ହିନ୍ଦୁ ବିବାହ ଅଧିନିୟମ, ୧୯୫୫

ଉଇକିପିଡ଼ିଆ ରୁ
Jump to navigation Jump to search
ହିନ୍ଦୁ ବିବାହ ଅଧିନିୟମ, ୧୯୫୫
ହିନ୍ଦୁ ବିବାହ ସମ୍ପର୍କିତ ଆଇନକୁ ସଂହିତାବଦ୍ଧ କରିବା ନିମିତ୍ତ ଏକ ଅଧିନିୟମ
ଆଧାରAct No. 25 of 1955
Territorial extentWhole of India except Jammu and Kashmir
ନିୟମାକାରକଭାରତୀୟ ପାର୍ଲିଆମେଣ୍ଟ
Date enacted୧୮-ମେ-୧୯୫୫
Date assented to୧୮-ମେ-୧୯୫୫
Date commenced୧୮-ମେ-୧୯୫୫
Status: In force

ହିନ୍ଦୁ ବିବାହ ଅଧିନିୟମ, ୧୯୫୫ ହିନ୍ଦୁ ଧର୍ମାବଲମ୍ବୀଙ୍କ ମଧ୍ୟରେ ବିବାହ ସମ୍ପର୍କିତ ବିବାଦର ସୁପରିଚାଳନା ନିମିତ୍ତ ୧୯୫୫ ମସିହାରେ ଭାରତୀୟ ପାର୍ଲିଆମେଣ୍ଟଦ୍ୱାରା ପ୍ରଣୀତ ଏକ ଅଧିନିୟମ ।[୧] ହିନ୍ଦୁ ଆଇନର ଏହା ଅନ୍ୟତମ ମୁଖ୍ୟ ସଂହିତା । ଏହାବ୍ୟତୀତ ହିନ୍ଦୁ ଆଇନର ଅନ୍ୟ ଦୁଇ ଅଧିନିୟମ ଯଥା; ହିନ୍ଦୁ ଉତ୍ତରାଧୀକାର ଅଧିନିୟମ (୧୯୫୬), ହିନ୍ଦୁ ନାବାଳକ ଏବଂ ଅଭିଭାବକତ୍ତ୍ୱ ଅଧିନିୟମ(୧୯୫୬) ଏବଂ ହିନ୍ଦୁ ଦତ୍ତକଗ୍ରହଣ ଓ ଭରଣପୋଷଣ ଅଧିନିୟମ, ୧୯୫୬ ମଧ୍ୟ ଏହା ପରେ ପରେ ଭାରତୀୟ ପାର୍ଲିଆମେଣ୍ଟଦ୍ୱାରା ଅଧିଗୃହୀତ ହୋଇଥିଲା ।

ପୃଷ୍ଠଭୂମି[ସମ୍ପାଦନା]

