ଖିଲିପାନ

ଉଇକିପିଡ଼ିଆ ରୁ
ଏହି ଲେଖାଟି ପାନ ପତ୍ର ଓ ଅନ୍ୟାନ୍ୟ ମସଲା ଦେଇ ପ୍ରସ୍ତୁତ ମୁଖଶୋଧକ ବାବଦରେ । ପାନ ପତ୍ର ପାଇଁ, ପାନ ପ୍ରସଙ୍ଗଟି ଦେଖନ୍ତୁ ।
ଖିଲିପାନ, କଟାଗୁଆ ଓ ପାନମସଲା

ପାନ ଶବ୍ଦର ଅନ୍ୟାନ୍ୟ ଆଭିଧାନିକ ଅର୍ଥଗୁଡ଼ିକ ହେଲା, ପାନୀୟ, ପିଇବା, ଔଷଧାଦିର ମାତ୍ରା ବିଶେଷ।


ଏହି ପ୍ରସଂଗଟି ପାନ ନାମକ ଲତାର ପତ୍ର ତଥା ଅନ୍ୟାନ୍ୟ ମସଲାରୁ ପ୍ରସ୍ତୁତ ମୁଖଶୋଧକ ଖିଲି ବା ଖିଲ ବାବଦରେ, ଯାହାକୁ ଖିଲିପାନ ବୋଲି ମଧ୍ୟ କୁହାଯାଏ। ପାନ ପତ୍ର ପାଇଁ ପାନ ଦେଖନ୍ତୁ।


ଭାରତୀୟ ସଂସ୍କୃତିରେ "ପାନ" ର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଏହାକୁ ସାଧାରଣତଃ ଖାଇସାରିବା ପରେ ବା କିଛି ଉତ୍ସବ ଯେପରିକି- ବାହାଘର, ଭୋଜି ଆଦିରେ ଦିଆଯାଇଥାଏ । ଏହା ଭାରତର ସବୁ ରାଜ୍ୟର ସବୁ ଗଳିରେ ମିଳେ । ଏହାକୁ ଏକ ପବିତ୍ର ଖାଦ୍ୟ ଭାବେ ମଧ୍ୟ ଇତିହାସରେ ବର୍ଣ୍ଣନା କରାଯାଇଛି । ଏହା ଗରିଷ୍ଠ ଖାଦ୍ୟର ପାଚନ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିଥାଏ ଓ ମୁଖକୁ ସୁବାସିତ ମଧ୍ୟ କରିଥାଏ I ମସଲାଯୁକ୍ତ ପାନକୁ ଉତ୍ତେଜକ ହିସାବରେ ବ୍ୟବହାର କରାଯାଏ । ତେଣୁ ପାନ ମଧ୍ୟ ଏକ ଉତ୍ତେଜକ ମୁଖ ପ୍ରସାଧନ ଯାହା ଗୁଆଚୂନ ତଥା ଜରଦା (ତମାଖୁ) ସହିତ ଖିଆଯାଇଥାଏ । ପାନକୁ ଚୋବାଯାଇ ତାହାର ପିକକୁ ବାହାରକୁ ଫିଙ୍ଗାଯାଇଥାଏ । ପାନକୁ ଚୋବାଇଲେ ସେଥିରେ ଥିବା "ଖଇର" ନାମକ ପଦାର୍ଥ ପାଟିରେ ମିଳେଇଯାଏ ଓ ପାଟିର ଲାଳ ସହିତ ମିଶି ନାଲି ରଂଗର ଛେପ ସୃଷ୍ଠି କରେ । ଲୋକମାନେ ପାନ ଖାଇଲା ପରେ ଏହି ଛେପକୁ ପକାଇଦିଅନ୍ତି । ଭାରତରେ ପାନରେ ଅନେକ ପ୍ରକାରର ମସଲା ଯଥା ଗୁଜୁରାତି, ଅଳେଇଚ, ଜାଇଫଳ, ଜାଇତ୍ରୀ, ଲବଙ୍ଗଖଇର ଆଦି ପକାଇ ତିଆରି କରାଯାଇଥାଏ

ଭଙ୍ଗାପାନ ବା ଖିଲିପାନର ପ୍ରକାର[ସମ୍ପାଦନା]

ପାନ ଦୋକାନୀର ପାନ ପସରା
ମିଠା ପାନ

କଡ଼ାପାନ[ସମ୍ପାଦନା]

  1. ପାନପତ୍ରକୁ ଭଲଭାବେ ଧୋଇ ଏକ ଶୁଖିଲା କପଡା ରେ ପୋଛାଯାଏ ।
  2. ଏଥିରେ ଚୂନ ଲଗାଇ ଏହା ଉପରେ, ଗୁଣ୍ଡ ଖଇର, ଗୁଜୁରାତି, ଲବଙ୍ଗ, ବିଭିନ୍ନ ମସଲା ଯଥା ଦୁକ୍ତା (ସମ୍ବଲପୁରୀ ଭାଷାରେ ଭାଙ୍ଗ), ଧଣିଆରୁ ପ୍ରସ୍ତୁତ ଗୁଣ୍ଡି, ଜର୍ଦା ଓ ଜାଇଫଳ ଇତ୍ୟାଦିକୁ ରଖାଯାଏ । କେହି କେହି ତରଳ ଖଇରକୁ ମଧ୍ୟ ଚୁନ ସହିତ ଲଗାଇଥାଆନ୍ତି।[୧][୨]
  3. ଏହି ପତ୍ରକୁ ତ୍ରିଭୁଜାକାରରେ ମୋଡି ଖାଇବାକୁ ଦିଆଯାଏ ।
  4. ଏହାକୁ ସତେଜ ରଖିବା ପାଇଁ ବରଫରେ ବି ରଖାଯାଏ ।

ସାଧାପାନ ବା ମିଠା ପାନ[ସମ୍ପାଦନା]

