ଶ୍ରୀ ଭେଙ୍କଟେଶ୍ୱର ଜାତୀୟ ଉଦ୍ୟାନ
ଶ୍ରୀ ଭେଙ୍କଟେଶ୍ୱର ଜାତୀୟ ଉଦ୍ୟାନ | |
---|---|
IUCN Category II (National Park) | |
ଭାରତରେ ଶ୍ରୀ ଭେଙ୍କଟେଶ୍ୱର ଜାତୀୟ ଉଦ୍ୟାନର ଅବସ୍ଥିତି | |
ଅବସ୍ଥାନ | ଚିତ୍ତୁର ଜିଲ୍ଲା ଓ କଡ଼ପ୍ପା ଜିଲ୍ଲା, ଆନ୍ଧ୍ର ପ୍ରଦେଶ, ଭାରତ |
ପାଖ ସହର | ତିରୁପତି |
ଦିଗବାରେଣି | 13°45′04″N 79°20′16″E / 13.75111°N 79.33778°E [୧] |
କ୍ଷେତ୍ରଫଳ | ୩୫୩ ବର୍ଗ କି.ମି. |
ସ୍ଥାପିତ | ୧୯୮୯ ସେପ୍ଟେମ୍ବର୍ |
ଶ୍ରୀ ଭେଙ୍କଟେଶ୍ୱର ଜାତୀୟ ଉଦ୍ୟାନ ଭାରତର ଆନ୍ଧ୍ର ପ୍ରଦେଶ ରାଜ୍ୟରେ ଅବସ୍ଥିତ । ଏହାକୁ ଏକ ସଂରକ୍ଷିତ ଜୈବଗୋଲକର ମାନ୍ୟତା ମଧ୍ୟ ମିଳିଛି । ଜାତୀୟ ଉଦ୍ୟାନର ସମୁଦାୟ କ୍ଷେତ୍ରଫଳ ୩୫୩ ବର୍ଗ କି.ମି. ।
ତଳକୋଣ ଜଳପ୍ରପାତ, ଗୁଣ୍ଡଲକୋଣ, ଗୁଞ୍ଜନା ପରି କିଛି ପ୍ରସିଦ୍ଧ ଜଳପ୍ରପାତ ଏହି ଜାତୀୟ ଉଦ୍ୟାନ ମଧ୍ୟରେ ରହିଛନ୍ତି । ୨୦୧୦ ମସିହାରେ ଶେଷାଚଳମ୍ ପାହାଡ଼କୁ ଭାରତ ସରକାର ଏକ ସଂରକ୍ଷିତ ଜୈବଗୋଲକ ଘୋଷିତ କରିବା ପରେ ଏହି ଜାତୀୟ ଉଦ୍ୟାନ ମଧ୍ୟ ଜୈବଗୋଲକର ଅଂଶ ହେଲା ।
ଭୌଗୋଳିକ ତଥ୍ୟ
[ସମ୍ପାଦନା]ପୂର୍ବଘାଟ ପର୍ବତମାଳାରେସ୍ଥିତ ଏହି ଜାତୀୟ ଉଦ୍ୟାନଟି କଡ଼ପ୍ପା ଜିଲ୍ଲାର ଶେଷାଚଳମ୍ ପାହାଡ଼ ଓ ଚିତ୍ତୁର ଜିଲ୍ଲାର ତିରୁମାଳା ପାହାଡ଼ରେ ବ୍ୟାପ୍ତ । ଜାତୀୟ ଉଦ୍ୟାନର ସର୍ବୋଚ୍ଚ ଓ ସର୍ବନିମ୍ନ ସ୍ଥାନର ଉଚ୍ଚତା ସମୁଦ୍ର ପତନରୁ ଯଥାକ୍ରମେ ୧୧୩୦ ମିଟର୍ ଓ ୧୫୦ ମିଟର୍ । ପାର୍ବତୀୟ ଉପତ୍ୟକାଭରା ଜାତୀୟ ଉଦ୍ୟାନର ଭୂମି ଅତ୍ୟନ୍ତ ଆବୁଡ଼ାଖାବୁଡ଼ା ଓ ଉଚ୍ଚନୀଚ । ଏଠାରେ ମୁଖ୍ୟତଃ ଉତ୍ତର-ପୂର୍ବ ମୌସୁମୀ (ପ୍ରତ୍ୟାବର୍ତ୍ତନଶୀଳ ମୌସୁମୀ) ବାୟୁ ପ୍ରଭାବରେ ବର୍ଷା ହୁଏ ଓ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଅଳ୍ପ ବର୍ଷା ହୁଏ । ଏଠାକାର ଅରଣ୍ୟ ଶୁଷ୍କ ପର୍ଣ୍ଣମୋଚୀ ଓ ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟର ମିଶ୍ରଣ । ଏଠାକାର ବାର୍ଷିକ ହାରାହାରି ବୃଷ୍ଟିପାତ ୯୦୦ ମିଲିମିଟର୍ । ଏଠାକାର ହାରାହାରି ତାପମାତ୍ରା ୧୨° ସେଲ୍ସିୟସ୍ରୁ ୪୪° ସେଲ୍ସିୟସ୍ ମଧ୍ୟରେ ହୋଇଥାଏ ।
ଜାତୀୟ ଉଦ୍ୟାନର ବୃକ୍ଷଲତା ଓ ଜୀବଜନ୍ତୁ
[ସମ୍ପାଦନା]ବୃକ୍ଷଲତା
ଶ୍ରୀ ଭେଙ୍କଟେଶ୍ୱର ଜାତୀୟ ଉଦ୍ୟାନର ଅରଣ୍ୟ ମୁଖ୍ୟତଃ ଶୁଷ୍କ ପର୍ଣ୍ଣମୋଚୀ ଶ୍ରେଣୀର ଓ ପାହାଡ଼ ଉପତ୍ୟକାରେ ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟ ଠାଏ ଠାଏ ରହିଥାଏ । ୧୭୪ଟି ପରିବାରର ୧୫୦୦ ପ୍ରଜାତିର ଉଚ୍ଚ ଗଛ ଏହି ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳେ । ରକ୍ତଚନ୍ଦନ (Pterocarpus santalinus), ଲାଖ ଗଛ (Shorea talura), (Shorea thumburggaia), ଚନ୍ଦନ, ପେରିଟା (ତେଲୁଗୁ ଭାଷାର ନାମ, ବୈଜ୍ଞାନିକ ନାମ Cycas beddomei), ସାଇଲୋଟମ୍ ନ୍ୟୁଡମ୍, ଟର୍ମିନାଲିଆ ପାଲ୍ଲାଡିଆ ଇତ୍ୟାଦି ଗଛ ଏହି ଅଞ୍ଚଳରେ ଦେଖିପାରିବା ।
ଜୀବଜନ୍ତୁ
ଜାତୀୟ ଉଦ୍ୟାନରେ ୧୭୮ଟି ପ୍ରଜାତିର ପକ୍ଷୀ ଚିହ୍ନଟ ହୋଇପାରିଛନ୍ତି । ସମଗ୍ର ବିଶ୍ୱରେ ଲୁପ୍ତପ୍ରାୟ ଅବସ୍ଥାରେ ଥିବା ପୀତକଣ୍ଠ ବୁଲ୍ବୁଲ୍ ଏଠାକାର ଜଙ୍ଗଲରେ ବସବାସ କରନ୍ତି । ତାହା ଛଡ଼ା ହିମାଳୟ ଓ ପଶ୍ଚିମଘାଟ ପର୍ବତାଞ୍ଚଳରେ ଆଗପଟେ ଧୂସର ଛାପ ଥିବା ଏକ ସବୁଜ ରଙ୍ଗର ପାରା ପ୍ରଜାତି ଏଠାରେ ଦେଖିବାକୁ ମିଳନ୍ତି । ଶ୍ୱେତପୃଷ୍ଠ ଶାଗୁଣା ପରି ବିରଳ ଓ ଲୁପ୍ତପ୍ରାୟ ପକ୍ଷୀ ମଧ୍ୟ ଏଠାକାର ଜଙ୍ଗଲରେ ବସବାସ କରନ୍ତି । ଜାତୀୟ ଉଦ୍ୟାନରେ ଦେଖାଯାଉଥିବା ଆଉ କିଛି ପକ୍ଷୀ ପ୍ରଜାତି ହେଲେ - large hawk-cuckoo, blue-faced malkoha, yellow-browed bulbul, Indian scimitar-babbler ଓ Loten's sunbird ଇତ୍ୟାଦି ।
