଆଧାର[ସମ୍ପାଦନା]

  1. "Architectural marvels for the new capital". Hindustan Times. July 20, 2011.
  2. Executive Council, Chairman. "NMML". Retrieved 21 August 2016.
  3. History Jawaharlal Nehru Memorial Fund, Official website.
  4. ୪.୦ ୪.୧ ୪.୨ "Steeped in history, a three-statue salute to erstwhile princely states". Hindustan Times. April 13, 2013. Retrieved September 24, 2013.
  5. "Nehru Planetarium". Press Information Bureau, Govt. of India. October 2001.
  6. "Nehru Planetarium ready to receive the Queen's Baton". The Hindu. September 30, 2010.
  7. "Indian cavalry's victorious trysts with India's history". Asian Age. December 6, 2011.
  8. "King's resort in the wild". Hindustan Times. New Delhi. August 4, 2012.
  9. "NMML". Retrieved 21 August 2016. |first1= missing |last1= in Authors list (help)