ମିଠା ପାନର ପ୍ରସ୍ତୁତି ପ୍ରଣାଳୀ ମସଲାଯୁକ୍ତ ପାନଠାରୁ ଅଲଗା । ଏଥିରେ ଚୂନ ଓ ମସଲା ମିଶେ ନାହିଁ । କେବଳ ଗୁଜୁରାତି, ଲବଙ୍ଗ, ପ୍ରାକୃତିକ ସ୍ଵାଦ ଓ ରଙ୍ଗ ମିଶାଯାଏ ଯାହା ହଜମରେ ସାହାଯ୍ୟ କରେ । ଦକ୍ଷିଣ ଏସିଆ ର କେତେକ ସ୍ଥାନରେ ମିଠା ପାନରେ ନଡ଼ିଆ, ପ୍ରାକୃତିକ ମଞ୍ଜି, କାଜୁ ଓ ଅନ୍ୟ ଶୁଖିଲା ଫଳ ପକାନ୍ତି । ଏହିପରି ଆମ ଦେଶରେ ଅନେକ ସ୍ଥାନର ନାମ ଅନୁସାରେ ପାନ ମିଳେ, ଯେପରି- ବଙ୍ଗାଳି ପାନ, ଜଗନ୍ନାଥ ପାନ, ବନାରସୀ ପାନ ଯାହା ସ୍ଵାଦାନୁସାରେ ପରସ୍ପରଠାରୁ ଅଲଗା ।
ଗୋଟିଏ ବଡ଼ ଆକାରର ପାନପତ୍ରରୁ ଦୁଇ ରୁ ତିନିଖଣ୍ଡ ଖିଲିପାନ ତିଆରି ହୋଇଥାଏ। ଛୋଟ ପାନକୁ ଗୋଟିକିଆ ଖିଲି କରି ବା ମୋଡ଼ି ମିଠାପାନ ପ୍ରସ୍ତୁତ କରାଯାଏ।

ଖିଲି ପାନର ମୂଲ୍ୟ[ସମ୍ପାଦନା]

ବେକାରୀ ସମସ୍ୟାକୁ ଲକ୍ଷ୍ୟକଲେ ଓଡ଼ିଆଶାରେ ପାନ ବ୍ୟବସାୟ ଅନେକ ଯୁବକଙ୍କର ପେଟ ପୋଷିବାରେ ସହାୟକ ହୋଇ ପାରିଛି। ପାନରେ ନାନାଦି ମସଲା ଦେଇ ତାକୁ ବିଭିନ୍ନ ଶୈଳୀରେ ଭାଙ୍ଗି ପ୍ରସ୍ତୁତ କରିବାର ଅନେକ ବିଧି ରହିଛି। ଗୋଟିଏ ଭଙ୍ଗା ପାନର ଦାମ୍ ୫୦ ପଇସାଠାରୁ ଆରମ୍ଭ କରି ୧୫୦୦ ଟଙ୍କା ପର୍ଯ୍ୟନ୍ତ ଥିବାର ଜଣାଯାଏ। ହେଲେ ଆମ ରାଜ୍ୟରେ ବ୍ୟୟ ବହୁଳ ପାନ ସେବନ କରିବା ଲୋକଙ୍କ ସଂଖ୍ୟା ବହୁତ କମ୍।

ଇତିହାସରେ ଖିଲିପାନ[ସମ୍ପାଦନା]

ଇତିହାସ କହେ ଯେ, ଆଗକାଳରେ ନାରୀମାନେ ନିଜ ଓଠକୁ ରଙ୍ଗ କରିବା ପାଇ ପାନ ଖାଉଥିଲେ । ସେମାନେ ପ୍ରାକୃତିକ ରଙ୍ଗ ହିସାବରେ ଏହାକୁ ବ୍ୟବହାର କରୁଥିଲେ । ଭାରତ, ଚୀନ, ନେପାଳ, ଭୁଟାନ, ବର୍ମା, ଥାଇଲାଣ୍ଡ, ମାଲେସିଆରେ ପାନକୁ ଆଭିଜାତ୍ୟର ଚିହ୍ନ ହିସାବରେ ବ୍ୟବହାର କରୁଥିଲେ ।

ସବୁଦେଶରେ, ସବୁକାଳରେ ଲୋକେ ସୌଖିନ ମୁଖବାସ, ଧର୍ମକର୍ମ ପୂଜାପଦ୍ଧତି, ଶାରୀରିକ କ୍ରିୟା, ଏକଲୟତା ଆଦିରେ ପାନକୁ ବ୍ୟବହାର କରିଥାନ୍ତି। ଗୁଆପାନ ଶ୍ରଦ୍ଧା, ସମ୍ମାନ ଓ ମଙ୍ଗଳ ସୂଚକ। ଚୂନପାନ ଗୋଦୁଗ୍ଧ ସମାନ ବୋଲି କୁହାଯାଏ। ବିଡ଼ିଆପାନ ବା ଖିଲପାନ ମୁଖ ମହକ, କଣ୍ଠ ସରଳ, ଖାଦ୍ୟ ପାଚକ ଓ ଅମ୍ଳ ନାଶକ। ପତ୍ରରେ ଥିବା ହରିତ କଣା ଜୀବନିକା ‘ଖ’ ଓ ‘ଗ’ରେ ଭରିଥାଏ। ଏହା ଦାନ୍ତ ମାଢିକୁ ମଜବୁତ କରିବା ସହିତ ମସ୍ତିସ୍କ, ଯକୃତ ଓ ହୃତପିଣ୍ଡକୁ ସତେଜ କରେ। ଦେହମନରେ ଉଲ୍ଲାସ ଓ ହରଷ ଆଣେ। ପୃଥିବୀରେ ପ୍ରାୟ ୪୦୦ନିୟୁତରୁ ଅଧିକ ଅଧିବାସୀ ଏକ ବା ଏକାଧିକ ଖିଲିପାନ ଚର୍ବଣ କରିଥାନ୍ତି।

ପାନ ମସଲା[ସମ୍ପାଦନା]

ପାନରେ ବ୍ୟବହାର କରାଯାଉଥିବା ମସଲା କେହି କେହି ଘରେ ତିଆରି କରିଥାନ୍ତି। ଧଣିଆ, ପାନ ମଧୁରୀ, ତମାଖୁ (ଦୋକ୍ତାପତ୍ର) ଇତ୍ୟାଦିକୁ ଭାଜି ସେଥିରେ ସପରକଚୁ ଓ ଚୁଆତେଲ ପକାଇ ଘରେ ସୁଗନ୍ଧିତ ମସଲା ତିଆରି କରାଯାଏ। ଏହାକୁ ଗୁଣ୍ଡି କୁହନ୍ତି। କେହି କେହି ସାଧା ଖଇର ବ୍ୟବହାର କଲାବେଳେ କେତେକ ଲୋକ ଖଇରକୁ ଆଉଟି ସେଥିଲେ କିଆଫୁଲର କେଶର ପକାଇ ସୁଗନ୍ଧିତ ଖଇର ମଧ୍ୟ ପ୍ରସ୍ତୁତ କରିଥାନ୍ତି। ତେବେ ବଜାରରେ ମିଳୁଥିବା ପାନ ମସଲା, ବିଶେଷ କରି ପୁରୀ ସହରରେ କେତେକ ସ୍ଥାନୀୟ ମସଲା ପାନ ଖିଆ ଲୋକଙ୍କର ଅତି ପ୍ରିୟ। ଏହାକୁ ଧୂଳିଗୁଣ୍ଡି ବୋଲି ମଧ୍ୟ କୁହାଯାଏ।

ପାନପିକରୁ ଅପରିଚ୍ଛନ୍ନତା

ବ୍ରହ୍ମପୁରର ହରିଡ଼ାଖଣ୍ଡି ପାନ ମସଲା ଶହେ ବର୍ଷ ପୁରୁଣା। ଶ୍ରୀ ପାଣ୍ଡିଆ ସୁବୁଦ୍ଧି ଏହାକୁ ପ୍ରଥମ କରି ଆରମ୍ଭ କରିଥିଲେ। ସୁବୁଦ୍ଧିଙ୍କର ଦେହାନ୍ତ ପରେ ତାଙ୍କର ପିଲାମାନେ ଏଥିରେ ମନ ନ ଦେବାରୁ ସେହି ଗ୍ରାମର ଶ୍ରୀ ଅର୍ଜ୍ଜୁନ ସାହୁ ଏଇ ମସଲାର ପ୍ରସ୍ତୁତି ନିଜ ଗ୍ରାମରେ ଆରମ୍ଭ କରିଥିଲେ। ହରିଡ଼ାଖଣ୍ଡ ଗ୍ରାମର ଲକ୍ଷ୍ମୀନାରାୟଣ ନୃସିଂହ ମନ୍ଦିରର ନାମାନୁସାରେ ସେ ଏହି ମସଲାର ନାମ ରଖିଥିଲେ ‘‘ଶ୍ରୀ ଲକ୍ଷ୍ମୀ ନୃସିଂହ କେତକୀ ଖାରା ମସଲା’’। କିନ୍ତୁ ଏହା ହରିଡ଼ାଖଣ୍ଡି ମସଲା ହିସାବରେ ଖ୍ୟାତି ଲାଭ କରିଛି। ଏହି ମସଲାରେ କିଆ ଫୁଲ ପଡ଼ୁଥିବାରୁ ଏହାକୁ କେତକୀ ଖାରା ମସଲା କୁହାଯାଏ। ଏଥିରେ ପଚିଶ ଶତାଂଶ ତମାଖୁ ଓ ଅନ୍ୟାନ୍ୟ ଜଡ଼ିବୁଟି ପଡ଼େ। ଧନିଆ, ପୋସ୍ତକ, କଳାଜିରା, ଜାଇଫଳ, ଡାଲଚିନି, ଲବଙ୍କ, ଗୁଜୁରାତି, ଟବାକୋ ଚିନି, କେତକୀ ଫୁଲ, ଚୁଆ ତେଲ ଇତ୍ୟାଦି ଏଥିରେ ଲାଗିଥାଏ। ଏହାକୁ ପ୍ରସ୍ତୁତ କରି ଦୁଇମାନ ଆବଦ୍ଧ କରି ରଖିଲା ପରେ ଏଥିରୁ କେତକୀ ଫୁଲର ବାସ୍ନା ବାହାରେ। ଏହି ମସଲା ଓଡ଼ିଶା, ବିହାର ଓ ପଶ୍ଚିମ ବଙ୍ଗରେ ଲୋକପ୍ରିୟ।

ପାନ ଓ ଅସ୍ୱଚ୍ଛତା[ସମ୍ପାଦନା]

ପାନଖାଇବାର ପରିଣାମ - ନଷ୍ଟପ୍ରାୟ ମାଢି ଓ ଅସୁନ୍ଦର ଦାନ୍ତ
ପାନର କୁପ୍ରଭାବ - ମୁଖରୁ ଅତ୍ୟଧିକ ଲାଳସ୍ରାବ

ପାନଖିଆ ଲୋକେ କହନ୍ତି, ପାନ ଖାଇଦେଲେ କ୍ଲାନ୍ତି ଦୂର ହୁଏ, ଟିକିଏ ଜରଦା ପକାଇଦେଲେ ହଜି ଯାଇଥିବା ବୁଦ୍ଧି ମିଳିଯାଏ। କେହି କେହି ଖାଇବା ଭୁଲିଯାଆନ୍ତି, ସାରାଦିନ କେବଳ ପାନ ଖାଇ ରହି ଯାଆନ୍ତି। ସାର୍ବଜନିକ ସ୍ଥାନରେ ପାନଛେପ ପାଟିରେ ଭରିଗଲେ କାହା ସହିତ କଥା ହେବା ସହଜ ହୋଇ ନଥାଏ ଓ କଥା କହିଲେ ଛେପ ପଡ଼ିବାର ଭୟ ରହିଥାଏ। ପୁରାକାଳରେ ରାଜାରାଜୁଡ଼ାମାନେ ପାନ ଛେପ ପକାଇବାପାଇଁ ପିକଦାନୀ ରଖୁଥିଲେ। କିନ୍ତୁ ଅନେକ ପାନଖିଆ ଲୋକ ଅଫିସ କୋଣରେ, ସିଡ଼ିରେ, ରାସ୍ତାଘାଟରେ ପାନପିକ ପକାଇ ସେ ସବୁ ସ୍ଥାନକୁ ଅସନା କରୁଥିବାର ଦେଖିବାକୁ ମିଳିଥାଏ।

