କୁଫା

ଉଇକିପିଡ଼ିଆ‌ରୁ
ବାଗଦାଦର ଏକ କୁଫା ନୌକା (୧୯୩୨ର ଚିତ୍ର)

କୁଫା (ଇଂରାଜୀ ଭାଷାରେ kuphar ବା kuffah ବୋଲି ଉଚ୍ଚାରିତ[୧]) ଏକ ଗୋଲାକାର ଡଙ୍ଗା । ଟାଇଗ୍ରିସ୍ ଓ ୟୁପ୍ରେଟିସ୍ ନଦୀ କୂଳରେ ଗଢ଼ି ଉଠିଥିବା ପ୍ରାଚୀନ ମେସୋପଟାମିଆ ସଭ୍ୟତା ସମୟରୁ ଏହି କୁଫା ବ୍ୟବହୃତ ହୋଇ ଆସୁଛି । ଗୋଲାକୃତି ହୋଇଥିବାରୁ ସ୍ରୋତର ବିପରୀତ ଦିଗରେ ଯିବା ବେଳେ ଏହା ଗୋଲ ଗୋଲ ବୁଲିଥାଏ ଓ ସ୍ରୋତର ବିପରୀତ ଦିଗରେ କୁଫା ଚଳାଇବା କଷ୍ଟ । କିନ୍ତୁ ଏହା ଏକ ସୁରକ୍ଷିତ, ସୁଗଠିତ ଡଙ୍ଗା ଓ ଏହାର ନିର୍ମାଣ ପ୍ରକ୍ରିୟା ସରଳ । କାତ ବା ଆହୁଲା ସାହାଯ୍ୟରେ କୁଫାକୁ ଚଳାଇବାକୁ ପଡ଼ିଥାଏ ।[୨][୩]

ନାମକରଣ[ସମ୍ପାଦନା]

ମୂଳ ଆରବୀୟ ଶବ୍ଦ قفة (ଉଚ୍ଚାରଣ କୁଫାଃ)ରୁ ଏହି ନୌକାର ନାମ ଉଦ୍ଧୃତ । କୁଫା ଶବ୍ଦର ଅର୍ଥ ହେଲା ବେତ, ଲଟା ଓ ପତ୍ର ଇତ୍ୟାଦିରେ ନିର୍ମିତ ଟୋକେଇ । ଫଳ, ପରିବା ଓ ଅନ୍ୟାନ୍ୟ ସାମଗ୍ରୀ ବୋହି ନେବା ପାଇଁ ନିର୍ମିତ ଟୋକେଇ ପରି ଦିଶୁଥିବାରୁ ଓ ଟୋକେଇ ପରି ସାମଗ୍ରୀ ବୋହିବାରେ ବ୍ୟବହୃତ ହେଉଥିବାରୁ ଏହି ନୌକାକୁ କୁଫା କୁହାଯାଏ ।[୪] ଏହି ଆରବୀୟ ଶବ୍ଦର ଉତ୍ପତ୍ତି ପ୍ରାଚୀନ ଆକାଡ଼ୀୟ ଶବ୍ଦ “କୁପୁ”ରୁ । କୁପୁ ଶବ୍ଦର ଅର୍ଥ ମଧ୍ୟ ଟୋକେଇ ବା ଝୁଡ଼ି ।[୨]

ଇତିହାସ[ସମ୍ପାଦନା]

