ଶ୍ରୀ ଭେଙ୍କଟେଶ୍ୱର ଜାତୀୟ ଉଦ୍ୟାନ

From ଉଇକିପିଡ଼ିଆ
Jump to navigation Jump to search
ଶ୍ରୀ ଭେଙ୍କଟେଶ୍ୱର ଜାତୀୟ ଉଦ୍ୟାନ
IUCN Category II (National Park)
Spotted buck (axis axis) at Tirumala deer park.jpg
ଶ୍ରୀ ଭେଙ୍କଟେଶ୍ୱର ଜାତୀୟ ଉଦ୍ୟାନର ଏକ ଅଣ୍ଡିରା ଚିତଲ୍ ହରିଣ
Map showing the location of ଶ୍ରୀ ଭେଙ୍କଟେଶ୍ୱର ଜାତୀୟ ଉଦ୍ୟାନ.
Map showing the location of ଶ୍ରୀ ଭେଙ୍କଟେଶ୍ୱର ଜାତୀୟ ଉଦ୍ୟାନ.
ଭାରତରେ ଶ୍ରୀ ଭେଙ୍କଟେଶ୍ୱର ଜାତୀୟ ଉଦ୍ୟାନର ଅବସ୍ଥିତି
ଅବସ୍ଥାନଚିତ୍ତୁର ଜିଲ୍ଲାକଡ଼ପ୍ପା ଜିଲ୍ଲା, ଆନ୍ଧ୍ର ପ୍ରଦେଶ, ଭାରତ
ପାଖ ସହରତିରୁପତି
ଦିଗବାରେଣି13°45′04″N 79°20′16″E / 13.75111°N 79.33778°E / 13.75111; 79.33778Coordinates: 13°45′04″N 79°20′16″E / 13.75111°N 79.33778°E / 13.75111; 79.33778 [୧]
କ୍ଷେତ୍ରଫଳ୩୫୩ ବର୍ଗ କି.ମି.
ସ୍ଥାପିତ୧୯୮୯ ସେପ୍ଟେମ୍ବର୍

ଶ୍ରୀ ଭେଙ୍କଟେଶ୍ୱର ଜାତୀୟ ଉଦ୍ୟାନ ଭାରତର ଆନ୍ଧ୍ର ପ୍ରଦେଶ ରାଜ୍ୟରେ ଅବସ୍ଥିତ । ଏହାକୁ ଏକ ସଂରକ୍ଷିତ ଜୈବଗୋଲକର ମାନ୍ୟତା ମଧ୍ୟ ମିଳିଛି । ଜାତୀୟ ଉଦ୍ୟାନର ସମୁଦାୟ କ୍ଷେତ୍ରଫଳ ୩୫୩ ବର୍ଗ କି.ମି. ।

ତଳକୋଣ ଜଳପ୍ରପାତ, ଗୁଣ୍ଡଲକୋଣ, ଗୁଞ୍ଜନା ପରି କିଛି ପ୍ରସିଦ୍ଧ ଜଳପ୍ରପାତ ଏହି ଜାତୀୟ ଉଦ୍ୟାନ ମଧ୍ୟରେ ରହିଛନ୍ତି । ୨୦୧୦ ମସିହାରେ ଶେଷାଚଳମ୍ ପାହାଡ଼କୁ ଭାରତ ସରକାର ଏକ ସଂରକ୍ଷିତ ଜୈବଗୋଲକ ଘୋଷିତ କରିବା ପରେ ଏହି ଜାତୀୟ ଉଦ୍ୟାନ ମଧ୍ୟ ଜୈବଗୋଲକର ଅଂଶ ହେଲା ।

ଭୌଗୋଳିକ ତଥ୍ୟ[edit]

