ସୁଭାଷ ଚନ୍ଦ୍ର ବୋଷ
| ସୁଭାଷ ଚନ୍ଦ୍ର ବୋଷ (ନେତାଜୀ) | |
|---|---|
ସୁଭାଷ ବୋଷ |
|
| ଜନ୍ମ ଓ ଜନ୍ମସ୍ଥାନ | ଜାନୁଆରି ୨୩, ୧୮୯୭ ଓଡ଼ିଆ ବଜାର, କଟକ, ଓଡ଼ିଶା |
| ତିରୋଧାନ | ଅଗଷ୍ଠ ୧୮, ୧୯୪୫ (ବିବାଦିତ) ତାଇୱାନ(ବିବାଦୀୟ) |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଧର୍ମ | ହିନ୍ଦୁ |
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭–ଜଣାନାହିଁ), ଭାରତର ଜଣେ ଅଗ୍ରଣି ସ୍ୱାଧୀନତା ସଙ୍ଗ୍ରାମୀ ଥିଲେ ।
ଭିତର ଚିଜ |
[ଏହାକୁ ବଦଳାନ୍ତୁ] ପ୍ରାରମ୍ଭିକ ଜୀବନ
ସୁଭାଷ ବାପା ଜାନକୀ ନାଥ ବୋଷଙ୍କ ଔରସରୁ ଓ ମାଆ ପ୍ରଭାବତୀ ଦେବୀଙ୍କ ଠାରୁ ୧୮୯୭ ମସିହା ଜାନୁଆରୀ ୨୩ ତାରିଖ ଦିନ ଓଡ଼ିଶାର କଟକ ସହର ଠାରେ ଜନ୍ମ ନେଇଥିଲେ । ସେ ରେଭେନ୍ସା କଲେଜିଏଟ ସ୍କୁଲ, କଟକରୁ ମାଧ୍ୟମିକ ଶିକ୍ଷା ସମାପ୍ତ କଲାପରେ କଲିକତାର ପ୍ରେସିଡେନ୍ସୀ କଲେଜରେ ଦର୍ଶନ ଶାସ୍ତ୍ର ଏବଂ ସ୍କଟିସ ଚର୍ଚ୍ଚ କଲେଜରେ ପାଠ ପଢ଼ିଥିଲେ । ପ୍ରେସିଡେନ୍ସୀ କଲେଜରେ ପଢୁଥିବା ସମୟରେ ଅଧ୍ୟାପକ ଓଟେନଙ୍କ ଭାରତ ବିରୋଧୀ ମନ୍ତବ୍ୟରେ କ୍ଷୁବ୍ଧ ହୋଇ ଅନ୍ୟ ପିଲାଙ୍କ ସହିତ ତାଙ୍କୁ ଦୁର୍ବ୍ୟବହାର କରିଥିବା କାରଣରୁ କଲେଜରୁ ବହିଷ୍କୃତ ହୋଇଥିଲେ ।
୧୯୧୯ ମସିହାରେ ପିତାଙ୍କ ବାଧ୍ୟବାଧ୍ୟକତାରେ ବିଲାତ ଯାଇ ୧୯୨୦ ମସିହରେ ଆଇ. ସି. ଏସ. ପରୀକ୍ଷାରେ ଚତୁର୍ଥ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୨୧ରେ ଆଇସିଏସର ତାଲିମ ନେଉଥିବା ବେଳେ ଭାରତରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଘଟିଥିଲା, ତେଣୁ ସେ ଅଧାରୁ ତାଲିମ ଛାଡ଼ି ଭାରତ ଫେରି ଆସିଥିଲେ ।
[ଏହାକୁ ବଦଳାନ୍ତୁ] ଭାରତୀୟ ସ୍ଵାଧିନତା ଆନ୍ଦୋଳନରେ ଭୂମିକା
ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ସମ୍ପର୍କରେ ଆସିବା ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ୧୯୨୩ରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସର କମିଟିର ସମ୍ପାଦକ ହୋଇଥିଲେ । ୧୯୨୪ ମସିହାରେ ସେ କଲିକତା ମହାନଗରୀର ମେୟର ହୋଇଥିଲେ । ୧୯୨୮ରେ କଂଗ୍ରେସ ପକ୍ଷରୁ ନିଯୁକ୍ତପ୍ରାପ୍ତ ମୋତିଲାଲ ନେହେରୁ କମିଟି ସ୍ଵାୟତ୍ତ ଶାସନ ସପକ୍ଷରେ ମତ ଦେଇଥିଲେ, କିନ୍ତୁ ଜବାହରଲାଲ ନେହେରୁ ଓ ସୁଭାଷ ବୋଷ ଉଭୟେ ପୂର୍ଣ୍ଣ ସ୍ଵାଧୀନତା ଚାହିଁଥିଲେ । ୧୯୩୦ରେ ଆଇନ ଅମାନ୍ୟ ଆନ୍ଦୋଳନ ବେଳେ ସୁଭାଷଙ୍କୁ ଗିରଫ କରି ଜେଲରେ ରଖାଯାଇଥିଲା, ତେବେ ୧୯୩୧ରେ ଗାନ୍ଧୀ-ଇରୱିନ ଚୁକ୍ତି ପରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା । ୧୯୩୮ ମସିହାରେ ହରିପୁରା ଜାତୀୟ କଂଗ୍ରେସର ଅଧିବେଶନରେ ଗାନ୍ଧୀଙ୍କ ମନୋନୀତ ପ୍ରାର୍ଥୀ ପଟ୍ଟାଭିସୀତାରାମାୟାଙ୍କୁ ହରାଇ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୧୯୩୯ରେ ସେ ପୁଣିଥରେ ସେହି ପଦବୀକୁ ନିର୍ବାଚିତ ହୋଇଥିଲେ ।
