ଗୁରୁବାରୀ ମିର୍ଦ୍ଧା

ଉଇକିପିଡ଼ିଆ ରୁ
Jump to navigation Jump to search
ଗୁରୁବାରୀ ମିର୍ଦ୍ଧା
ଜନ୍ମ ଓ ଜନ୍ମସ୍ଥାନ
ଗୁରୁବାରୀ ମିର୍ଦ୍ଧା
ମୃତ୍ୟୁ୨୦ ଅକ୍ଟୋବର ୨୦୧୬
ବନ୍ଦପଲ୍ଲୀ, ବିଜେପୁର, ବରଗଡ଼
ଜାତୀୟତାଭାରତୀୟ
ପ୍ରସିଦ୍ଧିସମ୍ବଲପୁରୀ ନୃତ୍ୟଙ୍ଗନା
ଜୀବନସାଥିହର୍ଷ ମିର୍ଦ୍ଧା

ଗୁରୁବାରୀ ମିର୍ଦ୍ଧା ଜଣେ ସମ୍ବଲପୁରୀ ନୃତ୍ୟାଙ୍ଗନା ଏବଂ ନୃତ୍ୟଗୁରୁ ।[୧] ସେ ଡାଲଖାଇ, ରସରକେଲୀ, ମାଏଲାଜଡ, ଜାଇଫୁଲ, ସଜନୀ ଗୀତ, ହୁମୋ ବଉଲୀ, ଦୁଲା ବିହା ଆଦି ନୃତ୍ୟ ପରିବେଷଣ ଓ ଶିକ୍ଷାଦାନ କରୁଥିଲେ ।

ସମ୍ବଲପୁରରୁ ଦୀର୍ଘ ୮୫ କିମି ଦୂର ବରଗଡ଼ ଜିଲ୍ଲାର ବିଜେପୁର ଥାନା ଅନ୍ତର୍ଗତ ଏମ ଗଣ୍ଡାପାଲି ଗାଁରେ ଗୁରୁବାରୀ ବାସ କରୁଥିଲେ । ଗୁରୁବାରୀ ସେ ସମୟର ପ୍ରଥମ ଝିଅ ଥିଲେ ଯିଏ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗାଁ ବାହାରକୁ ପାଦ କାଢ଼ିଥିଲେ । ଆଦିବାସୀ ଚଳଣିର ଶିକୁଳି ଫିଟାଇ ଷୋହଳ ବର୍ଷ ବୟସରେ ଗୁରୁବାରୀ ପ୍ରତିଭା ଦେଖେଇବା ପାଇଁ ପଦାକୁ ବାହାରିଥିଲେ । ୧୯୬୮ ମସିହାରେ ଦିଲ୍ଲୀଠାରେ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିବା ଅବସରରେ ସେ ଇନ୍ଦିରା ଗାନ୍ଧୀଙ୍କୁ ଆକର୍ଷିତ କରିପାରିଥିଲେ ଓ ଇନ୍ଦିରା ନିଜେ ଆସି ତାଙ୍କ ସହ ଡାଲଖାଇ ଗୀତରେ ନାଚିଥିଲେ । ନିଜର ଏହି ସ୍ମୃତିକୁ ମନେପକାଇ ଶ୍ରୀମତୀ ମିର୍ଦ୍ଧା ଏକଦା କୁହନ୍ତି, "ମୋର ସେଇ ସମୟ ଏବେ ବି ମନେ ଅଛି ଯେଉଁଦିନ ମୋ ନୃତ୍ୟବୃତ୍ତିରେ ମୋଡ଼ ଆସିଥିଲା । ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ସେ ବସିବା ସ୍ଥାନରୁ ଉଠିଆସି ମୋ ସହ ବେସ କିଛି ସମୟ ନାଚିଥିଲେ । ସେଇଟା ଦିଲ୍ଲୀକୁ ମୋର ପ୍ରଥମ ଗସ୍ତ ଥିଲା ତେଣୁ ମୁଁ ବିଚଳିତ ହୋଇ ପଡ଼ିଥିଲି କିନ୍ତୁ ପରେ ସମ୍ଭାଳି ନେଲି । ମୋ ହାତ ଧରି ସେ ମୋ ସହ ନାଚିଲେ । ତାଙ୍କ ସହ ଫଟୋ ମଧ୍ୟ ଉଠେଇଥିଲି । ମୋ ପାଇଁ ତାହା ଗୋଟିଏ ଗର୍ବର ଦିନ ଥିଲା । ମୋ ଚାରିପଟେ ଲୋକେ ତାଳିମାରି ଅଭିନନ୍ଦନ କରିଥିଲେ । ସରକାର ସିନା ମୋତେ ଭୁଲି ଯାଇଛନ୍ତି, ମୋ ପାଖପଡ଼ିଶା ମୋତେ ନେଇ ଏବେ ମଧ୍ୟ ଗର୍ବ କରନ୍ତି । ବୟସ ବଢ଼ିଯିବା ପରେ ନାଚଗୀତରୁ ବିରତି ନେଇଛି । କଳାପ୍ରେମୀ ଏବେ ବି ମୋତେ ଶ୍ରଦ୍ଧା କରନ୍ତି । କେବଳ ସମ୍ମାନ ଛଡ଼ା ମୋ ପାଖେ ଆଉ କିଛି ନାହିଁ । ଏବେ ମୁଁ ଜଣେ ସଂଘର୍ଷ କରୁଥିବା ଅସହାୟ ମହିଳା ।"

