ଅର୍ଥଶାସ୍ତ୍ର

ଉଇକିପିଡ଼ିଆ ରୁ
Jump to navigation Jump to search
ତାଳପତ୍ର ପୋଥିରେ ଲିଖିତ ଅର୍ଥଶସ୍ତ୍ରର ଏକ ପ୍ରାଚୀନ ପାଣ୍ଡୁଲିପି

ସଂସ୍କୃତ ଭାଷାରେ ଲିଖିତ ଅର୍ଥଶାସ୍ତ୍ର ପ୍ରାଚୀନ ଭାରତର ଶ୍ରେଷ୍ଠ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ । ଏଥିରେ ରାଜ୍ୟ ପରିଚାଳନା, ରାଜନୀତି, ସମରନୀତି ପରି ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ବର୍ଣ୍ଣିତ ହୋଇଛି ।[୧][୨] କୌଟିଲ୍ୟ ଏହି ଶାସ୍ତ୍ରର ରଚୟିତା । [୩] କୌଟିଲ୍ୟ ବିଷ୍ଣୁଗୁପ୍ତ ଓ ଚାଣକ୍ୟ ନାମରେ ମଧ୍ୟ ପ୍ରସିଦ୍ଧ । କେତେକ ମତାନୁସାରେ ଅନେକ ଶତାବ୍ଦୀ ଧରି ବିଭିନ୍ନ ଶ୍ଳୋକର ସମାହାରରେ ଏହି ଶାସ୍ତ୍ରର ରଚନା ହୋଇଛି ଏବଂ ଏହାର ମୁଖ୍ୟ ଶ୍ରେୟ ଚାଣକ୍ୟଙ୍କୁ ଦିଆଯାଇଛି ।[୪][୫] ତକ୍ଷଶିଳାର ମହାଜ୍ଞାନୀ ଚାଣକ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଗୁରୁ ଓ ଉପଦେଷ୍ଟା ଥିଲେ । [୬] କିନ୍ତୁ କେତେକ ଐତିହାସିକ ଏହି ତଥ୍ୟକୁ ଗ୍ରହଣ କରି ନାହାନ୍ତି। [୭][୮] ଅର୍ଥଶାସ୍ତ୍ର ରଚନା ଖ୍ରୀଷ୍ଟପୂର୍ବ ଦ୍ୱିତୀୟରୁ ତୃତୀୟ ଶତାବ୍ଦୀ[୯] ମଧ୍ୟରେ ହୋଇଥିଲା ଓ ଖ୍ରୀଷ୍ଟାବ୍ଦ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ବହୁଳ ଭାବେ ଆଦୃତ ଥିଲା । ଖ୍ରୀଷ୍ଟାବ୍ଦ ଦ୍ୱାଦଶ ଶତାବ୍ଦୀ ପରେ ଏହାର ପ୍ରଭାବ ହ୍ରାସ ପାଇବାକୁ ଲାଗିଲା । ୧୯୦୫ ମସିହାରେ ମହୀଶୂରର ସଂସ୍କୃତ ବିଷାରଦ ରୁଦ୍ରପଟ୍ଟଣ ଶାମାଶାସ୍ତ୍ରୀ ଏହି ଗ୍ରନ୍ଥର ପୁନରାବିଷ୍କାର କରି ୧୯୦୯ ମସିହାରେ ଏହାର ମୁଦ୍ରଣ କରାଇଥିଲେ । [୧୦] ଅର୍ଥଶାସ୍ତ୍ରର ପ୍ରଥମ ଈଂରାଜୀ ଅନୁବାଦ ୧୯୧୫ ମସିହାରେ ପ୍ରକାଶ ପାଇଥିଲା । [୧୧] ଅର୍ଥଶାସ୍ତ୍ର ନାମଟିକୁ ଲୋକେ ମୁଖ୍ୟତଃ ରାଜନୀତି ବିଜ୍ଞାନ ସମ୍ବନ୍ଧୀୟ ବୋଲି ବିଚାର କରିଥାନ୍ତି; [୧୨][୧୩] କିନ୍ତୁ ଅର୍ଥଶାସ୍ତ୍ରରେ ଆହୁରି ଅନେକ ବିଷୟର ମଧ୍ୟ ଉଲ୍ଲେଖ ମିଳେ । [୧୪] ଏହି ଗ୍ରନ୍ଥରୁ ବିଭିନ୍ନ ପ୍ରକାରର ସରକାର, ଆଇନ, ଦେବାନୀ ଓ ଫୌଜଦାରୀ ନ୍ୟାୟାଳୟ ବ୍ୟବସ୍ଥା, ନୈତିକ ବ୍ୟବସ୍ଥା, ଅର୍ଥନୀତି, ବଜାର ଓ ବ୍ୟବସାୟ, ମନ୍ତ୍ରୀ ଚୟନ ପ୍ରକ୍ରିୟା, କୂଟନୀତି, ଯୁଦ୍ଧନୀତି, ଶାନ୍ତି ଓ ମୈତ୍ରୀ ସମ୍ବନ୍ଧୀୟ ନୀତି, ରାଜାର କର୍ତ୍ତବ୍ୟ ଓ ଦାୟିତ୍ତ୍ୱ ସମ୍ପର୍କରେ ଜାଣିବାକୁ ମିଳେ । [୧୫][୧୬][୧୭] ତା’ ଛଡ଼ା ଅର୍ଥଶାସ୍ତ୍ରରୁ ହିନ୍ଦୁ ଦର୍ଶନ ଶାସ୍ତ୍ର, [୧୮] ପ୍ରାଚୀନ ସମୟର କୃଷି ବିଜ୍ଞାନ, ଧାତୁ ଓ ଖଣି ବିଜ୍ଞାନ, ପଶୁ ପାଳନ, ଔଷଧ, ବଣ ଓ ବନ୍ୟଜନ୍ତୁ ଇତ୍ୟାଦି ସମ୍ବନ୍ଧରେ ମଧ୍ୟ ଅନେକ ଜ୍ଞାନ ଓ ତଥ୍ୟ ମିଳେ । [୧୯] ନୀତି ପ୍ରଣୟନଦ୍ୱାରା ସମାଜର ଉନ୍ନତି କରିବା ଓ ସୁପରିଚାଳନା କରିବା ବିଷୟ ମଧ୍ୟ ଅର୍ଥଶାସ୍ତ୍ରରେ ବର୍ଣ୍ଣିତ ହୋଇଛି । ମରୁଡ଼ି, ରୋଗବ୍ୟାଧି, ଯୁଦ୍ଧ ବା ପ୍ରାକୃତିକ ବିପତ୍ତିଦ୍ୱାରା ପ୍ରଭାବିତ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା, ଦୁର୍ଗର ସ୍ଥାପନା, କରଛାଡ଼ ପ୍ରଭୃତି ଜନହିତକାରୀ ନୀତି ଅବଲମ୍ବନ କରିବା ପାଇଁ ରାଜାମାନଙ୍କୁ ଉପଦେଶ ମଧ୍ୟ ଦିଆଯାଇଛି । [୨୦] ଅନୁମାନ କରାଯାଏ ଯେ ମନୁସ୍ମୃତି ଅର୍ଥଶାସ୍ତ୍ରର ପରବର୍ତ୍ତୀ ସମୟରେ ରଚିତ ଓ ମନୁସ୍ମୃତିରେ ବର୍ଣ୍ଣିତ ରାଜାଙ୍କ ପ୍ରକାର, ରାଜୁତି, ନ୍ୟାୟ ପ୍ରଣାଳୀ ଇତ୍ୟାଦିର କିଛି ଅଂଶ ଅର୍ଥଶାସ୍ତ୍ରଦ୍ୱାରା ପ୍ରଭାବିତ । [୨୧][୨୨]

ଇତିହାସ[ସମ୍ପାଦନା]

୧୯୧୫ ମସିହାରେ ପ୍ରକାଶିତ ଶାମାଶାସ୍ତ୍ରୀଙ୍କ ପୁସ୍ତକରେ ରହିଥିବା ଚାଣକ୍ୟଙ୍କ କାଳ୍ପନିକ ଚିତ୍ର

୧୯୦୫ ମସିହା ପର୍ଯ୍ୟନ୍ତ ଔପନିବେଶିକ ଶାସନ କାଳର ବିଭିନ୍ନ ବିଦୂଷୀଗଣ ଅର୍ଥଶାସ୍ତ୍ରର ପାଣ୍ଡୁଲିପିକୁ ହୃତ ବୋଲି ବିବେଚନା କରୁଥିଲେ । ୧୯୦୫ ମସିହାରେ ତାଞ୍ଜୋର୍‍ର ଜଣେ ତାମିଲ୍ ବ୍ରାହ୍ମଣ ତାଳପତ୍ରରେ ସଂସ୍କୃତ ଭାଷାରେ ଲିଖିତ ଅର୍ଥଶାସ୍ତ୍ରର ପାଣ୍ଡୁଲିପିକୁ ମହୀଶୂରରେ ନୂତନ ଭାବେ ପ୍ରତିଷ୍ଠିତ ଓରିଏଣ୍ଟାଲ୍ ଲାଇବ୍ରେରୀ (ପ୍ରାଚ୍ୟ ପାଠାଗାର)ର ମୁଖ୍ୟ ବେଞ୍ଜାମିନ୍ ଲୁଇସ୍ ରାଇସ୍‍ଙ୍କୁ ପ୍ରଦାନ କରିଥିଲେ । [୧୦] ପାଠାଗାରର ଅଧ୍ୟକ୍ଷ ରୁଦ୍ରପଟଣମ୍ ଶାମାଶାସ୍ତ୍ରୀ ଏହି ପାଣ୍ଡୁଲିପିଟି ଅର୍ଥଶାସ୍ତ୍ର ବୋଲି ଚିହ୍ନଟ କରିପାରିଥିଲେ । ୧୯୦୫ରୁ ୧୯୦୯ ମସିହା ମଧ୍ୟରେ ଶାମାଶାସ୍ତ୍ରୀ ଏହି ପୁସ୍ତକର ବିଷୟାବଳୀକୁ ଈଂରାଜୀ ଭାଷାରେ ଅନୁବାଦ କରି ଇଣ୍ଡିୟାନ୍ ଆଣ୍ଟିକ୍ୱାରୀମୈଶୂର୍ ରିଭ୍ୟୁ ନାମକ ଦୁଇଟି ଜର୍ଣ୍ଣାଲ୍‍ରେ ପ୍ରକାଶ କରାଇଥିଲେ । ୧୯୨୩-୨୪ ମସିହା ବେଳକୁ ପ୍ରଚୀନ ଭାରତ ଉପରେ ଗବେଷଣା କରୁଥିବା ଦୁଇ ଗବେଷକ ଜୁଲିୟସ୍ ଜୋଲି ଓ ରିଚାର୍ଡ୍ ଶ୍ମିଡ୍ ବଭେରିୟାନ୍ ଜାତୀୟ ପାଠାଗାରରେ ରହିଥିବା ମାଲାୟାଲାମ୍ ଲିପିରେ ଲିଖିତ ଅର୍ଥଶାସ୍ତ୍ରର ଏକ ପାଣ୍ଡୁଲିପିର ଅନୁବାଦ କରିଥିଲେ । ୧୯୫୦ ଦଶନ୍ଧିରେ ଗୁଜରାଟରୁ ଦେବନାଗରୀ ଲିପିରେ ଲିଖିତ ଅର୍ଥଶାସ୍ତ୍ରର ଅନେକ ଭାଗ ପ୍ରାପ୍ତ ହୋଇଥିଲା । ୧୯୫୯ ମସିହାରେ ମୁନି ଜିନା ବିଜୟ ଏହାର ଏକ ସଂସ୍କରଣ ପ୍ରକାଶ କରାଇଥିଲେ । ୧୯୬୦ରେ ଆର୍. ପି. କାଂଗ୍‍ଲେ ଅର୍ଥଶାସ୍ତ୍ରର ଏକ ବିସ୍ତୃତ ଆଲୋଚନାତ୍ମକ ସଂସ୍କରଣ ପ୍ରକାଶ କରାଇଥିଲେ । ପରବର୍ତ୍ତୀ ସମୟରେ ବିଭିନ୍ନ ଲେଖକ ଅର୍ଥଶାସ୍ତ୍ର ସମ୍ପର୍କରେ ନିଜର ଅଭିମତ ଓ ଅନୁବାଦ ପ୍ରକାଶ କରିଛନ୍ତି ।

