ଏଡା ଲଭ୍‌ଲେସ୍‌

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏଡା ଲଭ୍‌ଲେସ୍‌
Ada Lovelace portrait.jpg
ଏଡା କିଙ୍ଗ, କାଉଣ୍ଟେସ୍‌ ଅଫ୍ ଲଭ୍‌ଲେସ୍‌, ୧୮୪୦
ଜନ୍ମ ଓ ଜନ୍ମସ୍ଥାନ ଅଗଷ୍ଟା ଏଡା ବାଇରନ୍‌
୧୦ ଡିସେମ୍ବର ୧୮୧୫(1815-12-10)
ଲଣ୍ଡନ, ଇଂଲଣ୍ଡ
ମୃତ୍ୟୁ ୨୭ ନଭେମ୍ବର, ୧୮୫୨ (୩୬ ବର୍ଷ)
ମାରିଲ୍‌ବୋନ, ଲଣ୍ଡନ, ଇଂଲଣ୍ଡ
ସମାଧି  ସ୍ଥଳ ସେଣ୍ଟ ମ୍ୟାରୀ ମାଗ୍‌ଡାଲିନ୍‌ ଚର୍ଚ୍ଚ, ହକ୍‌ନଲ;, ନଟିଂହାମ୍‌, ଇଂଲଣ୍ଡ
ଶୀର୍ଷକ କାଉଣ୍ଟେସ୍‌ ଅଫ୍‌ ଲଭ୍‌ଲେସ୍‌
ଜୀବନସାଥି ୱିଲିଅମ୍‌ କିଙ୍ଗ-ନୋଏଲ, ୧ମ ଆର୍ଲ୍‌ ଅଫ୍‌ ଲଭ୍‌ଲେସ୍‌
ସନ୍ତାନ
  • ବାଇରନ୍‌ କିଙ୍ଗ- ନୋଏଲ୍‌, ଭିସ୍କାଉଣ୍ଟ ଓଖାମ୍‌ ଓ ୧୨ୟ ବାରନ୍‌ ୱେଣ୍ଟୱର୍ଥ
  • ଆନେ ବ୍ଲଣ୍ଟ, ୧୫ତମ ବାରୋନେସ ୱେଣ୍ଟୱର୍ଥ
  • ରାଲ୍‌ଫ କିଙ୍ଗ-ମିଲ୍‌ବାଙ୍କେ, ୨ୟ ଆର୍ଲ୍‌ ଅଫ୍‌ ଲଭ୍‌ଲେସ୍‌
ବାପା ମା

ଅଗଷ୍ଟା ଏଡା କିଙ୍ଗ, କାଉଣ୍ଟେସ୍‌ ଅଫ୍‌ ଲଭ୍‌ଲେସ୍‌ (୧୦ ଡିସେମ୍ବର ୧୮୧୫-୨୭ ନଭେମ୍ବର ୧୮୫୨, ଜନ୍ମନାମ - ଅଗଷ୍ଟା ଏଡା ବାଇରନ୍‌) ଜଣେ ବ୍ରିଟିଶ ଗଣିତଜ୍ଞ ଥିଲେ ଏବଂ ଏଡା ଲଭ୍‌ଲେସ୍‌ ନାମରେ ଜଣାଶୁଣା । ସେ ମୁଖ୍ୟତଃ ଭାବେ ଚାର୍ଲସ୍‌ ବ୍ୟାବେଜ୍‌ଙ୍କଦ୍ୱାରା ଆଦ୍ୟ ନିର୍ମିତ ଯାନ୍ତ୍ରିକ କମ୍ପ୍ୟୁଟର ଆନାଲିଟିକାଲ୍‌ ଇଞ୍ଜିନ ଉପରେ ଅନେକ କାର୍ଯ୍ୟ କରିଥିଲେ । ତାଙ୍କଦ୍ୱାରା ପ୍ରସ୍ତୁତ ନୋଟ୍‌ ବା ତମସୁକ ଗୁଡ଼ିକୁ କୌଣସି ଏକ ଯନ୍ତ୍ର ବା ମେସିନ ଉଦ୍ଦେଶ୍ୟରେ ଲିଖିତ ପ୍ରଥମ ଆଲ୍‌ଗୋରିଦମ୍ ବୋଲି ମାନ୍ୟତା ମିଳିଛି ଏବଂ ସେଥି ନିମନ୍ତେ ଏଡାଙ୍କୁ ପୃଥିବୀର ପ୍ରଥମ କମ୍ପ୍ୟୁଟର ପ୍ରୋଗ୍ରାମର କୁହାଯାଇଥାଏ ।[୧][୨][୩]

ଏଡା ଲଭ୍‌ଲେସ୍‌ଙ୍କ ଜନ୍ମ ୧୦ ଡିସେମ୍ବର ୧୮୧୫ରେ ପ୍ରସିଦ୍ଧ ଇଂରାଜୀ କବି ଲର୍ଡ ବାଇରନ୍‌ ଓ ଆନେ ଇଜାବେଲା ବାଇରନ୍‌ଙ୍କ ଔରସରୁ ହୋଇଥିଲା ।[୪] ଏଡାଙ୍କ ଜନ୍ମର ଏକମାସ ପରେ ତାଙ୍କ ବାପା, ମାଆଙ୍କ ଠାରୁ ଅଲଗା ହୋଇଯାଇଥିଲେ ଓ ଚାରିମାସ ପରେ ଇଂଲଣ୍ଡ ଛାଡ଼ି ଚାଲିଯାଇଥିଲେ; ଏବଂ ଶେଷରେ "ଗ୍ରୀକ୍‌ ସ୍ୱାଧୀନତା ସଂଗ୍ରାମ" ସମୟରେ ରୋଗରେ ପୀଡ଼ିତ ହୋଇ ଏଡାଙ୍କୁ ୮ ବର୍ଷ ହୋଇଥିବା ସମୟରେ ମୃତ୍ୟୁବରଣ କରିଥିଲେ । ଏଡାଙ୍କ ମାଆ ଲର୍ଡ ବାଇରନ୍‌ଙ୍କ ପ୍ରତି ତିକ୍ତତା ହେତୁ ଏଡାଙ୍କୁ ତାଙ୍କଠାରୁ ଦୂରେଇ ରଖିବାକୁ, ଏଡାଙ୍କୁ ଗଣିତ ଓ ତର୍କ ପଢ଼ିବାକୁ ଅଧିକା ଉତ୍ସାହିତ କରିଥିଲେ । ଏହା ସତ୍ତ୍ୱେ ଏଡା ନିଜ ବାପାଙ୍କ ପ୍ରତି ଆଗ୍ରହ ରଖିଥିଲେ (ଏବଂ ନିଜର ଶେଷ ଇଚ୍ଛା ଅନୁସାରେ, ନିଜ ବାପାଙ୍କ ସମାଧି କଡ଼ରେ ସମାଧି ନେବାର ଅଭିଳାଷ ପୂରଣ କରିଥିଲେ ।)

