କାନ୍ଦଣା ଗୀତ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଜଣେ ବୃଦ୍ଧା ବାହୁନା ଗୀତ ବୋଲୁଛନ୍ତି

କାନ୍ଦଣା ଗୀତ ବା ବାହୁନା ଗୀତ ଓଡ଼ିଆ ବାହାଘରର ବିଭିନ୍ନ ସମୟରେ ଘରର ପ୍ରତ୍ୟେକ ସଦସ୍ୟଙ୍କୁ ଧରି କନିଆଁ ଦ୍ୱାରା ବୋଲାଯାଉଥିବା ରୋଦନ ସଙ୍ଗୀତ । ଏହି କାନ୍ଦଣା ଆଶୁକବିତା ଉପରେ ଆଧାରିତ । ଝିଅ ନିଜ ପରିବେଶରେ ଦେଖୁଥିବା ଘଟଣା ଓ ଶାଶୂଘର ସମ୍ବନ୍ଧରେ ଯାହା ଶୁଣିଥାଏ ତାହାକୁ ଆଧାର କରି ଗୀତ ବୋଲି ପ୍ରକାଶ କରିଥାଏ । ବାହାଘର ଆଅଗରୁ ଝିଅ ଶାଶୂଘର ବାବଦରେ କିଛି ଜାଣିନଥିବା ବେଳେ ଲାଜ ହେତୁ ସେ ନିଜର ସ୍ୱାମୀ ଓ ଶାଶୂଘର ପରିବାରର ଆଉ କାହା ବିଷୟରେ କିଛି ପଚାରିବାର ସୁଯୋଗ ପାଇନଥାଏ । ଅଜଣା ପରିବେଶରେ ନୂଆ ଲୋକଙ୍କ ସହିତ କିପରି ଚଳିବ ତାହା ଝିଅଟି କାନ୍ଦଣା ବୋଲି ଜଣାଇଥାଏ । ବାହୁନିବା ପ୍ରସଙ୍ଗରେ ଝିଅମାନେ ପୌରାଣିକ ଆଖ୍ୟାୟିକାମାନ ମଧ୍ୟ ବୋଲିଥାନ୍ତି । ପରିବାରର ବୟୋଜ୍ୟୋଷ୍ଠା ନାରୀମାନେ ଝିଅମାନଙ୍କୁ ଏହି ବାହୁନା ଶିଖାଇଥାନ୍ତି । [୧] [୨] ଏକବିଂଶ ଶତାବ୍ଦୀ ବେଳକୁ ଏହି ପରମ୍ପରା ଧୀରେ ଧୀରେ ଲୋପ ପାଇବା ଆରମ୍ଭ କରିଥିଲା।[୨]

ଶବ୍ଦର ଉତ୍ପତ୍ତି[ସମ୍ପାଦନା]

"କାନ୍ଦିବା" କ୍ରିୟାପଦରୁ" କାନ୍ଦଣା" ଓ "ବାହୁନିବା" କ୍ରିୟାପଦରୁ "ବାହୁନା" ଶବ୍ଦର ଉତ୍ପତ୍ତି ହୋଇଛି ।

ଇତିହାସ[ସମ୍ପାଦନା]

କାନ୍ଦଣା ଗୀତର ଆରମ୍ଭ କେବେ ତାହା ବାବଦରେ କିଛି ବିଧିବଦ୍ଧ ନଥି ଉପଲବ୍ଧ ହୋଇନାହିଁ । ଏହା କେବଳ ଶୁଣିବା ଓ ବୋଲିବା ମାଧ୍ଯମରେ ଗୋଟିଏରୁ ଆଉ ଏକ ପିଢ଼ିକୁ ଯାଉଥିବାରୁ ଏଥି ସମ୍ବନ୍ଧରେ ବିଶେଷ ପ୍ରାମାଣିକ ତଥ୍ୟ ମିଳିପାରି ନାହିଁ । ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ଷୋଡ଼ଷ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାର ମୋଗଲ ଶାସନ ସମୟରେ ଏହାର ଆରମ୍ଭ ହୋଇଥିବା ବାବଦରେ ଉଲ୍ଲେଖ କରିଛନ୍ତି ।[୨]