ହିନ୍ଦୁ ବୈଦିକ ରୀତି ଅନୁସାରେ ବିବାହ ଏକ ପବିତ୍ର ବନ୍ଧନ ଏବଂ ଦଶବିଧ ସଂସ୍କାର (ଗର୍ଭାଧାନ, ପୁଂସବନ, ସୀମାନ୍ତୋନ୍ନୟନ, ଜାତକର୍ମ, ନାମକରଣ, ଅନ୍ନପ୍ରାଶନ, ମୁଣ୍ଡନ, ଉପନୟନ, ସମାବର୍ତ୍ତନ, ବିବାହ) ମଧ୍ୟରେ ଅନ୍ୟତମ । ହିନ୍ଦୁ ଶାସ୍ତ୍ରମତେ ଚାରି ପୁରୁଷାର୍ଥ ଯଥା; ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ ଲାଭ କରିବା ହେଉଛି ବ୍ୟକ୍ତିର ଅନ୍ତିମ ଲକ୍ଷ ଏବଂ ପ୍ରଥମ ତିନି ପୁରୁଷାର୍ଥ ହିଁଁ ପରିଶେଷରେ ଶେଷ ପୁରୁଷାର୍ଥ ତଥା ଅନ୍ତିମ ଲକ୍ଷ(ମୋକ୍ଷ) ପାଇଁଁ ମାର୍ଗ ପ୍ରଶସ୍ତ କରିଥାଏ । ଏହି କ୍ରମରେ ବିବାହ ମାଧ୍ୟମରେ ହିଁ କାମ ବାସନାର ନୈତିକ ଚରିତାର୍ଥ ହେବା ସହିତ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କ ମୋକ୍ଷ ଆଡକୁ ଗତି ସହଜ ଏବଂ ସୁଗମ ହୋଇଥାଏ । ଏହାଛଡା ବିବାହ ଏକ ବ୍ୟକ୍ତିଗତ ବ୍ୟାପାର ହୋଇଥିବା ଯୋଗୁଁଁ ସରକାରୀ ଆଇନକାନୁନ ଉର୍ଦ୍ଧ୍ୱରେ ଥିଲା । ତେବେ, ପରବର୍ତ୍ତୀ ସମୟରେ ବୈଦିକ ଧର୍ମରେ କୁସଂସ୍କାରର ପ୍ରବେଶ ଯୋଗୁଁଁ ବିବାହ ସମ୍ପର୍କିତ ବ୍ୟାପାରରେ ସ୍ୱାମୀ ଏବଂ ସ୍ତ୍ରୀର କର୍ତ୍ତବ୍ୟ ତଥା ଅଧିକାର ସ୍ପଷ୍ଟ କରିବା ସହ ବିବାହ ବିଛେଦ ବ୍ୟବସ୍ଥାର ଆବଶ୍ୟକତା ଅନୁଭୂତ ହେଲା । ହିନ୍ଦୁ ଶାସ୍ତ୍ରୀୟ ବିବାହର ଅନେକ ରୀତିନୀତିକୁ ସମ୍ମାନ ଦେବା ସହ ବିବାହ ବିଛେଦ ବ୍ୟବସ୍ଥାକୁ ଯୋଡି ହିନ୍ଦୁ ବିବାହ ଆଇନ ପ୍ରଣୀତ କରାଗଲା ।[୨]

ଅଧିନିୟମ ସଂପର୍କରେ[ସମ୍ପାଦନା]

ପ୍ରଯୁଜ୍ୟତା[ସମ୍ପାଦନା]

ହିନ୍ଦୁ ବିବାହ ଅଧିନିୟମର ଧାରା ୨ ଅନୁସାରେ ଉକ୍ତ ଅଧିନିୟମ ନିମ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ପାଇଁଁ ପ୍ରଜୁଯ୍ୟ-

କ) ସମସ୍ତ ବର୍ଗର ହିନ୍ଦୁ ଧର୍ମାବଲମ୍ବୀ

ଖ) ସମସ୍ତ ବୌଦ୍ଧ, ଜୈନ ଏବଂ ଶିଖ ଧର୍ମାବଲମ୍ବୀ

ଗ) ହିନ୍ଦୁ, ବୌଦ୍ଧ, ଜୈନ୍ ତଥା ଶିଖ ଧର୍ମର ପିତାମାତାଙ୍କ ବୈଧ କିମ୍ବା ଅବୈଧ ସନ୍ତାନ ସନ୍ତତି

(ଅନ୍ୟାନ୍ୟ ଧର୍ମର ବ୍ୟକ୍ତି ବିଶେଷ ଯେଉଁମାନେ ଧର୍ମାନ୍ତରୀକରଣ ହୋଇ ହିନ୍ଦୁ, ଜୈନ, ବୌଦ୍ଧ କିମ୍ବା ଶିଖ ଧର୍ମ ଗ୍ରହଣ କରିଥିବେ ସେହିମାନଙ୍କ ପାଇଁ ମଧ୍ୟ ଏହି ଅଧିନିୟମ ଲାଗୁ ହେବ । ଏହାଛଡା ଲିଙ୍ଗାୟତ,ବୀରଶୈବ, ଆର୍ଯ୍ୟସମାଜ, ବ୍ରାହ୍ମ ସମାଜ, ପ୍ରାର୍ଥନା ସମାଜ ଆଦି ବର୍ଗର ବ୍ୟକ୍ତି ବିଶେଷ ମୁଖ୍ୟତଃ ହିନ୍ଦୁ ହୋଇଥିବାରୁ, ସେମାନେ ମଧ୍ୟ ଏହି ଅଧିନିୟମଦ୍ୱାରା ପରିଚାଳିତ ହେବେ ।[୩]

