ଉଦ୍ୟମ ସଂସାଧନ ଯୋଜନା ‍‌(ଇଆର୍‍ପି‌‌)

ଉଇକିପିଡ଼ିଆ‌ରୁ


ଉଦ୍ୟମ ସଂସାଧନ ଯୋଜନା – ଇଆର୍‍ପି (ଈଂରାଜୀରେ enterprise resource planning - ERP) ହେଉଛି ପ୍ରଯୁକ୍ତି ବିଦ୍ୟା ବା କୌଣସି ସଫ୍ଟୱେର୍‍ ସହାୟତାରେ ଏକ ଉଦ୍ୟୋଗ, ସଂସ୍ଥାନ (ଅବା କମ୍ପାନୀ)ର ସମସ୍ତ ପ୍ରକାରର ବ୍ୟବସାୟିକ ପ୍ରକ୍ରିୟାର ପରିଚାଳନା କରିବା । ବ୍ୟବସାୟରେ ଦୈନନ୍ଦିନ ଜୀବନର ଲେଖା ଓ କାର୍ଯ୍ୟକଳାପର ଏକ ଚିତ୍ର ସାଧାରଣତଃ ଏହି ଇଆର୍‍ପି ସଫ୍ଟୱେର୍ ବା ବ୍ୟବସ୍ଥା (ଈଂରାଜୀରେ System) ମଧ୍ୟରେ ପ୍ରସ୍ଫୁଟିତ ଓ ଗଚ୍ଛିତ ହେଉଥାଏ ।

ଇଆର୍‍ପିକୁ ଏକ ପ୍ରକାରର ବ୍ୟବସାୟ-ପରିଚାଳନା ସଫ୍ଟୱେର୍ ଭାବେ ଗଣନା କରାଯାଇଥାଏ । ଏହି ଇଆର୍‍ପି ବ୍ୟବସ୍ଥା ମଧ୍ୟରେ ଅନେକ ପ୍ରକାରର ଆପ୍ଲିକେସନ୍ ସଫ୍ଟୱେର୍ ରହିଥାନ୍ତି, ଯେଉଁମାନଙ୍କ ଉପଯୋଗ କରି ସଂସ୍ଥାନର ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପର ତଥ୍ୟ ଗଚ୍ଛିତ କରି ରଖାଯାଏ ଓ ଆବଶ୍ୟକତା ଅନୁସାରେ ଏହାର ବିଶ୍ଳେଷଣ କରି କୌଣସି ବ୍ୟବସାୟିକ ନିଷ୍ପତ୍ତି ନେବାରେ ସହାୟତା ମିଳିଥାଏ ।

