ଅଗ୍ନ୍ୟାଶୟ ଅକ୍ଷମତା

ଉଇକିପିଡ଼ିଆ‌ରୁ


ଅଗ୍ନ୍ୟାଶୟ
ଅଗ୍ନ୍ୟାଶୟ
1: Head of pancreas
2: Uncinate process of pancreas
3: Pancreatic notch
4: Body of pancreas
5: Anterior surface of pancreas
6: Inferior surface of pancreas
7: Superior margin of pancreas
8: Anterior margin of pancreas
9: Inferior margin of pancreas
10: Omental tuber
11: Tail of pancreas
12: Duodenum
ଲାଟିନ ଭାଷାରେ Pancreas
Gray's subject #251 1199
ଧମନୀ inferior pancreaticoduodenal artery, superior pancreaticoduodenal artery, splenic artery
ଶିରା pancreaticoduodenal veins, pancreatic veins
ସ୍ନାୟୁ pancreatic plexus, celiac ganglia, vagus[୧]
Precursor pancreatic buds
MeSH Pancreas
Dorlands/Elsevier Pancreas

ଅଗ୍ନ୍ୟାଶୟ ଯେତେବେଳେ ସ୍ୱାଭାବିକ ପାଚନ କ୍ରିୟା ପାଇଁ ଉଦ୍ଧିଷ୍ଟ ପାଚକ ରସସଂତ୍ୱରକ (Enzyme) କ୍ଷରଣ କରିବାରେ ଅସମର୍ଥ ଅବା ଆଂଶିକ ଅସମର୍ଥ ହେଲେ ,ଏହାକୁ ଅଗ୍ନ୍ୟାଶୟ ଅକ୍ଷମତା(Pancreatic insufficiency) କୁହାଯାଇ ଥାଏ । ଏକ ସୁସ୍ଥ ଅଗ୍ନ୍ୟାଶୟ ପ୍ରତ୍ୟହ ୮ କପ୍ ପାଚକ ରସ ପାଚନ ସଂସ୍ଥାନକୁ କ୍ଷାରିତ କରିଥାଏ ।

ଅଗ୍ନ୍ୟାଶୟ ଅକ୍ଷମତା ହେବାଦ୍ୱାରା ତୀବ୍ର କୁପୋଷଣ ଜନିତ ବ୍ୟାଧି ଦେଖାଯାଇ ପାରେ । ଯେହେତୁ ଅସମ୍ପୂର୍ଣ ପାଚନ ହୋଇଥାଏ ,ଏହାଦ୍ୱାରା ଆହାର ରସ ଓ ଦ୍ରବ୍ୟ ସମ୍ପୁର୍ଣ୍ଣ ଶୋଷିତ ହୋଇନଥାଏ । ଶରୀରରେ ବିଭିନ୍ନ ଜୀବନଦାୟୀ ତତ୍ତ୍ୱ ଓ ଖଣିଜ ଲବଣର ଘୋର ଅଭାବ ପରିଲିକ୍ଷିତ ହୁଏ ।

ଲକ୍ଷଣ[ସମ୍ପାଦନା]

ଅତ୍ୟଧିକ ତୈଳାକ୍ତ ,ଶ୍ୱେତାଭ ମଳ ହୋଇଥାଏ ,ଏହା ଅତ୍ୟନ୍ତ ଦୁର୍ଗନ୍ଧ ଯୁକ୍ତ ଓ ପାଣିରେ ପାଇଖାନାରେ ଧୋଇବା ବେଳେ ଅତ୍ୟନ୍ତ ବିଳମ୍ବରେ ସଫା ହୋଇଥାଏ ଓ ଏହାର ଅଠାଳିଆ ଗୁଣ ଯୋଗୁଁ ପାଇଖାନାରେ ଲାଗିରହିଥାଏ । ଏହା ଛଡା ପେଟ ଫାମ୍ପିବା ,ପେଟ ମୋଡିହେବା ,ଭାରି ଭାରି ଲାଗିବା ,ସଦାବେଳେ ଝାଡା ଝାଡା ଲାଗିବା ଏବଂ ବାୟୁଦୋଷ ଇତ୍ୟାଦି ଲାଗି ରହିଥାଏ । ଅଗ୍ନ୍ୟାଶୟ ଅକ୍ଷମତା ଯୁକ୍ତ ରୋଗୀର ଅସ୍ଥିରେ ପୀଡ଼ା ଏବଂ ମାଂସପେଶୀରେ ବ୍ୟଥା ମଧ୍ୟ ଦେଖା ଦେଇଥାଏ । ଏହା ଅତି ପୁରୁଣା ହେବାଦ୍ୱାରା ନକ୍ତାନ୍ଧତା/ଅନ୍ଧାରକଣା(Night Blindness) ଓ ଅତ୍ୟଧିକ ଶୁଷ୍କ ଓ ସହଜରେ କ୍ଷତ ହୋଇପାରୁଥିବା ତ୍ୱଚା ହୋଇ ଯାଇଥାଏ । ଏକ ସୁସ୍ଥ ଏବଂ ପୋଷକ ତତ୍ତ୍ୱ ପରିପୂର୍ଣ୍ଣ ଆହାର ନେବା ସତ୍ତ୍ୱେ ମଧ୍ୟ ଶରୀର ଓଜନ ଦିନକୁ ଦିନ ହ୍ରାସ ପାଇଥାଏ । ବୟସ୍କଙ୍କ କ୍ଷେତ୍ରରେ ମଧୁମେହ ମଧ୍ୟ ଦେଖାଯାଇ ପାରେ ।

