ଶତାନନ୍ଦ ଆଚାର୍ଯ୍ୟ

ଉଇକିପିଡ଼ିଆ ରୁ
(Satananda Acharya ରୁ ଲେଉଟି ଆସିଛି)
Jump to navigation Jump to search

ଶତାନନ୍ଦ ଆଚାର୍ଯ୍ୟ ଜଣେ ଓଡ଼ିଆ ଗଣିତଜ୍ଞ ଓ ଜ୍ୟୋତିର୍ବିଦ । ସେ ଗଣିତ ବିଜ୍ଞାନକୁ ଦଶମିକ ସଂଖ୍ୟା ସହ ପରିଚିତ କରାଇଥିଲେ । ଜ୍ୟୋତିର୍ବିଜ୍ଞାନରେ ଦଶମିକ ଗଣନାରେ ବିନା ସହାୟତାରେ ମନୁଷ୍ୟ ଚନ୍ଦ୍ରରେ ପହଞ୍ଚିବା ସମ୍ଭବ ହୋଇନଥାନ୍ତା ବୋଲି ଜ୍ୟୋତିର୍ବିଜ୍ଞାନରେ ଜଣା । [୧] ସେ "ଭାସ୍ୱତୀ କରଣ", "ଶତାନନ୍ଦ ରତ୍ନମାଳା" ଓ "ଶତାନନ୍ଦ ସଂଗ୍ରହ" ନାମକ ତିନୋଟି ଜ୍ୟୋତିର୍ବିଜ୍ଞାନ ଗ୍ରନ୍ଥ ରଚନା କରିଥିଲେ । ୧୦୯୯ ଖ୍ରୀଷ୍ଟାବ୍ଦରେ ରଚିତ ଭାସ୍ୱତୀ କରଣ ଗ୍ରନ୍ଥରେ ଗ୍ରହନକ୍ଷତ୍ରମାନଙ୍କର ଗତି ଓ ଅବସ୍ଥିତି ସଠିକ ଗଣନା ନିମନ୍ତେ ଦଶମିକ ଗଣନାର ପ୍ରୟୋଗ କରିଥିଲେ । ସେ ସୂର୍ଯ୍ୟସିଦ୍ଧାନ୍ତରେ ଲେଖାଥିବା ବାସ୍ତବତା ଓ ବରାହମିହିରଙ୍କ ଯନ୍ତ୍ରଦ୍ୱାରା ପର୍ଯ୍ୟବେକ୍ଷଣକୁ ଗାଣିତିକ ସୂତ୍ରରେ ସମ୍ପୂର୍ଣ୍ଣ ସାମଞ୍ଜସ୍ୟ ଆଣି, ଚନ୍ଦ୍ରଗ୍ରହଣସୂର୍ଯ୍ୟପରାଗର ସଠିକ ମୁହୂର୍ତ୍ତ, ଭୋଗମୋକ୍ଷ ସମୟ ନିରୂପଣ କରିଥିଲେ । ଊନବିଂଶ ଶତାବ୍ଦୀରେ ପଠାଣି ସାମନ୍ତଙ୍କ ସିଦ୍ଧାନ୍ତ ଦର୍ପଣ ସହାୟତାରେ ପଞ୍ଚାଙ୍ଗ (ପାଞ୍ଜି) ନିରୂପଣ ହେବା ପର୍ଯ୍ୟନ୍ତ ଶତାନନ୍ଦଙ୍କ ନିରୂପିତ ପଞ୍ଚାଙ୍ଗ ଅନୁସାରେ ପୁରୀରେ ଜଗନ୍ନାଥ ମନ୍ଦିରର ନୀତି ଚଳି ଆସୁଥିଲା । ଏ ସମ୍ବନ୍ଧରେ ସିଦ୍ଧାନ୍ତ ଦର୍ପଣର ଲେଖା ଏହିପରି, "(୨୧ପ୍ର ଶ୍ଳୋକ ୫୧ରୁ ୫୫) ଶତାନନ୍ଦଙ୍କ ପୂର୍ବରୁ ଗ୍ରନ୍ଥକାରମାନେ ନିଜନିଜ ଦେଶରେ ଗ୍ରନ୍ଥ ସବୁ ପ୍ରକାଶ କରିଥିଲେ ମଧ୍ୟ ସେସବୁ ସୂର୍ଯ୍ୟସିଦ୍ଧାନ୍ତର ମୂଳନୀତି ଉପରେ ଆଧାରିତ ପରି ଜଣାଯାଏ । ଏତେ ଗଣିତ ଗ୍ରନ୍ଥର ପ୍ରଭାବ ଥିଲେ ମଧ୍ୟ ଉତ୍କଳର ଶତାନନ୍ଦାଚାର୍ଯ୍ୟଙ୍କ ପ୍ରାଚୀନ ଭାସ୍ୱତୀ ଗଣନା ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରଚଳିତ ହେଉଥିଲା । ଶତାନନ୍ଦ ଅନ୍ୟାନ୍ୟ ଗ୍ରନ୍ଥର ରାଶିଅଂଶ ଗଣନାକୁ ବର୍ଜନ କରି ତାଙ୍କ ନାମାନୁସାରେ ସେ ଶତକ ଗଣନା ପ୍ରୟୋଗ କରିଥିବାରୁ ଏହି ଗଣନାଟି ଅତିସ୍ଥୂଳ, ସହଜ ଓ ବୋଧଗମ୍ୟ ହୁଏ । ସେ ଭାସ୍ୱତୀରେ ଯେଉଁ ବୀଜାଂଶ ବ୍ୟବହାର କରିଛନ୍ତି ସେ ମଧ୍ୟ ସ୍ଥୂଳ ।"