ଇଆର୍‍ପି ବିଭିନ୍ନ ବ୍ୟବସାୟିକ ପ୍ରକ୍ରିୟାର ତଥ୍ୟ ନିରବଚ୍ଛିନ୍ନ ଭାବରେ ଗୋଟିଏ ତଥ୍ୟାଗାର (ଈଂରାଜୀରେ Database - ଡେଟାବେସ୍) ମଧ୍ୟରେ ସଂଗ୍ରହ କରି ରଖୁଥିବାରୁ ଯେକୌଣସି ସମୟରେ ବ୍ୟବସାୟର ଏକ ପ୍ରକୃତ ଏବଂ ସମ୍ପୂର୍ଣ୍ଣ ଅବସ୍ଥାର ଚିତ୍ର ପ୍ରଦର୍ଶନ କରିବା ସହଜସାଧ୍ୟ ହୋଇପାରେ । ଇଆର୍‍ପି ବ୍ୟବସ୍ଥାଦ୍ୱାରା ଯେକୌଣସି ସମୟରେ ସଂସ୍ଥାନର ଆର୍ଥିକ ସ୍ୱଚ୍ଛଳତା, ଉତ୍ପାଦନ ନିମନ୍ତେ କଞ୍ଚାମାଲର ଆବଶ୍ୟକତା, ଉତ୍ପାଦନ କ୍ଷମତା ଇତ୍ୟାଦି ବିଷୟରେ ଜାଣିହେବ । ତା'ସହିତ ଗ୍ରାହକଙ୍କୁ ଜିନିଷ ପହଞ୍ଚାଇବା, ବିକ୍ରେତାଙ୍କ ପାଉଣା ପୈଠ କରିବା, କର୍ମଚାରୀଙ୍କୁ ବେତନ ଦେବା ଇତ୍ୟାଦି ବିଭିନ୍ନ ପ୍ରକାରର ବ୍ୟବସାୟ ଭିତ୍ତିକ ପ୍ରତିବଦ୍ଧତା କେଉଁ ଅବସ୍ଥାରେ ରହିଛି ତାହା ମଧ୍ୟ ସହଜରେ ଜାଣିହେବ । ବିଭିନ୍ନ ଆପ୍ଲିକେସନ୍ ସଫ୍ଟୱେର୍‍ଙ୍କୁ ନେଇ ଗଠିତ ଏହି ବ୍ୟବସ୍ଥା ମଧ୍ୟରେ ଏକ ସଂସ୍ଥାନର ସମସ୍ତ ବିଭାଗଙ୍କ (ଯଥା କ୍ରୟ ବିଭାଗ, ବିକ୍ରୟ ବିଭାଗ, ଅର୍ଥ ବିଭାଗ, ଉତ୍ପାଦନ ବିଭାଗ) ବ୍ୟବସାୟିକ ତଥ୍ୟ ପରସ୍ପର ମଧ୍ୟରେ ଆଦାନପ୍ରଦାନ କରାଯାଇପାରିବ ।[୧] ବ୍ୟବସାୟ ସମ୍ପାଦନ କରୁଥିବା ବିଭିନ୍ନ ବିଭାଗ ବା ଅଙ୍ଗମାନଙ୍କ ମଧ୍ୟରେ ତଥ୍ୟ ଆଦାନପ୍ରଦାନ କରିବା ସହିତ ଇଆର୍‍ପିଦ୍ୱାରା ବାହ୍ୟ ବ୍ୟବସାୟିକ ସହଯୋଗୀ, ଷ୍ଟକ୍ ମାଲିକ, ସରକାର ଓ କର ଆଦାୟକାରୀ ସଂସ୍ଥା ଇତ୍ୟାଦିଙ୍କୁ ମଧ୍ୟ ଆବଶ୍ୟକୀୟ ସୂଚନା ଓ ତଥ୍ୟ ଯୋଗାଇ ଦିଆଯାଇ ପାରିବ ।[୨]

ବିଭିନ୍ନ ପ୍ରକାରର ବ୍ୟବସାୟ ମଡେଲ୍ ତଥା ବ୍ୟବସାୟିକ ପ୍ରକ୍ରିୟାର ସୁପରିଚାଳନା ନିମନ୍ତେ ଏକ ଇଆର୍‍ପି ସଫ୍ଟୱେର୍ ବା ଆପ୍ଲିକେସନ୍‍ର ପରିକଳ୍ପନା ଓ ବିକାଶ କରିବା ମଧ୍ୟ ଆଉ ଏକ ପ୍ରକାରର ବ୍ୟବସାୟ । ଏହି ଇଆର୍‍ପି ସଫ୍ଟୱେର୍‍ର ପରିଚାଳନା ପାଇଁ ବିଗତ କିଛି ବର୍ଷ ଧରି ବହୁ ନାମୀଦାମୀ ବ୍ୟବସାୟିକ ସଂସ୍ଥାନମାନଙ୍କ ସୂଚନା ଓ ପ୍ରଯୁକ୍ତି ବିଭାଗର ଏକ ମୋଟା ଅଙ୍କ ଖର୍ଚ୍ଚ କରିଆସୁଛନ୍ତି । ପ୍ରଥମାବସ୍ଥାରେ କେବଳ ବଡ଼ ବଡ଼ ସଂସ୍ଥାନମାନେ ଇଆର୍‍ପି ବ୍ୟବହାର କରୁଥିଲେ, କିନ୍ତୁ ଏବେ ବହୁ କ୍ଷୁଦ୍ର ଓ ମଧ୍ୟମ ଧରଣର ସଂସ୍ଥାନ ମଧ୍ୟ ଇଆର୍‍ପି ସଫ୍ଟୱେର୍ ବ୍ୟବହାର କରିବା ଦେଖାଯାଉଛି ।[୩]

