ସାମ୍ପାନ

ଉଇକିପିଡ଼ିଆ‌ରୁ
ଉପର - ଚୀନର ୟାଂଗଜେ ନଦୀରେ ଭାସୁଥିବା ଏକ ସାମ୍ପାନ ଡଙ୍ଗା ଓ ତଳ – ଲାନ୍ୟାଂଗ୍ ସଂଗ୍ରହାଳୟରେ ଥିବା ଏକ ସାମ୍ପାନ ନମୁନା ।

ସାମ୍ପାନ (ଚୀନୀ ଭାଷାରେ 舢舨, ଇଂରାଜୀ ଭାଷାରେ sampan ରୂପେ ଲିଖିତ) ହେଉଛି ଚଟକା ପୃଷ୍ଠ ବା ତଳ ବିଶିଷ୍ଟ ଏକ କାଠ ଡଙ୍ଗାର ନାମ । ଚୀନୀ ଓ ମାଳୟ ଭାଷାରେ ପ୍ରଚଳିତ ଏହି ନାମ ଅନେକ ଭାଷାରେ ଗୃହୀତ ହୋଇଛି । କିଛି ସାମ୍ପାନରେ ଘର ପରି ଦେଖାଯାଉଥିବା ଏକ କ୍ଷୁଦ୍ର ଆଶ୍ରୟ ସ୍ଥଳ ମଧ୍ୟ ନିର୍ମିତ ହୋଇଥାଏ । ପାରମ୍ପରିକ ରୂପେ ଉପକୂଳ ଅଞ୍ଚଳ ଓ ନଦୀରେ ପରିବହନ ତଥା ମାଛ ଧରିବା ପାଇଁ ସାମ୍ପାନ ନୌକାର ବ୍ୟବହାର କରାଯାଇଥାଏ । ଖରାପ ପାଗରେ ଏହି ନୌକା ଅଧିକ ସମୟ ତିଷ୍ଠି ରହିବା କଷ୍ଟକର ହୋଇଥିବାରୁ ଏହାକୁ ଦୂର ଯାତ୍ରା ଓ ପରିବହନ ପାଇଁ ବ୍ୟବହାର କରାଯାଏ ନାହିଁ । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁଯାୟୀ ସାମ୍ପାନ୍ ୧୦-୧୫ ଫୁଟ୍ ଲମ୍ବା ଏକ ଚୀନ ଦେଶୀୟ ଡଙ୍ଗା ଯାହା ଉପରେ ଏକ କ୍ଷୁଦ୍ର ଚାଳ ରହିଥାଏ ଓ ଲୋକ ଏଥିରେ ରହିପାରନ୍ତି ।[୧]

ସାମ୍ପାନ ନୌକାକୁ ଲମ୍ବା ବାଉଁଶର ବା କାଠର କାତ କିମ୍ବା ୟୁଲୋ ନାମକ ଏକ ଆହୁଲା ସାହାଯ୍ୟରେ ଚଲାଇବାକୁ ହୁଏ ।[୨]) ଆଧୁନିକ ସମୟରେ ମୋଟର ଚାଳିତ ସାମ୍ପାନ ମଧ୍ୟ ଦେଖିବାକୁ ମିଳେ । ସାମ୍ପାନ ନୌକା ମୁଖ୍ୟତଃ ଦକ୍ଷିଣ-ପୂର୍ବ ଏସିଆର ମାଲେସିଆ, ଇଣ୍ଡୋନେସିଆ, ବଙ୍ଗଳାଦେଶ, ବ୍ରହ୍ମଦେଶ, ଶ୍ରୀଲଙ୍କା ଓ ଭିଏତନାମ ପ୍ରଭୃତି ଦେଶରେ ବର୍ତ୍ତମାନ ସୁଦ୍ଧା ବ୍ୟବହାରରେ ରହିଛି ।

