ଗଜଲ

ଉଇକିପିଡ଼ିଆ ରୁ


ଗଜଲ୍ ଆରବୀ ସାହିତ୍ୟର ଏକ ପ୍ରସିଦ୍ଧ କାବ୍ୟକଳା । ପରେ ପରେ ଏହା ପାର୍ସୀ, ଉର୍ଦୁ ଏବଂ ହିନ୍ଦୀ ସାହିତ୍ୟରେ ଖୁବ୍ ଲୋକପ୍ରିୟ ହୋଇଛି । ଆରବୀ ଭାଷାରେ ‘ଗଜଲ’ର ଅର୍ଥ ହେଉଛି ନାରୀ ବା ନାରୀ ସମ୍ୱନ୍ଧିତ କଥା । ସାହିତ୍ୟର ଅନ୍ୟାନ୍ୟ ବିଭାଗ ପରି ଏହାର କିଛି ସ୍ୱତନ୍ତ୍ର ବ୍ୟାକରଣ ରହିଛି । ଗଜଲ ହେଉଛି ଏକ କାବ୍ୟାତ୍ମକ ଅନ୍ତ୍ୟାନୁପ୍ରାସ ଯୁକ୍ତ ସାୟରି । କ୍ୱାସିଦା, କାଫିୟା, ସେର୍, ରାଦିଫ୍, ମଖ୍‌ତା, ତଖାଲୁସ୍, ବେହେର୍ ପରି ଗଜଲ ସହ ସମ୍ୱନ୍ଧିତ ଅନେକ ଶବ୍ଦ ରହିଛି, ଯାହାକି ଗଜଲର ବ୍ୟାକରଣ ତଥା ଶୈଳୀକୁ ସମୃଦ୍ଧ କରିଛି । ସେହିପରି ଗଜଲର ଶବ୍ଦରେ ରାଜକୀୟତା ସହ କୋମଳତା ବି ଭରି ରହିଛି । ଦର୍ଦ, ବର୍‌ପା, ହଙ୍ଗାମା, ଆୱାଜ୍, ଆୱାରି, ନଶା, ଚାନ୍ଦ୍, ଜମିନ୍, ଇସ୍କ୍, ଆଇନା, ହୋଠୋଁ, ତସ୍‌ବିର୍, ଜମାନା, ଆଁଶୁ, ଆସିକ୍ ପରି ଅନେକ ଶବ୍ଦର ବାରମ୍ବାର ପ୍ରୟୋଗ ହୋଇ ଆସୁଛି । କିନ୍ତୁ ଗଜଲ ଶବ୍ଦରେ ନୁହେଁ, ହୃଦୟରେ ଗଢ଼ା । ଶବ୍ଦ ସହ ବିଶେଷ ପରିଚିତ ନ ଥିବା ଶ୍ରୋତାଟିଏ ଏହାକୁ କେବଳ ‘ପ୍ରେମ’ର ଭାଷାରେ ହିଁ ବୁଝିପାରିବ । ଅନ୍ୟ ଅର୍ଥରେ କହିଲେ, ପ୍ରେମ ସମ୍ୱନ୍ଧିୟ ଅନୁଭୂତି, ଆବେଗ ତଥା ଆକର୍ଷଣ ଗଜଲର ଶ୍ରୋତାଙ୍କୁ ବାନ୍ଧି ରଖିଥାଏ ।

ଗଜଲ ଓ ସାୟରି[ସମ୍ପାଦନା]