ଏସିରୀୟ ଭଗ୍ନାବଶେଷରୁ ମିଳିଥିବା ବିଭିନ୍ନ ଫଳକ ଓ ଲେଖରେ କୁଫା ନୌକାର ଉଲ୍ଲେଖ ମିଳେ । ଏହି ଭଗ୍ନାବଶେଷ ଖ୍ରୀଷ୍ଟପୂର୍ବ ୯ମ, ୮ମ ଓ ୭ମ ଶତାବ୍ଦୀର ଅନେକ ରାଜା ଯଥା: ଅସୁରନସିରପାଳ ଦ୍ୱିତୀୟ (ଖ୍ରୀ.ପୂ. ୮୮୩-୮୫୯), ସେନ୍ନାଚେରିବ (ଖ୍ରୀ.ପୂ. ୭୦୫-୬୮୧), ଅସୁରବନିପାଳ (ଖ୍ରୀ.ପୂ. ୬୬୮-୬୨୭) ପ୍ରଭୃତିଙ୍କ ରାଜତ୍ୱ କାଳର ।[୨]: 130  ସଂଗୃହୀତ ମାଟି ଫଳକର ଏକ ବିବାଦୀୟ ଅନୁବାଦ ପ୍ରାଚୀନ ବାବିଲୋନୀୟ ଯୁଗ (ଖ୍ରୀ.ପୂ. ୧୮୩୦-୧୫୩୧) ସମୟରେ ମଧ୍ୟ କୁଫା ବ୍ୟବହୃତ ହେଉଥିବାର ଦାବୀ କରିଥିଲା ।[୫]

୧୯୧୮ ମସିହାରେ ବାଗଦାଦର ଟାଇଗ୍ରିସ୍ ନଦୀକୂଳରେ ଲାଗି ରହିଥିବା କୁଫାମାନଙ୍କ ଚିତ୍ର

ଗ୍ରୀକ୍ ଐତିହାସିକ ହେରୋଡଟସ୍ ଆନୁମାନିକ ଖ୍ରୀ.ପୂ. ୪୫୦ ସମୟରେ ବେବିଲୋନ୍ ପରିଭ୍ରମଣ କରିବାକୁ ଯାଇଥିଲେ ଓ ସେ କୁଫା ବିଷୟରେ ଉଲ୍ଲେଖ କରିଥିଲେ:[୬]