ରଚୟିତା, ରଚନା ସମୟ ଓ ରଚନା ଶୈଳୀ[ସମ୍ପାଦନା]

ଅର୍ଥଶାସ୍ତ୍ରର ରଚୟିତା ଓ ରଚନା ସମୟ ବିଷୟରେ ଅଧିକ ପ୍ରମାଣ ମିଳିପାରି ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଆବିଷ୍କୃତ ପାଣ୍ଡୁଲିପିର ଶ୍ଳୋକମାନଙ୍କରେ କାଳକ୍ରମେ ପରିବର୍ତ୍ତନ କରାଯାଇଛି । କିନ୍ତୁ ଅର୍ଥଶାସ୍ତ୍ରର ଶ୍ଳୋକମାନଙ୍କର ରଚନା ପ୍ରାୟ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ତୃତୀୟ ଶତାବ୍ଦୀ ମଧ୍ୟରେ ହୋଇଥିବା ସମ୍ଭବପର । ଓଲିଭିଏଙ୍କ ମତରେ ଅନେକ ଶତାବ୍ଦୀ ଧରି ଅର୍ଥଶାସ୍ତ୍ରର ଶ୍ଳୋକମାନ ମୌଖିକ ପରମ୍ପରାରେ ପ୍ରଚାରିତ ହୋଇ ଆସିଥିଲା ।

ଯୁଦ୍ଧରୁ ଦୂରେଇ ରହିବା ଯଥାର୍ଥ

ଯୁଦ୍ଧରେ ବିଜୟ ବା ପରାଜୟ ଲାଭ କରିବାର ସମାନ ସମ୍ଭାବନା ରହିଛି ।
ଯୁଦ୍ଧର ସମ୍ଭାବନା ବିଷୟରେ ଭବିଷ୍ୟବାଣୀ କରିହୁଏ ନାହିଁ ।
ଯୁଦ୍ଧ ଯୋଗୁଁ ଅର୍ଥହାନି ମଧ୍ୟ ହୋଇଥାଏ । ତେଣୁ ଯୁଦ୍ଧଠାରୁ ଦୂରେଇ ରହିବା ଭଲ ।
ପ୍ରଥମେ ସାମ, ଦାମ, ଦଣ୍ଡ, ଭେଦ – ଏହି ଚାରି ଉପାୟ ଅବଲମ୍ବନ କରିବା ଉଚିତ୍ ।
ତା’ ପରେ ଷଡଗୁଣ୍ୟର ପ୍ରୟୋଗ କରି ବିନା ଯୁଦ୍ଧରେ ଚାପ ପ୍ରୟୋଗ କରାଯିବା ଠିକ୍ ।
ନିଜ ପ୍ରତିଦ୍ୱନ୍ଦୀକୁ ଭଲ ଭାବେ ବୁଝିଲା ପରେ ତାକୁ ମାନସିକ ଭାବେ ପରାସ୍ତ କରିବାକୁ ଚେଷ୍ଟା କର ।
ଯଦି ଏସବୁ ଅକାମୀ ହୁଏ, ତେବେ ସାମରିକ ଶକ୍ତିର ବ୍ୟବହାର କର ।

Arthashastra Books 2.10, 6-7, 10[୨୩]

ଶ୍ଳୋକମାନଙ୍କରେ ପ୍ରଥମେ ଗଦ୍ୟ ଆକାରରେ ଓ ଶେଷ ଆଡ଼କୁ ପଦ୍ୟ ଆକାରରେ ଏହି ସବୁ ନୀତିର ବର୍ଣ୍ଣନା କରାଯାଇଛି । ପ୍ରାୟତଃ ଅଧିକାଂଶ ସଂସ୍କୃତ ରଚନାରେ ଏପରି ଶେଷଭାଗରେ ପଦ୍ୟ ସଂରଚନା ସେହି ଶ୍ଳୋକର ଆସନ୍ନ ସମାପ୍ତିର ସୂଚନା ଦିଏ ବୋଲି ଓଲିଭିଏ ମତ ରଖିଥିଲେ ।

ଅନୁବାଦ[ସମ୍ପାଦନା]

ଅନେକ ବିଶାରଦ ଅର୍ଥଶାସ୍ତ୍ରକୁ ଭିନ୍ନ ଦୃଷ୍ଟିକୋଣରୁ ଦେଖି ଆସିଛନ୍ତି ।

  • ଆର୍. ପି. କାଂଗ୍ଲେ : "ମନୁଷ୍ୟର ଜୀବନ ନିର୍ବାହର ମାଧ୍ୟମ ହେଉଛି ଅର୍ଥ ଓ ଅର୍ଥର ମାଧ୍ୟମ ସମ୍ବନ୍ଧୀୟ ବିଜ୍ଞାନ ହେଲା ଅର୍ଥଶାସ୍ତ୍ର"[୨୪] "ରାଜନୀତି ବିଜ୍ଞାନ";[୨୫]
  • ଆର୍ଥର୍ ଲେୱେଲିନ୍ ବାଶାମ୍ : "ନୀତି ସମ୍ପର୍କିତ ଶାସ୍ତ୍ର" [୧୨]
  • ଦାମୋଦର ଧର୍ମନନ୍ଦ କୋଶାମ୍ବି : "ଅର୍ଥଲାଭ କରିବାର ବିଜ୍ଞାନ"[୧୨]
  • ଜି. ପି. ସିଂ: "ନୀତି ବିଜ୍ଞାନ"[୧୨]
  • ରୋଜର୍ ବୋଶ୍: "ରାଜନୈତିକ ଅର୍ଥନୀତି ବିଜ୍ଞାନ"[୧୨]
  • ପ୍ୟାଟ୍ରିକ୍ ଓଲିଭିଏ: "ରାଜନୀତି ବିଜ୍ଞାନ"

ପ୍ରାଚୀନ ହିନ୍ଦୁ ଜୀବନଶୈଳୀ ଅନୁସାରେ ପୁରୁଷାର୍ଥର ଚାରୋଟି ଲକ୍ଷ୍ୟ ହେଲେ ଅର୍ଥ [୨୬], ଧର୍ମ [୨୭], କାମ [୨୮] ଏବଂ ମୋକ୍ଷ [୨୯] । ଶାସ୍ତ୍ର ଶବ୍ଦ ସାଧାରଣତଃ ନିୟମାବଳୀ ବା ବିଜ୍ଞାନକୁ ସୂଚାଏ ।

ଅଧ୍ୟାୟ ସଜ୍ଜା[ସମ୍ପାଦନା]

ଅର୍ଥଶାସ୍ତ୍ରକୁ ୧୫ଟି ଅଧିକରଣରେ ବିଭକ୍ତ କରାଯାଇଛି । ଏହି ଅଧିକରଣ ଗୁଡ଼ିକ ହେଲା :

(୧) ବିନୟାଧିକରଣ (ପ୍ରଶିକ୍ଷଣ ସମ୍ପର୍କରେ)
(୨) ଅଧ୍ୟକ୍ଷୋପଚାର (ଅଧ୍ୟକ୍ଷ୍ୟମାନଙ୍କ କାର୍ଯ୍ୟକଳାପ ସମ୍ପର୍କରେ)
(୩) ଧର୍ମସ୍ଥୀୟାଧିକରଣ (ନ୍ୟାୟ ଓ ଧର୍ମ ସମ୍ପର୍କରେ)
(୪) କଣ୍ଟକଶୋଧନ (ଦୁର୍ନୀତି, ବାଧାବିଘ୍ନ, ଅଶାନ୍ତି ଓ ଦୁର୍ବିପାକର ନିବାରଣ ସମ୍ପର୍କରେ)
(୫) ବୃତ୍ତାଧିକରଣ,
(୬) ଯୋନ୍ୟଧିକରଣ (ଗୁପ୍ତ କର୍ମ ସମ୍ପର୍କରେ)
(୭) ଷାଡ୍‍ଗୁଣ୍ୟ
(୮) ବ୍ୟସନାଧିକରଣ,
(୯) ଅଭିଯାସ୍ୟତ୍କର୍ମାଧିକରଣା,
(୧୦) ସଂଗ୍ରାମାଧିକରଣ (ଯୁଦ୍ଧ ସମ୍ପର୍କରେ)
(୧୧) ସଂଘବୃତ୍ତାଧିକରଣ,
(୧୨) ଆବଳୀୟସାଧିକରଣ,
(୧୩) ଦୁର୍ଗଲମ୍ଭୋପାୟାଧିକରଣ,
(୧୪) ଔପନିଷଦିକାଧିକରଣ ଏବଂ
(୧୫) ତନ୍ତ୍ରଯୁକ୍ତ୍ୟଧିକରଣ

ଏହି ଅଧିକରଣମାନଙ୍କୁ ୧୫୦ଟି ଅଧ୍ୟାୟ ଓ ୧୮୦ଟି ପ୍ରସଙ୍ଗ ବା ଉପ-ବିଭାଗରେ ବିଭକ୍ତ କରାଯାଇଛି । ଅର୍ଥଶାସ୍ତ୍ରରେ ପ୍ରାୟ ୬୦୦୦ଟି ଶ୍ଳୋକ ରହିଛି ।

ପଦବୀ ଈଂରାଜୀ ରୂପାନ୍ତର ପଦବୀ ଈଂରାଜୀ ରୂପାନ୍ତର
ରାଜା King ଯୁବରାଜ Crown prince
ସେନାପତି General of the Army ପରିଷଦ Council
ନାଗରିକ Town manager ପୌରବ୍ୟ ବାହାରିକ City overseer
ମନ୍ତ୍ରୀ Minister କାର୍ମିକ Works officer
ସନ୍ନିଧାତା Treasurer କାର୍ମାନ୍ତରିକ Director, factories
ଅନ୍ତେପାଳ Frontier commander ଅନ୍ତର୍ବିଂଶକ Head, guards
ଦୌବାରିକ Chief guard ଗୋପ Revenue officer
ପୁରୋହିତ Chaplain କରଣିକ Accounts officer
ପ୍ରଶାସ୍ତା Administrator ନାୟକ Commander
ଉପଯୁକ୍ତ Junior officer ପ୍ରଦେଷ୍ଟା Magistrate
ଶୂନ୍ୟପାଳ Regent ଅଧ୍ୟକ୍ଷ୍ୟ Superintendent

ବିଷୟ ବସ୍ତୁ[ସମ୍ପାଦନା]

ନିୟମର ଆବଶ୍ୟକତା, ଅର୍ଥନୀତି ଓ ସରକାର[ସମ୍ପାଦନା]