ଷ୍ଟୀଟୋରିଆ[ସମ୍ପାଦନା]

ଏହା ଅତ୍ୟଧିକ ସ୍ନେହ ଓ ଚର୍ବି ଜାତୀୟ ଖାଦ୍ୟର ଅପଚ ଜନିତ ଏକ ତରଳ ଝାଡା ବା ଅତିସାର ଅବସ୍ଥା । ତୈଳ ଓ ଚର୍ବି ଜାତୀୟ ଖାଦ୍ୟକୁ ହଜମ କରୁଥିବା ସଂତ୍ୱରକ ଲାଇପେଜ୍ (Lipase)ର କ୍ଷରଣ ଅଗ୍ନ୍ୟାଶୟରୁ ଅଯଥେଷ୍ଟ କିମ୍ବା ଆଦୌ ନ ହେବାଦ୍ୱାରା ଏହା ହୋଇଥାଏ ।ଏହା ବ୍ୟତୀତ ଶ୍ୱେତସାର ଜାତୀୟ ଖାଦ୍ୟକୁ ପାଚନ କରିବା ପାଇଁ ଆମାଇଲେଜ୍ (Amylase) ସଂତ୍ୱରକର ଅଭାବ ଯୋଗୁଁ ମଧ୍ୟ ଅତିସାର ହୋଇଥାଏ ।

ଉଦର ପୀଡ଼ା[ସମ୍ପାଦନା]

ଉଦରର ପାର୍ଶ୍ୱରେ ମୋଡିହେଲା ଭଳିଆ ପୀଡ଼ା ହୋଇଥାଏ । ପିଠିରେ ମଧ୍ୟ ପୀଡ଼ା ହୋଇପାରେ ।ଏହା ଅତି ତୀବ୍ର ହୋଇଯାଇ ଥାଏ , କିଛି ଖାଇବା ପରେ କିମ୍ବା କିଛି ତରଳ ପିଇବାପରେ ।ଏହି ବ୍ୟଥା ଓ ପୀଡ଼ା ସଂପୂର୍ଣ୍ଣ ଭାବେ ଅନୁପସ୍ଥିତ ହୋଇଥାଏ , ଯେତେବେଳେ ଅଗ୍ନ୍ୟାଶୟରୁ ସଂପୂର୍ଣ୍ଣ ଭାବେ ପାଚକ ରସର କ୍ଷରଣ ବନ୍ଦ ହୋଇଯାଇଥାଏ ।

କାରଣ[ସମ୍ପାଦନା]