ଜୀବନୀ[ସମ୍ପାଦନା]

ପାରିବାରିକ[ସମ୍ପାଦନା]

ପୁରୀ ନିବାସୀ ମାତା ସରସ୍ୱତୀ ଓ ପିତା ଶଙ୍କରଙ୍କର ପୁତ୍ର ଶତାନନ୍ଦ ୧୦୬୮ ଖ୍ରୀଷ୍ଟାବ୍ଦରେ ଜନ୍ମ ଗ୍ରହଣ କରିଥିଲେ ।

ଅଧ୍ୟୟନ ଓ ରଚନାବଳୀ[ସମ୍ପାଦନା]

ଉତ୍ତର ଓଡ଼ିଶାରେ ପୂର୍ବ ପ୍ରଚଳିତ ଭାସ୍ୱତୀ ଗ୍ରନ୍ଥ ସହଜ ଥିବାରୁ ସେଠାକାର ବିରଜା ପଞ୍ଜିକା ଗଣକମାନେ ଭାସ୍ୱତୀ ଅନୁସାରେ ଗୋଲଜ୍ଞାନ ବିବର୍ଜିତ ସ୍ଥୂଳ ବିରଜା ପଞ୍ଜିକା ଗଣନା କରନ୍ତି ।[୨] ଶତାନନ୍ଦଙ୍କର ୧୨୮ଟି ଶ୍ଳୋକ ସମ୍ବଳିତ ଏହି ଭାସ୍ୱତୀ ଗ୍ରନ୍ଥ ଏକଦା ଉତ୍ତର ଭାରତର ବାରାଣାସୀର ନିତ୍ୟ ଜୀବନ ଶୈଳୀକୁ ନିୟନ୍ତ୍ରଣ କରୁଥିଲା । ଏହି ପୋଥି ଅଧୁନା ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପୋଥି ବିଭାଗରେ ରହିଛି । ଏହା ୧୮୩୨ ଖ୍ରୀଷ୍ଟାବ୍ଦରେ ବାରାଣାସୀଠାରେ ସଦାଶିବ ପାଣ୍ଡିୟାଙ୍କଦ୍ୱାରା ଏକ ହାତଲେଖା ଟୀକା ଭାବେ ଉତ୍ତର ଭାରତର ଜନସମାଜରେ ପ୍ରାପ୍ତ ହେଉଥିଲା । ବାରାଣାସୀର ଏକ ଲୋକକଥା "ଗ୍ରହଣେ ଭାସ୍ୱତୀ ଧନ୍ୟା' ପ୍ରଚଳିତ ଯାହାର ଅର୍ଥ (ଚନ୍ଦ୍ର) ଗ୍ରହଣ ନିର୍ଣ୍ଣୟରେ ଭାସ୍ୱତୀ ସର୍ବୋତ୍କୃଷ୍ଟ । ପରେ ଭାସ୍ୱତୀ ଛାପା ଅକ୍ଷରରେ ବାରାଣାସୀରୁ ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା । ଏହା ୧୯୨୩ ମସିହା ଅଖବାର ପ୍ରେସରୁ, ସେଠାରୁ ୧୯୪୨ ମସିହାରେ ଦ୍ୱିତୀୟ ସଂସ୍କରଣ ଓ ୧୯୪୯ ମସିହାରେ ତୃତୀୟ ସଂସ୍କରଣ ଯଥାକ୍ରମେ ବାରାଣାସୀ ସ୍ଥିତ ବିନାୟକ ପ୍ରେସ ଓ ଭାରତ ଜୀବନ ପ୍ରେସରୁ ପ୍ରକାଶିତ ହୋଇଥିଲା ।