ଅର୍ଥଶାସ୍ତ୍ରରେ ବୃହସ୍ପତିଙ୍କ ମତବାଦ, ମନୁଙ୍କ ମତବାଦ, ଉଶନା (ଶୁକ୍ରାଚାର୍ଯ୍ୟଙ୍କ) ମତବାଦକୁ ସଂଗ୍ରହ କରାଯାଇଛି ଓ ଏମାନଙ୍କ ବର୍ଣ୍ଣନ ସହିତ କୌଟିଲ୍ୟ ନିଜ ମତବାଦ ମଧ୍ୟ ଜଣାଇଛନ୍ତି ।[୩୦][୩୧]

ସୁଖସ୍ୟ ମୂଳଂ ଧର୍ମଃ । ଧର୍ମସ୍ୟ ମୂଳଂ ଅର୍ଥଃ । ଅର୍ଥସ୍ୟ ମୂଳଂ ରାଜ୍ୟଂ । ରାଜ୍ୟସ୍ୟ ମୂଳଂ ଇନ୍ଦ୍ରିୟ ଜୟଃ ।
ଇନ୍ଦ୍ରିୟାଜୟସ୍ୟ ମୂଳଂ ବିନୟଃ । ବିନୟସ୍ୟ ମୂଳଂ ବୃଦ୍ଧୋପସେବା ।।

— Kautilya, Chanakya Sutra 1-6[୩୨]

ଶୁକ୍ରାଚାର୍ଯ୍ୟଙ୍କ ମତରେ ରାଜ୍ୟ ପରିଚାଳନା ହିଁ ଏକମାତ୍ର ଆବଶ୍ୟକୀୟ ଜ୍ଞାନ, କାରଣ ଏହି ଜ୍ଞାନର ଅନୁପସ୍ଥିତିରେ ଅନ୍ୟ ଜ୍ଞାନ ବା ବିଜ୍ଞାନ ଜନ୍ମ ବା ବିକାଶ ଲାଭ କରିପାରିବ ନାହିଁ ।[୩୩][୩୦] ବୃହସ୍ପତିଙ୍କ ମତବାଦ ଅନୁସାରେ, ରାଜନୀତି ଓ ଅର୍ଥନୀତି ହିଁ ଦୁଇଟି ଜରୁରୀ ଜ୍ଞାନ । ମନୁ ମତବାଦରେ ବେଦର ଜ୍ଞାନ, ରାଜନୀତି ଓ ଅର୍ଥନୀତି ତିନୋଟି ଜରୁରୀ ଜ୍ଞାନ । ଏହି ତିନି ମତବାଦ ବ୍ୟକ୍ତ କଲା ପରେ ଅର୍ଥଶାସ୍ତ୍ରରେ ନିଜ ସ୍ୱକୀୟ ମତ ରଖି କୌଟିଲ୍ୟ କହିଛନ୍ତି ଯେ ବେଦର ଜ୍ଞାନ, ଅନ୍ୱିକ୍ଷିକୀ ଜ୍ଞାନ, ରାଜନୀତି ଓ ଅର୍ଥନୀତି ପରି ଚାରୋଟି ବିଜ୍ଞାନ ବିଷୟରେ ଜାଣିବା ଜରୁରୀ । ରାଜ୍ୟ ଶାସନ ପାଇଁ ରାଜନୀତି ସହ ରାଜା ଅର୍ଥନୀତିର ଜ୍ଞାନ ଆହରଣ କରିବା ନିହାତି ଜରୁରୀ ବୋଲି ମଧ୍ୟ କୌଟିଲ୍ୟ ମତ ରଖିଥିଲେ ।

ରାଜା[ସମ୍ପାଦନା]

ଅର୍ଥଶାସ୍ତ୍ର ଅନୁସାରେ ଆଦର୍ଶ ରାଜା ଦିନରେ ୪.୫ ଘଣ୍ଟା ଶୋଇବା, ରାଜ୍ୟ କାମରେ ୧୨ ଘଣ୍ଟା ଓ ବ୍ୟକ୍ତିଗତ କାମର ୭.୫ ଘଣ୍ଟା ଅତିବାହିତ କରିବା କଥା

ରାଜର୍ଷି ହେଲେ ଶ୍ରେଷ୍ଠ ରାଜା ।[୩୪][୩୫]

ଜଣେ ରାଜର୍ଷି ନିଜ ଆତ୍ମ-ସଞ୍ଜମତା ଯୋଗୁଁ ଇନ୍ଦ୍ରିୟ ତୁଷ୍ଟିକାରକମାନଙ୍କଦ୍ୱାରା ପ୍ରଲୋଭିତ ହୁଅନ୍ତି ନାହିଁ । ସେ ମିଥ୍ୟା ଉପଦେଷ୍ଟାଙ୍କୁ ବହିଷ୍କାର କରି ନିଜ ଦରବାରରେ ସତ୍ୟବାଦୀ ଓ ଅନୁଭବୀ ଉପଦେଷ୍ଟାଙ୍କୁ ସ୍ଥାନ ଦିଅନ୍ତି । ସେ ଅହିଂସାଧର୍ମୀ । ନିଜ ପ୍ରଜାଙ୍କୁ ସୁରକ୍ଷା ପ୍ରଦାନ କରନ୍ତି ଓ ନିଜ ପ୍ରଜାଗଣଙ୍କ ଉତ୍ଥାନରେ ସମୟ ବିନିଯୋଗ କରନ୍ତି । ସେ ସରଳ ଜୀବନ ଯାପନ କରନ୍ତି । ସେ ଅନିଷ୍ଟକାରୀ ଅଭ୍ୟାସ ଓ କୁଚକ୍ରୀ ଲୋକଙ୍କଠାରୁ ଦୂରେଇ ରୁହନ୍ତି । ସେ ପରସ୍ତ୍ରୀ ଓ ପର ସମ୍ପତ୍ତି ଲାଭ କରିବାର ଅଭିଳାଶା ପୋଷଣ କରନ୍ତି ନାହିଁ । [୩୪][୩୬][୩୫] କାମ ପ୍ରବଣତା, ମାତ୍ରାଧିକ କ୍ରୋଧ, ଲୋଭ, ଗର୍ବ, ମିଥ୍ୟାଭିମାନ ଓ ଦୁଃସାହସ ହିଁ ଜଣେ ରାଜାର ୬ଟି ଶତ୍ରୁ । ଏମାନଙ୍କ ବ୍ୟତୀତ ଆଉ କେହି ରାଜାର ଶତ୍ରୁ ନୁହଁନ୍ତି । [୩୪][୩୭] ଜଣେ ନ୍ୟାୟବନ୍ତ ରାଜାଙ୍କୁ ଲୋକଙ୍କ ଆନୁଗତ୍ୟ ପ୍ରାପ୍ତ ହେବାର କାରଣ ଏହା ନୁହଁ ଯେ ସେ ରାଜା ବରଂ ଏହା ଯେ ସେ ନ୍ୟାୟୀ । [୩୪][୩୫]

ଅଧିକାରୀ ଓ ଉପଦେଷ୍ଟା[ସମ୍ପାଦନା]

ପ୍ରଥମ ଓ ଦ୍ୱିତୀୟ ଅଧିକରଣରେ ଯୁବରାଜଙ୍କୁ କିପରି ପ୍ରଶିକ୍ଷଣ ଦିଆଯିବ, ରାଜା ନିଜେ କିପରି ସର୍ବଦା ଶିକ୍ଷା ଗ୍ରହଣ କରିବେ, ପ୍ରମୁଖ ମନ୍ତ୍ରୀ, ରାଜ କର୍ମଚାରୀ, ନ୍ୟାୟାଧୀଶ, ପ୍ରଶାସକମାନଙ୍କ ଚୟନ କିପରି ହେବ ଇତ୍ୟାଦି ସମ୍ପର୍କରେ ଉଲ୍ଲେଖ ରହିଛି । [୩୮]

ପ୍ରଥମ ଅଧିକରଣର ପଞ୍ଚମ ଅଧ୍ୟାୟ ବା ଦ୍ୱିତୀୟ ପ୍ରସଙ୍ଗରେ ରାଜାଙ୍କ ନିରନ୍ତର ପ୍ରଶିକ୍ଷଣ ଓ ଜ୍ଞାନ ବିକାଶ ପାଇଁ ସେ ବିଭିନ୍ନ କ୍ଷେତ୍ରରୁ କିଛି ସମ୍ମାନନୀୟ, ଅନୁଭବୀ ଓ ବୃଦ୍ଧ ପରିଷଦଙ୍କୁ ସର୍ବଦା ସଭାରେ ସ୍ଥାନ ଦେବା ଉଚିତ୍ ଓ ତାଙ୍କ ମତକୁ ଗ୍ରହଣ ଦେବା ଉଚିତ୍ ବୋଲି କୁହାଯାଇଛି । [୩୫][୩୯] ଚତୁର୍ଥ ପ୍ରସଙ୍ଗରେ ମନ୍ତ୍ରୀ ଓ ଗୁରୁତ୍ତ୍ୱପୂର୍ଣ୍ଣ କର୍ମଚାରୀଙ୍କ ଚୟନ କିପରି ହେବ ଓ ରାଜା ସେମାନଙ୍କ ସଚ୍ଚୋଟତା ଓ କ୍ଷମତା ସମ୍ପର୍କରେ ପୂର୍ବରୁ ଅବଗତ ରହିଥିବା ବିଷୟରେ କୁହାଯାଇଛି । [୪୦] ଏହି ପରିପ୍ରେକ୍ଷୀରେ କୌଟିଲ୍ୟ ପ୍ରଥମେ ଅନ୍ୟ କେତେକ ନୀତିଜ୍ଞଙ୍କ ମତ ଏକତ୍ର କରିଛନ୍ତି । ଚୟନ ବେଳେ ସଚ୍ଚୋଟତା ଓ ଜ୍ଞାନ ମାପକାଠି ହେବା ସମ୍ପର୍କରେ ଭରଦ୍ୱାଜ (ଦ୍ରୋଣାଚାର୍ଯ୍ୟ‌)ଙ୍କ ଯୁକ୍ତି, ବଂଶାନୁକ୍ରମ ବା ପାରିବାରିକ ଜ୍ଞାନ ମାପକାଠି ହେବା ସମ୍ପର୍କରେ କୌଣପଦନ୍ତ(ଭୀଷ୍ମ)ଙ୍କ ଯୁକ୍ତି, ଯେଉଁ ପ୍ରାର୍ଥୀଙ୍କ ଦୁର୍ବଳତାକୁ ରାଜା ଭଲ ଭାବେ ନିଜ ରାଜ୍ୟର ମଙ୍ଗଳ ପାଇଁ ବ୍ୟବହାର କରିପାରିବେ ତାହା ଚୟନର ମାପଦଣ୍ଡ ହେବା ସମ୍ପର୍କରେ ବିଶାଳାକ୍ଷଙ୍କ ଯୁକ୍ତି, ଦୁର୍ବଳତା ଥିବା ପ୍ରାର୍ଥୀଙ୍କ ବିପକ୍ଷରେ ପରାଶରଙ୍କ ଯୁକ୍ତି କାରଣ ସେମାନେ ରାଜାଙ୍କ ଦୁର୍ବଳତା ଖୋଜି ରାଜାଙ୍କୁ ବ୍ୟବହାର କରିପାରନ୍ତି ଓ ଚୟନ ବେଳେ ପୁସ୍ତକ ଜ୍ଞାନ ଅପେକ୍ଷା ଅନୁଭବ ମାପକାଠି ହେବା ସପକ୍ଷରେ ଅନ୍ୟ ଜଣେ ବିଦ୍ୱାନଙ୍କ ଯୁକ୍ତି ଅର୍ଥଶାସ୍ତ୍ରରେ ସ୍ଥାନ ପାଇଛି । [୪୦]