ସ୍ଵାସ୍ଥ୍ୟ ଉପରେ ପ୍ରଭାବ[ସମ୍ପାଦନା]

ପାନପତ୍ର ଶରୀରର ହଜମଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । କିନ୍ତୁ ଗୁଆ ଓ ଅନ୍ୟାନ୍ୟ ତମ୍ବାଖୁଯୁକ୍ତ ମସଲାଯୁକ୍ତ ଖିଲିପାନ ମୁଖ କର୍କଟ ରୋଗର ମୁଖ୍ୟ କାରଣ । ଏହା ରକ୍ତକୁ ଅପରିସ୍କାର କରେ। ଗୁଆ ଦ୍ଵାରା ଦାନ୍ତ ମାଢି ଦୁର୍ବଳ ହୋଇଯାଏ।[୩][୪][୫][୬] The main carcinogenic factor is believed to be areca nut. ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ଅନୁସାରେ ଗୁଆଯୁକ୍ତ ତମ୍ବାଖୁ ଓ ତମ୍ବାଖୁବିହୀନ ପାନଦ୍ଵାରା କର୍କଟ ରୋଗର ସମ୍ଭାବନା ଯଥାକ୍ରମେ ୯.୯ ଓ ୮.୪ ଗୁଣ ଥାଏ । ତେଣୁ ଭାରତ ତଥା ବିଶ୍ଵର ସମସ୍ତ ସ୍ଵାସ୍ଥ୍ୟ ସଂସ୍ଥା ପାନ ସେବନକୁ ମନା କରନ୍ତି ।[୭]
ଗର୍ଭବତୀ ମହିଳାଙ୍କ ଉପରେ ମଧ୍ୟ ପାନର ଅନେକ କୁପ୍ରଭାବ ରହିଥାଏ । ଭାରତ, ତାଇଵାନ, ମାଲେସିଆ ଓ ପପୁଆ ରେ ବହୁତ ସ୍ଥାନରେ ଏହା ଦେଖିବାକୁ ମିଳିଛି ଯେ ଗର୍ଭବତୀ ମହିଳା ତମ୍ବାଖୁ ଓ ଗୁଆଯୁକ୍ତ ପାନ ଖାଇବା ଦ୍ଵାରା ସେମାନଙ୍କ ପିଲାଙ୍କ ଅସମ୍ପୂର୍ଣ୍ଣ ବିକାଶ ହୋଇଥାଏ । ସେହିପରି ଯେଉମାନେ ମାଦକଦ୍ରବ୍ୟ ଓ ତମ୍ବାଖୁ ସେବନ କରନ୍ତି ସେମାନେ ମଧ୍ୟ ସେହିପରି ସମସ୍ୟାର ସମ୍ମୁଖୀନ ହୁଅନ୍ତି ।[୮][୯]

ପାନ ମସଲା କେବଳ ମୁଖ ଗହ୍ୱର ନୁହେଁ ଦେହର କୌଣସି ବି ଅଙ୍ଗରେ ଆବୁ (ଟିଉମର) ସୃଷ୍ଟି କରି ପାରେ।[୧୦]

ପାନ ଓ ଓଡ଼ିଶାର ପରମ୍ପରା[ସମ୍ପାଦନା]

କୋଣାର୍କ ଦେଉଳ ଗଢଣ କାହାଣୀରେ କୁହାଯାଇଛି ନିପୁଣ ଶିଳ୍ପୀ ଅଭିନିବିଷ୍ଟ ହୋଇ ମୂର୍ତ୍ତୀ ଗଢ଼ି ଚାଲିଥିବା ବେଳେ, କ୍ଳାନ୍ତି ମେଣ୍ଟାଇବାପାଇଁ ଯେତେବେଳେ ଅନ୍ୟମନସ୍କ ଭାବରେ ହାତ ପଛକୁ ବଢାଇ ଦେଉଥିଲେ ପାନ ଖଣ୍ଡେପାଇଁ, ସେତେବେଳେ ସ୍ୱୟଂ ରାଜା ନରସିଂହ ଦେବ ତା’ ହାତରେ ବଢାଇଦେଉଥିଲେ ଖିଲେ ଭଙ୍ଗାପାନ।
ଓଡ଼ିଶାର ସାହିତ୍ୟ, ସଂସ୍କୃତି ସହିତ ତାମ୍ବୁଳ ସେବନର ପରମ୍ପରା ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ବୋଇତ ବନ୍ଦାଣ ଉତ୍ସବରେ ସାଧବ ପୁଅର ଗୀତ ‘‘ଆ-କା-ମା-ବୈ, ଗୁଆ ପାନ ଖାଇ’’ର ମାର୍ମିକ ଅଭିବ୍ୟକ୍ତିଠାରୁ ବାହାଘର, ବ୍ରତଘର, ପୂଜା ପାର୍ବଣ, ଶ୍ରାଦ୍ଧ ଆଦିରେ ପାନ ପତ୍ରଟିଏ ଅଥବା ବିଡ଼ିଆ ପାନଟିଏ ନିହାତି ଦରକାର। ପ୍ରସିଦ୍ଧ ଓଡ଼ିଶୀ ଗୁରୁ ପଦ୍ମଶ୍ରୀ କେଳୁ ଚରଣ ମହାପାତ୍ର ଦିନକୁ ୨୦ରୁ ୨୫ ଖଣ୍ଡ ପାନ ସେବନ କରୁଥିଲେ। ବାଲ୍ୟକାଳରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇ ସେ ଏକଦା ଏକ ପାନ ବରଜରେ ପାଣି ଦେବା କାମ କରିଥିଲେ। ପାନ ବରଜର ମାଲିକ ତାଙ୍କ କଣ୍ଠସ୍ୱର ଶୁଣି ତାଙ୍କୁ ସଙ୍ଗୀତ ଶିଖିବାପାଇଁ ଅଯାଚିତ ଆର୍ଥିକ ସାହାଯ୍ୟ କରିଥିଲେ, ଯାହା ଫଳରେ ତାଙ୍କ ଭିତରେ ଥିବା ସୁପ୍ତ ପ୍ରତିଭା ଆଜି ଲୋକ ଲୋଚନକୁ ଆସି ପାରିଛି।