ତୀବ୍ର ଅଗ୍ନ୍ୟାଶୟ ଅକ୍ଷମତା ହୋଇଥାଏ ; ସିଷ୍ଟିକ ଫାଇବ୍ରୋସିସ୍ , ଜୀର୍ଣ୍ଣ ଅଗ୍ନ୍ୟାଶୟ ପ୍ରଦାହ ଏବଂ ପାଚନ ସଂସ୍ଥାନର କୌଣସି ଶଲ୍ୟ କ୍ରିୟା ଯେଉଁଥିରେ ପାଚନ ସଂସ୍ଥାନର ଅଥବା ଅଗ୍ନ୍ୟାଶୟର କୌଣସି ଅଂଶ ବିଚ୍ଛେଦ କରାଯାଇଥାଏ ।ଏହାଛଡା କିଛି ରୋଗ ଯଥା ;ସିଲିୟାକ ଡିସିଜ୍ ,କ୍ରୋହନ୍ସ ଡିସିଜ୍ ଏବଂ ଶରୀର ରୋଗ ପ୍ରତିରୋଧ ବ୍ୟବସ୍ଥାର ବିକୃତି ଜନ୍ୟ ରୋଗ ଯଥା ଶିସ୍ଟେମିକ୍ ଲ୍ୟୁପସ୍ ଏରିଥିମାଟସ୍ ଇତ୍ୟାଦି ଅଗ୍ନ୍ୟାଶୟ ଅକ୍ଷମତାର କାରଣ । ଅତ୍ୟଧିକ ମଦ୍ୟପାନ ,ପିତ୍ତାଶୟ ଅଶ୍ମରୀ ,ଅତ୍ୟଧିକ ରକ୍ତ ଚର୍ବି ଏବଂ ଉଦର ପ୍ରଦେଶରେ ଆଘାତ ଯୋଗୁଁ ମଧ୍ୟ ଅଗ୍ନ୍ୟାଶୟ ଅକ୍ଷମତା ଦେଖା ଦେଇ ଥାଏ । ଶୈଶବ ଅଗ୍ନ୍ୟାଶୟ ଅବକ୍ଷୟ ଏବଂ ପୁନଃ ପୁନଃ ଅଗ୍ନ୍ୟାଶୟ ପ୍ରଦାହ ଯୋଗୁଁ ଅଗ୍ନ୍ୟାଶୟ ଶିରା ଧମନୀ ଏବଂ କ୍ଷରଣ ନଳିକା ସମୂହରେ ଅବରୋଧ ଉତ୍ପନ୍ନ ,ଅଗ୍ନ୍ୟାଶୟ ଅକ୍ଷମତାର ଏକ ମୁଖ୍ୟ କାରଣ । ଅଗ୍ନ୍ୟାଶୟ ସ୍ୱୟଂ ଅବକ୍ଷୟ ଶରୀର ରୋଗ ପ୍ରତିରୋଧି ସଂସ୍ଥାନର ସ୍ୱୟଂକ୍ରିୟ ପ୍ରତିକ୍ରିୟା କାରଣରୁ ହୋଇଥାଏ । କେତେକ ଔଷଧ ଯଥା:- ଆଜାଥାୟୋପ୍ରିନ ,ସଲ୍ଫୋନାମାଇଡ,କୋରଟିକୋଷ୍ଟେରୋଇଡ ,ନନଷ୍ଟେରୋଇଡାଲ ଆଣ୍ଟି ଇଂଫ୍ଲାମାଟୋରୀ ଡ୍ରଗ୍ସ ଏବଂ କିଛି ପ୍ରତିଜୀବାଣୁ ଔଷଧ ଯଥା ଟେଟ୍ରାସାଇକ୍ଳିନ ଅଗ୍ନ୍ୟାଶୟ ଅକ୍ଷମତା ପାଇଁ ଦାୟୀ ।ଏହାଛଡା କିଛି ଭୂତାଣୁ ସଂକ୍ରମଣ ଯଥା: -ମମ୍ପ୍ସ,ହେପାଟାଇଟିସ,ରୁବେଲା,ଏପଷ୍ଟିନ-ବାର-ଭାଇରସ ଏବଂ ସାଇଟୋମେଗାଲୋ-ଭାଇରସ ।

ପରୀକ୍ଷା ଏବଂ ରୋଗ ନିର୍ଣ୍ଣୟ[ସମ୍ପାଦନା]