ପ୍ରାୟ ୩୦୦ ବର୍ଷ ଧରି ଆନ୍ଧ୍ର ପ୍ରଦେଶରେ ହାତୀଙ୍କର ପତ୍ତା ମିଳୁନଥିଲା । ୧୯୮୪ ମସିହାରେ ଅକସ୍ମାତ୍ ଭାବେ ଦକ୍ଷିଣ ଚିତ୍ତୁର ଜିଲ୍ଲାରେ କିଛି ହାତୀ ବସବାସ କରୁଥିବା ଜଣା ପଡ଼ିଲା । ୧୯୯୩ ମସିହାରେ ୫ଟି ହାତୀଙ୍କ ଏକ ଖଣ୍ଡିଆ ଦଳ ଜାତୀୟ ଉଦ୍ୟାନର ତିରୁମାଳା ଜଙ୍ଗଲରେ ଥିବା ଚମାଲା ଉପତ୍ୟକାକୁ ଆସି ବସବାସ କଲେ ।
ଏହି ଜଙ୍ଗଲରେ ଦେଖାଯାଉଥିବା ମାଂସଭୋଜୀ ପ୍ରାଣୀଙ୍କ ମଧ୍ୟରେ କଲରାପତରିଆ ବାଘ ଓ ବଳିଆ କୁକୁର ପ୍ରମୁଖ । ତା’ ସହିତ ହେଟା ବାଘ, ସୁବର୍ଣ୍ଣ ଶିଆଳ, କୋକିଶିଆଳୀ, ଶାଳିଆପତିନି, ବଣଭୁଆ ଆଦି ମାଂସାସୀ ପ୍ରାଣୀ ମଧ୍ୟ କିଛି ମାତ୍ରାରେ ରହିଛନ୍ତି । ସମୟେ ସମୟେ ଭାଲୁ ଦୃଶ୍ୟମାନ ହୁଅନ୍ତି । ସମ୍ବର, ଚିତଲ୍, କସ୍ତୁରୀ ମୃଗ, କୁଟୁରା, ଚୌଶିଂଘା, ବାର୍ହା ପରି ଜୀବ ମଧ୍ୟ ଏହି ଜାତୀୟ ଉଦ୍ୟାନରେ ବହୁମାତ୍ରାରେ ରହିଛନ୍ତି । ସ୍ଲେଣ୍ଡର୍ ଲୋରିସ୍ ନାମକ ଏକ ରାତ୍ରିଚର ପ୍ରାଣୀ ମଧ୍ୟ ରହିଥିବାର ଅନୁମାନ କରାଯାଏ କିନ୍ତୁ ଏମାନେ କ୍ୱଚିତ୍ ଦେଖାଯାନ୍ତି । ନେପାଳୀ ମୂଷା ଓ ଶ୍ର୍ୟୁ ପରି କିଛି ପ୍ରଜାତିର ପ୍ରାଣୀ ମଧ୍ୟ ଦେଖିହେବ ।
ସରୀସୃପଙ୍କ ମଧ୍ୟରେ ବିଭିନ୍ନ ପ୍ରଜାତିର ସାପ ଓ ଗ୍ଲାଇଡିଂ ଲିଜାର୍ଡ୍ ପରି ପ୍ରାଣୀ ଦେଖିବାକୁ ପାଇବା । ଏଠାରେ ଦେଖାଯାଉଥିବା ଆଉ ଏକ ବିଶେଷ ସରୀସୃପ ହେଲା ସୁବର୍ଣ୍ଣ ଗେକୋ । ପ୍ରଥମେ ପୂର୍ବଘାଟ ପର୍ବତମାଳାର ପଥୁରିଆ ଅଞ୍ଚଳରେ ଏମାନଙ୍କୁ ଦେଖାଯାଇଥିଲା । ବହୁ ଦିନ ଧରି ଏମାନେ ଦେଖାଯାଉନଥିଲେ କିନ୍ତୁ ୧୯୮୫ ମସିହାରେ ଏହି ପ୍ରଜାତି ସେହି ସ୍ଥାନରେ ପୁନଃ-ଦୃଶ୍ୟମାନ ହେଲେ ।