ପୂର୍ବଘାଟ ପର୍ବତମାଳାରେ ସ୍ଥିତ ଏହି ଜାତୀୟ ଉଦ୍ୟାନଟି କଡ଼ପ୍ପା ଜିଲ୍ଲାର ଶେଷାଚଳମ୍ ପାହାଡ଼ ଓ ଚିତ୍ତୁର ଜିଲ୍ଲାର ତିରୁମାଳା ପାହାଡ଼ରେ ବ୍ୟାପ୍ତ । ଜାତୀୟ ଉଦ୍ୟାନର ସର୍ବୋଚ୍ଚ ଓ ସର୍ବନିମ୍ନ ସ୍ଥାନର ଉଚ୍ଚତା ସମୁଦ୍ର ପତନରୁ ଯଥାକ୍ରମେ ୧୧୩୦ ମିଟର୍ ଓ ୧୫୦ ମିଟର୍ । ପାର୍ବତୀୟ ଉପତ୍ୟକାଭରା ଜାତୀୟ ଉଦ୍ୟାନର ଭୂମି ଅତ୍ୟନ୍ତ ଆବୁଡ଼ାଖାବୁଡ଼ା ଓ ଉଚ୍ଚନୀଚ । ଏଠାରେ ମୁଖ୍ୟତଃ ଉତ୍ତର-ପୂର୍ବ ମୌସୁମୀ (ପ୍ରତ୍ୟାବର୍ତ୍ତନଶୀଳ ମୌସୁମୀ) ବାୟୁ ପ୍ରଭାବରେ ବର୍ଷା ହୁଏ ଓ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଅଳ୍ପ ବର୍ଷା ହୁଏ । ଏଠାକାର ଅରଣ୍ୟ ଶୁଷ୍କ ପର୍ଣ୍ଣମୋଚୀ ଓ ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟର ମିଶ୍ରଣ । ଏଠାକାର ବାର୍ଷିକ ହାରାହାରି ବୃଷ୍ଟିପାତ ୯୦୦ ମିଲିମିଟର୍ । ଏଠାକାର ହାରାହାରି ତାପମାତ୍ରା ୧୨° ସେଲ୍‍ସିୟସ୍‍ରୁ ୪୪° ସେଲ୍‍ସିୟସ୍ ମଧ୍ୟରେ ହୋଇଥାଏ ।

ଜାତୀୟ ଉଦ୍ୟାନର ବୃକ୍ଷଲତା ଓ ଜୀବଜନ୍ତୁ[edit]

ବୃକ୍ଷଲତା

ଶ୍ରୀ ଭେଙ୍କଟେଶ୍ୱର ଜାତୀୟ ଉଦ୍ୟାନର ଅରଣ୍ୟ ମୁଖ୍ୟତଃ ଶୁଷ୍କ ପର୍ଣ୍ଣମୋଚୀ ଶ୍ରେଣୀର ଓ ପାହାଡ଼ ଉପତ୍ୟକାରେ ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟ ଠାଏ ଠାଏ ରହିଥାଏ । ୧୭୪ଟି ପରିବାରର ୧୫୦୦ ପ୍ରଜାତିର ଉଚ୍ଚ ଗଛ ଏହି ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳେ । ରକ୍ତଚନ୍ଦନ (Pterocarpus santalinus), ଲାଖ ଗଛ (Shorea talura), (Shorea thumburggaia), ଚନ୍ଦନ, ପେରିଟା (ତେଲୁଗୁ ଭାଷାର ନାମ, ବୈଜ୍ଞାନିକ ନାମ Cycas beddomei), ସାଇଲୋଟମ୍ ନ୍ୟୁଡମ୍, ଟର୍ମିନାଲିଆ ପାଲ୍ଲାଡିଆ ଇତ୍ୟାଦି ଗଛ ଏହି ଅଞ୍ଚଳରେ ଦେଖିପାରିବା ।