୧୯୩୯ରେ ସେ ଫରୱାର୍ଡ଼ ବ୍ଳକ ନାମକ ଏକ ନୂତନ ଦଳ ଗଠନ କରିଥିଲେ । ସଶସ୍ତ୍ର ଆନ୍ଦୋଳନ ଦ୍ଵାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ସେ ବିଶ୍ଵାସ କରୁଥିଲେ । ସେ ଇଟାଲିର ଜନନାୟକ ଗାରିବାଲ୍ଡି ଓ ମାଜିନିଙ୍କ ଦ୍ଵାରା ଯଥେଷ୍ଟ ଅନୁପ୍ରାଣୀତ ହୋଇଥିଲେ । ସୁଭାଷଙ୍କର ଏହି ଉଗ୍ରନୀତି ଯୋଗୁଁ ବ୍ରିଟିଶ ସରକାର ତାଙ୍କୁ କଲିକତା ଠାରେ ନଜରବନ୍ଦୀ ରୂପେ ରଖିଥିଲେ । ଭାରତର ସ୍ଵାଧୀନତା ପାଇଁ ଭାରତ ବାହାରେ ରହି ଯୁଦ୍ଧ କରିବା ପାଇଁ ୧୯୪୧ ଜାନୁଆରୀ ୧୭ ତାରିଖରେ ସେ ଭାରତର ସୀମାନ୍ତ ଅତିକ୍ରମ କରି ଆଫଗାନିସ୍ଥାନ ଓ ସୋଭିଏତ ଋଷ ମଧ୍ୟ ଦେଇ ମାର୍ଚ୍ଚ ମାସରେ ବର୍ଲିନ ଠାରେ ପହଞ୍ଚିଥିଲେ । ଜର୍ମାନୀର ନାଜି ଶାସକ ହିଟଲରଙ୍କ ସହ ସାକ୍ଷାତ କରି ଭାରତର ସ୍ଵାଧୀନତା ହାସଲ ସମ୍ପର୍କରେ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ବର୍ଲିନ ଠାରେ ଏକ ମୁକ୍ତ ଭାରତ କେନ୍ଦ୍ର ଉନ୍ମୋଚନ କଲେ ଓ ଜର୍ମାନୀ ମାଟିରେ ଫ୍ରି ଇଣ୍ଡିଆ ଆର୍ମି ଗଠନ କରିଥିଲେ । ସୁଦୂର ବର୍ଲିନରୁ ଆଜାଦ ହିନ୍ଦ ରେଡ଼ିଓ ମାଧ୍ୟମରେ ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ଵାନ ଦେଇଥିଲେ । ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି ଆହ୍ଵାନରେ ସମସ୍ତଙ୍କୁ ଏକଜୁଟ କଲେ ।
ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଜାପାନରେ ନିର୍ବାସିତ ଭାବେ ବାସ କରୁଥିବା ରାସ ବିହରୀ ବୋଷ ନାମକ ଜଣେ ଭାରତୀୟ ଜାପାନ, ବର୍ମା, ମାଳୟ, ପ୍ରଭୃତି ସ୍ଥାନରେ ପ୍ରବାସୀ ଭାରତୀୟ ଓ ଯୁଦ୍ଧ ବନ୍ଦୀମାନଙ୍କୁ ଏକତ୍ରିତ କରି ଭାରତୀୟ ସ୍ଵାଧୀନତା ଲିଗ ଗଠନ କଲେ । ସୁଭାଷ ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜର ଦାୟିତ୍ଵ ଗ୍ରହଣ କଲେ ଏବଂ ୧୯୪୩ ମସିହା ଅକ୍ଟୋବର ୨୧ତାରିଖ ଦିନ ସେଠାରେ ଏକ ଅସ୍ଥାୟୀ ସ୍ଵାଧୀନ ସରକାର ଗଠନ କଲେ । ସେହିଠାରୁ ସେ ଆହ୍ବାନ ଦେଇଥିଲେ ଦିଲ୍ଲୀ ଚଲୋ । ଏହା ସହିତ ଆରମ୍ଭ ହେଲା ଆଜାଦ ହିନ୍ଦ ଫୌଜର ଅଭିଯାନ । ୧୯୪୪ ମାର୍ଚ୍ଚ ୧୮ ତାରିଖରେ ଆଜାଦ ହିନ୍ଦ ଫୌଜ ବର୍ମା ସୀମା ଅତିକ୍ରମ କରି ଭାରତୀୟ ମାଟିରେ ପାଦ ଥାପିଥିଲା ଓ ମଣିପୁରର ଇମ୍ଫାଲ ଯାଏଁ ଏହି ଅଭିଯାନ ଅଗ୍ରସର ହେଲା । ଦୃଢ଼ ପଦକ୍ଷେପରେ ଅଗ୍ରସର ହେଉଥିବା ଆଜାଦ ହିନ୍ଦ ଫୌଜ ଉପରେ ବ୍ରିଟିଶ ବାହିନୀ ଉଭୟ ସ୍ଥଳ ଓ ଆକାଶ ପଥରୁ ଆକ୍ରମଣ କରି ଇମ୍ଫାଲଠାରେ ତାଙ୍କୁ ପରାସ୍ତ କଲା ।
ଶାହନୱାଜ କମିଟି, ଖୋସଲା କମିଶନ, ମୂଖାର୍ଜୀ କମିଶନ ପରି ଅନେକ କମିଶନ ଅଫ ଇନକ୍ଵାରି ବସିଥିଲେ ମଧ୍ୟ ତାଙ୍କର ମୃତ୍ୟୁର କାରଣ ଏବଂ ସମୟ ସଠିକ ଭାବେ ନିରୁପିତ ହୋଇପାରିନାହିଁ ।