ଏଡା ନିଜର ଦୃଷ୍ଟିକୋଣକୁ "କାବ୍ୟିକ ବିଜ୍ଞାନ(poetical science)"[୫] ଓ ନିଜକୁ ଜଣେ "ବିଶ୍ଳେଷିକା (ଓ ତତ୍ତ୍ୱଜ୍ଞାନୀ)[୬] ଭାବେ ବର୍ଣ୍ଣନା କରିଛନ୍ତି । ଆଦ୍ୟ ଯୌବନରେ ନିଜର ଗଣିତ ପ୍ରତିଭା ହେତୁ ସମସାମୟିକ ବ୍ରିଟିଶ ଗଣିତଜ୍ଞ ଚାର୍ଲସ୍‌ ବ୍ୟାବେଜ୍‌ଙ୍କ ସହିତ ତାଙ୍କର ସଂପର୍କ ଓ ବନ୍ଧୁତା ଥିଲା, ଏବଂ ବିଶେଷ ଭାବେ ସେ ଚାର୍ଲସ୍‌ ବ୍ୟାବେଜ୍‌ ଆନାଲିଟିକାଲ୍‌ ଇଞ୍ଜିନ ଉପରେ କରିଥିବା ଗବେଷଣା ପ୍ରତି ଅଧିକ ଆକର୍ଷିତ ହୋଇଥିଲେ । ୧୮୪୨-୪୩ ମଧ୍ୟରେ ସେ "ଫେଡେରିକୋ ଲୁଇଗି ମେନାବ୍ରିଆ" ନାମକ ଜଣେ ଇଟାଲୀୟ ସେନାବାହିନୀର ଇଞ୍ଜିନିୟରଙ୍କ କାମକୁ ଅନୁବାଦ କରିଥିଲେ, ଏବଂ ନିଜର ଏକ ବିସ୍ତୃତ ନୋଟ୍‌ ପ୍ରଦାନ କରିଥିଲେ । ଏହି ନୋଟ୍‌ରେ ମେସିନ୍‌ ନିମନ୍ତେ ଲିଖିତ ପ୍ରଥମ ପ୍ରୋଗ୍ରାମ ରହିଥିବାର ବିଶ୍ୱାସ କରାଯାଏ । ଏଡାଙ୍କ ନୋଟ୍‌ ଗୁଡ଼ିକୁ କମ୍ପ୍ୟୁଟରର ଆଦ୍ୟ-ଇତିହାସ ଦୃଷ୍ଟିରୁ ଅତି ଗୁରୁତ୍ତ୍ୱପୂର୍ଣ୍ଣ ମନେକରାଯାଏ ଓ ସେ କମ୍ପ୍ୟୁଟର କେବଳ ସଂଖ୍ୟାଗଣନା ନ କରି ଅନ୍ୟ କାମ ପାଇଁ ଉପଯୋଗୀ ହୋଇପାରିବ ବୋଲି ମଧ୍ୟ କଳ୍ପନା କରିଥିଲେ ।[୭] ତାଙ୍କର କାବ୍ୟିକ ବିଜ୍ଞାନ ଦୃଷ୍ଟିକୋଣ ଆନାଲିଟିକାଲ୍‌ ଇଞ୍ଜିନ ଉପରେ ଅନେକ ପ୍ରଶ୍ନ ଉଠାଇଥିଲା ଏବଂ ସମାଜ ଓ ବ୍ୟକ୍ତିବିଶେଷ ମଧ୍ୟରେ ଟେକ୍‌ନୋଲୋଜି ବା ପ୍ରଯୁକ୍ତି ବିଦ୍ୟା କିପରି ଭାବେ ସହଯୋଗୀ ହୋଇପାରିବ ସେ ଉପରେ ଅନେକ ପରୀକ୍ଷା ହୋଇଥିଲା ।[୮]

ଜୀବନୀ[ସମ୍ପାଦନା]

ବାଲ୍ୟ ଜୀବନ[ସମ୍ପାଦନା]

ଏଡା ଲଭ୍‌ଲେସ୍‌ଙ୍କ ଜନ୍ମ ୧୦ ଡିସେମ୍ବର ୧୮୧୫ରେ ଇଂରାଜୀ କବି ଜର୍ଜ ଗର୍ଡନ୍‌ ବାଇରନ୍‌, ୬ଷ୍ଠ ବାରନ୍‌ ବାଇରନ୍‌, ଓ ଆନେ ଇଜାବେଲା "ଆନାବେଲା" ମିଲ୍‌ବାଙ୍କେ ବାରୋନେସ୍‌ ବାଇରନ୍‌ଙ୍କ ଔରସରୁ ଅଗଷ୍ଟା ଏଡା ବାଇରନ୍‌ ନାମରେ ହୋଇଥିଲା ।[୯] ଜର୍ଜ ବାଇରନ୍‌ ଏକ ପୁତ୍ର ସନ୍ତାନର ଆଶା ପୋଷଣ କରିଥିଲେ ଓ ସ୍ତ୍ରୀ କନ୍ୟା ସନ୍ତାନ ଜନ୍ମ ଦେଇଥିବାରୁ ନିରାଶ ହୋଇଥିଲେ ।[୧୦] ଅଗଷ୍ଟାଙ୍କ ନାମକରଣ ବାଇରନ୍‌ଙ୍କ ସାବତ ଭଉଣୀ ଅଗଷ୍ଟା ଲିଃଙ୍କ ନାମ ଅନୁସାରେ ହୋଇଥିଲା ଓ ବାଇରନ୍ ତାଙ୍କୁ "ଏଡା" ନାମରେ ସମ୍ବୋଧନ କରୁଥିଲେ ।[୧୧]

ଚାରି ବର୍ଷୀୟ ଏଡା

ଜାନୁଆରୀ ୧୬, ୧୮୧୬ରେ ଆନାବେଲା ନିଜ ପିତାମାତାଙ୍କ କଥାରେ, ତାଙ୍କ କିର୍କବି ମାଲୋରି ସ୍ଥିତ ନିଜ ଘରକୁ ଏକମାସର ଏଡାଙ୍କୁ ଧରି ଚାଲିଯାଇଥିଲେ ।[୧୦] ସେ ସମୟର ବ୍ରିଟିଶ ନିୟମ ଅନୁଯାୟୀ ବିବାହ ବିଚ୍ଛେଦ କ୍ଷେତ୍ରରେ ବାପାମାନେ ନିଜ ସନ୍ତାନର ଅଭିଭାବକ ଦାୟିତ୍ୱ ତୁଲାଉଥିଲେ ମଧ୍ୟ, ବାଇରନ୍‌ ନିଜର ପୈତୃକ ଅଧିକାର ଦାବୀ କରିନଥିଲେ;[୧୨] କିନ୍ତୁ ନିଜ ଭଉଣୀଙ୍କୁ ଏଡାଙ୍କ ବିକାଶ ସଂପର୍କୀୟ ଖବର ଜଣାଇବାକୁ ଅନୁରୋଧ କରିଥିଲେ ।[୧୩] ୨୧ ଏପ୍ରିଲରେ ବାଇରନ୍‌ ବିଚ୍ଛେଦ ପତ୍ରରେ ସ୍ୱାକ୍ଷର କରିଥିଲେ ଓ ନିଜର ଅନିଚ୍ଛା ସତ୍ତ୍ୱେ କିଛିଦିନ ପରେ ଇଂଲଣ୍ଡ ଛାଡ଼ି ଚାଲିଯାଇଥିଲେ ।[୧୪] ବିବାହ ବିଚ୍ଛେଦ ଉପରାନ୍ତ, ଆନାବେଲା ବାରରନ୍‌ଙ୍କ ଉପରେ ଅମାନବିକ ବ୍ୟବହାରର ଆରୋପ ମଧ୍ୟ ଲଗାଇଥିଲେ ।[୧୫] ଏହି ଘଟଣାକ୍ରମଗୁଡ଼ିକ ଏଡାଙ୍କୁ ଭିକ୍ଟୋରିଆନ୍‌ ସମାଜରେ ପରିଚିତ କରାଇଥିଲା । ବାଇରନ୍‌ ନିଜ ଝିଅଙ୍କ ସହିତ କୌଣସି ସଂପର୍କ ରଖିନଥିଲେ ଓ କେବେ ପୁଣି ଦେଖିବାର ସୁଯୋଗ ମଧ୍ୟ ପାଇନଥିଲେ । ବାଇରନ୍‌ ୧୮୨୪ରେ ଏଡାଙ୍କୁ ୮ ବର୍ଷ ହୋଇଥିବା ସମୟରେ ମୃତ୍ୟୁବରଣ କରିଥିଲେ ଓ ଏଡାଙ୍କ ଜୀବନରେ ମାଆ ଆନାବେଲାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।[୧୬] ଏଡା ତାଙ୍କ ବାପାଙ୍କ ପରିବାରର ବାର୍ଷିକ ତୈଳଚିତ୍ରରେ ମଧ୍ୟ ନିଜର ବିଂଶ ଜନ୍ମବାର୍ଷିକୀ ପର୍ଯ୍ୟନ୍ତ ସ୍ଥାନ ପାଇନଥିଲେ ।[୧୭] ୧୮୫୬ରେ ଏଡାଙ୍କ ମାଆ ଆଇନ ଅନୁଯାୟୀ "ବାରୋନେସ୍‌ ୱେଣ୍ଟୱର୍ଥ" ହୋଇଥିଲେ ।