ଏକ ଇଆର୍‍ପି ବ୍ୟବସ୍ଥାଦ୍ୱାରା ସଂସ୍ଥାନର ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପ ସୁଚାରୁରୂପେ ଓ ପ୍ରାୟତଃ ନିର୍ଭୁଲ ଭାବେ ସମାହିତ ତଥା ପରିଚାଳିତ ହୋଇପାରୁଥିବାରୁ ସଂସ୍ଥାନର କାର୍ଯ୍ୟକ୍ଷମତା ବା ଉତ୍ପାଦନ କ୍ଷମତାରେ ଅଭିବୃଦ୍ଧି ଘଟିଥାଏ । ତେବେ ଏକ ଇଆର୍‍ପି ବ୍ୟବସ୍ଥାର ସ୍ଥାପନା ଓ ବିକାଶ ପାରମ୍ପରିକ ସଫ୍ଟୱେର୍ ବିକାଶ ପ୍ରକ୍ରିୟାଠାରୁ କିଛି ମାତ୍ରାରେ ଭିନ୍ନ ।[୪] ଏହି ଇଆର୍‍ପି ବ୍ୟବସ୍ଥା ଅନେକ ପ୍ରକାରର କମ୍ପ୍ୟୁଟର୍ ହାର୍ଡୱେର୍ ଓ ନେଟ୍‍ୱର୍କ୍ ବିନ୍ୟାସ ମାଧ୍ୟମରେ କାମ କରିଥାନ୍ତି । ହେଲେ ପ୍ରାୟତଃ ଏମାନେ ବ୍ୟବସାୟିକ ତଥ୍ୟ ସଂଗ୍ରହ କରି ଗୋଟିଏ ମୁଖ୍ୟ ତଥ୍ୟାଗାର ବା ଡେଟାବେସ୍ ମଧ୍ୟରେ ରଖିଥାନ୍ତି ।[୫]

ପ୍ରାରମ୍ଭ[ସମ୍ପାଦନା]

ପ୍ରଥମେ ୧୯୯୦ ଦଶନ୍ଧିରେ ଗାର୍ଟନର୍ ଗ୍ରୁପ୍ ଏହି ଇଆର୍‍ପି ଶବ୍ଦର ବ୍ୟବହାର ବା ପ୍ରଚଳନ ଆରମ୍ଭ କରାଇଥିଲେ ।[୬][୭] ଏପରି ବ୍ୟବସ୍ଥା ବା ସିଷ୍ଟମ୍‍କୁ ପ୍ରଥମାବସ୍ଥାରେ ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲର ଯୋଜନା (ଈଂରାଜୀରେ Material Requirements Planning - MRP), ପରେ ଉତ୍ପାଦନ ସଂସାଧନ ଯୋଜନା (Manufacturing Resource Planning - MRP II),[୮][୯] କମ୍ପ୍ୟୁଟର୍ ସମର୍ଥିତ ଉତ୍ପାଦନ (Computer-integrated Manufacturing) ଏପରି ଅନେକ ନାମ ଦିଆଯାଉଥିଲା । କିନ୍ତୁ ପରେ ଇଆର୍‍ପି ଶବ୍ଦଟିର ପ୍ରଚଳନ କରାଗଲା କାରଣ ଏହି ଶବ୍ଦ ଉତ୍ପାଦନ ବ୍ୟତୀତ ସଂସ୍ଥାନର ଅନ୍ୟାନ୍ୟ ବ୍ୟବସାୟିକ ପ୍ରକ୍ରିୟାକୁ ମଧ୍ୟ ସଂଯୋଜିତ ଓ ପରିଚାଳିତ କରିବାରେ ସହାୟକ ହେଉଥିଲା ।[୧୦]