ତେବେ ଆଦିବାସୀ(ଜନଜାତି) ମାନଙ୍କର ବିବାହ ନିଜ ଆଦିବାସୀ ପ୍ରଥାରେ ହେଉଥିବାରୁ ସେମାନେ ଏହି ଅଧିନିୟମର ଅନ୍ତର୍ଭୁକ୍ତ ହେବେନାହିଁଁ ।[୪]


ବିଶେଷ ଧାରା ଓ ଉପଧାରା[ସମ୍ପାଦନା]

ହିନ୍ଦୁ ବିବାହ ଅଧିନିୟମ, ୧୯୫୫ର କେତୋଟି ବିଶେଷ ଧାରା -

୧) ଉକ୍ତ ଅଧିନିୟମର ଧାରା ୫ ଅନୁସାରେ ଆଇନସମ୍ମତ ହିନ୍ଦୁ ବିବାହ ପାଇଁଁ ସର୍ତ୍ତଗୁଡିକ ହେଲା-

  • ବିବାହ ସମୟରେ ବର କିମ୍ବା କନ୍ୟା ପକ୍ଷର ଜୀବିତ ସ୍ତ୍ରୀ କିମ୍ବା ସ୍ୱାମୀ ନ ଥିବେ,
  • ବର କିମ୍ବା କନ୍ୟା ପକ୍ଷ ବିବାହ ସମୟରେ ଏପରି ମାନସିକ ବିକୃତିର ଶିକାର ହୋଇ ନ ଥିବେ ଯାହାଦ୍ୱାରା ବୈଧ ସମ୍ମତି ଦେବାରେ ଅସମର୍ଥ ଥିବେ,
  • ବର କିମ୍ବା କନ୍ୟା ପକ୍ଷ ବିବାହ ସମୟରେ ଏପରି ମାନସିକ ବିକୃତିର ଶିକାର ହୋଇ ନ ଥିବେ ଯାହାଦ୍ୱାରା ବୈଧ ସମ୍ମତି ଦେଇପାରିବା ସତ୍ତ୍ୱେ ସନ୍ତାନ ଜନ୍ମ କରିବାରେ ଅସମର୍ଥ ଥିବେ,
  • ବର ୨୧ ବର୍ଷରୁ ଏବଂ କନ୍ୟା ୧୮ ବର୍ଷରୁ କମ୍ ହୋଇ ନ ଥିବେ,
  • ବର ଏବଂ କନ୍ୟା ଅଧିନିୟମର ଧାରା 3(g) ପ୍ରକାରେ ନିଷିଦ୍ଧ ସମ୍ପର୍କର(Prohibited relationship-en:Cousin_marriage#India) ଅନ୍ତଭୁକ୍ତ ହୋଇ ନ ଥିବେ,

(ଧାରା 3(g) ପ୍ରକାରେ ପୁରୁଷ ଏବଂ ସ୍ତ୍ରୀ ପାଇଁଁ ନିଷିଦ୍ଧ ସମ୍ପର୍କ ନିମ୍ନ ପ୍ରକାରେ ବର୍ଣ୍ଣିତ)[୫]