ଆନାବେଲା କିଶୋରୀ ଏଡାଙ୍କ ସହିତ ଘନିଷ୍ଠ ସଂପର୍କ ରଖି ନଥିଲେ, ଓ ପ୍ରାୟତଃ ଏଡାଙ୍କୁ ନିଜ ଆଇ ଜୁଡିଥ୍‌, ଲେଡି ମିଲ୍‌ବାଙ୍କେଙ୍କ ତତ୍ତ୍ୱାବଧାନରେ ଛାଡ଼ିଦେଉଥିଲେ । କିନ୍ତୁ ସେ ସମୟରେ ସାମାଜିକ ଚଳଣିକୁ (ବିବାହ ବିଚ୍ଛେଦରେ ପିତାମାନେ ସନ୍ତାନଙ୍କ ତତ୍ତ୍ୱାବଧାନ ତଥା ମଙ୍ଗଳ ନିମନ୍ତେ ଦାୟୀ) ଆଖି ଆଗରେ ରଖି ଆନାବେଲା ନିଜକୁ ଜଣେ ଆଦର୍ଶ ମାଆ ଭାବେ ଦର୍ଶାଉ ଥିଲେ । ଏଥି ନିମନ୍ତେ ସେ ନିଜ ମାଆଙ୍କୁ ଏଡାଙ୍କ ମଙ୍ଗଳ ସଂପର୍କିତ ଚିଠି ଲେଖୁଥିଲେ ଓ ସେଗୁଡ଼ିକୁ ସାଇତି ରଖିବାକୁ ମଧ୍ୟ କହୁଥିଲେ; କାରଣ ତାହା ପରବର୍ତ୍ତୀ ସମୟରେ ଜଣେ ଯତ୍ନବାନ ମାଆର ପ୍ରମାଣ ଭାବେ ବ୍ୟବହାର କରାଯାଇପାରିବ ।[୧୮] ଏକ ଚିଠିରେ ଆନାବେଲା ଏଡାଙ୍କୁ ଏକ ବସ୍ତୁ ଭଳି ବର୍ଣ୍ଣନା କରିଥିଲେ ।[୧୯] ଏଡାଙ୍କ କୈଶୋରରେ ତାଙ୍କ ମାଆଙ୍କ ଅନ୍ତରଙ୍ଗ ବାନ୍ଧବୀ ମାନେ ଏଡାଙ୍କୁ ନଜରରେ ରଖୁଥିଲେ । ଏଡା ପରବର୍ତ୍ତୀ ସମୟରେ ଏହି ପର୍ଯ୍ୟବେକ୍ଷକମାନଙ୍କୁ ତାଙ୍କ ଉପରେ କପୋଳକଳ୍ପିତ ଗପ ସୃଷ୍ଟିକରିବାର ଆରୋପ ଲଗାଇଥିଲେ ।[୨୦]

ସତର ବର୍ଷରେ ଏଡା, ୧୮୩୨

ଏଡା ଛୋଟ ବୟସରୁ ଅଧିକାଂଶ ସମୟରେ ରୋଗଗ୍ରସ୍ତ ରହୁଥିଲେ ଓ ଆଠ ବର୍ଷ ବୟସରେ ତୀବ୍ର ମୁଣ୍ଡବିନ୍ଧା ଅନୁଭବ କରିଥିଲେ ଯାହା ତାଙ୍କ ଦୃଷ୍ଟିଶକ୍ତିକୁ ଘଟାଇଥିଲା ।[୧୧] ଜୁନ୍‌ ୧୯୨୯ରେ ମିଳିମିଳାରେ ଆକ୍ରାନ୍ତ ହୋଇ ସେ ପକ୍ଷାଘାତରେ ପିଡ଼ୀତ ହୋଇଥିଲେ । ତାଙ୍କୁ ପ୍ରାୟ ଏକ ବର୍ଷ ବିଛଣାରେ ରହିବାକୁ ପଡ଼ିଥିଲା ଓ ଏହା ତାଙ୍କ ବିକଳଙ୍ଗତାକୁ ବଢାଇଥିଲା ବୋଲି ମନେ କରାଯାଏ । ୧୮୩୧ ସୁଦ୍ଧା ସେ କ୍ରଚ୍‌ ଧରି ଚାଲିବା ଆରମ୍ଭ କରିଥିଲେ । ରୋଗଗ୍ରସ୍ତ ରହିବା ସତ୍ତ୍ୱ ଏଡା ଗଣିତ ଓ ପ୍ରଯୁକ୍ତି ବିଦ୍ୟା ପ୍ରତି ଅତ୍ୟଧିକ ଆଗ୍ରହ ପୋଷଣ କରିଥିଲେ । ୧୨ ବର୍ଷ ବୟସରେ ସେ ଉଡ଼ିବାକୁ ଆଶା ରଖିଥିଲେ ଏବଂ ଏହି ସ୍ୱପ୍ନକୁ ଗୁରୁତ୍ୱ ସହିତ ଗ୍ରହଣ କରି ଅଗ୍ରସର ହୋଇଥିଲେ । ଫେବୃଆରୀ ୧୯୨୮ରେ, ସେ ପକ୍ଷ ବନାଇବାକୁ କାମ କରିଥିଲେ । ଏଥି ନିମନ୍ତେ ସେ ଅନେକ ପ୍ରକାର କାଗଜ, ସିଲ୍‌କ, ତାର ଓ ପରର ପରୀକ୍ଷା କରିଥିଲେ । ଏହା ବ୍ୟତୀତ ପକ୍ଷୀମାନଙ୍କ ଶରୀର ବିଜ୍ଞାନକୁ ଅନୁସରଣ କରି ଦେହ ଓ ପକ୍ଷର ସଠିକ ଅନୁପାତ ନିର୍ଣ୍ଣୟ କରିଥିଲେ । ଏଥିପାଇଁ ଏକ ବହି ଲେଖିବାକୁ ମଧ୍ୟ ମନସ୍ଥ କରିଥିଲେ । ଶେଷରେ ବାଷ୍ପକୁ କିପରି ଉଡାଣ ସହିତ ଯୋଡ଼ା ଯାଇପାରିବ ସେଥିପାଇଁ ଚିନ୍ତା କରିଥିଲେ ।[୮]

୧୮୩୩ର ଆଦ୍ୟ ଭାଗରେ ଏଡା ନିଜର ଜଣେ ପ୍ରଶିକ୍ଷକଙ୍କ ସହିତ ସଂପର୍କ ରଖିଥିବାର ଜଣାପଡ଼ିବାରୁ ସେ ତାଙ୍କ ସହିତ ଘର ଛାଡ଼ି ଚାଲିଯିବାର ଉଦ୍ୟମ କରିଥିଲେ । ପ୍ରଶିକ୍ଷକଙ୍କ ସମ୍ବନ୍ଧୀୟ ମାନେ ଏଡାଙ୍କୁ ଚିହ୍ନିପାରି, ଏଡାଙ୍କ ମାଆଙ୍କୁ ଖବର ଦେଇଥିଲେ । ଆନାବେଲା ଓ ତାଙ୍କ ବାନ୍ଧବୀମାନଙ୍କଦ୍ୱାରା ଏହି ଖବରକୁ ସମାଜ ଆଗରୁ ଲୁଚାଇ ରଖାଯାଇଥିଲା ।[୨୧] ଏଡା ନିଜର ସାନ ସାବତ ଭଉଣୀ ଆଲେଗ୍ରା ଯିଏ ଲର୍ଡ ବାଇରନ୍‌ ଓ କ୍ଲେୟାର୍‌ କ୍ଲେୟାର୍‌ମୋଣ୍ଟଙ୍କ ଝିଅ ଥିଲେ, କେବେ ଭେଟି ନଥିଲେ । ଆଲେଗ୍ରା ୧୮୨୨ରେ ୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ଏଡା ବାଇରନ୍‌ଙ୍କ ସାବତ ଭଉଣୀ ଅଗଷ୍ଟା ଲିଃଙ୍କ ଝିଅ ଏଲିଜାବେଥ୍‌ ମେଡୋରା ଲିଃଙ୍କ ସହିତ କିଛି ମାତ୍ରାରେ ସଂପର୍କ ରଖିଥିଲେ ।[୨୨]