ଏହି ରୋଗର ନିର୍ଣ୍ଣୟାତ୍ମକ ପରୀକ୍ଷା ପାଇଁ ଅନେକ ଚିକିତ୍ସା ବିଜ୍ଞାନଗାର ସମ୍ବନ୍ଧୀୟ ପରୀକ୍ଷା ଅଛି । ମଳ ପରୀକ୍ଷାରେ – ମଳରେ ଅଣୁବୀକ୍ଷଣ ସାହାଯ୍ୟରେ ଚର୍ବି ଓ ବସା ଅଣୁ( Fat Globules )ର ଉପସ୍ଥିତି ଦେଖାଯାଇ ପାରେ । ଟ୍ରିପ୍ସିନ୍ ଉପସ୍ଥିତି – ଏହା ପୃଷ୍ଟିସାର (protein) ଜାତୀୟ ଉପାଦାନକୁ ହଜମ କରିବା ପାଇଁ ଏକ ସଂତ୍ୱରକ । ପାଚକ ନଳି ବ କ୍ଷ୍ଯୁଦ୍ରାନ୍ତରେ ଏହାର ଉପସ୍ଥିତି ଯଥେଷ୍ଟ ଅଗ୍ନ୍ୟାଶୟ ପାଚକ ରସର କ୍ଷରଣର ପରିଚାୟକ । ଏଣୁ ମଳରେ ଏହାର ଲେସ ମାତ୍ର ଉପସ୍ଥିତି ବ ଅନୁପସ୍ଥିତି ଅଗ୍ନ୍ୟାଶୟ ଅକ୍ଷମତାର ନିର୍ଣ୍ଣୟାତ୍ମକ ପରୀକ୍ଷା ହୋଇଥାଇ ପାରେ । ଇଲାଷ୍ଟେଜ – ଏହା ପ୍ରୋଟିନ ଭାଙ୍ଗୁଥିବା ଏକ ସଂତ୍ୱରକ ।ଏହା ଅନ୍ୟ ସଂତ୍ୱରକମାନଙ୍କଦ୍ୱାରା ପ୍ରଭାବରେ କ୍ଷୟ ପ୍ରତିରୋଧି । ମଳରେ ଏହାର ଅନୁପସ୍ଥିତି ; ଅଗ୍ନ୍ୟାଶୟ ଅକ୍ଷମତାର ପରିଚାୟକ ଅଟେ । ରକ୍ତ ପରୀକ୍ଷା – ଟ୍ରିପ୍ସିନୋଜେନର ମାତ୍ରା ରକ୍ତରେ ଅଳ୍ପ କିମ୍ବା ଅନୁପସ୍ଥିତି , ଅଗ୍ନ୍ୟାଶୟ ଅକ୍ଷମତାର ପରିଚାୟକ ଅଟେ । ଅନ୍ୟାନ୍ୟ ଯାନ୍ତ୍ରିକ ପରୀକ୍ଷା - ମାଗ୍ନେଟିକ ରେଜୋନାନ୍ସ କୋଆନ୍ଜିଓ ପାଙ୍କ୍ରିଏଟୋଗ୍ରାଫି (MRCP)-ଏହା ଏକ ମାଗ୍ନେଟିକ ରେଜୋନାନ୍ସ ଇମେଜିଂ (MRI) ପ୍ରକ୍ରିୟା ଯେଉଁଥିରେ ଅଗ୍ନ୍ୟାଶୟ ଏବଂ ପିତ୍ତାଶୟ ନଳିକା ସମୂହ ଗୁଡିକୁ ପରୀକ୍ଷା କରାଯାଏ ।

ଚିକିତ୍ସା[ସମ୍ପାଦନା]

