ଜଗନ୍ନାଥବଲ୍ଲଭ ମଠ
ଜଗନ୍ନାଥବଲ୍ଲଭ ମଠ ଶ୍ରୀଜଗନ୍ନାଥ ମନ୍ଦିରର ବଗିଚା ବୋଲି ବ୍ରିଟିଶ ଅମଳର ନଥିପତ୍ରରେ ଉଲ୍ଲେଖ ଅଛି ।[୧] ମହାପ୍ରଭୁ ଜଗନ୍ନାଥଙ୍କର ନବକଳେବର ସହିତ ଜଗନ୍ନାଥବଲ୍ଲଭ ମଠର ସମ୍ପର୍କ ଅନେକ ପ୍ରାଚୀନ । ଜଗନ୍ନାଥବଲ୍ଲଭ ମଠ ଶ୍ରୀଜଗନ୍ନାଥଙ୍କର ପ୍ରମୋଦ ଉଦ୍ୟାନ ଭାବରେ ଖ୍ୟାତ । ବଡ଼ଦାଣ୍ଡରେ ଶ୍ରୀବିଷ୍ଣୁସ୍ୱାମୀ ସମ୍ପ୍ରଦାୟର ଏହି ମଠଟି ଅବସ୍ଥିତ ।
ଅବସ୍ଥିତି
[ସମ୍ପାଦନା]ଜଗନ୍ନାଥବଲ୍ଲଭ ମଠଟି ପୁରୀ ପୌରପାଳିକା ହାଟର ବିପରୀତ ଦିଗରେ ଅବସ୍ଥିତ । ପ୍ରସିଦ୍ଧ ଚରିତ୍ର ରମାନନ୍ଦ ରାୟଙ୍କର ଶ୍ରଦ୍ଧାଞ୍ଜଳୀ ପାଇଁ ଏଇ ମଠଟି ତିଆରି ହୋଇଥିଲା । ୧୬ଶହ ଶତାବ୍ଦୀର ସନ୍ଥମାନଙ୍କ ମଧ୍ୟରୁ ରମାନନ୍ଦ ରାୟ ପ୍ରମୁଖ ତଥା ପ୍ରସିଦ୍ଧ ସନ୍ଥ ଥିଲେ । ସେ ପ୍ରାରମ୍ଭରୁ ପ୍ରଶାସନିକ କାର୍ଯ୍ୟ ସହ ଯୋଡ଼ିହୋଇଥିଲେ ।[୨] ଏହି ସନ୍ଥଙ୍କର ଖ୍ୟାତିକୁ ସାଇତିରଖିବା ପାଇଁ ସନ୍ଥଙ୍କର ମୂର୍ତ୍ତି ପାଖରେ ଏକ ସୁନ୍ଦର ବଗିଚା ତିଆରି କରାଯାଇଥିଲା ।[୩] ଏହି ବଗିଚା ମଧ୍ୟରେ ଏକ ମନ୍ଦିର ରହିଛି, ଯାହାକି ପୁରୀ ସହରରେ ପର୍ଯ୍ୟଟକଙ୍କ ଗହଣରେ ଲୋକପ୍ରିୟତା ଲାଭ କରିଛି । ମୁଖ୍ୟତଃ ହିନ୍ଦୁ ଧର୍ମର ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଏହି ମନ୍ଦିରଟି ଅଧିକ ଲୋକପ୍ରିୟ ହୋଇଛି । ମନ୍ଦିରଟି ବଗିଚାର ମଧ୍ୟଭାଗରେ ଅବସ୍ଥିତ । ରାମଭକ୍ତ ହନୁମାନଙ୍କର ଭକ୍ତମାନଙ୍କ ପାଇଁ ଏହି ମନ୍ଦିରଟି ପ୍ରତିଷ୍ଠା କରାଯାଇଥିଲା । ଜଗନ୍ନାଥବଲ୍ଲଭ ମଠର ପ୍ରମୁଖ ଦେବତା ହନୁମାନଙ୍କୁ ଏଠାରେ ଥିବା ବଗିଚାରେ ବଢ଼ିଥିବା ବିଭିନ୍ନ ପ୍ରକାର ଗଛଗୁଡ଼ିକର ରକ୍ଷକ ବୋଲି ବିଶ୍ୱାସ କରାଯାଏ ।[୨]
ମଠ ସହ ଶ୍ରୀମନ୍ଦିରର ସମ୍ପର୍କ