ସାହିତ୍ୟରେ ଉଦ୍ଧୃତି[ସମ୍ପାଦନା]

ଓଡ଼ିଆ ସାହିତ୍ୟିକ କୁଞ୍ଜବିହାରୀ ଦାଶଙ୍କ "ପଲ୍ଲୀଗୀତ ତୃତୀୟ ଭାଗ"ରେ କାନ୍ଦଣା ଗୀତ ସମ୍ବନ୍ଧରେ ଉଲ୍ଲେଖ ରହିଛି । ଓଡ଼ିଆ ସାମାଜିକବିଦ ଚକ୍ରଧର ମହାପାତ୍ର "କାନ୍ଦଣା ଗୀତ"ରେ ଆଗ କାଳରେ ବୟସ୍କା ମହିଳାମାନେ ଗାଁ ଗାଁରେ ଝିଅମାନଙ୍କୁ କାନ୍ଦଣା ଶିଖାଉଥିଲେ ବୋଲି ଉଲ୍ଲେଖ ରହିଛି । ଯଦି ଝିଅଟିଏ ଏହା ଶିଖିବାକୁ ମନା କରୁଥିଲା ତେବେ ତାକୁ "ନିର୍ଲଜ" ବୋଲି ଭତ୍ସନା କରାଯାଉଥିଲା । [୨]

କାନ୍ଦଣା ଗୀତ ଓଡ଼ିଆ ଚଳଣିର ଏକ ସାମାଜିକ ପ୍ରଥା ଥିଲା । ସେହି ସମୟରେ କାନ୍ଦଣାକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ମିଳୁଥିଲା । ଏହି କାନ୍ଦଣା ଗୀତ କେବଳ ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଶୁଣିବାକୁ ମିଳୁଥିଲା । ତେବେ କାନ୍ଦଣା ଗୀତ କେବେ ଆରମ୍ଭ ହୋଇଥିଲା ତାହା ଆଜି ଯାଏ ଠିକ ଭାବେ ଜଣା ପଡ଼ିନାହିଁ । ମାତ୍ର ଏହା ଲୋକଗୀତ ଭାବେ ବେଶ ଆଦୃତ ହୋଇପାରିଥିଲା ।... ସମଗ୍ର ଓଡ଼ିଶାର ପୁରପଲ୍ଲୀରେ ଏହି କାନ୍ଦଣାଗୀତ ବୋଲିବା ପ୍ରଥା ରହିଥିଲା । ଏପରିକି ବିଭିନ୍ନ ପରିବେଶରେ କାନ୍ଦଣା ଭିନ୍ନ ହୋଇଥିଲେ ବି ଝିଅ ବିଦାୟ ବେଳେ କାନ୍ଦଣା ଥିଲା ସବୁଠୁ ହୃଦୟ ବିଦାରକ । ମାତ୍ର ଅନୁମାନ କରାଯାଏ ଆଧୁନିକତା ପ୍ରଭାବରେ ଏହି ପରମ୍ପରା ଧୀରେ ଧୀରେ ଲୋପ ପାଇବାକୁ ବସିଛି

—ଡକ୍ଟର ଚନ୍ଦ୍ରଶେଖର ଦାଶ[୨]

ପୂର୍ବ-ପ୍ରସ୍ତୁତି[ସମ୍ପାଦନା]