ଜୀବଜନ୍ତୁ

ଜାତୀୟ ଉଦ୍ୟାନରେ ୧୭୮ଟି ପ୍ରଜାତିର ପକ୍ଷୀ ଚିହ୍ନଟ ହୋଇପାରିଛନ୍ତି । ସମଗ୍ର ବିଶ୍ୱରେ ଲୁପ୍ତପ୍ରାୟ ଅବସ୍ଥାରେ ଥିବା ପୀତକଣ୍ଠ ବୁଲ୍‍ବୁଲ୍ ଏଠାକାର ଜଙ୍ଗଲରେ ବସବାସ କରନ୍ତି । ତାହା ଛଡ଼ା ହିମାଳୟ ଓ ପଶ୍ଚିମଘାଟ ପର୍ବତାଞ୍ଚଳରେ ଆଗପଟେ ଧୂସର ଛାପ ଥିବା ଏକ ସବୁଜ ରଙ୍ଗର ପାରା ପ୍ରଜାତି ଏଠାରେ ଦେଖିବାକୁ ମିଳନ୍ତି । ଶ୍ୱେତପୃଷ୍ଠ ଶାଗୁଣା ପରି ବିରଳ ଓ ଲୁପ୍ତପ୍ରାୟ ପକ୍ଷୀ ମଧ୍ୟ ଏଠାକାର ଜଙ୍ଗଲରେ ବସବାସ କରନ୍ତି । ଜାତୀୟ ଉଦ୍ୟାନରେ ଦେଖାଯାଉଥିବା ଆଉ କିଛି ପକ୍ଷୀ ପ୍ରଜାତି ହେଲେ - large hawk-cuckoo, blue-faced malkoha, yellow-browed bulbul, Indian scimitar-babbler ଓ Loten's sunbird ଇତ୍ୟାଦି ।

ପ୍ରାୟ ୩୦୦ ବର୍ଷ ଧରି ଆନ୍ଧ୍ର ପ୍ରଦେଶରେ ହାତୀଙ୍କର ପତ୍ତା ମିଳୁନଥିଲା । ୧୯୮୪ ମସିହାରେ ଅକସ୍ମାତ୍ ଭାବେ ଦକ୍ଷିଣ ଚିତ୍ତୁର ଜିଲ୍ଲାରେ କିଛି ହାତୀ ବସବାସ କରୁଥିବା ଜଣା ପଡ଼ିଲା । ୧୯୯୩ ମସିହାରେ ୫ଟି ହାତୀଙ୍କ ଏକ ଖଣ୍ଡିଆ ଦଳ ଜାତୀୟ ଉଦ୍ୟାନର ତିରୁମାଳା ଜଙ୍ଗଲରେ ଥିବା ଚମାଲା ଉପତ୍ୟକାକୁ ଆସି ବସବାସ କଲେ ।

ଏହି ଜଙ୍ଗଲରେ ଦେଖାଯାଉଥିବା ମାଂସଭୋଜୀ ପ୍ରାଣୀଙ୍କ ମଧ୍ୟରେ କଲରାପତରିଆ ବାଘ ଓ ବଳିଆ କୁକୁର ପ୍ରମୁଖ । ତା’ ସହିତ ହେଟା ବାଘ, ସୁବର୍ଣ୍ଣ ଶିଆଳ, କୋକିଶିଆଳୀ, ଶାଳିଆପତିନି, ବଣଭୁଆ ଆଦି ମାଂସାସୀ ପ୍ରାଣୀ ମଧ୍ୟ କିଛି ମାତ୍ରାରେ ରହିଛନ୍ତି । ସମୟେ ସମୟେ ଭାଲୁ ଦୃଶ୍ୟମାନ ହୁଅନ୍ତି । ସମ୍ବର, ଚିତଲ୍, କସ୍ତୁରୀ ମୃଗ, କୁଟୁରା, ଚୌଶିଂଘା, ବାର୍‍ହା ପରି ଜୀବ ମଧ୍ୟ ଏହି ଜାତୀୟ ଉଦ୍ୟାନରେ ବହୁମାତ୍ରାରେ ରହିଛନ୍ତି । ସ୍ଲେଣ୍ଡର୍ ଲୋରିସ୍ ନାମକ ଏକ ରାତ୍ରିଚର ପ୍ରାଣୀ ମଧ୍ୟ ରହିଥିବାର ଅନୁମାନ କରାଯାଏ କିନ୍ତୁ ଏମାନେ କ୍ୱଚିତ୍ ଦେଖାଯାନ୍ତି । ନେପାଳୀ ମୂଷା ଓ ଶ୍ର୍ୟୁ ପରି କିଛି ପ୍ରଜାତିର ପ୍ରାଣୀ ମଧ୍ୟ ଦେଖିହେବ ।