[ସମ୍ପାଦନା]ଏହି ମଠ ଶ୍ରୀମନ୍ଦିର ପ୍ରଶାସନର ଅଧୀନସ୍ଥ ନୁହେଁ, ଦେବୋତ୍ତର କମିଶନରଙ୍କ ନିୟନ୍ତ୍ରଣାଧୀନ । ଏହି ମଠର ଏକ ଟ୍ରଷ୍ଟବୋର୍ଡ ରହିଛି । ଶ୍ରୀଜଗନ୍ନାଥ ମନ୍ଦିରରେ ବିଜେ ପ୍ରତିମାମାନଙ୍କର ଏହି ମଠରେ କେତେକ ବିଶିଷ୍ଟ ତିଥି ଓ ଯାନିଯାତ୍ରାମାନଙ୍କରେ ନୀତି ହୁଏ; ଯଥା-ବସନ୍ତପଞ୍ଚମୀ ଦିନ ମଧ୍ୟାହ୍ନ ଧୂପ ସରି ଚାଚେରୀ ବେଶ ହେବା ପରେ ଓ ଫାଲ୍ଗୁନ ଶୁକ୍ଲପକ୍ଷ ପ୍ରତିପଦ, ଚତୁର୍ଥୀ, ପଞ୍ଚମୀ ଓ ଦ୍ୱାଦଶୀ ତିଥିରେ ମଙ୍ଗଳ ଅାରତି ପରେ ଶ୍ରୀମନ୍ଦିରରୁ ଠାକୁର ବେଣ୍ଟ ବା ଶିକାର ପାଇଁ ଏହି ମଠକୁ ବିଜେ କରନ୍ତି । ଦୋଳଗୋବିନ୍ଦ ଠାକୁର ମଠରେ ବିଜେ ହେବା ପରେ ମଠ ତରଫରୁ ଶୀତଳ ଭୋଗ ହୁଏ । ମଠରେ ଥିବା ବେଣ୍ଟ ପୋଖରୀରେ ଶିକାର ନୀତି ହୁଏ ।[୧][୪]
ଶ୍ରୀମନ୍ଦିରରେ ଦୈନିକ ଅବକାଶ ସମୟରେ ମଶାଲ, ବଲ୍ଲଭ ସମୟରେ ବଲ୍ଲଭ ଓ ବଡ଼ସିଂହାର ବେଶ ପାଇଁ ତିଳକଝୁମ୍ପା ଏହି ମଠ ଯୋଗାଏ । 'ବଣଭୋଜି ବେଶ' ପାଇଁ ପିଙ୍ଗଳ, 'କାଳୀୟଦଳନ' ଓ 'ପ୍ରଳମ୍ବାସୁରବଧ ବେଶରେ ଶ୍ରୀହସ୍ତ କୋରା, ଦୟଣାଚୋରି ନୀତିରେ ଦୟଣା, ବେଣ୍ଟ ନୀତିରେ ପଇଡ଼, ଚନ୍ଦନଯାତ୍ରା ଓ ଚାପରେ କର୍ପୂର ଓ ମଶାଲ ଯୋଗାଇବା ଏହି ମଠର ଦାୟିତ୍ୱ ।[୫] [୬] ଶ୍ରୀମନ୍ଦିରରୁ ମଠର ମହାବୀରଙ୍କ ପାଇଁ ପ୍ରତିଦିନ ଶ୍ରୀଜୀଉଙ୍କର 'କରପଲ୍ଲବ' ପଠାଯାଏ । ମଠର ମହନ୍ତ ଶ୍ରୀମନ୍ଦିରରେ ଚାମର ସେବା କରିପାରିବେ । ଏବେ ମହନ୍ତ କେହି ନାହାନ୍ତି । ପୂର୍ବେ ମହନ୍ତଙ୍କୁ ଦୟଣା ଚୋରି ନୀତିରେ ପାଗ, ଶିରୋପା ଓର ଦଉଡ଼ି ପ୍ରାପ୍ୟ ଶ୍ରୀମନ୍ଦିରରୁ ମିଳୁଥିଲା । ବର୍ତ୍ତମାନ ମଠର ଟ୍ରଷ୍ଟିଙ୍କୁ ଦୟଣାଚୋରି ନୀତି ପାଇଁ ଖଣ୍ଡୁଅା ପ୍ରଦାନ କରାଯାଉଛି । ପହିଲି ଭୋଗ (ଧନୁ ମାସ) ସମୟରେ ଓ କେତେକ ନିର୍ଦ୍ଧିଷ୍ଟ ପର୍ବ ଦିନମାନଙ୍କରେ ଶ୍ରୀମନ୍ଦିରର କୋଠଭୋଗରୁ ଖେଇ ଏହି ମଠକୁ ପ୍ରଦାନ କରାଯାଏ ।[୧]