କିନ୍ତୁ ଏହି ଦେଶରେ ମୋତେ ଏଠାକାର ସହର ବ୍ୟତୀତ ଆଉ ଯେଉଁ ବସ୍ତୁ ଆଶ୍ଚର୍ଯ୍ୟାନ୍ୱିତ କରିଛି, ତାହା ବିଷୟରେ କିଛି କହିବି । ବେବିଲୋନ୍‍ର ନଦୀରେ ଉପରମୁଣ୍ଡରୁ ଯେଉଁ ସବୁ ଡଙ୍ଗା ଭାସି ଆସେ ସେଗୁଡ଼ିକ ଗୋଲାକାର ଓ ଚମଡ଼ାରେ ତିଆରି । ମୁଖ୍ୟ ଶରୀରଟି ଯେଉଁ କାଠରେ ତିଆରି ତାହା ଏସିରିଆ ଉତ୍ତରରେ ଥିବା ଆର୍ମେନିଆର ଉଚ୍ଚଭୂମିରୁ କଟାଯାଇଥାଏ । ଏହି କାଠରେ ଗୋଲାକାର ଡଙ୍ଗାର ଶରୀରର ତିଆରି କରି ତାହାର ବହିଃ ପାର୍ଶ୍ୱକୁ ଚମଡ଼ାରେ ଆଚ୍ଛାଦିତ କରିଦିଆଯାଇଥାଏ । ଏହି ଗୋଲାକାର ଡଙ୍ଗାଗୁଡ଼ିକ ଢାଲ ପରି ଆକାରର । ତାହା ପରେ ଡଙ୍ଗାଗୁଡ଼ିକରେ ପାଳ, କୁଟା ଭରି ତାହା ଉପରେ ସାମଗ୍ରୀ ରଖି ପରିବହନ ନଦୀ ସ୍ରୋତରେ ତଳ ମୁଣ୍ଡକୁ ଭସାଇ ଦିଆଯାଏ । ତାଳ କାଠ ନିର୍ମିତ ପାତ୍ରରେ (କାସ୍କ) ମଦ ପରିବହନ କରିବା ପାଇଁ ଏହି ଡଙ୍ଗା ବ୍ୟବହୃତ ହୁଏ । ଦୁଇ ଜଣ ଲୋକ ଛିଡ଼ା ହୋଇ ଦୁଇଟି ଆହୁଲା ସାହାଯ୍ୟରେ ଏହି ଡଙ୍ଗାକୁ ଚଳାଇଥାନ୍ତି । ଏହି ଡଙ୍ଗା ଛୋଟ, ବଡ଼ ଏପରି ଅନେକ ଆକୃତିରେ ଦେଖାଯାଏ ; ସବୁଠାରୁ ବଡ଼ ୫୦୦୦ ଟାଲେଣ୍ଟ୍ ମାପର ହୋଇଥାଏ । ପ୍ରତି ଡଙ୍ଗାରେ ଗୋଟିଏ ଜୀବନ୍ତ ଗଧ ରଖାଯାଏ, ବଡ଼ ଆକାରର ଡଙ୍ଗାରେ ଦୁଇଟି ଗଧ ରହିପାରନ୍ତି । ଡଙ୍ଗା ଭାସି ବେବିଲୋନ୍ ପହଞ୍ଚିବା ପରେ ପଣ୍ୟ ଦ୍ରବ୍ୟ ଓହ୍ଲାଇ ବିକ୍ରି କରାଯାଏ । ତା’ ପରେ ଲୋକ ଡଙ୍ଗାର କାଠ ଓ ଚମଡ଼ା ଖୋଲି ଦିଅନ୍ତି । ପାଳ-କୁଟା ଓ କାଠକୁ ବିକି ଦିଆଯାଏ । ଗଧ ପିଠିରେ ଚମଡ଼ା ଲଦି ବେପାରୀମାନେ ପୁଣି ଆର୍ମେନିଆକୁ ଫେରିଯାଆନ୍ତି । ନଦୀ ସ୍ରୋତ ପ୍ରଖର ଥିବାରୁ ଏହି ଡଙ୍ଗାରେ ଉପରମୁଣ୍ଡକୁ ଯିବା ସମ୍ଭବପର ନୁହେଁ, ତେଣୁ ଡଙ୍ଗାଗୁଡ଼ିକ କାଠ ପରିବର୍ତ୍ତେ ଚମଡ଼ାରେ ତିଆରି କରାଯାଏ । ଆର୍ମେନିଆ ଫେରିଯିବା ପରେ ସେମାନେ ପୁଣି ନୂଆ ଡଙ୍ଗା ତିଆରି କରନ୍ତି ।

— ହେରୋଡଟସ୍

ତତ୍କାଳୀନ ୫୦୦୦ ଗ୍ରୀକ୍ ଟାଲେଣ୍ଟର ମାପ ୧୪୩ ଟନ୍ ହେବ । ତେଣୁ ଏହା ଅତ୍ୟୁକ୍ତି ହୋଇପାରେ । ଏସିରୀୟ ଭଗ୍ନାବଶେଷରେ ମିଳିଥିବା କିଛି ପ୍ରସ୍ତର ଖୋଦିତ ଚିତ୍ରରେ କିନ୍ତୁ କୁଫାରେ ପଥର ପରିବହନ କରାଯିବା ଦର୍ଶିତ ହୋଇଛି । ଏହି ବଡ଼ କୁଫାକୁ ୪ ଜଣ ଲୋକ ଆହୁଲା ମାରି ଚଳାଇଥାନ୍ତି ।[୭] ନିକଟ ଅତୀତରେ ସମ୍ପନ୍ନ କିଛି ବିଶ୍ୱାସଯୋଗ୍ୟ ଗବେଷଣା ଅନୁସାରେ ପ୍ରାଚୀନ ସମୟର ସର୍ବବୃହତ କୁଫାର ବ୍ୟାସ ୧୮ ଫୁଟ୍ (୫.୫ ମିଟର) ଥିଲା ଓ ଏମାନେ ୧୬ ଟନ୍ ପର୍ଯ୍ୟନ୍ତ ପଣ୍ୟଦ୍ରବ୍ୟ ପରିବହନ କରିପାରୁଥିଲେ ।[୮]: 86 