ଯୌବନ[ସମ୍ପାଦନା]

ଏଡା ଓ ତାଙ୍କ ପ୍ରଶିକ୍ଷକ ମେରି ସମର୍‌ଭିଲେଙ୍କ ଘନିଷ୍ଠ ସଂପର୍କ ବଢ଼ିଉଠିଥିଲା ।[୨୩] ସମର୍‌ଭିଲେଙ୍କୁ ସେ ଅଧିକ ସମ୍ମାନ ଓ ଶ୍ରଦ୍ଧା କରୁଥିଲେ ଓ ସେମାନେ ଅନେକ ବର୍ଷ ପର୍ଯ୍ୟନ୍ତ ସଂପର୍କ ରଖିଥିଲେ। ଆଣ୍ଡ୍ରିଉ କ୍ରସ, ସାର୍‌ ଡେଭିଡ଼ ବ୍ରିଉଷ୍ଟର, ଚାର୍ଲସ୍‌ ହ୍ୱେଟ୍‌ଷ୍ଟୋନ୍‌, ଚାର୍ଲସ୍‌ ଡିକେନ୍‌ସମାଇକେଲ ଫାରାଡେ ମଧ୍ୟ ଏଡାଙ୍କ ଜଣାଶୁଣା ଥିଲେ । ୧୮୩୪ ସୁଦ୍ଧା ଏଡା କୋର୍ଟକୁ ନିୟମିତ ଯାଉଥିଲେ ଓ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲେ । ଏଡା ଭଲ ନାଚୁଥିଲେ ଓ ଅନେକ ସମୟରେ ଲୋକଙ୍କ ପ୍ରଶଂସାର ପାତ୍ର ହେଉଥିଲେ । କିନ୍ତୁ ଲର୍ଡ ବାଇରନ୍‌ଙ୍କ ବନ୍ଧୁ ଜନ୍‌ ହୋବ୍‌ହାଉସ୍‌ ତାଙ୍କୁ ଜଣେ ମୋଟା ଚମଡ଼ାଧାରୀ ମହିଳା ଯିଏ କେବଳ ତାଙ୍କ ବନ୍ଧୁଙ୍କ ମୁହଁ ନେଇ ଜନ୍ମ ହୋଇଛି ବୋଲି ବର୍ଣ୍ଣନା କରିଥିଲେ ।[୨୪] ଏଭଳି ବର୍ଣ୍ଣନା କରିବା ପରେ ୨୪ ଫେବୃଆରୀ ୧୮୩୪ରେ ଏଡାଙ୍କର ହୋବ୍‌ହାଉସଙ୍କ ସହିତ ଦେଖା ହୋଇଥିଲା ଓ ଏଡା ତାଙ୍କୁ ପସନ୍ଦ କରନ୍ତି ନାହିଁ ବୋଲି କହିଥିଲେ ମଧ୍ୟ ଆଗାମୀ ସମୟରେ ବନ୍ଧୁ ଭାବେ ଗ୍ରହଣ କରିଥିଲେ ।[୨୫]

୮ ଜୁଲାଇ ୧୮୩୫ରେ ଏଡା ୱିଲିଅମ୍‌ କିଙ୍ଗ, ୮ମ ବାରନ୍‌ କିଙ୍ଗଙ୍କୁ ବିବାହ କରିଥିଲେ ଓ ବାରୋନେସ୍‌ କିଙ୍ଗରେ ପରିଣତ ହୋଇଥିଲେ ।[୨୬] ସେମାନଙ୍କର ଓକ୍‌ହାମ୍‌, ସରେଠାରେ ଥିବା ଓକ୍‌ହାମ୍‌ ପାର୍କରେ ଏକ ବିଶାଳ ବାସଭବନ ଥିଲା । ଏହା ବ୍ୟତୀତ ଲୋଚ୍‌ ଟୋରିଡନ୍‌ ଓ ଲଣ୍ଡନଠାରେ ମଧ୍ୟ ବାସଗୃହ ଥିଲା । ପୋର୍‌ଲୋକ୍‌ ୱେର୍‌, ସମର୍‌ସେଟ୍‌ ନିକଟରେ ଥିବା ୱର୍ଦି ମାନୋର୍‌ରେ ସେମାନେ ନିଜର ମଧୁଶଯ୍ୟା କଟାଇଥିଲେ । ସେହି ମାନୋର୍‌ଟି ଶିକାର ସମୟରେ ବିଶ୍ରାମଗୃହ ଭାବେ ବ୍ୟବହାର କରିବା ପାଇଁ ୧୭୯୯ରେ ନିର୍ମିତ ହୋଇଥିଲା ଏବଂ ମଧୁଶଯ୍ୟ ନିମନ୍ତେ ରାଜା ଏହାକୁ ପୁଣି ଉନ୍ନତ ଭାବେ ସଜାଡ଼ିଥିଲେ । ପରେ ସେମାନଙ୍କ ଖରାଦିନ ଛୁଟି କଟାଇବାକୁ ଏହା ବ୍ୟବହୃତ ହୋଇଥିଲା । ତାଙ୍କର ତିନିଟି ସନ୍ତାନ ଥିଲେ: ବାଇରନ୍‌ (ଜନ୍ମ-୧୨ ମଇ ୧୮୩୬); ଆନେ ଇଜାବେଲା(ଡାକନାମା ଆନାବେଲା ଓ ପରେ ଲେଡି ଆନେ ବ୍ଲଣ୍ଟ; ଜନ୍ମ - ୨୨ ସେପ୍ଟେମ୍ବର ୧୮୩୭), ଓ ରାଲ୍‌ଫ ଗର୍ଡନ (ଜନ୍ମ - ୨ ଜୁଲାଇ ୧୮୩୯) । ଆନାବେଲାଙ୍କ ଜନ୍ମ ଠିକ୍‌ ପରେ ପରେ ଏଡା ବହୁଦିନ ଧରି ରୋଗରେ ପୀଡ଼ିତ ରହିଥିଲେ ଓ ଭଲ ହେବାପାଇଁ ଅନେକ ମାସ ନେଇଥିଲେ ।[୨୫] ୧୮୩୮ରେ ଏଡାଙ୍କ ସ୍ୱାମୀ ଆର୍ଲ୍‌ ଅଫ୍‌ ଲଭ୍‌ସେସ୍‌ ହୋଇଥିଲେ, ତେଣୁ ଏଡା ତାଙ୍କ ବୈବାହିକ ଜୀବନ ସାରା "ଦି ରାଇଟ୍‌ ଅନରେବ୍‌ଲ୍‌ ଦି କାଉଣ୍ଟେସ୍‌ ଅଫ୍‌ ଲଭ୍‌ଲେସ୍‌" ଭାବେ ରହିଥିଲେ । ୧୮୪୩-୪୪ରେ ଏଡାଙ୍କ ମାଆ ୱିଲିଅମ୍‌ ବେଞ୍ଜାମିନ୍‌ କାର୍‌ପେଣ୍ଟର୍‌ଙ୍କୁ ତାଙ୍କ ସନ୍ତାନମାନଙ୍କୁ ପଢ଼ାଇବା ପାଇଁ ନିଯୁକ୍ତ କରିଥିଲେ ଓ ଏଡାଙ୍କ ନୈତିକ ଉପଦେଷ୍ଟା ହେବାକୁ ପରାମର୍ଶ ଦେଇଥିଲେ ।[୨୭] କିନ୍ତୁ ୱିଲିଅମ୍‌ ଏଡାଙ୍କ ପ୍ରତି ଆକୃଷ୍ଟ ହୋଇ ପଡ଼ିଥିଲେ ଓ ପରେ ଏଡାଙ୍କ ସହିତ ସଂପର୍କ ରଖିବାକୁ ଚେଷ୍ଟା କରିବାରୁ ଏଡା ତାଙ୍କଠାରୁ ଦୂରେଇ ଯାଇଥିଲେ ।[୨୮]