ଏହି ମଠରେ ମହାପ୍ରଭୁଙ୍କ ବାହାର ସମସ୍ତ ଲୀଳା ଚଳନ୍ତି ପ୍ରତିନିଧି ଦେବତାଙ୍କଦ୍ୱାରା ଅନୁଷ୍ଠିତ ହୋଇଥାଏ । ବାସନ୍ତିକ ଦୁର୍ଗାପୂଜା ଦଶହରାରେ ଅର୍ଥାତ ଚୈତ୍ରଶୁକ୍ଳ ଦଶମୀ ଦିନ ନବକଳେବର ଲୀଳାର ବନଯାଗ ବିଧି ଆରମ୍ଭ ହୁଏ । ଏହି ବିଧିରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ପାଇବା ପରେ ଶାଢ଼ି ବନ୍ଧା ନୀତି ପରେ ଦଇତାମାନେ ଶ୍ରୀନଅରକୁ ଆସନ୍ତି । ଶ୍ରୀନଅରରେ ଗଜପତିଙ୍କଠାରୁ ଗୁଆ ନେବା ପରେ ଦଇତାମ ପତିମହାପାତ୍ର, ଲେଙ୍କା, ଆଚାର୍ଯ୍ୟ ଓ ଦେଉଳକରଣ ଏକ ଶୋଭାଯାତ୍ରାରେ ଯାଇ ଜଗନ୍ନାଥବଲ୍ଲଭ ମଠରେ ପହଞ୍ଚନ୍ତି । ସେହିଦିନ ରାତ୍ରିରହଣି ଜଗନ୍ନାଥବଲ୍ଲଭ ମଠରେ ହୋଇଥାଏ ।[୭] ସମସ୍ତ ବନଯାଗ ଯାତ୍ରୀଙ୍କ ରହଣି ବାବାଦ ଖର୍ଚ୍ଚ ମଠ ପକ୍ଷରୁ ବହନ କରାଯାଏ ।[୮]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ତ୍ରିପାଠୀ, ମହୀମୋହନ. ଶ୍ରୀ ଜଗନ୍ନାଥ. ଆମ ଓଡ଼ିଶା. p. ୧୭୧. ISBN 978-81-89436-30-8.
- ↑ ୨.୦ ୨.୧ "Jagannath Ballav Math". Maps of India. Retrieved 25 July 2016.
- ↑ "Puri". Sand Pebbles Tour N Travels. Archived from the original on 26 July 2016. Retrieved 25 July 2016.
- ↑ "Math & Ashram". Shree Jagannath Temple. Retrieved 25 July 2016.
- ↑ "www.purionline.in/city-guide/mathas-and-aashrams-at-puri". Puri Online City Guide. Retrieved 25 July 2016.
- ↑ "Mathas and Ashrams in Puri". FullOdisha.com. Retrieved 25 July 2016.
- ↑ "Banajaga Yatra Started Daitapatis Night Halt at Jagannath Ballav Matha". Jagannath Culture. Retrieved 25 July 2016.
- ↑ "Banajaga Yatra". JagannathDham.in. Retrieved 25 July 2016.