ବଟୁଆ[ସମ୍ପାଦନା]

ବଟୁଆ ଓଡ଼ିୟାମିର ଏକ ପ୍ରତୀକ ଓଡ଼ିଆର ଗଉରବ। ଆଗକାଳରେ ପାନ ବଟୁଆରେ କେବଳ ପାନ, ଗୁଆ, ଗୁଣ୍ଡି ରହୁ ନଥିଲା। ସେଥିରେ ନାନାଦି ଜଡ଼ିବୁଟି, ତିଳକ, କୋଥଳି, ଛୁରୀ, କତୁରୀ, ପଇସାପତ୍ର, ପାନଗୁଆ ମସଲା ମସଲି ଆଦି ରହୁଥିଲା। ଏବେବି ମଫସଲ ଅଞ୍ଚଳର କେତେକ ଓଡ଼ିଆ ଘରକୁ ଗଲେ ଭଙ୍ଗାପାନ ନ ଦେଇ ଲୋକେ ପାନ, ଗୁଆ, ଗୁଣ୍ଡି, ଚୂନ, ଖଇର, ଜାଇଫଳ, ଅଳେଇଚ ଆଦିରେ ସଜ୍ଜିତ ବଟୁଆ ଦେଇ ଅତିଥିକୁ ନିଜ ପସନ୍ଦର ପାନଟିଏ ଭାଙ୍ଗି ଖାଇବାର ସ୍ୱତନ୍ତ୍ରତା ଦେଇଥାନ୍ତି।

ପିକଦାନୀ[ସମ୍ପାଦନା]

ରାଜାମହାରାଜାଙ୍କ ପ୍ରିୟ ମୁଖମହକ ଭାବେ ପାନ ସେବନର ଏକ ସୌଖିନ ଋଚି ମୋଗଲ ସମ୍ରାଟଙ୍କଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଚାଲି ଆସିଛି। ପିକଦାନୀ ନାନାତି କଳାନୈପୁଣ୍ୟ ଖୋଦିତ ପିତଳ, କଂସା, ରୂପା ଓ ସୁନା ଆଦି ଧାତୁରେ ନିର୍ମିତ ହୋଇଥାଏ।

ଲୋକକଥା[ସମ୍ପାଦନା]

କଥାରେ ଅଛି - ‘‘ଘରେ ଖାଉଛି, ପାନ ବରଜରେ ପାଣି ଦେଉଛି।’’ ଓଡ଼ିଶାର ଅନେକ ପର୍ବପର୍ବାଣୀରେ ପାନର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ସତ୍ୟନାରାୟଣ ପୂଜା ଓ ତ୍ରିନାଥ ମେଳା ଆଦିରେ ପାନ ପ୍ରଥମେ ଦରକାର ହୋଇଥାଏ। ଘରୁ ବାହାରିଲା ବେଳେ ପାନ ଖଣ୍ଡେ ଖାଇ ବାହାରିଲେ ଯାତ୍ରାଶୁଭ ଓ କାର୍ଯ୍ୟସିଦ୍ଧି ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। ଅନ୍ୟକୁ ବଶୀଭୂତ କରିବାପାଇଁ ପାନ ଭିତରେ ବିଭିନ୍ନ ଚେରମୂଳି ଦେଇ ତାନ୍ତ୍ରିକମାନେ ପ୍ରୟୋଗ କରିବାର ଜନଶ୍ରୁତି ରହିଛି।

ଶ୍ରୀଜଗନ୍ନାଥଙ୍କ ପାନସେବା[ସମ୍ପାଦନା]

ଭୋଜନ ଅନ୍ତେ ଶ୍ରୀଜଗନ୍ନାଥଙ୍କ ଘରଣୀ, ଲକ୍ଷ୍ମୀ ଠାକୁରାଣୀ ପ୍ରଭୁଙ୍କର ମନଜାଣି ତାମ୍ବୁଳ ଭୁଞ୍ଜାଇ ଦିଅନ୍ତି ବୋଲି ଲକ୍ଷ୍ମୀ ପୁରାଣ ଓ ଜଗନ୍ନାଥ ଦର୍ଶନରେ ବର୍ଣ୍ଣିତ ଅଛି। ରାଶିପାନ, ଗଜମୋତି, ଚୂନ, ଗୁଆ, ଚୁଆ, ଚନ୍ଦନ, ମୁଖମୋହକ ପାଇଁ ଗୁଜୁରାତି, ଲବଙ୍ଗଦେଇ ଖିଲି ପ୍ରସ୍ତୁତ କରାଯିବାର ଲୋକମତ ଏବେବି ରହିଛି। ସାମାନ୍ୟ ମଣିଷଟିର ଦୈନନ୍ଦିନ ଜୀବନରେ ଯେମିତି ପାନର ଆବଶ୍ୟକତା ରହିଛି, ସେମିତି ପ୍ରଭୁ ଜଗନ୍ନାଥଙ୍କର ପାନ ସେବାର ବିଧି ରହିଛି। ବିଡ଼ିଆ ଯୋଗାଣିଆ ଛାଚିପାନ, ଗୁଆ, ଗଜମୋତି, ଚୂନ, ଚୁଆ, ଚନ୍ଦନ, କର୍ପୁର ଦେଇ ଚାରି ଚଉତା କରି ସେଥିରେ ଲବଙ୍ଗଟିଏ ଖୋସି ମହାପ୍ରଭୁଙ୍କର ପାନ ତିଆରି କରିବାର ସେବା କରିଥାନ୍ତି। ତିଆରି ହୋଇଥିବା ପାନକୁ ପ୍ରଭୁଙ୍କ ପାଖରେ ଛାଡ଼ିବାର ଦାୟିତ୍ୱ ହଡ଼ପ ନାୟକଙ୍କର। ପୂଜାପଣ୍ଡା ହଡ଼ପ ନାୟକଙ୍କଠାରୁ ପାନ ନେଇ ରୂପା ଥାଳିଆରେ ରଖି ଜୀଉଙ୍କୁ ଭୋଗ ଲଗାନ୍ତି। ଏହାପରେ କର୍ପୁର ଆଳତୀ ହୋଇଥାଏ।