ଗଜଲ ଏବଂ ସାୟରି ଭିତରେ ଫରକ କ’ଣ ? ଏ ସଂପର୍କରେ ଅନେକ ମତ ଦିଅନ୍ତି, ଗଜଲ ହେଉଛି ପଦ୍ୟର ଏକ ରୂପ, ଯେଉଁଠି ସାୟରି ଏକ କବିତା । ଗଜଲ ହେଉଛି ସିରିୟସ୍, ସାୟରି ହେଉଛି ରୋମାଣ୍ଟିକ୍ । ଗୋଟିଏ ଗଜଲ ଅନେକ ଶେର୍‌କୁ ନେଇ ପ୍ରସ୍ତୁତ ହୋଇଥାଏ । ଗୋଟିଏ ଗଜଲରେ ୫ରୁ ୨୫ ପର୍ଯ୍ୟନ୍ତ ଶେର୍ ରହିପାରେ । ଏହି ଶେର୍ ସବୁ ପରସ୍ପରଠାରୁ ସ୍ୱତନ୍ତ୍ର । ପୂର୍ବରୁ ଶେର୍‌କୁ ମତଲୀ କୁହାଯାଉଥିଲା । ଯେଉଁ ଶେର୍ ରେ ସାୟର୍ ନିଜ ନାମ ରଖେ ତାକୁ ମଖ୍ ତା କୁହାଯାଏ । କିନ୍ତୁ କେବେ କେବେ ଏକାଧିକ ଶେର୍ ମିଶି ଗୋଟିଏ ଅର୍ଥ ପ୍ରକାଶ କରନ୍ତି । ଏଭଳି ଶେର୍‌କୁ କତା ବନ୍ଦ କୁହାଯାଏ । ଗଜଲର ଏଭଳି ସଂଗ୍ରହକୁ ଦିୱାନ କହନ୍ତି । ଉର୍ଦୁର ପ୍ରଥମ ଦିୱାନ ହେଉଛନ୍ତି ସାୟର୍ କୁଲି କୁତବ ଶାହ । ଗଜଲ ଉଭୟ ମିଳନ ଏବଂ ବିଚ୍ଛେଦର ଚମତ୍କାର ଅନୁଭବ ତଥା ପ୍ରେମର ଏକ ସୁନ୍ଦର କାବ୍ୟାତ୍ମକ ଅଭିବ୍ୟକ୍ତି ବୋଲି କୁହାଯାଇପାରେ । ଷଷ୍ଠ ଶତାବ୍ଦୀ ବେଳକୁ ଏହି ଆରବୀ କାବ୍ୟକଳାର ସୃଷ୍ଟି ବୋଲି କୁହାଯାଏ । ଆଉ କେହି ଦଶମ ଶତାବ୍ଦୀ ବେଳକୁ ଏହାର ସୃଷ୍ଟି ବୋଲି ମତ ଦିଅନ୍ତି। ଦ୍ୱାଦଶ ଶତାବ୍ଦୀ ବେଳକୁ ଗଜଲ ଦକ୍ଷିଣ ଏସିଆରେ ନୂତନ ଇସ୍‌ଲାମୀୟ ସୁଲ୍ ତାନେଟ୍ କୋର୍ଟ ତଥା ସୁଫି ରହସ୍ୟବାଦ ଦ୍ୱାରା ପ୍ରଭାବିତ ହୋଇଥିଲା । ଗଜଲର ପ୍ରମୁଖ ସ୍ରଷ୍ଟାମାନେ କ୍ରମାନ୍ଵୟରେ ଆସିବେ ତ୍ରୟୋଦଶ ଶତାବ୍ଦୀର ପାର୍ସୀ ଫକୀର ତଥା କବି ଜଲାଲ ଅଲ ଦିନ ମହମ୍ମଦ, ଚତୁର୍ଦଶ ଶତାବ୍ଦୀର ରୁମି ଏବଂ ହାଫିଜ୍, ଷୋଡ଼ଶ ଶତାବ୍ଦୀର ଅଜେରୀ କବି ଫୁଜୁଲୀ । ଏମାନଙ୍କ ପରେ ପରେ ମୀର୍ଜା ଗାଲିବ(୧୯୯୭-୧୮୬୯) ଏବଂ ମହମ୍ମଦ ଇକ୍‌ବାଲ(୧୮୭୭ରୁ ୧୯୩୮) ଉଭୟ ପାର୍ସୀ ଏବଂ ଉର୍ଦୁଭାଷାରେ ଗଜଲ ଲେଖିଛନ୍ତି । ଜୋହାନ ବୋକ୍ ନଂଗ୍ୟାଙ୍ଗ ୱାନ୍ ଗେଟେଙ୍କ(୧୭୪୯-୧୮୩୨) ମାଧ୍ୟମରେ ଜର୍ମାନୀରେ ଗଜଲ ଲୋକପ୍ରିୟ ହୋଇପାରିଥିଲା । ଫେଡ୍‌ରିକ୍ (୧୭୮୮-୧୮୬୬) ଏବଂ ଅଗସ୍ତ ୱାନ୍ ପଟ୍‌ଟ(୧୭୯୬-୧୮୩୫) ମଧ୍ୟ ଏହି ସମୟରେ ଜର୍ମାନୀରେ ବେଶ ପ୍ରସିଦ୍ଧ ହୋଇପାରିଥିଲେ ।

ଉର୍ଦୁର ପ୍ରସିଦ୍ଧ ଗଜଲ ଲେଖକ[ସମ୍ପାଦନା]