କାନ୍ଦଣା ବୋଲିବା ପ୍ରଥାଟି ପାଇଁ ବିବାହ କରିବାକୁ ଯାଉଥିବା ଝିଅଟିକୁ ବିଭିନ୍ନ ପ୍ରକାର କାନ୍ଦଣା ଶିଖିବାକୁ ପଡ଼ୁଥିଲା । ଅବସର ସମୟରେ ଝିଅମାନେ ନିଜର ମା', ଜେଜେମା, ଆଈଆଦିଙ୍କ ଠାରୁ ଶୁଣି ଶିଖୁଥିଲେ । ଗାଁରେ ହେଉଥିବା ଯାତ୍ରା ଓ ମେଳା ତଥା ବୁଲାବିକାଳିଙ୍କ ଠାରୁ ଝିଅମାନେ "ଶଶୀଦେଈ", "ଜେମାଦେଈ" ଆଦି ବହିରୁ ମଧ୍ୟ ଝିଅମାନେ କାନ୍ଦଣା ଶିଖୁଥିଲେ ।[୨]

ପ୍ରକାର ଭେଦ[ସମ୍ପାଦନା]

ବାହାଘରର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପରିବେଶକୁ ନେଇ ଅଲଗା ଅଲଗା କାନ୍ଦଣା ବୋଲାଯାଇଥାଏ ।

ପ୍ରସ୍ତାବ ଦେଖା[ସମ୍ପାଦନା]

ବିବାହ ପ୍ରସ୍ତାବ ପଡ଼ିବା ବେଳେ ଶାଶୂଘର ଓ ସେଠାର ଲୋକେ କେମିତି ହୋଇଥିବେ ଏ ବାବଦରେ ନିଜ ମନରେ ଶଙ୍କା ତିଆରି ହୋଇଥାଏ । ଏହି ଶଙ୍କାକୁ ନେଇ ଝିଅଟିଏ ନିଜ ପରିବାରର ସଦସ୍ୟଙ୍କ ଆଗରେ କାନ୍ଦଣା ବୋଲିଥାଏ । ଝିଅର ମାମୁଁ ବରବାଛିବାରେ ବୁଝାମଣା କରିଥାନ୍ତି । ଏଥିରେ ଝିଅଟିଏ ନିଜ ମାମୁଁଙ୍କୁ ଧରି କାନ୍ଦିଥାଏ ।[୨]

"ମାମୁଁ ଯେଉଁଦିନ କୁଣିଆ ଗଲ ମୋ ମାମୁଁ,
ପାନ ଖିଲେ ସିଏ ଧରାଇଦେଲେ ମୋ ମାମୁଁ,
ସେ ପାନରେ ମାମୁଁ ଭୁଲିପାରିଲ ମୋ ମାମୁଁ,
ସେଇଠି ଭାଣିଜୀ ଦେବି ଦେବି ବୋଇଲେ ମୋ ମାମୁଁ,
ଦେଖିଲ ହାତରେ ପଇସା ନାହିଁ ମୋ ମାମୁଁ,
ମୋତେ ରଖିଥିଲ ସୁଝିବା ପାଇଁ ମୋ ମାମୁଁ ।"

ନିର୍ବନ୍ଧ[ସମ୍ପାଦନା]

ନିର୍ବନ୍ଧ ସମୟରେ ଆଗରୁ ଝିଅମାନେ ବାହାରକୁ ବାହାରୁ ନ ଥିଲେ । ବିବାହ ଆଗରୁ ବର ଓ କନିଆଁ ନିଜ ନିଜକୁ ଦେଖିବାର ସୁଯୋଗ ପାଉ ନ ଥିଲେ । ମାମୁଁ, ବାପା, ଭାଇ ଆଦି ପ୍ରସ୍ତାବ ପକାଇ ବାହାଘର କରୁଥିଲେ । ଝିଅ ନିଜ ମନରେ ଭାବୀ-ବରକୁ ନେଇ ଦେଖିଥିବା ସ୍ୱପ୍ନ ଯଦି ବାସ୍ତବ ଜୀବନରେ ସତ ହୋଇ ନ ଥାଏ ତାହେଲେ ଝିଅଟିଏ ନିଜ ଭାଇ ଆଗରେ ଦୁଃଖ ପ୍ରକାଶ କରି କାନ୍ଦଣା ବୋଲିଥାଏ ।[୨]

