ବୀର ସୁରେନ୍ଦ୍ର ସାଏ
ବୀର ସୁରେନ୍ଦ୍ର ସାଏ | |
---|---|
ଜନ୍ମ | |
ମୃତ୍ୟୁ | ୨୮ ଫେବୃଆରୀ ୧୮୮୪ ଅସୀରଗଡ଼ ଦୁର୍ଗ, ମଧ୍ୟ ପ୍ରଦେଶ | (ବୟସ ୭୫)
ବୈବାହିକ-ସାଥୀ | ସୁବର୍ଣ୍ଣକୁମାରୀ |
ସନ୍ତାନ | ମିତ୍ରଭାନୁ |
ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪)[୧], ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । [୨] ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା ।[୩] ସେ ୧୮୨୭-୧୮୬୪ ମସିହା ଜାନୁଆରୀ ୨୩ ତାରଖି ପର୍ଯ୍ୟନ୍ତ ବିଦ୍ରୋହର ବହ୍ନିକୁ ପ୍ରଜ୍ଜ୍ୱଳତି କରି ରଖିଥିଲେ । ସୁରେନ୍ଦ୍ର ସାଏ ୧୮୨୭ରୁ ୧୮୪୦ ପର୍ଯ୍ୟନ୍ତ ୧୩ ବର୍ଷ ଓ ୧୮୫୭ରୁ ୧୮୬୪ ପର୍ଯ୍ୟନ୍ତ ୭ ବର୍ଷ ଏହିପରି ଦୁଇଟି ପର୍ଯ୍ୟାୟରେ ମୋଟରେ ୨୦ ବର୍ଷ ଇଂରେଜ ସରକାରଙ୍କ ବିରୁଦ୍ଧରେ ନିରବଚ୍ଛିନ୍ନ ଭାବରେ ଲଢ଼େଇ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଇଂରେଜମାନଙ୍କ ବିରୁଦ୍ଧରେ ତାଙ୍କର ସଂଗ୍ରାମ ୧୮୨୭-୧୮୪୦ ମସିହା ପର୍ଯ୍ୟନ୍ତ ବିକ୍ଷିପ୍ତ ଏବଂ ସୀମିତ ଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଏହା ଅଧିକ ସୁସଙ୍ଗଠିତ, ସୁସଂହତ ତଥା ବୀରତ୍ୱପୂର୍ଣ୍ଣ ଥିଲା ।[୪] ତାଙ୍କର ଅଦ୍ଭୁତ ସଂଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ବ୍ରିଟିଶ୍ ଶାସକ ଓ ସୈନ୍ୟବାହିନୀକୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]୨୩ ଜାନୁଆରୀ ୧୮୦୯[୫] ମସିହାରେ ସମ୍ବଲପୁର ସହରର ଉତ୍ତରକୁ ପ୍ରାୟ ୨୧ ମାଇଲ ଦୂରରେ ଅବସ୍ଥିତ ବରଗାଁ ବା ଖିଣ୍ଡା ଗ୍ରାମରେ ଚୌହାନ ରାଜବଂଶର ଧରମ ସିଂହ ଓ ରେବତୀ ଦେବୀଙ୍କ ଔରସରୁ ସୁରେନ୍ଦ୍ର ସାଏ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଛଅ ଭାଇ ଓ ଜଣେ ଭଉଣୀ ଥିଲେ । ପିତା ଧରମ ସିଂହଙ୍କ ମୃତ୍ୟୁ ପରେ କାକା ବଳରାମ ସିଂହଙ୍କ ତତ୍ତ୍ୱାବଧାନରେ ଘୋଡ଼ା ଚଢ଼ା, ଖଣ୍ଡା ଓ ତୀରଚାଳନା ସମେତ ଅନ୍ୟାନ୍ୟ ପ୍ରଶିକ୍ଷଣ ନେଇଥିଲେ । ସୁରେନ୍ଦ୍ର ସାଏ ଗାଙ୍ଗପୁର ରାଜ୍ୟର ହାତିବାରୀ ଜମିଦାରଙ୍କ କନ୍ୟା ସୁବର୍ଣ୍ଣକୁମାରୀଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁତ୍ର 'ମିତ୍ରଭାନୁ ସାଏ' ଓ ଗୋଟିଏ କନ୍ୟା ଥିଲେ ।[୪]
ବିଦ୍ରୋହ
[ସମ୍ପାଦନା]ମରହଟ୍ଟାମାନଙ୍କ ହାତରେ ବନ୍ଦୀ ହୋଇଥିବା ସମ୍ବଲପୁର ରାଜା ଓ ତାଙ୍କ ପୁତ୍ର ମହାରାଜ ସାଏଙ୍କୁ ମୁକ୍ତ କରିବା ପାଇଁ ରାଣୀ ରତନ କୁମାରୀ ଇଂରେଜମାନଙ୍କ ସହାୟତା ଲୋଡ଼ିଥିଲେ । ୧୮୦୪ ମସିହାରେ ଲେଫ୍ଟେନାଣ୍ଟ ବ୍ରାଉଟନ ମରହଟ୍ଟାମାନଙ୍କ କବଳରୁ ରାଜା ଓ ତାଙ୍କ ପିତାଙ୍କୁ ମୁକ୍ତ କରିଥିଲେ । ମରହଟ୍ଟା ସାମ୍ରାଜ୍ୟର ପତ୍ତନ ପରେ ସମ୍ବଲପୁର ଏକପ୍ରକାର ଇଂରେଜମାନଙ୍କ ନିୟନ୍ତ୍ରଣକୁ ଚାଲିଆସିଥିଲା । ୧୮୨୭ ମସିହାରେ ସମ୍ବଲପୁରର ରାଜା ମହାରାଜା ସାଏ ଅପୁତ୍ରିକ ହୋଇ ମୃତ୍ୟୁବରଣ କଲେ ।[୪] ମହାରାଜା ସାଏଙ୍କ ଉତ୍ତରାଧିକାରୀ କିଏ ହେବ ତାହା ନିରୂପଣ କରିବା କ୍ଷମତା ଇଂରେଜ ସରକାର ନିଜ ହାତକୁ ନେଲେ । ରାଜଗାଦି ଦାବି କରିଥିବା ବହୁ ବ୍ୟକ୍ତଙ୍କିୁ ଉପେକ୍ଷା କରି ବିଧବା ରାଣୀ ମୋହନ କୁମାରୀଙ୍କ ହାତରେ ଶାସନ ଦାୟିତ୍ୱ ନ୍ୟସ୍ତ କଲେ । ସେହି କାରଣରୁ ବହୁ ଆଦିବାସୀ ଜମିଦାର ବିଦ୍ରୋହ କରିଥିଲେ । ବଳରାମ ସାଏ ଓ ସୁରେନ୍ଦ୍ର ସାଏ ଏହି ବିପ୍ଲବର ନେତୃତ୍ୱ ନେଇଥିଲେ । ଇଂରେଜମାନେ ନିଶ୍ଚିତ ଥିଲେ ଯେ ରାଣୀ ମୋହନ କୁମାରୀ ସୁଚାରୁରୂପେ ଶାସନ କାର୍ଯ୍ୟ ପରିଚାଳନା କରିପାରିବେ ନାହଁ । ତେଣୁ ରାଣୀ ସେମାନଙ୍କ ହାତରେ ଖେଳନା ହୋଇ ରହିବେ ଏବଂ ଇଂରେଜମାନେ ନିଜର ରାଜନୈତିକ ଅଭିସନ୍ଧି ହାସଲ କରିପାରିବେ । ପ୍ରକୃତ ପକ୍ଷେ ସମ୍ବଲପୁର ରାଜବଂଶର ସୁରେନ୍ଦ୍ର ସାଏ ରାଜଗାଦି ଲାଭ କରିବା କଥା, ମାତ୍ର ଇଂରେଜମାନେ ଜାଣିଥିଲେ ସୁରେନ୍ଦ୍ର ସାଏ କେବେ ହେଲେ ତାଙ୍କର ଅନୁଗାମୀ ହେବେ ନାହଁ । ତେଣୁ ରାଣୀ ମୋହନ କୁମାରୀ ରାଜ୍ୟ ଶାସନ ପରିଚାଳନା କରିବା ପ୍ରତିବାଦରେ ସମ୍ବଲପୁର ଅଞ୍ଚଳରେ ବିଦ୍ରୋହର ବହ୍ନି ଜଳି ଉଠିଥିଲା ।