ଉର୍ଦୁର ପ୍ରସିଦ୍ଧ ଗଜଲ ଲେଖକ ମଧ୍ୟରେ ଆତିଶ୍, ମୀର ତାକି ମୀର, ମୀର୍ଜା ରଫି ସୌଦା, ମୀର୍ଜା ଗାଲିବ୍, ମୋମିନ୍ ଖାନ୍ ମୋମିନ୍ ଙ୍କ ପରି ବ୍ୟକ୍ତିମାନେ ଅଛନ୍ତି । ପାର୍ସୀ, ତୁର୍କୀ ଏବଂ ଉର୍ଦୁରେ ଗତ ହଜାର ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଗଜଲର ବିଶାଳ ସଂଗ୍ରହ ରହିଛି । ଗଜଲର ଗାୟକୀ, ଗାୟନ ତଥା ଭାରତୀୟ ଶାସ୍ତ୍ରୀୟ ସଂଗୀତ ପରମ୍ପରାରେ ଗଜଲର ପ୍ରଦର୍ଶନ ବହୁତ ପୁରୁଣା । ଉସ୍ତାଦ୍ ବର୍‌କତ୍ ଅଲ୍ଲୀଙ୍କ ପରି ଆହୁରି ଅନେକ ଗାୟକଙ୍କ ଅବଦାନ ଗଜଲ କ୍ଷେତ୍ରରେ ରହିଛି । ଇତିହାସରେ ମଧ୍ୟ ସବୁ ଗଜଲ ଗାୟକଙ୍କ ବିଷୟରେ ସବିଶେଷ ତଥ୍ୟ ନାହିଁ । ଉସ୍ତାଦ ଅମାନତ ଅଲ୍ଲୀ ଖାଁ, ବେଗମ୍ ଅଖ୍‌ତର, ମେହେନ୍ଦି ହସନ, ଜଗଜିତ ସିଂହ, ଫରିଦା ଖାନମ୍ ଏବଂ ଗୁଲାମ ଅଲ୍ଲୀ ଲୋକପ୍ରିୟ ଶାସ୍ତ୍ରୀୟ ଗଜଲ ଗାୟକ । ଗଜଲର ଜଟିଳ ଭାବ ଓ ଶବ୍ଦକୁ ବୁଝିବା ଶିକ୍ଷିତ ତଥା ଉଚ୍ଚବର୍ଗ ପାଇଁ ପୂର୍ବରୁ ଉଦ୍ଦିଷ୍ଟ ଥିବା ବେଳେ ଏବେ ଏହାକୁ ସରଳୀକରଣ କରାଯାଇଛି । ଜଗଜିତ୍ ସିଂହ, ଅହମ୍ମଦ, ମହମ୍ମଦ ହୁସେନ୍, ହରିହରନ୍, ମହମ୍ମଦ ରଫି, ପଙ୍କଜ ଉଧାସଙ୍କ ପରି ଆଉ କିଛି ଗଜଲ ଗାୟକ ପଶ୍ଚିମ ସଂଗୀତର ତତ୍ତ୍ୱକୁ ସାମିଲ କରି ଗଜଲକୁ ଏକ ନୂଆ ରୂପ ଦେଇଛନ୍ତି । ଯେମିତିକି ଜଗଜିତ ସିଂହ ଗଜଲରେ ଗୀଟାର ପ୍ରୟୋଗ କରିଥିଲେ । ଭାରତରେ ହିନ୍ଦୀ, ଉର୍ଦୁକୁ ବାଦ୍ ଦେଲେ ଗୁଜରାଟୀ ଭାଷାରେ ଗଜଲ ବେଶ୍ ଲୋକପ୍ରିୟ । ବରକତ୍ ବିରାନି, ଅସୀମ ରାନ୍ଦେରୀ, ଶୂନ୍ୟ ପାଲନ୍‌ପୁରୀଙ୍କ ପରି ଗୁଜୁରାଟୀ ଲେଖକମାନେ ଅନେକ ଗଜଲ ସୃଷ୍ଟି କରିଛନ୍ତି । ପ୍ରଖ୍ୟାତ ଗଜଲ ଗାୟକ ଡାକ୍ତର ଗଜଲ ଶ୍ରୀନିବାସଙ୍କ ତେଲୁଗୁ ଗଜଲ ବେଶ ଲୋକପ୍ରିୟ । ଶ୍ରୀନିବାସ କନ୍ନଡ଼ ଭାଷାରେ ମଧ୍ୟ ଗଜଲ ଗାଇଛନ୍ତି । ମାର୍କଣ୍ଡପୁରମ୍ କନ୍ନଡ଼ ଭାଷାରେ ଅନେକ ଗଜଲ ରଚନା କରିଛନ୍ତି ।

ଗଜଲ୍ ରୁଦାଦ୍ ହୈ ନାକାମିୟୋଁ କି,

ଗଜଲ୍ ମେହେରୁମିୟୋଁ କି ଦାପ୍ତାନ ହୈ । ଗଜଲ୍ ରିସ୍ତେ ହୁଏ ଜଖ୍ ମୋଁ କା ମରହମ୍, ଗଜଲ୍ ଏକ୍ ତାରା-ଇ-ଦର୍ଦ-ଇ ନିହାନ ହୈ । ଗଜଲ୍ କା ହୁସ୍ ନ ହି ହୈ, ହୁସ୍ ନ-ଇ-ଆଲମ୍, ଗଜଲ୍ କା ନୁର୍ ହି ନୁର୍-ଇ-ଜାହାନ ହୈ ।

[୧]

ଆଧାର[ସମ୍ପାଦନା]

  1. ସମ୍ବାଦ, ପୃଷ୍ଠା-୧-୨, ୧୧ମାର୍ଚ୍ଚ ୨୦୧୨

ବାହାର ତଥ୍ୟ[ସମ୍ପାଦନା]