ଏପରି ଅନେକ ମତବାଦର ଦୃଷ୍ଟାନ୍ତ ଦେବାପରେ କୌଟିଲ୍ୟ ନିଜ ମତ ରଖି କହିଛନ୍ତି ଯେ ରାଜା ନିଜ ଅମର୍ତ୍ତ୍ୟ ଚୟନ କରିବା ସମୟରେ ପ୍ରାର୍ଥୀର ପୂର୍ବ ଅନୁଭବ, ପୂର୍ବ ପଦବୀ, ପଦବୀ ପାଇଁ ପ୍ରାର୍ଥୀର ବ୍ୟବହାର ଓ ନୈତିକ ଚରିତ୍ର ପ୍ରଯୁଜ୍ୟ ନା ନୁହେଁ ତାକୁ ମାନଦଣ୍ଡ ଭାବେ ବିଚାର କରି ନିଷ୍ପତ୍ତି ନେବା ଉଚିତ୍ ହେବ ବୋଲି କହିଛନ୍ତି ।[୪୧] ଅମର୍ତ୍ତ୍ୟସମ୍ପତ୍ ଅନୁସରଣ କରୁଥିବା ବ୍ୟକ୍ତି ; ଅର୍ଥାତ୍ ଯେ ସୁପ୍ରଶିକ୍ଷିତ, ଦୂରଦୃଷ୍ଟିସମ୍ପନ୍ନ, ଉତ୍ତମ ସ୍ମରଣଶକ୍ତିର ଅଧିକାରୀ, ସାହସୀ, ସୁଭାଷୀ, ଉତ୍ସାହୀ, ନିଜ ବିଦ୍ୟାରେ ପାରଙ୍ଗମ, ଚରିତ୍ରବାନ୍, ସୁସ୍ଥ, ପରୋପକାରୀ, ଟାଳଟୁଳ ନୀତିର ବିରୋଧୀ, ସ୍ଥିରମନା, ଧର୍ମ ଅନୁସରଣକାରୀ, ଶତ୍ରୁତା ଓ ଘୃଣାଭାବରୁ ଦୂରେଇ ରହୁଥିବା ବ୍ୟକ୍ତି ; ଅମର୍ତ୍ତ୍ୟ ହେବାକୁ ଯୋଗ୍ୟ ବୋଲି ଅର୍ଥଶାସ୍ତ୍ର କୁହେ ।[୪୨][୪୩] ଏହି ସମସ୍ତ ଗୁଣରୁ ଏକ ବା କିଛି ଗୁଣ ନଥିଲେ ପ୍ରାର୍ଥୀଙ୍କୁ ନିମ୍ନ ବା ମଧ୍ୟମ ସ୍ତରର ପ୍ରଶାସନିକ ପଦବୀ ପାଇଁ ଚୟନ କରିହେବ ଯେଉଁଥିରେ ରହି ସେ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରିପାରିବେ ।[୪୨] ପୁଣି ଅର୍ଥଶାସ୍ତ୍ରରେ ବିଭିନ୍ନ ଅମର୍ତ୍ତ୍ୟ ସମ୍ପତ୍‍ର ପରୀକ୍ଷା ବିଷୟରେ ମଧ୍ୟ ତଥ୍ୟ ରହିଛି ।[୪୨]

ଦେବାନୀ ଓ ଫୌଜଦାରୀ ନିୟମାବଳୀ ଓ ନ୍ୟାୟାଳୟ ବ୍ୟବସ୍ଥା[ସମ୍ପାଦନା]

ଅପରାଧ ଓ ଦଣ୍ଡବିଧାନ

ଦୋଷୀ ନିଜ ପୁତ୍ର ହେଉ ବା ଶତ୍ରୁ ହେଉ ତାହାର ଚିନ୍ତା ନ କରି, ସେମାନଙ୍କ ଅନୁତାପକୁ କଳନା କରି ଓ ନିରପେକ୍ଷ ଭାବେ ନିଜର କ୍ଷମତା ଓ କେବଳ କ୍ଷମତାର ପ୍ରୟୋଗ କରି ହିଁ ଜଣେ ରାଜା ବର୍ତ୍ତମାନ ଓ ଆଗାମୀ ପିଢ଼ୀର ସମାଜରେ ସନ୍ତୁଳନ ବଜାୟ ରଖିପାରିବ ।

ଜଣେ ନ୍ୟାୟବନ୍ତ ଓ କାଳଜୟୀ ରାଜା ଧର୍ମ, ସଂସ୍ଥା, ନିୟମ ଓ ବ୍ୟବହାରଦ୍ୱାରା ନ୍ୟାୟିକ ପଦ୍ଧତିର ପ୍ରତିଷ୍ଠା କରିପାରିବେ ।

— Arthashastra 3.1[୪୪][୪୫]

ଟ୍ରଟ୍‍ମାନ୍‍ଙ୍କ ମତରେ ଅର୍ଥଶାସ୍ତ୍ରର ତୃତୀୟ ଅଧିକରଣ ସାମାଜିକ ନ୍ୟାୟ ବ୍ୟବସ୍ଥାର ସବିଶେଷ ବିବରଣୀ ପ୍ରଦାନ କରେ । ମାଲିକ ଓ ସେବକଙ୍କ ଅର୍ଥନୈତିକ ସମ୍ପର୍କ, ଭାଗିଦାରୀ, କ୍ରେତା-ବିକ୍ରେତାଙ୍କ ସମ୍ପର୍କ ମଧ୍ୟ ଏଥିରେ ବର୍ଣ୍ଣିତ । [୪୬] ଚତୁର୍ଥ ଅଧିକରଣରେ ଆପରାଧିକ ଦଣ୍ଡବିଧାନ ସମ୍ପର୍କିତ ବର୍ଣ୍ଣନା ରହିଛି । କୌଣସି ଘଟଣାରୁ ପ୍ରଜା ବିରୋଧୀ ଆପରାଧିକ କାର୍ଯ୍ୟକଳାପ ହୋଇଥିବା ଜଣା ପଡ଼ିଲେ, ରାଜା ଓ ରାଜ କର୍ମଚାରୀ କିପରି ନ୍ୟାୟିକ ପ୍ରକ୍ରିୟା ସମ୍ପାଦନ କରନ୍ତି ତାହା କୁହାଯାଇଛି । [୪୬][୪୭] ଟ୍ରଟ୍‍ମାନ୍‍ଙ୍କ ମତରେ ଅର୍ଥଶାସ୍ତ୍ରରେ ବର୍ଣ୍ଣିତ ବ୍ୟବସ୍ଥା ସହିତ ଇଉରୋପୀୟ ବା ପାଶ୍ଚାତ୍ୟ ନ୍ୟାୟିକ ବ୍ୟବସ୍ଥାର ଅନେକ ସାମଞ୍ଜସ୍ୟ ରହିଛି । ଐତିହାସିକ ନ୍ୟାୟିକ ବ୍ୟବସ୍ଥାରେ ପୀଡ଼ିତ ବ୍ୟକ୍ତି ଗୁହାରି କରିବା ପରେ ନ୍ୟାୟିକ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ, ଅର୍ଥଶାସ୍ତ୍ରରେ ବର୍ଣ୍ଣିତ ଓ ଇଉରୋପୀୟ ନ୍ୟାୟିକ ବ୍ୟବସ୍ଥାରେ ସରକାର ବା ରାଜ କର୍ମଚାରୀ ସ୍ୱୟଂ ନିଜେ ନ୍ୟାୟିକ ପ୍ରକ୍ରିୟାର ପ୍ରାରମ୍ଭ କରନ୍ତି । [୪୬]

ତିନିଜଣ ପ୍ରଦେଷ୍ଟାଙ୍କଦ୍ୱାରା ଗଠିତ ଏକ ନ୍ୟାୟପୀଠ ଆପରାଧିକ ମାମଲାର ବିଚାର କରିବା ଉଚିତ୍ ଓ ଏହି ନ୍ୟାୟପୀଠ ବିଭିନ୍ନ ଦେବାନୀ ମାମଲାର ବିଚାର ପାଇଁ ଗଠିତ ନ୍ୟାୟପୀଠଠାରୁ ପୃଥକ୍ ହୋଇଥିବା ଉଚିତ୍ ବୋଲି ଅର୍ଥଶାସ୍ତ୍ରରେ କୁହଯାଇଛି । [୪୬][୪୭] ଅପରାଧ ସହ ସମାନୁପାତୀ ଦଣ୍ଡ ହିଁ ବିଧେୟ ବୋଲି ପ୍ରଥମ ଅଧିକରଣର ଚତୁର୍ଥ ଅଧ୍ୟାୟରେ କୁହାଯାଇଛି [୪୮][୪୯] ଓ ପର ଅଧିକରଣମାନଙ୍କରେ (ଯଥା - ଚତୁର୍ଥ ଅଧିକରଣର ଦ୍ୱିତୀୟ ଅଧ୍ୟାୟ, ପ୍ରସଙ୍ଗ ୭୯)ରେ ଏହି ନିୟମର ପୁନଃପ୍ରୟୋଗ ଦେଖିବାକୁ ମିଳେ । [୫୦] ଅର୍ଥନୈତିକ ଷଡ଼ଯନ୍ତ୍ର ପ୍ରଜାଙ୍କ ଅମଙ୍ଗଳର କାରଣ ହୋଇଥିବାରୁ ଅର୍ଥନୈତିକ ଅପରାଧରେ ଜଡ଼ିତ କାରିଗର ଓ ବେପାରୀମାନଙ୍କୁ କଠିନ ସାମୁହିକ ଅର୍ଥଦଣ୍ଡରେ ଦଣ୍ଡିତ କରିବା ବିଧେୟ ବୋଲି ଅର୍ଥଶାସ୍ତ୍ରରେ କୁହାଯାଇଛି । [୪୬][୪୭]

ବିବାହ ନିୟମାବଳୀ[ସମ୍ପାଦନା]

ତୃତୀୟ ଓ ଚତୁର୍ଥ ଅଧିକରଣରେ ବିବାହ ଓ ସହମତି ସମ୍ପର୍କୀୟ ବିଷୟାବଳୀ ବର୍ଣ୍ଣିତ ହୋଇଛି । ଚତୁର୍ଥ ଅଧିକରଣର ଦ୍ୱିତୀୟ ଅଧ୍ୟାୟରେ କୁହାଯାଇଛି ଯେ ଋତୁଚକ୍ର ଆରମ୍ଭ ହେବାର ତିନି ବର୍ଷ ପରେ ଜଣେ ନାରୀ ନିଜ ସ୍ୱେଚ୍ଛାରେ ବର ଚୟନ କରିପାରିବେ; କିନ୍ତୁ ସେ ବିବାହ ପୂର୍ବରୁ ନିଜ ପିତାମାତାଙ୍କ ପ୍ରଦତ୍ତ ଅଳଙ୍କାର ବା ପିତାମାତାଙ୍କ ସମ୍ପତ୍ତିରେ ନିଜ ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ । ପିତାମାତାଙ୍କ ଇଚ୍ଛାରେ ବା ଅନୁମୋଦିତ ପ୍ରାର୍ଥୀଙ୍କୁ ବିବାହ କଲେ ହିଁ ସେ ଏହି ଅଳଙ୍କାର ଉପରେ ନିଜର କ୍ଷମତା ଜାହିର କରିପାରିବେ । [୫୦][୫୧]