ପ୍ରଥମ ପର୍ଯ୍ୟାୟ ବିଦ୍ରୋହ
[ସମ୍ପାଦନା]ସେତେବେଳେ କ୍ୟାପ୍ଟେନ୍ ହିଗ୍ନସ୍ଙ୍କ ଅଧିନାୟକତ୍ୱରେ ସମ୍ବଲପୁରରେ ଇଂରେଜମାନଙ୍କ ରାମଗଡ଼ ବାଟାଲିୟନ୍ ଅବସ୍ଥାପିତ ହୋଇଥାନ୍ତି । ସୁରେନ୍ଦ୍ର ସାଏଙ୍କ ପକ୍ଷରୁ ତାଙ୍କ ଅନୁଗାମୀମାନେ ଧନୁଶର ଧରି ଗରିଲା ଯୁଦ୍ଧ କରିଥିବାରୁ ଇଂରେଜ ସୈନ୍ୟମାନେ ତାର ମୁକାବିଲା କରିପାରି ନଥିଲେ । ପରେ ହଜାରୀବାଗ୍ର କ୍ୟାପ୍ଟେନ୍ ଉଇଲକିନସନ୍ଙ୍କ ନିର୍ଦ୍ଦେଶରେ ଆଉ ଏକ ସୈନ୍ୟବାହିନୀ ସମ୍ବଲପୁରରେ ଆସି ଯୋଗ ଦେଲେ । ଏହାପରେ ବିଦ୍ରୋହ କିଛି ମାତ୍ରାରେ ଦମନ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ପ୍ରଶମିତ ହୋଇପାରି ନଥିଲା । ଇଂରେଜମାନେ ବାଧ୍ୟ ହୋଇ ରାଣୀ ମୋହନ କୁମାରୀଙ୍କୁ ଗାଦିଚ୍ୟୁତ କରି ପୁନର୍ବାର ରାଜବଂଶର ଦୂର ସମ୍ପର୍କୀୟ ବ୍ୟକ୍ତି ନାରାୟଣ ସିଂହଙ୍କୁ ସମ୍ବଲପୁର ରାଜଗାଦି ପ୍ରଦାନ କଲେ । ମାତ୍ର ସେ ଥିଲେ ସମ୍ପୂର୍ଣ୍ଣ ଅଯୋଗ୍ୟ । ଏହା ଫଳରେ ପୁଣି ବିଦ୍ରୋହ ମୁଣ୍ଡ ଟେକିଲା । ୧୮୩୭ ଖ୍ରୀଷ୍ଟାବ୍ଦରେ ରାସପୂର୍ଣ୍ଣିମା ମଧ୍ୟରାତ୍ରିରେ ଦେବ୍ରୀଗଡ଼ଠାରେ ସୁରେନ୍ଦ୍ର ସାଏ, ଉଦ୍ଦ୍ୟନ୍ତ ସାଏ, ବଳରାମ ସିଂହ ଓ ଲୋଚନପୁର ଜମିଦାର ବଳଭଦ୍ର ଦେଓ ମିଳିତ ହୋଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରୁଥିବା ସମୟରେ ଇଂରେଜମାନେ ଅଚାନକ ସେଠାରେ ପହଞ୍ଚି ବଳଭଦ୍ର ଦେଓଙ୍କୁ ହତ୍ୟା କଲେ [୪]। ସୌଭାଗ୍ୟକ୍ରମେ ସୁରେନ୍ଦ୍ର ସାଏ ତାଙ୍କ ଭାଇମାନଙ୍କ ସହ କୌଶଳ କରି ଖସି ଯାଇଥିଲେ । ଇଂରେଜଶାସନର ନିଷ୍ପତ୍ତି ବିରୋଧରେ ସୁରେନ୍ଦ୍ର ସାଏ ତାଙ୍କ ସମର୍ଥକମାନଙ୍କୁ ଧରି ସ୍ୱର ଉତ୍ତୋଳନ କରିବା ହେତୁ ୧୮୪୦ ମସିହାରେ ଦକ୍ଷିଣ-ପଶ୍ଚିମ ସୀମାନ୍ତର ତତ୍କାଳୀନ ଇଂରେଜ ଏଜେଣ୍ଟ କର୍ଣ୍ଣେଲ ଆଉସ୍ଳେଙ୍କ ସହାୟତାରେ ସମ୍ବଲପୁରର ଦେହୁରୀପାଲିରୁ ସୁରେନ୍ଦ୍ର ସାଏ, ଉଦ୍ଦ୍ୟନ୍ତ ସାଏ ଓ କାକା ବଳରାମ ସିଂହଙ୍କୁ ଇଂରେଜମାନେ ଗିରଫ କରିଥିଲେ । ସୁରେନ୍ଦ୍ରଙ୍କୁ ପାଞ୍ଚବର୍ଷ ଓ ଅନ୍ୟମାନଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରି ହଜାରୀବାଗ ଜେଲରେ ରଖାଯାଇଥିଲା । ଏହିଠାରେ ସୁରେନ୍ଦ୍ର ସାଏଙ୍କ ପ୍ରଥମ ପର୍ଯ୍ୟାୟ ସଂଗ୍ରାମର ଯବନିକା ପଡ଼ିଲା ।
ଦ୍ୱିତୀୟ ପର୍ଯ୍ୟାୟ ବିଦ୍ରୋହ
[ସମ୍ପାଦନା]କାରାଦଣ୍ଡର ଅବଧି ସରିବା ପରେ ମଧ୍ୟ ଇଂରେଜମାନେ ସୁରେନ୍ଦ୍ରଙ୍କୁ ମୁକ୍ତ କରିନଥିଲେ । ୧୮୪୯ ସେପ୍ଟେମ୍ବରରେ ବ୍ରିଟିଶଦ୍ୱାରା ଅବସ୍ଥାପିତ ରାଜା ନାରାୟଣ ସିଂହଙ୍କ ମୃତ୍ୟୁ ପରେ ମଧ୍ୟ ସୁରେନ୍ଦ୍ର ସାଏଙ୍କୁ ଇଂରେଜମାନେ ଗାଦିରୁ ବଞ୍ଚିତ କରିଥିଲେ । ୧୮୫୭ରେ ଭାରତର ସିପାହୀମାନେ ଇଂରେଜ ସରକାରଙ୍କ ବିରୁଦ୍ଧରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ (ସିପାହୀ ବିଦ୍ରୋହ) ଆରମ୍ଭ କରିଥିଲେ । ସେହିବର୍ଷ ଜୁଲାଇ ମାସ ୩୦ ତାରିଖ ଦିନ ରାମଗଡ଼ରୁ ଆସିଥିବା ଯବାନମାନେ ‘ଛୋଟା ବର୍ଦ୍ଧମାନର ପଲଟନ’ ସହ ମିଶି ହଜାରିବାଗ ଜେଲ ଭାଙ୍ଗି ସୁରେନ୍ଦ୍ର ସାଏଙ୍କ ସମେତ ୩୨ ଜଣ ବନ୍ଦୀଙ୍କୁ ମୁକ୍ତ କରି ଦେଇଥିଲେ । ଦୀର୍ଘ ୧୭ବର୍ଷ ପରେ ସୁରେନ୍ଦ୍ର ଓ ତାଙ୍କ ଭାଇ ଉଦନ୍ତ ସାଏ ମୁକ୍ତ ହୋଇଥିଲେ । ସୁରେନ୍ଦ୍ର ପୁନଶ୍ଚ ବନ୍ଦୀ କରିବା ପାଇଁ ଇଂରେଜ ସରକାର ତାଙ୍କୁ ଧରିବା ପାଇଁ ୨୫୦ ଟଙ୍କାର ପୁରସ୍କାର ଘୋଷଣା କରିବା ସହ ଗୁପ୍ତଚର ନିୟୋଜିତ କରିଥିଲେ ।
ମୁକ୍ତି ପାଇ ସୁରେନ୍ଦ୍ର ସାଏ ସଙ୍ଗେ ସଙ୍ଗେ ସମ୍ବଲପୁର ଫେରି ଆସିଲେ ଏବଂ ସମ୍ବଲପୁରବାସୀଙ୍କୁ ସୁସଙ୍ଗଠିତ କରି ପୁନର୍ବାର ସଂଗ୍ରାମ କରିବାକୁ ଆଗେଇ ଆସିଲେ । ଦେବ୍ରୀଗଡ଼ ହେଲା ସୁରେନ୍ଦ୍ରଙ୍କ ସଂଗ୍ରାମର କେନ୍ଦ୍ରସ୍ଥଳ । କୌଶଳକ୍ରମେ ସୁରେନ୍ଦ୍ର ସାଏ ପ୍ରଥମେ ସମ୍ବଲପୁର ଅଞ୍ଚଳରେ ଥିବା ଇଂରେଜମାନଙ୍କର ବାହ୍ୟ ଯୋଗାଯୋଗ ସମ୍ପର୍କ ଛିନ୍ନ କଲେ । ବଡ଼ ବଡ଼ ପଥର ଖଣ୍ଡ ରଖି ରାସ୍ତା ଅବରୋଧ କରିବା ସହ ପାହାଡ଼ ଉପରେ ଥିବା ଶିଆଳୀ ଲତାରେ ବଡ଼ ବଡ଼ ପଥରକୁ ବାନ୍ଧିରଖି ଆବଶ୍ୟକ ସ୍ଥଳେ ଲତାକୁ କାଟି ଦେଉଥିଲେ । ଫଳରେ ପଥରଖଣ୍ଡମାନ ପଡ଼ି ଇଂରେଜମାନଙ୍କୁ ଆଘାତ ଦେଉଥିଲା । ଅନ୍ୟ ପକ୍ଷରେ ଇଂରେଜମାନଙ୍କ ଗୁଳିଗୁଳା ଘଞ୍ଚ ଜଙ୍ଗଲରେ ଥିବା ଗଛଗୁଡ଼ିକରେ ବାଜି ସବୁ ନଷ୍ଟଭ୍ରଷ୍ଟ ହୋଇଯାଉଥିଲା । ପାହାଡ଼ ମଧ୍ୟସ୍ଥ ଘଞ୍ଚ ଜଙ୍ଗଲରେ ସୁରେନ୍ଦ୍ରଙ୍କ ପକ୍ଷର ଆକ୍ରମଣକାରୀମାନେ ଲୁଚିଛପି ଗରିଲା ଯୁଦ୍ଧ କରିବା ପାଇଁ ବେଶ୍ ସୁବିଧା ପାଉଥିଲେ । ଇଂରେଜମାନଙ୍କ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆଗରେ ସମ୍ବଲପୁରବାସୀଙ୍କ ଧନୁତୀର, ବର୍ଚ୍ଛା, ଖଣ୍ଡା, ନିଆଁଧରା ବନ୍ଧୁକ ଆଦି ବିଶେଷ କିଛି କାମ ଦେବ ନାହଁ ବୋଲି ସେ ଗରିଲା ଯୁଦ୍ଧର ଆଶ୍ରୟ ନେଇଥିଲେ । ୧୮୬୧ରେ ମେଜର ଇମ୍ପେଙ୍କୁ ସମ୍ବଲପୁରର ଡେପୁଟୀ କମିଶନର ରୂପେ ନିଯୁକ୍ତି ଦିଆଗଲା । ମେଜର ଇମ୍ପେ ଯୁଦ୍ଧନୀତି ପରିତ୍ୟାଗ କରି ଶାନ୍ତି ନୀତି ଅନୁସରଣ କଲେ । ସୁରେନ୍ଦ୍ର ସାଏଙ୍କ ବିରୁଦ୍ଧରେ ଯୁଦ୍ଧ ବନ୍ଦ ଘୋଷଣା କଲେ । ଆତ୍ମସମର୍ପଣ କରିଥିବା ବିଦ୍ରୋହୀମାନଙ୍କୁ କ୍ଷମା ପ୍ରଦାନ କରି ସେମାନଙ୍କର ବାଜ୍ୟାପ୍ତ ସମ୍ପତ୍ତି ଫେରସ୍ତ କରି ଦିଆଯିବାର ନିଷ୍ପତ୍ତି ନେଲେ । ଏହାପରେ ସୁରେନ୍ଦ୍ରଙ୍କର ଭାଇ ଓ ପୁତ୍ର ଆତ୍ମସମର୍ପଣ କରିଥିଲେ । ସେମାନଙ୍କୁ ଇମ୍ପେ ସମ୍ମାନର ସହ ଖିଣ୍ଡା ଗ୍ରାମରେ ଆଶ୍ରୟ ଦେଇଥିଲେ । ପରେ ପରେ ୧୮୬୨ ମସିହା ମଇ ମାସ ୧୬ ତାରିଖ ଦିନ ରାତିରେ ଘୋର ଜଙ୍ଗଲ ମଧ୍ୟରେ ଇମ୍ପେ ସାହେବଙ୍କ ସହ ସୁରେନ୍ଦ୍ର ସାଏଙ୍କର ସାକ୍ଷାତ ହେଲା ଏବଂ ସେହିଠାରେ ସୁରେନ୍ଦ୍ର ସାଏ ଆତ୍ମସମର୍ପଣ କରିଥିଲେ । ୧୮୬୩ରେ ଇମ୍ପେ ସାହେବଙ୍କର ମୃତ୍ୟୁ ହେବାରୁ ସମ୍ବଲପୁରର ରାଜନୈତିକ ପରିସ୍ଥିତି ବଦଳିଗଲା । ମେଜର ଇମ୍ପେଙ୍କ ସ୍ଥାନରେ କ୍ୟାପ୍ଟେନ୍ କମ୍ବରଲେଜ୍ ନିଯୁକ୍ତି ପାଇଲେ । କମ୍ବରଲେଜ୍ ଉଚ୍ଚ ପୋଲିସ୍ ଅଫିସର