ଔଦ୍ୟୋଗିକ ଉତ୍ପାଦନ ପ୍ରକ୍ରିୟାକୁ ମୂଳ କରି ସମସ୍ତ ଇଆର୍‍ପି ବ୍ୟବସ୍ଥା ସୃଷ୍ଟି ହୋଇନଥିଲା । ଇଆର୍‍ପି ସଫ୍ଟୱେର୍ ଓ ଆପ୍ଲିକେସନ୍‍ମାନଙ୍କ ବିକାଶ କରୁଥିବା ସଂସ୍ଥାନମାନେଦ୍ୱାରା ଅର୍ଥ ବିଭାଗ, ମାନବିକ ସମ୍ବଳ ବିଭାଗ, ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ବିଭାଗ ଇତ୍ୟାଦିର ପ୍ରକ୍ରିୟାକୁ ମଧ୍ୟ ଇଆର୍‍ପି ପ୍ୟାକେଜ୍‍ରେ ଅନ୍ତର୍ନିହିତ କରି ବିକିବା ଆରମ୍ଭ କଲେ । ୧୯୯୦ ଦଶନ୍ଧିର ମଧ୍ୟଭାଗ ବେଳକୁ ପ୍ରାୟ ସବୁ ଇଆର୍‍ପି ବ୍ୟବସ୍ଥା ଏକ ସଂସ୍ଥାନର ସମସ୍ତ ବୈଭାଗିକ ପ୍ରକ୍ରିୟା ପାଇଁ ନିଜ ସଫ୍ଟୱେର୍‍କୁ ବିକଶିତ କରିସାରିଥିଲେ । ଏପରିକି ସରକାରୀ ଓ ଅଣବ୍ୟବସାୟିକ ଅନୁଷ୍ଠାନ ମଧ୍ୟ ଇଆର୍‍ପି ବ୍ୟବସ୍ଥାର ଉପଯୋଗ କରିପାରିଥିଲେ ।[୧୧]

ଇଆର୍‍ପି ସଫ୍ଟୱେର୍ ତିଆରି କରୁଥିବା କେତେକ ଜଣାଶୁଣା କମ୍ପାନୀ[ସମ୍ପାଦନା]

ବିକାଶ ଓ ପ୍ରସାରଣ[ସମ୍ପାଦନା]

୧୯୯୦ ଦଶନ୍ଧିରେ ଇଆର୍‍ପି ବ୍ୟବସ୍ଥାର ବହୁଳ ପ୍ରଚାର ଓ ପ୍ରସାର ଘଟିଥିଲା । ୨୦୦୦ ମସିହାର ଆଗମନ ବେଳେ ଦେଖାଦେଇଥିବା ୨୦୦୦ ସମସ୍ୟା (ୱାଇଟୁକେ ପ୍ରବ୍ଲେମ୍ – Y2K Problem) ତଥା ୟୁରୋପ୍ ମହାଦେଶରେ ନୂତନ ମୁଦ୍ରା ୟୁରୋର ପ୍ରଚଳନ ପୁରାତନ ସଫ୍ଟୱେର୍‍ଗୁଡ଼ିକରେ ରହିଥିବା ଅସୁବିଧା ପଦାରେ ପକାଇଦେଲା । ଏହି ସମୟରେ ଅନେକ ବ୍ୟବସାୟିକ ସଂସ୍ଥାନ ନିଜ ଇଆର୍‍ପି ବ୍ୟବସ୍ଥାର ନବୀକରଣ ପ୍ରତି ଦୃଷ୍ଟି ଦେବାକୁ ଲାଗିଲେ ।[୧୨]