ପଲ୍ଲୀଜୀବନରେ ପାନ[ସମ୍ପାଦନା]

ଓଡ଼ିଆ ପଲ୍ଲୀଜୀବନରେ ପ୍ରତିଟି କାମକର୍ଯ୍ୟ ଓ ପର୍ବପର୍ବାଣୀରେ ପାନର ଏକ ସ୍ୱତନ୍ତ୍ର ଭୂମିକା ରହିଛି। ବାହାଘର ହେଉକି ଶୁଦ୍ଧ ଘର ସବୁଛି ପାନ ଲୋଡ଼ା ହୋଇଥାଏ। ପିଲାଠାରୁ ବୁଢା ସଭିଏଁ ପାନ ଖାଇଥାନ୍ତି। ଧନୀ, ଗରିବ ନିର୍ବିଶେଷରେ ସମସ୍ତେ ପାନ ଖାଇଥାନ୍ତି। ବିଶେଷ କରି ଖାଇ ସାରିବାପନେ ପାନ ଖଣ୍ଡେ କଳରେ ନ ଜାକିଲେ ପୂର୍ଣ୍ଣତା ଆସେନାହିଁ। ଓଡ଼ିଆ ଜୀବନରେ ପାନର ଭୂମିକା ଓଡ଼ିଆ ସାହିତ୍ୟ, ଲୋକକଥା ଆଦିରେ ସ୍ପଷ୍ଟ ଦେଖାଯାଏ। ଏହାର କତିପୟ ଉଦାହରଣ ଏଠାରେ ଦିଆଗଲା।

  • କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲେଖନୀରୁ :
ମଲ୍ଲୀମାଳ ଶ୍ୟାମଙ୍କୁ ଦେବି, ମନ ତୋଷିବି
ସେ ଯେବେ କରିବେ ମାନ, ଭାଙ୍ଗି ଭୁଞ୍ଜାଇବି ପାନ
ଗଣ୍ଡରେ ଦେଇ ଚୁମ୍ବନ ହରଷ କରାଇବି॥
  • ଆଗକାଳରେ ପ୍ରେମିକା ପ୍ରେମିକର ମାନଭଞ୍ଜନ ପାଇଁ ସୋହାଗରେ ପାନଖଣ୍ଡେ ଭାଙ୍ଗି ଦେଇଥାଏ। ସମ୍ଭବତଃ ଏକଥା ରାଧାକୃଷ୍ଣ ପ୍ରେମଲୀଳାରେ ବର୍ଣ୍ଣନା କରାଯାଇଛି।
  • ସୁଖ-ଦୁଃଖ, ହସକାନ୍ଦ, ଅଭିମାନ ଆକ୍ରୋଶ ଆଦି ସବୁ ଭାବର ସାକ୍ଷୀ ଏଇ ପାନ। ପଲ୍ଲୀଗୀତରେ ଏହାର ଚଟୁଳ ଚିତ୍ର ଦେଖିବାକୁ ମିଳେ। ନାଁ ଦିଆ ଗୀତରୁ ପଦେ:
ମୁଣ୍ଡିଆ ଉପରେ ଗାଡ଼ିଆଟିଏ
ମାଛ ମାରିଗଲା ଭେଣ୍ଡିଆଟିଏ
ମୋଡ଼ିମାଡ଼ି କରି ଖାଇଲା, ରକତ ଟୋପାଏ ପଡ଼ିଲା॥
  • ଅନ୍ୟଏକ ଲୋକଗୀତ
ଚାରିଜାତି ମିଳି ଏକ ହୁଅଇ
ବେଳକାଳ ଜାଣି ରଙ୍ଗ ବହଇ
ପାଞ୍ଚରେ ଗଣନା କେବେ ନୁହଇ,
ତା’ ନ ଚିହ୍ନି କେହି ମଣିଷ ନାହିଁ॥
  • ପାନ ଓ ପ୍ରୀତିର ସଂପର୍କକୁ ଦର୍ଶାଉଥିବା ତାଳଚେର ଅଞ୍ଚଳର ‘ସଜନୀଗୀତ’
ଧନ କରିବା ପାନ ଖରଚ, ସଜନୀ ଗୋ
କଟକର ଗୁଆକାତି
ଜଙ୍ଘରେ ବସାଇ ପାନ ଖୁଆନ୍ତି ଗୋ,
ହସି ପୁହାଇ ଦିଅନ୍ତି ରାତି, ସଜନୀ ଗୋ॥
  • ପ୍ରୀତିସୂଚକ ଅନ୍ୟଏକ ଲୋକଗୀତ
ପାକଲା ପାନର ଚୂନ
ହସି ହସି କହି ମିଠା ବଚନ
ମିଠା ବଚନ ଗୋ, ଭୁଲାଉଛ ମୋର ମନ
x x x x
ଜହ୍ନ ଆସେ ଘନଘନ,
ନିଅ ଏବେ ତୁମ ବିଡ଼ିଆ ପାନ ବିଡ଼ିଆ ପାନ ଗୋ,
ମୋହିଲ ମୋହରି ମନ॥
  • ପାନ ଓ ପ୍ରୀତିକୁ ନେଇ ବଲାଙ୍ଗୀର ଅଞ୍ଚଳର ‘ଦୋଳିଗୀତ’
ଥାଳିରେ ରଖିଲି ପାନ,
ତୋହର ମୋହର ଗୋଟେ ଜୀବନ,
ଜାତି ହେଲା ଭିନ୍ନ ଭିନ୍ନ ସଜନୀ ରେ ॥
  • ମିଳନ ପରି ବିରହ ଗୀତରେ ମଧ୍ୟ ପାନର ଉଲ୍ଲେଖ ରହିଛି। ଝିଅଟିଏ ବିଦାବୋଇ ଶାଶୁ ଘରକୁ ଯିବାବେଳେ କାନ୍ଦଣାଗୀତ ଗାଇଥାଏ।
  • କେନ୍ଦୁଝର ଅଞ୍ଚଳର କାନ୍ଦଣାଗୀତ:
ଆଳୁ ପତରିଆ ମହତା ପାନ,
ତୁମକଥା ସବୁ ହେବ ସପନ,
ଜାତି ହେଲା ଭିନ୍ନ ଭିନ୍ନ ସଜନୀ ରେ ॥
  • ବାଣପୁର ଅଞ୍ଚଳର କାନ୍ଦଣାଗୀତ:
ପାନଖିଆ ପାଞ୍ଚ ଟଙ୍କା, ବୋଉଲୋ ମୋର...

