କଡ଼କନାଥ
କଡ଼କନାଥ ମଧ୍ୟ-ଭାରତରେ ଦେଖାଯାଉଥିବା ଏକ ପ୍ରକାରର କୁକୁଡ଼ା ପ୍ରଜାତି । ଏହାକୁ ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ରାଜ୍ୟରେ ସ୍ଥାନୀୟ ଭାଷାରେ କାଲି ମାସୀ (ଅର୍ଥାତ୍ କଳା ମାଂସଯୁକ୍ତ କୁକୁଡ଼ା) ବୋଲି ମଧ୍ୟ କୁହନ୍ତି ।[୧] ଏହି କୁକୁଡ଼ାର ବିଶେଷତା ହେଲା ଯେ ଏହାର ଶରୀରର ରଙ୍ଗ, ମାଂସ, ଗୋଡ଼, ନଖ, ଥଣ୍ଟ, ଲାଞ୍ଜ, ଭିତର ପଟର ପର, ଏପରିକି ଜିଭର ରଙ୍ଗ ମଧ୍ୟ କଳା । ଏହି କୁକୁଡ଼ାର ମାଂସରେ ମେଦ ଅଂଶ କମ୍, ଏହାର ପୁଷ୍ଟିସାର ପରିମାଣ ଖୁବ୍ ଅଧିକ ଓ କଲେଷ୍ଟ୍ରଲ୍ ଅଂଶ ମଧ୍ୟ ବହୁତ କମ୍ । ତେଣୁ ଏହି କୁକୁଡ଼ା ମାଂସର ବଜାରରେ ବହୁତ ଚାହିଦା ରହିଥାଏ । ଏହି କୁକୁଡ଼ାର ମାଂସର ଦାମ୍ ସାଧାରଣ ବ୍ରଏଲର୍ କୁକୁଡ଼ା ମାଂସର ଦାମ୍ର ପ୍ରାୟ ୩-୪ ଗୁଣ ପର୍ଯ୍ୟନ୍ତ ହୋଇଥାଏ । ଅନ୍ୟ କୁକୁଡ଼ା ପ୍ରଜାତିରେ ମେଦର ପରିମାଣ ୧୩-୨୫% ପର୍ଯ୍ୟନ୍ତ ହୋଇଥିବା ବେଳେ କଡ଼କନାଥ କୁକୁଡ଼ାରେ ମେଦର ପରିମାଣ ମାତ୍ର ୦.୭୩-୧.୦୩% ପର୍ଯ୍ୟନ୍ତ ହୋଇଥାଏ ।
ଭାରତର ମଧ୍ୟ ପ୍ରଦେଶ ରାଜ୍ୟର ଝାବୁଆ ଜିଲ୍ଲାରେ ଏହି କୁକୁଡ଼ାର ସୃଷ୍ଟି ବୋଲି ଭୌଗୋଳିକ ପରିଚୟ ମାନ୍ୟତା (Geographical Indication Tag – ଜିଆଇ ମାନ୍ୟତା) ମିଳିଛି । ୨୦୧୮ ମସିହା ଜୁଲାଇ ୩୦ ତାରିଖରେ ଭାରତ ସରକାର ଏହି ମାନ୍ୟତା ପ୍ରଦାନ କରିଥିଲେ ।[୨] ଭାରତରେ ଜୀବଜନ୍ତୁଙ୍କ ପାଇଁ ଏପରି ଜିଆଇ ମାନ୍ୟତା ମିଳିବାରେ ଏହା ପ୍ରଥମ ଉଦାହରଣ । ତେବେ କଡ଼କନାଥର ଜିଆଇ ମାନ୍ୟତା ପାଇଁ ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିଲା ।[୩] ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କରେ ମଧ୍ୟ କଡ଼କନାଥ ଖୁବ୍ ଲୋକପ୍ରିୟ । ଇଣ୍ଡୋନେସିଆରେ ମଧ୍ୟ କଡ଼କନାଥର ଏକ ପ୍ରଜାତି ଦେଖାଯାନ୍ତି । ସେଠାକାର ସ୍ଥାନୀୟ ଲୋକେ ଏହି କୁକୁଡ଼ାକୁ “ଅୟାମ୍ ସେମାନି” ବୋଲି କହିଥାନ୍ତି ।
ପ୍ରଜାତିର ବିଶେଷତା
[ସମ୍ପାଦନା]କଡ଼କନାଥ କୁକୁଡ଼ାର ମାଂସ ଅତି ସୁସ୍ୱାଦୁ ।[୪] ଏହି କୁକୁଡ଼ାର ମାଂସ ଶରୀରକୁ ସତେଜ ଓ ସବଳ କରେ ବୋଲି ବିଶ୍ୱାସ କରାଯାଏ ।[୫] ଶରୀରରେ ଅତି ମାତ୍ରାର ମେଲାନିନ୍ ଯୋଗୁଁ ଏହି କୁକୁଡ଼ାର ରଙ୍ଗ କଳା ହୋଇଥାଏ ।[୧]