ଜନତା ଓ ଗ୍ରାହକଙ୍କ ନିକଟତମ ପ୍ରକ୍ରିୟାମାନଙ୍କୁ ଅଧିକ ପ୍ରଭାବିତ ନକରି ଏକ ସଂସ୍ଥାନର ପ୍ରଚ୍ଛଦପଟରେ ଘଟୁଥିବା ସମସ୍ତ ପ୍ରକ୍ରିୟାକୁ ଇଆର୍‍ପି ବ୍ୟବସ୍ଥା ସ୍ୱଚାଳିତ ଓ ସୁପରିଚାଳିତ କରିଦେଇପାରେ ।[୧୩]

୨୦୦୦ ମସିହାରେ ଗାର୍ଟନର୍ ପବ୍ଲିକେସନ୍ସ୍ "ଇଆର୍‍ପି II"ର ପ୍ରଚଳନ କରାଇଲେ ।[୧୪][୧୫] ଏହି ଇଆର୍‍ପି ଦ୍ୱିତୀୟ ଆଉ କିଛି ନୁହେଁ ବରଂ ପାରମ୍ପରିକ ଇଆର୍‍ପି ବ୍ୟବସ୍ଥାମାନଙ୍କର ସୁସଂଯୋଜିତ, ଉନ୍ନତ ଓ ପ୍ରସାରିତ ଅବତାର ।[୧୬]

ପ୍ରାରମ୍ଭିକ ସମୟର ଇଆର୍‍ପି ବ୍ୟବସ୍ଥା ଅପେକ୍ଷା ଇଆର୍‍ପି – ୨ ଉତ୍ତମତର । ପ୍ରାରମ୍ଭିକ ଇଆର୍‍ପି କେବଳ ସଂସ୍ଥାନର ଆନ୍ତଃ ବୈଭାଗିକ ତାଳ ମେଳରେ ସାହାଯ୍ୟ କରିପାରୁଥିବା ବେଳେ ଇଆର୍‍ପି – ୨ ସଂସ୍ଥାର ବାହାରର ଅନୁଷ୍ଠାନ ଓ ବ୍ୟବସ୍ଥା ସହିତ ସହଜରେ ସମନ୍ନ୍ୱୟ ରଖିବାରେ ସହାୟକ ହୋଇପାରିଲା ।[୧୭][୧୮]

ପ୍ରକୃତି[ସମ୍ପାଦନା]

ଇଆର୍‍ପି ବ୍ୟବସ୍ଥାର କିଛି ବିଶେଷ ପ୍ରକୃତି ହେଲା:

  • ଏହା ସବୁ ବିଭାଗଙ୍କ ଦୃଷ୍ଟିକୋଣରୁ ଏକ ସୁସଂଯୋଜିତ ସଫ୍ଟୱେର୍ ବ୍ୟବସ୍ଥା
  • ପ୍ରାୟତଃ ପ୍ରକୃତ ସମୟରେ ଏହି ସଫ୍ଟୱେର୍ କାମ କରିପାରେ । ବ୍ୟବସାୟ ଚାଲୁଥିବା ସମୟରେ କଣ କଣ ଘଟୁଛି ତାହା ଲିପିବଦ୍ଧ କରି ରଖାଯାଇପାରିବ ।
  • ସମସ୍ତଙ୍କ ତଥ୍ୟ ଏକମାତ୍ର ବୃହତ୍ ତଥ୍ୟାଗାରରେ ସଂଗ୍ରହ କରି ରଖାଯାଇପାରେ ।
  • ସବୁ ମଡ୍ୟଲ୍ ଏକ ନିର୍ଦ୍ଦିଷ୍ଟ ଶୈଳୀରେ ପରିଚାଳିତ ହୁଅନ୍ତି ।
  • ସମସ୍ତ ବିଭାଗର କାର୍ଯ୍ୟ ପ୍ରଭାବିତ କରୁଥିବା ଏହି ସଫ୍ଟୱେର୍ ଗରିଷ୍ଠ, କିନ୍ତୁ ଏକା ବେଳକେ ସ୍ଥାପିତ ହୋଇପାରେ ।[୧୯]
  • କ୍ଲାଉଡ଼୍ କିମ୍ବା ଅଣ-କ୍ଲାଉଡ଼୍ ପରିସରରେ ଏହାକୁ ରଖାଯାଇପାରିବ ।