କ୍ୟାପ୍ଟେନ୍ ଷ୍ଟୁଆର୍ଟ ଓ ମିଷ୍ଟର ବେରିଲ୍ଙ୍କ ସହାୟତାରେ ୧୮୬୪ ମସିହା ଜାନୁଆରୀ ୨୩ ତାରିଖ ରାତ୍ର ୧୧ ଘଣ୍ଟା ସମୟରେ ସୁରେନ୍ଦ୍ର ସାଏ ଓ ତାଙ୍କ ପରିବାରବର୍ଗ ଶୋଇଥିବା ସମୟରେ ତାଙ୍କ ଘର ଉପରେ ଚଡ଼ାଉକରି ସେମାନଙ୍କୁ ବନ୍ଦୀ କଲେ । ସେହି ରାତ୍ରିରେ ସେମାନଙ୍କୁ ରାୟପୁର ନିଆଗଲା । ପରେ ସେମାନଙ୍କୁ ନାଗପୁର ଜେଲ୍ ଓ ଆଜୀବନ ଦେଶାନ୍ତର ଦଣ୍ଡରେ ଦଣ୍ଡିତ କରାଯାଇ ୧୮୬୬ ମସିହାରେ ଅସୀରଗଡ଼ ଦୁର୍ଗକୁ ପଠାଇ ଦିଆଗଲା ।
ଶେଷ ଜୀବନ
[ସମ୍ପାଦନା]ଇଂରେଜମାନଙ୍କୁ କଡ଼ା ଜବାବ ଦେବା ପାଇଁ ୭ ଅକ୍ଟୋବର ୧୮୫୭ରେ ୧୨ଶହ ଲୋକଙ୍କ ସହ ସମ୍ବଲପୁର ସହରରେ ପ୍ରବେଶ କରିଥିଲେ । ବିଶ୍ୱାସଘାତକର ଶିକାର ହୋଇଥିବା ସୁରେନ୍ଦ୍ର ତାଙ୍କ ଜନ୍ମଦିନ (୨୩ ଜାନୁଆରୀ ୧୮୬୪)ରେ ଦୁଇଜଣ ସ୍ଥାନୀୟ ଲୋକ ଦୟାନିଧି ମେହର ଓ ମୋହନ ସିଂହଙ୍କ ଯୋଗୁଁ ଦ୍ୱିତୀୟ ଥର ପାଇଁ ଗିରଫ ହୋଇଥିଲେ । ଗିରଫ ସୁରେନ୍ଦ୍ର ସାଏଙ୍କୁ ମଧ୍ୟ ପ୍ରଦେଶର ବୁରହାନପୁର ଜିଲ୍ଲାସ୍ଥ ଅସୀରଗଡ଼ ଦୁର୍ଗରେ ବନ୍ଦୀ କରାଯାଇଥିଲା ।[୬] ସେବେଠାରୁ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବନ୍ଦୀ ଜୀବନ କାଟିଥିଲେ ସୁରେନ୍ଦ୍ର ସାଏ । ୧୮୮୪ ଫେବୃଆରୀ ୨୮ ତାରିଖରେ ଅସୁରଗଡ଼ ଦୁର୍ଗରେ ହିଁ ସୁରେନ୍ଦ୍ର ସାଏଙ୍କ ଦେହାନ୍ତ ହୋଇଥିଲା ।[୨]
ସମ୍ମାନ
[ସମ୍ପାଦନା]- ସୁରେନ୍ଦ୍ର ସାଏଙ୍କ ସମ୍ମାନାର୍ଥେ ୨୦୦୯ ମସିହାରେ ୟୁନିଭର୍ସିଟି କଲେଜ୍ ଅଫ୍ ଇଞ୍ଜିନିଅରିଂ, ବୁର୍ଲାର ନାମ ବଦଳାଇ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି, ବୁର୍ଲା କରାଯାଇଥିଲା ।[୭]
- ବୁର୍ଲାଠାରେସ୍ଥିତ ଭେଷଜ ମହାବିଦ୍ୟାଳୟର ନାମ ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ ଦିଆଯାଇଅଛି ।
- ୨୦୦୫ରେ ଭାରତ ସରକାର ସଂସଦ ପରିସରରେ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ ।[୮]