୧୮୪୧ରେ ଏଡା ଓ ମେଡୋରା ଲିଃଙ୍କୁ ଏଡାଙ୍କ ମାଆ ଜଣାଇଥିଲେ ଯେ, ଲର୍ଡ ବାଇରନ୍‌ ମେଡୋରାଙ୍କ ମଧ୍ୟ ବାପା ଅଟନ୍ତି ।[୨୯] ୨୭ ଫେବୃଆରୀ ୧୮୪୧ରେ ଏଡା ତାଙ୍କ ମାଆଙ୍କୁ ଲେଖି ଜଣାଇଥିଲେ; "ସେ ଏଥିରେ ବିଲକୁଲ୍‌ ଆଶ୍ଚର୍ଯ୍ୟାନ୍ୱିତ ନୁହନ୍ତି । ତାଙ୍କ ମାଆ କେବଳ ଏକ ଛୋଟ ସନ୍ଦେହ ଦୂର କରିଛନ୍ତି ଯାହା ଏଡା ବର୍ଷ ବର୍ଷ ଧରି ସନ୍ଦେହ କରୁଥିଲେ ।"[୩୦] ଏଡା ଲର୍ଡ ବାଇରନ୍‌କୁ ଏହି ଅବୈଧ ସଂପର୍କ ପାଇଁ ଦୋଷୀ ମାନି ନଥିଲେ ଓ ଅଗଷ୍ଟା ଲିଃଙ୍କ ଚରିତ୍ରକୁ କୁଟିଳ ବୋଲି ଦୋଷ ଦେଇଥିଲେ ।[୩୧] ୧୮୪୦ରେ ଏଡା ଅନେକ ବିବାଦୀୟ ଖବରରେ ଛନ୍ଦି ହୋଇ ପଡ଼ିଥିଲେ ଯେପରିକି ପ୍ରଥମରେ ସ୍ୱାମୀଙ୍କ ବ୍ୟତୀତ ଅନ୍ୟ ପୁରୁଷ ବନ୍ଧୁଙ୍କ ସହିତ ସଂପର୍କ,[୩୨] ଦ୍ୱିତୀୟରେ ଜୁଆ ଖେଳିବାର ନିଶା । ଏହି ଜୁଆଖେଳଦ୍ୱାରା ସେ ଅନେକ ପୁରୁଷ ବନ୍ଧୁଙ୍କୁ ନେଇ ଏକ ସିଣ୍ଡିକେଟ୍‌ ଗଢ଼ିଥିଲେ ଓ ଋଣ ପାଇଁ ୧୮୫୧ରେ ଏକ ଗାଣିତିକ ମଡେଲ ମଧ୍ୟ ବାହାର କରିଥିଲେ । କିନ୍ତୁ ଜୁଆରେ ଅନେକ ଟଙ୍କା ହାରିବା ପରେ ସେ ସିଣ୍ଡିକେଟ୍‌କୁ ଋଣ ପରିଶୋଧ ନ କରି ପାରିବାରୁ, ଏହା ସ୍ୱାମୀଙ୍କୁ ଜଣାଇବାକୁ ବାଧ୍ୟ ହୋଇଥିଲେ ।[୩୩] ୧୮୪୪ ପରେ ଆଣ୍ଡ୍ରିଉ କ୍ରସଙ୍କ ପୁଅ ଜନ୍‌ ସହିତ ତାଙ୍କର ଏକ ଛାୟା ସଂପର୍କ ଗଢ଼ିଉଠିଥିଲା । ଜନ୍‌ କ୍ରସ ତାଙ୍କର ଅନେକ ଚିଠିପତ୍ରକୁ ଏକ ଚୁକ୍ତିପତ୍ର ଅନୁସାରେ ଏଡାଙ୍କ ମୃତ୍ୟୁ ପରେ ନଷ୍ଟ କରିଦେଇଥିଲେ ।[୩୪] ଏଡାଙ୍କ ଅନ୍ତିମ ସମୟରେ ଏଡା ଜନ୍‌ଙ୍କ ଆଗମନ ନେଇ ପ୍ରାୟ ଭୟଭୀତ ରହୁଥିଲେ ।[୩୫]

ମୃତ୍ୟୁ[ସମ୍ପାଦନା]

୧୮୫୨ରେ ହେନେରୀ ଫିଲିପ୍‌ସଙ୍କଦ୍ୱାରା ଏଡା ଲଭ୍‌ଲେସଙ୍କ ଏକ ପିଆନୋ ନିକଟରେ ତୈଳଚିତ୍ର । ଅତ୍ୟଧିକ କଷ୍ଟ ପାଉଥିବା ସତ୍ତ୍ୱେ ସେ ଚିତ୍ର ପାଇଁ ବସିଥିଲେ କାରଣ ଫିଲିପ୍‌ସଙ୍କ ବାପା ଥୋମାସ୍‌ ଫିଲିପ୍ସ୍‌; ଏଡାଙ୍କ ବାପା ଲର୍ଡ ବାଇରନ୍‌ଙ୍କ ଚିତ୍ର ଆଙ୍କିଥିଲେ ।

୨୭ ନଭେମ୍ବର ୧୮୫୨ରେ ଏଡା ୩୬ ବର୍ଷ ବୟସରେ ଗର୍ଭାଶୟ କର୍କଟ ରୋଗରେ ମୃତ୍ୟୁବରଣ କରିଥିଲେ ।[୩୬] ମୃତ୍ୟୁର କାରଣ ଡାକ୍ତରଙ୍କଦ୍ୱାରା ଅତ୍ୟଧିକ ରକ୍ତପାତ ବୋଲି ମନେ କରାଯାଏ ।[୩୭] ମୃତ୍ୟୁ ପୂର୍ବରୁ ଏଡା ଅନେକ ମାସ ଧରି ରୋଗଗ୍ରସ୍ତ ଥିଲେ, ଓ ସେହି ସମୟରେ ଆନାବେଲା ତାଙ୍କ ଆଦେଶ ନେଇ ସମସ୍ତ ବନ୍ଧୁବାନ୍ଧବଙ୍କ ସହ ସଂପର୍କ ଛିନ୍ନ କରିଦେଇଥିଲେ । ଏଡା ମାଆଙ୍କଦ୍ୱାରା ପ୍ରଭାବିତ ହୋଇ ଧାର୍ମିକ ଭାବେ ରୂପାନ୍ତରିତ ହୋଇଥିଲେ ଓ ଆନାବେଲାଙ୍କୁ ନିଜ ପ୍ରବନ୍ଧକ ଭାବେ ବାଛିଥିଲେ ।[୩୮] ୩୦ ଅଗଷ୍ଟରେ ସ୍ୱାମୀଙ୍କ ନିକଟରେ କିଛି ଦୋଷ ସ୍ୱୀକାର କରିବା ପରେ ସେ ତାଙ୍କ ସହ ସମସ୍ତ ସଂପର୍କ ଛିନ୍ନ କରିଥିଲେ । ଏଡା ସ୍ୱାମୀଙ୍କୁ କ’ଣ କହିଥିଲା ଆଜି ପର୍ଯ୍ୟନ୍ତ ଅଜଣା ରହିଛି ।[୩୯] ଏଡାଙ୍କ ଅନୁରୋଧ କ୍ରମେ ତାଙ୍କୁ ନିଜ ବାପାଙ୍କ ସମାଧି ନିକଟରେ ସେଣ୍ଟ ମ୍ୟାରୀ ମାଗ୍‌ଡାଲିନ୍‌ ଚର୍ଚ୍ଚ, ହକ୍‌ନଲ; ନଟିଂହାମ୍‌, ଇଂଲଣ୍ଡଠାରେ ସମାଧି ଦିଆଯାଇଥିଲା ।

ଶିକ୍ଷା[ସମ୍ପାଦନା]