ପରେ ସଦାଶିବ ପାଣ୍ଡିୟାଙ୍କ ହାତଲେଖା ଟୀକାକୁ ତାଙ୍କ ବଂଶ ସମ୍ଭୂତ କାଶୀପ୍ରସାଦ ପାଣ୍ଡିୟାଙ୍କ ଠାରୁ ଉଦ୍ଧାର କରି ମାତୃ ପ୍ରସାଦ ପାଣ୍ଡିୟା ଏହି ଗ୍ରନ୍ଥର ପୁନରୁଦ୍ଧାର ଉଦାହରଣ ସହ କରିଥିଲେ । ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଜ୍ୟୋତିଷ ବିଭାଗର ତତ୍କାଳୀନ ମୁଖ୍ୟ ରାମଜନ୍ମ ମିଶ୍ରଙ୍କଦ୍ୱାରା ସଂଶୋଧିତ ଓ ସଂକ୍ଷିପ୍ତ ବିବରଣୀ ସହ ୧୯୬୮ ମସିହାରେ ପ୍ରଥମ ଓ ୧୯୮୫ ମସିହାରେ ଦ୍ୱିତୀୟ ସଂସ୍କରଣ ଚୌଖମ୍ବା ସଂସ୍କୃତ ସଂସ୍ଥାନ ତରଫରୁ କାଶୀ ସଂସ୍କୃତ ଗ୍ରନ୍ଥମାଳା ୪୬ଭାବେ ପ୍ରକାଶ କରିଥିଲେ । ଏହି ପୁସ୍ତକର ମୁଖବନ୍ଧରୁ ଜଣାଯାଏ ଯେ ପୁରୁଷୋତ୍ତମ ପୁରୀ ନିବାସୀ ଶତାନନ୍ଦଙ୍କର ପିତାମାତାଙ୍କ ନାମ ଜଣାଯାଇଥାଏ । ଭାସ୍ୱତୀର ୧୨୮ତମ ଶ୍ଳୋକରେ ମଧ୍ୟ ଶତାନନ୍ଦ ନିଜର ପରିଚୟ ଦେଇଛନ୍ତି । ଏହା ବ୍ୟତୀତ ଆଚାର୍ଯ୍ୟ ଲୋକମଣି ଦହାୟ ତାଙ୍କର ସଂସ୍କୃତ ପୁସ୍ତକ ଭାରତୀୟ ଜ୍ୟୋତିଷଶାସ୍ତ୍ରସ୍ୟ ଇତିହାସରେ ଶତାନନ୍ଦଙ୍କୁ ନିଜ ନାମାନୁସାରେ ଶତାଂଶ ଗଣନାଦ୍ୱାରା ଗ୍ରହଣ (ସୂର୍ଯ୍ୟ ଓ ଚନ୍ଦ୍ର) ସମୟ, ମୋକ୍ଷ ଓ ଭୋଗ ନିର୍ଦ୍ଧାରଣ ଜଣେ ସଫଳ ଜ୍ୟୋତିର୍ବିଦ ଭାବେ ବର୍ଣ୍ଣନା କରିଛନ୍ତି ।

ଏହି ପୁସ୍ତକ ବିଷୟରେ ନେପାଳର "କାଠମାଣ୍ଡୁ ୟୁନିଭରସିଟି ଜର୍ଣ୍ଣାଲ୍‍ ଅଫ୍‍ ସାଇନ୍‍ସ୍‍ ଇଞ୍ଜିନିୟରିଂ ଆଣ୍ଡ ଟେକ୍‍ନୋଲଜି'ର ୨୦୦୬ ମସିହାରେ ପ୍ରକାଶିତ ଏକ ନିବନ୍ଧ- "ଏ ହିଷ୍ଟ୍ରି ଅଫ୍‍ ମ୍ୟାଥମେଟିକାଲ ସାଇନ୍‍ସ ଇନ୍‍ ନେପାଲ' (ଲେଖକ: କେ.ଝା, ପି.ଆର.ଅଧିକାରୀ, ଏସ.ଆର.ପାଣି) ଯାହା ମତ ଦେଇଛନ୍ତି ତାହାର ଓଡ଼ିଆ ଅନୁବାଦ ଏହିପରି,