ତୃତୀୟ ଅଧିକରଣର ଚତୁର୍ଥ ଅଧ୍ୟାୟରେ କୁହାଯାଇଛି ଯେ ସ୍ୱାମୀଦ୍ୱାରା ଉପେକ୍ଷିତା ଜଣେ ନାରୀ ଯଦି ତିନୋଟି ଋତୁଚକ୍ର ପର୍ଯ୍ୟନ୍ତ ନିଜ ସ୍ୱାମୀଙ୍କ ସାନ୍ନିଧ୍ୟ ପ୍ରାପ୍ତ ନ କରି ପାରିଲେ ବା ସାତୋଟି ଋତୁଚକ୍ରର ଅପେକ୍ଷା ପରେ ନିଜ ସ୍ୱାମୀଙ୍କ ସାନ୍ନିଧ୍ୟ ପ୍ରାପ୍ତ କରିବାର ସୁଯୋଗ ମିଳୁଥିଲେ, ସେ ସ୍ୱେଚ୍ଛାରେ ପୁନର୍ବିବାହ କରିପାରିବେ । [୫୨][୫୩]

ତୃତୀୟ ଅଧିକରଣର ଦ୍ୱିତୀୟ ଅଧ୍ୟାୟରେ ୮ ପ୍ରକାରର ବିବାହକୁ ବୈଧ ବିଚାର କରାଯାଇପାରିବ ବୋଲି କୁହାଯାଇଛି । ପିତାମାତାଙ୍କ ସମ୍ପତ୍ତିର ଉତ୍ତରାଧିକାରିଣୀ ହେବାର ସର୍ବାଧିକ ଯୋଗ୍ୟତା ବ୍ରହ୍ମ ବିବାହ (ପିତାମାତାଙ୍କ ଅନୁମୋଦିତ ପ୍ରାର୍ଥୀକୁ ବିବାହ କରିବା) କରିଥିବା ନାରୀଙ୍କୁ ଓ ସର୍ବନିମ୍ନ ଯୋଗ୍ୟତା ଗନ୍ଧର୍ବ ବିବାହ (ପିତାମାତାଙ୍କ ବିନା ସ୍ୱୀକୃତିରେ ଗୁପ୍ତ ଭାବେ ନିଜ ପ୍ରେମୀକୁ ବିବାହ କରିବା) କରିଥିବା ନାରୀଙ୍କୁ ମିଳିଥାଏ । [୫୪] କିନ୍ତୁ ସ୍ୱାମୀ ନାରୀଙ୍କ ସମ୍ପତ୍ତି ବା ନାରୀଙ୍କ ନିଜ ଉଦ୍ୟମରେ ଉପାର୍ଜିତ ପ୍ରାପ୍ତ ସମ୍ପତ୍ତିର ବ୍ୟବହାର କଲେ ସ୍ୱାମୀଙ୍କୁ ଏହି ସମ୍ପତ୍ତି ସୁଧ ସହିତ ଶୁଝିବାକୁ ହୋଇଥାଏ । ଏପରି କ୍ଷେତ୍ରରେ ଯଦି ନାରୀ ଜଣକ ଗନ୍ଧର୍ବ ବିବାହ କରିଥାନ୍ତି ତେବେ ନିଜ ସମ୍ପତ୍ତି ଦାବୀ କରିବାର ଅଧିକ ଯୋଗ୍ୟତା ଓ ବ୍ରହ୍ମ ବିବାହ କରିଥିବା ନାରୀଙ୍କୁ ନିଜ ସମ୍ପତ୍ତି ଦାବୀ କରିବାର କମ୍ ଯୋଗ୍ୟତା ମିଳିଥାଏ । [୫୪][୫୫]

ବନ୍ୟପ୍ରାଣୀ ଓ ଜଙ୍ଗଲ[ସମ୍ପାଦନା]

ରାଜ୍ୟରେ ରହିଥିବା ଅରଣ୍ୟମାନଙ୍କ ସଂରକ୍ଷଣ କରିବା ଜରୁରୀ ଓ ରାଜକୋଶରୁ ବ୍ୟୟ ବରାଦ କରି ବୃଦ୍ଧ ଓ ରୁଗ୍‍ଣ ଅଶ୍ୱ, ହସ୍ତୀମାନଙ୍କ ଯତ୍ନ ନିଆଯିବା ଉଚିତ୍ ବୋଲି ଅର୍ଥଶାସ୍ତ୍ରରେ କୁହାଯାଇଛି । [୫୬] ପୁଣି ସେହି ରାଜକୋଶରୁ ଅର୍ଥ ବ୍ୟୟ କରି ବା ପୁରସ୍କାର ଦେଇ ଫସଲ ନଷ୍ଟ କରୁଥିବା ପଶୁଙ୍କ ନିରାକରଣ କରାଯିବା କଥା ମଧ୍ୟ ଉଲ୍ଲେଖ କରାଯାଇଛି । ଦ୍ୱିତୀୟ ଅଧ୍ୟାୟର ୧୯ତମ ପ୍ରସଙ୍ଗରେ ରାଜା କାହାକୁ ସୁରକ୍ଷା ଦେବେ ତାହା କୁହାଯାଇଛି ।

ରାଜା କାହାକୁ ସୁରକ୍ଷା ଦେବେ

ରାଜା ସେହି ସବୁ ଅଞ୍ଚଳକୁ କରମୁକ୍ତ କରିବା ଉଚିତ୍
ଯେଉଁ ଅଞ୍ଚଳ ଶତ୍ରୁ ରାଜା ବା ଶତ୍ରୁ ଜନଜାତିଙ୍କଦ୍ୱାରା ବିଧ୍ୱସ୍ତ ହୋଇଛି,
ଯେଉଁ ଅଞ୍ଚଳରେ ରୋଗବ୍ୟାଧି ବା ମରୁଡ଼ିର ପ୍ରକୋପ ଦେଖାଦେଇଛି ।

ରାଜା କୃଷିର ସୁରକ୍ଷା କରିବା ଉଚିତ୍
ଯଦି କରଭାର, ଋଣଭାର, ଶ୍ରମ ଅଭାବ ଓ ଜନ୍ତୁଙ୍କ ଗୋଠ ଏହାକୁ କ୍ଷତିଗ୍ରସ୍ତ କରିବାର ବିପଦ ସୃଷ୍ଟି କରନ୍ତି,
ଯଦି ଚୋର, ଉତ୍ପାତକାରୀ ଜନ୍ତୁ, ବିଷ, କୁମ୍ଭୀର ବା ଦୁର୍ବଳତା ସେମାନଙ୍କୁ କଷ୍ଟ ପହଁଞ୍ଚାନ୍ତି ।

ରାଜା ବାଣିଜ୍ୟ ବ୍ୟବସାୟ ପାଇଁ ଉଦ୍ଦୀଷ୍ଟ ଯାତ୍ରାପଥରୁ ବାଧା ଦୂର କରି ସେଗୁଡ଼ିକୁ ସୁଗମ୍ୟ କରିବା ଉଚିତ୍
ଯଦି ରାଜ କର୍ମଚାରୀ, ଡାକୁ ଲୁଟେରା ବା ସୈନ୍ୟ ସାମନ୍ତ ଏଥିରେ ବିଭ୍ରାଟ ସୃଷ୍ଟି କରନ୍ତି,
ଯଦି ଗୃହପାଳିତ ପଶୁମାନଙ୍କ ଯୋଗୁଁ ରାସ୍ତା ଖରାପ ହୁଏ ବା ବିଘ୍ନ ସୃଷ୍ଟି ହୁଏ ।

ପ୍ରାଚୀନ ସମୟରୁ ରହି ଆସିଥିବା ଓ ନୂତନ ଭାବେ ପ୍ରସ୍ତୁତ କରାଯାଇଥିବା ରାଜା ଶସ୍ୟକ୍ଷେତ୍ର, ଅରଣ୍ୟ, ହାତୀବଣ, ନଦୀବନ୍ଧ ଓ ଖଣିର ସୁରକ୍ଷା କରିବା ଉଚିତ୍ ।

— ଅର୍ଥଶାସ୍ତ୍ର[୫୭]


୩୫ତମ ପ୍ରସଙ୍ଗରେ ଅର୍ଥଶାସ୍ତ୍ର ପ୍ରସ୍ତାବ ଦେଇଛି ଯେ, ରାଜାଙ୍କଦ୍ୱାରା ନିଯୁକ୍ତ "ଜଙ୍ଗଲଜାତ ଦ୍ରବ୍ୟ ନିରୀକ୍ଷକ" ନିଜ ଅଞ୍ଚଳର ଜଙ୍ଗଲ, ହାତୀବଣର ସୁରକ୍ଷା ଓ ତଦାରଖର ଦାୟିତ୍ତ୍ୱ ବହନ କରିବା ଉଚିତ୍ । ସାଗୁଆନ୍, ତାଳ, ଶିଶୁ, ଅର୍ଜୁନ, ଶିରିଷା, ତିଳକ, ଶାଳ, ବାଉଁଶ, ମୁଞ୍ଜ, ଜାଳେଣୀ କାଠ, ଫଳ, ଚେରମୂଳ, ଗଞ୍ଜେଇ, ଔଷଧି ବୃକ୍ଷ, ଫୁଲ ଇତ୍ୟାଦି ରହିଥିବା ଜଙ୍ଗଲର ସୁରକ୍ଷା କରିବଦ୍ୱାରା ତାହାର ଉତ୍ପାଦ ସବୁ ଦେଶର ଅର୍ଥନୈତିକ ବିକାଶରେ ସହାୟକ ହୁଅନ୍ତି । [୫୮] ମୌର୍ଯ୍ୟ ଶାସନ କାଳରେ କାଠ ପାଇଁ ଓ ବାଘସିଂହ ଇତ୍ୟାଦିଙ୍କ ଚମଡ଼ା ପାଇଁ କେତେକ ଜଙ୍ଗଲ ଓ ସେଠିକାର ବନ୍ୟଜନ୍ତୁଙ୍କୁ ସୁରକ୍ଷା ପ୍ରଦାନ କରାଯାଉଥିଲା ବୋଲି ଅର୍ଥଶାସ୍ତ୍ରରେ କୁହାଯାଇଛି ।

ଖଣି, କାରଖାନା ଓ ତତ୍ତ୍ୱାବଧାରକ[ସମ୍ପାଦନା]

ଅର୍ଥଶାସ୍ତ୍ରର ୩୦ ଓ ୪୭ତମ ପ୍ରସଙ୍ଗ ଖଣି ଓ କାରଖାନା ପ୍ରତିଷ୍ଠା କରିବାରେ, [୫୯] ସୁନା ଓ ଅନ୍ୟ ବହୁମୂଲ୍ୟ ରତ୍ନର ପ୍ରୟୋଗଶାଳା,[୬୦] ବିକ୍ରୟଯୋଗ୍ୟ ଅଳଙ୍କାର ଓ ସାମଗ୍ରୀ, [୬୧] ଜଙ୍ଗଲଜାତ ଦ୍ରବ୍ୟ,[୬୨] ଅସ୍ତ୍ରଶସ୍ତ୍ରାଗାର,[୬୩] ଓଜନ ମାପର ମାନକ,[୬୪] ଲମ୍ବ ଓ ସମୟ ମାପର ମାନକ,[୬୪] କର ଆଦାୟ,[୬୫] କୃଷି,[୬୬] ମଦ,[୬୬] ବୃଦ୍ଧ ଓ ଆହତ ଗୃହପାଳିତ ପଶୁଙ୍କ ଯତ୍ନ ଓ ପାଳନ,[୬୭] ସାମରିକ ପ୍ରସ୍ତୁତି,[୬୮] ଓ ଗୋଇନ୍ଦା କାର୍ଯ୍ୟକଳାପରେ ଶାସକର ଭୂମିକା ବିଷୟରେ ବର୍ଣ୍ଣନା କରିଛନ୍ତି ।