ଇଆର୍‍ପିର ବିଭିନ୍ନ ମଡ୍ୟୁଲ୍ ବା ବୈଭାଗିକ ଅଙ୍ଗ[ସମ୍ପାଦନା]

ଏକ ଇଆର୍‍ପି ବ୍ୟବସ୍ଥାର ବିଭିନ୍ନ ମଡ୍ୟୁଲ୍ ବା ବୈଭାଗିକ ଅଂଗ ଏହି ଚିତ୍ରରେ ପ୍ରଦର୍ଶିତ

ବିଭିନ୍ନ ବୈଭାଗିକ (ବିଭାଗୀୟ) ପ୍ରକ୍ରିୟାମାନଙ୍କୁ ଏକତ୍ରିତ କରି ଇଆର୍‍ପି ସଫ୍ଟୱେର୍ ମଧ୍ୟରେ ସ୍ୱତନ୍ତ୍ର ମଡ୍ୟୁଲ୍‍ର ରୂପ ଦିଆଯାଇଥାଏ । ସେଗୁଡ଼ିକ ହେଲେ:

  • ଅର୍ଥ, ହିସାବ-ନିକାସ ବା ଗୁମାସ୍ତା: ପାଉଣା, ଖାତା, ନେଣଦେଣ ଲେଖା, ବେତନ, ପଇସା, ଋଣ, ବିକ୍ରେତାଙ୍କୁ ପୈଠର ହିସାବ, କର ଓ ଟିକସ ପ୍ରଭୃତିଙ୍କ ପରିଚାଳନା ଏହି ମଡ୍ୟୁଲ୍ ମାଧ୍ୟମରେ ହୋଇଥାଏ ।
  • ଖର୍ଚ୍ଚ ପରିଚାଳନା: ପରିବହନ, ଯୋଗାଣ, ଉତ୍ପାଦନ ତଥା ଅନ୍ୟ ଔଦ୍ୟୋଗିକ ପ୍ରକ୍ରିୟାରେ ହେଉଥିବା ବ୍ୟୟର ନିରୀକ୍ଷଣ ଓ ନିୟନ୍ତ୍ରଣ, ପୁଞ୍ଜି ଅନୁସାରେ ବ୍ୟୟର ଯୋଜନା ଇତ୍ୟାଦି ଏହି ମଡ୍ୟୁଲଦ୍ୱାରା କରିହେବ ।
  • ମାନବିକ ସମ୍ବଳ: ନିଯୁକ୍ତି, ପ୍ରଶିକ୍ଷଣ, ବେତନ, ଅବସର ବା ଅବ୍ୟାହାତି, ପେନ୍‍ସନ୍, କର୍ମଚାରୀଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗର ତଥ୍ୟ, ପ୍ରତିଦିନର ଉପସ୍ଥିତି, ଛୁଟି ଇତ୍ୟାଦି ଏହି ମଡ୍ୟୁଲ୍ ମାଧ୍ୟମରେ ପରିଚାଳିତ ହୋଇଥାଏ ।
  • ଉତ୍ପାଦନ: ଆବଶ୍ୟକ କଞ୍ଚାମାଲର ତାଲିକା ପ୍ରସ୍ତୁତ କରିବା, ବୈଷୟିକ ଜ୍ଞାନ ଓ କୌଶଳ, ଯନ୍ତ୍ରପାତିର କ୍ଷମତା, ଉତ୍ପାଦନର ମାନ ପରୀକ୍ଷଣ ଓ ନିୟନ୍ତ୍ରଣ ଇତ୍ୟାଦି ଏହି ମଡ୍ୟୁଲ୍‍ର ଅନ୍ତର୍ଗତ ।
  • ବିକ୍ରୟ ଓ ବିତରଣ: ଗ୍ରାହକମାନଙ୍କ କ୍ରୟ ପାଇଁ ଅନୁରୋଧ କରାଯାଇଥିବା ପଦାର୍ଥର ବିତରଣ, ବାକି ଦେବା, ବିକ୍ରୟ ମୂଲ୍ୟ ଧାର୍ଯ୍ୟ କରିବା, ବିକ୍ରୟର ବିଶ୍ଳେଷଣ ଇତ୍ୟାଦି ଏହି ମଡ୍ୟୁଲଦ୍ୱାରା ପରିଚାଳିତ ହୁଏ ।