-
ତଳକୋଣ ଜଳପ୍ରପାତ ଆଖାପାଖି ଜଙ୍ଗଲର ରକ୍ତଚନ୍ଦନ ବୃକ୍ଷ
-
ଶ୍ରୀ ଭେଙ୍କଟେଶ୍ୱର ଜାତୀୟ ଉଦ୍ୟାନରେ ଏକ ପଣସ ଗଛ
-
ଶ୍ରୀ ଭେଙ୍କଟେଶ୍ୱର ଜାତୀୟ ଉଦ୍ୟାନର ତିରୁମାଳା ପାହାଡ଼ର ମୃଗ ଉଦ୍ୟାନର ଏକ ଚିତଲ୍ ହରିଣ
-
ଜାତୀୟ ଉଦ୍ୟାନର ଏକ ନେପାଳୀ ମୂଷା
-
ଜାତୀୟ ଉଦ୍ୟାନର ଏକ ବାର୍ହା
ବିପଦ
[ସମ୍ପାଦନା]ନିର୍ମାଣ କାର୍ଯ୍ୟ ଓ ପଥର ଖୋଳା ଏହି ଜାତୀୟ ଉଦ୍ୟାନ ପାଇଁ ସବୁଠାରୁ ବଡ଼ ବିପଦ । ଆନ୍ଧ୍ର ପ୍ରଦେଶ ରାଜ୍ୟ ରାଜପଥ ପ୍ରକଳ୍ପ ଏଠାକାର ରାଜ୍ୟ ସରକାରଙ୍କ ଏକ ବଡ଼ ଯୋଜନା ଯାହାର ଲକ୍ଷ୍ୟ ରାଜ୍ୟରେ ଥିବା ସମସ୍ତ ରାଜପଥର ମାନ ବୃଦ୍ଧି କରିବା । ୱାରାଙ୍ଗଲ୍-ପୋଲ୍ଲାକୋଲୁ ସଡ଼କ ନିର୍ମାଣ କରାଇବାର ଯୋଜନା ରହିଥିଲା । ଏହି ସଡ଼କଟି ଜାତୀୟ ଉଦ୍ୟାନର ପଶ୍ଚିମ ସୀମାପଟକୁ ରହିଛି । ଆନ୍ଧ୍ର ପ୍ରଦେଶ ସରକାରଙ୍କ ଓ ତିରୁମାଳା ତିରୁପତି ଦେବସ୍ଥାନମ୍ଙ୍କ ମିଳିତ ଉଦ୍ୟମରେ ଏହି ଜାତୀୟ ଉଦ୍ୟାନରେ କପିଳ ତୀର୍ଥନ୍ ବନ୍ଧ ନିର୍ମାଣ କରିବାର ଯୋଜନା ମଧ୍ୟ ରହିଥିଲା । ଏହି ଦୁଇଟି ଯାକ ପ୍ରକଳ୍ପ ଏଠାକାର ଜୀବଜନ୍ତୁ ଓ ଜଙ୍ଗଲ ପାଇଁ ବିପଦ । ପୁଣି ଅଧିକାଂଶ ସମୟରେ ଶ୍ରୀ ଭେଙ୍କଟେଶ୍ୱର ଜାତୀୟ ଉଦ୍ୟାନରେ ଲାଗୁଥିବା ବଣନିଆଁ ଏଠାକାର ଜଙ୍ଗଲ ଓ ଜୀବଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି କରେ ।[୨]
ଆଧାର
[ସମ୍ପାଦନା]- ↑ "Sri Venkateswara National Park". Andhra Pradesh Forest Department. Archived from the original on 2015-04-30. Retrieved 2012-07-30.
- ↑ "Tirumala Forest Fire threatens safety of Tirupati Balaji Temple". IANS. news.biharprabha.com. Retrieved 19 March 2014.