ଗୋଇନ୍ଦା (ଗୁପ୍ତଚର), ପ୍ରଚାର ଓ ଗୁପ୍ତ ସୂଚନା[ସମ୍ପାଦନା]

ସୁନ୍ଦରୀ ଗୁପ୍ତଚାରିଣୀ

ବିପ୍ଳବୀ ବା ଶତ୍ରୁଙ୍କୁ ଦମନ କରିବା ପାଇଁ ଶତ୍ରୁପକ୍ଷର ପରିଷଦଗଣଙ୍କୁ ଜଣେ ରୂପବତୀ ଯୁବତୀଙ୍କ ମୋହରେ ବଦ୍ଧ କରିଦିଅ । ସେମାନଙ୍କ ମନରେ ଉନ୍ମାଦନା ସୃଷ୍ଟି ହେଲେ ହିଁ ପ୍ରେମର ଲାଳସା ଦେଖାଇ ସେମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିହେବ ।

— Arthashastra 11.1[୬୯][୭୦]

ଅର୍ଥଶାସ୍ତ୍ରର ଅନେକ ଅଧ୍ୟାୟରେ ଗୁପ୍ତଚର ସଂସ୍ଥାର ଆବଶ୍ୟକତା, ପଦ୍ଧତି, ବିକାଶ, ଲକ୍ଷ୍ୟ ଓ ବ୍ୟବହାର ସମ୍ପର୍କରେ ବର୍ଣ୍ଣିତ ହୋଇଛି । ଗୁପ୍ତଚରମାନଙ୍କୁ ବିଭିନ୍ନ ରୂପ ଓ ଜୀବିକା ଗ୍ରହଣ କରିବା, ସାଙ୍କେତିକ ଭାଷାରେ ସୂଚନା ପ୍ରସାରିତ କରିବା ଇତ୍ୟାଦିର ପ୍ରଶିକ୍ଷଣ ଦେଇ ନିଯୁକ୍ତି ଦିଆଯିବା ଉଚିତ୍ ଓ ସେମାନଙ୍କୁ ନିଜ କର୍ମର ସଫଳତା ଅନୁସାରେ ପାରିଶ୍ରମିକ ଦିଆଯିବା ଉଚିତ୍ ବୋଲି ବିଭିନ୍ନ ଶ୍ଳୋକ ଉଲ୍ଲେଖ କରିଛନ୍ତି । [୭୧]

ଏହି ବ୍ୟଞ୍ଜନ ବହୁରୂପୀମାନେ ସାଧୁ, ବନବାସୀ ଋଷି, ଭିକ୍ଷୁକ, ରୋଷେୟା, ବେପାରୀ, ଚିକିତ୍ସକ, ଜ୍ୟୋତିଷ, ଚାକର, ଗାୟକ, ମନୋରଞ୍ଜନକାରୀ, ନର୍ତ୍ତକ, ଗୁପ୍ତଚାରିଣୀ, ବେଶ୍ୟା ଓ ଏପରି ଭିନ୍ନ ଭିନ୍ନ ରୂପରେ ରହିଲେ ଧରା ପଡ଼ିବା କଷ୍ଟକର ବୋଲି ଅର୍ଥଶାସ୍ତ୍ରରେ କୁହାଯାଇଛି । [୭୨] ଏପରି କୌଳିକ ବୃତ୍ତିଧାରୀ ବ୍ୟକ୍ତିଙ୍କୁ ଖୋଜି ଗୁପ୍ତଚର ସଂସ୍ଥାରେ ନିଯୁକ୍ତି ଦିଆଯିବା ଉଚିତ୍ ବୋଲି ପ୍ରସ୍ତାବ ମଧ୍ୟ ଦିଆଯାଇଛି । [୭୩] ଶତ୍ରୁ ପକ୍ଷର ଗୁପ୍ତଚରମାନେ ସର୍ବଦା ଗୁପ୍ତ ସୂଚନାର ଅନ୍ୱେଷଣ କରୁଥାନ୍ତି ଓ ରାଜ୍ୟରେ ମିଥ୍ୟା ପ୍ରଚାର କରୁଥାନ୍ତି ବୋଲି ପ୍ରାକ୍ ଅନୁମାନ କରି ଜଣେ ସତର୍କ ଓ ଚତୁର ରାଜା ଏପରି ଲୋକଙ୍କୁ କିପରି ଦୋମୁହାଁ ଗୁପ୍ତଚର ପରି ବ୍ୟବହାର କରି, ପୁରସ୍କାରଦ୍ୱାରା ପ୍ରଲୋଭିତ କରି ଆବଶ୍ୟକୀୟ ଗୁପ୍ତ ସୂଚନା ହସ୍ତଗତ କରିପାରିବେ ତାହାର ପନ୍ଥା ନିରୂପଣ କରିବା ଉଚିତ୍ ବୋଲି ମଧ୍ୟ କୁହାଯାଇଛି । [୭୪] ଅର୍ଥଶାସ୍ତ୍ରରେ ଆହୁରି କୁହାଯାଇଛି ଯେ, ରାଜ କର୍ମଚାରୀଙ୍କ ସଚ୍ଚୋଟତା, ବିପ୍ଳବୀ ବା ହାନିକାରକ ଗୋଷ୍ଠୀଙ୍କ ଦମନ, ପ୍ରଜାଙ୍କ ମଧ୍ୟରେ ରହିଥିବା ଷଡ଼ଯନ୍ତ୍ରକାରୀ, ଯୁଦ୍ଧ ସମ୍ଭାବନା ସୃଷ୍ଟିକାରୀ ପଡ଼ୋଶୀ ରାଜ୍ୟର ଚେଷ୍ଟାକୁ ହତ କରିବା ଓ ସେ ବିଷୟରେ ଜ୍ଞାନ ଲାଭ କରିବା, ମିଥ୍ୟା ଗୁଜବ ସୃଷ୍ଟିକାରୀଙ୍କ ଦମନ, ପ୍ରଭାବଶାଳୀ ପୁରୁଷ ଯାହାଙ୍କୁ ନିୟମାନୁସାରେ ଚପାଇ ହେବନାହିଁ ସେମାନଙ୍କୁ ଗୋପନରେ ଅପଦସ୍ଥ କରି ଅନୁଗତ କରିବା ଇତ୍ୟାଦି ଗୋଇନ୍ଦା ସଂସ୍ଥାର ଲକ୍ଷ୍ୟ ।[୭୫][୬୯] ପଞ୍ଚମ ଅଧିକରଣର ଦ୍ୱିତୀୟ ଅଧ୍ୟାୟର ୬୯ତମ ଶ୍ଳୋକରେ କୁହାଯାଇଛି ଯେ ବିଶ୍ୱାସଘାତକ ଓ ଭ୍ରଷ୍ଟ ବ୍ୟକ୍ତିମାନଙ୍କ ବ୍ୟତୀତ ଅନ୍ୟମାନଙ୍କ ପଛରେ ଗୁପ୍ତଚର ଲଗାଇବା ଠିକ୍ ନୁହେଁ । [୭୬]

ଯୁଦ୍ଧ ଓ ଶାନ୍ତି[ସମ୍ପାଦନା]

ଅର୍ଥଶାସ୍ତ୍ରର ସପ୍ତମ ଓ ଦଶମ ଅଧିକରଣ ଯୁଦ୍ଧ, ଯୁଦ୍ଧର କାରଣ ଓ ଯୁଦ୍ଧ ସମ୍ବନ୍ଧୀୟ ପରିସ୍ଥିତି ବିଷୟରେ ବିବରଣୀ ପ୍ରଦାନ କରିଛନ୍ତି । ଖୋଲା ଯୁଦ୍ଧ, ମୌନ ଯୁଦ୍ଧ ଓ ପ୍ରଚ୍ଛନ୍ନ ଯୁଦ୍ଧ – ଏପରି ତିନି ପ୍ରକାରର ଯୁଦ୍ଧ ସମ୍ପର୍କରେ ଉଲ୍ଲେଖ କରାଯାଇଛି । [୭୭] ପ୍ରତ୍ୟେକ ପ୍ରକାରର ଯୁଦ୍ଧ ପାଇଁ ଏକ ଏକ ଅଧ୍ୟାୟ ଉତ୍ସର୍ଗୀକୃତ ହୋଇଛି ଯେଉଁଥିରେ ଯୁଦ୍ଧ କଣ, କିପରି ଯୁଦ୍ଧ ପରିଚାଳନା କରାଯିବ, ନିଜ ବିରୁଦ୍ଧରେ ଚାଲିଥିବା ମୌନ ବା ପ୍ରଚ୍ଛନ୍ନ ଯୁଦ୍ଧକୁ କିପରି ଚିହ୍ନଟ କରାଯିବ ଇତ୍ୟାଦି ବର୍ଣ୍ଣିତ । [୭୮] ଯୁଦ୍ଧ ଓ ଶାନ୍ତି ମଧ୍ୟରୁ କେଉଁ ପଥରେ ଯିବେ ତାହା ରାଜାଙ୍କୁ ପରିସ୍ଥିତି ଦେଖି ସତର୍କତାର ସହିତ ନିର୍ଣ୍ଣୟ କରିବାକୁ ହେବ ବୋଲି କୁହାଯାଇଛି । [୭୯] ଅର୍ଥଶାସ୍ତ୍ର ଅନୁସାରେ :

ଉଭୟ ଯୁଦ୍ଧର ମାର୍ଗ ବା ଶାନ୍ତିର ମାର୍ଗଦ୍ୱାରା ସମାନ ମାତ୍ରାର ବିକାଶ ଲାଭ ହେଉଥିଲେ ଶାନ୍ତିର ମାର୍ଗ ଚୟନ କରିବା ଶ୍ରେୟସ୍କର । କାରଣ ଅର୍ଥହାନି, ବ୍ୟୟ ଓ ରାଜ୍ୟରେ ଅନୁପସ୍ଥିତି ପରି ଯୁଦ୍ଧର ଅନେକ ଅପକାରିତା ରହିଛି । [୮୦]