କଡ଼କନାଥ ମାଂସର ଔଷଧୀୟ ଓ ପୌଷ୍ଟିକ ଗୁଣ
[ସମ୍ପାଦନା]ଏକ ସାଧାରଣ ପକ୍ଷୀ ବା କୁକୁଡ଼ା ମାଂସରେ ୧୮-୨୦% ପୁଷ୍ଟିସାର ରହିଥିବା ବେଳେ କଡ଼କନାଥ ମାଂସରେ ପୁଷ୍ଟିସାର ମାତ୍ରା ୨୫%ରୁ ଅଧିକ ହୋଇଥାଏ । ଗବେଷଣାରୁ ଜଣାଯାଇଛି ଯେ ଅନ୍ୟ କୁକୁଡ଼ା ପ୍ରଜାତିରେ ମେଦର ପରିମାଣ ୧୩-୨୫% ପର୍ଯ୍ୟନ୍ତ ହୋଇଥିବା ବେଳେ କଡ଼କନାଥ କୁକୁଡ଼ାରେ ମେଦର ପରିମାଣ ମାତ୍ର ୦.୭୩-୧.୦୩% ପର୍ଯ୍ୟନ୍ତ ହୋଇଥାଏ । କଡ଼କନାଥ ମାଂସରେ ୧୮ ପ୍ରକାରର ଆମିନୋଏସିଡ୍ ବହୁ ମାତ୍ରାରେ ରହିଛି ଯେଉଁଥିରୁ ୮ଟି ଆମିନୋଏସିଡ୍ ମନୁଷ୍ୟ ଶରୀର ପାଇଁ ଖୁବ୍ ଲାଭଦାୟକ । ଜୀବସାର (ଭିଟାମିନ୍) ବି୧, ବି୨, ବି୬, ବି୧୨, ସି, ଇ, ନାୟାସିନ୍, ପୁଷ୍ଟିସାର, ସ୍ନେହସାର, କ୍ୟାଲ୍ସିୟମ୍, ଫସ୍ଫରସ୍, ଲୌହ, ନିକୋଟିନିକ୍ ଏସିଡ୍ ପରି ଅନେକ ମହତ୍ତ୍ୱପୂର୍ଣ୍ଣ ଉପାଦାନ କଡ଼କନାଥର ମାଂସରୁ ମିଳିଥାଏ ।
ହୋମିଓପାଥି ଔଷଧରେ କଡ଼କନାଥର ବ୍ୟବହାର ରହିଛି । ବିଶେଷ କରି ସ୍ନାୟୁ ରୋଗରେ କଡ଼କନାଥ ଅତ୍ୟନ୍ତ ଲାଭ ପ୍ରଦାୟକ ବୋଲି ବିଶ୍ୱାସ କରାଯାଏ । ଆଦିମ ଜନଜାତିର ଲୋକମାନେ ମସ୍ତିଷ୍କ ଓ ସ୍ନାୟୁ ରୋଗରୁ ଆରୋଗ୍ୟ ଲାଭ କରିବା ପାଇଁ କଡ଼କନାଥର ରକ୍ତରୁ ତିଆରି ଔଷଧ ପିଅନ୍ତି । କଡ଼କନାଥର ମାଂସ ପୌରୁଷତ୍ୱ ଓ ସଂମ୍ଭୋଗ ଶକ୍ତି ପ୍ରଦାନ କରେ ବୋଲି ଆଦିମ ଜନଜାତିର ଲୋକେ ବିଶ୍ୱାସ କରନ୍ତି । ବିଶେଷଜ୍ଞମାନଙ୍କ ମତରେ ଭାଏଗ୍ରା ଓ ସିଲ୍ଡେନେଫିଲ୍ ସାଇଟ୍ରେଟ୍ ପରି ଔଷଧ ମଧ୍ୟ ହୃତ୍ପିଣ୍ଡକୁ ରକ୍ତ ପ୍ରବାହ ବଢ଼ାଇଥାଏ ଓ ପୁରୁଷକୁ ଅଧିକ ସମୟ ପର୍ଯ୍ୟନ୍ତ କାମୋତ୍ତେଜିତ କରି ରଖିବାରେ ସାହାଯ୍ୟ କରେ । କଡ଼କନାଥର ମେଲାନିନ୍ର କଳା ରଙ୍ଗ କଣିକା ହୃତ୍ପିଣ୍ଡକୁ ରକ୍ତ ପ୍ରବାହ ବୃଦ୍ଧି କରାଇଥାଏ । କଡ଼କନାଥ ମାଂସ ମହିଳାଙ୍କ ଅସ୍ୱାଭାବିକ ଋତୁସ୍ରାବ, ବନ୍ଧ୍ୟାତ୍ୱ, ବାରମ୍ବାର ଗର୍ଭପାତ ହେବା ପରି ସମସ୍ୟାରେ ବହୁ ଲାଭ ପ୍ରଦାୟକ ହୋଇଥାଏ ।[୬]
ରଙ୍ଗ
[ସମ୍ପାଦନା]ଏହି କୁକୁଡ଼ାର ରଙ୍ଗ ସମ୍ପୂର୍ଣ୍ଣ କଳା । ଏହାର ଗୋଡ଼, ନଖ, ଥଣ୍ଟ, ଜିଭ, ଚୂଳ, ମାଂସ, ହାଡ଼ ଓ ଶରୀରର ବିଭିନ୍ନ ଆଭ୍ୟନ୍ତରୀଣ ଅଙ୍ଗ ମଧ୍ୟ କଳା ରଙ୍ଗର । କଡ଼କନାଥ ଗଞ୍ଜାର ଓଜନ ୨ରୁ ୨.୫ କିଲୋଗ୍ରାମ୍ ଏବଂ କଡ଼କନାଥ ମାଈ କୁକୁଡ଼ାର ଓଜନ ୧.୫ରୁ ୨ କିଲୋଗ୍ରାମ୍ ମଧ୍ୟରେ ହୋଇଥାଏ । କୁକୁଡ଼ାମାନେ ଅଳ୍ପ ମଇଳା ଧଳା ରଙ୍ଗର ଅଣ୍ଡା ଦେଇଥାନ୍ତି । ଅଣ୍ଡା ଦେବା ପରେ କଡ଼କନାଥ କୁକୁଡ଼ାମାନେ ନିଜ ଅଣ୍ଡା ଉଷୁମାଇ ଛୁଆ ଜନ୍ମ କରିବାରେ ସେତେ ଉତ୍ସାହ ଦେଖାନ୍ତି ନାହିଁ । ଅଣ୍ଡାଗୁଡ଼ିକ ହାରାହାରି ୪୫ ଗ୍ରାମ୍ ଓଜନର ହୋଇଥାଏ ।