- ଭାରତ ସରକାର ସୁରେନ୍ଦ୍ର ସାଏଙ୍କ ସମ୍ମାନାର୍ଥେ ଡାକ ଟିକଟ ଛପାଇଥିଲେ ।
- ଝାରସୁଗୁଡ଼ାସ୍ଥିତ ବିମାନ ବନ୍ଦରର ନାମ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଦିଆଯାଇଛି ।
ଆଧାର
[ସମ୍ପାଦନା]- ↑ "History". Archived from the original on 14 March 2016. Retrieved 28 February 2016.
- ↑ ୨.୦ ୨.୧ "Eminent Persons -123orissa.com". 123orissa.com. Archived from the original on 23 January 2013. Retrieved 23 January 2013.
.He had spent thirty-six years in jail out of his 75 years life span.
- ↑ "The Telegraph - Calcutta : Jamshedpur". telegraphindia.com. 2005. Retrieved 23 January 2013.
The British put Surendra Sai in jail for 37 years, surpassing any known record for any jail sentences of freedom fighters.
- ↑ ୪.୦ ୪.୧ ୪.୨ ୪.୩ ଉତ୍କଳ ପ୍ରସଙ୍ଗ. "ବୀର ସୁରେନ୍ଦ୍ର ସାଏ" (PDF). Retrieved 7 June 2014.
{{cite web}}
: External link in
(help)CS1 maint: numeric names: authors list (link)|last=
- ↑ "Official Web Site Of Sambalpur District". sambalpur.nic.in. Retrieved 23 January 2013.
Born on 23rd January, 1809
- ↑ Data And Expo India Pvt Ltd (1 May 2015). RBS Visitors Guide INDIA - Madhya Pradesh: Madhya Pradesh Travel Guide. Data and Expo India Pvt. Ltd. pp. 276–. ISBN 978-93-80844-80-0.
- ↑ "UCE changes to VSSUT". Archived from the original on 2012-12-27. Retrieved 2014-06-07.
- ↑ "Centre okays patriot statue". The Telegraph (Kolkata).