  • ଯୋଗାଣ ବ୍ୟବସ୍ଥା ପରିଚାଳନା: ଯୋଗାଣ କିପରି କରାଯିବ ତାହାର ଯୋଜନା କରିବା, ବିକ୍ରୟ ଚକ୍ର ପ୍ରକ୍ରିୟା, କ୍ରୟ ଚକ୍ର ପ୍ରକ୍ରିୟା, ଗୋଦାମରେ ମାଲ ପରିଚାଳନା, ବିକ୍ରେତାଙ୍କଠାରୁ କେବେ କଞ୍ଚାମାଲ ଓ ଅନ୍ୟ ଜରୁରୀ ପଦାର୍ଥ ଆସିବ ତାହାର ସମୟ ଧାର୍ଯ୍ୟ କରିବା ଇତ୍ୟାଦି ଏହି ମଡ୍ୟୁଲ୍ ମାଧ୍ୟମରେ ନିୟନ୍ତ୍ରଣ କରାଯାଇପାରିବ ।
  • ପ୍ରକଳ୍ପ ପରିଚାଳନା: ବିଭିନ୍ନ ପ୍ରକଳ୍ପ ସମ୍ବନ୍ଧୀୟ ଯୋଜନା, ଆବଶ୍ୟକୀୟ ସମ୍ବଳର ଯୋଜନା, ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ଖର୍ଚ୍ଚର ପ୍ରାକ୍-ଅନୁମାନ ଓ ଯୋଜନା ଇତ୍ୟାଦି ଏହି ମଡ୍ୟୁଲ୍‍ର ପରିସରଭୁକ୍ତ ।
  • ଗ୍ରାହକ ସମ୍ପର୍କ ପରିଚାଳନା: ବିକ୍ରି, ଜରୁରୀ କାଳୀନ ସେବା, ମରାମତି ସେବା, ଗ୍ରାହକଙ୍କ ସହ ସମ୍ପର୍କ ସ୍ଥାପନ ଓ ପରିଚାଳନା ଇତ୍ୟାଦି ଏହାର ଅନ୍ତର୍ଗତ ।
  • ପୋର୍ଟାଲ୍ ବା ତଥ୍ୟ ସମ୍ବଳିତ ସେବା : ବିକ୍ରେତା, ଗ୍ରାହକ, କର୍ମଚାରୀ ଇତ୍ୟାଦିଙ୍କ ପାଇଁ ପୋର୍ଟାଲ୍ ଯୋଗାଇଦେବା ଏହି ମଡ୍ୟୁଲଦ୍ୱାରା କରାଯାଇପାରିବ ।

ଇଆର୍‍ପି ବ୍ୟବସ୍ଥାର ବିଭିନ୍ନ ଅଙ୍ଗ[ସମ୍ପାଦନା]

  • ବ୍ୟବସାୟିକ ନେଣଦେଣର ତଥ୍ୟ ଗଚ୍ଛିତ ରଖିବା ପାଇଁ ଉଦ୍ଦିଷ୍ଟ ତଥ୍ୟାଗାର (ଡେଟାବେସ୍) – (ଈଂରାଜୀରେ Transactional Database)
  • ପରିଚାଳନା ଓ ନିରୀକ୍ଷଣ ପଟ୍ଟଳ (ଈଂରାଜୀରେ Management Portal ବା Business Dashboard)
  • ବ୍ୟବାହାରକାରୀ ବା ଇଆର୍‍ପି ବ୍ୟବସ୍ଥା ସହ ଜଡ଼ିତ ଜନତା
  • ସଫ୍ଟୱେର୍