ବିଲୁପ୍ତ ହେବାର ଆଶଙ୍କା
[ସମ୍ପାଦନା]ଏହି କୁକୁଡ଼ାକୁ ବହୁ ସଂଖ୍ୟାରେ ଖାଇବା ପାଇଁ ଉପଯୋଗ କରାଯାଉଥିବାରୁ ଏମାନଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଏମାନଙ୍କୁ ବିଲୁପ୍ତ ହେବାରୁ ବଞ୍ଚାଇବା ପାଇଁ ମଧ୍ୟ ପ୍ରଦେଶ ସରକାର ଦାରିଦ୍ର୍ୟ ସୀମାରେଖା ତଳର ଲୋକଙ୍କୁ କଡ଼କନାଥ କୁକୁଡ଼ା ଚାଷ କରିବାର ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି ।[୫] ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ବେସରକାରୀ ଭାବେ କଡ଼କନାଥ ଚାଷ କରାଯାଉଛି ।
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Indigenous Stock". 26 May 2009. Archived from the original on 26 May 2009. Retrieved 1 January 2019.
{{cite web}}
: CS1 maint: bot: original URL status unknown (link) - ↑ "Famous Kadaknath chicken meat from Jhabua of MP gets Geographical Indication tag". The Financial Express (in ଆମେରିକୀୟ ଇଂରାଜୀ). 2018-08-02. Retrieved 2018-08-04.
- ↑ "Why MP and Chhattisgarh are fighting over Kadaknath chicken". Economic Times (in ଆମେରିକୀୟ ଇଂରାଜୀ). 2018-03-19.
- ↑ Belsare, R. M.; S.G. Narayankhedkar (2004). "Relative selection efficiency and expected selection estimates in Kadakanath breed of poultry". The Journal of Bombay Veterinary College. 12 (1and2): 64.
- ↑ ୫.୦ ୫.୧ Mahapatra, Dhananjay (2008-11-26). "For 'kadaknath' lovers, party no bar". The Times of India. Retrieved 2009-05-28.[permanent dead link]
- ↑ "Kadaknath Breed".