ପୁରୁଷ↓ ମହିଳା↓
୧) ମାଆ ୧) ବାପା
୨) ଗୋସେଇଁଁ ମାଆ ୨) ଗୋସେଇଁଁ ବାପା
୩) ବାପା କିମ୍ବା ଗୋସେଇଁଁ ବାପାଙ୍କ ପୂର୍ବତନ ସ୍ତ୍ରୀ ୩) ମାଆ କିମ୍ବା ଗୋସେଇଁଁ ମାଆଙ୍କ ପୂର୍ବତନ ସ୍ୱାମୀ
୪) ଭାଇର ପୂର୍ବତନ ସ୍ତ୍ରୀ ୪) ପୂର୍ବତନ ସ୍ୱାମୀଙ୍କ ଭାଇ
୫) ବାପା କିମ୍ବା ମାଆଙ୍କର ଭାଇର ପୂର୍ବତନ ସ୍ତ୍ରୀ ୫) ପୂର୍ବତନ ସ୍ୱାମୀଙ୍କ ପୁତୁରା
୬) ଗୋସେଇଁଁ ବାପା କିମ୍ବା ଗୋସେଇଁଁ ମାଆଙ୍କ ଭାଇର ପୂର୍ବତନ ସ୍ତ୍ରୀ ୬) ପୂର୍ବତନ ସ୍ୱାମୀଙ୍କ ଅଣ-ପୁତୁରା
୭) ଭଉଣି ୭) ଭାଇ
୮) ବାପା କିମ୍ବା ମାଆଙ୍କର ଭଉଣି ୮) ବାପା କିମ୍ବା ମାଆଙ୍କର ଭାଇ
୯) ଭାଇ କିମ୍ବା ଭଉଣିର ଝିଅ ୯) ଭାଇ କିମ୍ବା ଭଉଣିର ପୁଅ
୧୦) ବାପା କିମ୍ବା ମାଆଙ୍କର ଭାଇର ଝିଅ ୧୦) ବାପା କିମ୍ବା ମାଆଙ୍କର ଭାଇର ପୁଅ
୧୧) ବାପା କିମ୍ବା ମାଆଙ୍କର ଭଉଣିର ଝିଅ ୧୧) ବାପା କିମ୍ବା ମାଆଙ୍କର ଭଉଣିର ପୁଅ

ତେବେ ଜାତି/ସଂପ୍ରଦାୟଦ୍ୱାରା ଗୃହିତ ପ୍ରଥାରେ ଏହାର ବ୍ୟତିକ୍ରମ ମଧ୍ୟ ଆଇନଗତ ହେବ ।

  • ବର ଏବଂ କନ୍ୟା ଅଧିନିୟମର ଧାରା 3(f(i)) ପ୍ରକାରେ ସପିଣ୍ଡ ସମ୍ପର୍କର(en:Sapinda) ଅନ୍ତଭୁକ୍ତ ହୋଇ ନ ଥିବେ
ସପିଣ୍ଡ ସମ୍ପର୍କ

(ବି:ଦ୍ର:-ଉଦାହରଣ ସ୍ୱରୂପ, କନ୍ୟା ଯଦି ବର ପିତାଙ୍କ ତରଫରୁ ପାଞ୍ଚପୁରୁଷ ଅନ୍ତର୍ଗତ କାହାର ବି ସନ୍ତାନ ହୋଇଥାଏ କିମ୍ବା ବର-ମାତାଙ୍କ ତରଫରୁ ତିନିପୁରୁଷ ଅନ୍ତର୍ଗତ କିମ୍ବା ବିପରୀତ କ୍ରମେ ବର ଯଦି କନ୍ୟାପିତାଙ୍କ ତରଫରୁ ପାଞ୍ଚପୁରୁଷ ଅନ୍ତର୍ଗତ କାହାର ବି ସନ୍ତାନ ହୋଇଥାଏ କିମ୍ବା କନ୍ୟା-ମାତାଙ୍କ ତରଫରୁ ତିନିପୁରୁଷ ଅନ୍ତର୍ଗତ କାହାର ବି ସନ୍ତାନ ହୋଇଥାଏ ତେବେ ଏଭଳି ବର କନ୍ୟାଙ୍କୁ ସପଣ୍ଡି ସମ୍ପର୍କ ଅନ୍ତ୍ରଗତ କୁହାଯାଏ ।)