"ବହୁ ଖ୍ୟାତିସମ୍ପନ୍ନ ଜ୍ୟୋତିର୍ବିଦ ସୂର୍ଯ୍ୟସିଦ୍ଧାନ୍ତର ଆଧାରରେ ପାଞ୍ଜି (କ୍ୟାଲେଣ୍ଡର) ତିଆରି କରିଛନ୍ତି । ହେଲେ ୧୦୯୯ ମସିହାରେ ଭାରତର ଓଡ଼ିଶା ରାଜ୍ୟରୁ ଜଣେ ପ୍ରସିଦ୍ଧ ଜ୍ୟୋତିର୍ବିଦ ଶତାନନ୍ଦ ଭାସ୍ୱତୀ ନାମକ ଗ୍ରନ୍ଥ ରଚନା କରିଥିଲେ ।

ଏହି ଗ୍ରନ୍ଥ ନେପାଳରେ ଲୋକପ୍ରିୟତା ଲାଭ କରି ଗଣିତ ଗ୍ରନ୍ଥ ଭାବେ ଜ୍ୟୋତିଷୀ ବିଭାଗର ଶିକ୍ଷକମାନଙ୍କଦ୍ୱାରା ଶିକ୍ଷା ଦିଆଯାଉଥିଲା । ପଞ୍ଚାଙ୍ଗ ଗଣନାରେ ଭାସ୍ୱତୀ ବିଶେଷ ଭାବେ ବ୍ୟବହୃତ ହେଉଥିବାରୁ ୧୪୯୪ ଖ୍ରୀଷ୍ଟାବ୍ଦରେ (ମାଳାଯୁଗରେ) ଶିକ୍ଷକ ଦୈବଜ୍ଞ ବଳଭଦ୍ର, ଜୁମୁଲା ଅଞ୍ଚଳରେ ଜନ୍ମଗ୍ରହଣ କରି ଭାସ୍ୱତୀର ବାଳବୋଧିନୀ ଟିକା ପ୍ରସ୍ତୁତ କରିବା ସହିତ ଗଣିତ ଶିକ୍ଷା ନିମିତ୍ତ ଛାତ୍ରମାନଙ୍କ ପାଠ୍ୟପୁସ୍ତକର ଅନ୍ତର୍ଭୁକ୍ତ କରିଥିଲେ । ଏହି ପୁସ୍ତକ ଛାତ୍ରମାନଙ୍କୁ ମିଶାଣ, ଫେଡ଼ାଣ, ଗୁଣନହରଣ ଶିଖିବାରେ ସହାୟତା କରୁଥିଲା । ଏଣୁ ଭାସ୍ୱତୀ ନେପାଳର ପ୍ରଥମ ଗଣିତ ପୁସ୍ତକ ଭାବେ ଗଣାଯାଉଥିଲା । ଗଣିତ ଓ ଜ୍ୟୋତିର୍ବିଜ୍ଞାନ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥିବା ହେତୁ ନେପାଳରେ ସାଧାରଣତଃ ଗଣିତ ଶିକ୍ଷା ନିମନ୍ତେ ଛାତ୍ରମାନେ ଜ୍ୟୋତିଷ ଶିକ୍ଷକଙ୍କ ନିକଟକୁ ଯାଉଥିଲେ । ଏହି ଜ୍ୟୋତିଷ ଶିକ୍ଷକମାନେ ଭାସ୍ୱତୀ ଗ୍ରନ୍ଥରେ ଦିଆଯାଇଥିବା ଉଦାହରଣ ସବୁକୁ ନେଇ ଛାତ୍ରମାନଙ୍କଦ୍ୱାରା ପଞ୍ଚାଙ୍ଗ ତିଆରି କରିବା ଅଭ୍ୟାସ କରାଉଥିଲେ ।