ଚୀନର ସାମ୍ପାନ ତିନୋଟି କାଠପଟା ଯୋଡ଼ାଯାଇ ନିର୍ମିତ ହୋଇଥାଏ । କିନ୍ତୁ ବଙ୍ଗଳାଦେଶର ଚିଟ୍ଟାଗଂଗ୍ ଅଞ୍ଚଳର ସାମ୍ପାନର ଗଠନ ସାମାନ୍ୟ ଭିନ୍ନ । ଏଥିରେ ତିନୋଟି ବଡ଼ ପଟା ପରିବର୍ତ୍ତେ ଅନେକ ପତଳା ପଟା ଯୋଡ଼ି ଡଙ୍ଗାଟିକୁ ନିର୍ମାଣ କରାଯାଇଥାଏ ।[୩] ବଙ୍ଗଳାଦେଶୀୟ ସାମ୍ପାନ ନୌକାର ପୃଷ୍ଠ ବା ଆକାର ଓ କ୍ଷୁଦ୍ର ଆଶ୍ରୟସ୍ଥଳ ଚୀନୀ ନୌକା ସହିତ ପ୍ରାୟ ସମାନ । ସିଙ୍ଗାପୁରରେ ୧୯୮୩ ମସିହା ପର୍ଯ୍ୟନ୍ତ ସାମ୍ପାନ ବ୍ୟବହୃତ ହେଉଥିବାର ଉଲ୍ଲେଖ ରହିଛି ।

ନାମକରଣର ଇତିହାସ[ସମ୍ପାଦନା]

"ସାମ୍ପାନ" ଶବ୍ଦର ଉତ୍ସ କ୍ୟାଣ୍ଟୋନିଜ୍ ଭାଷାରୁ । ଏହି ଭାଷାରେ ସାମ୍ ବାନ୍ (ମୂଳ ଶବ୍ଦ : 三板) ଶବ୍ଦ ଏକ ପ୍ରକାରର ନୌକାକୁ ବୁଝାଇଥାଏ ଓ ଏହି ଶବ୍ଦର ଅର୍ଥ ହେଉଛି ତିନୋଟି କାଠ ପଟା ।[୪] ତିନି ଖଣ୍ଡ କାଠପଟା (ତଳେ ଗୋଟିଏ ଓ ତାହାର ଦୁଇ ପାର୍ଶ୍ୱରେ ଅନୁଲମ୍ବ ଭାବେ ଯୋଡ଼ାଯାଇ ଆଉ ଦୁଇଟି) ବ୍ୟବହୃତ ହୋଇ ଯେଉଁ ନୌକାକୃତି ଢାଞ୍ଚା ସୃଷ୍ଟି ହୁଏ ତାହା ହିଁ ସାମ୍ପାନର ଆକୃତି । ରିଏରେ ଇଭ୍ସ ମାଙ୍ଗୁଇନ୍ ୬୮୪ ଶତାବ୍ଦୀର ଏକ ମାଳୟ ଅଭିଲେଖକୁ ଆଧାର କରି ଏହି ନୌକାର ନାମର ଉତ୍ସ ଅଷ୍ଟ୍ରୋନେସୀୟ ଭାଷାରୁ ବୋଲି ମତ ରଖିଥିଲେ ।[୫]


ଦକ୍ଷିଣ-ପୂର୍ବ ଏସିଆର ମାଳୟ ସମୁଦାୟ ନିଜ ବ୍ୟବହୃତ ନୌକାକୁ ସାମ୍ପାନ ବୋଲି କହିଥାନ୍ତି । ମାଳୟ ଅଞ୍ଚଳରେ ଉପକୂଳବର୍ତ୍ତୀ ଗ୍ରାମରେ ବାସ କରୁଥିବା ମାଳୟ ଓ ଓରାଂଗ୍ ଲାଉଟ୍ ଜନ ସମୁଦାୟ ସାମ୍ପାନ ପାଞ୍ଜାଂଗ, କୋଲେକ୍, ପେରାହୁ ପାଞ୍ଜାଂଗ ପରି ଲମ୍ବା ନୌକା ନିର୍ମାଣ ଓ ବ୍ୟବହାର କରିଥାନ୍ତି । ମାଳୟରେ ଏହି ଡଙ୍ଗାକୁ ଚୀନୀ ଯୋତା ଡଙ୍ଗା ବୋଲି ମଧ୍ୟ ଅଭିହିତ କରାଯାଇଥାଏ ।

ଚିତ୍ର ଗ୍ୟାଲେରି[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ
  2. "How to Scull a Boat", WOODEN BOAT #100, June 1991.
  3. [୧].
  4. Merriam Webster online dictionary.
  5. Manguin, Pierre-Yves. 2012. “Asian ship-building traditions in the Indian Ocean at the dawn of European expansion”, in: Om Prakash and D. P. Chattopadhyaya (eds), History of science, philosophy, and culture in Indian Civilization, Volume III, part 7: The trading world of the Indian Ocean, 1500-1800, pp. 597-629. Delhi, Chennai, Chandigarh: Pearson.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]