୨) ଧାରା ୮-ହିନ୍ଦୁ ବିବାହର ପଞ୍ଜିକରଣ

୩) ଧାରା ୧୪-ବିବାହର ଏକବର୍ଷ ପୂର୍ବରୁ ବିବାହ ବିଛେଦ ପାଇଁଁ ଆବେଦନ ଗ୍ରହଣୀୟ ହୋଇପାରିବ ନାହିଁଁ

୪) ଧାରା ୧୫-ବିବାହ ବିଚ୍ଛେଦ ପରେ ପୁନର୍ବିବାହର ପ୍ରାବଧାନ

୫) ଧାରା ୧୮-ଏକପତ୍ନୀ/ଏକପତି ହିଁଁ ଆଇନ ସମ୍ମତ, ଦ୍ୱିତୀୟ ବିବାହ(ପ୍ରଥମ ସ୍ୱାମୀ/ସ୍ତ୍ରୀର ଜୀବନ କାଳରେ) ଦଣ୍ଡନୀୟ ଅପରାଧ,

୬) ଧାରା ୨୩(୨)-ବିବାହ ବିବାଦ ସମ୍ବନ୍ଧୀୟ ମାମଲାର ବିଚାର ପୂର୍ବରୁ ଆପୋଷ ସମାଧାନ/ମିଳାମିଶାର ପ୍ରୟାସ କରିବା ଅଦାଲତଙ୍କ ପକ୍ଷେ ବାଧ୍ୟତାମୂଳକ,

୭) ଧାରା ୨୪-ବିବାହ ବିବାଦ ସମ୍ବନ୍ଧୀୟ ମାମଲାର ବିଚାର ପ୍ରକ୍ରୀୟା ସମୟରେ ଆବଶ୍ୟକ ସ୍ଥଳେ ସ୍ତ୍ରୀ ନିମନ୍ତେ ଅନୁଷଙ୍ଗିକ ଖର୍ଚ୍ଚ ପ୍ରଦାନ ନିମନ୍ତେ ଆଦେଶ,

ବିବାହ ବିଚ୍ଛେଦ[ସମ୍ପାଦନା]

ଉକ୍ତ ଅଧିନିୟମର ଧାରା ୧୩ରେ ବିବାହ ବିଚ୍ଛେଦ ପ୍ରାବଧାନ ରହିଛି । ବିବାହ ବିଚ୍ଛେଦ ନିମନ୍ତେ ଆବେଦନ ନିମନ୍ତେ ଯେଉଁଁସବୁ ଆଇନଗତ କାରଣ ଅନିବାର୍ଯ୍ୟ, ସେଗୁଡିକ ହେଉଛି;

  • ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଜଣେ ଅନ୍ୟପ୍ରତି ନିଷ୍ଠୁରତା ଆଚରଣ,
  • ବିବାହ ପରେ ଇଚ୍ଛାକୃତ ଭାବେ ଅନ୍ୟ ସ୍ତ୍ରୀ କିମ୍ବା ପୁରୁଷ ସହ ବ୍ୟଭିଚାରରେ ଲିପ୍ତ ହେବା,
  • କମ୍ ସେ କମ୍ ଦୁଇ ବର୍ଷ ପାଇଁଁ ଜୀବନସାଥୀଠାରୁ ଇଚ୍ଛାକୃତ ଭାବେ ଦୂରେଇ ରହିବା,
  • ଧର୍ମ ପରିବର୍ତ୍ତନ,
  • ଚିକିତ୍ସାଦ୍ୱାରା ଭଲ ହୋଇ ପାରୁ ନ ଥିବା ମାନସିକ ରୋଗ,
  • କୁଷ୍ଠ ତଥା ଯୌନରୋଗ ସଂକ୍ରମଣ,
  • ସନ୍ନ୍ୟାସ ଗ୍ରହଣ,
  • ଅନ୍ତତଃ ସାତ ବର୍ଷ ପର୍ଯ୍ୟନ୍ତ ଫେରାର ରହିବା ଇତ୍ୟାଦି
ଏହାଛଡା ନିକଟ ଅତୀତରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କର ଏକ ନିର୍ଦ୍ଦେଶ ଅନୁଯାୟୀ, ସ୍ତ୍ରୀ ଯଦି ସ୍ୱାମୀଙ୍କୁ ତାଙ୍କ ବୃଦ୍ଧ ପିତାମାତାଙ୍କ ଠାରୁ ଅଲଗା ହେବାପାଇଁଁ ବାଧ୍ୟ କରୁଥାଏ, ତେବେ ତାହା ମଧ୍ୟ ବିବାହ ବିଚ୍ଛେଦ ନିମନ୍ତେ ଏକ ଯୁକ୍ତିଯୁକ୍ତ କାରଣ ହୋଇପାରିବ ।[୬][୭]
ଉକ୍ତ ଅଧିନିୟମର ଧାରା ୧୩(ଖ) ଅନୁଯାୟୀ ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପରର ସମ୍ମତି କ୍ରମେ ବିବାହ ବିଚ୍ଛେଦ ପାଇଁଁ ଆବେଦନ କରିପାରିବେ । ତେବେ ବିବାହର ଅନ୍ତତଃ ଏକବର୍ଷ ପରେ ହିଁଁ ଏଭଳି ଆବେଦନ କରାଯାଇପାରିବ । ଆବେଦନ କରିବା ପରେ ଉଭୟ ପକ୍ଷଙ୍କୁ ନିଜ ନିଷ୍ପତ୍ତିର ପୁନଃବିଚାର କରିବା ନିମନ୍ତେ ଛଅ ମାସର ବାଧ୍ୟତାମୂଳକ ଅବଧି ଦିଆଯାଇଥାଏ । ଏହି ସମୟ ପରେ ହିଁ ପରସ୍ପର ସମ୍ମତି ସୂଚକ ବିବାହ ବିଚ୍ଛେଦ ବିଚାର କରାଯାଇଥାଏ । ତେବେ ଆବଶ୍ୟକ ସ୍ଥଳେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଏହି ଛଅ ମାସ ଅବଧି କମାଇ ଦିଆଯାଇପାରିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।[୮]

ସଂଶୋଧନ[ସମ୍ପାଦନା]

ହିନ୍ଦୁ ବିବାହ ଅଧିନିୟମ, ୧୯୫୫ ସଂଶୋଧନ-୧୯୭୬ ଅଧିନିୟମ[ସମ୍ପାଦନା]

ଏହି ସଂଶୋଧନ ଫଳରେ ଧାରା ୨୮ର ସଂଶୋଧନ ହୋଇ ୪ଟି ଉପଧାରାର ପ୍ରାବଧାନ ରହିଲା ।[୯]

ହିନ୍ଦୁ ବିବାହ ଅଧିନିୟମ, ୧୯୫୫ ସଂଶୋଧନ-୨୦୦୩ ଅଧିନିୟମ[ସମ୍ପାଦନା]

ଉକ୍ତ ସଂଶୋଧନ-୨୦୦୩ ଅଧିନିୟମରେ ହିନ୍ଦୁ ବିବାହ ଅଧିନିୟମର ଧାରା ୧୯,୨୮,୩୧ ଏବଂ ୩୯ର ଆଂଶିକ ସଂଶୋଧନ କରାଗଲା ।

  • ଧାରା ୧୯ରେ ଉପଧାରା (୩-କ)ର ସଂଶୋଧିତ ପ୍ରାବଧାନ ଫଳରେ ହିନ୍ଦୁ ବିବାହ ସଂପର୍କିତ ମାମଲା ଦରଖାସ୍ତକାରୀ ମାମଲା ଦାଖଲ କରୁଥିବା ସମୟରେ ବସବାସ କରୁଥିବା ଅଞ୍ଚଳର ଅଧିକାର କ୍ଷେତ୍ରସ୍ଥ ଅଦାଲତରେ ମାମଲା ଦାୟର ହୋଇପାରିବ ।
  • ଧାରା ୨୮ରେ ଉପଧାରା (୪)ର ସଂଶୋଧିତ ପ୍ରାବଧାନ ଫଳରେ ହିନ୍ଦୁ ବିବାହ ସଂପର୍କିତ ମାମଲାର ଅପିଲ ଦାୟର କରିବା ନିମିତ୍ତ ଆଇନଗତ ଅବଧି ୩୦ ଦିନରୁ ବୃଦ୍ଧି ହୋଇ ୯୦ ଦିନ କରାଗଲା ।