ନେପାଳର ବିଭିନ୍ନ ଅଞ୍ଚଳରେ ଏହାର ହାତଲେଖା ଟୀକା ନେପାଳୀ ଭାଷାରେ ତିଆରିକରି ଛାତ୍ରମାନଙ୍କୁ ଶିକ୍ଷା ଦିଆଯାଉଥିଲା । ଏହି ଟୀକା ମଧ୍ୟରୁ ଜୁମୁଲା ନିବାସୀ ବିଦ୍ୟାର୍ଥୀ ବଳଭଦ୍ରଙ୍କ ଟୀକା ଭାରତରେ ମଧ୍ୟ ଲୋକପ୍ରିୟ ହୋଇପାରିଥିଲା । ରାଜଜ୍ୟୋତିଷ ଲକ୍ଷ୍ମୀପତି ପାଣ୍ଡେ (୧୭୫୮-୧୮୧୩ ଖ୍ରୀଷ୍ଟାବ୍ଦ) ବାହାଦୁର ଶାହା (୧୭୫୭-୧୭୯୭ ଖ୍ରୀଷ୍ଟାବ୍ଦ)ଙ୍କ ସମୟରେ ଭାସ୍ୱତୀ ଗ୍ରନ୍ଥର ଟୀକା ପ୍ରସ୍ତୁତ କରି ପ୍ରଥମେ ଗଣିତ ଓ ଜ୍ୟୋତିିର୍ବିଜ୍ଞାନ ଅଧ୍ୟୟନ ଆରମ୍ଭ କରିଥିଲେ । ଲକ୍ଷ୍ମୀପତି ପାଣ୍ଡେ ପ୍ରଥମ ଜ୍ୟୋତିର୍ବିଦ ଭାବେ ଭାସ୍ୱତୀରେ ଲେଖାଯାଇଥିବା ଶ୍ଳୋକଗୁଡ଼ିକର ନେପାଳୀ ଭାଷାରେ ଅନୁବାଦ କରିଥିଲେ । ତାଙ୍କ ପୁସ୍ତକରୁ ଜଣାଯାଏ ଯେ ଭାସ୍ୱତୀ ହିଁ ନେପାଳର ପ୍ରଥମ ଗଣିତ ପୁସ୍ତକ । ଏହା ପରେ ଗଣିତରେ ଅଧିକ ଜ୍ଞାନ ଆହରଣ ନିମନ୍ତେ ଛାତ୍ରମାନେ ଭାସ୍କରାଚାର୍ଯ୍ୟଙ୍କ ଲୀଳାବତୀ ଅଧ୍ୟୟନ କରିଥିଲେ । ଜ୍ୟୋତିଷାଚାର୍ଯ୍ୟମାନେ ଗ୍ରହ ନକ୍ଷତ୍ରଙ୍କ ଗଣନା, ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗ୍ରହଣ ଗଣନା ନିମନ୍ତେ ଭାସ୍ୱତୀ ଗ୍ରନ୍ଥର ସହାୟତା ନେଉଥିଲେ । ଲକ୍ଷ୍ମୀପତି ପାଣ୍ଡେ ରାଜା ରାଣା ବାହାଦୁର ଶାହାଙ୍କ ସମୟରେ କାଠମାଣ୍ଡୁଠାରେ ଏକ ପର୍ଯ୍ୟବେକ୍ଷିକା ନିର୍ମାଣ କରିବାସହ ପ୍ରାୟ ୪୦ଟି ପୁସ୍ତକକୁ ନେପାଳୀ ଭାଷାରେ ଅନୁବାଦ କରିଥିଲେ । ତନ୍ମଧ୍ୟରୁ ରତ୍ନଦ୍ୱୀପ, ଭାସ୍ୱତୀ, ଲୀଳାବତୀ, ଗ୍ରହଲାଘବ ଓ କାଳାର୍ଣ୍ଣଭ ଦୀପିକା ଆଦି ପ୍ରଧାନ । ଆଠଟି ଅଧ୍ୟାୟ ବିଶିଷ୍ଟ ଭାସ୍ୱତୀରେ ସ୍ଥାନ ପାଇଥିବା ବିଷୟ:

  1. ତିଥ୍ୟାଦିଧ୍ରୁବାଧିକାର,
  2. ଗ୍ରହଧ୍ରୁବାଧିକାର,
  3. ପଞ୍ଚାଙ୍ଗ ସ୍ଫୁଟାଧିକାର,
  4. ଗ୍ରହସ୍ଫୁହୁଟାଧିକାର,
  5. ତ୍ରିପ୍ରଶ୍ନାଧିକାର,
  6. ଚନ୍ଦ୍ରଗ୍ରହଣାଧିକାର,
  7. ସୂର୍ଯ୍ୟ ଗ୍ରହଣାଧିକାର ଓ
  8. ପରିଲେଖାଧିକାର