ଏଡା ରୋଗଗ୍ରସ୍ତ ରହିବା ସତ୍ତ୍ୱେ ନିଜର ଶିକ୍ଷା ଜାରି ରଖିଥିଲେ ।[୪୦] ଲର୍ଡ ବାଇରନ୍‌ଙ୍କଠାରୁ ସଂସ୍ପର୍ଶରୁ ଦୂରେଇ ରଖିବା ନିମନ୍ତେ ତାଙ୍କ ମାଆ ଏଡାଙ୍କୁ ଛୋଟ ବୟସରୁ ଗଣିତ ପଢ଼ିବାକୁ ଆଗ୍ରହୀ କରିଥିଲେ । ୱିଲିଅମ୍‌ ଫ୍ରେଣ୍ଡ, ୱିଲିଅମ୍‌ କିଙ୍ଗ ଓ ମେରି ସମର୍‌ଭିଲେଙ୍କ ଠାରୁ ଘରୋଇ ଶିକ୍ଷା ଗ୍ରହଣ କରୁଥିଲେ । ପରେ ଏଡା ପ୍ରସିଦ୍ଧ ଗଣିତଜ୍ଞ ଓ ତାର୍କିକ ଅଗଷ୍ଟସ୍‌ ଡି ମୋର୍ଗାନ୍‌ଙ୍କ ଠାରୁ ମଧ୍ୟ ଶିକ୍ଷା ଲାଭ କରିଥିଲେ । ୧୮୩୨ ମସିହାରୁ, ୧୭ ବର୍ଷ ବୟସରେ ଏଡାଙ୍କ ଗଣିତ ପ୍ରତିଭାର ବିକାଶ ହୋଇଥିଲା ଓ ଯୌବନାବସ୍ଥାରେ ତାଙ୍କୁ ଗଣିତ ବହୁମାତ୍ରାରେ ପ୍ରଭାବିତ କରି ରଖିଥିଲା ।[୪୧] ଲେଡି ବାଇରନ୍‌ଙ୍କୁ ଏକ ଚିଠିରେ ଡି ମୋର୍ଗାନ୍‌ ଜଣାଇଥିଲେ ଯେ; ଏଡାଙ୍କ ଗଣିତ ପ୍ରତିଭା ତାଙ୍କୁ ଭବିଷ୍ୟତରେ ଏକ ଆଗଧାଡ଼ିର ଗଣିତଜ୍ଞ ମାନ୍ୟତା ଆଣିଦେବ ।[୪୨]

ଏଡା ଅନେକ ସମୟରେ କବିତା ଓ ବିଜ୍ଞାନର ବିଷୟବସ୍ତୁକୁ ମିଳାଇ ଅନେକ ମୌଳିକ ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଉଥିଲେ । ଏଡା ବିଶ୍ୱାସ କରୁଥିଲେ ଯେ ଅନ୍ତର୍ଜ୍ଞାନ ଓ ପରିକଳ୍ପନା ଗଣିତ ଓ ବିଜ୍ଞାନ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଅଟେ । ସେ ତତ୍ତ୍ୱମିମାଂସାକୁ ଗଣିତ ଭଳି ମାନ୍ୟ କରୁଥିଲେ ଏବଂ ଏହି ଦୁଇଟି ବିଷୟଦ୍ୱାରା ଆମ ଚାରିପଟେ ରହିଥିବା ଅଦୃଶ୍ୟ ପୃଥିବୀର ଅନେକ ଅଜଣା କଥା ଜାଣିହେବ ବୋଲି ବିଶ୍ୱାସ କରୁଥିଲେ ।[୪୩]

କାର୍ଯ୍ୟ[ସମ୍ପାଦନା]

ପ୍ରଥମ କମ୍ପ୍ୟୁଟର ପ୍ରୋଗ୍ରାମ[ସମ୍ପାଦନା]

ଲଭ୍‌ଲେସ୍‌ଙ୍କ "ନୋଟ୍‌ ଜି(G)"ରୁ ଏକ ଚିତ୍ର, ପ୍ରଥମ ପ୍ରକାଶିତ କମ୍ପ୍ୟୁଟର ଆଲ୍‌ଗୋରିଦମ୍‌

୧୮୪୦ରେ ବ୍ୟାବେଜ୍‌ ଟ୍ୟୁରିନ୍‌ ବିଶ୍ୱବିଦ୍ୟାଳୟକୁ ତାଙ୍କ "ଆନାଲିଟିକାଲ୍‌ ଇଞ୍ଜିନ‌" ଉପରେ ଏକ ଅଭିଭାଷଣ ଦେବାକୁ ଆମନ୍ତ୍ରିତ ହୋଇଥିଲେ । ଲୁଇଗି ମେନାବ୍ରିଆ ନାମକ ଜଣେ ଇଟାଲୀୟ ଇଞ୍ଜିନିଅର, ଯେ କି ପରବର୍ତ୍ତୀ ସମୟରେ ଇଟାଲୀର ପ୍ରଧାନମନ୍ତ୍ରୀ ହୋଇଥିଲେ; ବ୍ୟାବେଜ୍‌ଙ୍କ ଅଭିଭାଷଣକୁ ଫରାସୀ ଭାଷାରେ ଅନୁବାଦ କରିଥିଲେ ଓ ତାହା ଜେନେଭା ବିଶ୍ୱବିଦ୍ୟାଳୟର ଏକ ଜର୍ଣ୍ଣାଲ୍‌ରେ ଅକ୍ଟୋବର ୧୮୪୨ରେ ପ୍ରକାଶିତ ହୋଇଥିଲା । ବ୍ୟାବେଜ୍‌ଙ୍କ ବନ୍ଧୁ ଚାର୍ଲସ୍‌ ହ୍ୱେଟ୍‌ଷ୍ଟୋନ୍‌ ଏଡାଙ୍କୁ ମେନାବ୍ରିଆଙ୍କ ପେପର୍‌ର ଇଂରାଜୀ ଅନୁବାଦ କରିବାକୁ କହିଥିଲେ । ଏଡା ସେହି ପେପର୍‌ଟିକୁ ନୋଟ୍‌ ଦେଇ ଲେଖିଥିଲେ ଓ ତାହା ମଧ୍ୟ ଅନୁବାଦରେ ଯୋଗ କରାଯାଇଥିଲା । ସେହି ବର୍ଷର ଅଧିକାଂଶ ଭାଗ ଏଡା ବ୍ୟାବେଜ୍‌ଙ୍କ ସହାୟତାରେ ଅନୁବାଦରେ ବ୍ୟସ୍ତ ରହିଥିଲେ । ସେହି ନୋଟ୍‌ଗୁଡ଼ିକ ମେନାବ୍ରିଆଙ୍କ କାମଠାରୁ ବ୍ୟାପକ ଥିଲା ଓ ଟେଲର୍‌ଙ୍କ "ସାଇଣ୍ଟିଫିକ୍‌ ମୋୟରସ୍‌"ରେ ପ୍ରକାଶିତ ହୋଇଥିଲା । ୧୯୫୩ ମସିହାରେ, ଏଡାଙ୍କ ମୃତ୍ୟୁର ପ୍ରାୟ ୧୦୦ ବର୍ଷ ପରେ ଚାର୍ଲସ୍‌ ବ୍ୟାବେଜ୍‌ଙ୍କ ଆନାଲିଟିକାଲ୍‌ ଇଞ୍ଜିନ ବିଷୟରେ ଏଡାଙ୍କ ନୋଟ୍‌ଗୁଡ଼ିକ ପୁନଃ-ପ୍ରକାଶିତ ହୋଇଥିଲା । ବର୍ତ୍ତମାନ ସମୟରେ ଆନାଲିଟିକାଲ୍‌ ଇଞ୍ଜିନକୁ କମ୍ପ୍ୟୁଟରର ଆଦ୍ୟ ମଡେଲ ଭାବେ ଗ୍ରହଣ କରାଯାଏ ଓ ଏଡାଙ୍କ ନୋଟ୍‌ଗୁଡ଼ିକ ସଫ୍ଟୱେରର ବିବରଣୀ ବୋଲି ଧରାଯାଏ ।[୪୪]