ଏହି ଡଙ୍ଗାର ନିର୍ମାଣ ଶୈଳୀ ବିଷୟରେ ହେରୋଡଟସ୍ ଦୁଇଟି ଉପାୟ ବର୍ଣ୍ଣନା କରିଛନ୍ତି – ଗୋଟିଏ ହେଲା, କାଠର ଛାଞ୍ଚ ଉପରେ ଚମଡ଼ା ଚଢ଼ାଇ ଓ ଦ୍ୱିତୀୟଟି ହେଲା ବେତ ତଥା ଲଟାକୁ ଗୁନ୍ଥି ଟୋକେଇ ନିର୍ମାଣ କରି ଡଙ୍ଗା ନିର୍ମିତ ହୁଏ । ସେମାନଙ୍କ ତଳୁ ପାଣି ନ ଗଳିବା ପାଇଁ ପିଚୁ ବା ବିଟୁମେନ୍ ଲଗାଯାଏ । ୧୯୩୮ ମସିହାରେ ବ୍ରିଟିଶ୍ ମାନବ ବଂଶବିଜ୍ଞାନୀ ଜେମ୍‍ସ୍ ହର୍ଣ୍ଣେଲ୍ ନିଜ ଲେଖା The Coracles of the Tigris and Euphrates (ଟାଇଗ୍ରିସ୍ ଓ ୟୁଫ୍ରେଟିସ୍‍ର କୋରାକଲ୍)ରେ ଏପରି ପ୍ରଣାଳୀ ନିର୍ମିତ ଡଙ୍ଗା ବ୍ୟବହାର ହେଉଥିବା ବିଷୟକୁ ପୁଣି ଉଲ୍ଲେଖ କରିଛନ୍ତି ।[୯]

ବାଇବେଲରେ ଉଲ୍ଲେଖ[ସମ୍ପାଦନା]

ବ୍ରିଟିଶ୍ ସଂଗ୍ରହାଳୟରେ ପ୍ରଦର୍ଶିତ ପ୍ରାଚୀନ ବେବିଲୋନୀୟ ସାଙ୍କେତିକ ଲିପିରେ ଲିଖିତ ଏକ ମାଟି ଫଳକ ନୋଆର ଡଙ୍ଗା ଏକ ବିରାଟ କୁଫା ହୋଇଥିବା ଇଙ୍ଗିତ କରିଥାଏ ।[୧୦] ପ୍ରଫେସର୍ ଇର୍ଭିଂଗ୍ ଫିଙ୍କେଲ୍ ଏହି ଫଳକର ଅନୁବାଦ କରିଛନ୍ତି ଏବଂ ଏହି ଫଳକରେ ନୋଆର ଡଙ୍ଗା ବୃତ୍ତାନ୍ତ ସହ ସାମଞ୍ଜସ୍ୟ ଥିବା ଏକ କିମ୍ବଦନ୍ତୀ ଲେଖା ହୋଇଥିବା ବିଷୟ ପ୍ରକାଶ କରିଥିଲେ ।[୧୧] ଅନୁବାଦକୁ ଅନୁସରଣ କରି ୩୫ ଟନ୍ କୁଫାର ସେ ଏକ କ୍ଷୁଦ୍ର ନମୁନା ତିଆରି କରାଇଥିଲେ ।[୧୨] ୨୦୧୪ ମସିହାରେ ଫିଙ୍କେଲ୍ ଭାରତର କେରଳରେ ଏହି କୁଫାକୁ ଭସାଇବାର ଅସଫଳ ଚେଷ୍ଟା କରିଥିଲେ । ସ୍ଥାନୀୟ ବିଟୁମେନ୍ ବା ପିଚୁ ନିମ୍ନ ମାନର ହୋଇଥିବା ଯୋଗୁଁ ତାଙ୍କ ଦୁଇ ମହଲାବିଶିଷ୍ଟ କୁଫା ଭସାଇବା ପ୍ରୟାସ ବିଫଳ ହେଲା ବୋଲି ସେ କହିଥିଲେ ।[୧୩][୧୨]