"ଗଜ ବୋଲି ଗଧ ବାନ୍ଧି ଆଣିଲ ହେ ଭାଇ,
ଯୋଗ୍ୟ ବୋଲି କହି ଭୁଆଁ ବୁଲାଇଲ ମୋ ଭାଇ,
ବାଲି ହୁଙ୍କାକୁ ପର୍ବତ ଭାବିଲ ହେ ଭାଇ,
ଚରଣ ଧୂଳିକି ତିଳକ କଲ ମୋ ଭାଇ"
 

ବାଡ଼ୁଅ ପାଣି ଗାଧୁଆ[ସମ୍ପାଦନା]

ବାଡ଼ୁଅ ପାଣିରେ ଝିଅକୁ ଗାଧୋଇବା ପାଇଁ ଘରର ମହିଳାମାନେ ସଜବାଜ କରୁଥିବା ଦେଖି ସେ ନିଜର ବୋଉ, ଖୁଡ଼ୀ, ମାଈଁ, ଭାଉଜ ଆଦିଙ୍କୁ ଧରି କାନ୍ଦିଥାଏ ।[୨]

"ରଜ ହେଇଛି କି ସଜ କରୁଛ ମୋ ଖୁଡ଼ୀ,
ରୁଷିବସିଛି କି ବୋଧ କରୁଛ ମୋ ମାଇଁ,
ଏବେ ସବୁ ସ୍ନେହ ପାଶୋରିଦେଲ ମୋ ଆଈ,
କାନି ପଣତରୁ ଫିଟାଇଦେଲ ମୋ ମାଉସୀ,
ବାରି ବରକୋଳି ପିଲା ଖାଆନ୍ତି ଲୋ ବୋଉ,
ତୋ କୋଳରେ ଟିକେ ଆଉଜି ଥାନ୍ତି ଲୋ ବୋଉ"
 

ବରବରଣ[ସମ୍ପାଦନା]

ବର ପକ୍ଷ ଗାଁ ମୁଣ୍ଡରେ ଆସି ପହଞ୍ଚିଲେ କନ୍ୟା ପକ୍ଷ ବରକୁ ବାଟ ବରଣ କରିବାକୁ ଯାଇଥାନ୍ତି । ଏହା ଜାଣିବା ପରେ ଝିଅଟିଏ ବାପଘର ଜୀବନର ଅନ୍ତ ହେବାକୁ ଯାଉଛି ବୋଲି ଭାବି ନିଜ ବୋଉକୁ ଧରି କାନ୍ଦିଥାଏ ।

ବେଦୀକୁ ଯିବା[ସମ୍ପାଦନା]

ଆଗ କାଳରେ ଝିଅଟିଏ ବିବାହ ଆଗରୁ ବରକୁ ଦେଖିବାର ସୁଯୋଗ ପାଇନଥିବାରୁ ମନରେ ଭାବୀ ସ୍ୱାମୀକୁ ନେଇ ମନରେ ସ୍ୱପ୍ନ ଦେଖିଥାଏ । ବର ଆସି ପହଞ୍ଚିବା ପରେ ସେ ଯଦି ବରର ଝଲକ ଦେଖିବାକୁ ପାଇଥାଏ ଓ ବର ତା ସ୍ୱପ୍ନର ପୁରୁଷ ପରି ହୋଇନଥାଏ, ତେବେ ସେ ତା ବାନ୍ଧବୀ ବା ବୋଉକୁ ଧରି କାନ୍ଦିଥାଏ ।[୨]

"ଟଙ୍କା ବାର କୋଡ଼ି ଅଙ୍ଗାର ହେବ ବୋଉଲୋ ,
ଦାନ୍ତ ନାହିଁ ବୁଢ଼ା ପାକୁଆ ପାଟି ବୋଉଲୋ ,
ବେଦୀରେ ବସିଛି ଆଖି ତରାଟି ମୋ ବୋଉଲୋ ।"
 

ଝିଅ ବିଦା[ସମ୍ପାଦନା]