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Almajali, Dmaithan (2016). "Antecedents of ERP systems implementation success: a study on Jordanian healthcare sector". Journal of Enterprise Information Management. Emeralad. 29 (4): 549. doi:10.1108/JEIM-03-2015-0024. Retrieved January 6, 2016.
  2. Radovilsky, Zinovy (2004). Bidgoli, Hossein (ed.). The Internet Encyclopedia, Volume 1. John Wiley & Sons, Inc. p. 707.
  3. Rubina Adam, Paula Kotze, Alta van der Merwe. 2011. Acceptance of enterprise resource planning systems by small manufacturing Enterprises. In: Proceedings of the 13th International Conference on Enterprise Information Systems, edited by Runtong Zhang, José Cordeiro, Xuewei Li, Zhenji Zhang and Juliang Zhang, SciTePress, p. 229 - 238
  4. Shaul, L.; Tauber, D. (2012). "CSFs along ERP life-cycle in SMEs: a field study". Industrial Management & Data Systems. 112 (3): 360–384. doi:10.1108/02635571211210031.
  5. Khosrow–Puor, Mehdi. (2006). Emerging Trends and Challenges in Information Technology Management. Idea Group, Inc. p. 865.
  6. InfoWorld, Heather Harreld,. "Extended ERP technology reborn in B2B". Retrieved July 20, 2016.{{cite web}}: CS1 maint: extra punctuation (link) CS1 maint: multiple names: authors list (link)
  7. "A Vision of Next Generation MRP II", Scenario S-300-339, Gartner Group, April 12, 1990ଛାଞ୍ଚ:Third-party-inline
  8. Anderegg, Travis. "MRP/MRPII/ERP/ERM — Confusing Terms and Definitions for a Murkey Alphabet Soup". Retrieved September 23, 2013.
  9. "ERP". Retrieved October 7, 2009.
  10. Sheilds, Mureell G. (2005). E-Business and ERP: Rapid Implementation and Project Planning. John Wiley and Sons, Inc. p. 9.
  11. Chang, SI; Guy Gable; Errol Smythe; Greg Timbrell (2000). "A Delphi examination of public sector ERP implementation issues". International Conference on Information Systems. Atlanta: Association for Information Systems. pp. 494–500. http://dl.acm.org/citation.cfm?id=359640.359793. Retrieved September 9, 2008. 
  12. Thin Enterprise Resource Planning (Second ed.). Boston: Thomson Course Technology. 2006. ISBN 0-619-21663-8.
  13. Hayman, L. (2000). "ERP in the Internet Economy". Information Systems Frontiers. 2000 (2): 137–139. doi:10.1023/A:1026595923192.
  14. "B. Bond, Y. Genovese, D. Miklovic, N. Wood, B. Zrimsek, N. Rayner, ERP Is Dead — Long Live ERP II; GartnerGroup RAS Services, SPA-12-0420 4 October 2000" (PDF). Archived from the original (PDF) on 17 February 2018. Retrieved February 16, 2018.
  15. "ERP: What you need to ask before you buy". projectauditors.com. Retrieved April 23, 2014.
  16. "The Bryan School of Business and Economics at UNCG—Exceptional Problem Solvers" (PDF). Uncg.edu. Archived from the original (PDF) on September 12, 2012. Retrieved November 8, 2012.
  17. Charles Møller (August 1, 2005). "ERP II: a conceptual framework for next‐generation enterprise systems?". Journal of Enterprise Information Management. 18 (4): 483–497. doi:10.1108/17410390510609626. ISSN 1741-0398.
  18. Ruhi, Umar (July 1, 2016). "An experiential learning pedagogical framework for enterprise systems education in business schools". The International Journal of Management Education. 14 (2): 198–211. doi:10.1016/j.ijme.2016.04.006.
  19. Sheilds, Mureell G., E-Business and ERP: Rapid Implementation and Project Planning. (2001) John Wiley and Sons, Inc. p. 9-10.

ପୁସ୍ତକ ଆଧାର[ସମ୍ପାଦନା]

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]