ବିବାହ ଅଧିନିୟମ ସଂଶୋଧନ ବିଲ୍-୨୦୧୦[ସମ୍ପାଦନା]

ଉକ୍ତ ସଂଶୋଧନ ବିଲଦ୍ୱାରା ହିନ୍ଦୁ ବିବାହ ଅଧିନିୟମ, ୧୯୫୫ ଏବଂ ସ୍ୱତନ୍ତ୍ର ବିବାହ ଅଧିନିୟମ-୧୯୫୪ରେ ବିବାହ ବିଚ୍ଛେଦ ନିମିତ୍ତ ଆଉ ଏକ ପ୍ରାବଧାନର ବ୍ୟବସ୍ଥା ରହିଛି । ୨୦୧୦ ମସିହାରେ ଅଣାଯାଇଥିବା ଏହି ବିଲ ଅନୁସାରେ ଯେତେବେଳେ କୌଣସି କାରଣରୁ ଅଲଗା ହୋଇଥିବା ସ୍ୱାମୀ ସ୍ତ୍ରୀଙ୍କ ପୁନଃ ମିଳନ ଅସମ୍ଭବ ମନେହୁଏ, ତେବେ ସେଭଳି ସ୍ଥଳେ ବିବାହ ବିଚ୍ଛେଦ ପାଇଁ ଅନୁମତି ଦିଆଯାଇପାରେ । ଏଭଳି ପ୍ରାବଧାନ, ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ୨୦୦୬ ମସିହାର ଏକ ଆଦେଶ ଉପରେ ଆଧାରିତ ।[୧୦] ଏହାଦ୍ୱାରା ବିବାହ ବିଚ୍ଛେଦ ସମ୍ପର୍କିତ ଆଇନ ପୂର୍ବାପେଷା ସହଜ ହୋଇପାରିବ ବୋଲି ଦର୍ଶାଯାଇଥିଲା । ତେବେ ବିଲଟି ରାଜ୍ୟ ସଭାରେ ପାରିତ ହୋଇଥିଲେ[୧୧] ବି ଲୋକ ସଭାରେ ପାସ ହୋଇ ପାରିନାହିଁ ।[୧୨]

ଆହୁରି ଦେଖନ୍ତୁ[ସମ୍ପାଦନା]

en:The Hindu Marriage Act, 1955

ଆଧାର[ସମ୍ପାଦନା]

  1. "Hindu Marriage Act, 1955". Retrieved 15 December 2017.
  2. "Law Commission of India-75th report" (PDF). Retrieved 15 December 2017.
  3. "How can Lingayat-Veerashaiva be different from Hindus when they worship Shiva". Retrieved 18 December 2017.
  4. HON'BLE MR. JUSTICE D.N. PATEL, HON'BLE MR. JUSTICE RATNAKER BHENGRA. "Rajendra Kumar Singh Munda vs Mamta Devi on 20 August, 2015". Retrieved 14 January 2018.
  5. "Sapinda Marriage-Cousin Marriage in Hinduism". Retrieved 21 December 2017.
  6. "Hindu son can divorce wife if she tries to separate him from aged parents". Retrieved 16 December 2017.
  7. "Narendra vs K.Meena on 6 October, 2016". Retrieved 16 December 2017.
  8. "Six Months Waiting Period In Section 13B(2) Of Hindu Marriage Act For Divorce By Mutual Consent Not Mandatory... Read more at: http://www.livelaw.in/six-months-waiting-period-in-section-13b2-of-hindu-marriage-act-for-divorce-by-mutual-consent-not-mandatory/". Retrieved 31 March 2018. External link in |title= (help)
  9. "The Marriage Laws (Amendment) Act, 1976". Retrieved 16 December 2017.
  10. "Naveen Kohli vs Neelu Kohli on 21 March, 2006". Retrieved 19 December 2017.
  11. "Rajya Sabha approves bill to make divorce friendly for women". Retrieved 31 March 2018.
  12. "Bill to make divorce easier may be dropped". Retrieved 19 December 2017.