ଝିଅଟିଏ ଶାଶୂଘରକୁ ଯିବା ଆଗରୁ ସେଠାର ଲୋକ ଓ ପରିବେଶ ବାବଦରେ ଅଜ୍ଞ ଥାଏ । ସେ ଶାଶୂଘରେ ଜୀବନ ଖୁବ କଷ୍ଟକର ହେବ ବୋଲି ମନ ଭିତରେ ଥିବା ଭୀତି କାନ୍ଦଣା ମାଧ୍ୟମରେ ବୋଲି ପ୍ରକାଶ କରିଥାଏ ।

"ଗର୍ଭେ ଦଶମାସ ତୁ ଧରିଥିଲୁ ମୋ ବୋଉ,
ଦିନେ ମର ବୋଲି କହି ନଥିଲୁ ମୋ ବୋଉ,
ମୁଁ ସହି ନଥିଲି ତୁମ ବଚନ ମୋ ବୋଉ,
କିପରି ସହିବି ପରବଚନ ମୋ ବୋଉ ।"

ଏହି ସମୟରେ ଝିଅଟିଏ ନିଜର ଆତ୍ମୀୟ, ବାନ୍ଧବୀଆଦିଙ୍କୁ ଧରି କାନ୍ଦିଥାଏ । ଏହି କାନ୍ଦଣା ମାଧ୍ୟମରେ ସେ ନିଜର ଆତ୍ମୀୟମାନଙ୍କ ଠାରୁ ଦୂରେଇ ଯିବାର ବେଦନାରେ ବାପଘରେ କଟାଇଥିବା ସୁଖର ଦିନ, ସାଙ୍ଗସାଥିଙ୍କ ମେଳରେ କତାଇଥିବେ ପିଲାଦିନ, ପୂଜା-ପର୍ବ, ମେଳା-ମଉଚ୍ଛବ ଆଦିର ଖୁସିକୁ ହରାଇବା କାନ୍ଦଣାରେ ପ୍ରକାଶ କରିଥାଏ ।

ବୋଉକୁ ଧରି କାନ୍ଦଣା:

"ପେଟ ଦରଜ କି ପିଠି ଜାଣିବ ଲୋ ବୋଉ,
ମୋର ଦରଜ କି ପର ଜାଣିବ ଲୋ ବୋଉ ।"

ସାଙ୍ଗସାଥିଙ୍କୁ ଧରି କାନ୍ଦଣା:

ଭାଦ୍ରବ ମାସରେ ଖୁଦୁରୁକୁଣୀ ଲୋ ସାଙ୍ଗ,
ଶନିବାର ଦିନ ଦେବ ଖବର ଲୋ ସାଙ୍ଗ,
ରବିବାର ଦିନ ହେବି ହାଜର ଲୋ ସାଙ୍ଗ,
ତୁମ ଆମ ମେଳ ଗାଧୁଆ ତୁଠରେ ମୋ ସାଙ୍ଗ,
ଆମ ମେଳ ବାପା ଭାଇ ଭାଙ୍ଗିଲେ ମୋ ସାଙ୍ଗ ।"

[୨]

ଉଦାହରଣ[ସମ୍ପାଦନା]