ଭାସ୍ୱତୀର ପ୍ରଥମ ଅଧ୍ୟାୟରେ ଶତାନନ୍ଦ ତିଥି ବା ଦିନ, ଚନ୍ଦ୍ର ଓ ସୂର୍ଯ୍ୟଙ୍କର ଗତିକୁ ଆଧାର କରି ଗ୍ରହ ଓ ନକ୍ଷତ୍ରମାନଙ୍କର ଅବସ୍ଥିତି ନିର୍ଣ୍ଣୟ କରିବାର ପ୍ରକ୍ରିୟା ଗାଣିତିକ ସୂତ୍ର ସହ ବର୍ଣ୍ଣନା କରିଛନ୍ତି । ଗାଣିତିକ ପ୍ରକ୍ରିୟାର ସହାୟତାରେ ସମୟର ବାସ୍ତବିକତା ସ୍ପଷ୍ଟକରିବାପାଇଁ ସେ ବାରମ୍ବାର ୬୦ରେ ଗୁଣି ଏହାର ଅଂଶ, ଘଟି (ଘଣ୍ଟା) ଓ ପଳ (କ୍ଷଣ) ନିର୍ଣ୍ଣୟ କରିଛନ୍ତି । କାରଣ ଜ୍ୟୋତିର୍ବିିଜ୍ଞାନର ମୂଳ ଆଧାର ସମୟ ଓ ଜ୍ୟୋତିଷ୍କ ମାନଙ୍କର ଚଳନ ବୃତ୍ତୀୟ ଗତି ପର୍ଯ୍ୟାୟକ୍ରମେ ସଂଗଠିତ ହେଉଥିବାରୁ ୬୦ର ଉତ୍ପାଦକରେ ଅଂଶ ନିର୍ଣ୍ଣୟ ଆବଶ୍ୟକ ।

୨୦୧୨ରେ ଭାରତରେ ଗଣିତ ବର୍ଷ ପାଳନ କରାଯାଉଥିଲା ଓ ଏହି ପରିପ୍ରେକ୍ଷୀରେ ଭାରତର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ବିଜ୍ଞାନ ପ୍ରସାର ଉପବିଭାଗ ତରଫରୁ ପ୍ରକାଶ ପାଇଥିଲା । ଏଥିରେ ଶୂନ୍ୟର ହରଣ ପ୍ରକ୍ରିୟା ଛଳରେ ୪୭୬ ଖ୍ରୀଷ୍ଟାବ୍ଦରେ ଆର୍ଯ୍ୟଭଟ୍ଟ, ୬୨୮ ଖ୍ରୀଷ୍ଟାବ୍ଦରେ ବ୍ରହ୍ମଗୁପ୍ତ ଓ ୮୩୦ ଖ୍ରୀଷ୍ଟାବ୍ଦରେ ମହାବୀରଙ୍କ ଅସଫଳତା ପରେ ୧୧୧୪ ଖ୍ରୀଷ୍ଟାବ୍ଦରେ ଭାସ୍କରାଚାର୍ଯ୍ୟଙ୍କୁ ଶୂନ୍ୟକୁ ନେଇ ହରଣ ପ୍ରକ୍ରିୟା ସଫଳ ଗଣିତଜ୍ଞ ଭାବେ ବର୍ଣ୍ଣନା କରାଯାଇଅଛି । ଏଥି ମଧ୍ୟରେ ୧୦୯୯ ଖ୍ରୀଷ୍ଟାବ୍ଦରେ ଶତାନନ୍ଦଙ୍କ ଶୂନ୍ୟର ହରଣ ପ୍ରକ୍ରିୟା ଏବଂ ଦଶମିକ ଭଗ୍ନାଂଶର ସୂତ୍ରପାତ କରିଥିବା ଓ ପଞ୍ଚଦଶ ଶତାବ୍ଦୀରୁ ତାଙ୍କ ପୁସ୍ତକ ଭାସ୍ୱତୀ ନେପାଳରେ ଲୋକପ୍ରିୟ ହେବା ବିଷୟରେ ଉଲ୍ଲେଖ କରାଯାଇନାହିଁ । [୩]

ଆଧାର[ସମ୍ପାଦନା]

  1. Swain, Manas Ranjan. "ASTROLOGERS OF ORISSA". Retrieved 22 October 2014.
  2. "Orissa petition to ban 'incorrect' almanac". The Telegraph. Retrieved 22 October 2014.
  3. ପଣ୍ଡା, ଡ. ସୁଧୀରା (୨୨ ଅକ୍ଟୋବର ୨୦୧୪). "ବିସ୍ମୃତି ଗର୍ଭରେ ଓଡ଼ିଆ ଗଣିତଜ୍ଞ". ସମାଜ. p. ୬. Check date values in: |date= (help)