ଫଳକରେ ବେବିଲୋନୀୟ ଦୈବୀ ପ୍ରଳୟ କିମ୍ବଦନ୍ତୀ ଓ ଜଣେ ବେବିଲୋନୀୟ ନାୟକ ଆତ୍ରାହସିସ୍‍ର ନୌକା ନିର୍ମାଣ କଥା ବର୍ଣ୍ଣିତ ।[୧୨] ନୋଆଦ୍ୱାରା ନିର୍ମିତ ଏହି ବିରାଟକାୟ କୁଫା ୧-୨ ମହଲାବିଶିଷ୍ଟ ଓ ଏହାର ସମୁଦାୟ ପୃଷ୍ଠ କ୍ଷେତ୍ରଫଳ ୧୪୪୦୦ ବର୍ଗ କ୍ୟୁବିଟ୍ (୩୬୦୦ ବର୍ଗ ମିଟର୍) ହୋଇଥିବା ଲେଖାଅଛି । ତେଣୁ ଏହି ବନ୍ୟା ଓ ପ୍ରଳୟ କିମ୍ବଦନ୍ତୀ, ନୋଆ, ଡଙ୍ଗା କିମ୍ବଦନ୍ତୀର ଉତ୍ସ ମେସୋପଟାମିଆ ସଭ୍ୟତା (ଆଧୁନିକ ଇରାକ) ହୋଇପାରେ ବୋଲି ଫିଙ୍କେଲ୍ ଅନୁମାନ କରନ୍ତି ।[୧୪][୧୨]

କିଛି ନୂତନ ଏସିରୀୟ କାଳର କିମ୍ବଦନ୍ତୀରେ ଟୋକେଇ ବା ଛୋଟ କୁଫାରେ ଶିଶୁଙ୍କୁ ଭସାଇ ଦେଉଥିବା କଥା ବର୍ଣ୍ଣିତ ଅଛି । ଏହି ବର୍ଣ୍ଣନାର ମୋଜେସ୍‍ଙ୍କ କିମ୍ବଦନ୍ତୀ ସହିତ ସାମଞ୍ଜସ୍ୟ ରହିଛି ।[୧୫] ଏହି ଆଧାରରେ କିଛି ବିଶେଷଜ୍ଞ କୁହନ୍ତି ଯେ ଶିଶୁ ମୋଜେସ୍‍ଙ୍କୁ ଯେଉଁ ଡଙ୍ଗାରେ ରଖି ନୀଳ ନଦୀରେ ଭସାଇ ଦିଆ ଯାଇଥିଲା ତାହା ଏକ କୁଫା ହୋଇପାରେ ।[୧୦][୧୫][୧୨]

ଆଧୁନିକ ସମୟରେ ବ୍ୟବହାର[ସମ୍ପାଦନା]

ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଇରାକରେ ବାଗଦାଦ ଆଖପାଖରେ କୁଫାମାନଙ୍କୁ ଗମନାଗମନ, ମାଛଧରା ଡଙ୍ଗା ରୂପେ ବ୍ୟବହାର କରାଯାଉଥିଲା । ଏହି କୁଫାଗୁଡ଼ିକର ପ୍ରସ୍ଥ ୪.୫-୧୦ ଫୁଟ୍ ପର୍ଯ୍ୟନ୍ତ ଥିଲା । ଯଦିଓ ଏଗୁଡ଼ିକର ଯାତ୍ରୀବାହୀ କ୍ଷମତା ୨୦, ଏଥିରେ ୪-୫ ଜଣ ଯାତ୍ରୀ ପରିବାହିତ ହେଉଥିଲେ । ବୃହଦାକାର କୁଫାଗୁଡ଼ିକ ୪-୫ ଟନ୍ ଓଜନର ସାମଗ୍ରୀ ପରିବହନ କରିପାରନ୍ତି (ଉଦାହରଣ ସ୍ୱରୂପ: ୩ଟି ଘୋଡ଼ା, କିଛି ମନୁଷ୍ୟ ଓ ସେମାନଙ୍କ ସାମଗ୍ରୀ) ।[୨]: 132  ବିଂଶ ଶତାବ୍ଦୀର ସର୍ବବୃହତ କୁଫାର ବ୍ୟାସ ପ୍ରାୟ ୧୬.୪-୧୮ ଫୁଟ୍ ।[୭]

ଇରାକର ୟୁଫ୍ରେଟିସ୍ ନଦୀର ଏକ ଛୋଟ କୁଫା

ଆଧୁନିର ଯୁଗରେ ଇରାକରେ ସଡ଼କ ଓ ସେତୁ ଇତ୍ୟାଦି ନିର୍ମାଣ ହେବା ପରେ ତଥା ମୋଟର ଗାଡ଼ି ଆସିବା ପରେ କୁଫାର ବ୍ୟବହାର ହ୍ରାସ ପାଇବାକୁ ଲାଗିଲା । ୧୯୭୦ ଦଶନ୍ଧି ପର୍ଯ୍ୟନ୍ତ ଇରାକରେ ଏମାନଙ୍କ ବ୍ୟବହାର ହେଉଥିଲା ।[୨]: 130  ପୁରାତନ କାଳ ପରି ବର୍ତ୍ତମାନ ମଧ୍ୟ ବେତ ଓ ଲଟାଝଟା ଗୁନ୍ଥି ଓ ପାଣି ନ ଗଳିବା ପାଇଁ ପିଚୁଦ୍ୱାରା ଏହାର ତଳକୁ ଆଚ୍ଛାଦିତ କରି ଆଧୁନିକ କୁଫା ନିର୍ମିତ ହୁଏ ।[୩] ଜେମ୍‍ସ୍ ହର୍ଣ୍ଣେଲ୍‍ଙ୍କ ବର୍ଣ୍ଣନାନୁଯାୟୀ :[୩]: 153  ତିବ୍ବତୀୟ ଗିନା ପରି ଏହି ଡଙ୍ଗାଟି ଗୋଲ, ତଳଟି ଚଟକା ଓ ଏହାର ପାର୍ଶ୍ୱ ଉତ୍ତଳାକାର । ନିର୍ମାଣ ଦୃଷ୍ଟିରୁ କୁଫା ଏକ ବିରାଟ ଘୋଡ଼ଣିହୀନ ଝୁଡ଼ି ପରି ।

ନିଜର ୧୮୨୭ ମସିହାର କବିତା ପର୍ସିଆରେ ଲର୍ଡ୍ ଟେନିସନ୍ କୁଫାର ଉଲ୍ଲେଖ କରିଛନ୍ତି ।

କୁଫା ପରି ଅନ୍ୟ ଡଙ୍ଗା[ସମ୍ପାଦନା]