ଏ ତୁଠେ ମଦରଙ୍ଗ ଅତୁଠେ କଇଁଆ,
ଏ ମୋ ବାପା ଭାଇ ଏ କି ବାଣ ମାଇଲ,
ଦେଶରେ ଥାଇ ଓ ମୋ ବାପା ଭାଇ,
ଏ ଲଙ୍କାରୁ ଅସୁର ବିଲଙ୍କା କୁକୁର,
ଆସିଲେ ଧାଇଁ ଓ ମୋ ବାପା ଭାଇ,
ତୁମ ସଙ୍ଗେ ରଣ କରିବା ପାଇଁ ଓ ମୋ ବାପା ଭାଇ,
ରଣ କରୁଥିଲ ରାଜଦାଣ୍ଡରେ ଓ,
ଗୋଡ଼ ଖସିଗଲା ନେଳା ଦାଣ୍ଡରେ ଓ ମୋ ବାପା ଭାଇ,
ନେଳା କି ନଥିଲା ନେଳୁଣୀ ଥିଲା ଓ ମୋ ବାପା ଭାଇ,
ସାତ ଢାଳେ ପାଣି ଦାଣ୍ଡେ ଥୋଇଲା ଓ ମୋ ବାପା ଭାଇ,
ସାତ ଖଣ୍ଡ ପାନ ଭାଙ୍ଗି ଆଣିଲା ଓ ମୋ ବାପା ଭାଇ,
ପ୍ରଥମ ପାନରେ କି ଚୂନ ଦେଲା ଓ ମୋ ବାପା ଭାଇ,
ଦ୍ୱିତୀୟ ପାନରେ କି ଗୁଆ ଦେଲା ଓ ମୋ ବାପା ଭାଇ,
ତୃତୀୟ ପାନରେ କି ଗୁଣ୍ଡି ଦେଲା ଓ ମୋ ବାପା ଭାଇ,
ତାକୁ ଖାଇ ମୁଣ୍ଡ ଭରମି ଗଲା ଓ ମୋ ବାପା ଭାଇ,
ଏକା ପଦକରେ ଜବାବ ଦେଲ ଓ ମୋ ବାପା ଭାଇ,
ଜବାବରୁ ପଦେ ଶୁଣିଥାନ୍ତି ଓ ମୋ ବାପା ଭାଇ,
ମିଛେ ବୁଲୁଥିଲ ଦେଶ ଦୁନିଆ ଓ ମୋ ବାପା ଭାଇ,
ଫେରିଯାଉ ତାର ମଟର ଗାଡ଼ି ଓ ମୋ ବାପା ଭାଇ ।

କଉ ମାଛ କଣ୍ଟା ତିନି ସରିଆ ଲୋ ଏ ମୋର ବୋଉ,
ପାଖେ ତ ମୁଣ୍ଡୁର ପାଖେ ତ ଦରିଆ ଲୋ ଏ ମୋର ବୋଉ,
ସମୁଦ୍ର ମଝିରେ କି ବନ୍ଦା ଦେବୁ ଲୋ ଏ ମୋର ବୋଉ,
ନିମ୍ବ ଗଛ ମୂଳେ ନିତି ଆଣି ଢାଳିଲେ,
ସତେ କଣ ନିମ୍ବ ଦାରୁ ହୋଇବ ଲୋ ଏ ମୋର ବୋଉ,
ମାଲ୍ୟାଣୀ ପାଖରେ ବଚନ ଖଞ୍ଜିଲେ,
ସତେ କି ମାଲ୍ୟାଣୀ ମାଆ ହୋଇବ ଲୋ ଏ ମୋର ବୋଉ,
ମାଲ୍ୟାଣୀ ଯେମନ୍ତ ମାଆ ହୁଅନ୍ତା ଲୋ ଏ ମୋର ବୋଉ,
ଗର୍ଭଧାରୀ କାହୁଁ ଖୋଜା ପଡ଼ନ୍ତା ଲୋ ଏ ମୋର ବୋଉ,
ଦୁବ ବଢ଼ୁଥିଲା କାକର ଖାଇ ଲୋ ଏ ମୋର ବୋଉ,
ମୁଁ ତ ବଢ଼ୁଥିଲି ଅଲିଅଳ ହୋଇ ଲୋ ଏ ମୋର ବୋଉ,
ଦୁବକୁ କାକର ସହିଲା ନାଇଁ ଲୋ ଏ ମୋର ବୋଉ,
ମୋର ଅଲିଅଳ କି ରହିଲା ନାଇଁ ଲୋ ଏ ମୋର ବୋଉ,
ମୁଁ ତ ଅଭାଗିନୀ, ଜନମ ଦୁଃଖିନୀ,
ଜନ୍ମ ହେଲା ବେଳେ ଗ୍ରାମକୁ ଶୁଭିଲା ଲୋ ଏ ମୋର ବୋଉ ।।

ଆଧାର[ସମ୍ପାଦନା]