ଅର୍ଥଶାସ୍ତ୍ରରେ କୌଟିଲ୍ୟ କହିଛନ୍ତି ଯେ, ପ୍ରତ୍ୟେକ ରାଜ୍ୟ ବା ନଗରୀ ସମ୍ପୂର୍ଣ୍ଣ ରୂପେ ଦୁର୍ଗ ବା ଗଡ଼ଦ୍ୱାରା ପରିବେଷ୍ଟିତ ହୋଇ ରହିଥିବା ଆବଶ୍ୟକ । ଏହାର ସାମରିକ ବାହିନୀ ଆକ୍ରମଣ ପ୍ରତି ସଜାଗ ଓ ପ୍ରତିରକ୍ଷା ପାଇଁ ଆବଶ୍ୟକ ସମ୍ବଳ ରଖି ପ୍ରସ୍ତୁତ ହୋଇ ରହିଥିବା ଜରୁରୀ । ଧନ ଉପାର୍ଜନ, ରାଜ୍ୟର ବିକାଶ ଓ ପ୍ରଜାଙ୍କ ସୁରକ୍ଷା ପାଇଁ ଶାନ୍ତି ଅତ୍ୟାବଶ୍ୟକ ହୋଇଥିବାରୁ କୌଟିଲ୍ୟ ସର୍ବଦା ଶାନ୍ତିର ମାର୍ଗ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । [୮୧][୮୨] ଟୋର୍କେଲ୍ ବ୍ରେକ୍କେଙ୍କ ମତାନୁସାରେ ଅର୍ଥଶାସ୍ତ୍ର ଶାନ୍ତିର ମୂଲ୍ୟ ବିଷୟରେ ଦର୍ଶାଇଛି ଯାହାକୁ ବୁଝାଇ ସେ ନିଜ ଶବ୍ଦରେ କହିଛନ୍ତି ଯେ ଫଳ ପ୍ରାପ୍ତ କରିବାକୁ ଯଦି ଉଦ୍ୟୋଗ ବୋଲି କହିବା ତେବେ ବିନା କୌଣସି ବାଧାରେ ଫଳ ପ୍ରାପ୍ତିକୁ ଶାନ୍ତି ବୋଲି କହିବା ।[୮୧]

ଯୁଦ୍ଧ ଜିତିବାର ସମସ୍ତ ମାଧ୍ୟମ ଯଥାର୍ଥ, ଯଥା - ପ୍ରତିପକ୍ଷ ନେତାର ହତ୍ୟା, ଶତ୍ରୁର ପରିଷଦ ବା ନେତୃତ୍ୱ ମଣ୍ଡଳୀରେ ବିଭେଦ ସୃଷ୍ଟି କରିବା, ଗୁପ୍ତଚର ଓ ଗୁପ୍ତଚାରିଣୀ ଲଗାଇ ଆସନ୍ନ ଆକ୍ରମଣର ସୂଚନା ହାସଲ କରିବା, ଅନ୍ଧବିଶ୍ୱାସ ଓ କୁସଂସ୍କାରର ଉଦାହରଣ ଦେଇ ଶତ୍ରୁର ରାଜ୍ୟରେ ମିଥ୍ୟା ଗୁଜବ ପ୍ରଚାର କରାଇବା, ପ୍ରତିପକ୍ଷ ସୈନ୍ୟର ମନୋବଳ ଭାଙ୍ଗିବା ବା ସମ୍ମୁଖ ଯୁଦ୍ଧ କରିବା ଇତ୍ୟାଦି ।[୬୯] କିନ୍ତୁ ଯୁଦ୍ଧରେ ଜୟ ଲାଭ କଲା ପରେ ଏକ ନ୍ୟାୟୀ ଓ ଉତ୍ତମ ରାଜ୍ୟ ନିଜ ପ୍ରତିପକ୍ଷ ସୈନ୍ୟ ଓ ପ୍ରଜାଙ୍କ ସହିତ ଅମାନୁଷିକ ବ୍ୟବହାର କରିବା ଅନୁଚିତ୍ ବୋଲି ଅର୍ଥଶାସ୍ତ୍ର ଯୁକ୍ତି ରଖେ ।[୬୯]

ଅର୍ଥଶାସ୍ତ୍ରରେ ଉଲ୍ଲିଖିତ ଯୁଦ୍ଧ ଓ ଶାନ୍ତିର ନୀତି କିଛି ଅନ୍ୟ ପ୍ରାଚୀନ ଭାରତୀୟ ଶାସ୍ତ୍ର ଯଥା କମଣ୍ଡକୀଙ୍କ ନୀତିସାର ପରି କିନ୍ତୁ ଆଉ କେତେକ ଗ୍ରନ୍ଥରେ ଉଲ୍ଲିଖିତ ନୀତିଠାରୁ ଯଥେଷ୍ଟ ଭିନ୍ନ ବୋଲି ବ୍ରେକ୍କେ ମତ ରଖିଥିଲେ । [୮୩]

ପ୍ରାଚୀନ ସମୟରେ ଅର୍ଥଶାସ୍ତ୍ରର ପ୍ରଭାବ[ସମ୍ପାଦନା]

କୌଟିଲ୍ୟଙ୍କ ସମୟରେ ମୌର୍ଯ୍ୟ ସାମ୍ରାଜ୍ୟ

ଏସିଆର ଇତିହାସରେ ଅର୍ଥଶାସ୍ତ୍ରର ବହୁଳ ପ୍ରଭାବ ରହିଥିଲା ବୋଲି ବିଶେଷଜ୍ଞମାନଙ୍କ ସୂତ୍ରରୁ ଜଣାଯାଏ ।[୬୯][୮୪] ସମ୍ରାଟ ମାର୍କସ୍ ଅଉରେଲିୟସ୍‍ଙ୍କ ରୋମାନ୍ ସାମ୍ରାଜ୍ୟର ଦୁଇଗୁଣରୁ ଅଧିକ କ୍ଷେତ୍ରବିଶିଷ୍ଟ ଭାରତୀୟ ଉପମହାଦ୍ୱୀପରେ ପର୍ସିଆର ସୀମାରୁ ବଙ୍ଗଳା ପର୍ଯ୍ୟନ୍ତ ବ୍ୟାପ୍ତ ଓ ରାଜଧାନୀ ପାଟଳିପୁତ୍ରରୁ ନିୟନ୍ତ୍ରିତ ବିରାଟ ମୌର୍ଯ୍ୟ ସାମ୍ରାଜ୍ୟର ପ୍ରତିଷ୍ଠା ଓ ବିକାଶରେ ଅର୍ଥଶାସ୍ତ୍ରର ନୀତି ଓ ଉପାୟ ସହାୟକ ହୋଇଥିଲା । [୬୯]

କୌଟିଲ୍ୟଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ସମଗ୍ର ଭାରତ ବର୍ଷର ଏକତ୍ରୀକରଣ କରିବା ପରେ ତାଙ୍କ ପୁତ୍ର ବିନ୍ଦୁସାର ଓ ନାତି ଅଶୋକ ଏହି ସାମ୍ରାଜ୍ୟର ଶାସନ ଦକ୍ଷତାର ସହିତ ସମ୍ଭାଳିଥିଲେ ।[୬୯] ଅର୍ଥଶାସ୍ତ୍ରର ପ୍ରଗତିଶୀଳ ଚିନ୍ତାଧାରା, ନିରପେକ୍ଷ ନୀତି ନିୟମ ଓ ସୁଚିନ୍ତିତ ଓ ସ୍ୱଚ୍ଛ ଶାସନ ପ୍ରଣାଳୀ ଯୋଗୁଁ ଅଶୋକଙ୍କ ଶାସନ ବେଳେ ବୌଦ୍ଧ ଧର୍ମର ପ୍ରସାର ଘଟି ଭାରତୀୟ ସମାଜରେ ଏକ ନୈତିକ ପରିବର୍ତ୍ତନ ହୋଇଥିଲା । ପୁଣି ପୂର୍ବ, ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆରେ ବୌଦ୍ଧ ଧର୍ମ, ହିନ୍ଦୁ ଧର୍ମ ଓ ଅନ୍ୟ ମତବାଦର ପ୍ରଚାର ପାଇଁ ଏହା ଉପଯୁକ୍ତ ପରିବେଶ ସୃଷ୍ଟି କରିଥିଲା ।[୮୪][୮୫]