ଆଧୁନିକ ଚିକିତ୍ସା ବିଜ୍ଞାନରେ ଏହି ରୋଗ ପାଇଁ ଏଞ୍ଜାଇମ ରିପ୍ଲେସମେଣ୍ଟ ଥେରାପିରେ ବିଭିନ୍ନ ସଂତ୍ୱରକ(Enzyme) ସେବନ କରିବା ପାଇଁ ଦିଆଯାଇ ଥାଏ । ଲାଇପେଜ,ଆମାଇଲେଜ ଏବଂ ପ୍ରୋବାୟୋଟିକ ଇତ୍ୟାଦି ବିଭିନ୍ନ ଔଷଧୀୟ ଯୌଗିକ ସୂତ୍ରରେ ପ୍ରୟୋଗ କରାଯାଇଥାଏ । ପାଚନ ସଂସ୍ଥାନର ଅନ୍ତଃରେ ସର୍ବଦା କ୍ଷାରୀୟ ସ୍ଥିତିରେ (pH-5.5 ଅଥବା pH>4) ରଖିବାକୁ ଚେଷ୍ଟା କରାଯାଇଥାଏ । ସଂତ୍ୱରକ (Enzymes)ବଟିକା ଗୁଡିକୁ ଏଣ୍ଟେରିକ କୋଟେଡ ଅଥବା ମାଇକ୍ରୋଏନକେପ୍ସୁଲେଟେଡ ପ୍ରକ୍ରିୟା ଯୁକ୍ତ କରାଯାଇଥାଏ । ଏହି ଏଞ୍ଜାଇମ ବଟିକା ଗୁଡିକୁ ସର୍ବଦା ଖାଦ୍ୟପରେ ସେବନ କରିବା ଉଚ୍ଚିତ । ଆହାର ଏବଂ ଖଣିଜ,ଜୀବନଦାୟୀ ତତ୍ତ୍ୱ - ଅଗ୍ନ୍ୟାଶୟ ଅକ୍ଷମତାରେ ଚର୍ବି ଦ୍ରବଣୀୟ ଜୀବନଦାୟୀ ତତ୍ତ୍ୱ ଯଥା ; ଭିଟାମିନ-ଏ,ଇ,ଡି,କେ ଇତ୍ୟାଦିର ଘୋର ଅଭାବ ହୋଇଥାଏ ତେଣୁ ଏହିସବୁ ଯଥେଷ୍ଟ ପରିମାଣରେ ସେବନ କରିବା ପାଇଁ ଦେବା ଉଚ୍ଚିତ । ଆହାର ବ୍ୟବସ୍ଥାରେ ଅତି କମ ଚର୍ବି ଏବଂ ଅଧିକ ପୃଷ୍ଟିସାର ଓ କ୍ୟାଲୋରି ଯୁକ୍ତ ଆହାର ସେବନ କରିବା ଉଚ୍ଚିତ ,ଏକ ସୁସ୍ଥ ଶାରୀରିକ ଓଜନ ଧାରଣ କରିବା ନିମନ୍ତେ । ସର୍ବଦା ଏବଂ ଚିରଦିନ ପାଇଁ ମଦ୍ୟପାନ ଓ ତମ୍ବାଖୁ ସେବନରୁ ବିରତ ରହିବା ଉଚ୍ଚିତ । ଅଗ୍ନ୍ୟାଶୟ ଅକ୍ଷମତା ଜନିତ ଉଦରଶୁଳ ବା ପୀଡ଼ାକୁ ରୋକିବା ପାଇଁ ଓ ସ୍ଥାୟୀ ପ୍ରତିରୋଧ ପାଇଁ ଖଣିଜ ଲବଣ ତତ୍ତ୍ୱ ଯଥା ସେଲେନିୟମ,ମାଙ୍ଗାନିଜ,କୋବାଲ୍ଟ,ଜିଙ୍କ, ମୋଲିବ୍ଡେନଂ ଏବଂ ମେଥିଓନାଇନ,ଭିଟାମିନ –ସି ,ବିଟା-କାରୋଟିନ , ଅଙ୍ଗୁର ବୀଜରୁ ଅହରିତ ସତ୍ତ୍ୱ ଇତ୍ୟାଦି ପ୍ରୟୋଗ କରାଯାଇଥାଏ। ଆୟୁର୍ବେଦ ଓ ଔଷଧୀୟ ବୃକ୍ଷ – ଅଗ୍ନ୍ୟାଶୟ ଅକ୍ଷମତାରେ ଦୁଗ୍ଧଫେଣୀ (Taraxacum officinale) ,ତ୍ରାୟମାଣା(Gentiana kurroo Royle),ଯଷ୍ଟିମଧୁ, ହପୁଷା(Juniperus communis Linn.), ମୁସ୍ତକ(Cyperus rotundus L. syn ), ଅଁଳା(Emblica officinalis), ତୁଳସୀ(Ocimum sanctum) ଏବଂ ଆର୍ଦ୍ରକ (Zingiber officinale),ଡାଲଚିନି (Cinnamomum verum) ଇତ୍ୟାଦି ପ୍ରୟୋଗ କରାଯାଇଥାଏ । ଜୀବନ ଚର୍ଯ୍ୟା – ଦୈନନ୍ଦିନ ଜୀବନ ଚର୍ଯ୍ୟାରେ ପରିବର୍ତ୍ତନ ମଧ୍ୟ ଅଗ୍ନ୍ୟାଶୟ ଅକ୍ଷମତାରେ ଉନ୍ନତି ଆଣିଥାଏ ।