୧୯୭୦ ମସିହାରେ ରକ୍ଷଣଶୀଳ ଧାର୍ମିକ ଚିନ୍ତାଧାରାର ଯୁଗ ମଧ୍ୟରେ, ଗୁରୁବାରୀ ନିଜ କ୍ୟାରିୟର ଗଢି ନିଜକୁ ପ୍ରତିଷ୍ଠିତ କରିଥିବାରୁ ଭାରତ ପର୍ଯ୍ୟଟନ ବିଭାଗ ନିଜ କ୍ୟାଲେଣ୍ଡର(୧୯୭୦)ରେ ଗୁରୁବାରୀଙ୍କ ଫଟୋ ସ୍ଥାନିତ କରିଥିଲେ । ୪ ଦଶନ୍ଧି ଧରି ନୃତ୍ୟ ସାଧନା ମଧ୍ୟରେ ଦୂରଦର୍ଶନରେ ତାଙ୍କର ଅନେକ କାର୍ଯ୍ୟକ୍ରମ ପରିବେଷିତ ହୋଇଅଛି ।[୨]

ଗୁରୁବାରୀଙ୍କ ଶେଷ ଜୀବନ ବଡ଼ କଷ୍ଟରେ ବିତିଥିଲା । ଅର୍ଦ୍ଧ ନିର୍ମିତ ଇନ୍ଦିରା ଆବାସ ଘରେ ନିଜ ସ୍ୱାମୀ ଓ ପିଲା ଛୁଆଙ୍କ ସହ ରହୁଥିଲେ ଗୁରୁବାରୀ । ସ୍ୱାମୀ ହର୍ଷ ମିର୍ଦ୍ଧାଙ୍କ ଗୋଡ଼ ଭାଙ୍ଗିଯିବା ପରେ ଗ୍ରାମବାସୀଙ୍କ ସାହାଯ୍ୟ ଏକ ମାତ୍ର ଭରସା ଥିଲା ।[୩] ୨୦୧୬ ମସିହା ଅକ୍ଟୋବର ୨୦ ତାରିଖରେ, ୭୦ବର୍ଷ ବୟସରେ ଗୁରୁବାରୀ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ସମ୍ବର୍ଦ୍ଧନା
  • ଆଦିବାସୀ ଭାଷା ସଂସ୍କୃତି ଏକାଡେମୀ ସମ୍ମାନ
  • ମଠଖାଇ ଉତ୍ସବ ସମ୍ମାନ
  • ବଲାଙ୍ଗୀର ଲୋକ ମହୋତ୍ସବ ସମ୍ମାନ
  • ସମ୍ବଲପୁର ଲୋକ ମହୋତ୍ସବ ସମ୍ମାନ
  • ଦୂରଦର୍ଶନ ତରଫରୁ ସମ୍ବର୍ଦ୍ଧିତ
  • କୋଶଳ ଶ୍ରୀ ସମ୍ମିଳନୀଦ୍ୱାରା ସମ୍ମାନିତ

ଆଧାର[ସମ୍ପାଦନା]