ବହୁ ଲେଖକ କୁଫାର ଆକୃତି ସହ ସାମଞ୍ଜସ୍ୟ ଥିବା ବିଭିନ୍ନ ଡଙ୍ଗା ବିଷୟରେ ଉଲ୍ଲେଖ କରିଯାଇଛନ୍ତି ।[୮][୧୬] ହର୍ଣ୍ଣେଲ୍, ମେରି-ଖ୍ରିଷ୍ଟିନ୍ ଡି ଗ୍ରେଭ୍ ଓ ବହୁ ମାନବ ବିଜ୍ଞାନୀ ଅନୁମାନ କରନ୍ତି ଯେ ୟୁରେସିଆ, ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆରେ ବ୍ୟବହୃତ ଗୋଲ ଡଙ୍ଗା କୁଫାକୁ ଦେଖି ନିର୍ମିତ ହୋଇଥିବ ।[୨][୮]: 85-9  ପ୍ରାଚୀନ ଆୟାର୍ଲାଣ୍ଡର ସେଲ୍ଟମାନେ ସ୍ୱକୌଶଳରେ କୁରା ନାମକ ଏକ ଗୋଲ ଡଙ୍ଗା ନିର୍ମାଣ କରୁଥିବାର ତଥ୍ୟ ଜଣାପଡ଼ିଛି ।[୧୬]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "kuphar, n.", Oxford English Dictionary
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Agius, Dionisius A. (2008). Classic Ships of Islam: From Mesopotamia to the Indian Ocean. BRILL. pp. 129–132. ISBN 9789004158634.
  3. ୩.୦ ୩.୧ ୩.୨ Hornell, James (1938-01-01). "The Coracles of the Tigris and Euphrates". The Mariner's Mirror. 24 (2): 153–159. doi:10.1080/00253359.1938.10657280. ISSN 0025-3359.
  4. منظور الأنصاري, ابن (1873). "معنى قفة" (PDF). لسان العرب. Bulaq: الميرية. Retrieved June 14, 2018.
  5. Kennedy, Maev (2010-01-01). "Relic reveals Noah's ark was circular". The Guardian. ISSN 0261-3077. Retrieved 2018-06-14.
  6. Herodotus, translated by George Rawlinson (1885), The History of Herodotus, vol. 1, Appleton and Company
  7. ୭.୦ ୭.୧ Badge, Peter (2009-06-17). The Coracles of the World (UK ed.). Gwasg Carrech Gwalch. ISBN 9781845272555.
  8. ୮.୦ ୮.୧ ୮.୨ De Graeve, Marie-Christine (1981). The Ships of the Ancient Near East (c. 2000-500 B.C.). Departement Oriëntalistiek. ISBN 9789070192075.
  9. Sean McGrail (2004), Boats of the World: From the Stone Age to Medieval Times, Oxford University Press, pp. 64–66, ISBN 9780199271863
  10. ୧୦.୦ ୧୦.୧ "Coracles: The surprising history of Britain's strangest boat". BBC one. BBC. Retrieved 14 June 2018.
  11. Sameer Rahim (14 September 2014), "What's the truth of Noah's Ark?", Daily Telegraph
  12. ୧୨.୦ ୧୨.୧ ୧୨.୨ ୧୨.୩ ୧୨.୪ "Secrets of Noah's Ark - Transcript". Nova. PBS. 7 October 2015. Retrieved 27 May 2019.
  13. Basu, Shrabani (September 14, 2014). "The ark that Finkel built". The Telegraph India. Retrieved 14 June 2018.
  14. Finkel, Irving L. (2014), "Conclusions: Stories and Shapes", The Ark Before Noah: Decoding the Story of the Flood, Hodder & Stoughton {{citation}}: Invalid |ref=harv (help)
  15. ୧୫.୦ ୧୫.୧ Potts, Daniel T. (2012-05-21). A Companion to the Archaeology of the Ancient Near East. John Wiley & Sons. ISBN 9781405189880.
  16. ୧୬.୦ ୧୬.୧ Hornell, James (1939-02-11). "British Coracles and Irish Curraghs: with a Note on the Quffah of Iraq". Nature. 143 (224): 224. doi:10.1038/143224c0. ISSN 1476-4687.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Kuphar-ସମ୍ପର୍କିତ ମିଡ଼ିଆ