ପାନଭାଙ୍ଗି କିଏ ଖୁଆଇ ଦେବ, ବୋଉଲୋ ମୋର...
  • କଟକ ଅଞ୍ଚଳର କାନ୍ଦଣାଗୀତ (ଝିଅ ମାମୁଙ୍କୁ ବାହୁନି କାନ୍ଦୁଛି):
କେଉଁ ପାନଖିଲ ଖାଇ ନଥିଲ ହେ ମାମୁ,
ପାନ ମସଲାରେ ଭୁଲି ପଡ଼ିଲ ହେ ମାମୁ...
  • ଶାଶୁବୋହୂ, ଦିଅର ଭାଉଜ, ଭାଇଭଉଣୀ ଓ ସ୍ୱାମୀସ୍ତ୍ରୀ ଆଦି ପାରିବାରିକ ସମ୍ପର୍କ ଭିତରେ ମଧ୍ୟ ପାନର ପ୍ରବେଶ ରହିଛି। ବୋହୂର ଚାଲିଚଳଣକୁ ଆକ୍ଷେପ କରି ଶାଶୁ କହୁଥିବା କଥାରେ ପାନର ଉପସ୍ଥିତିକୁ ଦେଖନ୍ତୁ:
ଶେଯରେ ନଣଠଣ ଥୁଅନ୍ତି,
ବରମାନଙ୍କ ମୁଖ ଦେଖିବାପାଇଁ,
ଶେଯରେ ପିକଦାନୀ ଧୁଅନ୍ତି ନେଇ,
ରାତିରେ ପାନପିକ କାଢ଼ିବାପାଇଁ
X X X X
କଳାଲୋ ଧଳାଲୁଗା ଦେହକୁ ମୋଟା
ବାଛି ପିନ୍ଧିଲେ ବୋହୂ ବଙ୍ଗାଳି ଫେଟା
ବଙ୍ଗାଳି ଫେଟାକୁ ଲୋ ଏ ପାନଖିଆ
ଏକାଳ ବୋହୂଙ୍କୁ ଲୋ ମାନିଲା ଏହା
ବୋହୁଙ୍କଠୁଁ ମରା ଇଂଗୋଜି ନେଲା
ରୁପେଲି ପିକଦାନୀ ବଟୁଆ ଦେଲା
ମହତ ପାନକୁ ଲୋ ଏ କଲି ଚୂନ
ବୋହୂଙ୍କ ପାନଖିଆ କଲା ଉଚ୍ଛନ୍ନ
ଜାହାଜୀ ଗୁଆକୁ ଲୋ ଏ ଗୁଜୁରାତି
ବୋହୂଙ୍କ ପାନଖିଆ ବଡ଼ ଅନିତୀ॥

କେଉଁଝର ଅଞ୍ଚଳର ଏଇ ଗୀତରେ ଦିଅରକୁ ପ୍ରଶଂସା କରି ଭାଉଜ କହେ:

ଦିଅର ମୋହର ରଜାର ପୁଅଲୋ,
ପାନ ଖିଲ ଭୁଞ୍ଜାଇଲା,
ନଣନ୍ଦ ମୋହର ପରଘରୀଟାଲୋ
ଚାଉଳ ଧୋଇ ଥୋଇଲା॥

ଆଉ ଏକ ଲୋକ ଗୀତରେ ଦିଅରକୁ ଚାଟୁ କରି ଭାଉଜ କହେ:

ଚୂନ ଖଇର ଡବା,
ପାନଭାଙ୍ଗି କରୁଥିବା ସେବା,
ବଉ ଘରକୁ ଯିବା॥

ଭଉଣୀ ନିଜ ଭାଇର ଗୁଣ ବଖାଣି କହେ:

ମୋ ଭାଇ ବସିଛି ଉଚ୍ଚ ପିଣ୍ଡାରେ, ଭଗାରୀ ବସିଛି ତଳେ
ପାନ ଖାଇ ପିକ ପକାଇ ଦେଲେରେ ପଡ଼ିଲା ଭଗାରି ଶିରେ॥
  • ଓଡ଼ିଆ ଝିଅମାନଙ୍କର ସବୁଠାରୁ ବଡ଼ ପର୍ବ ରଜପର୍ବରେ ବୋଲାଯାଉଥିବା ଦୋଳିଗୀତରେ ମଧ୍ୟ ପାନର ପ୍ରତିଫଳନ ଦେଖିବାକୁ ମିଳିଥାଏ:
କଷିଗୁଆ କଷି ପାନ,
ଗୁଜୁରାତି ଦେଇ ବିଡ଼ିଲି ମନ,
ରଜ ସଙ୍କରାନ୍ତି ଦିନ
X X X X
ପାନଭଙ୍ଗା ଖିଲିକାତି
କହି ପଠେଇଲେ ଦେଇ ପଠାନ୍ତି
କଟକିଆ ଗୁଜୁରାତି
X X X X
ତାଟିଆରେ ଭଙ୍ଗା ପାନ
ତୋରପରା ଭାଇ କରମହୀନ
ମୋ ସାଙ୍ଗେ ନାହିଁ ଲଗନ॥
  • ପାରଳାଖେମୁଣ୍ଡି ଅଞ୍ଚଳର ମହାଲକ୍ଷ୍ମୀ ଜଣାଣରେ ପାନର ବର୍ଣ୍ଣନା:
ଆଗରେ ଧାନଘର ମାଗୋ ପଛରେ ପାନ ଘର
ଲକ୍ଷ୍ମୀଥିବ ମାଗୋ ମୋହରି ଘର॥
  • ଚାଷ ଓ ପାଗବେଳ ଗୀତରେ
ଷାଠିଏ ଓଡ଼ ମୂଳା, ତହିଁରେ ଅଧ ସୁଳା
ତହିଁରେ ଅଧତୁଳା, ତହିଁରେ ଅଧ ଧାନ
ତେବେ ସେ ଚଷାଖାଏ ସୁପାରି ପାନ॥
  • ବିବାହ ଗୀତିକା ଅନ୍ତର୍ଗତ ସୀତା ବିଭା ଗୀତରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ସୀତାଙ୍କୁ ବିବାହ କରି ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ ସମୟରେ ଦୃଶ୍ୟରେ ପାନର ବର୍ଣ୍ଣନା:
ବାର ଯେ ବରଷ କରି ବଢ଼ାଇଣ ଅଛି
କ୍ଷଣକ ମାତ୍ରକେ ରାମ ଘେନି ଯାଉଛନ୍ତି
ଏତେ ବୋଲିରେ ସେ ରାମ ପାଲିଙ୍କି ଚଢିଲେ
ପାଲିଙ୍କିରେ ଚଢ଼ି ରାମ ତାମ୍ବୁଳ ଭୁଞ୍ଜିଲେ॥
  • ଆଉ କେତେଗୋଟି ପଲ୍ଲୀ ଗୀତରେ ବଙ୍ଗାଳି ପାନର ବର୍ଣ୍ଣନା:
ତୁଣ୍ଡକୁ ସୁନ୍ଦର ବଙ୍ଗାଳି ପାନ
ବିଭାହେବାପରି ଦିଶିବ ଧନ ॥
  • କଟକ ଅଞ୍ଚଳର ପୁନେଇଁ ଗୀତରେ:
ଆସୁଛନ୍ତି ପରା ମୋ ପ୍ରାଣ ଧନ
ମୁଗୁଲି ଦାନ୍ତକୁ ବଙ୍ଗାଳି ପାନ ॥

ଆଧାର[ସମ୍ପାଦନା]

  1. TM Mack (2001). "The new pan-asian paan problem". The Lancet 357 (9269): 1638–1639. doi:10.1016/S0140-6736(00)04860-1. Retrieved July 2011. 
  2. The World Health Organization IARC Expert Group. "IARC Monographs on the Evaluation of the Carcinogenic Risk of Chemicals to Humans, Vol. 37, Tobacco Habits Other than Smoking; Betel-Quid and Areca-nut Chewing; and Some Related Nitrosamines, Lyon". IARCPress. http://monographs.iarc.fr/ENG/Monographs/vol37/volume37.pdf. 
  3. IARC Working Group. "Betel-quid and areca-nut chewing and some areca-nut-derived Nitrosamines". The World Health Organization. http://monographs.iarc.fr/ENG/Monographs/vol85/mono85.pdf. 
  4. WHO Report on the Global Tobacco Epidemic, 2008: the MPOWER package. Geneva: World Health Organization. 2008. ISBN 978-92-4-159628-2. 
  5. "Areca nut use: an independent risk factor for oral cancer". BMJ, Volume 324, 6 April 2002. http://www.bmj.com/content/324/7341/799.full.pdf. 
  6. http://www3.interscience.wiley.com/cgi-bin/abstract/112687918/ABSTRACT
  7. A., Merchant; Husain SS, Hosain M, Fikree FF, Pitiphat W, Siddiqui AR, Hayder SJ, Haider SM, Ikram M, Chuang SK, Saeed SA. (2000-04-01). "Paan without tobacco: an independent risk factor for oral cancer.". International Journal of Cancer 86 (1): 128–31. doi:10.1002/(SICI)1097-0215(20000401)86:1<128::AID-IJC20>3.0.CO;2-M. PMID 10728606. 
  8. Senn et al (2009). "Betel nut chewing during pregnancy, Madang province, Papua New Guinea". Drug Alcohol Depend. 105 (1-2): 126–31. PMID 19665325. 
  9. "The effect of maternal betel quid exposure during pregnancy on adverse birth outcomes among aborigines in Taiwan". Drug Alcohol Dependency 95 (1-2): 134–139. 2008. PMID 18282667. 
  10. Dinesh Sharma (2001). "Indian betel quid more carcinogenic than anticipated". The Lancet Oncology 2 (8): 464. doi:10.1016/S1470-2045(01)00444-2. Retrieved July 2011. 

ଆହୁରି ପଢ଼ନ୍ତୁ[ସମ୍ପାଦନା]

ମାସିକ ଓଡ଼ିଆ ପତ୍ରିକା ସଚିତ୍ର ବିଜୟା, ଅପ୍ରେଲ ୧୯୯୯ ସଂଖ୍ୟା