ସରୀସୃପଙ୍କ ମଧ୍ୟରେ ବିଭିନ୍ନ ପ୍ରଜାତିର ସାପ ଓ ଗ୍ଲାଇଡିଂ ଲିଜାର୍ଡ୍ ପରି ପ୍ରାଣୀ ଦେଖିବାକୁ ପାଇବା । ଏଠାରେ ଦେଖାଯାଉଥିବା ଆଉ ଏକ ବିଶେଷ ସରୀସୃପ ହେଲା ସୁବର୍ଣ୍ଣ ଗେକୋ । ପ୍ରଥମେ ପୂର୍ବଘାଟ ପର୍ବତମାଳାର ପଥୁରିଆ ଅଞ୍ଚଳରେ ଏମାନଙ୍କୁ ଦେଖାଯାଇଥିଲା । ବହୁ ଦିନ ଧରି ଏମାନେ ଦେଖାଯାଉନଥିଲେ କିନ୍ତୁ ୧୯୮୫ ମସିହାରେ ଏହି ପ୍ରଜାତି ସେହି ସ୍ଥାନରେ ପୁନଃ-ଦୃଶ୍ୟମାନ ହେଲେ ।

ବିପଦ[edit]

ଆନ୍ଧ୍ର ପ୍ରଦେଶର ତଳକୋଣ ଜଳପ୍ରପାତ ନିକଟରୁ ଶ୍ରୀ ଭେଙ୍କଟେଶ୍ୱର ଜାତୀୟ ଉଦ୍ୟାନ ଓ ପୂର୍ବଘାଟ ପର୍ବତମାଳାକୁ ମିଶାଇ ଉଠାଯାଇଥିବା ଏକ ପାନୋରାମା ଫଟୋଚିତ୍ର

ନିର୍ମାଣ କାର୍ଯ୍ୟ ଓ ପଥର ଖୋଳା ଏହି ଜାତୀୟ ଉଦ୍ୟାନ ପାଇଁ ସବୁଠାରୁ ବଡ଼ ବିପଦ । ଆନ୍ଧ୍ର ପ୍ରଦେଶ ରାଜ୍ୟ ରାଜପଥ ପ୍ରକଳ୍ପ ଏଠାକାର ରାଜ୍ୟ ସରକାରଙ୍କ ଏକ ବଡ଼ ଯୋଜନା ଯାହାର ଲକ୍ଷ୍ୟ ରାଜ୍ୟରେ ଥିବା ସମସ୍ତ ରାଜପଥର ମାନ ବୃଦ୍ଧି କରିବା । ୱାରାଙ୍ଗଲ୍-ପୋଲ୍ଲାକୋଲୁ ସଡ଼କ ନିର୍ମାଣ କରାଇବାର ଯୋଜନା ରହିଥିଲା । ଏହି ସଡ଼କଟି ଜାତୀୟ ଉଦ୍ୟାନର ପଶ୍ଚିମ ସୀମାପଟକୁ ରହିଛି । ଆନ୍ଧ୍ର ପ୍ରଦେଶ ସରକାରଙ୍କ ଓ ତିରୁମାଳା ତିରୁପତି ଦେବସ୍ଥାନମ୍‍ଙ୍କ ମିଳିତ ଉଦ୍ୟମରେ ଏହି ଜାତୀୟ ଉଦ୍ୟାନରେ କପିଳ ତୀର୍ଥନ୍ ବନ୍ଧ ନିର୍ମାଣ କରିବାର ଯୋଜନା ମଧ୍ୟ ରହିଥିଲା । ଏହି ଦୁଇଟି ଯାକ ପ୍ରକଳ୍ପ ଏଠାକାର ଜୀବଜନ୍ତୁ ଓ ଜଙ୍ଗଲ ପାଇଁ ବିପଦ । ପୁଣି ଅଧିକାଂଶ ସମୟରେ ଶ୍ରୀ ଭେଙ୍କଟେଶ୍ୱର ଜାତୀୟ ଉଦ୍ୟାନରେ ଲାଗୁଥିବା ବଣନିଆଁ ଏଠାକାର ଜଙ୍ଗଲ ଓ ଜୀବଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି କରେ ।[୨]

ଆଧାର[edit]

  1. "Sri Venkateswara National Park". Andhra Pradesh Forest Department. Archived from the original on 2015-04-30. Retrieved 2012-07-30.
  2. "Tirumala Forest Fire threatens safety of Tirupati Balaji Temple". IANS. news.biharprabha.com. Retrieved 19 March 2014.

ଅନ୍ୟାନ୍ୟ ଲିଂକ୍[edit]