ଏଡାଙ୍କ ନୋଟ୍‌ଗୁଡ଼ିକ ଇଂରାଜୀ ବର୍ଣ୍ଣମାଳାର "ଏ(A)" ଠାରୁ "ଜି(G)" ପର୍ଯ୍ୟନ୍ତ କ୍ରମାନୁସାରେ ଥିଲା, ଏବଂ ସେଥିରେ ଆନାଲିଟିକାଲ୍‌ ଇଞ୍ଜିନ ନିମନ୍ତେ "ବର୍ଣ୍ଣୋଲି ସଂଖ୍ୟା" ଗଣନା କରିବାକୁ ଏକ ଆଲ୍‌ଗୋରିଦମ୍‌ ରହିଛି । ଏହି ଗଣନା ପଦ୍ଧତିକୁ କମ୍ପ୍ୟୁଟର ନିମନ୍ତେ ପ୍ରଥମ ଆଲ୍‌ଗୋରିଦମ୍‌ କୁହାଯାଏ ଓ ସେଥି ନିମନ୍ତେ ଏଡାଙ୍କୁ ପୃଥିବୀର ପ୍ରଥମ କମ୍ପ୍ୟୁଟର ପ୍ରୋଗ୍ରାମର କୁହାଯାଏ ।[୪୫][୪୬] ଆନାଲିଟିକାଲ୍‌ ଇଞ୍ଜିନ୍‌ଟି ସଂପୂର୍ଣ୍ଣ ଭାବେ ନିର୍ମିତ ହୋଇ ପାରିନଥିଲା ଓ ସେଥି ପାଇଁ ଏଡାଙ୍କ ପଦ୍ଧତିର କେବେ ପରୀକ୍ଷଣ ହୋଇ ପାରି ନଥିଲା ।

ବିବାଦ[ସମ୍ପାଦନା]

ଲୋକପ୍ରିୟ ସଂସ୍କୃତିରେ[ସମ୍ପାଦନା]

"ଏଡା ଇନିସିଏଟିଭ୍‌" ନିମନ୍ତେ ଏ.ଇ. ଚାଲନ୍‌ଙ୍କଦ୍ୱାରା ନିର୍ମିତ ଏଡାଙ୍କ ତୈଳଚିତ୍ର

ଏଡା ଓ ତାଙ୍କ ବାପାଙ୍କ ସଂପର୍କକୁ ନେଇ ରୋମୁଲସ୍‌ ଲିନ୍ନି ୧୯୭୭ରେ "ଚାଇଲ୍‌ଡ ବାଇରନ୍‌" ନାମକ ଏକ ନାଟକ ଲେଖିଥିଲେ ।[୪୭] ୧୯୯୦ରେ ୱିଲିଅମ୍‌ ଗିବ୍‌ସନ୍‌ ଓ ବ୍ରୁସ୍‌ ଷ୍ଟର୍ଲିଂ "ଦି ଡିଫରେନ୍‌ସ ଇଞ୍ଜିନ‌" ନାମକ ଏକ ଉପନ୍ୟାସ ରଚନା କରିଥିଲେ ।[୪୮] ଏହା ବ୍ୟତୀତ ୧୯୯୭ରେ "କନ୍‌ସିଭିଙ୍ଗ ଏଡା"[୪୯] ନାମକ ଏକ ଚଳଚ୍ଚିତ୍ର, ଓ ୨୦୦୫ରେ ଜନ୍‌ କ୍ରୌଲିଙ୍କ ଉପନ୍ୟାସ "ଲର୍ଡ ବାଇରନ୍‌ସ୍‌ ନଭେଲ୍‌ : ଦି ଇଭିନିଙ୍ଗ୍‌ ଲ୍ୟାଣ୍ଡ"ରେ ମଧ୍ୟ ଏଡାଙ୍କୁ ଚିତ୍ରଣ କରାଯାଇଥିଲା ।[୫୦]

୧୯୯୩ରେ ଟମ୍‌ ଷ୍ଟୋପ୍ପାର୍ଡଙ୍କ ନାଟକ "ଏର୍କାଡିଆ"ରେ ଥିବା ଚରିତ୍ର ଥୋମାସିନା କଭର୍‌ଲି ଏଡାଙ୍କ ଉପରେ ଆଧାରିତ ଥିଲା ।[୫୧][୫୨] ସିଡ୍‌ନୀ ପାଡୁଆଙ୍କ ୱେବ୍‌ କମିକ୍‌ "ଦି ଥ୍ରିଲିଙ୍ଗ ଆଡ୍‌ଭେଞ୍ଚର୍ସ ଅଫ୍‌ ଲଭ୍‌ଲେସ୍‌ ଏଣ୍ଡ ବ୍ୟାବେଜ୍‌"ରେ ଏଡା ଓ ବ୍ୟାବେଜ୍‌ ମୁଖ୍ୟ ଚରିତ୍ର ଭାବେ ଜଣାଶୁଣା । ଏହି କମିକ୍‌ରେ ଏଡାଙ୍କ ନୋଟ୍‌ରୁ ବହୁ ତଥ୍ୟ ସିଧାସଳଖ ବ୍ୟବହାର କରାଯାଇଛି ।[୫୩]

ସ୍ମୃତିରେ[ସମ୍ପାଦନା]

ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ବିଭାଗଦ୍ୱାରା "ଏଡା" ନାମକ ଏକ କମ୍ପ୍ୟୁଟର ଭାଷା ବିକାଶ କରାଯାଇଥିଲା । ଏହି ଭାଷାର ସନ୍ଦର୍ଭ ପୁସ୍ତିକାଟି ୧୦ ଡିସେମ୍ବର ୧୯୮୦ରେ ଗୃହୀତ ହୋଇଥିଲା, ଏହାର ପ୍ରତିରକ୍ଷା ମାନକ ଭାଷାକୁ ଏଡାଙ୍କ ଜନ୍ମବର୍ଷର ସଂଖ୍ୟା ଦିଆଯାଇଥିଲା । ୧୯୯୮ରୁ "ବ୍ରିଟିଶ କମ୍ପ୍ୟୁଟର ସୋସାଇଟି" ଏଡାଙ୍କ ନାମରେ ଏକ ପଦକ ପ୍ରଦାନ କରିଆସୁଛି[୫୪] ଓ ୨୦୦୮ରୁ ମହିଳା କମ୍ପ୍ୟୁଟର ବିଜ୍ଞାନୀମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା କରାଉଛି ।[୫୫] ଯୁକ୍ତରାଜ୍ୟରେ ଅନୁଷ୍ଠିତ ହେଉଥିବା ବାର୍ଷିକ "ବି.ସି.ଏସ୍‌. ୱିମେନ ଲଭ୍‌ଲେସ୍‌ କୋଲୋକିୟମ୍‌" ଏଡାଙ୍କ ନାମ ଅନୁସାରେ ହୋଇଛି ।[୫୬] ମଧ୍ୟ-ଅକ୍ଟୋବର୍‌ରେ ମଧ୍ୟ "ଏଡା ଲଭ୍‌ଲେସ୍‌ ଦିବସ" ପାଳନ କରାଯାଏ ।[୫୭]

ମହିଳାମାନଙ୍କୁ ନେଇ ମୁକ୍ତ ସଂସ୍କୃତି ଉପରେ ଏକ ଅଭିଯାନ "ଏଡା ଇନିସିଏଟିଭ୍‌" ମଧ୍ୟ ଆରମ୍ଭ ହୋଇଛି ।[୫୮]

ଏଡାଙ୍କ ୧୯୭ତମ ଜନ୍ମବାର୍ଷିକୀରେ ଗୁଗଲ ଏକ "ଗୁଗଲ ଡୁଡଲ୍‌" ତାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲା ।[୩][୫୯] ଏହି ଡୁଡଲ୍‌ରେ ଏଡା ଏକ ଗାଣିତିକ ସୁତ୍ର ଉପରେ କାର୍ଯ୍ୟ କରୁଥିବାର ଓ କମ୍ପ୍ୟୁଟର ବିବର୍ତ୍ତନକୁ ଚିତ୍ର ମାଧ୍ୟମରେ ଦର୍ଶା ଯାଇଥିଲା ।[୩]