  • ସମ୍ଭାବ୍ୟ ପ୍ରତିକୂଳ ଆହାର ଯଥା :- ଅଣ୍ଡା ,ଘିଅ ,ଲହୁଣୀ ,କ୍ଷୀର ,ଆଇସ୍ କ୍ରିମ ,ଗହମ ,ସୋୟା, କୃତ୍ରିମ ଆହାର ରଙ୍ଗ ,ଖାଦ୍ୟ ଦ୍ରବ୍ୟ ସଂରକ୍ଷଣ ରସାୟନିକ ଦ୍ରବ୍ୟ ଇତ୍ୟାଦି ଗୁଡିକୁ ସଂପୂର୍ଣ୍ଣ ପରିତ୍ୟାଗ କରିବା ଉଚ୍ଚିତ ।
  • ପ୍ରଚୁର ମାତ୍ରାରେ ସବୁଜ ପରିବା ଏବଂ ଶାଗ (ପାଳଙ୍ଗ, ମେଥିଶାଗ, କଣ୍ଟା ମାରିଶ, ପିତାଗୁମା ,ପୁନର୍ନଭା) ଖାଆନ୍ତୁ । କ୍ଷୟରୋଧି ଖାଦ୍ୟ ଏବଂ ଫଳ ଯଥା ଜାମୁ, ଲେମ୍ବୁ, ଅଙ୍ଗୁର, କମଳା, ଟମାଟୋ, ଚେରୀ, ଲିଚୁ, କାପ୍ସିକମ ଇତ୍ୟାଦି ଖାଇବା ଉଚ୍ଚିତ ।
  • ସ୍ୱାସ୍ଥ୍ୟ ଉପଯୋଗୀ ତୈଳ ଯଥା ବନସ୍ପତି ତୈଳ ଏବଂ ଓଲିଭ ତୈଳ ବ୍ୟବହାର କରନ୍ତୁ ।
  • ପ୍ରୋଟିନ ବା ପୃଷ୍ଟିସାର ପାଇଁ ଛତୁ,ଶିମ୍ବ ଜାତୀୟ ଖାଦ୍ୟ ବିନ୍ସ ଏବଂ ଡାଲି ଜାତୀୟ ଖାଦ୍ୟ ଯଥା ମୁଗ ,କୋଳଥ ଖାଇବା ଉଚ୍ଚିତ । ଲୋହିତ ମାଂସ ଏବଂ ଚର୍ବି ଜାତୀୟ ମାଂସ ବର୍ଜନ କରିବା ଉଚ୍ଚିତ । ବସାରହିତ ମାଂସ, ମଧୁର ଜଳ ମତ୍ସ୍ୟ ଯଥା ରୋହୀ(ଦେଶୀ), ଭାକୁର,ମାଗୁର,ଚୂନା ମାଛ ଖାଇବା ଉଚ୍ଚିତ ।
  • ରିଫାଇନଡ୍ ଖାଦ୍ୟ ଯଥା ପାସ୍ତା,ଧଳା ପାଉଁରୁଟି,ଚିନି ସମୁର୍ଣ୍ଣ ଭାବେ ତ୍ୟାଗ କରିବା ଉଚ୍ଚିତ । ଫାଷ୍ଟ ଫୁଡ ଗୁଡିକୁ ସର୍ବଦା ମନା କରିବା ହିଁ ବୁଦ୍ଧିମାନିର ନିର୍ଣ୍ଣୟ । ବାକେରୀ ଉତ୍ପାଦିତ ଖାଦ୍ୟ ସମୂହ; କେକ,ବନ,କୂକିଜ,ପେଟିସ ଇତ୍ୟାଦି ଖାଦ୍ୟ ତାଳିକାରୁ ସର୍ବଦା ବାହାରେ ରଖିବା ଉଚ୍ଚିତ ।
  • ଚାହା, କଫି, କୋଲ୍ଡ ଡ୍ରିଂକ୍ସ ଇତ୍ୟାଦି ଯଥା ସମ୍ଭବ କମାଇ ଦିଅନ୍ତୁ ବା ପରିତ୍ୟାଗ କରନ୍ତୁ ।
  • ପ୍ରତ୍ୟହ ସର୍ବନିମ୍ନ ଅଧ ଘଣ୍ଟା ଯାଏଁ ବ୍ୟାୟମ କରନ୍ତୁ ଏବଂ ଦୈନନ୍ଦିନ ୬ରୁ ୮ ଗ୍ଲାସ ପାଣି ପିଅନ୍ତୁ ।

ଆଧାର[ସମ୍ପାଦନା]

  1. Georgia Physiology|6/6ch2/s6ch2_30