ଅର୍ଥଶାସ୍ତ୍ରର ପାଣ୍ଡୁଲିପି ଆବିଷ୍କୃତ ହେବା ପରେ ପାଶ୍ଚାତ୍ୟ ଦାର୍ଶନିକ ଓ ବିଶେଷଜ୍ଞମାନେ ମାକିଆଭେଲିଙ୍କ ବହୁ ବର୍ଷ ପୂର୍ବରୁ ଓ ଖ୍ରୀଷ୍ଟ ଜନ୍ମ ପୂର୍ବରୁ ପ୍ରାଚୀନ ଭାରତରେ ରାଜନୀତି ଓ ପ୍ରଶାସନ ସମ୍ପର୍କିତ ଗ୍ରନ୍ଥ ରଚନା ହୋଇଥିବା ଦେଖି ବିସ୍ମିତ ହୋଇଥିଲେ । ଦ୍ୱାଦଶ ଶତାବ୍ଦୀର ଆରମ୍ଭରେ କିଛି ବିଶେଷଜ୍ଞ ଏହାକୁ ମାକିଆଭେଲିଙ୍କ ମତବାଦ ସହ ତୁଳନା କରିଥିବା ବେଳେ ଆଧୁନିକ ଗବେଷକମାନେ କହିଛନ୍ତି ଯେ କୌଟିଲ୍ୟ ମତବାଦ ଓ ମାକିଆଭେଲି ମତବାଦ ମଧ୍ୟରେ ଅନେକ ପାର୍ଥକ୍ୟ ମଧ୍ୟ ରହିଛି ।[୮୬][୮୭][୮୮] ମାକିଭେଲିଙ୍କ “ଦ ପ୍ରିନ୍‍ସ୍” ରଚନାରେ କୁହାଯାଇଛି ଯେ ରାଜା ଓ ତାଙ୍କ ନିକଟ ସଭାଷଦ ରାଜାଙ୍କ କ୍ଷମତା ଅକ୍ଷୁଣ୍ଣ ରଖିବାକୁ ଚେଷ୍ଟା କରିବା ଉଚିତ୍ ବୋଲି କୁହାଯାଇଥିବା ବେଳେ ଅର୍ଥଶାସ୍ତ୍ରରେ ରାଜା ଓ ସଭାଷଦ ପଦର ଚିନ୍ତା ନ କରି ଜନ ମଙ୍ଗଳକାରୀ କାର୍ଯ୍ୟରେ ମନୋନିବେଶ କରିବା ଉଚିତ୍ ବୋଲି କୁହାଯାଇଛି ।[୮୬] ପ୍ରଜାଙ୍କ ସୁରକ୍ଷା ଓ ବିକାଶ ହିଁ ଦେଶର ବିକାଶ ବୋଲି କୌଟିଲ୍ୟ ମତ ପୋଷଣ କରିଥିବା ବେଳେ ମାକିଆଭେଲି ମତବାଦରେ ଏପରି ଯୁକ୍ତି ଦେଖିବାକୁ ମିଳେନାହିଁ । ଜମିଦାର ଓ ଜମି ମାଲିକ ଚାଷ କରୁନଥିଲେ ବା ଜମିକୁ ଅଗାଡ଼ି କରି ରଖିଥିଲେ ସେମାନଙ୍କଠାରୁ ଜମି ନେଇ ଗରୀବ କୃଷକଙ୍କୁ ପ୍ରଦାନ କରିବା ଉଚିତ୍ ।[୮୬][୮୭]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Roger Boesche (2002). The First Great Political Realist: Kautilya and His Arthashastra. Lexington Books. p. 7. ISBN 978-0739104019., Quote: "(...) is classically expressed in Indian literature in the Arthashastra of Kautilya";
    Siva Kumar, N.; Rao, U. S. (April 1996). "Guidelines for value based management in Kautilya's Arthashastra". Journal of Business Ethics. 15 (4): 415–423. doi:10.1007/BF00380362., Quote: "The paper develops value based management guidelines from the famous Indian treatise on management, Kautilya's Arthashastra."
  2. Olivelle 2013, pp. 1-5.
  3. Olivelle 2013, pp. 24–25, 31.
  4. Olivelle 2013, pp. 1, 34-35.
  5. Mabbett (1964): "References to the work in other Sanskrit literature attribute it variously to Viṣṇugupta, Cāṇakya and Kauṭilya. The same individual is meant in each case. The Pańcatantra explicitly identifies Chanakya with Viṣṇugupta."
  6. Olivelle 2013, pp. 31-38.
  7. Mabbett (1964);
    Trautmann (1971, p. 10): "while in his character as author of an arthaśāstra he is generally referred to by his gotra name, Kauṭilya;"
    Trautmann (1971, p. 67): "T. Burrow... has now shown that Cāṇakya is also a gotra name, which in conjunction with other evidence makes it clear that we are dealing with distinct persons, the minister Cāṇakya of legend and Kautilya the compiler of Arthaśāstra.
  8. Rao & Subrahmanyam (2013): "The confident initial assertion that the text’s author was ‘the famous Brahman Kautilya, also named Vishnugupta, and known from other sources by the patronymic Chanakya’, and that the text was written at the time of the foundation of the Maurya dynasty, has of course been considerably eroded over the course of the twentieth century."
  9. Olivelle 2013, pp. 30-31.
  10. ୧୦.୦ ୧୦.୧ Allen, Charles (21 February 2012). Ashoka: The Search for India's Lost Emperor. London: Hachette UK. Retrieved 23 October 2015.
  11. Boesche 2002, p. 8
  12. ୧୨.୦ ୧୨.୧ ୧୨.୨ ୧୨.୩ ୧୨.୪ Boesche 2003
  13. Olivelle 2013, pp. 14, 330: "The title Arthaśāstra is found only in the colophons, in three verses 5.6.47, 7.10.38 and 7.18.42", (page 14) and "Prosperity and decline, stability and weakening, and vanquishing — knowing the science of politics [अर्थशास्त्र, arthaśāstra], he should employ all of these strategies." (page 330)
  14. Rangarajan, L.N. (1987). The Arthashastra (Introduction). New Delhi: Penguin Books. pp. 1–2. Retrieved 2016-02-20.
  15. Olivelle 2013, pp. 1-62, 179-221.
  16. Sen, R.K. and Basu, R.L. 2006. Economics in Arthashastra. New Delhi: Deep & Deep Publications.
  17. Thomas Trautmann (2012), Arthashastra: The Science of Wealth, Penguin, ISBN 978-0670085279, pages xxv-27
  18. R. Chadwick; S. Henson; B. Moseley (2013). Functional Foods. Springer Science. p. 39. ISBN 978-3-662-05115-3., Quote: During the same period, an ancient Hindu text (the Arthashastra) included a recipe...";
    Arvind Sharma (2005). Modern Hindu Thought: An Introduction. Oxford University Press. p. 186. ISBN 978-0-19-567638-9.; Quote: "Arthasastra, the major surviving Hindu text on polity, attributed to Chanakya (also known as Kautilya)..."
    Stephen Peter Rosen (1996). Societies and Military Power: India and Its Armies. Cornell University Press. p. 67. ISBN 978-0801432101., Quote: The most important single text in Hindu political philosophy is Kautilya's Arthasastra (...)
  19. Olivelle 2013, pp. 122-175.
  20. Olivelle 2013, pp. 101, 228-229, 286-287.
  21. Olivelle 2013, pp. 29, 52.
  22. Olivelle, Patrick (June 2004). "Manu and the Arthaśāstra, A Study in Śāstric Intertextuality". Journal of Indian Philosophy. 32 (2/3): 281–291. doi:10.1023/B:INDI.0000021078.31452.8a. JSTOR 23497263. (Subscription required (help)). Cite uses deprecated parameter |subscription= (help)
  23. Olivelle 2013, pp. 49-51, 99-108, 277-294, 349-356, 373-382.
  24. RP Kangle (1969, Reprinted in 2010), Arthaśāstra, Part 3, Motilal Banarsidass, ISBN 978-8120800410, pages 1-2
  25. Boesche, Roger (January 2003). "Kautilya's Arthaśāstra on War and Diplomacy in Ancient India". The Journal of Military History. 67 (1): 9–37. doi:10.1353/jmh.2003.0006. ISSN 0899-3718.
  26. Arvind Sharma (1999), The Puruṣārthas: An Axiological Exploration of Hinduism, The Journal of Religious Ethics, Vol. 27, No. 2 (Summer, 1999), pp. 223-256
  27. Steven Rosen (2006), Essential Hinduism, Praeger, ISBN 0-275-99006-0, page 34-45
  28. Macy, Joanna (1975). "The Dialectics of Desire". Numen. BRILL. 22 (2): 145–60. JSTOR 3269765.
  29. John Bowker (2003), The Oxford Dictionary of World Religions, Oxford University Press, ISBN 978-0192139658, pages 650-651
  30. ୩୦.୦ ୩୦.୧ Arthashastra R Shamasastry (Translator), pages 8-9
  31. ଆଧାର ଭୁଲ: ଅଚଳ <ref> ଚିହ୍ନ; arthasasb1c2 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  32. JS Rajput (2012), Seven Social Sins: The Contemporary Relevance, Allied, ISBN 978-8184247985, pages 28-29
  33. Olivelle 2013, pp. 66-69.
  34. ୩୪.୦ ୩୪.୧ ୩୪.୨ ୩୪.୩ Rangarajan 1992, pp. 121-122.
  35. ୩୫.୦ ୩୫.୧ ୩୫.୨ ୩୫.୩ Sanskrit Original: कौिटलीय अर्थशास्त्र, Arthashastra Book 1, Kautilya, pages 5-6
  36. Olivelle 2013, pp. 70-72.
  37. Kangle 1969, p. 130.
  38. Olivelle 2013, pp. xx, xxii, 69-221.
  39. Olivelle 2013, pp. 69-70.
  40. ୪୦.୦ ୪୦.୧ Olivelle 2013, pp. 72-74.
  41. Olivelle 2013, pp. 72-75.
  42. ୪୨.୦ ୪୨.୧ ୪୨.୨ Olivelle 2013, pp. 74-75.
  43. Sanskrit Original: कौिटलीय अर्थशास्त्र, Arthashastra Book 1, Kautilya, pages 7-8
  44. Sanskrit Original: कौिटलीय अर्थशास्त्र, Arthashastra Book 3, Kautilya, page 80;
    Archive 2: KAZ03.1.41 - KAZ03.1.43 Transliterated Arthashastra Muneo Tokunaga (1992), Kyoto University, Archived at University of Goettingen, Germany
  45. Olivelle 2013, pp. 181-182.
  46. ୪୬.୦ ୪୬.୧ ୪୬.୨ ୪୬.୩ ୪୬.୪ Thomas Trautmann (2012), Arthashastra: The Science of Wealth, Penguin, ISBN 978-0670085279, pages 136-137, for context see 134-139
  47. ୪୭.୦ ୪୭.୧ ୪୭.୨ Sanskrit Original: कौिटलीय अर्थशास्त्र, Arthashastra Book 3 and 4, Kautilya, pages 79-126
  48. Olivelle 2013, pp. 112-117.
  49. Thomas Trautmann (2012), Arthashastra: The Science of Wealth, Penguin, ISBN 978-0670085279, page xx
  50. ୫୦.୦ ୫୦.୧ Sanskrit Original: कौिटलीय अर्थशास्त्र, Arthashastra Book 4, Kautilya, pages 110-111
  51. Olivelle 2013, p. 248.
  52. Olivelle 2013, p. 189.
  53. Sanskrit Original: कौिटलीय अर्थशास्त्र, Arthashastra Book 3, Kautilya, pages 84-85
  54. ୫୪.୦ ୫୪.୧ Sanskrit Original: कौिटलीय अर्थशास्त्र, Arthashastra Book 3, Kautilya, pages 81-82
  55. Rangarajan 1992, p. 366.
  56. Boesche 2002, pp. 18-19.
  57. Olivelle 2013, p. 101.
  58. Olivelle 2013, pp. 140-142, 44-45.
  59. Olivelle 2013, pp. 127-130.
  60. Olivelle 2013, pp. 122-126, 130-135.
  61. Olivelle 2013, pp. 139-140.
  62. Olivelle 2013, pp. 140-141.
  63. Olivelle 2013, pp. 142-143.
  64. ୬୪.୦ ୬୪.୧ Olivelle 2013, pp. 143-147.
  65. Olivelle 2013, pp. 147-151.
  66. ୬୬.୦ ୬୬.୧ Olivelle 2013, pp. 152-156.
  67. Olivelle 2013, pp. 162-170.
  68. Olivelle 2013, pp. 171-175.
  69. ୬୯.୦ ୬୯.୧ ୬୯.୨ ୬୯.୩ ୬୯.୪ ୬୯.୫ ୬୯.୬ Roger Boesche (2003), Kautilya's Arthaśāstra on War and Diplomacy in Ancient India, The Journal of Military History, Volume 67, Number 1, pages 9-37
  70. Sanskrit Original: कौिटलीय अर्थशास्त्र, Arthashastra Book 11, Kautilya, pages 206-208
  71. Olivelle 2013, pp. 42-47, 78-80, 98, 112-117, 231-234, 261-263, 407-414, 476-483.
  72. Olivelle 2013, pp. xv-xvi, 42-43, 78-82, 98, 260.
  73. Olivelle 2013, pp. 42-43.
  74. Olivelle 2013, pp. 78-83.
  75. Olivelle 2013, pp. 42–47, 78–83, 260–261.
  76. Olivelle 2013, p. 261.
  77. Olivelle 2013, p. 294.
  78. Olivelle 2013, pp. 294-297.
  79. Olivelle 2013, pp. 277-278.
  80. Rangarajan 1992, p. 530.
  81. ୮୧.୦ ୮୧.୧ Torkel Brekke (2009), The Ethics of War in Asian Civilizations: A Comparative Perspective, Routledge, ISBN 978-0415544375, page 128
  82. Olivelle 2013, pp. 273-274.
  83. Torkel Brekke (2009), The Ethics of War in Asian Civilizations: A Comparative Perspective, Routledge, ISBN 978-0415544375, pages 121-138
  84. ୮୪.୦ ୮୪.୧ Henry Albinski (1958), The Place of the Emperor Asoka in Ancient Indian Political Thought, Midwest Journal of Political Science, Vol. 2, No. 1, pages 62-75
  85. MV Krishna Rao (1958, Reprinted 1979), Studies in Kautilya, 2nd Edition, OCLC 551238868, ISBN 978-8121502429, pages 13-14, 231-233
  86. ୮୬.୦ ୮୬.୧ ୮୬.୨ Paul Brians et al., eds. (1993). Reading About the World, Vol. 1. Washington State University Press. ISBN 0-15-567425-0. Retrieved 2016-02-20. Explicit use of et al. in: |editors= (help)CS1 maint: Uses editors parameter (link)
  87. ୮୭.୦ ୮୭.୧ A Kumar (2005), The Structure and Principles of Public Organization in Kautilya's Arthashastra, The Indian Journal of Political Science, Vol. 66, No. 3, pages 463-488
  88. S Set (2015), Ancient Wisdom for the Modern World: Revisiting Kautilya and his Arthashastra in the Third Millennium, Strategic Analysis, Volume 39, Issue 6, pages 710-714