ଜାରାଗୋଜା ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର ବିଜ୍ଞାନ ଓ ଅଭିଯାନ୍ତ୍ରିକୀ ଅଟ୍ଟାଳିକାକୁ ଏଡା ବାଇରନ୍‌ ଅଟ୍ଟାଳିକା ଭାବେ ନାମକରଣ କରାଯାଇଛି ।[୬୦] ପୋର୍‌ଲକ୍‌ ଗ୍ରାମରେ ଥିବା କମ୍ପ୍ୟୁଟର ସେଣ୍ଟରକୁ ମଧ୍ୟ ଏଡାଙ୍କ ସମ୍ମାନାର୍ଥେ ନାମ ଦିଆଯାଇଛି । କିର୍କବି-ଇନ୍‌-ଆଶ୍‌ଫିଲ୍‌ଡ, ନଟିଂହାମ୍‌ରେ ଥିବା ଏକ ଅଟ୍ଟାଳିକାକୁ ମଧ୍ୟ "ଏଡା ଲଭ୍‌ଲେସ୍‌ ହାଉସ" ନାମ ଦିଆଯାଇଛି ।[୬୧] ଲଣ୍ଡନର କ୍ରସରୋଡ଼ ରେଳ ପ୍ରକଳ୍ପରେ ବ୍ୟବହୃତ ହୋଇଥିବା ଏକ ଟନେଲ୍‌ ଖୋଳା ମେସିନ୍‌କୁ ମଧ୍ୟ ଏଡା ଲଭ୍‌ଲେସ୍‌ଙ୍କ ନାମ ଅନୁସାରେ "ଏଡା" ଦିଆଯାଇଥିଲା ।[୬୨]

ସମୟାନୁସାରେ ନାମ[ସମ୍ପାଦନା]

  • ୧୦ ଡିସେମ୍ବର ୧୮୧୫ - ୮ ଜୁଲାଇ ୧୮୩୫: ଦି ଅନରେବ୍‌ଲ୍‌ ଏଡା ଅଗଷ୍ଟସ୍‌ ବାଇରନ୍‌
  • ୮ ଜୁଲାଇ ୧୮୩୫ - ୧୮୩୮: ଦି ରାଇଟ୍‌ ଅନରେବ୍‌ଲ୍‌ ଦି ଲେଡ଼ି କିଙ୍ଗ
  • ୧୮୩୮ - ୨୭ ନଭେମ୍ବର ୧୮୫୨: ଦି ରାଇଟ ଅନରେବ୍‌ଲ୍‌ ଦି କାଉଣ୍ଟେସ୍‌ ଅଫ ଲଭ୍‌ଲେସ୍‌

ଆଧାର[ସମ୍ପାଦନା]

  1. Fuegi & Francis 2003, pp. 16–26.
  2. Phillips, Ana Lena (November–December 2011). "Crowdsourcing gender equity: Ada Lovelace Day, and its companion website, aims to raise the profile of women in science and technology". American Scientist 99 (6): 463. 
  3. ୩.୦ ୩.୧ ୩.୨ "Ada Lovelace honoured by Google doodle". The Guardian. 10 December 2012. http://www.guardian.co.uk/technology/2012/dec/10/ada-lovelace-honoured-google-doodle. Retrieved 10 December 2012. 
  4. Ada Lovelace Biography, biography.com
  5. Toole 1998, pp. 234–235.
  6. Toole 1998, pp. 156–157.
  7. Fuegi & Francis 2003, pp. 19, 25.
  8. ୮.୦ ୮.୧ Toole, Betty Alexandra (1987), "Poetical Science", The Byron Journal 15, doi:10.3828/bj.1987.6 . ଆଧାର ଭୁଲ: Invalid <ref> tag; name "ABCL" defined multiple times with different content
  9. Stein 1985, p. 14.
  10. ୧୦.୦ ୧୦.୧ Turney 1972, p. 35.
  11. ୧୧.୦ ୧୧.୧ Stein 1985, p. 17.
  12. Stein 1985, p. 16.
  13. Woolley 1999, p. 80.
  14. Turney 1972, pp. 36–38.
  15. Woolley 1999, pp. 74–77.
  16. Turney 1972, p. 138.
  17. Woolley 1999, p. 10.
  18. Woolley 1999, pp. 85–87.
  19. Woolley 1999, p. 86.
  20. Woolley 1999, p. 119.
  21. Woolley 1999, pp. 120–21.
  22. Turney 1972, p. 155.
  23. Woolley 1999, pp. 138–40.
  24. Turney 1972, pp. 138–39.
  25. ୨୫.୦ ୨୫.୧ Turney 1972, p. 139.
  26. "Ada Augusta Byron", The Peerage, http://www.thepeerage.com/p2744.htm#i27434 .
  27. Woolley 1999, pp. 285–86.
  28. Woolley 1999, pp. 289–96.
  29. Turney 1972, p. 159.
  30. Turney 1972, p. 160.
  31. Moore 1961, p. 431.
  32. Woolley 1999, p. 302.
  33. Woolley 1999, pp. 340–42.
  34. Woolley 1999, pp. 336–37.
  35. Woolley 1999, p. 361.
  36. "December 1852 1a * MARYLEBONE – Augusta Ada Lovelace", Register of Deaths, GRO 
  37. Baum 1986, pp. 99–100.
  38. Woolley 1999, p. 370.
  39. Woolley 1999, p. 369.
  40. Stein 1985, pp. 28–30.
  41. Turney 1972, p. 138.
  42. Stein 1985, p. 82.
  43. Toole 1998, pp. 91–100.
  44. Fuegi & Francis 2003, pp. 16–26.
  45. Simonite, Tom (24 March 2009). "Short Sharp Science: Celebrating Ada Lovelace: the 'world's first programmer'". New Scientist. Retrieved 14 April 2012. 
  46. Parker, Matt (୨୦୧୪). Things to Make and Do in the Fourth Dimension. Farrar, Straus & Giroux. p. ୨୬୧. ISBN ୦୩୭୪୨୭୫୬୫୩. 
  47. Klein, Alvin (13 May 1984), "Theatre in review: A lusty Byron in Rockland", New York Times, http://www.nytimes.com/1984/05/13/nyregion/theater-in-review-a-lusty-byron-in-rockland.html 
  48. Plant, Sadie (1995), "The Future Looms: Weaving Women and Cybernetics", in Featherstone, Mike; Burrows, Roger, Cyberspace/Cyberbodies/Cyberpunk: Cultures of Technological Embodiment, SAGE Publications, in association with Theory, Culture & Society, School of Human Studies, Univ. of Teesside, http://books.google.com/books?id=ZXU5aoJL0-QC&pg=PA45 
  49. Holden, Stephen (26 February 1999), "'Conceiving Ada': Calling Byron's Daughter, Inventor of a Computer", New York Times, http://www.nytimes.com/library/film/022699ada-film-review.html 
  50. Straub, Peter (5 June 2005), "Byron's heir", Los Angeles Times, http://articles.latimes.com/2005/jun/05/books/bk-straub5 
  51. " Tom Stoppard’s 'Arcadia,' at Twenty". The New Yorker.
  52. Profile, Gale Edwards, 1994, Director of "Arcadia" for the Sydney Theatre Company
  53. Doctorow, Cory (5 October 2009). "Comic about Ada Lovelace and Charles Babbage". BoingBoing. Retrieved 10 October 2014. 
  54. "Lovelace Lecture & Medal". BCS. Retrieved 2 March 2008. 
  55. "Undergraduate Lovelace Colloquium, BCSWomen". Leeds. Retrieved 6 March 2008. 
  56. "BCSWomen Lovelace Colloquium". UK. 
  57. "FAQ". About. Finding Ada. Retrieved 10 December 2012. 
  58. Aurora, Valerie (13 December 2011), An update on the Ada Initiative, https://lwn.net/Articles/471813/ 
  59. "Google celebrates Ada Lovelace's 197th birthday with a doodle". The Times of India. Retrieved 10 December 2012. 
  60. "Ada Byron Building". 
  61. "Conference Facilities". Ashfield District Council. Retrieved 21 October 2012. 
  62. Kremer, William (1 August 2013). "Crossrail: Where is it in the list of 'big digs'?". BBC News. 

ସହାୟକ ଗ୍ରନ୍ଥ ସୂଚୀ[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]